ଖାଦ୍ୟ ସ୍ବାବଲମ୍ବନରେ ସଫଳତା

ଆଜି ଭାରତବର୍ଷ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି ଏବଂ ଏହାକୁ ଆଜାଦୀ କି ଅମୃତ ମହୋତ୍ସବ ଭାବେ ଅଭିହିତ କରାଯାଇଛି। ପଞ୍ଚସ୍ତରି ବର୍ଷ ତଳେ ଆଜିର ଦିନ ଆର୍ଦ୍ଧରାତ୍ରରେ ପଣ୍ଡିତ ନେହେରୁଙ୍କ ‘ଟ୍ରାୟଷ୍ଟ ୱିଥ ଡ଼େଷ୍ଟିନି’ ସମ୍ଭାଷଣ ସହ ଆମ ଦେଶ ବ୍ରିଟିଶ ଶାସନ କବଳରୁ ସ୍ବାଧୀନତା ଲାଭ କରିଥିଲା । ଏହି ସ୍ବାଧୀନତା ପାଇଁ ଦେଶକୁ ବହୁତ ମୂଲ୍ୟ ଦେବାକୁ ପଡିଥିଲା। ଲକ୍ଷ ଲକ୍ଷ ସାଧାରଣ ଜନତା, ଛାତ୍ରଛାତ୍ରୀ, ଯୁବକ ଯୁବତୀ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ, ବିନା କିଛି ସ୍ବାର୍ଥରେ, ବିନା କିଛି ପାଇବା ଆଶାରେ। ଭାରତୀୟ ସ୍ବାଧୀନତା ସଂଗ୍ରାମ ଅନ୍ୟାନ୍ୟ ଦେଶର ସଂଗ୍ରାମଠାରୁ ଥିଲା ଭିନ୍ନ। ମହାତ୍ମା ଗାନ୍ଧୀଙ୍କ ଅହିଂସା ଓ ସତ୍ୟାଗ୍ରହ ବଳରେ ବିଶାଳ ବ୍ରିଟିଶ ସରକାର ଦେଶ ଛାଡି ଯିବାକୁ ବାଧ୍ୟ ହୋଇଥିଲେ ଏବଂ ଆମେ ନିଜ ଦେଶକୁ ନିଜେ ଶାସନ କରିବା ପାଇଁ ସୁଯୋଗ ପାଇଥିଲୁ।
ଗତ ପଞ୍ଚସ୍ତରି ବର୍ଷରେ ଭାରତ ଏକ ଗରିବ, ପଛୁଆ ଦେଶରୁ ଆଜି ବିଶ୍ବର ଏକ ପ୍ରମୁଖ ଶକ୍ତି ଭାବେ ଉଭା ହୋଇଛି। ଯେତେବେଳେ ଦେଶ ସ୍ବାଧୀନ ହେଲା, ସେତେବେଳେ ଆମ ପାଖରେ ବିଶେଷ କିଛି ସମ୍ବଳ ନ ଥିଲା, ନା ଥିଲା ଖାଦ୍ୟ ନିରାପତ୍ତା ନା ଥିଲା ଶିଳ୍ପ। ଯଦି କିଛି ଆମ ପାଖରେ ଥିଲା ତାହା ହେଉଛି ସ୍ବାଧୀନ ଜୀବନର ଉଦ୍ଦୀପନା ଓ ଏକ ସୁନେଲି ଭବିଷ୍ୟତର ସ୍ବପ୍ନ ଏବଂ ସେହି ସ୍ବପ୍ନକୁ ପୂରଣ କରିବା ପାଇଁ ଏକ ଦକ୍ଷ ନେତୃମଣ୍ଡଳୀ ଯେଉଁମାନେ ସ୍ବାଧୀନତା ଆନ୍ଦୋଳନର ନିଆଁରେ ସେକି ହୋଇ ଦେଶକୁ ଆଗେଇ ନେବା ପାଇଁ ପ୍ରତିବଦ୍ଧ ଥିଲେ।

ସାଢେ ସାତ ଦଶନ୍ଧିର ସ୍ବାଧୀନ ଭାରତର ଇତିହାସ ନିଶ୍ଚିତ ଭାବେ ଏକ ଗୌରବମୟ ଇତିହାସ। ଆଜି ଭାରତ ବର୍ଷ ଯେଉଁ ସ୍ଥିତିରେ ପହଞ୍ଚିଛି ସେଥିରେ ସମସ୍ତଙ୍କର ଅବଦାନ ଅଛି। ଦଳମତ ନିର୍ବିଶେଷରେ ଯେଉଁମାନେ ଦେଶର ଶାସକ ଭାବେ ଭୂମିକା ତୁଲାଇଥିଲେ ସମସ୍ତେ ଦେଶର ମଙ୍ଗଳ କରିବା ପାଇଁ କାର୍ଯ୍ୟ କରିଥିଲେ। ଆମେ ବିତର୍କ କରିପାରିବା, ହୁଏ ତ ଆହୁରି କିଛି ଅଧିକ ହୋଇ ପାରିଥାଆନ୍ତା; କିନ୍ତୁ କୌଣସି ଦଳ କିମ୍ବା କୌଣସି ନେତାଙ୍କ ମନୋଭାବ ବା ନିୟତକୁ ସନ୍ଦେହ କରିବା ଉଚିତ ନୁହେଁ। ଏ ଦେଶକୁ ମହାନ କରି ଗଢିତୋଳିବା ଦିଗରେ ପ୍ରତ୍ୟେକ ଭାରତୀୟ, ସାଧାରଣ ଜନତାଠାରୁ ଆରମ୍ଭକରି ଦେଶର ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କର ଅବଦାନ ରହିଛି।

ଆଜି ମୋତେ ଯଦି ପଚରାଯିବ ଯେ ଏହି ଯାତ୍ରାରେ ସବୁଠାରୁ ଉଲ୍ଲେଖନୀୟ ଘଟଣା କ’ଣ, ତାହା ହେଲେ ମୋର ଗୋଟିଏ ଉତ୍ତର ହେବ, ‘ନିରନ୍ତର ଭାବେ ଗଣତନ୍ତ୍ର’। ଭାରତ ସହିତ ସେହି ସମୟ ପାଖାପାଖି ଯେତେ ଦେଶ ସ୍ବାଧୀନ ହୋଇଥିଲେ ଭାରତ ବୋଧହୁଏ ଏକ ମାତ୍ର ପ୍ରମୁଖ ରାଷ୍ଟ୍ର ଯେଉଁଠାରେ ସବୁ ଝଡଝଞ୍ଜା ଭିତରେ ମଧ୍ୟ ଗଣତାନ୍ତ୍ରିକ ଶାସନ ନିରବଚ୍ଛିନ୍ନ ଭାବେ ଚାଲିଅଛି । ଆମେ କିଛି ଦଳ ବା ନେତାଙ୍କୁ କ୍ଷମତାର ଅପବ୍ୟବହାର ପାଇଁ ନିଶ୍ଚିତ ଭାବେ ଦାୟୀ କରିପାରିବା; କିନ୍ତୁ ସେହି ଅପବ୍ୟବହାର ଆମ ସମ୍ବିଧାନର ପରିସୀମା ମଧ୍ୟରେ, ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ ହିଁ କରିଛନ୍ତି ବା କରୁଛନ୍ତି ।
ଆଜି ଆମେ ଯେତେବେଳେ ପଛକୁ ଫେରି ଦେଖିବା, ଦେଶ ସ୍ବାଧୀନ ହେବା ସମୟରେ ଦେଶର ଜନ ସଂଖ୍ୟା ପାଖାପାଖି ୩୫ କୋଟି ଥିଲା; କିନ୍ତୁ ଭାରତର ସବୁ ଲୋକଙ୍କ କ୍ଷୁଧା ମେଣ୍ଟାଇବା ପାଇଁ ଦେଶରେ ଯଥେଷ୍ଟ ଉତ୍ପାଦନ ହେଉ ନ ଥିଲା। ଫଳରେ ଦେଶରେ ଖାଦ୍ୟ ଶସ୍ୟର ଚାହିଦା ମେଣ୍ଟାଇବା ପାଇଁ ଆମକୁ ବିଦେଶରୁ ଖାଦ୍ୟଶସ୍ୟ ଆମଦାନୀ କରିବାକୁ ପଡୁଥିଲା, ବିଶେଷ ଭାବେ ଆମେରିକା ଏବଂ ପାଶ୍ଚାତ୍ୟ ଦେଶରୁ। ଅବସ୍ଥା ଏତେ ସାଂଘାତିକ ଥିଲା ଯେ ଭାରତର ସ୍ଥିତିକୁ କୁହାଯାଉଥିଲା ‘ଜାହାଜରୁ ତୁଣ୍ଡକୁ’, କାରଣ ଆମଦାନୀ ହେଉଥିବା ଖାଦ୍ୟ ଶସ୍ୟକୁ ଖୁବ କମ ସମୟ ଭିତରେ ଦେଶର ଗ୍ରାମମାଞ୍ଚଳକୁ ପହଞ୍ଚାଇବାକୁ ପଡୁଥିଲା । ଅନ୍ୟଥା ଅନାହାର ହେବାର ଯଥେଷ୍ଟ ସମ୍ଭାବନା ଥିଲା। ଷାଠିଏ ଦଶକରେ ଏହା ଆହୁରି ଉତ୍କଟ ହୋଇଥିଲା। କାରଣ ରାଜନୈତିକ କାରଣରୁ ଆମେରିକା ଠାରୁ ଭାରତ ‘ଟଙ୍କା ବିନିମୟ’ ରେ ଯେଉଁ ଖାଦ୍ୟ ଶସ୍ୟ ଆମଦାନୀ କରୁଥିଲା, ଆମେରିକା ହଠାତ ତାକୁ ବନ୍ଦ କରିଦେଲା। ସେତେବେଳେ ଭାରତ ପାଖରେ ଯଥେଷ୍ଟ ବୈଦେଶିକ ମୁଦ୍ରା ନ ଥିଲା ଶସ୍ୟ ଆମଦାନୀ ବିଲ୍‌ ପଇଠ କରିବା ପାଇଁ।

ତେଣୁ ଖାଦ୍ୟ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଯଥାବିଧି ଏବଂ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଯାହାର ପରିଣାମ ହେଉଛି ‘ସବୁଜ ବିପ୍ଲବ’। ଦେଶର ଚାଷୀଭାଇମାନଙ୍କୁ ଆବଶ୍ୟକୀୟ ସାହାଯ୍ୟ ପ୍ରଦାନ କରାଗଲା, ବୈଜ୍ଞାନିକ ପଦ୍ଧତ୍ତିରେ ଚାଷକାର୍ଯ୍ୟ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଗଲା, ଅଧିକରୁ ଅଧିକ ଚାଷ ଜମିକୁ ଜଳସେଚନ ପ୍ରଦାନ କରିବା ପାଇଁ ପ୍ରକଳ୍ପ କାର୍ଯ୍ୟକାରୀ କରାଗଲା ଏବଂ ଚାଷୀଭାଇମାନେ ଉତ୍ପାଦନ କରୁଥିବା ଶସ୍ୟସାମଗ୍ରୀ ଓ କୃଷି ଉତ୍ପାଦକୁ ଉଚିତ ମୂଲ୍ୟ ଦେବାପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଗଲା।
ଏହି ସବୁ କାର୍ଯ୍ୟକ୍ରମ ଫଳରେ ଦେଶ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟଶସ୍ୟ ଯୋଗାଇବାକୁ ଖାଲି ସଫଳ ହୋଇ ନାହିଁ, ବରଂ ଆଜି ଯେ କୌଣସି ଜରୁରୀ ପରିସ୍ଥିତିର ମୁକାବିଲା କରିବା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟଶସ୍ୟ ମହଜୁଦ ଆଛି । ଏହାର ସଦ୍ୟତମ ପ୍ରମାଣ ହେଉଛି, କରୋନା କାଳରେ ଯେ କୌଣସି ପ୍ରକାର ଖାଦ୍ୟ ସଙ୍କଟକୁ ମୁକାବିଲା କରିବାରେ ଭାରତ ସାରା ବିଶ୍ବ ପାଇଁ ଏକ ଉଦାହରଣ ପାଲଟିଛି। ଏହା ନିଶ୍ଚିତ ଭାବେ ଆମ ପାଇଁ ଏକ ଆତ୍ମସନ୍ତୋଷର ମୁହୂର୍ତ୍ତ। ସ୍ବାଧୀନତା ସମୟରେ ଯେତେବେଳେ ଆମେ ୩୫ କୋଟି ଲୋକଙ୍କୁ ଖାଦ୍ୟ ଯୋଗାଇବାରେ ଅସମର୍ଥ ଥିଲୁ, ଆଜି ଆମର ଚାଷୀଭାଇମାନେ ୧୩୫ କୋଟି ଲୋକଙ୍କୁ ଖାଦ୍ୟ ଯୋଗାଇବା ସହ ବିଶ୍ବର କ୍ଷୁଧା ମେଣ୍ଟାଉଛନ୍ତି। ଏଥିପାଇଁ ଆମେ ଆମର ଚାଷୀଭାଇମାନଙ୍କୁ ଯେତେ କୃତଜ୍ଞତା ଜ୍ଞାପନ କଲେ ସବୁବେଳେ ତାହା ଊଣା ହିଁ ହେବ।

ଏହି ୭୫ ବର୍ଷରେ ଓଡିଶାର ସ୍ଥିତି କ’ଣ? ଆମର ଅବସ୍ଥାରେ କେତେ ପରିବର୍ତ୍ତନ ହୋଇଛି? ଯଦି ଆମେ ନିରପେକ୍ଷ ଭାବେ ସମୀକ୍ଷା କରିବା, ବିଂଶ ଶତାବ୍ଦୀର ଶେଷ ବର୍ଷ ପର୍ଯ୍ୟନ୍ତ ଓଡ଼ିଶା ଜାତୀୟ ସ୍ତରରେ ଏକ ଅନଗ୍ରସର, ପଛୁଆ ରାଜ୍ୟ ଥିଲା । ସେତେବେଳେ ଖବରକାଗଜ ସବୁ ଅନାହାର ମୃତ୍ୟୁ ଖବର ମଣ୍ଡିତ କରୁଥିଲା। ରାଜଧାନୀ ଭୁବନେଶ୍ବର କିମ୍ବା ଜଗନ୍ନାଥଧାମ ପୁରୀ ବଦଳରେ କଳାହାଣ୍ଡି ଅଧିକ ଖବରରେ ରହୁଥିଲା। ଏହାର ଅନେକ କାରଣ ଥିଲା । ସେଥି ମଧ୍ୟରୁ ରାଜ୍ୟରେ କୃଷିକାର୍ଯ୍ୟକୁ ପ୍ରୋତ୍ସାହନର ଅଭାବ, ଖୁବ କମ ଜମିକୁ ଜଳ ସେଚନ, ଚାଷୀଭାଇଙ୍କୁ କୃଷି ଆନୁଷଙ୍ଗିକ ସାମଗ୍ରୀ ପ୍ରଦାନ ନ କରିବା, ସୁଲଭ ମୂଲ୍ୟରେ କୃଷି ଋଣର ଅଭାବ କୃଷି କାର୍ଯ୍ୟକୁ ବାଧାପ୍ରାପ୍ତ କରୁଥିଲା ଏବଂ ଏକର ପିଛା ଉତ୍ପାଦନ ଜାତୀୟ ହାରଠୁ ବହୁ କମ ଥିଲା।

୨୦୦୦ ପରଠାରୁ ସ୍ଥିତିରେ ସୁଧାର ଆସିଥିଲା। କୃଷକ ଏବଂ କୃଷି କାର୍ଯ୍ୟକୁ ଅଗ୍ରାଧିକାର ଦିଆଗଲା ଏବଂ ଯେଉଁସବୁ କାରଣ ପାଇଁ କୃଷି ଉତ୍ପାଦନ ବାଧାପ୍ରାପ୍ତ ହେଉଥିଲା, ସେସବୁର ସମସ୍ୟା ଗୋଟି ଗୋଟି କରି ସମାଧାନ କରାଗଲା। ଆଜି ଓଡ଼ିଶାର ଚାଷୀଭାଇମାନେ ରାଜ୍ୟ ସରକାରଙ୍କ ଠାରୁ ବିହନ ଠାରୁ ଆରମ୍ଭ କରି ଉତ୍ପାଦ ବିକ୍ରି ପର୍ଯ୍ୟନ୍ତ ସବୁ ପ୍ରକାର ସୁବିଧା ପାଉଛନ୍ତି। ବୋଧହୁଏ ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଯେଉଁଠି ଶୂନ୍ୟ ପ୍ରତିଶତ ସୁଧ ହାରରେ ଚାଷୀଭାଇମାନେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଉଛନ୍ତି, ରାଜ୍ୟର ସମବାୟ ବ୍ୟାଙ୍କଗୁଡିକ ସମୁଦାୟ କୃଷି ଋଣର ୬୦ ପ୍ରତିଶତରୁ ଅଧିକ ପ୍ରଦାନ କରୁଛନ୍ତି। ରାଜ୍ୟରେ ପ୍ରଥମ ଥର ୨୦୧୩ ମସିହାରେ ଅଲଗା ଭାବେ କୃଷି ବଜେଟ ପ୍ରସ୍ତୁତ କରାଯାଇଥିଲା। ସେହି ସମୟରେ ସାତ ହଜାର କୋଟିରୁ କିଛି ଅଧିକ ବ୍ୟୟ ବରାଦରୁ ଆଜି କୃଷି ବଜେଟର କଳେବର ୨୧ ହଜାର କୋଟିରୁ ଅଧିକ, ଯାହାକି ମୋଟ ବ୍ୟୟ ବରାଦର ୧୦.୫୮ ପ୍ରତିଶତରୁ ବି ଅଧିକ।

ସଂକ୍ଷେପରେ କହିବାକୁ ଗଲେ ଆମ ଚାଷୀଭାଇମାନଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ଓଡ଼ିଶା ଆଜି ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ବଳକା ରାଜ୍ୟ ଭାବେ ଉଭାହୋଇଛି ଏବଂ ଅନ୍ୟ ରାଜ୍ୟକୁ ଚାଉଳ ରପ୍ତାନି କରୁଛି। ଆଜାଦୀର ଅମୃତ ମହୋତ୍ସବ ଅବସରରେ ଯଦିଓ ଆମେ ଖୁସି ଯେ ଓଡ଼ିଶା ଆଜି ଏକ ପଛୁଆ, ଗରିବ ରାଜ୍ୟର ଛବିକୁ ପଛରେ ପକାଇ ଏକ ବିକାଶଶୀଳ ରାଜ୍ୟର ମାନ୍ୟତା ପାଇଛି, ତଥାପି ଏହା ଆତ୍ମ ସନ୍ତୋଷର ବେଳ ନୁହେଁ। ଅନେକ କିଛି କରିବା ପାଇଁ ଅଛି। ବିକାଶ ଏକ ନିରନ୍ତର ପ୍ରକ୍ରିୟା ଏବଂ ଏହି ପ୍ରକ୍ରିୟାରେ ୫-ଟି ଶାସନର ମଡେଲ ଯୋଡି ହୋଇଛି ଯାହାଦ୍ୱାରା ବର୍ତ୍ତମାନ ବିକାଶ ରୂପାନ୍ତରୀଣର କଳେବର ନେଇଛି ଏବଂ ଏହା ଦ୍ବାରା ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ଆଜି ଓଡ଼ିଶାର ମହିଳାମାନେ ବିକାଶର ପଥରେ ତାଳ ଦେଇ ନିଜକୁ ସାମିଲ କରିଛନ୍ତି। ଜନତାଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶୀ ନେତୃତ୍ବରେ ଓଡିଶା ସୁଉଚ୍ଚ ଶିଖରକୁ ଆଗାମୀ ଦିନରେ ନିଶ୍ଚିତ ଭାବେ ଛୁଇଁବ, ଏଥିରେ ସନ୍ଦେହ ନାହିଁ ।
ଆଜାଦୀ କି ଅମୃତ ମହୋତ୍ସବରେ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି ଏବଂ ସମସ୍ତଙ୍କୁ ଆହ୍ବାନ କରୁଛି ଆସନ୍ତୁ ଗୋଟିଏ ସ୍ବରରେ ଆଜି ଗାଇବା, ‘ବିଜୟୀ ବିଶ୍ବ ତ୍ରିରଙ୍ଗା ପ୍ୟାରା, ଝଣ୍ଡା ଉଞ୍ଚା ରହେ ହମାରା’।
(ମତାମତ ନିଜସ୍ବ)

Comments are closed.