ପୃଥିବୀରୁ ମଙ୍ଗଳ ଭାୟା ଚନ୍ଦ୍ର

- ପ୍ରମୋଦ କୁମାର ମହାପାତ୍ର, ବରିଷ୍ଠ ସାମ୍ବାଦିକ

ମଣିଷ ଭଳି ଏକ ଚଳଚଞ୍ଚଳ ପ୍ରାଣୀ ଗୋଟିଏ ସ୍ଥାନରେ ବହୁସମୟ ଧରି ନୀରବରେ, ନିଶ୍ଚଳରେ ବସିରହିବା ସମ୍ଭବ ନୁହେଁ। ଏକବିଂଶ ଶତାବ୍ଦୀରେ ‘ବିଜ୍ଞାନ’ ନାମକ ଗବେଷଣାର ଆୟୁଧ ସହିତ ଆଗକୁ ବଢ଼ୁଥିବା ଅନେକ ମଣିଷ ଚିନ୍ତାକଲେ ସବୁବେଳେ ପୃଥିବୀରେ ଆମେ ଆଉ କେତେ ଦିନ ବସବାସ କରିବା! ବେଶୀଦୂରକୁ ନଗଲେ ନାହିଁ ଅନ୍ତତଃ ଆମ ସୌରମଣ୍ଡଳରେ ଥିବା ଆମର ନିକଟତମ ପରିଚିତ ଉପଗ୍ରହ ଚନ୍ଦ୍ର ଓ ନିକଟତର ଗ୍ରହ ମଙ୍ଗଳ ପୃଷ୍ଠକୁ ଯାଇ ବୁଲିଆସିଲେ କେମିତି ହୁଅନ୍ତା? ଇତି ମଧ୍ୟରେ ଆମଠାରୁ ପ୍ରାୟ ୩ ଲକ୍ଷ ୮୫ ହଜାର କିଲୋମିଟର ଦୂରରେ ଥିବା ପରିଚିତ ଚନ୍ଦ୍ର ପୃଷ୍ଠରେ ଆମେ ପାଦ ପକାଇ ସାରିଲୁଣି। ସେଠାକାର ଜୀବଜନ୍ତୁ ନଥିବା, ଖାଲଖମାରେ ପୂର୍ଣ୍ଣ ପରିତ୍ୟକ୍ତ ବାଲିମାଟିର ବିସ୍ତୀର୍ଣ୍ଣ ଅଞ୍ଚଳର ଉତ୍ତପ୍ତ ପୃଷ୍ଠ ଦେଶ ତଥା ପାଣି ଟୋପାଏ ନଥିବା, ଜୀବନ୍ତ ପ୍ରାଣୀ ବା ଉଦ୍ଭିଦର ଚିହ୍ନବର୍ଣ୍ଣ ନଥିବା, ସର୍ବୋପରି ମଣିଷ ସେଠାରେ ବଞ୍ଚିରହିବାପାଇଁ ଆବଶ୍ୟକ ବାୟୁମଣ୍ଡଳ ନଥିବା ଭଳି ବିଚିତ୍ର ଅବସ୍ଥା ଦେଖି ହତାଶ ହେବାଭଳି ଅନୁଭବ କରିଛୁ। ଏହାର ପ୍ରମାଣ ହେଉଛି ଗତ ପ୍ରାୟ ୫୦ ବର୍ଷ ତଳେ ପ୍ରଥମ ମଣିଷ ନିଲ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ର ପୃଷ୍ଠରେ ୨୦ ଜୁଲାଇ ୧୯୬୯ରେ ପାଦଦେଇ ଇତିହାସ ରଚିଥିଲେ ମଧ୍ୟ ଏହା ପରେ ଆମେ ଆଉ ବେଶୀ ଗୁରୁତ୍ବ ଦେଇନାହୁଁ। ଚନ୍ଦ୍ର ଜୟର ପ୍ରାୟ ଅଢ଼େଇବର୍ଷ ମଧ୍ୟରେ ମୋଟ ୧୨ଜଣ ମଣିଷ ୭ ଡିସେମ୍ବର ୧୯୭୨ ମସିହା ମଧ୍ୟରେ ଚନ୍ଦ୍ର ପୃଷ୍ଠକୁ ଯାଇ ଅନେକ ଗବେଷଣା କରିଥିଲେ ମଧ୍ୟ ଇତିମଧ୍ୟରେ ଗତ ପ୍ରାୟ ୪୯ ବର୍ଷ ଭିତରେ ପୃଥିବୀରେ କେହି ଜଣେ ମଣିଷ ଏହା ପୃଷ୍ଠରେ ପାଦ ଦେଇ ନାହାନ୍ତି। ଏହାର କାରଣ ହେଉଛି ଯେ ମଣିଷର ବାସଉପଯୋଗୀ କ୍ଷେତ୍ର ପୃଥିବୀ ଭଳି ଏହା ଏତେ ସରସ, ସୁନ୍ଦର, ସୁଖପ୍ରଦ ବସତିକ୍ଷେତ୍ର ନୁହେଁ। ଆମେ ଏହାକୁ ଗବେଷଣାର କ୍ଷେତ୍ର କରିପାରୁ; କିନ୍ତୁ ସ୍ଥାୟୀଭାବେ ସ୍ବାଧୀନତାର ସହ ଖୁସିବାସିରେ ଏଠାରେ ରହି ହେବ ନାହିଁ।

ଚନ୍ଦ୍ର ଆଡ଼ୁ ମୁହଁ ମୋଡ଼ିବା ପରେ ଏବେ ମଣିଷର ଆଖି ପଡ଼ିଛି ଆମର ସବୁଠାରୁ ନିକଟରେ ଥିବା ଗ୍ରହ ମଙ୍ଗଳ ଉପରେ। ପୃଥିବୀଠାରୁ ମଙ୍ଗଳଗ୍ରହର ଦୂରତା ହେଉଛି ୭ କୋଟି ୭୯ଲକ୍ଷ କିଲୋମିଟର। ଚନ୍ଦ୍ର ଆମଠାରୁ ୩ ଲକ୍ଷ ୮୪ ହଜାର କିଲୋମିଟର ଦୂରରେ ରହିଛି ଏବଂ ପୃଥିବୀରୁ ଚନ୍ଦ୍ରରେ ଯାଇ ପହଞ୍ଚିବାକୁ ଆମକୁ ୪ଦିନ ଲାଗିଥିଲା। ଏବେ ଆମ ନିକଟରେ ଥିବା ସବୁଠାରୁ ଦ୍ରୁତଗାମୀ ରକେଟରେ ଆମେ ଯାତ୍ରା କଲେ ମଙ୍ଗଳଗ୍ରହରେ ପହଞ୍ଚିବାକୁ ଖୁବ୍‌ କମରେ ୬ମାସ ସମୟ ଲାଗିବ। ଆମେରିକାର ‘ନାସା’ ପକ୍ଷରୁ ଦୀର୍ଘ ୭ମାସ ତଳେ ପ୍ରେରଣ କରାଯାଇଥିବା ‘ପର୍ସିଭେରାନ୍ସ ରୋଭର’ ଫେବୃଆରୀ ୧୮ ତାରିଖ, ୨୦୨୧ ରାତ୍ରି ୨ଟା ୩୦ ମିନିଟରେ ମଙ୍ଗଳ ପୃଷ୍ଠରେ ପହଞ୍ଚିଛି। ଏହି ଗବେଷଣାଯାନର ପ୍ରମୁଖ କାର୍ଯ୍ୟ ହେଉଛି ମଙ୍ଗଳ ପୃଷ୍ଠରେ ଅଣୁଜୀବଙ୍କ ଉପସ୍ଥିତି ସମ୍ପର୍କରେ ଗବେଷଣା କରିବା। ଏହି ଯାନ ଏକ ଟ୍ୟୁବ ଭିତରେ ମଙ୍ଗଳ ମାଟି ପଥରରୁ ପ୍ରାୟ ୩୦ଟି ନମୁନା ସଂଗ୍ରହ କରି ପୃଥିବୀ ପୃଷ୍ଠକୁ ଆଣିବାର ଯୋଜନା ରହିଛି।

ବର୍ତ୍ତମାନ ସୁଦ୍ଧା ମଙ୍ଗଳକୁ ପ୍ରେରିତ ଗବେଷଣାଯାନ ମଧ୍ୟରେ ଏହି ଯାନ ହେଉଛି ସବୁଠାରୁ ବୃହତ୍ ଓ ଅତ୍ୟାଧୁନିକ ଯନ୍ତ୍ରପାତିରେ ସଜ୍ଜିତ। ଏକ ଟନ ଓଜନର ଏହି ଗବେଷଣାଯାନର ୭ଟି ଦୁଇ ମିଟର ଲମ୍ବା କାର୍ଯ୍ୟକ୍ଷମ ବାହୁ ରହିଛି ଯାହା ସଂଚାଳିତ ହୋଇ ନମୁନା ସଂଗ୍ରହ ସହିତ ଯାନଟିକୁ ଗୋଟିଏ ସ୍ଥାନରେ ରହିବାରେ ସହାୟତା କରିବ। ଏହାଛଡ଼ା ଏଥିରେ ୧୯ଟି କ୍ୟାମେରା, ୨ଟି ମାଇକ୍ରୋଫୋନ ଓ କେତେକ କାଟିବା ମେସିନ ଲଗାଯାଇଛି। ଏହି ଯାନଟିର ମଙ୍ଗଳପୃଷ୍ଠରେ ଅବତରଣ ସବୁଠାରୁ ବିପଦପୂର୍ଣ୍ଣ। ଘଣ୍ଟାପ୍ରତି ୨୦ହଜାର କିଲୋମିଟର ବେଗରେ ଗତିକରି ଏକ ସ୍ବତନ୍ତ୍ର ଉତ୍ତାପ ନିରୋଧକ ସୁରକ୍ଷା ବଳୟ ଭିତରେ ରହି ସଫଳତାର ସହ ଏହାର ମଙ୍ଗଳ ପୃଷ୍ଠରେ ଅବତରଣ କାର୍ଯ୍ୟକ୍ରମକୁ ସଫଳକରି ‘ନାସା’ରେ କାର୍ଯ୍ୟରତ ଭାରତୀୟ ମହାକାଶ ବିଜ୍ଞାନୀ ଡକ୍ଟର ସ୍ବାତୀ ମୋହନ ସାଧାରଣରେ ତଥା ଭାରତୀୟଙ୍କ ଦ୍ବାରା ପ୍ରଶଂସନୀୟ ହୋଇଛନ୍ତି। ଅବତରଣ ବେଳେ କ୍ଷିପ୍ରବେଗରେ ମଙ୍ଗଳ ପୃଷ୍ଠକୁ ଖସୁଥିବା ଏକ ସୁପରସୋନିକ ପାରାଚ୍ୟୁଟ ଖୋଲିଯାଇ ଏହାର ବେଗକୁ କମାଇବା ସହିତ ରାତ୍ରି ୨ଟା ୩୦ ମିନିଟ ସମୟରେ ନିରୂପିତ ସ୍ଥାନ ମଙ୍ଗଳର ଜେଜିରୋ ଗହ୍ବର ନିକଟରେ ଓହ୍ଲାଇ ଇତିହାସ ରଚିଛି।

ବୈଜ୍ଞାନିକମାନଙ୍କର ଧାରଣା ରହିଛି ଯେ ପ୍ରାୟ ୩ଶହ ୫୦କୋଟି ବର୍ଷ ତଳେ ମଙ୍ଗଳ ପୃଷ୍ଠର ଜେଜିରୋ ବିଶାଳ ଗହ୍ବର ଜଳପୂର୍ଣ୍ଣ ଥିଲା। ଏଠାରୁ ଏକ ଜଳଗର୍ଭା ନଦୀ ବାହାରି ଏକ ହ୍ରଦରେ ମିଶିଥିଲା ଓ ସେଠାରେ ଏକ ତ୍ରିକୋଣୀୟ ଉପତ୍ୟକା ସୃଷ୍ଟି କରି ସେହି ସ୍ଥାନରେ ଅବକ୍ଷିପ୍ତ ତରଳ ଶିଳାସ୍ତର ସୃଷ୍ଟି କରିଥିଲା। ଅତୀତରେ ଏଠାରେ ଜୀବନ ଥିବାନେଇ ଜଳର ଉପସ୍ଥିତି ଉପରେ ଗବେଷଣା କରୁଥିବା ବୈଜ୍ଞାନିକମାନେ ଆଶାବାଦୀ। ଯଦି ଏଠାରେ ଅତୀତରେ ଜୀବନଥିବାର ସୁରାକ ମିଳେ ତେବେ ମଣିଷର ବସତି ପାଇଁ ଏବେ ଏହା କେତେ ଉପଯୋଗୀ ତା’ ଉପରେ ଅଧିକ ଗବେଷଣା କରାଯିବ। ମଙ୍ଗଳରେ ଅତୀତ ଜୀବନର ସୁରାକ ପାଇବାକୁ ଏହି ସ୍ଥାନରେ ଥିବା ଉପତ୍ୟକା, ହ୍ରଦ କୂଳବର୍ତ୍ତୀ ସ୍ଥାନ ଓ ଗହ୍ବରର ବାହ୍ୟ ସୀମାରୁ ପର୍ଯ୍ୟାୟକ୍ରମେ ଏହି ଯାନ ମାଟିପଥରର ନମୁନା ସଂଗ୍ରହ କରି ପୃଥିବୀକୁ ପ୍ରେରଣ କରିବ। ପର୍ସିଭେରାନ୍ସ ଗବେଷଣାଯାନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଯନ୍ତ୍ରାଂଶ ହେଉଛି ଏକ ଛୋଟ ‘ହେଲିକପ୍ଟର ଡ୍ରୋନ’। ଏହି ଡ୍ରୋନ ପ୍ରଥମଥର ପାଇଁ ପୃଥିବୀ ବ୍ୟତୀତ ଅନ୍ୟ ଏକ ଜ୍ୟୋତିଷ୍କରେ ସଂଚାଳିତ ହୋଇ ବିଭିନ୍ନ ଅଞ୍ଚଳକୁ ଉଡ଼ିଯାଇ ସେସବୁ ସ୍ଥାନର ଅଜଣା ଫଟୋଚିତ୍ର ସହ ତଥ୍ୟ ସଂଗ୍ରହ କରିବ।

୨୦୧୮ରେ ‘ନାସା’ ଦ୍ବାରା ପ୍ରେରିତ ‘ଇନସାଇଟ ଲ୍ୟାଣ୍ଡର’ ଯାନ ମଙ୍ଗଳ ଯାତ୍ରାରେ ସଫଳ ହେବାପରେ ମାନବର ମଙ୍ଗଳ ଅଭିମୁଖେ ଯାତ୍ରାନେଇ ଅନେକ ବୈଜ୍ଞାନିକ ଆଶା ବାନ୍ଧିଛନ୍ତି। ଏପରିକି ଏଲନ୍‌ ମସ୍କଙ୍କ ସ୍ପେଶ-ଏକ୍ସ କମ୍ପାନୀ ମଙ୍ଗଳ ପୃଷ୍ଠରେ ମାନବବସତି ସ୍ଥାପନ କରିବାକୁ ଘୋଷଣା କରିସାରିଛି। ତେବେ ବର୍ତ୍ତମାନ ସୁଦ୍ଧା ଏହି ଯାତ୍ରା ଯୋଜନାରେ ରହିଥିବା କେତେକ ଜଟିଳ ସମସ୍ୟାର ସମାଧାନ ସଂପୂର୍ଣ୍ଣ ହୋଇନାହିଁ। ୬ମାସିଆ ଦୀର୍ଘ ମହାକାଶଯାତ୍ରାରେ ମଣିଷ ପାଇଁ ବିପଦପୂର୍ଣ୍ଣ ମହାକାଶରେ ନିରନ୍ତର ଯାତ୍ରା କରିବା କିଭଳି ବିପଦଶୂନ୍ୟ ହେବ ତା’ ଉପରେ ଗବେଷଣା ଚାଲିଛି। ଏଥିପାଇଁ ଆନ୍ତର୍ଜାତିକ ସ୍ତରରେ ସହଯୋଗ ପାଇଁ ଭାରତ ସମେତ ୧୪ଟି ଦେଶକୁ ନେଇ ‘ଆନ୍ତର୍ଜାତିକ ମହାକାଶ ଅନ୍ବେଷଣ ସମନ୍ବୟ ଗୋଷ୍ଠୀ’ ଗଠନ କରାଯାଇଛି। ଆଶା କରାଯାଉଛି ଯେ ଦୀର୍ଘ ପଥରେ ଯାତ୍ରା ପୂର୍ବରୁ ଚନ୍ଦ୍ରରେ ମଙ୍ଗଳଯାତ୍ରୀମାନେ କିଛି ସମୟ କଟାଇ ମଙ୍ଗଳ ଅଭିମୁଖେ ଯାତ୍ରା କରିବେ। ୨୦୩୦ ମସିହା ମଧ୍ୟରେ ଚନ୍ଦ୍ରପୃଷ୍ଠରେ ‘ଲୁନାର ଗେଟୱେ ଷ୍ଟେସନ’ ସୃଷ୍ଟି କରାଯିବ ଓ ଏହାକୁ ମହାକାଶଚାରୀଙ୍କ ବ୍ୟବହାର ଉପଯୋଗୀ କରାଯିବ। ଏହି କେନ୍ଦ୍ରକୁ ପ୍ରମୁଖ ଭାବେ ରୋବଟ ଦ୍ବାରା ସଂଚାଳନ କରାଯିବାର ଯୋଜନା ରହିଛି।

ଏଠାରୁ ମଙ୍ଗଳଯାତ୍ରୀ ବିଭିନ୍ନ ପଦାର୍ଥ ସଂଗ୍ରହ କରିବା ସହିତ ଲମ୍ବା ମହାକାଶଯାତ୍ରା ପାଇଁ ବାସ୍ତବ ତାଲିମପ୍ରାପ୍ତ ହେବେ। ଆମେରିକା,ରୁଷିଆ, ଚୀନ ପରେ ଭାରତ ୪ର୍ଥ ଦେଶ ଭାବେ ମଙ୍ଗଳକୁ ମାନବ ପଠାଇବାର ଆଶା ରଖିଛି। ତେବେ ଏଥିପାଇଁ ବିପୁଳ ଅର୍ଥ ଆବଶ୍ୟକ। ପ୍ରମୁଖଭାବେ ମଙ୍ଗଳକୁ ମହାକାଶଚାରୀଙ୍କ ଯାତ୍ରାପାଇଁ ଆବଶ୍ୟକ ଶକ୍ତିଶାଳୀ ରକେଟ ଯାହା କି ଏକବର୍ଷ ନିଖୁଣଭାବେ କାର୍ଯ୍ୟକ୍ଷମ ରହି ଅଭିଯାତ୍ରୀଙ୍କୁ ମଙ୍ଗଳକୁ ନେଇ ପୁଣି ସୁରକ୍ଷିତ ଭାବେ ପୃଥିବୀପୃଷ୍ଠକୁ ଫେରାଇ ଆଣିପାରିବ। ଏ ଦିଗରେ ବେସରକାରୀ ଉଦ୍ୟମରେ ସଂଚାଳିତ ଏଲନ ମସ୍କଙ୍କ ‘ସ୍ପେଶ ଏକ୍ସ’ ସଂସ୍ଥା ବ୍ୟତୀତ ଜେଫ୍‌ ବେଜୋସଙ୍କ ‘ବ୍ଲୁ ଅରିଜିନ’ ଓ ରିଚାର୍ଡ ବ୍ରାନସନଙ୍କ ‘ଭରଜିନ ଗାଲାଟିକ’ ସଂସ୍ଥାର ଉତ୍ସାହଜନକ କାର୍ଯ୍ୟ ଉଲ୍ଲେଖନୀୟ।

ବର୍ତ୍ତମାନର ମଙ୍ଗଳଯାତ୍ରା ଯୋଜନାର ସ୍ଥିତି ଓ କାର୍ଯ୍ୟକ୍ରମ ଦେଖି ଆମେ ହୁଏତ ମାନବର ମଙ୍ଗଳଯାତ୍ରା ଚଳିତ ଦଶନ୍ଧିର ଶେଷ କିମ୍ବା ଆଗାମୀ ଦଶନ୍ଧିରେ କାର୍ଯ୍ୟକାରୀ ହେବାନେଇ ଆଶା କରିବା। ତେବେ ଯାତ୍ରାର ତୃତୀୟ ଦିନ ମହାକାଶଚାରୀମାନେ ଚନ୍ଦ୍ର ପୃଷ୍ଠରେ ଅବତରଣ କରି ସେଠାରେ କିଛି ସମୟ ବିଶ୍ରାମନେଇ ଦୀର୍ଘ ପଥରେ ମଙ୍ଗଳ ଅଭିମୁଖେ ଯାତ୍ରାକରିବା ଯୋଜନା କାର୍ଯ୍ୟକାରୀ ହେବା ନିଶ୍ଚିତ ମନେହୁଏ।

Comments are closed.