ଶିକ୍ଷାକ୍ଷେତ୍ର ପରିଦର୍ଶନର ମୂଲ୍ୟବୋଧ

- ସୁକାନ୍ତ କୁମାର ମହାନ୍ତି

ପରିଦର୍ଶନ, ପରିଭ୍ରମଣ, ଦର୍ଶନ, ସାକ୍ଷାତ ପ୍ରାୟତଃ ସମ ଅର୍ଥବୋଧକ ଶବ୍ଦ ହୋଇଥାଏ ଏବଂ ଏଥିରୁ ଆସିଥାଏ ପରିବର୍ତ୍ତନ ଓ ପରିଣାମ। ସଂଖ୍ୟାଧିକ ଫଳାଫଳ ସକାରାତ୍ମକ ଓ ସ୍ୱଳ୍ପ ନକାରାତ୍ମକ ହେଉ ପଛେ, ଏହା ପ୍ରଭାବଶାଳୀ ହୋଇଥିବା ପ୍ରମାଣସିଦ୍ଧ। ଏକଦା ମୋହନ ଦାସ କରମଚାନ୍ଦ ଗାନ୍ଧୀ ୬ଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ଶିକ୍ଷାଧିକାରୀ ଶ୍ରେଣୀ ଶିକ୍ଷାଦାନ ପରିଦର୍ଶନ କରିଥିଲେ। ଇତ୍ୟବସରରେ ‘କେଟଲ’ ୱାର୍ଡ଼ଟି ମୋହନ ଦାସ ଭୁଲ୍‍ କରିବା ଏବଂ ଶିକ୍ଷକ କପି କରି ଠିକ୍‍ କରି ନେବାକୁ ଦେଇଥିବା ଇଙ୍ଗିତକୁ ପ୍ରତ୍ୟାଖ୍ୟାନ କରି ଛାତ୍ର ମୋହନ ଦାସ ନିଜର ସ୍ୱଚ୍ଛତା ପ୍ରମାଣ ଦେବା ସହିତ ‘ଜାତିର ପିତା’ ବନିଥିଲେ। ଉତ୍କଳମଣି ଏକ ଶିକ୍ଷାନୁଷ୍ଠାନ ଖୋଲିବା ନିମନ୍ତେ ବ୍ୟାକୁଳ ଥିବାବେଳେ ପୁରୀ ଜିଲା ସ୍କୁଲ ଇନିସ୍‍ପେକ୍ଟର ପରିଦର୍ଶନରେ ଆସିଥିଲେ ଭକ୍ତକବି ମଧୁସୂଦନ ରାଓ। ବିଦ୍ୟାଳୟର ସ୍ଥାନ ନିରୂପଣ, ପିଲାଙ୍କ ନିମନ୍ତେ ସିମେଣ୍ଟ ତିଆରି ବେଞ୍ଚ ଓ ଶିକ୍ଷକ ନିଯୁକ୍ତି ସଂପର୍କରେ ସମାଧାନ କରି ପରିଦର୍ଶକଙ୍କର ମର୍ୟ୍ୟାଦା ଓ ପରିଦର୍ଶନର ଗୁରୁତ୍ୱ ବୃଦ୍ଧି କରିଥିଲେ। ଫଳରେ ସତ୍ୟବାଦୀ ବନ ବିଦ୍ୟାଳୟ ଗଢ଼ି ଉଠିଲା।

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସେବା ଓ ସ୍ୱଦେଶ ପ୍ରୀତି କର୍ମ ନିଷ୍ଠାରେ ମୁଗ୍ଧଧ ହୋଇ ମହାତ୍ମା ଗାନ୍ଧୀ କଟକ ପରିଦର୍ଶନ କରିଥିଲେ ୧୯୨୧ ମାର୍ଚ୍ଚ ମାସରେ। ମଧୁବାବୁଙ୍କ ସହ କଟକ ଜିଲା ସ୍କୁଲର ବଙ୍ଗାଳୀ ପ୍ରଧାନ ଶିକ୍ଷକଙ୍କ ବିବାଦ ଆରମ୍ଭ ହୋଇଥିଲା। କଟକ ଜିଲାପାଳ ହିଲିସାହେବ ବିଦ୍ୟାଳୟ ପରିଦର୍ଶନ କରି ବିବାଦ ସମାଧାନ କରିଥିଲେ। ଏହା ହିଁ ହେଉଛି ପରିଦର୍ଶନର ମୂଲ୍ୟବୋଧ। ମାଟ୍ରିକ ପରୀକ୍ଷା, ବିଦ୍ୟାଳୟ ପରିଦର୍ଶନ ଏବକାର ଯେଉଁ ସ୍କ୍ୱାଡ଼ମାନେ କରୁଛନ୍ତି ସମାଧାନ ପାଇଁ ନୁହେଁ; କେବଳ ତ୍ରୁଟି ବାହାର କରିବା, ଦଣ୍ଡ ଦେବା, କୈଫିୟତ ମାଗି ପିଲା ଓ ଶିକ୍ଷକଙ୍କ ମଧ୍ୟରେ ମନସ୍ତାପ ସୃଷ୍ଟି କରି ଉପରିସ୍ଥ ଅଧିକାରୀଙ୍କ ପ୍ରିୟପାତ୍ର ହେବା।

କରୋନା ଦୀର୍ଘ ୧୦ ମାସ ଶିକ୍ଷାର୍ଥୀ, ଶିକ୍ଷାନୁଷ୍ଠାନ ଓ ଶିକ୍ଷା ଗ୍ରହଣକୁ ବିପର୍ୟ୍ୟସ୍ତ କରିବା ପରେ ଭୟାତୁର ପରିବେଶରେ ପିଲାଙ୍କର ମାଟ୍ରିକ ବର୍ଷଟିଏ ନଷ୍ଟ ନ’ କରି ସରକାରଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ। ଉପକୃତ ହେବାକୁ ଥିବା ଶିକ୍ଷାର୍ଥୀ, ଶିକ୍ଷକ, ଅଭିଭାବକ ଓ ପ୍ରଶାସନ ଏହାକୁ ସାଦର ଗ୍ରହଣ କରି ନିଜର ଦାୟିତ୍ୱ ଠିକ୍‍ ଭାବେ ତୁଲାଇବା ଏ ସଂକଟ ସମୟରେ ଅତ୍ୟାବଶ୍ୟକ। ଶ୍ରେଣୀ ଶିକ୍ଷାଦାନରୁ ପିଲାଟି ଦୁଇଟି ଗୁଣ ଆହରଣ କରେ ଶିକ୍ଷା ଓ ଜ୍ଞାନ। ଏବର ବିଦ୍ୟାଳୟରେ ୩ମାସ ପାଇଁ ଆରମ୍ଭ ହୋଇଥିବା ଶିକ୍ଷାଦାନ ଲକ୍ଷ୍ୟ କେବଳ ଆଗାମୀ ମାଟ୍ରିକ ପରୀକ୍ଷାରେ ପାସ୍‍ କରିବା। ଶିକ୍ଷକ କେବଳ ୭୦ ଭାଗ ପାଠ୍ୟ ଖସଡ଼ା ରିଭିଜନ କରିବେ। ଶିକ୍ଷକ ବିଷୟ ପଢ଼ାଇଲାବେଳେ ପାଠ୍ୟ ସଂପର୍କିତ ଜ୍ଞାନ ଦାନ କରିବା ସମ୍ଭାବନା ନାହିଁ।

ଏବେ ତିନି ପ୍ରକାରର ପିଲା ସ୍କୁଲକୁ ଆସୁଛନ୍ତି। ଦୀର୍ଘ ମାସ ପରେ ସାଙ୍ଗସାଥୀଙ୍କ ସହ ମିଶିବା, ପରିବାର କବଳରୁ ମୁକ୍ତି ପାଇବା ଓ ସ୍କୁଲର ବିଭିନ୍ନ କାର୍ୟ୍ୟରେ ଅଂଶଗ୍ରହଣ କରି ଖୁସି ମନାଇବା। ଦୁର୍ବଳ ପିଲା ଆଦୌ ବର୍ଷସାରା ଆସନ୍ତିନି, ମଧ୍ୟମ ପ୍ରକାର ପିଲାଙ୍କ ସଂଖ୍ୟା ବେଶୀ ଯେଉଁମାନେ ପାଠ ପଢ଼ିବା ସହିତ ଦୋସ୍ତି କରି ବିଭିନ୍ନ କାର୍ୟ୍ୟରେ ଭାଗ ନେଇ ଥାଆନ୍ତି। ଉତ୍ତମ ପ୍ରକାର ପିଲାଏ ମନଯୋଗ ସହିତ ଶ୍ରେଣୀରେ ଶିକ୍ଷକଙ୍କ ଶିକ୍ଷାଦାନରୁ କିଛି ଶିଖନ୍ତି। ଏହା ନିରାଟ ସତ୍ୟ ଯେ, ଗତ ୯ମାସ ମଧ୍ୟରେ ପିଲା ମୂର୍ଖ ହୋଇ ନାହାନ୍ତି, ବରଂ ସହରାଞ୍ଚଳର ୭୦ ରୁ ୮୦ ଭାଗ ପିଲା ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଗ୍ରାମାଞ୍ଚଳର ପିଲା କ୍ଷତିଗ୍ରସ୍ତ ହେବାର ବିଭିନ୍ନ କାରଣ ଅଛି ଯେଉଁଥିରେ ଅନ୍‍ଲାଇନ୍‍ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଅଭାବ ଦାୟୀ। ଏବେ ଜାରି କରାଯାଇଥିବା ମହାମାରୀ କଟକଣା ମନ୍ଦ ପିଲାଙ୍କୁ ସୁହାଉଥିବା ବେଳେ ଆଉ କେତେକଙ୍କୁ ଅନାବଶ୍ୟକ ହେଉଛି; କିନ୍ତୁ ପିଲାଏ ସ୍କୁଲରେ ଅନୁପସ୍ଥିତ ରହିବା ଦଣ୍ଡନୀୟ ନୁହେଁ ଏବଂ ଅଭିଭାବକଙ୍କର ଅନୁମତି ପତ୍ର ଗୁରୁତ୍ୱହୀନ ଯାହା ଫଳରେ ପିଲାଙ୍କୁ କେତେକାଂଶରେ ଅମନଯୋଗୀ କରିବ।

ସ୍ୱାଭାବିକ ଭାବେ ଦେଖାଯାଏ, ଟେଷ୍ଟ ପରୀକ୍ଷା ପାଇଁ କିଛି ପିଲାଙ୍କର ଭୟ ଥାଏ ମାତ୍ର ଏ ଦୁଃସମୟରେ ଟେଷ୍ଟ ପରୀକ୍ଷା ନାହିଁ ଏବଂ ବିନା ପରୀକ୍ଷା ଫିସ୍‍ରେ ଫର୍ମ ପୂରଣ ସରିଯାଇଛି। ପିଲାମାନଙ୍କ ଅଭିଭାବକଙ୍କ ମନରେ ସ୍ୱତନ୍ତ୍ର ଧାରଣା ସୃଷ୍ଟି ହୋଇଛି ଯେ, ଏ ବର୍ଷ ମାଟ୍ରିକ ପାସ୍‍ କରିବା ସହଜ ଓ ନିଶ୍ଚିତ। ଯେହେତୁ ଦୀର୍ଘ ମାସ ସ୍କୁଲ ବନ୍ଦ ରହିଛି ଠିକ୍‍ ଭାବେ ପଢ଼ା ହୋଇନି ଯେଉଁଥି ପାଇଁ ପିଲା ଦାୟୀ ନୁହନ୍ତି, ସେପରି ସ୍ଥଳେ ସରକାର ସମସ୍ତଙ୍କୁ, ପ୍ରମୋସନ ଦେବାକୁ ବାଧ୍ୟ ହେବେ ନତୁବା ନ୍ୟାୟାଳୟକୁ ଦୌଡ଼ିବେ। ପ୍ରଶ୍ନ ଢ଼ାଞ୍ଚା ସଂପର୍କରେ ସୂଚନା ମଧ୍ୟ ସମ୍ବାଦପତ୍ରରେ ଦିଆଯାଇଛି। ଅନୁମାନ କରାଯାଏ ମାଟ୍ରିକ ପରୀକ୍ଷା ନିଜ ସ୍କୁଲ ପରୀକ୍ଷା କେନ୍ଦ୍ରରେ ହେବ। ସରକାରୀ ସ୍କୁଲରେ ଅତୀତରେ ଦେଖାଯାଇଛି, ଟେଷ୍ଟ ପରୀକ୍ଷା ପରେ ପ୍ରାୟତଃ ଭଲ ପିଲା ଆସନ୍ତିନି ଏବଂ ଶିକ୍ଷକମାନଙ୍କ ତାଗିଦାରେ କିଛି ଦୁର୍ବଳ ପିଲା କ୍ୱଚିତ୍‍ ଆସିଥାଆନ୍ତି।

ବିଶେଷକରି ଆଗାମୀ ପରୀକ୍ଷା ଘୋଷଣା ପରେ ପିଲାଙ୍କ ଅନୁପସ୍ଥିତି ବୃଦ୍ଧି ପାଇବ। ଏହିପରି ଦେଖିଲେ, ଏ ବର୍ଷର କାର୍ୟ୍ୟ ଦିବସ କମାଇବାରେ କରୋନା ମହାମାରୀ ବିଶେଷ କ୍ଷତିକର ହୋଇନି ବରଂ ସଚେତନ ପରିବାର ଓ ଉଦ୍‍ଯୋଗୀ ପିଲା ୯ମାସ ଘରେ ରହି ଭଲ ପ୍ରସ୍ତୁତି କରିଛନ୍ତି। ଗ୍ରାମାଞ୍ଚଳ ସ୍କୁଲମାନଙ୍କରେ ୫୦-୬୦ ଭାଗ ପିଲା ପାସ୍‍ କରନ୍ତି ଏବେ ବି ତାହା ହିଁ ହେବ। ସହରାଞ୍ଚଳ ପିଲାଙ୍କର ଆଦୌ କ୍ଷତି ହୋଇନି। ଚଳିତ ମାସର ଉପସ୍ଥାନ ଆସନ୍ତା ମାସରେ କମିବା ସମ୍ଭାବନା। ପିଲାଙ୍କ ଅନୁପସ୍ଥିତି ହାର ବଢ଼ିବ। ଏଥିରେ ଶିକ୍ଷକ, ଅଭିଭାବକଙ୍କ ସମ୍ମତି ଥାଏ। କାରଣ ସଂକଟ ବେଳେ ପିଲାଙ୍କ ପରୀକ୍ଷା ଫିସ୍‍ ଛାଡ଼ କରାଯାଉଥିବା ବେଳେ ଅନୁପସ୍ଥିତି ଓ ଫେଲ ହେବା ଦଣ୍ଡ ମଧ୍ୟ ଉଠାଇ ଦିଆଯିବାର ଯଥେଷ୍ଟ ସମ୍ଭାବନା ଅଛି। ଘନଘନ ପରିଦର୍ଶନ ମୂଲ୍ୟହୀନ ହେବ। ଯଦି ମାଟ୍ରିକ ପରୀକ୍ଷାରେ ଫେଲ୍‍ ହେଉଥିବା ପିଲାଙ୍କୁ ପାସ୍‍ ଘୋଷଣା କରାନ’ଯାଏ ପରିଣାମ ସମସ୍ୟାବହୁଳ ହୋଇପାରେ।

ବର୍ତ୍ତମାନ ଅବସ୍ଥାରେ ପିଲାଏ କିପରି ଅଧିକ ବିଦ୍ୟାଳୟକୁ ଆସିବେ ଏବଂ ନିଜର ସନ୍ଦେହ ମୋଚନ କରି ଉପକୃତ ହେବେ ପିଲା ଓ ଅଭିଭାବକ ସଜାଗ ହେବା ଜରୁରୀ। ଶାରୀରିକ ଦୂରତା ଶ୍ରେଣୀରେ ସମ୍ଭବ, ମାତ୍ର ଶ୍ରେଣୀ ବାହାରେ ଅସମ୍ଭବ। ଏ ବିପତ୍ତି ସମୟରେ ଶିକ୍ଷକ, ପ୍ରଧାନଶିକ୍ଷକ ଓ ଶିକ୍ଷାକର୍ମୀ ନିଜର ସମୟାନୁବର୍ତ୍ତିତା, ଶିକ୍ଷାଦାନର ମାନସିକତା, ବିଦ୍ୟାଳୟରେ ସଚେତନତା, ପ୍ରତ୍ୟେକ ଶିକ୍ଷକଙ୍କୁ ତ୍ୟାଗସର୍ବସ୍ୱ ହେବାକୁ ହେବ। ଯଥାସମ୍ଭବ ସାମୟିକ ଛୁଟି ନେବାକୁ ଅନିଚ୍ଛୁକ ହେବା, ବିଷୟ ଶିକ୍ଷକ ନିଜ ବିଷୟରେ ପିଲାଙ୍କୁ ପାସ୍‍ କରାଇବାକୁ ଦୃଢ଼ ପରିକର ହୁଅନ୍ତୁ। ସବୁ ବିଦ୍ୟାଳୟରେ ବିଭେଦ ବିଭ୍ରାଟ ଦେଖାଯିବା ସ୍ୱାଭାବିକ। ପ୍ରଧାନଶିକ୍ଷକଙ୍କ ଦୁର୍ବଳତା ଅବା ଦକ୍ଷତା ଶିକ୍ଷକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରି ପିଲା ଓ ଅଭିଭାବକଙ୍କ କ୍ଷତି କରିଥାଏ। ତେବେ ଶିକ୍ଷକ ଅଭାବଜନିତ ସମସ୍ୟା ଯୋଗୁଁ ଏବର ଶିକ୍ଷକଙ୍କୁ ଅଧିକ ଶିକ୍ଷାଦାନ କରିବାକୁ ମଧ୍ୟ ଶିକ୍ଷକ ସହଯୋଗ କରିବା ଉଚିତ। ବହୁଦିନ ପରେ ହୋଇଥିବା ପ୍ରଧାନଶିକ୍ଷକ ନିଜର କ୍ଷମତା ବଦଳରେ ସକାରାତ୍ମକ ଦକ୍ଷତା ପ୍ରଦର୍ଶନ କରିବା ବିଧେୟ। ଏକଦା ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ ଛାତ୍ରଟିର ଉତ୍ତର ଦେବାକୁ ଯାଇ ମାନ୍ୟଗୁରୁ ଡ଼କ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ କହିଥିଲେ: “ଷ୍ଟେସନ ମାଷ୍ଟର ମାଇଣ୍ଡସ୍‍ ଦ ଟ୍ରେନ ଏବଂ ସ୍କୁଲ ମାଷ୍ଟର ଟ୍ରେନ୍‍ସ ଦ ମାଇଣ୍ଡ”।

ପ୍ରାଶାସନିକ ସ୍ତରରେ ପରିଦର୍ଶନ ଚାଲିବା ସ୍ୱାଗତଯୋଗ୍ୟ। ଇତି ମଧ୍ୟରେ କୋଡ଼ିଏ ସୂତ୍ରୀ ଅନୁଶାସନ ପାଳନ କରାଯାଉଥିବା ନିରୀକ୍ଷଣ କରିବାକୁ ବ୍ଲକ ସ୍ତରରୁ ରାଜ୍ୟସ୍ତରୀୟ ୪ଟି ସ୍କ୍ୱାଡ ଗଠନ କରାଯାଇ ବିଦ୍ୟାଳୟ ପରିଦର୍ଶନ କରାଯାଉଛି। ସବୁ ପରିଦର୍ଶନ ପରେ ଆଶା କରାଯାଏ ସମାଧାନ। ଏପରି କି ଭୁବନେଶ୍ୱରରେ ନିଜେ ୫-ଟି ସଚିବ ଓ କଟକରେ ଶିକ୍ଷାମନ୍ତ୍ରୀ ସ୍କୁଲ ପରିଦର୍ଶନ କରିଛନ୍ତି। ଏହାର ପରିଣାମ ସୁଫଳ ମିଳିବା ବେଳକୁ ୧୦୦ ଦିନ ସରିଯାଇଥିବ। ଆଜି ବିଦ୍ୟାଳୟଗୁଡ଼ିକର ବାସ୍ତବ ଚିତ୍ର ଦୀର୍ଘ ୧୦ବର୍ଷ ତଳର ଯାହା ତୁରନ୍ତ ସମାଧାନ ହେବା ଆଦୌ ସମ୍ଭବ ନୁହେଁ। ସବୁ ନାହିଁ ନାହିଁର ଆଳୟ ବିଦ୍ୟାଳୟ। ଏବେ ଶ୍ରେଣୀ କକ୍ଷ ଓ କିଛି ଅଂଶରେ ଡ଼େସ୍କ ବେଞ୍ଚର ଅଭାବ ବ୍ୟତୀତ ପ୍ରଧାନଶିକ୍ଷକଙ୍କ ଠାରୁ ପ୍ରାଚୀର ଫାଟକ ପର୍ୟ୍ୟନ୍ତ ସବୁ ଅଭାବ। ଶିକ୍ଷକ, ପିଅନ, କିରାଣି, କମ୍ପ୍ୟୁଟରର ଘୋର ଅଭାବ। ବିଦ୍ୟାଳୟ ଖୋଲିବା ପୂର୍ବରୁ ଏହି ଉତ୍କଟ ସମସ୍ୟା ସମାଧାନ କରିବାର ଥିଲା। ଅନ୍ତତଃ ୩ମାସ ପାଇଁ ସ୍କୁଲକୁ ଏହି କାର୍ୟ୍ୟ ନିମନ୍ତେ ସରକାରୀ ଅର୍ଥ ଦିଆଯାଇ ପାରିଥାଆନ୍ତା କିମ୍ବା ସାମୟିକ ଚୁକ୍ତି ଭିତ୍ତିକ ସଫେଇ କର୍ମଚାରୀ ନିଯୁକ୍ତିି କରାଯାଇଥିଲେ ମହାମାରୀ ସଂକ୍ରମଣ ଭୟ ନ’ଥାଆନ୍ତା ଏବଂ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଦଣ୍ଡରୁ ମୁକ୍ତି ପାଇଥାଆନ୍ତେ।

ଏବେ ସ୍କୁଲମାନଙ୍କରେ ବିଭିନ୍ନ ଯୋଜନା ପାଇଁ ଆସୁଥିବା ଅର୍ଥର ଅଭାବ ନାହିଁ। କେବଳ ଅଭାବ ଅଛି ସରକାରୀ ନିର୍ଦେଶ ଓ ବାସ୍ତବ ଅନୁଭୂତି। ବିଭିନ୍ନ ଶିକ୍ଷା ପରିଦର୍ଶକ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ନୁହନ୍ତି ଏପରି କି କ୍ଷେତ୍ରରେ ଥିବା ବି.ଇ.ଓ ଏବଂ ଡ଼ି.ଇ.ଓ. ସ୍କୁଲ ଠିକଣା ମଧ୍ୟ ଜାଣି ନାହାନ୍ତି। ସଂଖ୍ୟାଧିକ ସ୍କୁଲରେ ନୂଆ ପ୍ରଧାନଶିକ୍ଷକ। ଅଭିଜ୍ଞତା ଅଛି, ହେଲେ ଶିକ୍ଷା କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବା କ୍ଷେତ୍ରରେ ଦୁର୍ବଳତା ଅଛି। ଦୀର୍ଘ ୯ମାସ ପରେ ସ୍କୁଲ ପରିଦର୍ଶନ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି ଫଳରେ ଦୁର୍ଦଶାମୋଚନ ହେବା ଆଶା କରାଯାଏ। ଅତୀତରେ ପରିଦର୍ଶକମାନେ ନିଜେ ଶ୍ରେଣୀରେ ପଢ଼ାଉଥିଲେ, ଶିକ୍ଷାଦାନର ଗୁଣାତ୍ମକ ଦିଗକୁ ଗୁରୁତ୍ୱ ଦେବାକୁ ଶିକ୍ଷକଙ୍କୁ ପରାମର୍ଶ ଦେଇ ଶୈକ୍ଷିକ ପରିବେଶ ଓ ବିଦ୍ୟାଳୟ ସହ ସୁସଂପର୍କ ରଖିବା ସହିତ ନିଜ ପଦ ମର୍ୟ୍ୟାଦା ସାବ୍ୟସ୍ତ କରୁଥିଲେ ଏବଂ ମଣ୍ଡଳସ୍ତରୀୟ ଅର୍ଥଜନିତ ସମସ୍ୟା ବ୍ୟତୀତ ଆଉ ସବୁ ତୁରନ୍ତ ସମାଧାନ କରୁଥିଲେ। ୧୦୦ ଦିନ ପରିଦର୍ଶନରେ ଶିକ୍ଷାଦାନର ସୁଯୋଗ ନ’ଥାଇ ପାରେ, ହେଲେ ଜିଲା ସ୍ତରରେ ତତ୍‍କ୍ଷଣାତ୍‍ ଥିବା କେତେକ ସମସ୍ୟା ସମାଧାନ ହୋଇପାରନ୍ତା ଯଦି ଶିକ୍ଷାଧିକାରୀ ସହଯୋଗୀ ଓ ସକରାତ୍ମକ ହୁଅନ୍ତେ। ମାସ ଶେଷ ହେବାକୁ ବସିଲାଣି, ମାତ୍ର ଗୋଟିଏ ବି ସମସ୍ୟା ସମାଧାନ କରିବାର ମାନସିକତା ପରିଦର୍ଶକଙ୍କର ଦେଖାଯାଉନି। ଅତିଥି ଶିକ୍ଷକମାନଙ୍କୁ ଝୁଲାଇ ରଖିବାର କାରଣ ସମସ୍ତଙ୍କୁ ବେଶ୍‍ ଜଣା। ଏହି ପରିଦର୍ଶନ କେବଳ ବିଭାଗୀୟ କର୍ତ୍ତୃପକ୍ଷ ଓ ଗଣମାଧ୍ୟମକୁ ସନ୍ତୁଷ୍ଟ କରିବା ପରିବର୍ତ୍ତେ ଉଦାହରଣ ନଦେଇ ସମସ୍ୟା ସମାଧାନ କରି ଉଦାହରଣ ହୁଅନ୍ତୁ।

Comments are closed.