ଦ୍ବାଦଶ ପରୀକ୍ଷା ଫଳ: ଆଶା ଓ ଆଶଙ୍କା

ପୂର୍ଣ୍ଣଚନ୍ଦ୍ର ମଲ୍ଲିକ

ଓଡ଼ିଶା ରାଜ୍ୟ ସରକାର ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ (ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚଏସଇ) ଦଶମ ଶ୍ରେଣୀ ପରୀକ୍ଷା ପ୍ରଦର୍ଶନ ବା ମାଟ୍ରିକ ବୋର୍ଡ ଫଳ ଆଧାରରେ କରିବାକୁ ଯାଉଛନ୍ତି। ସରକାରଙ୍କ ପକ୍ଷରୁ କଳା, ବାଣିଜ୍ୟ ଓ ବିଜ୍ଞାନ ‘ଥିଓରି’ର ୭୦ ନମ୍ବର ପାଇଁ ଦଶମ ପରୀକ୍ଷା ପ୍ରଦର୍ଶନକୁ ଏକମାତ୍ର ବିକଳ୍ପ ବୋଲି କୁହାଯାଉଛି। ଏଥିପାଇଁ ବହୁ ଛାତ୍ର, ଅଭିଭାବକ ଓ ଶିକ୍ଷାବିତ୍‌ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିଶ୍ଚିତ ଭାବେ ଏହି ପଦ୍ଧତି ତ୍ରୁଟିପୂର୍ଣ୍ଣ ଏବଂ ସର୍ବୋଚ୍ଚ ନ୍ୟାୟାଳୟ ସିବିଏସଇ ଓ ଆଇସିଏସଇର ଦ୍ବାଦଶ ପରୀକ୍ଷା ଫଳ ସମ୍ପର୍କିତ ମମତା ଶର୍ମା ବନାମ କେନ୍ଦ୍ର ସରକାର ମାମଲାରେ ଦେଇଥିବା ରାୟର ବିରୁଦ୍ଧାଚରଣ କରୁଛି। ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କ ତରଫରୁ ଆଟର୍ଣ୍ଣି ଜେନେରାଲ ଦେଇଥିବା ଦଶମ, ଏକାଦଶ ଓ ଦ୍ବାଦଶ ପ୍ରିଟେଷ୍ଟ ପରୀକ୍ଷାକୁ ଯଥାକ୍ରମେ ୩୦:୩୦:୪୦ ପ୍ରତିଶତ ମୂଲ୍ୟଦେଇ ପରୀକ୍ଷା ଫଳ ପ୍ରକାଶ ପ୍ରସ୍ତାବକୁ ଗ୍ରହଣ କରି ନେଇଛନ୍ତି। ଏହି ଅନୁସାରେ ଦ୍ବାଦଶ ପରୀକ୍ଷାର୍ଥୀମାନେ ଯଥାକ୍ରମେ ୨୪:୨୪:୩୨ ନମ୍ବର ପାଇବେ। ସର୍ବୋଚ୍ଚ ନ୍ୟାୟାଳୟ ଦଶମ ଶ୍ରେଣୀ ପରୀକ୍ଷା ଉପରେ ମାତ୍ର ୩୦ ପ୍ରତିଶତ ମୂଲ୍ୟ ଦେଇଥିବା ବେଳେ ରାଜ୍ୟ ସରକାର ବିଗତ ଦୁଇ ବର୍ଷରେ କୌଣସି ପରୀକ୍ଷା କରାଇ ପାରିନଥିବାରୁ ଦଶମ ଶ୍ରେଣୀ ପରୀକ୍ଷା ଫଳ ଉପରେ ଶତ ପ୍ରତିଶତ ନିର୍ଭର କରି ଫଳ ପ୍ରକାଶ କରିବାକୁ ଯାଉଛନ୍ତି। ତେଣୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି କୋର୍ଟକଚେରିକୁ ଯିବା ଆଶଙ୍କା ଅମୂଳକ ନୁହେଁ।

କେନ୍ଦ୍ର ସରକାରଙ୍କର ଦ୍ବାଦଶ ଶ୍ରେଣୀ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥାଗୁଡିକ ଏକାଦଶ ଓ ଦ୍ବାଦଶ ପ୍ରିଟେଷ୍ଟ ପରୀକ୍ଷା କରାଇଥିବାରୁ ସେମାନେ ଅପେକ୍ଷାକୃତ ଭଲ ସ୍ଥିତିରେ ଅଛନ୍ତି। ଓଡ଼ିଶାର ପିଲାମାନେ ସିବିଏସଇ ଓ ଆଇସିଏସଇ ପରିଚାଳିତ ଏକାଦଶ ଓ ଦ୍ବାଦଶ ପ୍ରିଟେଷ୍ଟ ପରୀକ୍ଷା ଦେବାକୁ ସମର୍ଥ ହୋଇଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ଅସମର୍ଥତା ଓ ଭିତ୍ତିଭୂମିର ଅଭାବ ଯୋଗୁ ଆମ ପିଲାଙ୍କ ପାଇଁ ସିଏଚ୍ଏସଇ ଏଭଳି ପରୀକ୍ଷା କରିପାରିନାହାନ୍ତି। ତେଣୁ ରାଜ୍ୟ ସରକାରଙ୍କ ପାଖରେ ଦଶମ ଶ୍ରେଣୀ ପରୀକ୍ଷା ଫଳ ଉପରେ ନିର୍ଭର କରିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି କୁହାଯାଉଛି। ଏହା ସତ୍ୟ; କିନ୍ତୁ ବିକଳ୍ପ ଭାବେ ଯେଉଁ ପଦ୍ଧତି ଆପଣାଇବାକୁ ଯାଉଛନ୍ତି ତାହା ତ୍ରୁଟିପୂର୍ଣ୍ଣ। କାହିଁକି ଓ କିପରି ଏବେ ତାହା ଆଲୋଚ୍ୟ ଏବଂ ଏହି ପରିପ୍ରେକ୍ଷୀରେ ପିଲାମାନେ ବ୍ୟକ୍ତ କରୁଥିବା ଆଶଙ୍କା ମଧ୍ୟ ବିଚାର୍ଯ୍ୟ ।

ପ୍ରଥମରୁ ଗୋଟିଏ କଥା ଆମେ ଗ୍ରହଣ କରିନେବା ଉଚିତ ଯେ, ଯେହେତୁ ପିଲାମାନେ ଦଶମ ପରୀକ୍ଷା ଦେଇ ଏକାଦଶ ବା ଯୁକ୍ତ ଦୁଇରେ ନାମ ଲେଖାଇଛନ୍ତି ଓ ଦ୍ବାଦଶ ପରୀକ୍ଷା ଫଳ ପାଇଁ ଦଶମ ପରୀକ୍ଷା ଫଳ ଏକମାତ୍ର ବିକଳ୍ପ, ତେଣୁ ସମସ୍ତେ ଉତ୍ତୀର୍ଣ୍ଣ ହେବେ ଏବଂ ଯୁକ୍ତ ତିନିରେ ନାମ ଲେଖାଇବାକୁ ଯୋଗ୍ୟତା ହାସଲ କରିବେ, ଏଥିରେ କାହାରି ମନରେ ସନ୍ଦେହ ରହିବା ଉଚିତ୍ ନୁହେଁ; କିନ୍ତୁ ଆଶଙ୍କା, ବିଶେଷ ଭାବେ କଳା ଓ ବାଣିଜ୍ୟ ପଢୁଥିବା ପିଲାଙ୍କର ବହୁ ବିଷୟର ସମତୁଲ ବିଷୟ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ନାହିଁ। ସେମାନଙ୍କ ପାଇଁ କରାଯାଇଥିବା ନିଷ୍ପତ୍ତି, ଯଥା- ସେମାନେ ସବୁଠାରୁ ଭଲ କରିଥିବା ଦୁଇଟି ବିଷୟର ନମ୍ବରକୁ ବିଚାରକୁ ନେଇ ଦ୍ବାଦଶ ପରୀକ୍ଷାର ନମ୍ୱର ନିର୍ଦ୍ଧାରିତ ହେବ, ଏହି ବ୍ୟବସ୍ଥା ସେମାନଙ୍କର ସନ୍ତୋଷଭାଜନ ହେଉନାହିଁ। ସେହିଭଳି ବିଜ୍ଞାନ କ୍ଷେତ୍ରରେ ପିଲାମାନେ ମଧ୍ୟ ଦଶମ ଶ୍ରେଣୀର ବିଜ୍ଞାନ ନମ୍ବରଭିତ୍ତିରେ ଥିଓରୀ ପାଇଁ ଯେଉଁ ୭୦ ନମ୍ବର ମିଳିବ ସେଥିରେ ସନ୍ତୁଷ୍ଟ ନୁହନ୍ତି। ଏହି ଅସନ୍ତୋଷ ପଛରେ ଯେଉଁ ବିଶେଷ କାରଣ ରହୁଛି, ସେ ସମ୍ପର୍କରେ ଏବେ ଆଲୋଚନା କରିବା।
ଏହା ନିଶ୍ଚିତ ଯେ ଦଶମ ଶ୍ରେଣୀର ପାଠ୍ୟକ୍ରମର ସବୁ ବିଷୟଗୁଡ଼ିକ ସବୁ ପିଲାଙ୍କ ପାଇଁ ପ୍ରାୟ ବାଧ୍ୟତାମୂଳକ।

ଏଥିରେ ଗୋଟିଏ ଦୁଇଟି କଥାକୁ ଛାଡ଼ିଦେଲେ, ଛାତ୍ରଛାତ୍ରୀଙ୍କ ଇଚ୍ଛାକୁ ସାବ୍ୟସ୍ତ କରିବା ପାଇଁ ବା ନିଜ ଇଚ୍ଛା ଅନୁସାରେ ପାଠ୍ୟକ୍ରମ ବାଛିବା ପାଇଁ ସୁଯୋଗ ନଥାଏ। କିନ୍ତୁ ଦ୍ବାଦଶ ବା ଯୁକ୍ତ ଦୁଇ କ୍ଷେତ୍ରରେ ଏବେ ରାଜ୍ୟରେ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ କ୍ରମରେ ଚାରୋଟି ‘ଷ୍ଟ୍ରିମ୍‌’ର ସୁଯୋଗ ରହିଛି। ସେଥିରେ ପୁଣି ପ୍ରତି ‘ଷ୍ଟ୍ରିମ୍‌’ରେ ନିଜ ଇଚ୍ଛାନୁସାରେ ବିଷୟ ବାଛିବା ପାଇଁ ଅଧିକତର ସୁଯୋଗ ରହିଛି। ଛାତ୍ରଛାତ୍ରୀଙ୍କର ବୟସ ବୃଦ୍ଧି ସହିତ ଦ୍ବାଦଶ ଶ୍ରେଣୀ ବେଳକୁ ସେମାନେ ଦଶମ ଶ୍ରେଣୀଭିତ୍ତିକ ସ୍କୁଲ ଶିକ୍ଷାର ସଙ୍କୁଚିତ ପରିବେଶରୁ ବାହାରି ଏକ ଅଧିକ ଉନ୍ନତ, ଅଧିକତର ଜ୍ଞାନ ଆହରଣର ସୁଯୋଗ ଦେଉଥିବା କଲେଜ ପରିବେଶକୁ ଯାଇଥାନ୍ତି। ତାଙ୍କର ବୟଃସନ୍ଧି ଉତ୍ତୀର୍ଣ୍ଣ ବୟସ ତାଙ୍କୁ ପାଠ୍ୟକ୍ରମକୁ ବୁଝିବା ଓ ନିଜର ସ୍ବାଧୀନ ମତାମତ ରଖିବା ପାଇଁ ଅଧିକତର ସମର୍ଥ କରିଥାଏ। ତେଣୁ ଦଶମ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଯେତିକି ନମ୍ବର ରଖିଥାନ୍ତି ଦ୍ବାଦଶ ପରୀକ୍ଷା ବେଳକୁ, ଅତିକମ୍‌ରେ ସେମାନଙ୍କ ଭିତରୁ ୭୦ ପ୍ରତିଶତ ପିଲା କଲେଜ ସ୍ତରରେ ଅଧିକ ନମ୍ବର ରଖିବା ପାଇଁ ସକ୍ଷମ ହୁଅନ୍ତି। ଏପରି କି କେତେକ ପିଲା ଆଶାତୀତ ଓ ଆଶ୍ଚର୍ଯ୍ୟଜନକ ଫଳ ପାଇଥିବାର ମଧ୍ୟ ଦେଖାଯାଏ। ଏହି ଦିଗ ପ୍ରତି ରାଜ୍ୟ ସରକାରଙ୍କୁ ଏହି ପଦ୍ଧତି ଆପଣାଇବା ପାଇଁ ପରାମର୍ଶ ଦେଇଥିବା ବୈଷୟିକ କମିଟି ବୋଧେ ଗୁରୁତ୍ବ ଦେଇନାହାନ୍ତି।

ସବୁଠାରୁ ଭଲ ନମ୍ବର ରଖିଥିବା ଦୁଇଟି ବିଷୟର ମାର୍କକୁ ବିଚାରକୁ ନେବା କେବେହେଲେ ଏହାର ବିକଳ୍ପ ନହୋଇ ପାରେ। ଅନ୍ୟପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ମୂଲ୍ୟାୟନ ପଦ୍ଧତି ୩୦:୩୦:୪୦ କ୍ରମରେ ୨୪:୨୪:୩୨କୁ ଆମେ ଅବିକଳ ଅନୁସରଣ ନକରି ମାଟ୍ରିକ ପରୀକ୍ଷା ଫଳ ଉପରେ ଶତ ପ୍ରତିଶତ ନିର୍ଭର କରୁଥିବାରୁ ଏହି ୩୦ ପ୍ରତିଶତ ବା ୨୪ ମାର୍କକୁ ଉତ୍ତୀର୍ଣ୍ଣ ନମ୍ବର, ଯଥା ୩୩.୪କୁ ବଢ଼ାଇବାକୁ ହେବ, ଅର୍ଥାତ୍ ୯.୪ ବା ୧୦ ନମ୍ବର ‘ଗ୍ରେସ୍‌’ ଦେବାକୁ ପଡ଼ିବ। ୯୧ ପ୍ରତିଶତ ବା ତା’ଠାରୁ ଅଧିକ ନମ୍ବର ରଖିଥିବା ପିଲାଙ୍କ କ୍ଷେତ୍ରରେ ସର୍ବୋଚ୍ଚ ନମ୍ବର ସୀମାକୁ ୧୦୦ ଭିତରେ ସୀମିତ ରଖିବାକୁ ହେବ। ଛାତ୍ରଛାତ୍ରୀଙ୍କର ଆଶଙ୍କାର ଅନ୍ୟ ଦିଗଟି ହେଲା ସେମାନେ ଇଚ୍ଛାନୁସାରେ ସମ୍ମାନ (ଅନର୍ସ) ପାଇବା ସୁବିଧାରୁ ବଞ୍ଚିତ ହେବେ; କିନ୍ତୁ ସେମାନଙ୍କୁ ଅଧିକ ଦଶ ପ୍ରତିଶତ ଗ୍ରେସ୍ ନମ୍ବର ଏହି ସମସ୍ୟାର ସମାଧାନରେ ଅନେକାଂଶରେ ସହାୟକ ହେବ। ଅବଶ୍ୟ ରାଜ୍ୟ ସରକାରଙ୍କ ବୈଷୟିକ କମିଟିର କେତେକ ସଦସ୍ୟ ଆମର ଏହି ଗ୍ରେସ ମାର୍କ ବ୍ୟବସ୍ଥାକୁ ନାପସନ୍ଦ କରିବାର ଆଶଙ୍କା ରହିଛି; କିନ୍ତୁ ସେମାନେ ଭୁଲିଯିବା ଉଚିତ୍ ନୁହେଁ ଯେ ଦୀର୍ଘ ବର୍ଷ ଧରି ବିଶେଷ କରି ଗଲା କୋଡ଼ିଏ ବର୍ଷ ଭିତରେ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷାରେ କେବଳ ପରୀକ୍ଷା ଫଳ ପ୍ରତିଶତକୁ ଆମେ ଅଧିକ ଦେଖାଇବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ବିଷୟରେ ‘ଗ୍ରେସ୍‌ ମାର୍କ’ ନିୟମିତ ଭାବେ ଦେଇ ଆସୁଛୁ, ଆମ ପରୀକ୍ଷା ଫଳ ଖୁବ୍ ଭଲ ହେଉଛି ବୋଲି ଗର୍ବ କରୁଛୁ।

ଶେଷ କଥାଟି ହେଲା ଅସନ୍ତୁଷ୍ଟ ପିଲାଙ୍କୁ ସେମାନେ ଚାହିଁଲେ ଆଉ ଥରେ ପରୀକ୍ଷା ଦେଇ ପାରିବାର ସୁବିଧା ଅଛି ବୋଲି କହି ସରକାର ସେମାନଙ୍କ ହାତରେ ଲଲିପପ୍‌ଟିଏ ଧରେଇ ଦେଇଛନ୍ତି। ଏବେ ଆମେ କରୋନାର ତୃତୀୟ ଲହରର ସାମ୍ନା କରିବାକୁ ଯାଉଛେ। ଏହି ପରିପ୍ରେକ୍ଷୀରେ ଆଉ ଥରେ ପରୀକ୍ଷା ଦେବା ସମ୍ଭବ ହେବ ବୋଲି ଆମେ ବିଶ୍ବାସ କରିପାରୁନୁ। ଯଦିବା ହୁଏ ଅଧିକ ନମ୍ବର ଆଶାରେ ପୁଣି ଥରେ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ ଯଦି ବର୍ତ୍ତମାନ ପଦ୍ଧତିରେ ପାଇଥିବା ନମ୍ବରଠାରୁ କମ୍ ନମ୍ବର ପାଏ ତେବେ କ’ଣ ହେବ? ସେଭଳି କ୍ଷେତ୍ରରେ ଏବର ନିଷ୍ପତ୍ତି ଅନୁସାରେ ମିଳିଥିବା ନମ୍ବର ହିଁ ବଳବତ୍ତର ରହିବ, ଏଭଳି ନିଷ୍ପତ୍ତି ହେବା ମଧ୍ୟ ଉଚିତ, ଯାହାକି ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ଅନୁସୃତ ହୋଇ ଆସୁଛି।

Comments are closed.