ମହାତ୍ମା ଗାନ୍ଧୀ ଓ ଦୀପାବଳି

ସତ୍ୟନାରାୟଣ ସାହୁ

ବର୍ତ୍ତମାନ ସମଗ୍ର ଭାରତରେ କୋଭିଡ଼ ଯେଉଁଭଳି ଭାବେ ଲୋକଙ୍କୁ ସଂକ୍ରମିତ କରିଛି ଓ ଲକ୍ଷାଧିକଙ୍କ ମୃତ୍ୟୁର କାରଣ ହୋଇଛି ତାକୁ ନଜରରେ ରଖି ଓଡ଼ିଶା ସରକାରଙ୍କ ସମେତ ଅନ୍ୟ ବହୁ ରାଜ୍ୟ ସରକାର ଦୀପାବଳି ପର୍ବରେ ବାଣ ନ ଫୁଟାଇବା ପାଇଁ ଆଦେଶ ​ଦେଇଛନ୍ତି। ଏହି ପର୍ବରେ ଲୋକେ ଏତେ ବାଣ ଫୁଟାନ୍ତି ଯେ ସମଗ୍ର ପରିବେଶ ପରିସର ବାୟୁ ପ୍ରଦୂଷଣ ହୁଏ ଓ କୋଭିଡ଼ ସଂକ୍ରମଣ ଏହି ପ୍ରଦୂଷଣ କାରଣରୁ ଅତି କ୍ଷିପ୍ର ଗତିରେ ସଂକ୍ରମିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ବର୍ତ୍ତମାନ ଭାରତର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତି ବିପଜ୍ଜନକ। ତା’ ସଙ୍ଗେସଙ୍ଗେ କରୋନାର ସଂକ୍ରମଣ ମଧ୍ୟ ଅଧିକ ହୋଇଛି ଓ ଅଧିକ ଲୋକ ଏହି କୋଭିଡ଼ରେ ପ୍ରାଣ ହରାଉଛନ୍ତି। ତେଣୁ ଏହି ପରିପ୍ରେକ୍ଷୀରେ ବାଣ ଫୁଟାଇବା ଉପରେ ଯେଉଁ ନିଷିଦ୍ଧନାମା ଜାରି କରାଯାଇଛି ଓ ଏହାକୁ ନେସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ ମଧ୍ୟ ଅନୁମୋଦନ କରିଛି ତାହା ସ୍ବାଗତଯୋଗ୍ୟ।

ଆମେ ଯଦି ଆମର ମହାନ୍‌ ସ୍ବାଧୀନତା ସଂଗ୍ରାମର ଚିନ୍ତାଧାରା ଉପରେ ଆଲୋକପାତ କରିବା ତେବେ ଆମେ ମହାତ୍ମା ଗାନ୍ଧୀଙ୍କର ଲେଖାରୁ ଶିକ୍ଷାଲାଭ କରୁ ଯେ ଦୀପାବଳି ସମୟରେ ବାଣ ନ ଫୁଟାଇବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ। ସେ ୨୭ା୧୦ା୧୯୨୮ରେ ୟଙ୍ଗ ଇଣ୍ଡିଆରେ ଏକ ଲେଖାରେ ଲେଖିଥିଲେ ଯେ ସମାଜରେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କର ଉଦାହରଣ ଦେଖି ପିଲାମାନେ ଦୀପାବଳିରେ ବାଣ ଫୁଟାନ୍ତି ଓ ଟଙ୍କାକୁ (ଅର୍ଥ) ନିଆଁରେ ପୋଡ଼ନ୍ତି ବା ଜଳାନ୍ତି। ଯଦି ବୟୋଜେଷ୍ଠ ବ୍ୟକ୍ତିମାନେ ବାଣ ଫୁଟାଇବା ବନ୍ଦ୍‌ କରନ୍ତି ତେବେ ଅନ୍ୟମାନେ ତାଙ୍କୁ ଦେଖି ବାଣ ଫୁଟାଇବେ ନାହିଁ ଓ ଯେଉଁ ଟଙ୍କା ବାଣଫୁଟାରୁ ବଞ୍ଚିବ ସେ ଅର୍ଥକୁ ଖଦି କାର୍ୟ୍ୟରେ ବିନିଯୋଗ କରିବା ଦରକାର। ଗାନ୍ଧୀଙ୍କର ଏହି ମର୍ମସ୍ପର୍ଶୀ ପରାମର୍ଶ ୨୦୨୦ରେ ବାଣ ଫୁଟାଇବା ଉପରେ ଯେଉଁ ନିଷିଦ୍ଧନାମା ଜାରି ହୋଇଛି ସେହି ପରିପ୍ରେକ୍ଷୀ​‌େ​‌ର ବେଶ୍‌ ପ୍ରାସଙ୍ଗିକ ମନେହୁଏ।

୨ ଜୁଲାଇ ୧୯୩୬ରେ ମହାତ୍ମା ଗାନ୍ଧିଙ୍କୁ ଦୀପାବଳି ଉପଲକ୍ଷେ ଯେତେବେଳେ ଏକ ଶୁଭେଚ୍ଛାବାର୍ତ୍ତା ପଠାଇବା ପାଇଁ ଅନୁରୋଧ କରାଗଲା ସେ ଲେଖିଥିଲେ ଯେ, ଯେତେବେଳେ ଭାରତରେ ଏତେ ଲୋକ ଖାଇବାକୁ ନ ପାଇ ମରୁଛନ୍ତି ସେହି ସମୟରେ ଆମେ କିପରି ଦୀପାବଳି ପାଳନ କରିବା? ଗାନ୍ଧୀଙ୍କର ୧୯୩୬ ମସିହାର ବାର୍ତ୍ତାରୁ ଆମକୁ ଶିକ୍ଷା ମିଳୁଛି ଯେ ଆମେ ମଧ୍ୟ ୨୦୨୦ରେ କିପରି ଦୀପାବଳି ପାଳନ କରିବା ଓ ବାଣ ଫୁଟାଇବା ଯେତେବେଳେ ଲକ୍ଷଲକ୍ଷ ଲୋକ ଆମ ଦେଶରେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି ଓ ଲକ୍ଷାଧିକ ଲୋକ ମରିଛନ୍ତି। କରୋନା ଭୂତାଣୁ ଆମ ସମାଜର ପ୍ରତିଟି ବର୍ଗ ଓ ଲୋକଙ୍କ ମଧ୍ୟରେ ଆସି ପହଞ୍ଚିଛି ଓ ସଂକ୍ରମଣର ହାର କମିନାହିଁ ଏବଂ ଦ୍ବିତୀୟଥର ସଂକ୍ରମଣ ହେବାର ସମ୍ଭାବନା ରହିଥିବା ବୈଜ୍ଞାନିକମାନେ କହୁଛନ୍ତି। ଏହା ସ‌େତ୍ତ୍ବ ଆମେ କିପରି ଦୀପାବଳି ପାଳନ କରିବା ଓ ବାଣ ଫୁଟାଇବା? ତେଣୁ ବାଣ କିଣାବିକା ଓ ନ ଫୁଟାଇବା ପାଇଁ ଯେଉଁ କଡ଼ାକଡ଼ି ପଦକ୍ଷେପ ନିଆଯାଇଛି ତାହା ମହାତ୍ମା ଗାନ୍ଧୀଙ୍କର ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି।

୪ ଅକ୍ଟୋବର ୧୯୩୮ରେ ଗାନ୍ଧିଜୀ ସୁଶୀଳା ଗାନ୍ଧୀଙ୍କୁ ଏକ ଚିଠିରେ ଲେଖିଥିଲେ ଯେ ଯେତେବେଳେ ସମାଜରେ ଏତେ ଘୃଣା ଓ ତିକ୍ତତା ବଢ଼ିବାରେ ଲାଗିଛି ସେହି ସମୟରେ ଦୀପାବଳି କେଉଁ ମାନସିକତାରେ ପାଳନ କରାଯାଇପାରିବ। ଭାରତରେ ୨୦୨୦ ମସିହାରେ କରୋନା ସଂକ୍ରମଣ ଛଡ଼ା ସାଂପ୍ରଦାୟିକ ତତ୍ତ୍ବମାନେ ଧର୍ମ ଓ ଜାତୀୟତା ନେଇ ଯେଭଳି ଭାବେ ଘୃଣା ଓ ତିକ୍ତତା ବଢ଼ାଇଛନ୍ତି ଆମର କିଛି ନାଗରିକମାନଙ୍କୁ ତାଙ୍କର ଖାଦ୍ୟ, ପୋଷାକ, ଧର୍ମ ନାଁରେ ମାରି ଦିଆଯାଉଛି। ସେହି ସମୟରେ ଆମେ ଦୀପାବଳି କେମିତି ପାଳନ କରିବା। ଗାନ୍ଧୀ ଲେଖିଥିଲେ ଯେ ଯଦି ଦୀପାବଳି ପାଳନ କଲେ ଘୃଣା ଓ ତିକ୍ତତା କମିବ ତେବେ ବିନା ବାଣ ଫୁଟାରେ ତାହା ପାଳନ କରାଯାଉ।

୨୭ ଅକ୍ଟୋବର ୧୯୪୬ରେ ଯେତେବେଳେ ଭାରତର ବିଭାଜନକୁ ନେଇ ସାଂପ୍ରଦାୟିକ ହିଂସା, ଦଙ୍ଗାରେ ଲକ୍ଷଲକ୍ଷ ଲୋକ ପ୍ରାଣ ହରାଇଲେ ଓ ବିସ୍ଥାପିତ ହେଲେ ଗାନ୍ଧୀ ‘ହରିଜନ ବନ୍ଧୁ’ ନାମକ ଏକ ପତ୍ରିକାରେ ‘ଦୀପାବଳିରେ ବାଣ ଫୁଟା)’ ଶୀର୍ଷକରେ ଯାହା ଲେଖିଥିଲେ ତାହା ଏକବିଂଶ ଶତାବ୍ଦୀର ଭାରତ ପାଇଁ ପ୍ରଯୁଜ୍ୟ। ସେ ଲେଖିଥିଲେ ଯେ ସେ ଦୀପାବଳି ସମୟରେ ବାଣ ଫୁଟାଇବାକୁ ନେଇ ଅନେକ ଅଭିଯୋଗ ପାଇଥିଲେ ଓ ଲୋକମାନେ ବାଣ ଫୁଟାଇବା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ସେ ଏ କଥା ବି ଲେଖିଥି​ଲେ ଯେ ସେହି ଅଭିଯୋଗର ଯଥାର୍ଥତା ଉପରେ କୌଣସି ପ୍ରଶ୍ନବାଚୀ ଦେଇ ହେବନାହିଁ ଓ ତାହା ସବୁ ନ୍ୟାୟସଙ୍ଗତ। ମହାତ୍ମା ଗାନ୍ଧୀ ତାଙ୍କର ପୂର୍ବ ଲେଖାସବୁକୁ ଉଦ୍ଧୃତ କରି କହିଥିଲେ ଯେ ସେ ଦୀପାବଳିରେ ବାଣ ନ ଫୁଟାଇବା ବିଷୟରେ ବହୁବାର ଲେଖିଥିଲେ ଓ ସେ ଅବଗତ ନଥିଲେ ତାଙ୍କର ସେ ଲେଖା ଲୋକଙ୍କ ଉପରେ କେତେ ପ୍ରଭାବ ପକାଇଥିଲା। ଅତି ବ୍ୟଥିତ ହୋଇ ସେ ଲେଖିଲେ ଯେ ଯେତେବେଳେ ଭାରତର ବିଭିନ୍ନ ଅଞ୍ଚଳରେ ସାଂପ୍ରଦାୟିକ ହିଂସାର ନିଆଁ ଜଳୁଛି ଓ ଲୋକ ପ୍ରାଣ ହରାଉଛନ୍ତି ସେତେବେଳେ ଦୀପାବଳିରେ ବାଣ ଫୁଟାଇବା ଏକ ମହାପାପ। ଏହା ସହିତ ଯୋଡ଼ି ସେ ପରାମର୍ଶ ଦେଇଥିଲେ ଯେ ସେହି ବିପଦସଂକୁଳ ପରିସ୍ଥିତିରେ ଘିଅ, ତେଲରେ ଦୀପ ଜଳାଇବା ଓ ମିଠାଇ ଖାଇବା ମଧ୍ୟ ଏକ ପାପ।

ଅର୍ଥାତ୍‌ ଯେତେବେଳେ ମଣିଷ ଜୀବନ ସଂକଟାପନ୍ନ ଓ ଆର୍ଥିକ, ସ୍ବାସ୍ଥ୍ୟ, ଜୀବନ ସୁରକ୍ଷା କରୋନା ସଂକ୍ରମଣ ଯୋଗୁଁ ଭୁଶୁଡ଼ି ପଡ଼ିଛି ସେହି ସମୟରେ ଦୀପାବଳି ଉତ୍ସବ ପାଳନ କରିବା ଓ ବାଣ ଫୁଟାଇବା ମଧ୍ୟ ଏକ ଗର୍ହିତ କାର୍ୟ୍ୟ ହେବ।

ଭାରତ କୋଭିଡ଼ ସଂକ୍ରମଣର ଶିକାର ହୋଇଛି ଓ ଲୋକଙ୍କର ଖାଦ୍ୟ ସୁରକ୍ଷା ଓ ସ୍ବାସ୍ଥ୍ୟର ନିରାପତ୍ତା ମଧ୍ୟ ବିପଦ ସଂକୁଳ ହୋଇପଡ଼ିଛି କରୋନାର ପ୍ରକୋପରେ। ଲକ୍ଷଲକ୍ଷ ଦାଦନ ଶ୍ରମିକଙ୍କର ଜୀବିକା ଚାଲିଯାଇଛି। ବାୟୁପ୍ରଦୂଷଣ କରୋନା ସଂକ୍ରମଣକୁ ଆହୁରି ଗୁରୁତର କରିବ ଓ ବହୁ ଜୀବନ ବିପନ୍ନ ହେବ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ଓ ଅନ୍ୟ ବହୁ ରାଜ୍ୟସରକାର ବାଣ ଫୁଟାଇବା ଉପ​‌େ​‌ର ଯେଉଁ ନିଷେଧାଦେଶ ଜାରି କରିଛନ୍ତି ତାହା ସ୍ବାଗତଯୋଗ୍ୟ ଓ ମହାତ୍ମା ଗାନ୍ଧୀଙ୍କର ଚିନ୍ତାଧାରା ଉପରେ ଆଧାରିତ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମବାର୍ଷିକ ପାଳନରେ ଭାରତର ସମ୍ବିଧାନର ପ୍ରସ୍ତାବନାରେ ଅହିଂସା ଶବ୍ଦକୁ ଅନ୍ତର୍ଭୁକ୍ତ କରିବାପାଇଁ ପ୍ରସ୍ତାବ ଦେଇଥିଲେ। ଭାରତରେ କୋଭିଡ଼ ବ୍ୟାପିବା ପରିପ୍ରେକ୍ଷୀରେ ଦୀପାବଳିରେ ବାଣ ନ ଫୁଟାଇବା ନିଷେଧାଦେଶ ଅହିଂସାର ଏକ ରୂପ।

Comments are closed.