ପକ୍ବକେଶ ବିବାହ ବିଚ୍ଛେଦ

ଶୁଭଶ୍ରୀ ଦାସ

ଖବରଟି ଅପ୍ରତ୍ୟାଶିତ ଥିଲା। ଦୀର୍ଘ ସତେଇଶି ବର୍ଷର ବୈବାହିକ ଜୀବନର ସମ୍ପର୍କକୁ ବିଚ୍ଛିନ୍ନ କରିବାର ନିଷ୍ପତ୍ତି, ମାତ୍ର କେତୋଟି ଧାଡ଼ିରେ ଟ୍ବିଟର ବାର୍ତ୍ତା ମାଧ୍ୟମରେ ଜଣାଇଥିଲେ ବିଲ୍‌ ଓ ମେଲିଣ୍ଡା ଗେଟ୍‌ସ। ନିଜର ଦାମ୍ପତ୍ୟ ଜୀବନକୁ ପୂର୍ବଭଳି ଆଗକୁ ନେବାର ବିଶ୍ବାସ ହରାଇ ବସିଛନ୍ତି ବୋଲି ଉଲ୍ଲେଖ କରିଥିଲେ ସେମାନେ ସଂକ୍ଷିପ୍ତ ଓ ସରଳ ଭାବରେ। ତେବେ ସେମାନଙ୍କ ମିଳିତ ପ୍ରଚେଷ୍ଟାରେ ପ୍ରତିଷ୍ଠିତ ‘ବିଲ୍‌ ଓ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ’କୁ ପୂର୍ବଭଳି ଏକାଠି ହୋଇ ଆଗେଇ ନେବାର ବିଶ୍ବାସ ରଖିଛନ୍ତି ବୋଲି ପ୍ରକାଶ କରିଥିଲେ।

ବିଶ୍ବର ସବୁଠାରୁ ବିତ୍ତଶାଳୀ ଓ ପ୍ରଭାବଶାଳୀ ଦମ୍ପତି ଭାବରେ ପରିଚିତ ବିଲ୍‌ ଓ ମେଲିଣ୍ଡା ଗେଟ୍‌ସ। ୫୦୦୦ କୋଟି ଆମେରିକୀୟ ଡଲାର ମୂଲ୍ୟର ଗେଟ୍‌ସ ଫାଉଣ୍ଡେସନ ବିଶ୍ବର ଅନେକ ଜନହିତକର କାର୍ଯ୍ୟ ପାଇଁ ଉତ୍ସର୍ଗୀକୃତ। ଦାରିଦ୍ର୍ୟ ଦୂରୀକରଣ, ଶିଶୁଶିକ୍ଷା, ଉତ୍ତମ ସ୍ବାସ୍ଥ୍ୟ ବ୍ୟବସ୍ଥା, ଟିକାକରଣ, ନାରୀ ସଶକ୍ତୀକରଣ ଇତ୍ୟାଦି ପାଇଁ ଦୀର୍ଘ ଦୁଇ ଦଶନ୍ଧି ଧରି ବିଶ୍ବସ୍ତରରେ କାର୍ଯ୍ୟ କରିବା ସହ ପ୍ରଭାବ ବିସ୍ତାର କରିଚାଲିଛି ଏହି ସଂସ୍ଥା। ବ୍ୟକ୍ତିଗତ ସମୟ ଦେଇ ଏହି ବିଶ୍ବସ୍ତରୀୟ ସଂସ୍ଥାଟିକୁ ଖୁବ୍‌ ଉଚ୍ଚସ୍ତରକୁ ନେଇଯାଇଛନ୍ତି ଉଭୟେ। ଗେଟ୍‌ସ ଦମ୍ପତିଙ୍କର ବଦାନ୍ୟତା ବିଶ୍ବସ୍ତରରେ ପ୍ରସିଦ୍ଧ ଓ ପ୍ରଶଂସିତ। ବିପୁଳ ଅର୍ଥ, କ୍ଷମତା, ଲୋକପ୍ରିୟତା ସହ ଗେଟ୍‌ସ ଦମ୍ପତିଙ୍କ ପାରିବାରିକ ଜୀବନ ମଧ୍ୟ ଖୁବ୍‌ ପ୍ରଭାବ ପକାଉଥିଲା ସାମାଜିକ ସ୍ତରରେ। ପତିପତ୍ନୀ ଉଭୟ ମିଷ୍ଟଭାଷୀ। ଦାମ୍ପତ୍ୟ ଜୀବନରେ ଭାରସାମ୍ୟ ରଖି ନିଜର ତିନୋଟି ସନ୍ତାନଙ୍କ ସହ ସୁଖମୟ ଜୀବନ ବିତାଉଥିଲେ ବିଲ୍‌ ଓ ମେଲିଣ୍ଡା ଗେଟ୍‌ସ। ସେମାନଙ୍କର ସୁଦୃଢ଼, ରୋମାଞ୍ଚକର ଦାମ୍ପତ୍ୟ ଜୀବନର ଛବି ଓ କାହାଣୀ ଗଣମାଧ୍ୟମରେ ବେଶ୍‌ ଲୋକପ୍ରିୟତା ହାସଲ କରିବା ସହ ଅନେକଙ୍କୁ ଅନୁପ୍ରାଣିତ କରୁଥିଲା।

୧୯୯୪ ମସିହାରେ ବିଲ୍‌ ଓ ମେଲିଣ୍ଡାଙ୍କର ବିବାହ ହୋଇଥିଲା। ବିବାହ ସମୟରେ ବିଲ୍‌ ଗେଟ୍‌ସଙ୍କର ବାପା-ମା’ ସେମାନଙ୍କୁ ଗୋଟିଏ ପ୍ରତିକୃତି ଉପହାର ଦେଇଥିଲେ। ପ୍ରତିକୃତିଟି ଏକାଠି ବସି ଏକାଲୟରେ ଦିଗ୍‌ବଳୟକୁ ଦୃଷ୍ଟି ନିବଦ୍ଧ କରିଥିବା ଦୁଇଟି ପକ୍ଷୀଙ୍କର। ମେଲିଣ୍ଡାଙ୍କୁ ଖୁବ୍‌ ଭଲ ଲାଗିଥିଲା ଉପହାରଟି। ପ୍ରତିକୃତିଟି ସହ ନିଜର ଦାମ୍ପତ୍ୟ ଜୀବନକୁ ତୁଳନା କରି କହନ୍ତି, ‘ଏହି ପକ୍ଷୀ ଦୁଇଟିଙ୍କ ଭଳି ଆମ ଦୁଇଜଣଙ୍କର ମଧ୍ୟ ଗୋଟିଏ ଲକ୍ଷ୍ୟ, ଯାହାକୁ ଆମେ ଏକାଠି ହୋଇ ଆଗକୁ ନେଉଛୁ।’ ଘର ସାମ୍‌ନାରେ ଏହି ପ୍ରତିକୃତିଟିକୁ ସାଇତି ରଖିଛନ୍ତି ମେଲିଣ୍ଡା ସେଦିନଠାରୁ। ୧୯୮୭ ମସିହାର କଥା। ମାତ୍ର ୩୧ବର୍ଷ ବୟସରେ ମାଇକ୍ରୋସଫ୍ଟ କମ୍ପାନୀର ସହପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ବିଶ୍ବର ସର୍ବକନିଷ୍ଠ ‘ବିଲିୟନୟାର’ ଭାବେ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଥିଲେ। ୧୯୯୫ ମସିହାରେ ବିଶ୍ବର ସର୍ବଶ୍ରେଷ୍ଠ ବିତ୍ତଶାଳୀ ବ୍ୟକ୍ତି ଭାବରେ ପରିଚିତ ହୋଇଥିଲେ ବିଲ୍‌ ଗେଟ୍‌ସ।

ଏତେ କମ୍‌ ବୟସରେ ବିଲ୍‌ଙ୍କର ପ୍ରାଚୁର୍ଯ୍ୟ ଶିହରଣ ଖେଳାଇ ଦେଇଥିଲା ସେତେବେଳର ଯୁବସମାଜରେ। ତାଙ୍କର କାର୍ଯ୍ୟ କରିବାର ଶୈଳୀ, କଠିନ ପରିଶ୍ରମ ଇତ୍ୟାଦି ଅନୁପ୍ରାଣିତ କରିଥିଲା ଅନେକଙ୍କୁ। ପ୍ରୋତ୍ସାହିତ କରିଥିଲା ଯୁବପିଢ଼ିଙ୍କୁ। ଆଗକୁ ବଢ଼ି ଚାଲିଥିଲେ ସେ। ବଢ଼ିଚାଲିଥିଲା ପ୍ରାଚୁର୍ଯ୍ୟ। ଠୁଳ ହୋଇଥିବା ପ୍ରଚୁର ଅର୍ଥକୁ ନିଜର ଭୋଗ ପାଇଁ ବ୍ୟୟ ନକରି ବିପୁଳ ପରିମାଣର ଅର୍ଥ ଉତ୍ସର୍ଗ କରିଥିଲେ ଜନହିତକର କାର୍ଯ୍ୟରେ। ସୃଷ୍ଟି ହୋଇଥିଲା ‘ବିଲ୍‌ ଓ ମେଲିଣ୍ଡା ଫାଉଣ୍ଡେସନ’। ବିଶ୍ବର ସର୍ବବୃହତ୍‌ ବଦାନ୍ୟ ସଂସ୍ଥା।

ମଣିଷର ମୌଳିକ ଆବଶ୍ୟକତା, ଯଥା- ସ୍ବାସ୍ଥ୍ୟ, ଶିକ୍ଷା ଏବଂ ପରିଚ୍ଛନ୍ନତାରେ ଗୁରୁତ୍ବ ଦେଇ ସମାନତା ଆଣିବାର ମହତ ଲକ୍ଷ୍ୟ ନେଇ ଆଗକୁ ବଢ଼ିଚାଲିଥିବା ସଂସ୍ଥାଟିରେ ବ୍ୟକ୍ତିଗତ ଭାବେ ପହଞ୍ଚୁଥିଲେ ଗେଟ୍‌ସ ଦମ୍ପତି ବିଭିନ୍ନ ଅଞ୍ଚଳରେ। ମିଶୁଥିଲେ ସାଧାରଣ ଲୋକଙ୍କ ସହ। କୋଭିଡ୍‌ ମହାମାରୀ ସମୟରେ ନିଜର ଅତ୍ୟାଧୁନିକ ପ୍ରାସାଦରେ ଏକାଠି ରହୁଥିଲେ ବିଲ୍‌ ଓ ମେଲିଣ୍ଡା ଗେଟ୍‌ସ। ତିନିଟି ସାବାଳକ ସନ୍ତାନଙ୍କ ସହ ପୂରିଲା ପରିବାର। ବିବାହ-ବିଚ୍ଛେଦର ଅଚାନକ ଖବର ଆଶ୍ଚର୍ଯ୍ୟ କରିଦେଇଥିଲା ସଭିଙ୍କୁ।

ପ୍ରଭାବଶାଳୀ ବ୍ୟକ୍ତିଙ୍କର ବ୍ୟକ୍ତିତ୍ବ ସହ ସେମାନଙ୍କ ଜୀବନଶୈଳୀ ସମାଜରେ ଏକ ସ୍ବତନ୍ତ୍ର ପ୍ରଭାବ ପକାଇଥାଏ। ଗେଟ୍‌ସ ଦମ୍ପତିଙ୍କର ବିବାହ ବିଚ୍ଛେଦକୁ ଅନେକ ‘ପକ୍ବକେଶ ବିବାହ ବିଚ୍ଛେଦ’ (ଗ୍ରେ-ହେୟାର ଡିଭୋର୍ସ) ବୋଲି ବିବେଚନା କରୁଛନ୍ତି। ୫୦ବର୍ଷରୁ ଊର୍ଦ୍ଧ୍ବ ବୟସର ଦମ୍ପତିଙ୍କ ମଧ୍ୟରେ ଘଟୁଥିବା ବିବାହ ବିଚ୍ଛେଦକୁ ‘ଗ୍ରେ-ହେୟାର ବିବାହ ବିଚ୍ଛେଦ’ କୁହାଯାଉଛି। ଏହା ଏକ ସାମାଜିକ ଧାରା ଯାହାକି ଦୀର୍ଘ ଦୁଇ ଦଶନ୍ଧି ଧରି ମୁଣ୍ଡଟେକି କ୍ଷିପ୍ର ଗତିରେ ବଢ଼ିବାରେ ଲାଗିଛି। ସାଧାରଣତଃ ୩୦ ବର୍ଷରୁ ୪୦ ବର୍ଷ ବୟସ ମଧ୍ୟରେ ଘଟୁଥିବା ବିବାହ ବିଚ୍ଛେଦ ବିବାହିତ ନାରୀ ଓ ପୁରୁଷଙ୍କର ଅନ୍ୟ ସହ ଥିବା ଅନୈତିକ ସମ୍ପର୍କକୁ ଭିତ୍ତିକରି ସୃଷ୍ଟି ହୋଇଥାଏ ବୋଲି ଲକ୍ଷ୍ୟ କରାଯାଏ।

ତେବେ ଦାମ୍ପତ୍ୟ ଜୀବନରେ ଯେକୌଣସି କାରଣରୁ ସୃଷ୍ଟି ହୋଇଥିବା ମତାନ୍ତର ବା ମନାନ୍ତର ଯେତେବେଳେ ସାମାଜିକ ଏବଂ ବିବେକର ଲକ୍ଷ୍ମଣରେଖା ଅତିକ୍ରମ କରେ ସେତେବେଳେ ବୈବାହିକ ଜୀବନ ସମ୍ପର୍କ ବିଚ୍ଛିନ୍ନ ହୁଏ। ଭାଙ୍ଗିଯାଏ ପରିବାର। ପିଲାମାନେ ହରାଇ ବସନ୍ତି ମା’, ବାପାଙ୍କର ସୁରକ୍ଷା ବଳୟ। ହଜିଯାଏ ସେମାନଙ୍କର ବାଲ୍ୟ ଓ କୈଶୋରର ମଧୁର ସ୍ମୃତି। ବିକ୍ଷିପ୍ତ ହୋଇପଡ଼େ ଅନେକ ଜୀବନ। ଭାଙ୍ଗିଯାଏ ଅନେକ ସ୍ବପ୍ନ। ନିଜକୁ ପୁଣିଥରେ ସଜାଡୁସଜାଡୁ ଗଡ଼ିଚାଲେ ସମୟ। ତେବେ ପରିବର୍ତ୍ତନଶୀଳ ସମୟ ଅନେକ ପରିବର୍ତ୍ତନ ଆଣୁଛି ସମାଜରେ। ବଦଳୁଛି ଚିନ୍ତାଧାରା। ବଦଳିଯାଉଛି ସାମାଜିକ ଧାରା।

ଦେଖାଯାଉଛି ଯେ ଅନେକ ଦମ୍ପତି ନିଜ ନିଜ ଭିତରେ ରହୁଥିବା ମତାନ୍ତର ଓ ମନାନ୍ତରକୁ ଚାପି ଧରି ରଖୁଛନ୍ତି ନିଜର ପରିବାର ତଥା ପିଲାମାନଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି। ଯେତେବେଳେ ସନ୍ତାନମାନେ ବଡ଼ ହୋଇ ଦୂରକୁ ଚାଲିଯାଉଛନ୍ତି ସେତେବେଳେ ହଠାତ୍‌ ଏକ ନିଃଶବ୍ଦ ପରିବେଶର ସାମ୍‌ନା କରୁଛନ୍ତି ପିତାମାତା। ମଣିଷର ବଞ୍ଚିବାର ସମୟସୀମା ବଢ଼ିଛି। କାର୍ଯ୍ୟ କରିବାର କ୍ଷମତା ସହ ଶକ୍ତି ମଧ୍ୟ ବଢ଼ିଛି। ପୂର୍ବଭଳି ୫୦ବର୍ଷ ପରେ ବାର୍ଦ୍ଧକ୍ୟକୁ ସ୍ବାଗତ କରୁଛି ମଣିଷ। ୫୦ବର୍ଷ ବୟସରେ ଆଗକୁ ଆହୁରି ୨୦ରୁ ୨୫ବର୍ଷର ସୁସ୍ଥ ଓ କର୍ମମୟ ଜୀବନ। ସ୍ବାଧୀନ ପରିବେଶ ମନ ଭିତରର ସ୍ବାଧୀନ ଚିନ୍ତାଧାରାକୁ ଆଗକୁ ବଢ଼ିବା ପାଇଁ ଆହ୍ବାନ ଦେଉଛି ଦାମ୍ପତ୍ୟ ଜୀବନରେ ଚାପି ହୋଇ ରହିଥିବା ମତାନ୍ତର, ମନାନ୍ତର ଭିତରୁ ମୁକୁଳିବାକୁ ଚେଷ୍ଟା କରୁଛି ନିଜ ମନ ଭିତରର ସୁପ୍ତ ସ୍ବପ୍ନ। ବୈବାହିକ ସମ୍ପର୍କରୁ ଦୂରେଇ ନିଜକୁ ସ୍ବାଧୀନ ଭାବରେ ଖୋଜିବାର ରାସ୍ତା ଖୋଜୁଛି ମନ।

ଦୀର୍ଘ ବର୍ଷର ଦାମ୍ପତ୍ୟ ଜୀବନରେ ବିବାହ ବିଚ୍ଛେଦ ଘଟୁଛି ପ୍ରାପ୍ତ ବୟସରେ। ସାଧାରଣ ବିବାହ ବିଚ୍ଛେଦ ଭଳି ପକ୍ବକେଶ ବିବାହ ବିଚ୍ଛେଦରେ ଦମ୍ପତିଙ୍କ ମଧ୍ୟରେ ଆଶଙ୍କା, ଅଶାନ୍ତି ଅଥବା ବିବାଦ ଘଟିବାର ଲକ୍ଷ୍ୟ କରାଯାଉନାହିଁ; ବରଂ ଏହା ଏକ ସମାଧାନମୂଳକ ବୁଝାମଣା ଭାବେ ଦୁହିଁଙ୍କର ବିଚ୍ଛେଦ ସମ୍ମତି ଏବଂ ସହଯୋଗରେ ଘଟିବାର ଲକ୍ଷ୍ୟ କରାଯାଉଛି। ତଥ୍ୟ ଅନୁଯାୟୀ ୧୯୯୦ ମସିହାଠାରୁ ୨୦୧୦ ମସିହାରେ ପକ୍ବକେଶ ବିବାହ ବିଚ୍ଛେଦର ସଂଖ୍ୟା ଦ୍ବିଗୁଣିତ ହୋଇଛି। ତେବେ ପ୍ରଶ୍ନ ଉଠେ ସମାଜରେ ମୁଣ୍ଡ ଟେକୁଥିବା ନୂତନ ସାମାଜିକ ଧାରା ମଣିଷ ଉପରେ ପ୍ରଭାବ ପକାଇଥାଏ ଅଥବା ପ୍ରଭାବଶାଳୀ ବ୍ୟକ୍ତିମାନଙ୍କର ଜୀବନଧାରା ସମାଜରେ ନୂତନ ଧାରା ସୃଷ୍ଟି କରେ?

Comments are closed.