ଲୁଟିଆଙ୍କ ଉପରେ ନଜର ରଖିବ ଏନପିଆର: ଛିନତାଇ ରୋକିବାକୁ କମିଶନରେଟ ପୁଲିସର ନୂଆ ପଦକ୍ଷେପ

ଭୁବନେଶ୍ଵର : ଦିନକୁ ଦିନ ରାଜଧାନୀ ଭୁବନେଶ୍ଵରରେ ବଢିଚାଲିଛି ଲୁଟେରାମାନଙ୍କ ଆତଙ୍କରାଜ୍‌। ପ୍ରତିଦିନ ରାଜଧାନୀର କେଉଁଠି ନା କେଉଁଠି ମୋବାଇଲ, ସୁନା ଚେନ୍, ଟଙ୍କା ଝାମ୍ପି ନେଉଥିବାର ଅଭିଯୋଗ ହେଉଛି। ଏହାରି ମଧ୍ୟରେ ଆଗକୁ ଦୀପାବଳି ଓ ଧନତେରାସ ଆସୁଥିବାରୁ ଲୁଟିଆ ଗ୍ୟାଙ୍ଗମାନେ ବେଶ ସକ୍ରିୟ ହୋଇପଡିଛନ୍ତି। ପ୍ରତିଦିନ ରାଜଧାନୀରେ ହେଉଥିବା ଛିନ୍‌ତାଇକୁ ରୋକିବା ପାଇଁ ନାକେଦମ୍‌ ହୋଇପଡିଥିବା କମିଶନରେଟ୍‌ ପୁଲିସ ଦୀପାବଳି ଓ ଧନତେରାସକୁ ନଜରରେ ରଖି ସ୍ବତନ୍ତ୍ର ପ୍ରସ୍ତୁତି କରିଛି। ଯାହା ଦ୍ବାରା ରାଜଧାନୀରେ ଛିନ୍‌ତାଇ କରି ଖସି ଯାଉଥିବା ଲୁଟିଆମାନଙ୍କୁ କାବୁ କରାଯାଇପାରିବା ସହ ରାଜଧାନୀବାସୀଙ୍କୁ ଲୁଟ୍‌ତରାଜରୁ ମୁକ୍ତି ମିଳିପାରବ।

ଦୀପାବଳି ଓ ଧନତେରାସ ସମୟରେ ରାଜଧାନୀରେ ଲୁଟିଆ ଗ୍ୟାଙ୍ଗ ଅଧିକ ପରିମାଣରେ ସକ୍ରିୟ ହୋଇଯାଆନ୍ତି ଏବଂ ଏହି ସମୟରେ ଲୁଟ୍ ଓ ଛିନତାଇ ବଢ଼ିବାର ଆଶଙ୍କା ରହିଛି । କିନ୍ତୁ ଏଥର ଲୁଟିଆ ଗ୍ୟାଙ୍ଗ ସାବଧାନ ରୁହନ୍ତୁ କାରଣ କମିଶନରେଟ୍‌ ପୁଲିସ ଲୁଟ୍ ଓ ଛିନ୍‌ତାଇ କରୁଥିବା ପ୍ରାୟ ୩୫୦ରୁ ଅଧିକ ଲୁଟେରାଙ୍କ ତାଲିକା ପ୍ରସ୍ତୁତ କରିବା ସହ ସେମାନଙ୍କ ଉପରେ ସ୍ବତନ୍ତ୍ର ନଜର ରଖିଛି। ଗତ ୫ ବର୍ଷରେ ହୋଇଥିବା ଛିନାତଇର ଅପରାଧ ପୃଷ୍ଠାକୁ ଓଲଟାଇବା ସହ ୩୫୦ ଜଣ ଲୁଟେରାଙ୍କ ତାଲିକା ପ୍ରସ୍ତୁତ କରିଛି ପୁଲିସ । ଏହି ଲୁଟେରା ମାନଙ୍କର ଷ୍ଟାଟସ ରିପୋର୍ଟ ଦେବାକୁ ପ୍ରତି ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ। କେବଳ ସେତିକି ନୁହେଁ ପେଶାଦାର ଅପରାଧୀଙ୍କୁ ଏନଏସଏରେ ବୁକ୍ କରି ତଡିପାର କରିବା ପାଇଁ ଯୋଜନା କରାଯାଉଛି ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି।

ଏଥି ସହିତ ବାଇକ୍‌ରେ ଆସି ଲୁଟ ଓ ଛିନ୍‌ତାଇ କରି ଖସି ଯାଉଥିବା ଅପରାଧୀଙ୍କ ଧରିବା ପାଇଁ ରାଜଧାନୀର ପ୍ରମୁଖ ଛକମାନଙ୍କରେ ଏନପିଆର ବା ଆଣ୍ଟି ନମ୍ବର ପ୍ଳେଟ ରିଡର ଲାଗାଇବା ପାଇଁ ବ୍ୟବସ୍ଥା କରିଛି କମିଶନରେଟ୍‌ ପୁଲିସ। ଏନପିଆର ବା ଆଣ୍ଟି ନମ୍ବର ପ୍ଳେଟ ରିଡର ଦ୍ବାରା ଲୁଟ୍‌ କରି ଖସିଯାଉଥିବା ଲୁଟେରାଙ୍କୁ ଗାଡ଼ିକୁ ଟ୍ରାକ୍ କରାଯାଇପାରିବ । ଏନପିଆର ବାଇକର ନମ୍ବରକୁ ରିଡ କରିବା ସହ ଗାଡିଟି କେଉଁ ରୁଟ୍ ଦେଇ ଚଳପ୍ରଚଳ କରୁଛି ତାହାର ଡାଟା ବେସ୍‌ କଣ୍ଟ୍ରୋଲରୁମ୍ ପାଖରେ ରହିବ। ଯାହା ଫଳରେ ପୁଲିସ ଲୁଟେରାକୁ କାବୁ କରିବାରେ ସଫଳ​‌ ହେବ। ଏଥି ସହିତ ରାଜଧାନୀର ରାଜରାସ୍ତାରେ ଦ୍ରୁତ ଗତିରେ ବାଇକ୍‌ ଚାଳନା ନେଇ ଅଭିଯୋଗ ଆସିବା ପରେ କମିଶନରେଟ୍ ପୁଲିସ ପକ୍ଷରୁ ଏହାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଡିସିପି କହିଛନ୍ତି। ଏଥି ସହିତ ରାଜଧାନୀରେ ଦ୍ରୁତ ଗତିରେ ବାଇକ ଚଲାଇବା ଓ ଅପରାଧ ଘଟିଲେ ପୁଲିସ କଣ୍ଟ୍ରୋଲ ରୁମକୁ ତୁରନ୍ତ ଜଣାଇ ପାଇଁ ଲୋକମାନଙ୍କୁ ଅପିଲ କରିଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ ।

ଅନ୍ୟପକ୍ଷେ ଦୀପାବଳି ଓ ଧନତରେସରେ ଛିନତାଇ ରୋକିବାକୁ ପୁଲିସ କରିବ ସ୍ପେଶାଲ ଡ୍ରାଇଭ୍। ଏନେଇ ଗହଣା ଦୋକାନୀ ଓ ପୁଲିସ ମଧ୍ୟରେ ଏକ ବୈଠକ କରାଯାଇଛି । ଦୀପାବଳି ଓ ଧନତରେସ ସମୟରେ ଭିଡ ହେଉଥିବାରୁ କୋଭିଡ୍ କଟକଣା ଅନୁସାରେ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛି ପୁଲିସ। ଯଦି ଏହି ସମୟରେ କୌଣସି ଦୋକାନ କୋଭିଡ  ନିୟମ ଉଲ୍ଲଂଘନ କଲେ ଦୋକାନ ସିଲ୍ କରିବାକୁ ପୁଲିସ ରୋକ୍‌ଠୋକ ଶୁଣାଇଦେଇଛି। ସୁନା ଦୋକାନ ଆଗରେ ଦୀପାବଳି ଓ ଧନତରେସ ସମୟରେ ସୁରକ୍ଷା ଦୃଷ୍ଟିରୁ ପୁଲିସ ଫୋର୍ସ ମୁତୟନ ରହିବା ସହ ସେହି ଅଞ୍ଚଳରେ ପିସିଆର ପାଟ୍ରୋଲିଂ କରିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।

ଏଥି ସହିତ ଦୀପାବଳିରେ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟାଇବା ଉପରେ ନିଷେଧାଦେଶ ଜାରି କରିଥିବା କାରଣରୁ ରାଜଧାନୀରେ ଯେପରି ବାଣ ବିକ୍ରି ନହୁଏ ତାହା ଉପରେ ଧ୍ୟାନ ରଖିଛି ପୁଲିସ। ଦୀପାବଳିରେ ବାଣ ନଫୁଟାଇବାକୁ ଡିସିପି ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଥିବାରୁ ଅଧିକ ସତର୍କ ରହିବାକୁ ପୁଲିସକୁ କୁହାଯାଇଛି। ଏହା ସହ ପାଟ୍ରୋଲିଂ ଉପରେ ଗୁରୁତ୍ୱ ଦିଆଯିବା ସହ ଗଳିକନ୍ଦିରେ ପିସିଆର ଭ୍ୟାନ୍ ମୁଭ୍ କରିବ ବୋଲି କହିଛନ୍ତି ଡିସିପି ଉମା ଶଙ୍କର ଦାଶ।

Comments are closed.