ବିଦ୍ୟୁତ୍‌ ବଜାରରେ ନିଆଁ

- ପଞ୍ଚାନନ କାନୁନ୍‌ଗୋ

ଖାଉଟି ବଜାରର ଅନ୍ୟାନ୍ୟ ଅତ୍ୟାବଶ୍ୟକ ଦ୍ରବ୍ୟ ଓ ସେବା ପରି ବିଦ୍ୟୁତ୍‌ ଅନ୍ୟ ଏକ ଜରୁରୀ ଓ ଦରକାରୀ ବସ୍ତୁଭାବେ ପରିଗଣିତ। ସକଳ ଆର୍ଥିକ ବର୍ଗ ଓ ସାମାଜିକ ବର୍ଗ ପାଇଁ ଏହା ଏବେ ଏକାନ୍ତ ଜରୁରୀ ମନେହୁଏ। ଅତି ଗରିବଠାରୁ ସର୍ବୋଚ୍ଚ ଧନିକ ଶ୍ରେଣୀ ପାଇଁ ଲୁଣର ଆବଶ୍ୟକତା ଯେପରି ରହିଆସିଛି, ସେହିପରି ସେଥିସହିତ ‘ବିଦ୍ୟୁତ୍‌’ ଏବେ ଯୋଡ଼ି ହୋଇଯାଇଛି। କିଏକିଏ ହୁଏତ ମାସକୁ ପଚାଶ ୟୁନିଟ୍‍ ଭିତରେ ବିଜୁଳି ବ୍ୟବହାର କରିଥାନ୍ତି ତ, କାହାକାହା ଘରେ ମାସକୁ ବିଜୁଳି ହଜାରହଜାର ୟୁନିଟ୍‍ ଖର୍ଚ୍ଚ ହୋଇଥାଏ। ବିଦ୍ୟୁତ୍‍ କେବଳ ଆଲୋକର ଜାଳେଣି ନୁହେଁ, ଅନେକ ଉତ୍ପାଦନ କ୍ଷେତ୍ର ତାହା ଅଣୁ, କ୍ଷୁଦ୍ର, ମଧ୍ୟମ ହେଉ ବା ବୃହତ୍‍ କ୍ଷେତ୍ର ହେଉ ସେଥିରେ ପଣ୍ୟ (Input) ଭାବରେ ବ୍ୟବହୃତ ହୋଇଥାଏ ଓ ବିଦ୍ୟୁତ୍‍ ଦର ଅନୁସାରେ ଉତ୍ପାଦନ ଖର୍ଚ୍ଚ କମ୍‍ବୃଦ୍ଧିର କାରଣ ହୋଇଥାଏ। ଏପରି ଏକ ଆବଶ୍ୟକ ପଣ୍ୟର ଦର ବଢ଼ିଲେ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଥାଏ ଓ ସବୁବର୍ଗର ଖାଉଟିକୁ ପ୍ରଭାବିତ କରିଥାଏ। ଗୁଣାତ୍ମକ ମାନର ବିଜୁଳି ସୁଲଭ ଦରରେ ସର୍ବକାଳୀନ ଘୋଷଣା ପାଇଁ ବିଜୁଳି ସଂସ୍କାର ଦୀର୍ଘ ତିରିଶି ବର୍ଷ ତଳେ ପରିବହନ ଜନିତ ତ୍ରୁଟି ଓ କ୍ଷତି ସଂଶୋଧନ କରିବା ଓ ବାଟରେ ବିଦ୍ୟୁତ୍‍ ଚୋରି ରୋକିବାର ସଂକଳ୍ପ ନେଇ ଏହି ସଂସ୍କାର ଅଣାଯାଇଥିଲା। ଏହାର ନିୟନ୍ତ୍ରଣ କର୍ତ୍ତାଭାବେ ଗୋଟିଏ ଆଇନସିଦ୍ଧ ସଂସ୍ଥା ଓଇଆର୍‍ସି ଗଠିତ ହେଲା। ଏହି ସଂସ୍ଥା ହାତକୁ ବିଦ୍ୟୁତ୍‍ ବଜାର ଟେକିଦେଇ ଜନମଙ୍ଗଳ ରାଷ୍ଟ୍ରର କର୍ତ୍ତାମାନେ ନିଶ୍ଚିନ୍ତ ହେଲେ। ବଜାରରେ ଉତ୍ପାଦିତ ପଦାର୍ଥ ପହଞ୍ଚାଇବା, ପାଇକାରୀ ବିକ୍ରୟ କେନ୍ଦ୍ରକୁ ମଜଭୁତ କରିବା ସହିତ ଖୁଚୁରା ବିକ୍ରୟ କେନ୍ଦ୍ର ଓ ଖୁଚୁରା ବିକ୍ରେତା ସୃଷ୍ଟି କରାଗଲା। ଯାହା ପୂର୍ବେ କେବଳ ଜନମଙ୍ଗଳକାରୀ ରାଷ୍ଟ୍ର ବା ଶାସକ କରୁଥିଲେ ତା’ ବେପାରୀଙ୍କ ହାତକୁ ଗଲା।

ଏହି ମୁନାଫାଖୋର ସକଳ ବେପାରୀ ନିଜନିଜ ସ୍ତରରେ ମୁନାଫା ବା ଲାଭ ବଢ଼ାଇ ଚାଲିଛନ୍ତି। ଉତ୍ପାଦନକାରୀଠାରୁ ଆରମ୍ଭ କରି ପାଇକାରୀ ବ୍ୟବସାୟୀ ଗ୍ରିଡ଼କୋ, ଖୁଚୁରା ବ୍ୟବସାୟୀ, ଟାଟା ପାୱାର କମ୍ପାନୀ, ୱେସ୍‍କୋ, ନେସ୍‍କୋ ସାଉଥକୋ ତାଙ୍କ ଅଧୀନରେ ବିକ୍ରି କରୁଥିବା ଫ୍ରାଞ୍ଚାଇଜ୍‍ମାନେ ଦରବଢ଼ାଇ ଉପଭୋକ୍ତାମାନଙ୍କୁ ଠକି ଚାଲିଛନ୍ତି। ବଜାରର ଅନ୍ୟାନ୍ୟ ଖାଉଟି ଜିନିଷ ବିକ୍ରିରେ ଦରବୃଦ୍ଧି ସରକାର ଅସଫଳ ଥିବାବେଳେ, ବିଜୁଳି ବ୍ୟବସାୟର ଠକେଇ ଓ ଦରବୃଦ୍ଧି ରୋକିବାରେ ସରକାରଙ୍କ ଜ୍ଞାତସାରରେ ଓ ପ୍ରତ୍ୟକ୍ଷ ସହାୟତାରେ ଘଟୁଥିବା ଦେଖାଯାଇଛି। ଏଥିରେ ଓ.ଇ.ଆର.ସି. ଏକ ଶକ୍ତିଶାଳୀ ଏଜେଣ୍ଟର ଭୂମିକା ନିଭାଇ ଚାଲିଛନ୍ତି।

ମହାମାରୀ କରୋନାଯୋଗୁ ବ୍ୟକ୍ତିଠାରୁ ଆରମ୍ଭ କରି, ବେପାରୀ, ଦୋକାନୀ, ହୋଟେଲ ମାଲିକ, ଅଣୁ, କ୍ଷୁଦ୍ର, ମଧ୍ୟମ ବର୍ଗର ବ୍ୟବସାୟୀ ଚରମକ୍ଷତିରେ ପଡ଼ିଥିବା ସମୟରେ ହଠାତ୍‍ ଗତ ଅକ୍ଟୋବର ୧ ତାରିଖରୁ ରାଜ୍ୟରେ ବିଦ୍ୟୁତ୍‍ ଦର ବଢ଼ାଇ ଦିଆଗଲା। କେବଳ ଦର ବଢ଼ାହେଲା ନାହିଁ, ଏଥିରେ ଠକେଇ ଯୋଡ଼ି ହୋଇଗଲା ଓ ସବୁବର୍ଗର ଉପଭୋକ୍ତାଙ୍କୁ ଶୋଷିନେବାର ବ୍ୟବସ୍ଥା ହୋଇଗଲା। ସଂସ୍କାର ନାମରେ ରାଜ୍ୟକୁ ଉପଭୋକ୍ତାଙ୍କୁ ବିଦ୍ୟୁତ୍‍ ବେପାରୀମାନେ ଠକିବା ଓ ଦରବୃଦ୍ଧି ଜନିତ ଶୋଷଣ ବିରୁଦ୍ଧ‌େ‌ର ଉପଭୋକ୍ତା ସଂଗଠନର ଅଭିଯୋଗ ବାରମ୍ବାର ହୋଇ ଆସୁଛି। ଏହିସବୁ ଅଭିଯୋଗ ଓ ଖାଉଟିର ସ୍ୱାର୍ଥକୁ ପୂରାପୂରି ଅଣଦେଖା କରି ବିଜୁଳି ଦରବୃଦ୍ଧି କରାଯାଉଛି ଓ ଏଥିସହିତ ଅନେକ ଉପାୟରେ ଉପଭୋକ୍ତାଙ୍କଠାରୁ ବିଦ୍ୟୁତ୍‍ ବାବଦ ଦେୟ ଆଦାୟ କରାଯାଉଛି। ଏହି ଠକେଇ ଓ ଦରବୃଦ୍ଧି ହେତୁ ଘରୋଇ ଉପଭୋକ୍ତା, ବିଦ୍ୟୁତ୍‍ ଉପରେ ନିର୍ଭରଶୀଳ ଚାଷୀ ଓ ଚାଷ, ସବୁ ପ୍ରକାରର ଉଦ୍ୟୋଗ ଓ ବ୍ୟବସାୟୀ ଅତ୍ୟଧିକ ଚାପର ଶିକାର ହେଉଛନ୍ତି।

ଏସବୁ ସରକାରଙ୍କ ଜ୍ଞାତସାରରେ ହିଁ ହେଉଛି। ଗୁହାରି କରିବା ପାଇଁ ଉଦ୍ଦିଷ୍ଟ ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା ଏଥିରେ ସଂପୃକ୍ତ। ନ୍ୟାୟପତିମାନେ ଉପଭୋକ୍ତା ଭାବେ ବ୍ୟକ୍ତିଗତ ସ୍ତରରେ ଏପରି ଠକେଇର ଶିକାର ହୋଇ ନୀରବ ରହିବା ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର ବିଷୟ। ଏହି ବ୍ୟବସ୍ଥାଟି ହେଉଛି ବିଦ୍ୟୁତ୍‌ ବଜାର। ଏପରି ଦରବୃଦ୍ଧିର ଠକାମିରେ ପଡ଼ିବାରେ ପ୍ରତ୍ୟହ ରାଜ୍ୟର ୯୩ ଲକ୍ଷ ପରିବାର ବା ମୋଟାମୋଟି ସାଢ଼େ ତିନି କୋଟି ଲୋକ ସଂପୃକ୍ତ। ଆଶ୍ଚର୍ଯ୍ୟ ଲାଗୁଛି ଯେ ସମସ୍ତଙ୍କୁ ଶସ୍ତାରେ ସୁବିଧାରେ ଭଲ ବିଦ୍ୟୁତ୍‌ ମାଲ ଓ ସେବା ଯୋଗାଇ ଦେବାର ସଂକଳ୍ପ ରଖି ରାଜ୍ୟରେ ବ୍ୟାପକ ବିଦ୍ୟୁତ୍‌ ସଂସ୍କାର ସ୍ତର ପରେ ସ୍ତର କରାଗଲା। ଉପଭୋକ୍ତାଙ୍କୁ ସୁରକ୍ଷିତ ରଖିବା ନିମନ୍ତେ ଗୋଟିଏ ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା ନାମରେ ଓ.ଇ.ଆର.ସି. ଗଠିତ ହେଲା। ମାତ୍ର ବିତରଣକାରୀ ବିଦ୍ୟୁତ୍‌ ଖୁଚୁରା ବିକ୍ରେତାମାନେ ବା ଫ୍ରାଞ୍ଚାଇଜ୍‍ ସରକାରଙ୍କ ଜ୍ଞାତସାରରେ ଉପଭୋକ୍ତାଙ୍କୁ ସିଧାସଳଖ ଠକିବାର ଅବସ୍ଥା ବାରମ୍ବାର ଦୃଷ୍ଟିକୁ ଆସିଛି। ପ୍ରଥମତଃ ମିଳୁଥିବା ବିଦ୍ୟୁତ୍‍ ଉଚ୍ଚମାନର ନୁହେଁ; ଭୋଲ୍‍ଟେଜ୍‍ରେ ଉନ୍ନତି ଘଟିନାହିଁ ଏବଂ ବିଜୁଳିକାଟ ଜନିତ ଯନ୍ତ୍ରଣା ମଧ୍ୟ ଭୋଗିବାକୁ ହୁଏ।

ବଡ଼ ତାତ୍ପର୍ଯ୍ୟପୂର୍ଣ୍ଣ କଥାହେଉଛି ‘ବିଦ୍ୟୁତ୍‍’ ଦର ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି; କାରଣ ଓଡ଼ିଶା ଏକ ବିଦ୍ୟୁତ୍‌ ଉତ୍ପାଦନକାରୀ ରାଜ୍ୟ ଓ ବହୁମାତ୍ରାରେ ଜଳ ବିଦ୍ୟୁତ୍‌ ଏଠାରେ ଉତ୍ପନ୍ନ ହେଇ ଆସୁଛି। ଯେଉଁ ବର୍ଷ ଜଳ ଭଣ୍ଡାରରେ ବର୍ଷସାରା ଜଳ ରହିବାର ଦେଖାଯାଏ ସେ ବର୍ଷ ମୋଟ ୨୨୦୦ ମେଗାୱାଟ ଜଳ ବିଦ୍ୟୁତ୍‍ ଉତ୍ପନ୍ନର ସୁଯୋଗ ମିଳେ, ଯାହାକି ୨୦୨୦ ମସିହାରେ ଘଟିଛି। ଏହି ବିଦ୍ୟୁତ୍‌ ୟୁନିଟ୍‍ ପିଛା ଉତ୍ପାଦନ ଖର୍ଚ୍ଚ ଏକ ଟଙ୍କାରୁ କମ୍‍ ଓ କ୍ରୟଦର ୧ଟଙ୍କା ୨୭ପଇସା ହାରାହାରି ରହିବା କଥା। ଅନ୍ୟ ଏକ ଉତ୍ପାଦନ “ସୌର ଏନର୍ଜି” ବା ସୂର୍ଯ୍ୟ ରଶ୍ମିରୁ ଉତ୍ପନ୍ନ ବିଦ୍ୟୁତ୍‌ ଶକ୍ତି।

ବର୍ତ୍ତମାନ ସୁଦ୍ଧା ୬୦୦ ମେଗାୱାଟ ଉତ୍ପନ୍ନ ହେବାର ଘୋଷଣା ହୋଇଛି। ଏହାର ୟୁନିଟ୍‍ ପିଛା ଉତ୍ପାଦନ ଖର୍ଚ୍ଚ ୩ଟଙ୍କାରୁ ଆଦୌ ବେଶି ନୁହେଁ। ତାପଜ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ରାଜ୍ୟ ବା କେନ୍ଦ୍ର ସରକାରଙ୍କର ହେଉ ଅବା କମ୍ପାନୀ (CPP+IPP) ହୁଅନ୍ତୁ ସମସ୍ତେ ଏ ରାଜ୍ୟର କୋଇଲା, ପାଣି ଶସ୍ତାରେ ପାଇଥାନ୍ତି। ତେବେ ମୋଟାମୋଟି ୟୁନିଟ୍‍ ଖର୍ଚ୍ଚ ପାଇବାର ସୂତ୍ରରେ ୟୁନିଟ୍‍ ପିଛା ଖର୍ଦ୍ଦି ଦର ତିନି ଟଙ୍କାରୁ ଆଦୌ ଅଧିକ ହେବନାହିଁ। ମାତ୍ର ଠକ ବିକ୍ରେତା ଦଳ ତଞ୍ଚକତାପୂର୍ଣ୍ଣ ସ୍ତର ଓ ତା’ର ୟୁନିଟ୍‍ ଦରଧାର୍ଯ୍ୟ କରି ଯେପରି ବିକ୍ରି କରୁଛନ୍ତି ସେଥିରେ ରାଜ୍ୟର ୨୫ ଲକ୍ଷ ପରିବାର ବା ଉପଭୋକ୍ତା ମାସକୁ ୟୁନିଟ୍‍ ପିଛା ଟ୪.୫୦ ପଇସାରୁ ଅଧିକ ଦେବାକୁ କୁହାଯାଇଛି ଓ ଅନ୍ୟାନ୍ୟ ଉଚ୍ଚଖାଉଟି ବର୍ଗର ପାଖାପାଖି ୪୦ ଲକ୍ଷ ଉପଭୋକ୍ତା ପରିବାରକୁ ୟୁନିଟ୍‍ ପିଛା ପାଖାପାଖି ୫ ଟଙ୍କା ୫୦ ପଇସା ଦେବାକୁ ହେଉଛି। ତା’ ଉପର ୧୦ ଲକ୍ଷ ପରିବାରଙ୍କୁ ୟୁନିଟ୍‍ ପିଛା ୭ଟଙ୍କା ଦେବାକୁ ହେଉଛି। କମର୍ସିଆଲ୍‍ ସଂସ୍ଥା ବା ଶିଳ୍ପାନୁଷ୍ଠାନ ପର୍ଯ୍ୟନ୍ତ ଖୁବ୍‍ ଅଧିକ ଦେଉଛନ୍ତି। ଓ.ଇ.ଆର.ସି. ଘୋଷିତ ଦର ଓ ସରକାରଙ୍କ ଜ୍ଞାତସାରରେ ବିକ୍ରେତାକୁ ଠକିବା ଲକ୍ଷ୍ୟ କରାଯାଉଛି। ଲକ୍ଷଲକ୍ଷ ଉପଭୋକ୍ତା କିପରି ଠକେଇର ଶିକାର ହୋଇଥାନ୍ତି ତା’ର କିଛି ଦୃଷ୍ଟାନ୍ତ ନିମ୍ନରେ ପ୍ରଦତ୍ତ ହେଲା।

ଜଣେ ଉପଭୋକ୍ତାଙ୍କ ‘ବିଲ୍‍’ ଗତ ଅଗଷ୍ଟ ମାସ, ସେପ୍ଟେମ୍ବର ମାସ ଓ ଅକ୍ଟୋବର ମାସ ପାଇଁ ନିର୍ଣ୍ଣିତ ହୋଇଛି। ବିଲ୍‍ର ଉପଭୋକ୍ତା ଦେୟ ସଂପର୍କରେ ଆଲୋଚନା କରାଯାଉ। ସେସୁ ସମୟର ବିଲ୍‍ ୧୪.୭.୨୦୨୦ ରୁ ୨୮.୭.୨୦୨୦ ଯାହାର ରିଆତି ସହିତ ଦେୟ ତା୨୮.୮.୨୦୨୦ରିଖରେ ଥିଲା। ସେଥିରେ ଉପଭୋକ୍ତାକୁ ମୋଟ ୭୩୨ ୟୁନିଟ୍‍ ପାଇଁ ୩୪୭୦ ଟଙ୍କା ଥିଲା। ପ୍ରଥମ ୧୦୦ ୟୁନିଟ୍‍ ପାଇଁ ଧାର୍ଯ୍ୟ ଦର ୨.୫୦ ୧୦୦ =୨୫୦ ଟଙ୍କା ପରବର୍ତ୍ତୀ ୩୦୦ ୟୁନିଟ୍‍ ପାଇଁ ୪.୩୦ ପଇସା ହିସାବରେ ଧାର୍ଯ୍ୟ ଦର ୪.୩୦୩୦୦ =୧୨୯୦.୦୦, ପରବର୍ତ୍ତୀ ୩୩୭ ୟୁନିଟ୍‍ ପାଇଁ ୟୁନିଟ୍‍ ପିଛା ୫.୩୦ ହିସାବରେ ଧାର୍ଯ୍ୟ ୧୭୫୯.୦୦ ଟଙ୍କା ଥିଲା। ଟାଟା କମ୍ପାନୀ ନେବା ପରେ ସେପ୍ଟେମ୍ବର ମାସ ପାଇଁ ଉପଭୋକ୍ତାଙ୍କୁ ୨୧.୮.୨୦୨୦ ରୁ ୧୭.୯.୨୦୨୦ ହଠାତ୍‍ ସ୍ୱାବ୍‍ ବଦଳିଲା। ପ୍ରଥମ ୫୦ ୟୁନିଟ୍‍ ପାଇଁ ୟୁନିଟ୍‍ ପିଛା ୨.୫୦ ହିସାବରେ ୧୨୫ଟଙ୍କା ହେଲା। ପରବର୍ତ୍ତୀ ୧୫୦ ୟୁନିଟ୍‍ ପିଛା ଟ୪.୩୦ ପଇସା ହିସାବରେ ୬୪୫ ଟଙ୍କା ଓ ପରବର୍ତ୍ତୀ ୟୁନିଟ୍‍ ପିଛା ୫.୩୦ ପଇସା ହିସାବରେ ନିଆଗଲା। ସେହି ଟାଟା କମ୍ପାନୀ ପରବର୍ତ୍ତୀ ମାସରେ ଅର୍ଥାତ୍‍ ୧୮.୯.୨୦୨୦ ରୁ ୨୦.୧୦.୨୦୨୦ ପର୍ଯ୍ୟନ୍ତ ବିଲ୍‍ରେ ପ୍ରଥମ ୫୦ ୟୁନିଟ୍‍ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରଖିଚି ବୋଲି ପ୍ରଚାର କରାଗଲା। ପରବର୍ତ୍ତୀ ୟୁନିଟ୍‍ ପିଛା ୨.୭୦ ହିସାବରେ ୧୫୦ ୟୁନିଟ୍‍ ଓ ପରବର୍ତ୍ତୀ ୟୁନିଟ୍‍ ପିଛା ୪.୫୦ ହିସାବରେ ୩୦୦ ୟୁନିଟ୍‍ ପର୍ଯ୍ୟନ୍ତ ଓ ପରବର୍ତ୍ତୀ ୟୁନିଟ୍‍ ପିଛା ୫ଟଙ୍କା ୫୦ ହିସାବରେ ନିଆଗଲା। ଏଥିରେ ଦର ବଢ଼ିବା ସହିତ ତଞ୍ଚକତାପୂର୍ଣ୍ଣ ସ୍ଲାବ୍‍ ହଠାତ୍‍ ପରିବର୍ତ୍ତନ କରି ଦିଆଯାଇଛି।

ଏତଦ୍‍ବ୍ୟତୀତ ଅନ୍ୟ ଏକ ବଡ଼ ଖାଉଟି ଶୋଷଣ କାରବାର ସାମ୍ନାକୁ ଚାଲିଆସିଛି। ଯେଉଁମାନେ ଘରକୁ ବିଦ୍ୟୁତ୍‍ ନେଇଛନ୍ତି ସେମାନଙ୍କୁ ‘କିଲୋୱାଟ’ ଅନୁସାରେ ଗୋଟିଏ ମିନିମମ୍‍ ଇଲେକ୍ଟ୍ରିକ୍‍ ଚାର୍ଜ କରାଯାଉଛି। ଏହା କେଉଁ ବିଲ୍‍ରେ ୪୦ ଟଙ୍କା ତ କେଉଁ ବିଲ୍‍ରେ ୧୩୧ଟଙ୍କା ଓ କେଉଁ ବିଲ୍‍ରେ ୩୦୦ ଟଙ୍କା ବା ତା ଠାରୁ ଅଧିକ ନିଆଯାଇଛି। ମ୍ୟାକ୍ସିମ୍‍ମ୍‍ ବିଦ୍ୟୁତ୍‍ ଜାଳୁଥିବା ଉପଭୋକ୍ତା ମିନିମମ୍‍ ବିଦ୍ୟୁତ୍‍ ଦେୟ ଦେବାକୁ ବାଧ୍ୟ। ଗତବର୍ଷଗୁଡ଼ିକରେ ଏ ବାବଦରେ ଆଦାୟ ହଜାର ହଜାର କୋଟି ଟଙ୍କା କାହା ଖାତାକୁ ଯାଇଛି ତା’ର କୌଣସି ଖବର ଖୋଜିଲେ ବି ମିଳେ ନାହିଁ। ଅନ୍ୟ ଏକ ବ୍ୟାବସାୟିକ ଚାଲ ହେଉଛି ମିଟର ଜବରଦସ୍ତ କ୍ରୟବିକ୍ରୟ, ସେଥିରେ ମାସିକ ହାରରେ ଆଦାୟ। ଖାଉଟିକୁ ମିଟର ଯୋଗାଣ ନାମରେ ଚୀନ୍‍ରୁ କିଣାଯାଇଥିବା ମୂଲ୍ୟଠାରୁ ବେଶ୍‍ ଅଧିକ ମୂଲ୍ୟ ନିଆଗଲା ଏବଂ ତାର ମିଟର ବାବଦ ଦେୟ ଶୁଝି ଯାଇଥିଲେ ମଧ୍ୟ ଟାଟା ବିତରକ କମ୍ପାନୀ ପ୍ରତିମାସରେ ମିଟର ରେଣ୍ଟ ବାବଦରେ ଆୟ କରି ଚାଲିଛି। ଏ ସମସ୍ତ କ’ଣ ଓ.ଇ.ଆର.ସି. ବା ସରକାରଙ୍କ ଅଜ୍ଞାତରେ କରାଯାଉଛି। ସରକାର କେବଳ ବିଦ୍ୟୁତ୍‍ ଶୁଳ୍କ ବାବଦ ପ୍ରାପ୍ୟ ୪% ହାରରେ ନେଇଥାନ୍ତି। ଏକଥା ବାରମ୍ବାର ଉଠିଛି ଓ ଏଥିରେ ସତ୍ୟାସତ୍ୟ ପରିଖିବା ପାଇଁ ସମସ୍ତ ବ୍ୟବସ୍ଥାର ସି.ଏ.ଜି. ଦ୍ୱାରା ଅଡିଟ ଏବଂ ଏକ ସ୍ୱାଧୀନ ସଂସ୍ଥାଦ୍ୱାରା ବିଦ୍ୟୁତ୍‍ ବିତରକର ଟେକନିକାଲ ଅଡିଟ କାହିଁକି କରାଯାଉନାହିଁ, ଜଣାପଡ଼ୁନାହିଁ। ସମସ୍ତେ ସଚେତନ ହେଲେ ବିଦ୍ୟୁତ୍‍ ବଜାର ସତର୍କ ହେବ ଓ ଠକ ବେପାରୀମାନେ ଲକ୍ଷ୍ମଣ ରେଖା ଟପିବାକୁ ସାହସ କରିବେ ନାହିଁ।

Comments are closed.