ତୃତୀୟ ସାମ୍ମୁଖ୍ୟ: ବିରୋଧୀଙ୍କୁ ଦରକାର ଆଉ ଜଣେ ସୁରଜିତ୍‌

ବିଜନ କୁମାର ମହାପାତ୍ର

ଦେଶରେ ପୁଣି ଥରେ ଏକ ରାଜନୈତିକ ସାମ୍ମୁଖ୍ୟ ଗଠନ ପ୍ରୟାସକୁ ନେଇ ସରଗରମ ହୋଇଛି ଜାତୀୟ ରାଜନୀତି। ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓ କିଛି ଆଞ୍ଚଳିକ ନେତାଙ୍କ ସହ ଏନସିପି ମୁଖିଆ ଶରଦ ପୱାରଙ୍କ ବିଚାରବିମର୍ଶ ପରେ ଏକ ତୃତୀୟ ସାମ୍ମୁଖ୍ୟ ଗଠନ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ ବିଜେପି ଆହ୍ୱାନର ସଫଳ ମୁକାବିଲା କରି କ୍ଷମତା ବଜାୟ ରଖିଲା ପରେ ରାଜନୀତି ସମୀକ୍ଷକମାନେ ଜାତୀୟ ରାଜନୀତିରେ ଏକ ନୂଆ ସମୀକରଣ ସମ୍ଭାବନା ବ୍ୟକ୍ତ କରିଆସୁଥିଲେ। ଆଉ ଶରଦ ପୱାରଙ୍କ ବିଭିନ୍ନ ବିରୋଧୀ ଦଳ ନେତାଙ୍କ ସହ ଆଲୋଚନା ତୃତୀୟ ସାମ୍ମୁଖ୍ୟ ଗଠନ ଦିଗରେ ପ୍ରାରମ୍ଭିକ ପ୍ରୟାସ ମନେ କରାଯାଉଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ମଧ୍ୟ କିଛିଦିନ ତଳେ ବିଜେପି ବିରୋଧରେ ଏକ ମିଳିତ ମଞ୍ଚ ଗଠନ ପ୍ରସଙ୍ଗ ଉଠାଇଥିଲେ। ଏ ବାବଦରେ ସେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ସମେତ ଅନ୍ୟ ଦଳର ନେତାଙ୍କୁ ଚିଠି ଲେଖି ଏକ ସଂଘୀୟ ମୋର୍ଚ୍ଚା ଗଠନ ପ୍ରସଙ୍ଗ ଉଠାଇଥିଲେ। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ ମଧ୍ୟ ବିଜେପି ବିରୋଧୀ ଏକ ସଂଘୀୟ ମୋର୍ଚ୍ଚା ପ୍ରସଙ୍ଗ କଥା ଉଠାଇଛନ୍ତି। ଏ ପରିପ୍ରେକ୍ଷୀରେ ବିଭିନ୍ନ ବିରୋଧୀ ଦଳର ନେତାଙ୍କ ସହ ଶରଦ ପୱାରଙ୍କ ଆଲୋଚନାକୁ ତୃତୀୟ ମୋର୍ଚ୍ଚା ଗଠନ ଉଦ୍ୟମ ସହ ଯୋଡାଯାଉଛି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିକୁ ହରାଇବା ପରେ ମମତା ବାନାର୍ଜୀଙ୍କ ରାଜନୈତିକ ଗୁରୁତ୍ୱ ବଢିଛି ବୋଲି ନିଃସନ୍ଦେହରେ କୁହାଯାଇପାରେ। ଜାତୀୟ ସ୍ତରରେ ସେ ଏକ ଅଣ ବିଜେପି ସାମ୍ମୁଖ୍ୟ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ ବୋଲି ଚର୍ଚ୍ଚା ଜୋର୍ ଧରିଛି। ଆଉ ବିରୋଧୀ ଦଳ ନେତାଙ୍କ ସହ ଶରଦ ପୱାରଙ୍କ ବିଚାରବିମର୍ଶକୁ ଏହି ସନ୍ଦର୍ଭରେ ଦେଖାଯାଉଥିଲା; କିନ୍ତୁ ବୈଠକ ପରେ ଏନସିପି ନେତା ମାଜିଦ ମେମନ ବିରୋଧୀ ନେତାଙ୍କ ସହ ପୱାରଙ୍କ ବୈଠକକୁ ରାଷ୍ଟ୍ର ମଞ୍ଚର ବୈଠକ ବୋଲି ଅଭିହିତ କରିଛନ୍ତି। ଫଳରେ ତୃତୀୟ ସାମ୍ମୁଖ୍ୟ ଗଠନ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଶରଦ ପୱାରଙ୍କ ଦିଲ୍ଲୀ ବାସଭବନରେ ହୋଇଥିବା ବୈଠକରେ ସମାଜବାଦୀ ପାର୍ଟି, ଟିଏମସି, ନ୍ୟାସନାଲ କନଫରେନ୍ସ ଓ ରାଷ୍ଟ୍ରୀୟ ଜନତା ଦଳ ଭଳି ପ୍ରମୁଖ ଆଞ୍ଚଳିକ ଦଳର ମୁଖ୍ୟ ନେତାମାନେ ଅନୁପସ୍ଥିତ ଥିଲେ। ବୈଠକକୁ ଏସବୁ ଦଳ ବରିଷ୍ଠ ନେତାମାନଙ୍କୁ ବି ପଠାଇ ନ ଥିଲେ। ସମ୍ଭବତଃ ଏହି କାରଣରୁ ଏନସିପି ନେତା ମାଜିଦ ମେମନ ଏହି ବୈଠକରୁ ଶରଦ ପୱାରଙ୍କୁ ଅଲଗା କରିବା ପାଇଁ ଉଦ୍ୟମ କରିଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ମହାରାଷ୍ଟ୍ରର ମିଳିତ ସରକାରରେ ଶିବସେନା ଓ ଏନସିପି ସହ କଂଗ୍ରେସ ସାମିଲ ଥିଲେ ମଧ୍ୟ ଶରଦ ପୱାରଙ୍କ ଘରେ ହୋଇଥିବା ବୈଠକ ପାଇଁ କଂଗ୍ରେସକୁ ଆନୁଷ୍ଠାନିକ ନିମନ୍ତ୍ରଣ ମିଳି ନ ଥିଲା। କପିଲ ସିବଲ, ଅଭିଷେକ ମନୁ ସିଂଘଭୀଙ୍କ ଭଳି କିଛି କଂଗ୍ରେସ ନେତାଙ୍କୁ ବ୍ୟକ୍ତିଗତ ଭାବେ ବୈଠକକୁ ନିମନ୍ତ୍ରଣ କରାଯାଇଥିଲା। ଏମାନେ ହେଉଛନ୍ତି ସେହି ନେତା, ଯେଉଁମାନେ କି କଂଗ୍ରେସର ତଥାକଥିତ ଜି-୨୩ ଗୋଷ୍ଠୀର ସଦସ୍ୟ । ଏହି ସମୂହ ହିଁ କଂଗ୍ରେସର ନେତୃତ୍ୱ ପରିବର୍ତ୍ତନ କରିବା ପାଇଁ ସୋନିଆ ଗାନ୍ଧୀଙ୍କୁ ମିଳିତ ଭାବେ ଚିଠି ଲେଖିଥିଲା। ତେବେ, ପ୍ରଶ୍ନ ଉଠୁଛି କଂଗ୍ରେସକୁ ସାମିଲ ନ କରି ଏକ ମଜଭୁତ ତୃତୀୟ ସାମ୍ମୁଖ୍ୟ ଗଠନ ସମ୍ଭବ କି? ସାଂପ୍ରତିକ ରାଜନୀତିରେ କଂଗ୍ରେସର ସ୍ଥିତି ଦୁର୍ବଳ ଥିଲେ ମଧ୍ୟ ଏହି ଦଳ ବିନା ଏକ ତୃତୀୟ ସାମ୍ମୁଖ୍ୟ ସମ୍ଭବ ନୁହେଁ ବୋଲି କିଛି ରାଜନୀତି ବିଶ୍ଲେଷକ ମତ ଦିଅନ୍ତି। କଂଗ୍ରେସ ଏକ ଜାତୀୟ ଦଳ। ଅନେକ ରାଜ୍ୟରେ କଂଗ୍ରେସ ଏବେ ବି ମୁଖ୍ୟ ବିରୋଧୀ ଦଳ ଭାବେ ରହିଛି। ୨୦୧୮ରେ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ହୋଇଥିବା ବିଧାନସଭାରେ କଂଗ୍ରେସ ବିଜୟୀ ହୋଇଥିଲା। ସାଂପ୍ରତିକ ରାଜନୀତିରେ କଂଗ୍ରେସ ପଛେଇ ଯାଇଛି ସତ; କିନ୍ତୁ ଅସ୍ତିତ୍ୱ ହରାଇ ନାହିଁ। ବିଜେପିକୁ ଛାଡିଦେଲେ କଂଗ୍ରେସ ହିଁ ଏପରି ଏକ ଦଳ, ଯାହାର ଉପସ୍ଥିତି ଦେଶର ସବୁ ଜାଗାରେ ରହିଛି। ତେଣୁ କଂଗ୍ରେସକୁ ଉପେକ୍ଷା କରି ବିଜେପି ବିରୋଧରେ ଶକ୍ତିଶାଳୀ ସାମ୍ମୁଖ୍ୟ ଗଠନ କଥା ଚିନ୍ତା କରିବା ମୂଲ୍ୟହୀନ ବୋଲି କିଛିି ରାଜନୀତି ବିଶ୍ଳେଷକ ଯୁକ୍ତି ଉପସ୍ଥାପନ କରିଛନ୍ତି।

ଯେ କୌଣସି ସାମ୍ମୁଖ୍ୟ ଗଠନ ପାଇଁ ପ୍ରସ୍ତୁତି ଜୋରଦାର ହେବା ଦରକାର। ଏଥିପାଇଁ ବ୍ୟାପକ ଅଭିଯାନ ଓ ବିଚକ୍ଷଣ ରଣନୀତି ଜରୁରୀ। ଶରଦ ପୱାର ଡାକିଥିବା ବୈଠକରେ ଯୋଗ ଦେଇଥିବା ଦଳଗୁଡିକ ମଧ୍ୟରେ ବର୍ତ୍ତମାନର ବିଜେପି ସରକାର ବିରୋଧରେ ଏକ ବଡ ଅଭିଯାନ ଆରମ୍ଭ ପାଇଁ ସାମର୍ଥ୍ୟ ଥିଲା ଭଳି ଲାଗୁନାହିଁ। ଏହାଛଡା ଖୋଦ୍ ଶରଦ ପୱାରଙ୍କ ବି ବିଜେପି ପ୍ରତି ଆଭିମୁଖ୍ୟ ଅସ୍ପଷ୍ଟ। କେତେବେଳେ ସେ ବିଜେପିର ନିକଟତର ହୋଇଥାଆନ୍ତି ତ ଆଉ କେତେବେଳେ ଦୂରେଇ ରହିଥାଆନ୍ତି।

ଶରଦ ପୱାରଙ୍କ ଘରେ ହୋଇଥିବା ବୈଠକକୁ ଯେଉଁ ନାମ ଦିଆଯାଉନା କାହିଁକି, ଏହି କଥାକୁ ଅସ୍ୱୀକାର କରିହେବ ନାହିଁ ଯେ, ବର୍ତ୍ତମାନ ବିରୋଧୀ ଦଳଗୁଡିକ ପାଇଁ ନରେନ୍ଦ୍ର ମୋଦୀଙ୍କ ସାମନା କରିବାକୁ ମମତା ବାନାର୍ଜୀଙ୍କୁ ଏକ ଟାଣୁଆ ନେତ୍ରୀ ଭାବେ ଉପସ୍ଥାପିତ କରିବା ପାଇଁ ଏକ ସୁଯୋଗ ମିଳିଛି। ଏହାର କାରଣ ହେଉଛି ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ପଶ୍ଚିମବଙ୍ଗରେ ମମତାଙ୍କ ବିପୁଳ ବିଜୟ। ସେ ଏକାକୀ ହିଁ ମୋଦୀ-ଶାହଙ୍କ ସମସ୍ତ ରଣନୀତିକୁ ବିଫଳ କରି ତୃଣମୂଳ କଂଗ୍ରେସକୁ ବିଜୟୀ କରାଇଥିଲେ। କେବଳ ସେତିକି ନୁହେଁ; ପୂର୍ବାପେକ୍ଷା ଅଧିକ ଆସନ ଜିତିଥିଲା ଟିଏମସି । କହିବାକୁ ଗଲେ ଆଞ୍ଚଳିକ ନେତାଙ୍କ ମଧ୍ୟରେ ବର୍ତ୍ତମାନ ମମତା ବାନାର୍ଜୀଙ୍କ ଗୁରୁତ୍ୱ ଜାତୀୟ ରାଜନୀତିରେ ବୃଦ୍ଧି ପାଇଛି।

ଯଦି ମମତା ବାନାର୍ଜୀ ଭବିଷ୍ୟତରେ କୌଣସି ନୂଆ ବିରୋଧୀ ସାମ୍ମୁଖ୍ୟ ବା ମେଣ୍ଟର ନେତ୍ରୀ ହୁଅନ୍ତି, ତାହା ହେଲେ ସେହି ସାମ୍ମୁଖ୍ୟ ପାଇଁ ଏକ ବିଚକ୍ଷଣ ଓ ଦୂରଦୃଷ୍ଟିସଂପନ୍ନ ‘କିଙ୍ଗ୍ ମେକର’ଙ୍କ ନିଶ୍ଚୟ ଆବଶ୍ୟକ ପଡିବ। ଦିବଂଗତ ସିପିଏମ ନେତା ହରକିଷନ ସିଂହ ସୁରଜିତଙ୍କ ପରି ‘କିଙ୍ଗ୍‌ମେକର’ ଦରକାର। ସୁରଜିତ ନବେ ଦଶକରେ କଂଗ୍ରେସ ବିରୋଧୀ ୟୁନାଇେଟେଡ୍ ଫ୍ରଣ୍ଟ ବା ମିଳିତ ସାମ୍ମୁଖ୍ୟ ଗଠନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଆଉ ଏଥିପାଇଁ ତାଙ୍କୁ ବେଶ୍ ପରିଶ୍ରମ କରିବାକୁ ପଡିଥିଲା । ବିଭିନ୍ନ ବିଚାରଧାରା ଓ ମତବାଦ ରଖୁଥିବା ଦଳଗୁଡିକୁ ସେ ଏକାଠି କରିଥିଲେ। ମିଳିତ ସାମ୍ମୁଖ୍ୟରେ ବାମପନ୍ଥୀ ସହ ଦକ୍ଷିଣପନ୍ଥୀ ଓ କେନ୍ଦ୍ରୀୟ ପନ୍ଥୀ ଦଳ ବି ଥିଲେ। ଶରଦ ପୱାର କ’ଣ ହରକିଷନ ସିଂହ ସୁରଜିତ ହୋଇପାରିବେ?

Comments are closed.