୨୦୨୧: ଭଲ ପାଇବାର ବର୍ଷ

- ଅଚ୍ୟୁତ ସାମନ୍ତ, କନ୍ଧମାଳ ସାଂସଦ ଏବଂ ପ୍ରତିଷ୍ଠାତା, କିଟ୍‍ ଓ କିସ୍‍

୨୦୨୦ ବର୍ଷଟି ଆମ ସମସ୍ତଙ୍କ ପାଇଁ ସମଗ୍ର ବିଶ୍ୱବାସୀଙ୍କ ପାଇଁ ଏକ ଅପ୍ରତ୍ୟାଶିତ ବର୍ଷ ଥିଲା। ଦଶକର ଶେଷଭାଗରେ ଏତେ ଉତ୍‍ଥାନ ପତନ ହେବ ବୋଲି କେହି କେବେ କଳ୍ପନା କରି ନ ଥିଲେ। ଏହା ଆମ ଚିନ୍ତାଧାରା ଏବଂ କାର୍ୟ୍ୟକୁ ସଂପୂର୍ଣ୍ଣ ବିଗାଡ଼ି ଦେଇଛି। ପ୍ରତ୍ୟେକ ବ୍ୟକ୍ତି ମହାମାରୀ ଦ୍ୱାରା କୌଣସି ନା କୌଣସି ବାଟରେ ପ୍ରଭାବିତ ହୋଇଛନ୍ତି। ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କ କାର୍ୟ୍ୟଧାରାରେ ପରିବର୍ତ୍ତନ ଆଣିଛନ୍ତି ଏବଂ ଏକ ନୂଆ ଜୀବନଧାରାକୁ ଆପଣାଇ ନେଇଛନ୍ତି। ଯେଉଁଠି ନୈରାଶ୍ୟର କାରଣ ରହିଛି, ସେଠାରେ ଆଶାର ସମ୍ଭାବନା ମଧ୍ୟ ରହିଛି। ୨୦୨୧ ବର୍ଷ ଏକ ନୂଆ ଦଶକର ଆରମ୍ଭ। ଆମେ ସମସ୍ତେ ଆଶା କରିବା ନୂତନ ବର୍ଷ ୨୦୨୧ ସମସ୍ତଙ୍କ ପାଇଁ ଆନନ୍ଦମୟ ଓ ସଫଳତାର ବର୍ଷ ହେଉ।

କିଟ୍‍ ଓ କିସ୍’ରେ ଆମେ ସମସ୍ତେ ମିଳିତ ଭାବେ ପ୍ରତିବର୍ଷ ପ୍ରାରମ୍ଭରେ ସେହି ବର୍ଷ ପାଇଁ ଏକ ନିର୍ଦ୍ଧାରିତ ଉଦ୍ଦେଶ୍ୟ ପୂରଣ ନିମନ୍ତେ ସମର୍ପିତ ହୋଇଥାଉ। ଅତୀତରେ ଆମେ ଇଅର ଅଫ୍‍ ବିଲଙ୍ଗିଙ୍ଗନେସ୍‍, ଇଅର ଅଫ୍‍ ଏକାଡେମିକ୍‍ସ, ଇଅର ଅଫ୍‍ ରିସର୍ଚ୍ଚ, ଇଅର ଅଫ୍‍ ଭ୍ୟାଲୁ ଆଡିସନ୍‍ ଏବଂ ଇଅର ଅଫ୍‍ ଜିରୋ ଟଲରାନ୍‍ସ ଆଦି ପାଇଁ ସମର୍ପିତ ହୋଇଥିଲୁ। ଆମେ ଚିନ୍ତାକଲୁ ଚଳିତବର୍ଷକୁ ‘ଇଅର ଅଫ୍‍ ଲଭ୍‍’ ବା ଭଲ ପାଇବାର ବର୍ଷ ଭାବେ ନିଜକୁ ଉତ୍ସର୍ଗ କରିବୁ; କାରଣ ୨୦୨୦ ବର୍ଷଟି ସଂପୂର୍ଣ୍ଣ ନିରାଶା ଓ ବିଷାଦପୂର୍ଣ୍ଣ ଥିଲା। ତେଣୁ ସନ୍ତୁଳନ ବଜାୟ ରଖିବା ପାଇଁ ଆମେ ସମସ୍ତେ ୨୦୨୧କୁ ପରସ୍ପରକୁ ଭଲ ପାଇବାର ବର୍ଷ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛୁ।

ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ଆଦି ପରିବାରରୁ ହିଁ ଆରମ୍ଭ ହୋଇଥାଏ। ଜଣେ ବ୍ୟକ୍ତି ନିଃସ୍ୱାର୍ଥପର ଭାବେ ନିଜର ଭାଇ, ଭଉଣୀ, ବାପା, ମାଆ, ସାଙ୍ଗ ସାଥୀ, ସନ୍ତାନସନ୍ତତି, ପଡ଼ୋଶୀ ଆଦି ସମସ୍ତଙ୍କୁ ଭଲପାଇବା ଉଚିତ। ଆମେ ସମସ୍ତେ ସକାରାତ୍ମକ ଢଙ୍ଗରେ କଥାବାର୍ତ୍ତା କରିବା ଉଚିତ। ଆମ ତୁଣ୍ଡରୁ ବାହାରୁଥିବା ଶବ୍ଦ ଯେପରି କୌଣସି ବ୍ୟକ୍ତିଙ୍କୁ ଆଘାତ ନ ପହଞ୍ଚାଏ ସେଥି ପ୍ରତି ଦୃଷ୍ଟି ଦେବା ଉଚିତ। ଆମେ ମଧ୍ୟ ଅନ୍ୟକୁ ଖୋଲାଖୋଲି ଭାବେ ପ୍ରଶଂସା କରିବା ଉଚିତ। ଏଥି ପାଇଁ କିଛି ମୂଲ୍ୟ ଦେବାକୁ ପଡ଼ି ନ ଥାଏ କିମ୍ବା ଆମେ ମଧ୍ୟ କିଛି ହରାଇ ନ ଥାଉ। ଭଲ ପାଇବାରେ ରହିଛି ଅସୀମ ଶକ୍ତି। ଏହା ଆମ ଭିତରେ ଏକ ନୂତନ ଊର୍ଜା ସୃଷ୍ଟି କରିଥାଏ। ଯଦି ଭଲ ପାଇବା ହୃଦୟ ଭାଙ୍ଗିପାରେ, ଏହା କ୍ଷତ ମଧ୍ୟ ପୂରଣ କରିପାରେ। କିଛି ବସ୍ତୁକୁ ଉପହାର ଦେଇ ଅନ୍ୟଠାରୁ ଭଲ ପାଇବା ଅର୍ଜନ କରାଯାଇ ନ ପାରେ। ଆମ ଦୈନନ୍ଦିନ କାର୍ୟ୍ୟରେ ଭଲ ପାଇବାକୁ ସ୍ନେହ ଓ ନମ୍ରତା ମାଧ୍ୟମରେ ପରିପ୍ରକାଶ କରାଯାଇପାରେ। ଭଲ ପାଇବାର କୌଣସି ସୀମା ନାହିଁ ଏବଂ ଏହା ଜଣେ ବ୍ୟକ୍ତିର ଜୀବନକୁ ସବୁଦିନ ପାଇଁ ପରିବର୍ତ୍ତନ କରି ଦେଇପାରେ।

ସବୁ ଧର୍ମରେ ଅନ୍ୟକୁ ଭଲ ପାଇବା ବାବଦରେ କୁହାଯାଇଛି। ମୁଁ ମଧ୍ୟ ଏହାକୁ ପରୀକ୍ଷା କରି ଦେଖିଛି। ମୁଁ ସବୁବେଳେ କାର୍ୟ୍ୟରେ ବ୍ୟସ୍ତ ଥିଲେ ମଧ୍ୟ କେବେ ବି ଉତ୍ତେଜିତ ହେବା ଅନୁଭବ କରି ନ ଥାଏ। ପ୍ରତ୍ୟେକ ଦିନ ମୁଁ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାଏ; କିନ୍ତୁ ମୁଁ କେବେ କ୍ଳାନ୍ତ ଅନୁଭବ କରି ନ ଥାଏ କିମ୍ବା ଶୋଇବା ପାଇଁ ମୋର ଔଷଧ ଖାଇବାର ଆବଶ୍ୟକ ହୋଇ ନ ଥାଏ। ଶଯ୍ୟାକୁ ଯିବା ମାତ୍ରେ ମୋ ଆଖିରେ ନିଦ ଆସିଯାଇଥାଏ। ଅନ୍ୟମାନଙ୍କୁ ଭଲ ପାଉଥିବାରୁ ମୋ ନିକଟରେ ଏ ପ୍ରକାର ସକାରାତ୍ମକ ଶକ୍ତି ରହିଛି। ଯଦି ତୁମେ ଅନ୍ୟମାନଙ୍କୁ ଭଲ ପାଇବ, ତେବେ ତୁମର ସମସ୍ତ ଦୁଃଖ, ନୈରାଶ୍ୟ ଓ ବିଷାଦ ଦୂରେଇଯିବ। ଜଣେ ସ୍ନେହୀ ଲୋକକୁ ମାନସିକ ଭାବେ କୌଣସି ରୋଗ ଆକ୍ରାନ୍ତ କରିପାରେ ନାହିଁ। ଖୋଲାଖୋଲି ଭାବେ ଭଲ ପାଇବା ପରିପ୍ରକାଶ କରିପାରିଲେ ମାନସିକ ସ୍ୱାସ୍ଥ୍ୟାବସ୍ଥା ଠିକ୍‍ ରହିଥାଏ। ଯଦି ଜଣେ ବ୍ୟକ୍ତି ଅନ୍ୟ ମଣିଷ, ପଶୁପକ୍ଷୀ, ବୃକ୍ଷଲତା ଓ ପ୍ରକୃତି ଆଦି ପ୍ରତି ବିଚାରଶୀଳ ହୁଏ ତେବେ ସେ ସୁସ୍ଥ ଓ ଖୁସି ରହିଥାଏ। ଭଲ ପାଇବା ଦ୍ୱାରା ନକାରାତ୍ମକ ଚିନ୍ତାଧାରା ଦୂରେଇ ଯିବା ସହ ସମସ୍ତେ ଖୁସି ଓ ଆନନ୍ଦରେ ରହିପାରିବେ।

ଯେତେବେଳେ ଆମେ ଆମକୁ ଭଲ ପାଇବା ଚିନ୍ତାଧାରା ସହ ସଂଶ୍ଳିଷ୍ଟ କରିଦେଉ, ସେତେବେଳେ ଆମ ଭିତରୁ ଉଦ୍‍ବେଗ ଏବଂ ଚିନ୍ତା ଦୂରେଇଯିବା ଆରମ୍ଭ କରିଥାଏ। ଯେଉଁସବୁ ନିଷ୍ପତ୍ତି ପୂର୍ବରୁ ଆମକୁ ବିବ୍ରତ କରୁଥିଲା, ସେହିସବୁ ନିଷ୍ପତ୍ତି କାର୍ୟ୍ୟକାରୀ କରିବା ଆମକୁ ସହଜ ହୋଇଥାଏ। ସେହିସବୁ ନିଷ୍ପତ୍ତି ନେବା ଆମ ପାଇଁ ସହଜ ହୋଇଥାଏ। କଠିନ ପରିସ୍ଥିତି ଓ ଜଟିଳ ବ୍ୟକ୍ତି ଆମ ନିକଟକୁ ଆସିନଥା’ନ୍ତି, କାରଣ ନକାରାତ୍ମକ ଶକ୍ତିକୁ କିପରି ଦୂରେଇ ଦିଆଯାଏ ତାହା ଆମେ ଶିଖିଛୁ। ଯେତେବେଳେ ଆମେ ଆମ ଭିତରେ ଓ ଆମ ଚତୁଃପାର୍ଶ୍ବରେ ଭଲ ପାଇବା ଓ ଭଲ ଗ୍ରହଣ କରିବାର ଶକ୍ତିକୁ ଆପଣାଇ ନେଇଥାଉ, ସେତେବେଳେ ଆମ ପାଇଁ ସବୁକିଛି ସ୍ୱାଭାବିକ ହୋଇଥାଏ। ସବୁକିଛି ଆମ ପାଇଁ ଅଧିକ ସହଜ, ଅଧିକ ଉଦ୍ଦେଶ୍ୟପୂର୍ଣ୍ଣ ଏବଂ ଅଧିକ ଶକ୍ତିଶାଳୀ ହୋଇଥାଏ। ଯେତେବେଳେ ଆମେ ଭଲପାଇବାର ଶକ୍ତି ଉପଯୋଗ କରୁ, ସେତେବେଳେ ବିଶ୍ୱରେ ଏବଂ ବ୍ରହ୍ମାଣ୍ଡ ବାହାରେ ଆମର ସ୍ଥାନ କେଉଁଠି ଆମେ ଜାଣି ପାରିଥାଉ। ଆମେ ଆମ ଜୀବନର ମୂଲ୍ୟ ଜାଣିବା ସହ ଅନ୍ୟ ଜୀବଜନ୍ତୁଙ୍କ ଜୀବନର କେତେ ମୂଲ୍ୟବାନ ତାହା ମଧ୍ୟ ଜାଣିଥାଉ। ଆମେ ପ୍ରତ୍ୟେକ ପ୍ରତ୍ୟେକଙ୍କ ସହ ଯୋଡ଼ି ହୋଇଥିବା ଅନୁଭବ କରୁ, କାରଣ ଆମ ଭିତରେ ଥିବା ଆଲୋକ ପ୍ରତ୍ୟେକଙ୍କ ଉପରେ ପ୍ରତିଫଳିତ ହୋଇଥାଏ। ଆମେ ସମସ୍ତେ ଗୋଟିଏ ଉତ୍ସରୁ ଆସିଥିବା ଦେବଦୂତ, ଯାହା କି ଆମେ ସମସ୍ତେ ପୃଥକ୍‌ ନୁହେଁ ବୋଲି ପ୍ରତିପାଦିତ କରିଥାଏ; ବରଂ ସବୁ ଜୀବନ ହେଉଛି ଗୋଟିଏ ଓ ଆମେ ଏହାର ଅଂଶବିଶେଷ।

ଯେତେବେଳେ ପରିବାରରେ ଶିଶୁଟିଏ ଜନ୍ମ ହୋଇଥାଏ, ସେତେବେଳେ ପରିବାରର ସମସ୍ତ ସଦସ୍ୟ ତାକୁ ସ୍ନେହ, ଶ୍ରଦ୍ଧା ଦେଇ ପାଳନ କରିଥାନ୍ତି। ପରିବାରର ପ୍ରତ୍ୟେକ ସଦସ୍ୟ ପିଲାଟି ମୁହଁରେ ହସ ଭରି ଦେବା ପାଇଁ ସବୁ କିଛି କରିଥାନ୍ତି। ସେମାନେ ତାକୁ ହାତଧରି ଚଲାଇବା, ଦୌଡ଼ିବା ଓ ଭଲ କଥା ଶିଖାନ୍ତି। ଏଭଳି ଯତ୍ନ କେବଳ ଭଲ ପାଇବା ଭାବନା ଯୋଗୁଁ ହିଁ ସମ୍ଭବ ହୋଇଥାଏ। ଆମେ ମଧ୍ୟ ପରିବାର ଓ ସମାଜର ବୟସ୍କ ବ୍ୟକ୍ତି ଓ ନାଗରିକଙ୍କୁ ସମାନ ଭାବେ ସ୍ନେହ, ଶ୍ରଦ୍ଧା କରିବା ଉଚିତ। ସେମାନେ ଅନ୍ୟଠାରୁ ସ୍ନେହ, ଭଲପାଇବା ଓ ସହଯୋଗ ଆବଶ୍ୟକ କରିଥାଆନ୍ତି। କଥାରେ ଅଛି ଶିଶୁ ଓ ବୃଦ୍ଧବୃଦ୍ଧା ସମାନ। ଶିଶୁଙ୍କ ପରି ଜଣେ ବୟସ୍କଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରିବା ଉଚିତ; କାରଣ ଶିଶୁଟିଏ ଯେପରି ଅନ୍ୟ ଉପରେ ନିର୍ଭରଶୀଳ, ବୃଦ୍ଧବୃଦ୍ଧାମାନେ ମଧ୍ୟ ସେହିପରି ଅନ୍ୟ ଉପରେ ନିର୍ଭରଶୀଳ। ସେମାନେ ଅନ୍ୟର ଭଲ ପାଇବା, ଯତ୍ନ ଓ ପାଳନ ପୋଷଣ ଉପରେ ନିର୍ଭର କରିଥାନ୍ତି।

ମୋ ମାଆ ସବୁବେଳେ ମୋତେ କହନ୍ତି, “ସଂସାରେ ଥିବ ଯେତେଦିନ, ଆନନ୍ଦ କରୁଥିବ ମନ”। ଏହାର ଅର୍ଥ ଜୀବନର ଶେଷ ପର୍ୟ୍ୟନ୍ତ କିପରି ଆନନ୍ଦରେ ବଞ୍ଚିବ ସେଥିପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ। ଜଣେ ନିଜର ଅସ୍ତିତ୍ୱ କଥା ବିଚାର ନ କରି ବଞ୍ଚିବା ଉଚିତ। ଏହା କେବଳ ସମ୍ଭବ ଯଦି ଜଣେ ବିନା ବ୍ୟକ୍ତିଗତ ସ୍ୱାର୍ଥରେ ଅନ୍ୟମାନଙ୍କୁ ଭଲ ପାଏ, ସେମାନଙ୍କ ଆବଶ୍ୟକ ସମୟରେ ସାହାଯ୍ୟ ଓ ସହଯୋଗ କରେ।

କରୋନା ମହାମାରୀ ଆମକୁ ଅସମୟରେ ଅନ୍ୟମାନଙ୍କ ନିକଟରେ ପହଞ୍ଚି ସହଯୋଗର ହାତ ବଢ଼ାଇବା, ପରସ୍ପରର ଯତ୍ନ ନେବା ଓ ପରସ୍ପରକୁ ଉତ୍ସାହିତ କରିବା ପାଇଁ ଶିକ୍ଷା ଦେଇଛି। ସାମାଜିକ ବନ୍ଧନ ଅଭାବରୁ ପ୍ରମୁଖ଼ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ଏହା ଧୂମପାନ ଭଳି ମାରାତ୍ମକ ହୋଇପାରେ। ସେଥିପାଇଁ ପ୍ରତ୍ୟେକ ଦିନ ଆମେ ଆମ ପରିବାର ସଦସ୍ୟ, ବନ୍ଧୁ, ପରିଜନ ଆମ ଅଞ୍ଚଳର ଲୋକଙ୍କ ସହ କିଛି ସମୟ ବିତାଇଲେ ଆମର ବିଷାଦଗ୍ରସ୍ତ ମନରେ ପରିବର୍ତ୍ତନ ଆଣିପାରିବ। ଆମର ସାମାନ୍ୟ ବ୍ୟକ୍ତିଗତ ବ୍ୟବହାରର ବିରାଟ ପ୍ରଭାବ ପକାଇପାରେ ବୋଲି ଗତ ବର୍ଷରେ ସାମାଜିକ ଦୂରତା ମଧ୍ୟରେ ଆମେ ବୁଝିପାରିଥିଲୁ।

Comments are closed.