ନ୍ୟାୟ ଅନ୍ୟାୟ!

- ଧରଣୀଧର ନାୟକ, ଆଇନଜୀବୀ

ବହୁଚର୍ଚ୍ଚିତ ହାଇଦରାବାଦର ଜନୈକା ପଶୁ ଡାକ୍ତରାଣୀ ବଳାତ୍କାର ଓ ହତ୍ୟା ମାମଲାରେ ଚାରିଜଣ ଅଭିଯୁକ୍ତ ପୁଲିସ୍ ଏନ୍‌କାଉଣ୍ଟରରେ ପ୍ରାଣ ହରାଇବା ପରେ ପୁଲିସର ପଦକ୍ଷେପକୁ ନେଇ ତର୍କ-ବିତର୍କ ଆରମ୍ଭ ହୋଇଥିଲା। ତଦନ୍ତ ପାଇଁ ଅଭିଯୁକ୍ତମାନଙ୍କୁ ଘଟଣାସ୍ଥଳକୁ ନେଇଥିବା ବେଳେ ସେଠାରୁ ସେମାନେ ଖସି ଯିବାକୁ ଉଦ୍ୟମ କରିଥିବାରୁ ପୁଲିସ ବାଧ୍ୟ ହୋଇ ଗୁଳି ଚାଳନା କଲା ବୋଲି ସେତେବେଳେ ସମ୍ପୃକ୍ତ ପୁଲିସ ଅଧିକାରୀମାନେ ସ୍ପଷ୍ଟୀକରଣ ଦେଇଥିଲେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏହି ଘଟଣାରେ ଉଦ୍‌ବେଗ ପ୍ରକାଶ କରିବା ସହ ବିଚାର ବିଭାଗୀୟ ତଦନ୍ତ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ। ଏବେ ପୁଣି ଏକ ପୁଲିସ୍ ଏନ୍‌କାଉଣ୍ଟର ଦେଶରେ ଚହଳ ପକାଇଛି। ଉତ୍ତର ପ୍ରଦେଶର ଚୌବେପୁରଠାରେ ୮ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଗୁଳି କରି ହତ୍ୟାକରିଥିବା ବିକାଶ ଦୁବେ ନାମକ ଜଣେ କୁଖ୍ୟାତ ଅପରାଧୀ ପୁଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛି। ଏହା ପୂର୍ବରୁ ବିକାଶର ଦୁଇ ସହଯୋଗୀ ମଧ୍ୟ ପୁଲିସ୍ ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ। ପୁଲିସ୍ ଅଧିକାରୀ ଓ କର୍ମଚାରୀଙ୍କୁ ହତ୍ୟା ପରେ ବିକାଶ ଉତ୍ତରପ୍ରଦେଶରୁ ମଧ୍ୟପ୍ରଦେଶକୁ ଚାଲିଯାଇଥିଲା। ଉଜ୍ଜୟିନୀର ମହାକାଳେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ବିକାଶ ଦୁବେର ସନ୍ଧାନ ମିଳିଲା ଏବଂ ସେ ସେଠାରେ ପୁଲିସ ନିକଟରେ ଏକପ୍ରକାର ଆତ୍ମସମର୍ପଣ କଲା। ଉତ୍ତରପ୍ରଦେଶ ପୁଲିସ ବିକାଶକୁ ଉଜ୍ଜୟିନୀ ପୁଲିସଠାରୁ ଜିମା ନେଇ ଉଜ୍ଜୟିନୀ ମାଜିଷ୍ଟ୍ରେଟଙ୍କୁ କୋର୍ଟରେ ହାଜର କରାଇ ଉତ୍ତରପ୍ରଦେଶ ନେଇ ଆସିବାକୁ ବ୍ୟବସ୍ଥା କଲେ। କୁହାଯାଉଛି ୩ଟି ପୃଥକ ଗାଡ଼ିରେ ପୁଲିସ ବିକାଶକୁ ସଙ୍ଗରେ ନେଇ କାନପୁର ଆସୁଥିଲା ବେଳେ ବିକାଶ ବସିଥିବା ଗାଡ଼ିଟି ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଥିଲା ଏବଂ ବିକାଶ ତା’ର ସୁଯୋଗ ନେଇ ଖସି ପଳାଉଥିଲା ବେଳେ ପୁଲିସ ପ୍ରତିରୋଧ କରିବାରୁ ସେ ପୁଲିସଠାରୁ ବନ୍ଧୁକ ଛଡ଼ାଇ ନେଇ ସେମାନଙ୍କ ଉପରକୁ ଗୁଳି ଚଳାଇବାକୁ ଉଦ୍ୟମ କରୁଥିଲା। ତେଣୁ ପୁଲିସ ବାଧ୍ୟ ହୋଇ ପାଲଟା ଗୁଳି ଚଳାଇବାରୁ ଘଟଣାସ୍ଥଳରେ ବିକାଶର ମୃତ୍ୟୁ ହେଲା। ଏମିତି କାହାଣୀ ଯେତିକି ରୋମାଞ୍ଚକର ସେତିକି ସନ୍ଦେହଜନକ। ପ୍ରକାଶଥାଉ କି ବିକାଶ ଦୁବେ ନିଜର ସମସ୍ତ ପରାକ୍ରମ ହରାଇଥିବାରୁ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ଏପରି ସ୍ଥିତିରେ ପୁଲିସକୁ ଗୁଳି କରି ସେମାନଙ୍କ କବଳରୁ ଖସି ଯିବାକୁ ଚେଷ୍ଟା କରିବା ଅବାସ୍ତବ ମନେହୁଏ। ବିକାଶ ଦୁବେ ପରି ଜଣେ ଦୁର୍ଦାନ୍ତ ଅପରାଧୀକୁ ଟ୍ରାଞ୍ଜିଟ୍‌ରେ ନେଲାବେଳେ ଉତ୍ତର ପ୍ରଦେଶ ପୁଲିସର ପ୍ରସ୍ତୁତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏଭଳି ଜଣେ ଦୁର୍ଦାନ୍ତ ଅପରାଧୀକୁ ହାତକଡ଼ି ନ ପକାଇବା, ସଙ୍ଗରେ ଅଧିକ ପୁଲିସ କର୍ମଚାରୀ ନ ନେବା ଓ ତିନିଟି ଗାଡ଼ି ମଧ୍ୟରୁ କେବଳ ବିକାଶ ବସିଥିବା ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହେବା ଏବଂ ପୁଲିସଗାଡ଼ି ପଛେପଛେ ଆସୁଥିବା ସାମ୍ବାଦିକମାନଙ୍କୁ ଘଟଣାସ୍ଥଳର କିଛି ବାଟ ଦୂରରୁ ଅଟକାଇବା ପ୍ରଭୃତି ଅନେକ ଘଟଣା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଏନ୍‌କାଉଣ୍ଟର ଠିକ୍ ପୂର୍ବଦିନ ସୁପ୍ରିମକୋର୍ଟରେ ଏକ ଯାଚିକା ଦାୟର କରାଯାଇଥିଲା, ଯେଉଁଥିରେ କି ବିକାଶ ଦୁବେକୁ ସୁରକ୍ଷିତ ରଖିବା ସହ ତା’ର ସମସ୍ତ ଅପରାଧର ଇତିହାସ ଓ ରାଜନେତାମାନଙ୍କ ସହ ତା’ର ସଂପର୍କକୁ ନେଇ ସିବିଆଇ ତଦନ୍ତ ନିମନ୍ତେ ଦାବି କରାଯାଇଥିଲା; କିନ୍ତୁ ସୁପ୍ରିମକୋର୍ଟରେ ଯାଚିକାର ଶୁଣାଣି ପୂର୍ବରୁ ବିକାଶର ମୃତ୍ୟୁ ସବୁଦିନ ପାଇଁ ରହସ୍ୟମୟ ହୋଇ ରହିଗଲା।

ଭାରତୀୟ ଆଇନ ବ୍ୟବସ୍ଥାରେ ଅପରାଧ ଓ ଅପରାଧୀମାନଙ୍କ ସଂପର୍କରେ ପୁଲିସ ଓ ବିଚାର ବିଭାଗ ଉଭୟଙ୍କର ଦାୟିତ୍ୱ ଓ ସୀମା ନିର୍ଦ୍ଧାରଣ କରାଯାଇଛି। ଏକ ଅପରାଧ ସଂଘଟିତ ହେଲେ ପୁଲିସ ଅପରାଧଟିକୁ ପଞ୍ଜୀକରଣ କରିବା ସହ ତଦନ୍ତ ହାତକୁ ନେଇଥା’ନ୍ତି। ଅପରାଧ ସଂପର୍କରେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଯୋଗାଡ଼ କରି ଓ ତଦନ୍ତ ଶେଷରେ ଅପରାଧୀଙ୍କ ବିରୋଧରେ ଅଦାଲତରେ ଅଭିଯୋଗପତ୍ର (ଚାର୍ଜସିଟ୍) ଦାଖଲ କରନ୍ତି। ଅଭିଯୁକ୍ତ ଏବଂ ଅଭିଯୋଗର ବିଚାର କରି ଅଦାଲତ ଆଇନ ଅନୁମୋଦିତ ଦଣ୍ଡ ବିଧାନ କରନ୍ତି। କୌଣସି ପକ୍ଷ ନିମ୍ନ ଅଦାଲତର ବିଚାରରେ ଅସନ୍ତୁଷ୍ଟ ହେଲେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଅପିଲ୍ କରି ତଳକୋର୍ଟର ଆଦେଶର ବୈଧତା ସଂପର୍କରେ ପ୍ରଶ୍ନ କରିବାର ଆଇନଗତ ବ୍ୟବସ୍ଥା ରହିଛି। ଏସବୁ ହେଲା ଆଇନର ବାଟ; ମାତ୍ର ଆଇନର ବାଟହୁଡ଼ି ପୁଲିସ ଆଇନ୍ ନିଜ ହାତକୁ ନେଇ ଅପରାଧୀକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବା ଏକ ସଭ୍ୟ ସମାଜରେ ପରମ୍ପରା ଓ ଆଇନ ବିରୋଧୀ। ଏହା ସୁନିଶ୍ଚିତ, ବିକାଶ ଦୁବେ ସଂପର୍କରେ ଉତ୍ତରପ୍ରଦେଶ ପୁଲିସ ଉପଯୁକ୍ତ ତଦନ୍ତ କରି ଅଭିଯୋଗପତ୍ର ଦାଖଲ କରିଥିଲେ ବିକାଶ ଦ୍ୱାରା ଯେଉଁ ଜଘନ୍ୟ ଲୋମହର୍ଷଣକାରୀ ଗଣହତ୍ୟା ଅଭିଯୋଗ ହୋଇଥିଲା ସେଭଳି ଏକ ବିରଳତମ ହତ୍ୟାକାଣ୍ଡରେ ଫାଶୀ ବା ମୃତ୍ୟୁଦଣ୍ଡ ମିଳିବା ଏକପ୍ରକାର ସୁନିଶ୍ଚିତ ଥିଲା। ତଥାପି ଉତ୍ତରପ୍ରଦେଶ ପୁଲିସ ବାଧ୍ୟବାଧକତାରେ ଅଥବା କେଉଁ ଅଦୃଶ୍ୟ ଶକ୍ତିର ନିର୍ଦେଶ କ୍ରମେ ବିକାଶର ବଞ୍ଚିରହିବା ଏବଂ ବିଚାରରେ ସମ୍ମୁଖୀନ ହେବାର ବିପଦକୁ ପରିଷ୍କାର ଦେଖିପାରିଥିଲେ। ଯେଉଁଥିପାଇଁ କି ବିକାଶକୁ ବିଚାର ପ୍ରକ୍ରିୟାଠୁ ଦୂରେଇ ରଖିବାକୁ ଶ୍ରେୟସ୍କର ମଣିଲେ। ଆଉ ଗୋଟିଏ ଦିନ ବିଳମ୍ବ ହୋଇଥିଲେ ହୁଏତ ସୁପ୍ରିମକୋର୍ଟ ବିକାଶକୁ ସଶରୀର ହାଜର କରାଇବା ସହ ବିକାଶର ତଥାକଥିତ ରାଜନେତାମାନଙ୍କ ସହ ସଂପର୍କକୁ ନେଇ କିଛି ନିର୍ଦେଶ ଦେବାର ଯଥେଷ୍ଟ ସମ୍ଭାବନା ଥିଲା। ଯେଉଁଥିପାଇଁ କି ତା’ ପୂର୍ବରୁ ବିକାଶକୁ ରାସ୍ତାର ହଟାଇ ଦିଆଗଲା।

ହାଇଦରାବାଦର ଡାକ୍ତରାଣୀ ଦୁଷ୍କର୍ମ ମାମଲାରେ ହେଉ ଅଥବା ବିକାଶ ଦୁବେ ମାମଲା – ଏଭଳି ଜଘଣ୍ୟ ଅପରାଧରେ ସଂପୃକ୍ତ ଅପରାଧୀମାନଙ୍କ ପ୍ରତି ସମାଜର କୌଣସି ସ୍ତରରେ ସାମାନ୍ୟତମ ସହାନୁଭୂତି ନଥାଏ ଓ ନ ରହିବା ସ୍ୱାଭାବିକ ମଧ୍ୟ। ଏମାନଙ୍କ ମୃତ୍ୟୁରେ କେହି ଦୁଃଖ କରନ୍ତି ନାହିଁ ବରଂ ତ୍ୱରିତ ନ୍ୟାୟ ମିଳିଗଲା ବୋଲି ଅନେକ ଖୁସି ବି ହୁଅନ୍ତି; କିନ୍ତୁ ପ୍ରଶ୍ନ ତାହା ନୁହେଁ। ଆମେ ଏକ ସଭ୍ୟ ସମାଜ ଏବଂ ଆଇନର ଶାସନରେ ବନ୍ଧା। ନ୍ୟାୟ ଓ ନ୍ୟାୟାଳୟ ପ୍ରତି ସମାଜର ଯଥେଷ୍ଟ ଆସ୍ଥା ଓ ସମ୍ମାନ ରହିଛି। ଅପରାଧୀକୁ ନ୍ୟାୟାଳୟରେ ବିଚାରର ସମ୍ମୁଖୀନ ନ କରାଇ ଏନକାଉଣ୍ଟର ନା ମୃତ୍ୟୁଦଣ୍ଡ ପୁଲିସ ପାଇଁ ଏକ ସହଜ ମାଧ୍ୟମ ହୋଇପାରେ; ମାତ୍ର ତାହା ଆଦୌ ସ୍ପୃହଣୀୟ ନୁହେଁ। ସେପରି ହେଲେ ନ୍ୟାୟାଳୟ ରହିବ କାହିଁକି? ପୁଲିସ ତଦନ୍ତ କରିବ କାହିଁକି? ଆଇନ ଅନୁଯାୟୀ ପୁଲିସ କେଉଁ କ୍ଷେତ୍ରରେ ଓ କିପରି ଭାବରେ ଏନ୍‌କାଉଣ୍ଟର କରିପାରିବ ତାହାର ସ୍ପଷ୍ଟ ନିର୍ଦେଶନାମା ରହିଛି। ଭାରତୀୟ ପିଙ୍ଗଳ ଧାରାର ଦଫା ୯୬, ୯୭ ଓ ୧୦୦ ଅନୁଯାୟୀ ଏ ସଂପର୍କରେ ସୁପ୍ରିମକୋର୍ଟ ଅନେକ ଉଲ୍ଲେଖନୀୟ ରାୟ ମାଧ୍ୟମରେ ଏନ୍‌କାଉଣ୍ଟରର ସୀମା ନିର୍ଦ୍ଧାରଣ କରିଛନ୍ତି। ପୁଲିସ କୌଣସି ଅପରାଧୀଠାରୁ ନିଜ ଜୀବନ ପ୍ରତି ବିପଦ ଆଶଙ୍କା କଲେ ସେ କ୍ଷେତ୍ରରେ ଅପରାଧୀଙ୍କୁ ମାରି ପାରିବେ। ଆଇନର ବ୍ୟବସ୍ଥା ଅନୁସାରେ ଆବଶ୍ୟକତାଠାରୁ ଅଧିକ ବଳ ପ୍ରୟୋଗ କରିପାରିବେ ନାହିଁ। ସେ ସମ୍ପର୍କରେ କୋର୍ଟ ଅନେକ ରାୟରେ ରାଇଟ୍ ଅଫ୍ ପ୍ରାଇଭେଟ୍ ଡିଫେନ୍ସ ବା ବ୍ୟକ୍ତିଗତ ସୁରକ୍ଷା ନିମନ୍ତେ କେତେ ବଳ ପ୍ରୟୋଗ କରିପାରିବେ ତାର ତର୍ଜମା କରିଛନ୍ତି। ଇସରାତ୍ ଜାହାନ୍ ଏନ୍‌କାଉଣ୍ଟର ମାମଲାର ବୈଧତା ସମ୍ପର୍କରେ ସୁପ୍ରିମକୋର୍ଟ ସନ୍ଦେହ ପ୍ରକଟ କରି ସିବିଆଇ ତଦନ୍ତ ନିର୍ଦେଶ ଦେଇଥିଲେ। ସେହିପରି ଅନ୍ୟ ଏକ ଉଲ୍ଲେଖନୀୟ ରାୟରେ (ପିୟୁସିଏମ୍ ବନାମ ମହାରାଷ୍ଟ୍ର ସରକାର) ସୁପ୍ରିମକୋର୍ଟ ପ୍ରତ୍ୟେକ ଏନ୍‌କାଉଣ୍ଟର ମାମଲାର ଏକ ଷୋହଳସୂତ୍ରୀ ଗାଇଡଲାଇନ୍ ଜାରି କରିବାକୁ ନିର୍ଦେଶ ଦେଇଥିଲେ। ପ୍ରତ୍ୟେକ ଏନ୍‌କାଉଣ୍ଟର ମାମଲା ସ୍ଥାନୀୟ ପୁଲିସ ଷ୍ଟେସନରେ ପଞ୍ଜୀକରଣ ହେବା ସହ ସୁପ୍ରିମକୋର୍ଟ ଗାଇଡଲାଇନ୍ ଅନୁସାରେ ତଦନ୍ତ ହେବା ଉଚିତ।

ବିକାଶ ଦୁବେର ଏନ୍‌କାଉଣ୍ଟର ଅନେକ ଅସମାହିତ ପ୍ରଶ୍ନ ଛାଡ଼ି ଯାଇଛି। ଉତ୍ତରପ୍ରଦେଶ ରାଜନୀତିରେ ରାଜନେତା ଓ ମାଫିଆମାନଙ୍କ ସଂପର୍କ ଅତ୍ୟନ୍ତ ଘନିଷ୍ଠ। ନିର୍ବାଚନ ଜିତିବାକୁ ରାଜନେତାମାନେ ମାଫିଆମାନଙ୍କୁ ଏକ ମାଧ୍ୟମ କରିଥା’ନ୍ତି। ବିକାଶ କେବେ ଦିନକରେ ଡନ୍ ହୋଇଯାଇ ନଥିବ? ଉତ୍ତର ପ୍ରଦେଶର ଶାସକ ଦଳ ଓ ପୂର୍ବରୁ ଶାସନ କରୁଥିବା ରାଜନେତାମାନଙ୍କ ସହ ତା’ର ଘନିଷ୍ଠ ସଂପର୍କ ଥିଲା। ରାଜନେତାମାନେ ବିକାଶ ଦୁବେର ନିଜ ଇଲାକା ତଥା ନିର୍ଦ୍ଦିଷ୍ଟ ସଂପ୍ରଦାୟର ଭୋଟ୍ ପାଇଁ ବିକାଶ ଦୁବେକୁ ମାଧ୍ୟମ କରୁଥିଲେ। କେବଳ ରାଜନେତା ନୁହନ୍ତି ବହୁ ପୁଲିସ ଅଧିକାରୀ ମଧ୍ୟ ବିକାଶର ବଚସ୍କର ଥିଲେ। ଯେଉଁ ଦିନ ବିକାଶ ଓ ତା’ର ସହଯୋଗୀ ୮ଜଣ ପୁଲିସଙ୍କୁ ହତ୍ୟା କରିଥିଲେ, ତା’ ପୂର୍ବରୁ ସ୍ଥାନୀୟ ପୁଲିସ ବିକାଶକୁ ଏ ସଂପର୍କରେ ଫୋନ୍‌କରି ପୂର୍ବ ସୂଚନା ଦେଇଥିଲେ। ପୁଲିସ ଅଧିକାରୀ ଓ ରାଜନେତାମାନଙ୍କ ସହଯୋଗରେ ଏକ ମାମୁଲି ପରିବାରରୁ ସାଧାରଣ ପିଲାଟିଏ ଅଳ୍ପଦିନରେ ବିକାଶରୁ ଡନ୍ ବିକାଶ ହୋଇ ପାରିଥିଲା। ବିକାଶ ମରିଯାଇଛି ସତ; କିନ୍ତୁ ବଂଚେଇ ଦେଇଯାଇଛି ତଥାକଥିତ ବହୁ ପ୍ରଭାବଶାଳୀ ରାଜନେତା, ମନ୍ତ୍ରୀ, ପୁଲିସ ଅଧିକାରୀ ଓ ଅନେକ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କୁ। ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ଅଧୁନା ଯେଉଁ ଅନ୍ୟାୟର ବାଟ ପୁଲିସ ନିଜେ ହେଉ ବା କାହା ଇଙ୍ଗିତରେ ବାଛି ନେଇଛି, ତାହା ଏକ ଦୁଃସ୍ଥ ପରମ୍ପରା ସୃଷ୍ଟି କରୁଛି। ଏ ସଂପର୍କରେ ଉଚ୍ଚ ନ୍ୟାୟାଳୟ ଅନେକବାର ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଶେଷରେ ସମସ୍ତେ ଆଶା କରିବା ଦେଶରେ ବିଧିଦ୍ୱାରା ପ୍ରତିଷ୍ଠିତ ନ୍ୟାୟିକ ବ୍ୟବସ୍ଥା ଅନୁସାରେ ଦୋଷୀର ବିଚାର ହେଉ ଏବଂ ଉପଯୁକ୍ତ ଦଣ୍ଡ ମିଳୁ। ମାତ୍ର ନ୍ୟାୟିକ ବ୍ୟବସ୍ଥାରୁ ଦୂରେଇ ଯାଇ ଅନ୍ୟାୟ ସହିତ ବନ୍ଧୁତା କରିବା ଏକ କଳଙ୍କିତ ପରମ୍ପରା ସୃଷ୍ଟି କରିବ।

Comments are closed.