ପୁଅରେ, ତୁ ବାପା ହେଲେ ଜାଣିବୁ

ଶ୍ୟାମସୁନ୍ଦର ଅଗ୍ରୱାଲା

ପୁରୁଣା କଥା ମନେ ପଡ଼ୁଛି। ରେଭେନ୍ସା କଲେଜ ହଷ୍ଟେଲ​‌େ​‌ର ରହି ପଢ଼ୁଥାଏ। ପ୍ରତି ଶନିବାର ଦିନ ଗାଁକୁ ଆସେ ଆଉ ସୋମବାର ଦିନ ସକାଳୁ ସକାଳୁ ବସ୍‌ ଧରି କଟକ ଯାଇଥାଏ। ପ୍ରାୟ ସବୁ ସୋମବାର ଦିନ ସକାଳୁ ବାହାରିଲା ବେଳକୁ ଦେଖେ ମୋ ବ୍ୟାଗଟା ନାହିଁ। ବୁଝିଲାବେଳକୁ କ’ଣ ନା ବାପା ବ୍ୟାଗଟିକୁ ନେଇ ଘର ବାହାରେ ଥୋଇ ଦେଇଛନ୍ତି। ମୁଁ ଟିକେ ବିରକ୍ତ ହୋଇ ‘‘କାହିଁକି, ମୋ ବ୍ୟାଗଟା ଏଡ଼େ ସକାଳୁ ନେଇ ବାହାରେ ରଖି ଦେଇଛ’’ ବୋଲି ପଚାରିଲା ବେଳକୁ ସେ କୁହନ୍ତି- ‘‘ଆରେ ପାଞ୍ଜି ଦେଖିଲି ଆଜି ତୋ ରାଶି ପାଇଁ ସାତଟା ପରେ ଘାତଚନ୍ଦ୍ର ଅଛି ଆଉ ପାଞ୍ଚଟାରୁ ଛଅଟା ପନ୍ଦର ଯାଏ ମାହେନ୍ଦ୍ର ବେଳା ଅଛି; ତେଣୁ ସେଇ ସମୟ ଭିତରେ ମୁଁ ତୋ ବ୍ୟାଗଟିକୁ ଆଣି ଘରୁ ବାହାରେ ରଖି ଦେଇଛି। ହଉ, ଶୀଘ୍ର ବାହାର, ଡେରି ହୋଇଗଲାଣି, ବସଷ୍ଟାଣ୍ଡ ଯିବା।’’ ତା’ ପରେ ସେ ମୋ ପଛେପଛେ ଚାଲିବେ। ମୁଁ ମନେମନେ ବିରକ୍ତ ହେଉଥିବି। ସେ କିନ୍ତୁ ପଛେପଛେ ଚାଲିଥିବେ।

ବସଷ୍ଟାଣ୍ଡରେ ଆରମ୍ଭ ହୋଇଯିବ ତାଙ୍କ ପ୍ରବଚନ। ‘‘କଟକ ସହର, ଟିକେ ଦେଖିକି ଚଳିବୁ। କାହା ସାଥିରେ ଗଣ୍ଡଗୋଳ କରିବୁ ନାହିଁ। ଗାଡ଼ି ମଟର ଦେଖିକି ଯିବା ଆସିବା କରୁଥିବୁ। ବଜାରରୁ ୟାଡ଼ୁ ସ୍ୟାଡ଼ୁ ଗୁଡ଼େ କିଣିକି ଖାଇବୁ ନାହିଁ,’’ ଇତ୍ୟାଦି ଇତ୍ୟାଦି ଚାଲିବ ଯେ ଚାଲିବ ବସ ଆସିବା ପର୍ଯ୍ୟନ୍ତ। ଏ କଥାଗୁଡ଼ିକ ବାରମ୍ବାର ଶୁଣି ମୁଁ ସେତେବେଳକୁ ବିରକ୍ତ ହୋଇଯାଇଥିବି। ‘‘ହଁ, ହଁ, ତମେ ଗଲ’’ ମୋର ଏମିତି ବାରମ୍ବାର କହିବା ସତ୍ତ୍ବେ ସେ ରୋଡ୍‌ ଆରପଟେ ଯାଇ ଛିଡ଼ା ହୋଇଯି​‌େ​‌ବ। ବସ ଖିଡ଼ିକି ଆରପଟେ ପୁଣି ଆରମ୍ଭ କରିଦେବେ। ‘‘ହଁ, କଲେଜ ଛକରେ କିନା ଓହ୍ଲେଇ ପଡ଼ିବୁ। ଦେଖିକି, ବସ ରହିଲା ପରେ ଯାଇ ଓହ୍ଲେଇବୁ।’’

‘‘ହୋ, କଣ୍ଡକ୍ଟର ବାବୁ, ତୁମର କଲେଜ ଛକରେ ବସ ରହୁଛି କି ନାହିଁ।’’ ବାପାଙ୍କ ପ୍ରଶ୍ନକୁ ହେୟଜ୍ଞାନ କରି କଣ୍ଡକ୍ଟର ଘଣ୍ଟି ମାରିଦେବ। ମନେମନେ ଭାବେ ‘‘ଓହୋ, ମଣିଷ ଏବେ ଟିକେ ଶାନ୍ତି ମାରିଲା।’’ ତା’ପର ସପ୍ତାହରେ ପୁଣି ଏହାର ପୁନରାବୃତ୍ତି ହୋଇଥାଏ।

ବାପା କେବେଠୁ ଆରପାରିକୁ ଗଲେଣି। ମୋତେ ବର୍ତ୍ତମାନ ସତୁରି ପାଖାପାଖି। ମୋର ପୁଅ ଝିଅ ସବୁ ବଡ଼ବଡ଼ ହୋଇଗଲେଣି, କିନ୍ତୁ ଏବେ ବି ମୋ ପୁଅଝିଅ ଯେତେବେଳେ ଟ୍ରେନରେ ବସି ବମ୍ବେ କି କଲିକତା ଯାଉଛନ୍ତି ମୁଁ ଠିକ୍‌ ସେମିତି ମୋ ବାପାଙ୍କ ଭଳି ବ୍ୟବହାର କରୁଛି। ଘରୁ ଆରମ୍ଭ ହୋଇଯିବ ମୋ ନାଟକ। ‘‘ଆରେ ଟିକେଟ ନେଲୁ କି ନାହିଁ? କିଛି ଭୁଲିଲୁ ନାହିଁ ତ? ବଡ଼ବଡ଼ ନୋଟକୁ ଚୋରା ପକେଟ ଭିତରେ ରଖିଦେ। କୁଲି ଫୁଲିକୁ ଦେବାପାଇଁ ଖୁଚୁରା ନୋଟ୍‌ କିଛି ସାଇଡ୍‌ ପକେଟରେ ରଖ। ବାଟରେ କିଏ କ’ଣ ଯାଚିଲେ ଖାଇବୁ ନାହିଁ। ପ୍ଲାଟଫର୍ମରେ ମିଳୁଥିବା ବରା ପିଆଜିଗୁଡ଼ିକ ଖାଇବୁ ନାହିଁ। ରାସ୍ତାରେ କାହା ସାଥିରେ ଭାବଦୋସ୍ତୀ କରିବା ଦରକାର ନାହିଁ।’’ ପୁଅ ମନା କରିବା ସତ୍ତ୍ବେ ବି ମୁଁ ଷ୍ଟେସନ ଯାଇଥାଏ। କ୍ୟାବିନ୍‌ ଭିତରେ ସେ ବସିଥାଏ। ମୁଁ ପ୍ଲାଟଫର୍ମ ଉପରେ ଛିଡ଼ାହୋଇ ଖିଡ଼ିକି ବାଟେ ମୋର ଭାଷଣ ଚଳେଇଥାଏ। ପୁଅର ବିରକ୍ତିଭାବ ତା’ ମୁହଁରେ ପ୍ରକାଶ ପାଇଲେ ମଧ୍ୟ ମୁଁ ଖାତିର ନ କରି ମୋ ଉପଦେଶଗୁଡ଼ିକ ବାରମ୍ବାର ଦେଇଚାଲିଥାଏ।

ଯେପରି ବାପା ମୋ ପାଇଁ ଦିନେ ବିରକ୍ତିକର ଥିଲେ, ମୁଁ ବାପା ହୋଇଗଲା ପରେ ଠିକ୍‌ ସେହିପରି ମୋ ପୁଅଝିଅଙ୍କ ପାଇଁ ବିରକ୍ତିର ପାତ୍ର ହୋଇଯାଇଛି। ତଫାତ୍‌ ଏତିକି ଯେ ମୁଁ ସେତେବେଳେ ଚୁପ୍‌ ହୋଇ ଶୁଣିଯାଉଥିଲି ଆଉ ଏବେ ପିଲାମାନେ ବିରକ୍ତ ହୋଇ ଉତ୍ତର ଦେଇଦେଉଛନ୍ତି। ଦିନେ ମୋ ଝିଅକୁ ବଜାରରେ ଖୁବ୍‌ ଜୋର୍‌ରେ ସ୍କୁଟି ଚଳାଉଥିବାର ଦେଖି ତାଗିଦ୍‌ କରିବାରୁ ଭାଇଭଉଣୀ ଦୁହେଁ ମୋର ଏ କଥାକୁ ପସନ୍ଦ ନକରି କହିଥିଲେ- ‘‘ବାପା, ଦିନକୁ ଦିନ ତୁମେ ଏମିତି ଡରକୁଳା କାହିଁକି ହୋଇଯାଉଛ।’’ ସତରେ, ସେମାନେ ମୋ ବିଷୟରେ ଯାହା କହୁଛନ୍ତି ଏକଦମ୍‌ ଠିକ୍‌ କହୁଛନ୍ତି। ଆଜିକାଲି ଟିକିଏ ଟିକିଏ କଥାରେ ମୁଁ ଡରି ଯାଉଛି। ବଡ଼ିଭୋରୁ ଫୋନ୍‌ଟେ ବାଜିଲେ ଡରିଯାଉଛି। ରାତି ଅଧରେ କିଏ ଉଠେଇଦେଲେ ଚମକି ପଡ଼ୁଛି। ବାଥରୁମ୍‌ କବାଟ ଠକ୍‌ଠକ୍‌ ହେଲେ ଘାବରେଇ ଯାଉଛି। କ’ଣ ହେଲା କି? କିଛି ଅଘଟଣ ଘଟିଲା କି? ଏ ଅବେଳରେ କିଏ କାହିଁକି ଡାକୁଛି?

ଦିନେ ପୁଅଝିଅକୁ ନେଇ ବଜାରକୁ ଯାଇଥିଲି। ସେମାନେ ଗୋଟେ କାର୍‌ ଗେମ୍‌ ଖେଳିବାକୁ ଚାହିଁଲେ। ମୁଁ ଭଲଭାବରେ ଜାଣିଛି ଏଗୁଡ଼ାକ ଖେଳ ଓ ଟିଭି ପରଦା ଉପରେ ହେଉଛି। ମୋ ପାଖରେ ଛୋଟଛୋଟ ପିଲାମାନେ ଗାଡ଼ିଗୁଡ଼ିକ ଦୁଇଶହରୁ ତିନିଶହ କିଲୋମିଟର ସ୍ପିଡ୍‌ରେ ଚଲେଇ ଢୋ ଢୋ ଆକ୍ସିଡେଣ୍ଟ କରୁଛନ୍ତି ଅଥଚ ମୋ’ର ସ୍ପିଡ୍‌ ପରଦାରେ ଷାଠିଏରୁ ସତୁରିରୁ ଅଧିକ ହୋଇଗଲାପରେ ମୋର ଗୋଡ଼ହାତ ଥରୁଛି। ଏଇଥିପାଇଁ ମୁଁ ଗାଡ଼ିରେ ବସି କୁଆଡ଼େ ଯାଉଥିବାବେଳେ ମୋ ପୁଅ କହେ- ‘‘ବାପା, ତୁମେ ପଛରେ ବସ,’’ କାରଣ ମୁଁ ଆଗରେ ବସିଥିଲେ ପ୍ରତି ପାଞ୍ଚମିନିଟରେ ତାକୁ ସତର୍କ କରଉଥିବି। ‘‘ଦେଖ, ଆଗରୁ ଟ୍ରକ୍‌ଟେ ଆସୁଛି। ଆରେ, ଇଣ୍ଡିକେଟର ଦେ। ଟିକେ ସ୍ଲୋ କରିଦେ। ପଛପଟ ଗାଡ଼ିଟାକୁ ପାସ୍‌ ଦେଇ ଦେ। ଆଗରେ ହମ୍ପ୍‌ ଅଛି। ବ୍ରେକ୍‌ ଦେ…..’’ ଇତ୍ୟାଦି ଇତ୍ୟାଦି। ମୋର ଅଭ୍ୟାସ ଯେ ମୁଁ ପଛରେ ବସିବି ନାହିଁ ଆଉ ଆଗରେ ବସି ଏମିତି ସତର୍କ କରଉଥିବି।

ବର୍ତ୍ତମାନ ପ୍ରଶ୍ନ ଉଠେ ଏମିତି କାହିଁକି ହେଉଛି? ମୁଁ ଭାବିବାରେ ମୋ’ ଭଳି ଆପଣମାନଙ୍କର ମଧ୍ୟ ଏମତି ଊଣାଅଧିକା ହେଉଥିବ। ଆଧୁନିକ ମନସ୍ତତ୍ତ୍ବବିତ୍ତ୍‌ମାନଙ୍କ ମତରେ ଏହା ହେଉଛି ଏକ ଅହେତୁକ ଭୟର ଲକ୍ଷଣ ଯାହା ଗୋଟିଏ ବାପର ପୁଅଝିଅମାନଙ୍କ ପ୍ରତି ଅଗାଧ ପ୍ରେମରୁ ସୃଷ୍ଟି ହୋଇଥାଏ। ଏଭଳି ପ୍ରେମର ମୋହ ଜାତ ହୋଇଥାଏ ଓ ମୋହରୁ ଭୟ ସୃଷ୍ଟି ହୋଇଥାଏ। ଏହା ଲକ୍ଷ୍ୟ କରାଯାଏ ଯେ ମା’ ବାପାମାନଙ୍କର ଯେତିକି ମୋହ ପିଲାମାନଙ୍କ ପ୍ରତି ଥାଏ ସେତିକି ମୋହ ପିଲାମାନଙ୍କର ବାପାମାଆଙ୍କ ପ୍ରତି ନଥାଏ ବରଂ ବେଳେବେଳେ ଏହାକୁ ପ୍ରତିରୋଧ କଲାଭଳି ଏକ ଉଦାସୀନ ମନୋଭାବ ଥାଏ। ଆପଣ ଆପଣଙ୍କ ସାଙ୍ଗସାଥିରେ କଥାବାର୍ତ୍ତା ହେଉଛନ୍ତି- ‘‘କ’ଣ କରିବି। ପିଲାଟି ଆଦୌ ବୁଝୁନି।’’ ପିଲା କିନ୍ତୁ ତା ସାଙ୍ଗମେଳରେ କ’ଣ କଥାବାର୍ତ୍ତା ହେଉଛନ୍ତି, ଜାଣନ୍ତି- ‘‘କ’ଣ କରିବି କହିଲୁ। ବାପା ଆଦୌ ବୁଝୁନାହାନ୍ତି।’’

ବନ୍ଧୁଗଣ, ଏହା ସ୍ବାଭାବିକ ଅଟେ। ଥରେ ଜଣେ ଦାର୍ଶନିକ କହିଥିଲେ- ‘‘ଆପଣ ଯେତେବେଳେ ଅନୁଭବ କରନ୍ତି ଯେ ଆପଣଙ୍କ ବାପା ଯାହା କହୁଥିଲେ ଠିକ୍‌ କହୁଥିଲେ, ଠିକ୍‌ ସେତିକିବେଳେ ଆପଣଙ୍କ ପୁଅ ଆପଣ ଯାହା କହୁଛନ୍ତି ଭୁଲ କହୁଛନ୍ତି ବୋଲି କହିବା ଆରମ୍ଭ କରିଦିଏ।’’ ଏହା ଏକ ଗତାନୁଗତିକ ଧାରା ଯାହା ବଂଶ ବଂଶ ଧରି ଚାଲିଛି। ମୁଁ ଜାଣେନି ଆପଣ ଏହି ଲେଖାଟିର ଜଣେ ବାପ କି ପୁଅ ? ଯଦି ପୁଅ ହୋଇଥାନ୍ତି ତେବେ ବାପାଙ୍କୁ ଅସମ୍ମାନ କରିବାର କୌଣସି ଆବଶ୍ୟକତା ନାହିଁ। ସେ ଚାହୁଁଛନ୍ତି ଯେ ସେ ଜିଇ ଥାଉଥାଉ ଦୁନିଆର ଯେତେ ଭଲ ଭଲ କଥା ଆପଣଙ୍କୁ ବତେଇ ଦେବେ। ଏହା ତାଙ୍କର ଆପଣଙ୍କ ପ୍ରତି ଆସକ୍ତିର ପରିଚୟ ଦିଏ। ଯଦି ଆପଣ ବାପଟିଏ ହୋଇଥାନ୍ତି, ତେବେ ପୁଅର ସବୁ ପ୍ରତିରୋଧକୁ ହସିହସି ଗ୍ରହଣ କରିନେଇ ପଦୁଟିଏ ତାକୁ କୁହନ୍ତୁ- ‘‘ ପୁଅରେ, ମୁଁ କାହିଁକି ଏମିତି କହୁଛି, ତୁ ବାପା ହେଲେ ଜାଣିବୁ।’’

Comments are closed.