ପଥର ଘୋଡ଼ା ପାଣି ପି’

ସୁଭାଷ ପଟ୍ଟନାୟକ

ବହୁ ଘଣ୍ଟା ଚକଟା ପରେ ସ୍ଥିରହେଲା ଯେ, ରାଜଦରବାର ସାମନାରେ ଥିବା ସେଇ ପଥର ନିର୍ମିତ ଘୋଡ଼ାଟିକୁ ସେଠାରୁ ହଟାଇ ରାଜାଙ୍କ ମହଲ ସାମନାରେ ରଖାଯିବ। ରାଜଦରବାର ସାମନାଟି ରାଜଧାନୀ ଭିତରକୁ ଏକ ମୁଖ୍ୟ ପ୍ରବେଶ ପଥ ହୋଇଥିବାରୁ ଓ ବିଦେଶାଗତ ଅନେକ ଅତିଥି ସେଇ ବାଟଦେଇ ଆସୁଥିବାରୁ ଘୋଡ଼ାକୁ ସ୍ଥାନାନ୍ତର କରି ସେ ସ୍ଥାନଟିର ଉନ୍ନତିକରଣ କରାଯିବ। ବିଭିନ୍ନ ପ୍ରକାରର ବିପଣନକେନ୍ଦ୍ର ସହିତ ମନୋରଞ୍ଜନର କେନ୍ଦ୍ରସ୍ଥଳ ପାଲଟିବ ସ୍ଥାନଟି। ଖବରଟି ଦରବାରରୁ ପ୍ରଘଟ ହେଉନହେଉଣୁ ରାଜଧାନୀରେ ଜୋର ଧରିଲା ବିଷୟଟିକୁ ନେଇ ଚର୍ଚ୍ଚା। କିଛି ବୟସ୍କ ବ୍ୟକ୍ତି ଏହି ନିଷ୍ପତ୍ତିର ବିରୋଧ କରିବା ଆରମ୍ଭ କରିଦେଲେ।

ସେଦିନ ଘୋଡ଼ାଟି ଥିବା ଛକରେ ଠିଆହୋଇ କିଛି ବିଶିଷ୍ଟ ବ୍ୟକ୍ତି ଏ ବିଷୟରେ ଗରମା ଗରମ ଆଲୋଚନା କରୁଥିବା ଦେଖାଗଲା। ସେମାନଙ୍କ ମଧ୍ୟରୁ ମୂର୍ତ୍ତିକୁ ନେଇ ବ୍ୟବସାୟ କରୁଥିବା ଜଣେ ଅତି ବିଶିଷ୍ଟ ବ୍ୟକ୍ତି ପ୍ରଥମେ ମୁହଁ ଖୋଲିଲେ: ‘ଏ ଘୋଡ଼ାର କାରୁକାର୍ୟ୍ୟ ଅନନ୍ୟ। ଜଣେ ଶିଳ୍ପୀର ସ୍ଥାପତ୍ୟକୁ ରାଜା ସମ୍ମାନ ଦେବା ଉଚିତ। ଏଠାରେ ରହି ଘୋଡ଼ାଟି ଯେଉଁ ସମ୍ମାନ ପାଉଛି, ଅନ୍ୟ କେଉଁଠି ତାହା ପାଇବନି। ଏଠାରୁ ହଟାଇଦେଲେ ଘୋଡ଼ା ତା ପରିଚୟ ହରାଇବ। ତାର ସ୍ବତନ୍ତ୍ରତା ହଜିଯିବ। ଆଉ ସେ ଘୋଡ଼ା ହୋଇ ରହିବନାହିଁ। ତେଣୁ ଘୋଡ଼ା ଏଇଠି ରହୁ। କେମିତି ରହିପାରିବ, ସେ କଥା ଯଦି ରାଜା ମୋଠାରୁ ଜାଣିବାକୁ ଚାହାନ୍ତି, ମୁଁ ବତାଇବାକୁ ପ୍ରସ୍ତୁତ’। ଶୁଣୁଥିବା ଲୋକମାନେ ଘୋଡ଼ାର ସମ୍ମାନ କେମିତି ହଜିବ, ସ୍ବତନ୍ତ୍ରତା କେମିତି କ୍ଷୁଣ୍ଣ ହେଵ, ବୁଝିନପାରି ଟୁପଟାପ ହେଲେ।

ଏଥର ସାମନାକୁ ଆସିଲେ ଜଣେ ରାଜନେତା। ଏମାନେ ତ ସ୍ତ୍ରୀ ଖାଇବାକୁ ବାଢିବାରେ ବିଳମ୍ବ କଲେ ମଧ୍ୟ ‘ଆନ୍ଦୋଳନ ହେବ’ କହି ଚିତ୍କାର କରନ୍ତି। ଏ ନେତା ସାମନାକୁ ଆସି ଚିତ୍କାର କଲେ: ‘‘ଘୋଡ଼ା ହଟିଲା ତ’ ଆନ୍ଦୋଳନ ଥୟ। ରାଜଧାନୀ ଯେବେଠାରୁ ହେଲାଣି ଏ ଘୋଡ଼ା ସେବେଠାରୁ ଏଠାରେ ଠିଆହୋଇଛି। ଏ ଘୋଡ଼ା ଆମର ପରିଚୟ। ରାଜା ଏମିତି ଘୋଡ଼ାକୁ ହଟାଇପାରିବେନି। ରାଜ୍ୟରେ ନିଆଁ ଲାଗିଯିବ।’’ ଲୋକମାନେ ପୁଣି ଆଲୋଚନା କଲେ, ରାଜଧାନୀ ହେଲାବେଳେ ତ’ ଘୋଡ଼ାର ଶିଳ୍ପୀଙ୍କୁ ମାତ୍ର ପାଞ୍ଚବର୍ଷ ବି ପୂରିନଥିଲା, ଏ ଦି’ମହଲା ଉଚ୍ଚ ମୂର୍ତ୍ତି ସେ କେମିତି ତିଆରିକଲେ? ଆଉ ଜଣେ ଯୁବକ କହିଲେ, ‘ମୁଁ ପରା ଏ ଘୋଡ଼ା ତିଆରିବେଳେ ଏଇବାଟେ ସ୍କୁଲ ଯାଉଥିଲି’!

ଏବେ କହିବାପାଳି ସଂପ୍ରତି ରୋଗୀସେବା କରୁଥିବା ଜଣେ ପୂର୍ବତନ ରାଜନେତାଙ୍କର। ସିଏ ସିଧା କହିଲେ: ‘ରାଜାଙ୍କର ଯେଉଁ ପାରିଷଦମାନେ ଘୋଡ଼ା ସ୍ଥାନାନ୍ତରଣର ନିଷ୍ପତ୍ତି ନେଇଛନ୍ତି, ସେମାନେ ଜାଣିଛନ୍ତି କି ଏ ଘୋଡ଼ା ଏଠି କିଏ ରଖିଛି, କାହିଁକି ରଖିଛି? ଏସବୁ ନ ଜାଣି ଏହାକୁ ହଟାଇବା ଅର୍ଥ, ଏହା ପଛରେ ଗୋଟିଏ ବିରାଟ ଷଢଯନ୍ତ୍ର ଅଛି। ଏଥିରୁ ଦେଶପ୍ରତି ବିଶ୍ବାସଘାତର ଗନ୍ଧ ବାରିହେଉଛି। ଜଗନ୍ନାଥଙ୍କ ମନ୍ଦିର ଯାହା, ଏ ଘୋଡ଼ା ସେଇଆ। ପ୍ରଥମେ ଜଗନ୍ନାଥ ମନ୍ଦିର ଯଦି ହଟିବ, ତା’ପରେ ଏ ଘୋଡ଼ା ହଟିବ, ନହେଲେ ନାହିଁ। ଶ୍ରୋତାମାନେ ପୁଣି ଗୁଣୁ ଗୁଣୁ ହେଲେ, କି ଷଢ଼ଯନ୍ତ୍ର ଥାଇପାରେ? ଜଗନ୍ନାଥଙ୍କ ମନ୍ଦିର ସହିତ ଏ ଘୋଡ଼ାର ସଂପର୍କ କ’ଣ, ଚିନ୍ତା କରି ପରସ୍ପରର ମୁହଁକୁ ଚାହିଁଲେ।

ଶେଷରେ ଚାଲିପାରୁନଥିବା ଜଣେ ଅଶୀତିପର ବୃଦ୍ଧ,ବିଶିଷ୍ଟ ବ୍ୟକ୍ତି ସାମନାକୁ ଆସିଲେ। ସେ ଥର ଥର କଣ୍ଠରେ କହିଲେ:‘ଏ ଘୋଡ଼ା ପାଇଁ କେଉଁ ଆବହମାନ କାଳରୁ ଏ ଛକର ନାଆଁ ଘୋଡ଼ା ଛକ ରହିଛି। ଏବେ ବି ଲୋକମାନେ ରାଜଧାନୀ ଆସିଲେ ଘୋଡ଼ା ଛକକୁ ରାସ୍ତା ପଚାରନ୍ତି। ତେଣୁ ଗୋଟିଏ ଜାଗାର ଚିହ୍ନକୁ ରାଜା ଏମିତି ବଦଳାଇ ପାରିବେନି। ଏଠି ଅନେକ ଲୋକ ଏ ଘୋଡ଼ାର ଦର୍ଶନ ପାଉଛନ୍ତି। ରାଜ ନଅର ସାମନାରେ ବହୁ କମ୍ ଲୋକ ଏହାକୁ ଦେଖିବେ। ତେଣୁ ପ୍ରସ୍ତାବ ପ୍ରତ୍ୟାହାର ହେଉ’। ଜନତା ଟୁପଟାପ ହେଲେ, ଆରେ ଏ ଛକର ନାଆଁ ତ ‘ଚାନ୍ଦ ଭୋଜନାଳୟ’ ଛକ, ଘୋଡ଼ା ଛକ କେତେବେଳେ ହେଲା?

ଏମିତି ଆଲୋଚନା ପର୍ଯ୍ୟାଲୋଚନା ଭିତରେ ଏ କଥାକୁ କାନେଇଥିବା ତିନିଟି ପିଲା ପାଣି ବାଲ୍ଟିଟିଏ ଧରି ଅନାବନା ଜଙ୍ଗଲରେ ଭର୍ତ୍ତି ସେଇ ଘୋଡ଼ା ଆଡକୁ ଚାଲିଲେ। ଜଣେ ବହୁ କଷ୍ଟରେ ଘୋଡ଼ା ଉପରେ ଚଢ଼ିଲା, ଆଉ ଜଣେ ଘୋଡ଼ାର ଜଙ୍ଘ ପର୍ଯ୍ୟନ୍ତ। ତଳେ ଥିବା ପିଲାଟି ମଗରେ ପାଣି ଉପରକୁ ବଢାଇଲା। ଉପରେ ଚଢିଥିବା ପିଲା ଦି’ଜଣ ଘୋଡ଼ାର ଦେହରୁ ନେଳି ପଡିଯାଇଥିବା ଶିଉଳି ସଫାକରି ପାଣିରେ ଧୋଇଦେଲେ। ପରିଷ୍କାର ହୋଇଯିବାରୁ ଘୋଡ଼ାର ପଥର ଶରୀର ଖରାରେ ଚକ୍ ଚକ୍ ଦେଖାଗଲା। ତଳେ ଠିଆହୋଇଥିବା ପିଲାଟି ଘୋଡ଼ାର ମୁହଁକୁ ଧୋଇଦେଇ ଅଣ୍ଟାରୁ ଗାମୁଛା ଖୋଲି ପୋଛିଦେଲା। ମଗରେ ପାଣି ନେଇ ଘୋଡ଼ାର ମୁହଁ ପାଖରେ ଧରି କହିଲା: ‘ନେ’ରେ ଘୋଡ଼ା, ପାଣି ଟିକିଏ ପିଇଦେ। ଆହୁରି ବହୁତ କଥା ତୋର ଶୁଣିବାକୁ, ଦେଖିବାକୁ ବାକିଅଛି।’

Comments are closed.