ମୌଳିକ ଅଧିକାର ସୁରକ୍ଷା ଓ ବାସ୍ତବତା

ସୁକାନ୍ତ କୁମାର ପଟେଲ

ଆମ ସମ୍ବିଧାନ ନାଗରିକମାନଙ୍କୁ କେତେକ ମୌଳିକ ଅଧିକାର ପ୍ରଦାନ କରିଛି। ତନ୍ମଧ୍ୟରୁ ସ୍ବାଧୀନ ଭାବେ ମତବ୍ୟକ୍ତ କରିବା ଅଧିକାର, ଶାନ୍ତିପୂର୍ଣ୍ଣ ଏକତ୍ରୀକରଣ ଏବଂ ଆଇନ ଆଗରେ ସମାନତା ଅଧିକାର ପ୍ରଧାନ। ବଞ୍ଚିବାର ଅଧିକାର ସମସ୍ତଙ୍କୁ ସୁରକ୍ଷା ପ୍ରଦାନ କରେ। ଏ ସବୁ ସାଧାରଣତଃ ପ୍ରାଥମିକ ସ୍କୁଲରେ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରାଯାଏ; କିନ୍ତୁ ବାସ୍ତବରେ କ’ଣ ଘଟେ ତାହା ଅତୀବ ଆଶ୍ଚର୍ଯ୍ୟର ବିଷୟ। ଯାହା ପୋଥିଗତ ତାହା ବାସ୍ତବରେ ଘଟିବା ଅସମ୍ଭବ। ଯଦି କେହି ଭାବେ ଯେ ମୌଳିକ ଅଧିକାର ଦ୍ବାରା ସେ ସୁରକ୍ଷିତ, ତେବେ ତାହାର ଧାରଣା ଅଧିକ ପରିମାଣରେ କେବଳ ମନଗଢା କାହାଣୀ ଭିତରେ ସୀମିତ ରହେ।

ସମସ୍ତଙ୍କର ନିଶ୍ଚିତ ଧାରଣା ଥିବ ଯେ ମୌଳିକ ଅଧିକାର ଉଲ୍ଲଙ୍ଘନ ହେବା ଆଦୌ ସମ୍ଭବ ନୁହେଁ। ଏପରି କି କୌଣସି ପରିସ୍ଥିତିରେ ଏହାର ସୀମା ପରିବର୍ତ୍ତନ କିମ୍ବା ଆକାର ଛୋଟ କରାଯିବା ଧୃଷ୍ଟତା ମାତ୍ର। ଆମ ସମ୍ବିଧାନର ଧାରାରେ ସ୍ପଷ୍ଟ ଭାବରେ ଲିଖିତ ଯେ ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ବ, ଶାନ୍ତି, ଶୃଙ୍ଖଳା ବଜାୟ ରହିବା ନିମନ୍ତେ ଜଟିଳ ପରିସ୍ଥିତି ଉପୁଜିଲେ କୌଣସି ପ୍ରକାର ନିୟନ୍ତ୍ରଣ କରାଯିବ; କିନ୍ତୁ କିଏ ସ୍ଥିର କରିବ କେତେଦିନ ପାଇଁ ମୌଳିକ ଅଧିକାରକୁ, ପ୍ରାଶାସନିକ ସ୍ତରରେ ନିୟନ୍ତ୍ରଣ ପୂର୍ବକ ଉଚ୍ଛେଦ କରାଯାଇଛି ଯାହା ଆଜି ଏକ ଜଟିଳ ପ୍ରଶ୍ନ। ସାଧାରଣତଃ କାର୍ଯ୍ୟପାଳିକା ଅଥବା ଶାସନ କ୍ଷମତାରେ ଥିବା ସରକାରଙ୍କର ପ୍ରାଥମିକ କର୍ତ୍ତବ୍ୟ ହେଉଛି ଦେଶର ଅଖଣ୍ଡତା ଏବଂ ସାର୍ବଭୌମତ୍ବ ସୁରକ୍ଷିତ ରଖିବା ସହ ଶାନ୍ତିଶୃଙ୍ଖଳା ବଜାୟ ରଖିବା; କିନ୍ତୁ ଏହି ସବୁ ବିଷୟରେ ଜଟିଳ ପରିସ୍ଥିତି ସୃଷ୍ଟି ହୁଏ ଯେତେବେଳେ କାର୍ଯ୍ୟପାଳିକାର ପରିଚାଳକଗଣ ନିଜକୁ ରାଷ୍ଟ୍ର ସହ ସମାନ କରନ୍ତି ଏବଂ ରାଷ୍ଟ୍ର ସୁରକ୍ଷାକୁ ନିଜର ମତାନୁସାରେ ସାର୍ବଜନୀନ ଭାବେ ପ୍ରଣୟନ କରନ୍ତି ଯାହା ନିଶ୍ଚିତଭାବେ ଅଣସାମ୍ବିଧାନିକ; କିନ୍ତୁ ଏଥି ନିମନ୍ତେ ଆମ ଦେଶରେ କୌଣସି ପ୍ରକାର ମତାନ୍ତର କିମ୍ବା ଦ୍ବନ୍ଦ୍ବ ଉପୁଜେ ନାହିଁ ଏବଂ ମତବ୍ୟକ୍ତ କରିବାର ଅଧିକାର ତଥା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଅଧିକାରର କୌଣସି ମୂଲ୍ୟ ନ ଥାଏ।

ଭାରତ ନିମନ୍ତେ ମୌଳିକ ଅଧିକାର ଉପରେ ନିୟନ୍ତ୍ରଣ ପୂର୍ବକ ଏକଛତ୍ରବାଦୀ ଏବଂ ଯଥେଚ୍ଛାଚାରୀ ଶାସନର କରାଳ ଛାୟା ପଡିବା ପ୍ରଥମ ନୁହେଁ। ଆମ ସମସ୍ତଙ୍କର ମନେ ଥିବ ଯେ ଜରୁରୀ ପରିସ୍ଥିତିର କଳା ଦିବସ ଯେତେବେଳେ ନ୍ୟାୟପାଳିକାର ସମସ୍ତ କ୍ଷମତା ଅପହରଣ କରାଯାଇ କାର୍ଯ୍ୟପାଳିକାର ଅମିତାଚାର ଓ ଅନଧିକାର କାର୍ଯ୍ୟକୁ ନିୟନ୍ତ୍ରଣ କରିବାର ସମସ୍ତ କ୍ଷମତା ଉଚ୍ଛେଦ କରାଯାଇଥିଲା। କହିବା ବାହୁଲ୍ୟ ଯେ ଏକ ଦଶନ୍ଧି ପରେ ସୁପ୍ରିମ କୋର୍ଟ ଘୋଷଣା କରିଥିଲେ ଯେ ଏ.ଡି.ଏମ. ଜବଲପୁର ବନାମ ଶିବରାମ ଶୁକ୍ଲା ମାମଲାରେ ପ୍ରଦାନ କରାଯାଇଥିବା ରାୟ ସଂପୂର୍ଣ୍ଣ ଭୁଲ। ତେବେ ଏହି ମାମଲା ବିରୋଧରେ ସ୍ବର ଉତ୍ତୋଳନ କରିଥିବା ବିଚରାପତି ଜଷ୍ଟିସ୍‌ ଏଚ.ଆର.ଖାନ୍ନାଙ୍କୁ ବହୁ କଷ୍ଟ ସହ୍ୟ କରିବାକୁ ପଡିଥିଲେ ମଧ୍ୟ ପୀଡିତଙ୍କୁ କୌଣସି ପ୍ରକାର ଉପଚାର ମିଳି ନ ଥିଲା। ଏହା ଥିଲା ଜରୁରୀ ପରିସ୍ଥିତି ସମୟରେ ହେବିଅସ କର୍ପସ ଅଥବା ଅଟକ ରଖିଥିବା ଲୋକଙ୍କୁ ଅଦାଲତରେ ହାଜର କରିବା ସହ ଅଟକର କାରଣ ଦର୍ଶାଇବା ନିମନ୍ତେ କାରାଧ୍ୟକ୍ଷଙ୍କ ନିକଟକୁ ସମନ ପଠାଇବା ଘଟଣା। ଜରୁରୀ ପରିସ୍ଥିତି ସମୟ (୧୯୭୫-୭୭)ରେ ସୁପ୍ରିମ କୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ପି.ଏନ.ଭଗବତୀଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠର ରାୟ ଅନୁସାରେ ଜଣକୁ ବେଆଇନ ଭାବେ ଅଟକ ରଖିବା ଅଧିକାରକୁ ପ୍ରଲମ୍ବିତ ଅଥବା ସ୍ଥଗିତ ରଖାଗଲା। ତେବେ ତତ୍କାଳୀନ ମହିଳା ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ରାଜନୈତିକ ଦଳଙ୍କ ସପକ୍ଷରେ ଥିଲା ଏହି ଐତିହାସିକ, କଳଙ୍କିତ ତଥା ମୌଳିକ ଅଧିକାର ଉଲ୍ଲଙ୍ଘନ ରାୟ, ଯାହା ଆମ ଆଇନ ଇତିହାସରେ ଲିପିବଦ୍ଧ ହୋଇ ରହିଛି କାଳକାଳ ପାଇଁ।

ଆମେ କେବେ ସ୍ବପ୍ନରେ ସୁଦ୍ଧା ଭାବିପାରିବା ନାହିଁ ଯେ ସାମ୍ରାଜ୍ୟବାଦୀ ସରକାରଙ୍କ ଦ୍ବାରା ପ୍ରଣୀତ ରାଜଦ୍ରୋହ ସମ୍ପର୍କିତ ସେ ସମୟର ପୁରାତନ ଓ ଜଟିଳ ନିୟମ ସବୁ ଯାହା ନାଗରିକମାନଙ୍କ ସ୍ବାଧୀନତାର ଅଧିକାର କ୍ଷୁଣ୍ଣ କରାଯିବା ଉଦ୍ଦେଶ୍ୟରେ ପ୍ରଣୀତ ହୋଇଥିଲା ତାହା ଆମ ଗଣତନ୍ତ୍ର ଓ ସାଧାରଣତନ୍ତ୍ର ଦେଶରେ ମଧ୍ୟ ଏ ପର୍ଯ୍ୟନ୍ତ ପ୍ରଚଳିତ। ସେହି ଜରୁରୀ ପରିସ୍ଥିତି ସମୟରେ ଯେଉଁ କଠିନ ଆଇନ ଯଥା ‘ମିସା’ ଓ ‘ଡିଆଇଆର’ ପ୍ରଭୃତି ଜାରି କରାଯାଇଥିଲା ତାହାକୁ ସେ ସମୟରେ ଜନତା ଘୃଣା କରୁଥିଲେ ମଧ୍ୟ ଆଜି ତାହା ଅପେକ୍ଷା ତୁଳନାତ୍ମକ ଭାବେ ଅଧିକ କଠିନ ଆଇନ ପ୍ରଣୟନ କରାଯିବାର ହୃଦ୍‌ବୋଧ ହେଉଛି। ପୁଲିସ ବିନା ଗିରଫ ପରୱାନାରେ ଗିରଫ କରିବା ଏବଂ ଜାମିନ ଅଧିକାର ଆଇନ ଥାଇ ସୁଦ୍ଧା ନାଗରିକଙ୍କୁ ଜାମିନ ପ୍ରଦାନ ନ କରିବା ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି। ଏପରି କି ଆମ ଆଇନ ଶାସ୍ତ୍ର ଅନୁସାରେ ଥିବା ଜାମିନ ଆଇନକୁ ଆଜି ସ୍ଥାଣୁ କରିଦିଆଯାଇଛି। ମାନ୍ୟବର ସୁପ୍ରିମକୋର୍ଟଙ୍କର ଭିନ୍ନଭିନ୍ନ କେସରେ ପ୍ରଦାନ ରାୟସମୂହ କୌଣସି ନିର୍ଦ୍ଦିଷ୍ଟ ରେଖାରେ ଆଲୋକପାତ ନ କରିବାରୁ ଉଚ୍ଚ ନ୍ୟାୟାଳୟଗୁଡିକ ମଧ୍ୟ ଦ୍ବନ୍ଦ୍ବ ଭିତରେ ଗତି କରୁଛନ୍ତି ଏବଂ ଯଦ୍ଦ୍ବାରା ନାଗରିକଙ୍କ ଅବସ୍ଥା ଶୋଚନୀୟ ହୋଇପଡୁଛି।

ଆମ ଆଇନ ଶାସ୍ତ୍ରର ମୂଳତତ୍ତ୍ବ ହେଉଛି ଅଦାଲତ ଦ୍ବାରା ଉପଯୁକ୍ତ ଅନୁସନ୍ଧାନ ପୂର୍ବକ ଯେ ପର୍ଯ୍ୟନ୍ତ ଅଭିଯୁକ୍ତ ଦୋଷୀ ପ୍ରମାଣିତ ନ ହୋଇଛି ସେ ପର୍ଯ୍ୟନ୍ତ ସେ ନି‌େର୍ଦାଷ; କିନ୍ତୁ ଦୁଃଖର ବିଷୟ ଏହି ଯେ ଅଭିଯୁକ୍ତ କିମ୍ବା ବିରୋଧୀ ରାଜନୈତିକ ନେତାମାନଙ୍କ ବିରୁଦ୍ଧରେ ଲଗାଯାଇଥିବା ଅନେକ ଅଭିଯୋଗ ସଂପୂର୍ଣ୍ଣ ଭୁଲ ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ପ୍ରମାଣିତ ହୁଏ। କେବଳ ସେତିକି ନୁହେଁ, ବର୍ତ୍ତମାନ ସମୟରେ ଯେ କୌଣସି ଜଣେ ଅନ୍ୟ ଜଣକୁ ତାହାର ଧାର୍ମିକ ଭାବନାକୁ ଆକ୍ଷେପ କରି ଦୋଷାରୋପ କରିପାରେ ଏବଂ ଜାତୀୟ ସୁରକ୍ଷାର ଦ୍ବାହି ଦେଇ ଉପରିସ୍ଥ ଅଫିସରଙ୍କୁ ମଧ୍ୟ ଅପମାନିତ କରିପାରେ। ପ୍ରଖ୍ୟାତ ହାସ୍ୟରସ ଅଭିନେତାଠାରୁ ଆରମ୍ଭ କରି କୁନିକୁନି ସ୍କୁଲ ପିଲାମାନେ ଆଜି ସନ୍ଦେହ ବଳୟ ଘେରରେ ଏବଂ ଏମାନଙ୍କ ମଧ୍ୟରୁ ଅନେକ ଆଜି ପୁଲିସ ହାଜତ କିମ୍ବା ନ୍ୟାୟିକ କାରାଗାରରେ ମାସମାସ ଧରି କାଳ କାଟୁଛନ୍ତି। ଅନ୍ୟ କେତେକ ଅପେକ୍ଷାକୃତ ଭାଗ୍ୟବାନମାନେ ସୁପ୍ରିମକୋର୍ଟରୁ ମଧ୍ୟବର୍ତ୍ତୀ କାଳୀନ ଜାମିନ ଆଣିବାରେ ସକ୍ଷମ । ଅଧିକାଂଶ ମାମଲାରେ ଅନୁସନ୍ଧାନକାରୀ ସଂସ୍ଥାଗୁଡିକ ଅଣାୟତ୍ତ ଏବଂ ଉଚ୍ଛୃଙ୍ଖଳ ଭାବେ କାର୍ଯ୍ୟ କରିବାର ଦେଖାଯାଏ । ରାଜନେତାଙ୍କୁ ଖୁସି କରିବାକୁ ଯାଇ ପୁଲିସ ବଳ ଆଜି ନିଜ ଖାକିରେ ଦାଗ ଲଗାଇବାକୁ ମଧ୍ୟ ପଛଘୁଞ୍ଚା ଦିଏନାହିଁ। ପକ୍ଷପାତ ରାଜନୀତି ଆଜି ଆଇନର ମୌଳିକ ନିୟମ ସହ ଖେଳ ଖେଳିବାକୁ ତଥା ଆଇନ ଆଗରେ ସମସ୍ତେ ସମାନ ଥିବା ମୌଳିକ ଅଧିକାରକୁ ଉପେକ୍ଷା କରୁଥିବା ଦେଖାଯାଉଛି। ଅସମୟରେ ଉଦ୍ଦେଶ୍ୟମୂଳକ ଭାବେ ଆୟକର ବିଭାଗ ଏବଂ ପ୍ରବର୍ତ୍ତନ ନି‌େ‌ର୍ଦଶାଳୟର ଚଢଉ ସାଧାରଣ କଥା ହୋଇଛି। ବହୁମୁଖୀ ଓ ଜଟିଳ ମିଛ ମାମଲା ଏବଂ ବିଭିନ୍ନ ଧାରାରେ ଛନ୍ଦି ହେବା ଯୋଗୁଁ ଅଭିଯୁକ୍ତ ଜଣକ ନିମନ୍ତେ ମୁକୁଳିବାର ବାଟ ବନ୍ଦ ।

ତେବେ ଏ ସବୁ ସତେ ଯେପରି ଯଥେଷ୍ଟ ନୁହେଁ। ଗୁଣ୍ଡା ଓ ବେସରକାରୀ ଆଇନ ରକ୍ଷାକାରୀମାନେ ରାଜନୈତିକ ପୃଷ୍ଠପୋଷକତା ବଳରେ ଆଇନକୁ ନିଜ ହାତକୁ ନେଉଛନ୍ତି। ପୁଲିସକୁ ନିଜ ଅନୁସାରେ କାର୍ଯ୍ୟକରିବା ନଚେତ୍‌ ଉପଯୁକ୍ତ ଫଳ ଭୋଗିବା ଭଳି ନିର୍ଦେଶ ମଧ୍ୟ ପ୍ରଦାନ କରୁଛନ୍ତି। ଅନ୍ୟ ପକ୍ଷରେ ଯେଉଁମାନେ ଶାସନ କ୍ଷମତାରେ ଅଛନ୍ତି ସେମାନେ ଅସୀମ କ୍ଷମତାଧାରୀ ହେବାର ଲକ୍ଷ୍ୟ କରାଯାଏ। ଏପରି କି ସେମାନେ ଘୃଣାପୂର୍ଣ୍ଣ ବକ୍ତୃତା ପ୍ରଦାନ ପୂର୍ବକ ଅନେକ ସମୟରେ ଗୋଷ୍ଠୀ ସଂଘର୍ଷକୁ ସମ୍ପ୍ରସାରିତ କରୁଥିଲେ ମଧ୍ୟ ଦଣ୍ଡପ୍ରାପ୍ତି ନିମନ୍ତେ ତିଳେ ମାତ୍ର ଭୟ ନ ଥାଏ । ଏପରିକି ସେମାନେ ବାହୁବଳ ପ୍ରଦର୍ଶନ ପୂର୍ବକ ସମସ୍ତଙ୍କୁ ଭୟଭୀତ କରାଇବା ସହ ସାମାଜିକ ଗଣମାଧ୍ୟମରେ ମଧ୍ୟ ନିଜର ପରାକାଷ୍ଠା ପ୍ରଦର୍ଶିତ କରନ୍ତି। ନିଜ ସପକ୍ଷରେ ଉଗ୍ରଧାର୍ମିକ ସମର୍ଥକ ଏକଜୁଟ କରିବା ଅତି ସହଜ, ଯଦିଚ ସମସ୍ତଙ୍କ ଅଲକ୍ଷ୍ୟରେ ବିଦେଶୀଶକ୍ତି ଦେଶସାରା ଅସ୍ଥିରତା ସୃଷ୍ଟି କରିବାରେ ବ୍ୟସ୍ତ। ଦୁଃଖର ବିଷୟ ଏହି ଯେ ସରକାର ଏହି ବିଷୟକୁ ମାନିବାକୁ ନାରାଜ। ଏହି ପରିସ୍ଥିତିରେ ସରକାର କେବଳ ଷଡଯନ୍ତ୍ରର ରସାଳ ଗପ ଗଣମାଧ୍ୟମରେ ନିଜେ ପ୍ରକାଶ କରି ନିଜର ବିଫଳତା ତଥା ଆନ୍ଦୋଳନ, ପ୍ରତିବାଦ ଆଦିଠାରୁ ଜନତାଙ୍କ ଦୃଷ୍ଟିକୁ ଅନ୍ୟ ଦିଗରେ ପ୍ରସାରିତ କରିବାରେ ଅଭ୍ୟସ୍ତ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆମ ଦେଶର ଯୁବା ଗୋଷ୍ଠୀ ଯେଉଁମାନେ ଜନସଂଖ୍ୟାର ବହୁଳାଂଶ​‌େ​‌ ସେମାନେ ହିଁ ଦେଶର ଭବିଷ୍ୟତ। ଏମାନଙ୍କୁ ବଳ ପୂର୍ବକ ନୀରବ କରିହେବ ନାହିଁ କିମ୍ବା କରିବା ମଧ୍ୟ ଅନୁଚିତ। ଅନ୍ୟ ପକ୍ଷରେ ସମାଜର ପେସାଦାର ଅପରାଧୀ ଓ ଅସାମାଜିକ ବ୍ୟକ୍ତି, ଯେଉଁମାନେ ସମସ୍ତଙ୍କ ମୌଳିକ ଅଧିକାରକୁ ଧ୍ବଂସ କରିବାର ଅପଚେଷ୍ଟା କରୁଛନ୍ତି ତାହା ନିଶ୍ଚିତଭାବେ ଗୁରୁତର ଅପରାଧ। ଏହି ଯୁବା ଗୋଷ୍ଠୀ ଭାରତର ଉନ୍ନତିର ପ୍ରମୁଖ ଇଞ୍ଜିନ, ଦେଶର ପ୍ରମୁଖ ଟିକସଦାତା ଏବଂ ଅଧିକ ଶିକ୍ଷିତ ଭାବରେ ଜଣାଶୁଣା। ଏମାନଙ୍କ ମଧ୍ୟରୁ ଡାକ୍ତର, ଇଞ୍ଜିନିୟର ଅର୍ଥନୀତିଜ୍ଞ ଓ ଶିଳ୍ପପତି ଆମ ଦେଶର ଗର୍ବ ଓ ଗୌରବ। ଅତି ଦୁଃଖର ବିଷୟ ଏହି ଯେ ଏ ଯୁବାବର୍ଗ ଏବେ ରାଜନେତା ଓ ଶାସକଙ୍କର ଅବିଶ୍ବାସର ପାତ୍ର। ଏହାର କାରଣ ଉଭୟଙ୍କ ଆଭିମୁଖ୍ୟ ପରସ୍ପର ବିରୋଧୀ। ତେବେ ମିଥ୍ୟା ରାଜଦ୍ରୋହ, ରାଜନେତାଙ୍କୁ କଟୁ ସମାଲୋଚନା ନିମନ୍ତେ ମୋକଦ୍ଦମାରେ ଫସାଇ ଓ ଜେଲ୍‌ରେ ଭର୍ତ୍ତି କରି ସବୁଦିନ ପାଇଁ ସେମାନଙ୍କର କଣ୍ଠରୋଧ କରିବା ଏକବିଂଶ ଶତାବ୍ଦୀରେ କଷ୍ଟକର। ଭାରତ ଭଳି ଏକ ଯୁବ ଗଣତନ୍ତ୍ରରେ ଯୁବବର୍ଗଙ୍କ ଉପରେ ଅତ୍ୟାଚାର ଓ ସେମାନଙ୍କ ପ୍ରତି ପକ୍ଷପାତିତା ନ କରି ସାମ୍ବିଧାନିକ ପ୍ରକ୍ରିୟାରେ ସେମାନଙ୍କର ତଥା ସମସ୍ତ ନାଗରିକଙ୍କ ମୌଳିକ ଅଧିକାରକୁ ସୁରକ୍ଷିତ ରଖିବା ଆଜିର ସରକାରଙ୍କ ପ୍ରଧାନ କାର୍ଯ୍ୟ ହେଉ। ମୌଳିକ ଅଧିକାର ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକ ସ୍ବର ଉତ୍ତୋଳନ କରିବା ଆବଶ୍ୟକ; ନଚେତ୍‌ ପରେ ନେଡ଼ିଗୁଡ଼ କହୁଣୀକୁ ବୋହିଯାଇଥିବ।

Comments are closed.