ନୂଆ ମଣିଷ

- ସୁରେଶ ଚନ୍ଦ୍ର ବେହେରା

ଘରକୁ ଅତିଥି ଆସିଲେ ଆମେ ତାଙ୍କୁ ଦେବତା ଜ୍ଞାନ କରୁ। ତାଙ୍କ ପାଦ ଧୋଇଦେଉ। ନିଜ ଗାମୁଛାରେ ପୋଛି ସେହି ଗାମୁଛାକୁ କାନ୍ଧରେ ପକାଇଥାଉ। ଏ ପ୍ରଥା ଏକବାର ଲୋପ ପାଇଯାଇଛି। ଆଜି ଅତିଥିଙ୍କୁ ସନ୍ଦିଗ୍ଧ ବ୍ୟକ୍ତି ମନେକରି ତାଙ୍କୁ ସାନିଟାଇଜର୍‍ରେ ସତ୍କାର କରୁଛୁ। ଏଇ ନୂଆ ପରମ୍ପରା ସହିତ ଆମେ ବି ଆଜି ସଂପୂର୍ଣ୍ଣ ନୂଆ ମଣିଷ ପାଲଟିଯାଇଛୁ। ଆମେରିକୀୟ କବି ଜୋନାଥନ ସୁଇଫ୍‍ଟ କହିଥିଲେ, ଯେତେ ବଡ଼ କବି ହୋଇଥିଲେ ବି କେହି ନୂଆ କବିତା ଲେଖିପାରିବେ ନାହିଁ। ମୃତ୍ୟୁଲୋକରୁ ଫେରିଥିବା କବି କେବଳ ଏହା ଲେଖିପାରିବେ। ମରଣର ଆଁ ଭିତରୁ ବାହାରି ଆସି ପୁଣି ଜିଇବା ସମ୍ଭବ ନୁହେଁ। ଯଦି କେବେ ଏହା କାହାରିଠାରେ ସମ୍ଭବ ହୁଏ, ସେଇ ମଣିଷକୁ ନୂଆ ମଣିଷ କୁହାଯିବ।

ସମାଧି ଓ ମହାସମାଧିରୁ ପ୍ରକୃତିସ୍ଥ ହେବାପରେ ପ୍ରତ୍ୟେକଥର ଏକ ନୂଆମଣିଷ ପୁରୁଣା ଶରୀର ମଧ୍ୟରେ ଜନ୍ମନିଏ। ଏହି ମଣିଷର ଚିନ୍ତାଚେତନା ଭାବନା ସବୁକିଛି ବଦଳି ଯାଇଥାଏ। ବିଶୁଦ୍ଧ ହୋଇଯାଇଥାଏ। ଏହି କାରଣରୁ ସମ୍ଭବତଃ ମୁନି, ଋଷି ଓ ସାଧକମାନେ ଯେଉଁ ନୂତନ ଜ୍ଞାନ ଲାଭ କରିଥାନ୍ତି ତାହା ନବ୍ୟଜ୍ଞାନ ବା ଦିବ୍ୟଜ୍ଞାନ। ମୃତ୍ୟୁଠାରୁ ମୃତ୍ୟୁର ଭୟ ଖୁବ୍‍ ଭୟଙ୍କର ବୋଲି ସାଧକମାନେ କହିଛନ୍ତି। ବିଗତ ଦୀର୍ଘ ଦଶମାସରୁ ଊର୍ଦ୍ଧ୍ବକାଳ ଏକ ବିଶ୍ୱବ୍ୟାପୀ ଉତ୍କଟ ମହାମାରୀ-ଭୟର କରାଳ ଗର୍ଭରେ ସମଗ୍ର ମାନବ ସମାଜ ରହିଆସିଛି। ସେଥିରୁ ଆପାତତଃ ବର୍ତ୍ତିଆସିଥିବା ମଣିଷମାନେ ସତେଯେମିତି ନୂଆ ମଣିଷ ପାଲଟି ଯାଇଛନ୍ତି! ଯେତେବେଳେ ମଣିଷ ମୃତ୍ୟୁକୁ ପ୍ରତ୍ୟକ୍ଷ କରି ଫେରିଆସେ ନଚିକେତା ସଦୃଶ ତା’ର ଜ୍ଞାନଚକ୍ଷୁ ଖୋଲିଯାଏ। ସଂସାରର ଅଳିକତା ଏବଂ ମାୟାମୋହର ବନ୍ଧନ ତାକୁ ଅବରୋଧ କରିପାରେ ନାହିଁ; ମାତ୍ର ମରଣାନ୍ତକ ଯନ୍ତ୍ରଣାର ଅନୁଭବ ସ୍ମୃତିକୋଷରେ ଲିପିବଦ୍ଧ ହୋଇ ରହିପାରେନା। ଯନ୍ତ୍ରଣା ଅପସରି ଯିବା ମାତ୍ରେ ତାହା ଚେତନାରୁ ବିଲୁପ୍ତ ହୋଇଯାଏ। ପୁନଶ୍ଚ ମଣିଷ ଧୀରେଧୀରେ ମହାଭାବରୁ ବିଚ୍ୟୁତ ହୋଇ ବସ୍ତୁଜଗତର ମୋହରେ ପଡ଼ିଯାଏ।

ବସ୍ତୁବାଦ ବର୍ତ୍ତମାନ ଜୀବନର ସର୍ବସ୍ୱ ପାଲଟିଯାଇଛି। ଏପରିକି ମା’ବାପାଙ୍କୁ ସୁଦ୍ଧା ଭୁଲିଯାଇ ଏବେ ପିଲାମାନେ ସ୍ମାର୍ଟଫୋନ୍‍ ପ୍ରେମରେ ଉବୁଟୁବୁ ହେଉଛନ୍ତି। ମହାମାରୀର ପ୍ରକୋପ ବି ସେମାନଙ୍କୁ ଆତଙ୍କିତ କରିପାରିନାହିଁ। ଇଏବି ଏକ ପ୍ରଜାତିର ନୂଆ ମଣିଷ। ବସ୍ତୁବାଦ ସେମାନଙ୍କ ଆଧ୍ୟାତ୍ମିକ ଓ ତ୍ୟାଗପୂତ ଭାବନାକୁ ଚୂର୍ଣ୍ଣ କରିଚାଲିଛି। ଆଭ୍ୟନ୍ତରୀଣ ଆବଶ୍ୟକତା ଓ ବାହ୍ୟ ବାସ୍ତବତା ମଧ୍ୟରେ ସେମାନଙ୍କର ସନ୍ତୁଳନ ରହୁନାହିଁ। ତେଣୁ ସେମାନେ ଅଶାନ୍ତି ଓ ଦୁଃଖକୁ ପାଳିପୋଷି ବଡ଼ କରିଚାଲିଛନ୍ତି ନିଜ ଭିତରେ। ଅସହିଷ୍ଣୁତା ଓ ଅଧୈର୍ୟ୍ୟପଣ ହିଁ ଅଶାନ୍ତିର କାରଣ। ପରିବର୍ତ୍ତନକୁ ବାନ୍ଧି ରଖିବାର ଆସକ୍ତି ଦୁଃଖର କାରଣ। ଶାଶ୍ୱତ ସହ ଯୋଡ଼ି ହେବା ପରମ ସୁଖର କାରଣ। ଆମର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନୂଆନୂଆ ଆସକ୍ତିର ମନ୍ଦଜହର (ସ୍ଲୋ-ପଏଜନ୍‍) ଆମେ ଏଇ ନୂଆ ପିଢ଼ିର ମଣିଷମାନଙ୍କ ଚେତନାରେ ଅହରହ ସଂଚାର କରାଉଛୁ। ଏମାନେ ବସ୍ତୁପ୍ରତି ଆସକ୍ତ ନ ହୋଇ ବସ୍ତୁଗୁଡ଼ିକୁ ସଯତ୍ନେ ସାଇତି ରଖିବେ ବା କିପରି? ସୁତରାଂ, ଏମାନେ ବିନା ଫଳ ଆଶାରେ କାର୍ୟ୍ୟ କରିପାରିବେ ନାହିଁ। ଆଦେଶ ପ୍ରଦାନ ନ କରି ନେତୃତ୍ୱ ନେଇପାରିବେ ନାହିଁ। କେବଳ ବସ୍ତୁକୁ ସ୍ଥାନ ଦେଇଥିବାରୁ ଏମାନଙ୍କ ହୃଦୟ ପ୍ରେମଶୂନ୍ୟ, ଶ୍ରଦ୍ଧାଶୂନ୍ୟ ଓ ବିବେକଶୂନ୍ୟ। ଯାହା ବୁଝିଛନ୍ତି ତାହା ଏମାନଙ୍କ ପାଇଁ ସତ୍ୟ। ଅଳ୍ପରେ ଏମାନେ ସନ୍ତୁଷ୍ଟ ନୁହନ୍ତି। ଆବଶ୍ୟକତାଠାରୁ ଅଧିକ ସେବନ କଲେ ବା ବ୍ୟବହାର କଲେ ବ୍ୟବହୃତ ସାମଗ୍ରୀର ପ୍ରଭାବ ଯେ ଏମାନଙ୍କୁ ନିୟନ୍ତ୍ରଣ କରିବ, ତାହା ତାଙ୍କୁ ଆମେ ଶିଖାଇ ପାରିଲୁ ନାହିଁ।

ବାସ୍ତବତାକୁ ଦେଖିବାକୁ ହେଲେ ନିଜ ଇଚ୍ଛାକୁ ତ୍ୟାଗ କରିବାକୁ ହେବ। ମିଥ୍ୟା ଦେଖିବାକୁ ହେଲେ ବଳବତୀ ଇଚ୍ଛାକୁ ରଖିବାକୁ ହେବ। ହେଲେ ଆବଶ୍ୟକତାଠାରୁ ଖୁବ୍‍ ବେଶି ଜିନିଷ ପାଖରେ ରଖିଲେ ଯେମିତି ସ୍ୱଚ୍ଛନ୍ଦ ଜୀବନଧାରା ଅସନ୍ତୁଳିତ ହୁଏ, ପ୍ରବଳ ପ୍ରାପ୍ତି-ଇଚ୍ଛା ଓ ଉଚ୍ଚାଭିଳାଷ ମଧ୍ୟ ମାନସିକ ସନ୍ତୁଳନ ଘଟିତ କରେ।

୧୯୫୯ ମସିହାରେ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଲାଭ କରିଥିବା ଦୁଇ ବୈଜ୍ଞାନିକ ଏମିଲୋଗିନୋ ଓ ଓୱେନଚାମ୍ବରଲିନ୍‍ ଦର୍ଶାଇଥିଲେ: ଜଗତରେ ଯେତେ ବସ୍ତୁ ଅଛି ପ୍ରତ୍ୟେକର ଏକ ବିପରୀତ ବସ୍ତୁ ବି ଅଛି। ତାଙ୍କ କହିବାନୁସାରେ ଆଣ୍ଟିମ୍ୟାଟର୍‍ ବିନା ମ୍ୟାଟର୍‍ ରହିପାରିବ ନାହିଁ। ଏହି ଜଗତର ଭାରସାମ୍ୟ ରକ୍ଷା ପାଇଁ ଆଉ ଏକ ବିପରୀତ ଜଗତ ହିଁ ରହିବା ଜରୁରୀ, ତରାଜୁର ଦୁଇ ପଲା ପରି। କମ୍ପନଶୀଳ ଓ ତରଙ୍ଗାୟିତ ବାୟୁମଣ୍ଡଳକୁ ସମତୁଲ ରଖୁଛି ଏକ ଅକଂପନଶୀଳ ଓ ନିସ୍ତରଙ୍ଗ ଶୂନ୍ୟମଣ୍ଡଳ। ଆମେ ଯେତେ ଧ୍ୱନି ସୃଷ୍ଟିକରୁ ତା’ର ତରଙ୍ଗ ବାୟୁରେ କମ୍ପନ ସୃଷ୍ଟିକରେ ଓ କିଛି ସମୟ ପରେ ସେ ଧ୍ୱନି ଶୂନ୍ୟରେ ମିଳେଇଯାଏ। ଚିନ୍ତା କରନ୍ତୁ ତ, ଯଦି ଶୂନ୍ୟ ନ ଥାନ୍ତା, ଏ ଜଗତ କୋଳାହଳ ଯୋଗୁଁ କେତେ ଅଶାନ୍ତ ହୋଇଯାଆନ୍ତା !

ଏହି କାରଣରୁ, ସଂସାର ଯଦି ମିଥ୍ୟା, ଏହାର ଏକ ବିପରୀତ ଜଗତ ଅଛି ଯାହା ଶାଶ୍ୱତ। ସବୁ ଜିନିଷର ଆରମ୍ଭ ହୁଏ ବିପରୀତ ତତ୍ତ୍ୱରୁ; କାରଣ ଆରମ୍ଭ ଯଦି ଜନ୍ମ, ଶେଷ ହେବ ମରଣରେ। ବିନା ଜୀବନରେ ମୃତ୍ୟୁର ଅସ୍ତିତ୍ୱ ନାହିଁ। ସେହିପରି ବିନା ପ୍ରେମରେ ଘୃଣାର ଅସ୍ତିତ୍ୱ ନାହିଁ। ବିନା କ୍ରୋଧରେ ଦୟାର ଅସ୍ତିତ୍ୱ ନାହିଁ। ବିନା ନର୍କରେ ସ୍ୱର୍ଗର ବି ଅସ୍ତିତ୍ୱ ନାହିଁ। ଏଠାରେ ଗୋଟିଏ ଅନ୍ୟଟିର ବିରୋଧାଭାସ ନୁହେଁ, ବରଂ ପରିପୂରକ। ଏହାକୁ ବିଭାଜନ କରିବା ମିଥ୍ୟା, ମନୋନୟନ ବୃଥା। ଏହା ମଧ୍ୟରେ ସମତୁଲ ଧାରଣା ଆସିଲେ ଜୀବନ ହୁଏ ଧନ୍ୟ। ସୁତରାଂ ନିଜ ଭିତରେ ଜୀବନ-ମୃତ୍ୟୁ, ମୋହ-ମୋକ୍ଷ, ଶରୀର-ଅଶରୀର ଓ ପିଣ୍ଡ-ବ୍ରହ୍ମାଣ୍ଡ ଏକତ୍ର ଅଛି। ବିଚାରରେ କେବଳ ଗଭୀର ବିରୋଧାଭାସ ରହିଛି ବସ୍ତୁବାଦୀ ମଣିଷଠାରେ। ଏହା ମନକୁ ବିଭାଜିତ କରି ଭ୍ରମିତ ହୋଇ ରହିବାକୁ ଛାଡ଼ିଦିଏ। ନିଜ ସତ୍ତାକୁ ବି ଦ୍ୱିବିଧ କରିଦିଏ। ନୂଆ ମଣିଷଟି ଦିବ୍ୟ, ଉଦାର। ସେ ହୃଦ୍‍ବୋଧ କରେ ଯେ ସେ ଅନ୍ୟଠାରୁ ଅଲଗା ନୁହେଁ। ସେ କୌଣସି ନାମ ନେଇ ଜନ୍ମ ହୋଇନାହିଁ। ସେମିତି କିଛି ନ ହୋଇ ବି ମରିବ।

ଈଶ୍ୱର କାହାକୁ କିଛି ହୋଇ ରହିବାକୁ ଦିଅନ୍ତି ନାହିଁ। କିଛି ନ ହୋଇ ରହିବାରେ ଥାଏ ସ୍ୱତନ୍ତ୍ରତା, ଅସୀମତା। ଯେତେ ପର୍ୟ୍ୟନ୍ତ ଜଣେ ଗୋଟିଏ ପରିଚୟକୁ ପୁଞ୍ଜି କରି ରହିବ, ସେ ସୀମିତ ହୋଇ ରହିବ। ଏହି ତତ୍ତ୍ୱକୁ ସ୍ୱୀକାର କରିବାକୁ ହେବ। ଯେତେବେଳେ ଜଣେ ଏହା ନିଜକୁ ବୁଝେଇ ପାରିବ, ସେ ଆଉ ଅଳିକ ସୁଖସ୍ୱାଚ୍ଛନ୍ଦ୍ୟ ପ୍ରତି ଆକର୍ଷିତ ହେବନାହିଁ। ସେ ଶାନ୍ତ ଓ ସଂପନ୍ନ ହେବାକୁ ଆରମ୍ଭ କରିବ। ଅନ୍ୟ ଜଣକଠାରୁ ଅଧିକ ଧନୀ, ଜ୍ଞାନୀ, ମାନୀ ବା ଶ୍ରେଷ୍ଠ ବୋଲି ପ୍ରତିପାଦନ କରିବା ଦୌଡ଼ରୁ ନିବୃତ୍ତ ରହିବ। କିଛି ଗୋଟାଏ ସ୍ୱତନ୍ତ୍ର ହେବାପାଇଁ ମନରେ ଝୁଙ୍କ୍‍ ଆସିଗଲେ ମଣିଷ ଅସମ୍ଭବ ଭାବେ ଆତ୍ମକ୍ରୈନ୍ଦିକ ହୋଇଯାଏ। ତା’ ହୃଦୟରୁ ଧୀରେଧୀରେ ପ୍ରେମ ଅପସରି ଯାଏ ଓ ଅହଂକାର ଆତ୍ମପ୍ରକାଶ କରେ। ଏହା ବ୍ୟକ୍ତି ଓ ବ୍ୟକ୍ତିତ୍ୱ ପାଇଁ ଆତ୍ମଘାତୀ। ଲାଓ ସି ସୁନ୍ଦର କଥାଟିଏ କହିଛନ୍ତି, “ପ୍ରେମ ଏକ ବିଶ୍ରାମ, ଅହଂକାର ଏକ ଅନ୍ତହୀନ ଦୌଡ଼।” ବାସ୍ତବିକ, ଅହଂକାର ଏମିତି ଏକ ମରୀଚିକା ଯାହା ଜଣକୁ ଦୂରରୁ ଦୂରତରକୁ ଟାଣିନେଇ ଦୂରତମରେ ମାରିଦିଏ। ପ୍ରକୃତ ନୂଆ ମଣିଷ ସ୍ଥୂଳରୂପରେ ନୁହେଁ, ଚେତନାରେ ଆତ୍ମପ୍ରକାଶ କରେ। ସେ ସର୍ବଦା ଆଗରେ ଥାଏ। ସେ ବସ୍ତୁନିର୍ଭର ନୁହେଁ, ଆତ୍ମନିର୍ଭର।

Comments are closed.