ମହାମାରୀରେ ଦୁଇ ପ୍ରକାର ଚେହେରା

ସନ୍ତୋଷ କୁମାର ମହାପାତ୍ର

ଯେଉଁ ଅଭିବୃଦ୍ଧିକୁ ନେଇ ଆମ ସରକାର ସର୍ବଦା ଗର୍ବ କରିଥାନ୍ତି, ଭାରତ ବିଶ୍ବରେ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ବୋଲି ଅହରହ ପ୍ରଚାର କରିଥାନ୍ତି, ସେହି ଅଭିବୃଦ୍ଧି ମହାମାରୀ ଏବଂ ଅନ୍ୟ କାରଣ ଯୋଗୁଁ ରେକର୍ଡ ହ୍ରାସ ପାଇଛି। ଅବଶ୍ୟ ଅଭିବୃଦ୍ଧି କେବେ ସମତୁଲ, ସମାନୁପାତିକ, ‘ଇନକ୍ଲୁସିଭ୍‌’ ନ ଥିଲା; ବରଂ ଧନୀ ଅଧିକ ଧନୀ ହେବା ଯୋଗୁଁ ହୋଇଥିଲା। ଜୁନ୍ ୨୦୨୧ରେ ପ୍ରକାଶିତ ବିଶ୍ବ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ, ଅଭିବୃଦ୍ଧି ବିଶ୍ବରେ ହାରାହାରି -୩.୫%, ଉନ୍ନତ ଦେଶ -୩.୫%, ୟୁରୋ ଅଞ୍ଚଳ -୩.୫%, ସ୍ୱଳ୍ପ ଆୟକାରୀ ଦେଶରେ -୩.୩% ହୋଇଥିଲାବେଳେ ଭାରତର – ୭.୩% ଅର୍ଥାତ ବହୁତ ଅଧିକ ସଂକୋଚନ ହୋଇଛି। ପ୍ରାୟ ବିଶ୍ବର ଅଳ୍ପ କେତୋଟି ଦେଶକୁ ଛାଡିଦେଲେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ସଂକୋଚନ ଅନ୍ୟ ଦେଶ ତୁଳନାରେ ଅଧିକ। ଏହା ଆମେରିକାରେ -୪.୭%, ଜାପାନ -୬.୬%, ରୁଷିଆ -୩.୧%, ବ୍ରାଜିଲ -୪.୧%, ଦକ୍ଷିଣ ଆଫ୍ରିକା -୭%, ପାକିସ୍ତାନରେ -୦.୫%, ଯାହା ଭାରତଠାରୁ କମ। ଭାରତରେ ଅଭିବୃଦ୍ଧି ବିଯୁକ୍ତାତ୍ମକ ଥିବାବେଳେ ଚୀନରେ ୩.୨%, ବାଂଲାଦେଶ ୨.୪% ଏବଂ ବ୍ରିକ୍ସ ରାଷ୍ଟ୍ର ସମୂହରେ ୦.୩% ଯୁକ୍ତାତ୍ମକ ଅଭିବୃଦ୍ଧି ହୋଇଛି। ଚିନ୍ତାର ବିଷୟ ହେଉଛି ୨୦୧୯ ମସିହାରେ ଭାରତ ଜିଡିପି ଅଭିବୃଦ୍ଧି ୪% ହୋଇଥିଲାବେଳେ ଚୀନରେ ୬%, ବ୍ରିକ୍ସ ଦେଶରେ ୪.୯% ହୋଇଥିଲା। ସ୍ବାଧୀନତା ପରେ ଭାରତର ଇତିହାସରେ, ଏହିପରି ଚାରିଥର ଜିଡିପି ଅଭିବୃଦ୍ଧି ବିଯୁକ୍ତାତ୍ମକ ହୋଇଥିଲା; କିନ୍ତୁ ୨୦୨୦-୨୧ ପରି ଏତେ ବଡ଼ ସଂକୋଚନ ଅତୀତରେ ହୋଇନଥିଲା। ୧୯୫୭-୫୮ରେ -୧.୨%, ୧୯୬୫-୬୬ରେ -୩.୬୬%, ୧୯୭୨-୭୩ରେ -୦.୩୨% ଏବଂ ୧୯୭୯-୮୦ରେ -୫.୨% ହୋଇଥିଲା। ଆର୍ଥିକ ଅଭିବୃଦ୍ଧି ହ୍ରାସ କେବଳ ଚିନ୍ତାଜନକ ନୁହେଁ ବରଂ ଜିଡିପି ସ୍ଥାୟୀ ମୂଲ୍ୟରେ ବା ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ ଏବଂ ମୁଣ୍ଡପିଛା ବାର୍ଷିକ ଆୟ ଦୃଷ୍ଟିରୁ ୨୦୧୮-୧୯ଠାରୁ ହ୍ରାସ ପାଇଛି।

୨୦୧୮-୧୯ରେ ସ୍ଥାୟୀ ମୂଲ୍ୟରେ ଜିଡିପି ୧୪୦,୦୩,୩୧୬ କୋଟି ଟଙ୍କା ଥିଲା। ୨୦୨୦-୨୧ରେ ଏହା ୧୩୪,୦୮୮,୬୨ କୋଟି ଟଙ୍କାକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ସେହି ଅବଧିରେ ମୁଣ୍ଡପିଛା ବାର୍ଷିକ ଆୟ ୧୦୫୫୨୫ ଟଙ୍କାରୁ ୯୯୬୯୪ ଟଙ୍କାକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ମୁଣ୍ଡ ପିଛା ଜିଡିପି ଦୃଷ୍ଟିରୁ ବିଶ୍ବର ୧୯୪ ଅର୍ଥନୀତି ମଧ୍ୟରୁ ଭାରତ ୧୪୪ତମ ସ୍ଥାନରେ ରହିଛି। ଏହାର ଅର୍ଥ ହେଉଛି ୧୪୩ଟି ଦେଶ ପଛରେ। ଅତ୍ୟନ୍ତ ଲଜ୍ଜାକର ହେଉଛି ଆମେ ବାଂଲାଦେଶ ପଛରେ ଅଛୁ। ଅନ୍ୟ ସବୁ ଅନ୍ତର୍ଜାତୀୟ ସୂଚକାଙ୍କରେ ମଧ୍ୟ ବହୁ ପଛରେ ଅଛୁ।

ଯଦି ଅନ୍ୟଦେଶ ପରି କରୋନା ମହାମାରୀ ଦ୍ବାରା କେବଳ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଥାନ୍ତା ତେବେ କିଛି ଚିନ୍ତା କରିବାର ନଥିଲା। କିନ୍ତୁ ମହାମାରୀ ପୂର୍ବରୁ ଦୁର୍ବଳଶାସନ ପରିଚାଳନା, କ୍ରୂର ବିମୁଦ୍ରାୟନ, ତ୍ରୁଟିପୂର୍ଣ ଜିଏସଟି ଅର୍ଥନୀତିକୁ ବିପର୍ଯ୍ୟୟମୁଖୀ କରିଥିଲା। ଉଦାହରଣ ସ୍ୱରୂପ ୨୦୧୭-୧୮ରେ ଚାରିଦଶନ୍ଧିରୁ ଅଧିକ ସମୟ ପରେ ଭାରତରେ ଉପଭୋକ୍ତା ପରିବ୍ୟୟ ପ୍ରଥମଥର ପାଇଁ ହ୍ରାସ ପାଇଲା। ଶେଷଥର ପାଇଁ ୧୯୭୨-୭୩ରେ ଏହା ହ୍ରାସ ପାଇଥିଲା। ମେହେରୋତ୍ରା ଏବଂ ପରିଡାଙ୍କ ଦ୍ୱାରା ଲିଖିତ ଏକ ସନ୍ଦର୍ଭ ଏବଂ ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟର ‘ସେଣ୍ଟର ଅଫ୍‌ ସଷ୍ଟେନେବଲ୍‌ ଏମ୍ପ୍ଲୟମେଣ୍ଟ’ ଦ୍ବାରା ପ୍ରକାଶିତ ତଥ୍ୟ ଅନୁସାରେ ୨୦୧୧-୧୨ରୁ ୨୦୧୭-୧୮ ମଧ୍ୟରେ ମୋଟ ନିଯୁକ୍ତି ୯୦ଲକ୍ଷ ହ୍ରାସ ପାଇଛି। ପ୍ରତିବର୍ଷ ପାଖାପାଖି ୨୬ଲକ୍ଷ ଚାକିରି ହ୍ରାସ ପାଇଥିଲା। ଭାରତ ଇତିହାସରେ ଏହି ନିଯୁକ୍ତି ହ୍ରାସଥିଲା ପ୍ରଥମ ଘଟଣା। ସେହିପରି ସରକାରୀ ତଥ୍ୟ ଅନୁସାରେ ୨୦୧୭-୧୮ରେ ବେକାରୀ ହାର ୬.୧%ରେ ପହଞ୍ଚିଥିଲା, ଯାହା ଗତ ୪୫ବର୍ଷରେ ସର୍ବାଧିକ ଥିଲା। ଜିଡିପି ଅଭିବୃଦ୍ଧିହାର ଯାହା ୨୦୧୬-୧୭ରେ ୮.୩% ଥିଲା ତାହା କ୍ରମଶଃ ହ୍ରାସପାଇ ୨୦୧୭-୧୮ରେ ୬.୮%, ୨୦୧୮-୧୯ରେ ୬.୫%ରୁ ୨୦୧୯-୨୦ରେ ୪%ରେ ପହଞ୍ଚିଥିଲା।

କେବଳ ଅଭିବୃଦ୍ଧି ହ୍ରାସ ନୁହେଁ, ବର୍ତ୍ତମାନ ସମ୍ବଳ ଅଭାବଜନିତ ଯେଉଁ ସଙ୍କଟ ଦେଖାଦେଇଛି ତାହା ପରିସ୍ଥିତିକୁ ସଙ୍ଗିନ କରିଛି। ଧନିକ ଶ୍ରେଣୀଠାରୁ ଆବଶ୍ୟକ ଟିକସ ଆଦାୟ କରିବାରେ ସରକାର ବିଫଳ ହେବା ବା ପ୍ରଚେଷ୍ଟା ନକରିବା ଯୋଗୁଁ ଭାରତର ଜିଡିପି ଅନୁସାରେ ଟିକସ ଆଦାୟ ଅନୁପାତ ଅନେକ ଉନ୍ନତ ଦେଶ ତୁଳନାରେ ଅଧା ଏବଂ ବିଶ୍ବରେ ପ୍ରାୟ ସର୍ବନିମ୍ନ। ଅଧିକ ସମ୍ବଳ ସୃଷ୍ଟି ନହେଲେ ବିଭିନ୍ନ ଯୋଜନା କିପରି କାର୍ଯ୍ୟକାରୀ ହେବ। ସରକାର ଅଧିକ ଋଣ କରିବାକୁ ବାଧ୍ୟ ହେଉଛନ୍ତି। ବିତ୍ତୀୟ ନିଅଣ୍ଟ ପରିମାଣ ଜିଡିପିର ସାଧାରଣତଃ ୩ % ରେ ରହିବା କଥା, କିନ୍ତୁ ୨୦୨୦-୨୧ରେ ଏହା ୯.୩ % ବା ୧୮.୨୧ ଲକ୍ଷ କୋଟି ଟଙ୍କା ହେଲାବେଳେ, ଋଣ-ଜିଡିପିର ଅନୁପାତ ରେକର୍ଡ ୯୦% ଅତିକ୍ରମ କଲାଣି। ବର୍ତ୍ତମାନ ସରକାର ବିଭିନ୍ନ ଖର୍ଚ୍ଚ ପାଇଁ ସବୁ ଜନତାଙ୍କୁ ବାଧୁଥିଲା ପରି ପେଟ୍ରୋଲ, ଡିଜେଲ ଉପରେ ଅଧିକ ଟିକସ ଆଦାୟ କଲାବେଳେ ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟବୃଦ୍ଧି ଦୁଇଗୁଣ କଲେଣି ଏବଂ ରିଆତି ପ୍ରାୟ ସମ୍ପୂର୍ଣ୍ଣ ବିଲୋପ କରିଛନ୍ତି। ଇନ୍ଧନ ଉପରେ ଅଧିକ ଟିକସ ଧାର୍ଯ୍ୟକରିବା ଯୋଗୁଁ ମୁଦ୍ରାସ୍ଫୀତି ହାର, ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟବୃଦ୍ଧି ପାଇଛି। ସଞ୍ଚୟରୁ ବାସ୍ତବ ରିଟର୍ନ ହ୍ରାସ ହେବା ସହିତ ଲୋକଙ୍କ କ୍ରୟ କ୍ଷମତା, ଜୀବନର ମାନ ଏବଂ ସାମଗ୍ରିକ ଚାହିଦା ହ୍ରାସପାଇଛି।

ଉଲ୍ଲେଖଯୋଗ୍ୟ ଯେ ମେ ମାସରେ ପାଇକାରୀ ମୂଲ୍ୟସୂଚକାଙ୍କ ଆଧାରିତ ମୁଦ୍ରାସ୍ଫୀତି ହାର ରେକର୍ଡ ସର୍ବାଧିକ ୧୨.୯୪%ରେ ପହଞ୍ଚିଛି। ସେହିପରି ଖୁଚୁରା ମୁଦ୍ରାସ୍ଫୀତି ହାର ଯାହା ଜାନୁୟାରୀ ୨୦୨୧ରେ ୪.୦୬% ଏବଂ ଏପ୍ରିଲ ୪.୨୩% ଥିଲା, ତାହା ମେ ମାସରେ ୬.୩%କୁ ବୃଦ୍ଧି ପାଇଛି, ଯାହା ଗତ ୬ ମାସରେ ସର୍ବାଧିକ। ଖାଦ୍ୟ ମୁଦ୍ରାସ୍ଫୀତି ଯାହା ଏପ୍ରିଲରେ ୧.୬% ଥିଲା ତାହା ମେ’ ରେ୫.୦୧% କୁ ବୃଦ୍ଧିପାଇଛି। ଅଭିବୃଦ୍ଧି ହ୍ରାସ ସମୟରେ ମୁଦ୍ରାସ୍ଫୀତି ବୃଦ୍ଧି ଅଧିକ ଯନ୍ତ୍ରଣାଦାୟକ ଏବଂ ଏହା ଦର୍ଶାଉଛି ଯେ ଅର୍ଥନୀତିରେ ଭୟଙ୍କର ସ୍ଥାଣୁତ୍ୱଯୁକ୍ତ ମୁଦ୍ରାସ୍ଫୀତି ଦେଖାଦେଇଛି।

ମହାମାରୀ ସାଙ୍ଗକୁ ଅଭିବୃଦ୍ଧି ହ୍ରାସର କୁପ୍ରଭାବ ବେଶି ପଡେ ଯେତେବେଳେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଦୁର୍ବଳ ଥାଏ। ଉଲ୍ଲେଖଯୋଗ୍ୟ ଯେ ଆମ ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାରୀ ବ୍ୟୟ ଜିଡିପି ଅନୁସାରେ ପ୍ରାୟ ବିଶ୍ବରେ ସର୍ବନିମ୍ନ, ଯାହା ୧ରୁ ୧.୪ % ମଧ୍ୟରେ ରହୁଛି। ଡାକ୍ତରଖାନା, ଡାକ୍ତର, ସେବିକାଙ୍କ ଘୋର ଅଭାବ। ଆମ ସ୍ୱାସ୍ଥ୍ୟ କ୍ଷେତ୍ର ସର୍ବାଧିକ ଘରୋଇ କ୍ଷେତ୍ର ଦ୍ବାରା ନିୟନ୍ତ୍ରିତ ଏବଂ ଲୋକମାନେ ସ୍ୱାସ୍ଥ୍ୟ ପାଇଁ କରୁଥିବା ମୋଟ ଖର୍ଚ୍ଚର ୭୦ରୁ ୮୦ % ନିଜେ ବହନ କରନ୍ତି। ଅନେକ ଜମିବାଡି, ଘରଦ୍ବାର, ସୁନା, ଗହଣା ବିକ୍ରିକରି ତଳିତଳାନ୍ତ ହୋଇଛନ୍ତି। ଫଳରେ କୋଟିଏ ଲୋକ ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲିଯାଉଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସର୍ବଶେଷ ଜାତୀୟ ସ୍ୱାସ୍ଥ୍ୟ ପ୍ରୋଫାଇଲ୍ (ଏନ୍‌ଏଚ୍‌ପି) ୨୦୧୮ ଅନୁଯାୟୀ, ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାରୀ ବ୍ୟୟ ମୁଣ୍ଡ ପିଛା ଦିନକୁ ମାତ୍ର ୩ ଟଙ୍କା। ଏଣୁ ବର୍ତ୍ତମାନ ଚିକିତ୍ସା ଖର୍ଚ୍ଚରେ ଗରିବ, ମଧ୍ୟବିତ୍ତ ପରିବାରର ସବୁ ସଞ୍ଚୟ ଧୋଇ ହୋଇଗଲାଣି।

ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ଲୋକଙ୍କର ଯେଉଁ କ୍ଷତି ହୋଇଛି ଆହୁରି ଅଧିକ ଗରିବ ହୋଇଛନ୍ତି, ମଧ୍ୟବିତ୍ତ ଲୋକ ତଳକୁ ଖସିଛନ୍ତି। ସେହି ସମୟରେ ଧନୀ ଅଧିକ ଧନୀ ହୋଇଛନ୍ତି। କୋଟିପତିଙ୍କ ସଂଖ୍ୟା ଏବଂ ତାଙ୍କ ସମ୍ପଦ ବହୁମାତ୍ରାରେ ବୃଦ୍ଧି ପାଇଛି। ମହାମାରୀରେ ଏଭଳି ଦୁଇପ୍ରକାର ଚେହେରା ଭାରତରେ ଦେଖିବାକୁ ମିଳିଛି। ଲୋକ ତଳିତଳାନ୍ତ ହେଲାବେଳେ ପୁଞ୍ଜିବଜାରରେ ଅହେତୁକ ଉତ୍ସାହ, ବୃଦ୍ଧି ଦେଖାଦେଇଛି। ଦ୍ୱିତୀୟ ତରଙ୍ଗ ମହାମାରୀରେ ୧କୋଟି ଭାରତୀୟ ନିଯୁକ୍ତି ହରାଇଛନ୍ତି ଏବଂ ୯୭% ପରିବାରର ଆୟ ହ୍ରାସ ପାଇଛି।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗ୍ରାହକ ଆତ୍ମବିଶ୍ୱାସ ସର୍ବେକ୍ଷଣ ଅନୁଯାୟୀ ବର୍ତ୍ତମାନର ପରିସ୍ଥିତି ସୂଚକାଙ୍କ ମାର୍ଚ୍ଚରେ ୫୩.୧ରୁ ରେକର୍ଡ ୪୮.୫କୁ ଖସିଆସିଛି। ଆମେରିକାର ପ୍ୟୁରି ସର୍ଚ୍ଚ ସେଣ୍ଟରରୁ ଜଣାପଡିଛି ଯେ ୨୦୨୦ରେ ଭାରତରେ ଗରିବ ଲୋକଙ୍କ ସଂଖ୍ୟା (ଦିନକୁ ୨ ଡଲାର୍‌ କିମ୍ବା ତା’ଠାରୁ କମ୍) ୭.୫କୋଟି ବୃଦ୍ଧି ପାଇଛି ଏବଂ ୩.୨ କୋଟି ମଧ୍ୟବିତ୍ତ ଶ୍ରେଣୀର ତଳକୁ ଖସିଛନ୍ତି। ବାଙ୍ଗାଲୋରରେ ଅଜିମ୍‌ ପ୍ରେମ୍‌ଜୀ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ ଦାରିଦ୍ର୍ୟ ବୃଦ୍ଧି ଆହୁରି ଉଦ୍‌ବେଗଜନକ। ବିଗତ ବର୍ଷରେ ୨୩କୋଟି ଭାରତୀୟ ଦାରିଦ୍ର୍ୟ ଗହ୍ୱରକୁ ଠେଲି ହୋଇଯାଇଛନ୍ତି।

୨୦୧୯ ସେପ୍ଟେମ୍ବରରେ ସରକାର ଅତ୍ୟନ୍ତ ତରବରିଆ ଭାବେ ଯେପରି କର୍ପୋରେଟ ଟିକସ ହ୍ରାସ କଲେ ତାହା ଦ୍ବାରା ସେହିବର୍ଷ ଦେଶ ୧.୪୫ଲକ୍ଷ କୋଟି ତାଙ୍କ ରାଜସ୍ୱ ହରାଇଲା ଏବଂ ସେହି ପରିମାଣ ପ୍ରତିବର୍ଷ ବୃଦ୍ଧି ପାଉଛି। ଆଜି ଯଦି ସେହି ଟିକସ ହ୍ରାସ ନକରାଯାଇ ସେହି ଅର୍ଥକୁ ସ୍ୱାସ୍ଥ୍ୟର ବିକାଶ ପାଇଁ ବିନିଯୋଗ ହୋଇଥାନ୍ତା ତେବେ, ମହାମାରୀର ପ୍ରଭାବ ଏତେ ଭୟାନକ ହୋଇନଥାନ୍ତା। ବର୍ତ୍ତମାନ ଧନିକ ଉପରେ ସମ୍ପଦ କର ଧାର୍ଯ୍ୟ କରି ସମ୍ବଳ ସଂଗ୍ରହ କରିବା ସହିତ ତୁରନ୍ତ ଗରିବ ଓ କରୋନା ଦ୍ବାରା ସଂକ୍ରମିତ ବା ମୃତ୍ୟୁବରଣ କରିଥିବା ପରିବାରଙ୍କୁ ଅର୍ଥ ହସ୍ତାନ୍ତର କରିବା ଉଚିତ । ସରକାର ଅଧିକ ବ୍ୟୟ କରିବା ଉଚିତ। ବିଶେଷକରି ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଅଧିକ ବ୍ୟୟ କରିବା ଜରୁରୀ।

Comments are closed.