ଆମେରିକା ନିର୍ବାଚନ ପରର ଚିତ୍ରପଟ

ଅବସର ବେଉରିଆ

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନଙ୍କ ବିଜୟ ବହୁ ଦୃଷ୍ଟିରୁ ଐତିହାସିକ ଏବଂ ପ୍ରତୀକାତ୍ମକ। ଏହା ସୂଚାଉଛି ଗଣତନ୍ତ୍ରର ବିଜୟ ଓ ଆଜ୍ଞାନୁବର୍ତ୍ତିତା, ପ୍ରଭୁତ୍ବ ବିସ୍ତାରକ (ଅଥୋରିଟାରିଆନିଜମ୍‌)ର ପରାଜୟ। ଏ ନିର୍ବାଚନରେ ବହୁତ କିଛି ବାର୍ତ୍ତା ରହିଛି ବର୍ଣ୍ଣବୈଷମ୍ୟ ବିରୋଧରେ। ଗଣତନ୍ତ୍ର କହିଲେ ଆଇନର ଶାସନ, ମନମୁଖୀ ଶାସନ ନୁହେଁ। ବ୍ୟକ୍ତିଗତ ସ୍ବାର୍ଥ ଓ ଜାତୀୟ ସ୍ବାର୍ଥ ଏକା କଥା ନୁହେଁ। ନିର୍ବାଚନ ଫଳାଫଳ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆମେରିକାର କୋଣ ଅନୁକୋଣରେ ରାଜରାସ୍ତାରେ ସ୍ବତଃପ୍ରବୃତ୍ତ ଭାବେ ଲୋକେ ଏ ଏହାକୁ ସ୍ବାଗତ କରିବା ସହ ଉତ୍ସବ ପାଳନ କରିଥିଲେ। ଏଭଳି ଶାନ୍ତିପୂର୍ଣ୍ଣ ଉତ୍ସାହ ଓ ଉନ୍ମାଦନା ଅତୀତରେ କୌଣସି ରାଷ୍ଟ୍ରପତି ନିର୍ବାଚନରେ ଦେଖାଯାଇ ନଥିଲା। ସେଥିରେ ସାମିଲ ହୋଇଥିଲେ ଅଗଣିତ ନାରୀ-ପୁରୁଷ, ଯୁବ-ବୃଦ୍ଧ, ଶ୍ବେତାଙ୍ଗ-କୃଷ୍ଣକାୟ ଏବଂ ସବୁଧର୍ମର, ସବୁ ଜାତିର ଲୋକେ। ମନେ ହେଉଥିଲା ଦୀର୍ଘ ଦୁଃସ୍ବପ୍ନର ଦୂରୀଭୂତ ହେବାର ଆନନ୍ଦର ଏକ ଦୃଶ୍ୟ। ଏ ଦୃଶ୍ୟ କେବଳ ଆମେରିକାରେ ସୀମିତ ନଥିଲା; ପୃଥିବୀର ଅନ୍ୟ ପ୍ରାନ୍ତରେ ମଧ୍ୟ ସେଇଭଳି ଆଶ୍ବସ୍ତି ସହ ଆନନ୍ଦର ଲହରୀ ଖେଳିଯାଇଥିଲା। ସାରା ପୃଥିବୀରେ ଏଭଳି ପ୍ରତିକ୍ରିୟା ଦେଖିବାକୁ ମିଳିଥିଲାବେଳେ ପରାଜିତ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କର ସମର୍ଥକଙ୍କୁ ଏକଜୁଟ୍‌ କରାଇ ରାଜରାସ୍ତାରେ ନିର୍ବାଚନର ଫଳାଫଳ ଅବୈଧ ଓ ଅଗ୍ରାହ୍ୟ ବୋଲି ଦାବି କରିବାରେ ବ୍ୟସ୍ତ ଥିଲେ। କେବଳ ସେତିକି ନୁହେଁ; ଆଇନ ଓ ଅଦାଲତ ସାହାଯ୍ୟରେ ନିର୍ବାଚନ ଫଳାଫଳକୁ ଅସିଦ୍ଧ, ଅବୈଧ ଘୋଷଣା କରିବାର ଉଦ୍ୟମ ସହିତ ନିର୍ବାଚିତ ବାଇଡେନଙ୍କୁ ପରମ୍ପରାଗତ ଅଭିନନ୍ଦନ ଜଣାଇବାର ସାଧାରଣ ସୌଜନ୍ୟତା ଦେଖାଇବାକୁ ଅନିଚ୍ଛୁକ। ଜାନୁଆରୀ ୨୦ ତାରିଖରେ ଶପଥଗ୍ରହଣ ଉତ୍ସବର ପ୍ରସ୍ତୁତିପାଇଁ ଦୁଇ ପକ୍ଷର ଯେଉଁ ପ୍ରାଥମିକ ପଦକ୍ଷେପ ନିଆଯାଏ ସେଥିରେ ଏ ପର୍ୟ୍ୟନ୍ତ ସହଯୋଗର ସୁରାକ୍‌ ଦେଖିବାକୁ ମିଳିନାହିଁ। ଶପଥଗ୍ରହଣ ପୂର୍ବରୁ ଇଲେକ୍‌ଟୋରାଲ କଲେଜର ମିଟିଂ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବିଧିବିଧାନ ବିଳମ୍ବରେ ବିଶୃଙ୍ଖଳା ଉପୁଜିବାର ଭୟ ଓ ସମ୍ଭାବନା ରହିଛି। ଏଭଳି ଏକ ଅଚଳ ଅବସ୍ଥାର ଅନ୍ତର ଅପେକ୍ଷାରେ ଆମେରିକାବାସୀ ଓ ଆମେ ସମସ୍ତେ। ଅବଶ୍ୟ ଆଇନ ବିଶେଷଜ୍ଞଙ୍କ ମତରେ ଟ୍ରମ୍ପଙ୍କର ସବୁ ପ୍ରଚେଷ୍ଟା ବିଫଳ ହେବ ପ୍ରମାଣ ଅଭାବରେ।

ତେବେ ଏ ନିର୍ବାଚନ ଫଳାଫଳର ଅନ୍ୟ ଦିଗଟି ଉଦ୍‌ବେଗ ଜନକ। ତାହା ହେଉଛି ପ୍ରାୟ ୧୫୦ ମିଲିୟନ ଭୋଟ୍‌ରୁ ୭୦ ମିଲିୟନ ଭୋଟ ଟ୍ରମ୍ପଙ୍କ ସପକ୍ଷରେ। କୋଭିଡ଼-୧୯ର କୁପରିଚାଳନା, ଅର୍ଥନୈତିକ ସଂକଟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଅନିଶ୍ଚିତତା, ବିଶ୍ବ ବ୍ୟବସ୍ଥାରେ ପରିବର୍ତ୍ତନର ପ୍ରଚେଷ୍ଟା ଓ ବିଭ୍ରାଟ ସତ୍ତ୍ବେ ଏତେ ସଂଖ୍ୟାରେ ପରାଜିତ ପ୍ରାର୍ଥୀ ଭୋଟ ପାଇବା ଗୋଟିଏ ରେକର୍ଡ଼। ୫୭% ଶ୍ବେତାଙ୍ଗ ଭୋଟ ତାଙ୍କ ସପକ୍ଷରେ ଯାଇଛି। ଅନ୍ୟ ଅର୍ଥରେ ସେ ଜଣେ ‘କଲ୍ଟ ଫିଗର’ ବା ଏଭଳି ବ୍ୟକ୍ତି ଯାହାଙ୍କ ପାଇଁ ବହୁଲୋକଙ୍କର ଗଭୀର ଶ୍ରଦ୍ଧା ଓ ଭକ୍ତି ରହିଛି। ସେଇଭଳି ବାଇଡେନ ସହରାଞ୍ଚଳରେ ଅଧିକ ଭୋଟ ପାଇଥିଲାବେଳେ ଟ୍ରମ୍ପ ଗ୍ରାମାଞ୍ଚଳରେ ବେଶୀ ଭୋଟ ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି। ଏହା ସେଠାକାର ସମାଜରେ ବିଭାଜନ ଆହୁରି ତୀବ୍ର ଓ ଶାଣିତ ହେବାର ଲକ୍ଷଣ।

ବାଇଡେନ ଭୋଟ ପୂର୍ବରୁ ଓ ପରେ ଯେଉଁ ବକ୍ତବ୍ୟ ରଖିଛନ୍ତି ସେଥିରେ ତାଙ୍କର ଦେଶ ଓ ବିଶ୍ବପାଇଁ ନୀତିର ଅଗ୍ରାଧିକାରର ଆଭାସ ମିଳିଛି। ପ୍ରଥମତଃ ତାଙ୍କର ଏଜେଣ୍ଡା ବା କାର୍ୟ୍ୟ ତାଲିକାରେ କୋଭିଡ଼-୧୯ ମହାମାରୀ (ଯାହା ଆମେରିକାର ପ୍ରାୟ ୧୦ ମିଲିୟନଙ୍କୁ ସଂକ୍ରମିତ ଓ ଦୁଇ ଲକ୍ଷରୁ ଊର୍ଦ୍ଧ୍ବ ମୃତ)କୁ ଶୀଘ୍ର ନିୟନ୍ତ୍ରଣ କରିବାର ଉଦ୍ୟମ। ସେଥିପାଇଁ ସେ ଗୋଟିଏ ବିଶେଷଜ୍ଞ କମିଟି ଗଠନର ପ୍ରକ୍ରିୟା ଆରମ୍ଭ କରିଛନ୍ତି ଯାହାର ନେତୃତ୍ବ ନେବେ ଭାରତୀୟ ବଂଶଜ ଡକ୍ଟର ବିବେକ ମୂର୍ତ୍ତି। ସେ କମିଟିରେ ଆଉ ଜଣେ ଭାରତୀୟ ବଂଶଜ ଡକ୍ଟର ଗୱାନ୍ଦେ ସାମିଲ ହେବାର ସୂଚନା ମିଳିଛି। ବାଇଡେନଙ୍କ ମତରେ କୋଭିଡ଼ ସମ୍ବନ୍ଧୀୟ ସମସ୍ତ ନିଷ୍ପତ୍ତି ବିଜ୍ଞାନ ସମ୍ମତ ଓ ବିଶେଷଜ୍ଞ ଆଧାରିତ ହେବା ଦରକାର। ଏଥିସହିତ ସେ ମଧ୍ୟ ଅର୍ଥନୀତି ଓ ବାଣିଜ୍ୟରେ ଶୀଘ୍ର ସୁଧାର ଆଣିବାର ପ୍ରକ୍ରିୟା ପ୍ରାରମ୍ଭରେ ହିଁ କରିବେ। ତେବେ ଅର୍ଥନୀତିର ଅଭିବୃଦ୍ଧି କୋଭିଡ଼ର ସଂକୋଚନ ଓ ଦୂରୀକରଣ ଉପରେ ନିର୍ଭରଶୀଳ। ତାଙ୍କର ଲକ୍ଷ୍ୟ ମଧ୍ୟ ରହିବ ବର୍ଣ୍ଣବୈଷମ୍ୟର ହ୍ରାସ ଏବଂ ସମତା ବିଧାନର ସୃଷ୍ଟି। ନିର୍ବାଚନ ଫଳାଫଳ ଘୋଷଣା ପର ଭାଷଣରେ ସେ ଏକତା ଓ ଯେଉଁମାନେ ତାଙ୍କୁ ଭୋଟ ଦେଇନାହାନ୍ତି ସେମାନଙ୍କ ପାଇଁ ମଧ୍ୟ କାର୍ୟ୍ୟ କରିବାର ଆଶ୍ବାସନା ଦେଇଛନ୍ତି। ଆଶା କରାଯାଏ ତାଙ୍କର ନୂତନ କ୍ୟାବିନେଟ୍‌ରେ ବିବିଧତା ରହିବ। ମହିଳା ଓ କୃଷ୍ଣକାୟଙ୍କ ଉଚିତ୍‌ ସଂଖ୍ୟାରେ ପ୍ରତିନିଧିତ୍ବ ରହିବ। ଓବାମାଙ୍କ ଶାସନକାଳର କେତେଗୁଡ଼ିଏ ନୀତିକୁ ଟ୍ରମ୍ପ ଆକାମୀ କରିଦେବା ଫଳରେ ଯେଉଁ ସମସ୍ୟା ଉପୁଜିଛି ତା’ ଉପରେ ଗୁରୁତ୍ବ ଦେଇ ପଦକ୍ଷେପ ନେବାର ସମ୍ଭାବନା ରହିଛି।

ଅନ୍ତର୍ଜାତୀୟତା ଓ ଆମେରିକାର ବିଶ୍ବବ୍ୟବସ୍ଥାରେ ଅଗ୍ରଣୀ ଓ ଅର୍ଥପୂର୍ଣ୍ଣ ଭୂମିକାରେ ବାଇଡେନ ବିଶ୍ବାସ କରନ୍ତି। ତେଣୁ ପ୍ୟାରିସ ଜଳବାୟୁ ପରିବର୍ତ୍ତନ ବୁଝାମଣାରେ ଆମେରିକାର ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ। ସେଇଭଳି ଇରାନ ସହିତ ପରମାଣୁ ଅସ୍ତ୍ର ସମ୍ବନ୍ଧୀୟ ବୁଝାମଣାରେ ଆମେରିକାର ସକ୍ରିୟ ଯୋଗଦାନ ସହିତ ୟୁରୋପୀୟ ମିତ୍ର ରାଷ୍ଟ୍ରମାନଙ୍କ ସହିତ ଘନିଷ୍ଠ ସହଯୋଗର ଇଙ୍ଗିତ ମିଳିଛି। ନାଟୋରେ ଆଗ ପରି ସକ୍ରିୟ ସଂପୃକ୍ତିର ସୂଚନା ମିଳିଛି ଯାହା ଟ୍ରମ୍ପଙ୍କ ନୀତି ଫଳରେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକୁ ବିଚଳିତ କରିଥିଲା ଓ ସୁରକ୍ଷା ବ୍ୟବସ୍ଥାରେ ଅନିଶ୍ଚିତତା ଆଣିଥିଲା। ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ସଂଘର୍ଷ ଓ ଟ୍ରମ୍ପଙ୍କ ଶାସନ କାଳରେ ସ୍ବାକ୍ଷରିତ ହୋଇଥିବା ଚୁକ୍ତିଗୁଡ଼ିକର ଭବିଷ୍ୟତ ବିଷୟରେ ବର୍ତ୍ତମାନ କିଛି ଅନୁମାନ କରିବା କଷ୍ଟକର। ଟ୍ରମ୍ପଙ୍କର ଘନିଷ୍ଠତା ଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନହ୍ୟୁଏବଂ ସାଉଦି ଆରବର ଶାସକ ସଲମାନ ଏବଂ ଅନ୍ୟ ରାଷ୍ଟ୍ରର ମୁଖ୍ୟମାନେ ବାଇଡେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅବଶ୍ୟ ଏ ରାଷ୍ଟ୍ରଗୁଡ଼ିକ ବାଇଡେନ ଶାସନର ମଧ୍ୟପ୍ରାଚ୍ୟ ନୀତିକୁ ଉତ୍କଣ୍ଠାର ସହିତ ଅପେକ୍ଷା କରିବେ। ବାଇଡେନଙ୍କ ମତରେ ରୁଷିଆ ହେଉଛି ଆମେରିକାର ସବୁଠାରୁ ବଡ଼ ଶତ୍ରୁ। ଚୀନ ସହିତ ଆମେରିକାର ସମ୍ପର୍କରେ ସ୍ବାଭାବିକତା ଫେରିଆସିପାରେ। ବିଶେଷକରି ବାଣିଜ୍ୟ କ୍ଷେତ୍ରରେ ବୁଝାମଣାର ସମ୍ଭାବନା ରହିଛି। ମଜାର କଥା ହେଉଛି ଚୀନ ଓ ରୁଷିଆର ନେତୃତ୍ବ ପୁତିନ ଓ ଜିଙ୍ଗ୍‌ପିନ୍‌ ଏ ପର୍ୟ୍ୟନ୍ତ ବାଇଡେନଙ୍କୁ ଅଭିନନ୍ଦନ କରିବାରେ କୁଣ୍ଠା ପ୍ରକାଶ କରିଛନ୍ତି। ନିର୍ବାଚନ ଫଳାଫଳର କର୍ତ୍ତୃପକ୍ଷଙ୍କ ଅନ୍ତିମ ଘୋଷଣା ପରେ ହିଁ କରିବେ ବୋଲି ଜଣାପଡ଼ୁଛି। ଆନ୍ତର୍ଜାତିକ ଅନୁଷ୍ଠାନଗୁଡ଼ିକରେ ଆମେରିକାର ସକ୍ରିୟ ଭୂମିକା ରହିବ, ବିଶ୍ବ ସ୍ବାସ୍ଥ୍ୟ ଅନୁଷ୍ଠାନ (ହୁ) ଏବଂ ଜାତିସଙ୍ଘ ସହିତ ସହଯୋଗ ଓ ସାହାଯ୍ୟ ଜାରି ରହିବ।

ଟ୍ରମ୍ପଙ୍କ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଟ୍ରମ୍ପଙ୍କ ନିବିଡ଼ତମ ସମ୍ପର୍କ ପରିପ୍ରେକ୍ଷୀରେ ବାଇ​ଡ଼େନଙ୍କ ଭାରତ ପ୍ରତି ଆଭିମୁଖ୍ୟରେ ଅନିଶ୍ଚିତତା ଓ ଭ୍ରୂକୁଞ୍ଚନ ପ୍ରକାଶ ପାଇବା ସ୍ବାଭାବିକ; କିନ୍ତୁ ଆମର ଭୁଲିଯିବା ଉଚିତ୍‌ ନୁହେଁ ଯେ ବାଇଡେନ ଭାରତ-ଆମେରିକା ଅଣୁଚୁକ୍ତିର ବିଲ୍‌କୁ ବହୁ ଡେମୋକ୍ରାଟଙ୍କ ବିରୋଧ ସତ୍ତ୍ବେ, ପ୍ରବର୍ତ୍ତାଇ ସିନେଟ୍‌ରେ ପାସ୍‌ କରାଇବାରେ ସକ୍ଷମ ହୋଇଥିଲେ। ତେଣୁ ଆମେରିକାର ନେତୃତ୍ବ ବିଶ୍ବ ରାଜନୀତିରେ ଭାରତର ଗୁରୁତ୍ବକୁ ଭଲ ଭାବରେ ବୁଝିଛନ୍ତି। ଗତ ଦୁଇଦଶନ୍ଧିର ଦ୍ବିପାକ୍ଷିକ ସମ୍ପର୍କକୁ ଅନୁଶୀଳନ କଲେ ସ୍ପଷ୍ଟ ହେବ ଯେ ଡେମୋକ୍ରାଟ୍‌ ବିଲ କ୍ଲିଣ୍ଟନଙ୍କ ସମୟରେ ଆରମ୍ଭ ହୋଇଥିବା ବନ୍ଧୁତ୍ବ ପରବର୍ତ୍ତୀ କାଳରେ ରିପବ୍ଲିକାନ ରାଷ୍ଟ୍ରପତି ଜର୍ଜ ବୁଶ୍‌ଙ୍କ ସମୟରେ ଆହୁରି ଦୃଢ଼ ହୋଇଥିଲା ଏବଂ ଅଣୁଚୁକ୍ତି ସହିତ ଷ୍ଟ୍ରାଟେଜିକ ପାର୍ଟନରଶିପ୍‌ର ମୂଳଦୁଆ ପଡ଼ିଥିଲା। ଡିମୋକ୍ରାଟ ଓବାମା ଓ ରିପବ୍ଲିକାନ ଟ୍ରମ୍ପଙ୍କ ଦ୍ବିପାକ୍ଷିକ ବନ୍ଧୁତ୍ବ ପ୍ରତି ଆଗ୍ରହ ସୂଚାଉଥିଲା ବିଶ୍ବ ବ୍ୟବସ୍ଥାରେ ଭାରତର କ୍ରମବର୍ଦ୍ଧିଷ୍ଣୁ ଗୁରୁତ୍ବ। ଭାରତ ଏକ ବିଶାଳ ବଜାର ଭାବେ ଆକୃଷ୍ଟ କରୁଥିଲା ବିକଶିତ ରାଷ୍ଟ୍ରଗୁଡ଼ିକୁ। ଏଥି ସହିତ ସୁରକ୍ଷା ଦୃଷ୍ଟିରୁ ଆଟଲାଣ୍ଟିକ ମହାସାଗର ପରିବର୍ତ୍ତେ ପ୍ରଶାନ୍ତ ମହାସାଗର ପ୍ରାଧାନ୍ୟ ପାଇବା ଦୃଢ଼ୀଭୂତ କରୁଥିଲା ଭାରତର ମର୍ୟ୍ୟାଦା ଓ ଅପରିହାର୍ୟ୍ୟ ଆବଶ୍ୟକତା। ଚୀନର ମହାଶକ୍ତି ଭାବେ ଉଦୟକୁ ପରାହତ କରିବା ପ୍ରଚେଷ୍ଟାରେ ଭାରତର ଅନ୍ତର୍ନିହିତ ଶକ୍ତିର ମୂଲ୍ୟ ଅନ୍ୟ ରାଷ୍ଟ୍ରମାନେ ହୃଦୟଙ୍ଗମ କରିଛନ୍ତି। ଆତଙ୍କବାଦ ବିରୋଧରେ ଦୁଇ ଦେଶ ଆଗଭଳି ସହଯୋଗ ରଖିବେ। ଦ୍ବିପାକ୍ଷିକ ବାଣିଜ୍ୟ ସ୍ବାଭାବିକ ରହିବ। ସୁରକ୍ଷା କ୍ଷେତ୍ରରେ ସହଯୋଗିତା ଓ ସହକାରିତା ରହିବ। ତେବେ ଟ୍ରମ୍ପଙ୍କ ନୀତିଦ୍ବାରା ଶାସନ କାଳରେ ଅର୍ଥନୈତିକ ଓ ନିଯୁକ୍ତି କ୍ଷେତ୍ରରେ ଆମେରିକା ଲୋକେ ଉପକୃତ ଓ ଲାଭବାନ ହୋଇଛନ୍ତି ତାହାକୁ ଶୀଘ୍ର ପ୍ରତ୍ୟାହାର କରିବା ଏତେ ସହଜ ନୁହେଁ।

ଏହି ପରିପ୍ରେକ୍ଷୀରେ ଭାରତୀୟ-ଆଫ୍ରିକୀୟ ବଂଶଜ କମଳା ହାରିସ୍‌ଙ୍କ ଉପରାଷ୍ଟ୍ରପତି ପଦ ମଣ୍ଡନରେ ଭାରତୀୟମାନେ ଆଶାନ୍ବିତ ହେବା ସ୍ବାଭାବିକ। ସେ ହେବେ ଆମେରିକାର ପ୍ରଥମ ମହିଳା ଓ ପ୍ରଥମ କୃଷ୍ଣକାୟ ଉପସଭାପତି। ତାଙ୍କର ମନୋନୟନ ଥିଲା କମଲା ହାରିସ୍‌ଙ୍କର ଭାଷାରେ ବାଇଡେନ୍‌ଙ୍କ ଦୁଃସାହସିକ ନିଷ୍ପତ୍ତି। ଏଥର ବେଶୀ ସଂଖ୍ୟାରେ ଭାରତୀୟ ବଂଶଜର ଲୋକେ କଂଗ୍ରେସ ପ୍ରତିନିଧିରେ ଏବଂ ଆଟର୍ଣ୍ଣି ଭାବେ ଦେଖିବାକୁ ମିଳିବ। ସେଥିଲାଗି ସେମାନଙ୍କୁ ‘ସମୋସା କକସ୍‌’ ଭାବେ ଚିତ୍ରିତ କରିବାକୁ କିଛି ଲୋକ ଆରମ୍ଭ କଲେଣି।

ଶେଷରେ ଗତ ନିର୍ବାଚନ ଥିଲା ଶିଷ୍ଟତା, ଶାଳୀନତାର ବିଜୟ। ବାଇଡେନଙ୍କର ରହିଛି ଜଣେ ଅନୁଭବୀ, ଭଦ୍ର, ଭଲଲୋକର ଭାବମୂର୍ତ୍ତି। ରାଜନୀତିରେ ଏଭଳି ଲୋକଙ୍କର ବହୁ ଅଭାବ ରହିଛି ସବୁ ଦେଶରେ।

Comments are closed.