କୋଭିଡ୍‌ ଭୂତାଣୁ ଉତ୍ପତ୍ତି: ଅସମାହିତ ପ୍ରଶ୍ନ

ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ

ବର୍ଷାଧିକକାଳ କୋଭିଡ୍‌-୧୯ ଭୂତାଣୁ କବଳରେ ବିଶ୍ବ ଉବୁଟୁବୁ ହେବା ସତ୍ତ୍ବେ ଏହାର ଉତ୍ପତ୍ତି ସମ୍ବନ୍ଧୀୟ ଅନେକ ପ୍ରଶ୍ନର ସମାଧାନ ହୋଇପାରିନାହିଁ। କୋଭିଡ୍‌-୧୯ ବା କରୋନା ଭୂତାଣୁ ବିଶ୍ବବାସୀଙ୍କୁ ଏପରି କଣ୍ଠାଗ୍ରତ କଲାଣି ଯେ ପ୍ରତ୍ୟେକେ ଜୀବନ ରକ୍ଷାପାଇଁ ବିକଳ। ଏକଥା ସତ ଯେ ୟୁହାନ ନଗରୀରୁ କୋଭିଡ୍‌-୧୯ ମହାମାରୀର ଉତ୍ପତ୍ତି ହୋଇଛି। ଦ୍ବନ୍ଦ୍ବ ଉପୁଜିଛି, ଏହା ପ୍ରାକୃତିକ ଭାବରେ ପଶୁଙ୍କଠାରୁ ମଣିଷ ସଂକ୍ରମିତ ହୋଇଛି (ଯାହା ଚୀନ ସରକାରଙ୍କ ତରଫରୁ ସଫେଇ ଦିଆଯାଇଛି) ନା ୟୁହାନସ୍ଥିତ ‘ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି’ ପରୀକ୍ଷାଗାରରୁ ଆସିଛି।

ଯାହା ହେଲେ ବି ଚୀନକୁ କାଠଗଡ଼ାକୁ ଟଣାଯିବା ଉଚିତ। କାରଣ ଯେ କୌଣସି ପରିସ୍ଥିତିରେ ଉତ୍ପତ୍ତି ହୋଇଥିଲେ ବି ଉତ୍ପତ୍ତିସ୍ଥଳରେ ହିଁ ଏହାକୁ ନିୟନ୍ତ୍ରଣ କରିବା ଚୀନ ପରି ଏକ କମ୍ୟୁନିଷ୍ଟ ଶାସିତ ରାଷ୍ଟ୍ରରେ ବିଶେଷ କଷ୍ଟକର ହୋଇ ନଥା’ନ୍ତା। ତା’ ହୋଇଥିଲେ ବିଶ୍ବର ଯେଉଁ ତିରିଶଲକ୍ଷରୁ ଊର୍ଦ୍ଧ୍ବ ଜୀବନ ହାନି ହେଲା, ତାହା ହୋଇ ନ’ଥାନ୍ତା। ସେଥିପାଇଁ ଚୀନ ଦାୟୀ ରହିବା କଥା। ଅନ୍ୟ ପକ୍ଷରେ ଚୀନରେ କରୋନା ଯୋଗୁଁ ସଂକ୍ରମଣ ହେବା ପ୍ରଥମେ ପ୍ରକାଶ କରିଥିବା ଡାକ୍ତରଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିଲା। ତହିଁରୁ ଚୀନର ମନ୍ଦ ଉଦ୍ଦେଶ୍ୟର ଆଭାସ ମିଳୁଛି। ଏବେ କୋଭିଡ୍‌-୧୯ ସଂକ୍ରମଣ ପ୍ରାକୃତିକ ଭାବରେ ବାଦୁଡ଼ିଦ୍ବାରା ସଂକ୍ରମଣ ଯୁକ୍ତିର ହାତଗୋଡ଼ ନଥିବା ପରି ଲାଗୁଛି। ଏହାର କାରଣ ଅନେକ। ‘ୟୁହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି’ ପରୀକ୍ଷାଗାରରେ ଭୂତାଣୁ ଗବେଷଣା ଲାଗିରହିଛି। ପୁନଶ୍ଚ ୟୁହାନରେ ଏହା ପ୍ରଥମ କୋଭିଡ୍‌ ସଂକ୍ରମଣ ନୁହଁ।

୨୦୦୨ ମସିହାରେ ଥରେ ଓ ୨୦୧୨ ମସିହାରେ ଆଉଥରେ ହୋଇଥିଲା। ପ୍ରଥମଥର ଚାରିମାସ ଭିତରେ ଉତ୍ପତ୍ତିର କାରଣ ଜଣାପଡ଼ିଥିଲାବେଳେ ଦ୍ବିତୀୟଥର ନଅମାସ ଭିତରେ ସଂକ୍ରମଣର କାରଣ ଜଣାପଡ଼ିଥିଲା। ମାତ୍ର କୋଭିଡ୍‌-୧୯ର ସଂକ୍ରମଣ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ। କୁହାଯାଇଛି ଯେ ପଶୁହାଟରୁ ସଂକ୍ରମଣ ଆରମ୍ଭ ହୋଇଛି।

ମୋର ଚୀନ ଭ୍ରମଣ କାଳରେ ଗୋଟିଏ ପଶୁହାଟ ଦେଖିବାର ସୁଯୋଗ ମିଳିଥିଲା। ଏପରି ହାଟରେ ଖାଦ୍ୟ ନିମନ୍ତେ ବିଭିନ୍ନ ପ୍ରକାର ପଶୁପକ୍ଷୀ, ଏପରିକି ପୋକଜୋକ ବିକ୍ରି ହେବା ମୋ ନଜରରେ ପଡ଼ିଥିଲା। ଜଣେ ଚୀନାବ୍ୟକ୍ତିଙ୍କ ସହିତ ଆଳାପରୁ ସେ କହିଲେ ଯେ କେବଳ ମଣିଷଙ୍କୁ ଛାଡ଼ିଦେଲେ ଅନ୍ୟାନ୍ୟ ପଶୁପକ୍ଷୀ ଚୀନବାସୀଙ୍କ ପାଇଁ ଖା‌େଦ୍ୟାପଯୋଗୀ। ସେତେବେଳେ ବାଦୁଡ଼ି ମୋ ନଜରରେ ପଡ଼ି ନଥିଲା। ଏତେବଡ଼ ହାଟରେ ହୁଏତ ମୋ ନଜର ଆଢ଼ୁଆଳରେ କେଉଁଠି ରହିଯାଇଥିବ; କିନ୍ତୁ ଅନ୍ୟ ଗୋଟିଏ ବିଷୟକୁ ବିଚାରକୁ ନେଲେ ଚୀନ ସରକାରଙ୍କ ଯୁକ୍ତି ଗ୍ରହଣଯୋଗ୍ୟ ହେବନାହିଁ। ୟୁହାନରେ ସାଧାରଣତଃ ବାଦୁଡ଼ି ଦେଖାଯାଆନ୍ତି ନାହିଁ। ୟୁହାନରୁ ଖୁବ୍‌ ଦୂରଜାଗା ୟୁନାନରେ ଯଥେଷ୍ଟ ବାଦୁଡ଼ି ଥିବା ଦେଖାଯାଏ।

ୟୁହାନରୁ ୟୁନାନର ଦୂରତା ପ୍ରାୟ ଦୁଇହଜାର କିଲୋମିଟର; ଉଡ଼ିବାପାଇଁ ହୁଏତ ସାମାନ୍ୟ କମ୍‌ ହୋଇପାରେ, କିନ୍ତୁ ବାଦୁଡ଼ି ଏତେଦୂର ଉଡ଼ିବା ଦେଖାଯାଏ ନାହିଁ। ଏହି ଯୁକ୍ତି ସପକ୍ଷରେ ଅନ୍ୟ ଗୋଟିଏ ତଥ୍ୟ ହେଉଛି ୟୁହାନରେ ପ୍ରଥମ କୋଭିଡ୍‌ ସଂକ୍ରମଣ ଦେଖା ଦେଇଥିଲା ୨୦୧୯ ମସିହା ସେପ୍ଟେମ୍ବର ମାସରେ। ସେ ସମୟରେ ଶୀତ ପ୍ରବଳ ଓ ବାଦୁଡ଼ିମାନେ ରାତିରେ ଖାଇବାପାଇଁ ବି ବାହାରନ୍ତି ନାହିଁ ଶୀତନିଦ୍ରା ଯୋଗୁ। ତେଣୁ ଚୀନ ସରକାରଙ୍କ ଯୁକ୍ତି ସନ୍ଦେହ ଘେରରେ।

ଉପର ଯୁକ୍ତି ଯେହେତୁ ସନ୍ଦେହ ଘେରରେ, ୟୁହାନ ପରୀକ୍ଷାଗାରରୁ ସଂକ୍ରମଣ ଯୁକ୍ତି ଉପରେ ଜୋର ଦିଆଯାଉଛି। ପ୍ରକାଶ ଥାଉକି ୟୁହାନ ପରୀକ୍ଷାଗାରରେ ବିଗତ କୋଡ଼ିଏ ବର୍ଷଧରି କୋଭିଡ ଭୂତାଣୁ ଉପରେ ଗବେଷଣା ଚାଲୁ ରହିଥିବା ଜଣା ପଡ଼ିଛି। କେବଳ ସେତିକି ନୁହେଁ ଗବେଷଣାର ଧାରା ମଧ୍ୟ ପ୍ରକାଶ ପାଇଛି। ମୂଷାମାନଙ୍କୁ ଏକ ନିର୍ଦିଷ୍ଟ ଧାରାରେ ପ୍ରଜନନ କରାଯାଇ ତାଙ୍କ ଶରୀରରେ ଭୂତାଣୁ ରୋଗ ନକରିବା ଉଦ୍ଦିଷ୍ଟ ଗୁଣ ମିଳିଲାପରେ ଭୂତାଣୁକୁ ପ୍ରସ୍ତୁତ କରାଯାଏ, ଯେପରି ଏହା ମଣିଷପାଇଁ ଘାତକ ପ୍ରମାଣିତ ହେବ। ଏହା ଅନେକ ବୈଜ୍ଞାନିକ ମତ ପୋଷଣ କରିଛନ୍ତି। ଏପରି କାର୍ଯ୍ୟ କ’ଣ ମାନବ ସମାଜର ମଙ୍ଗଳପାଇଁ ଉଦ୍ଦିଷ୍ଟ!

ଏହା ଜଣା ପଡ଼ିଲାପରେ କେତେକ ବୈଜ୍ଞାନିକ ଚୀନକୁ ଘଣ୍ଟ ଘୋଡ଼ାଇବା ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଛନ୍ତି ଯେ ଏହା ଏକ ପରୀକ୍ଷାଗାର ଦୁର୍ଘଟଣା। କାରଣ ଅସ୍ପଷ୍ଟ। ଚୀନ ବିପକ୍ଷରେ ସ୍ବର ଉତ୍ତୋଳନ କରିବାକୁ ସମ୍ଭବତଃ ଇଚ୍ଛା କରୁନାହାନ୍ତି ଭୟରେ, ଯେହେତୁ ଚୀନ ପରମାଣୁ ବୋମା ସହିତ କୋଭିଡ୍‌ ୧୯ ପରି ମାରାତ୍ମକ ଅସ୍ତ୍ରର ଅଧିକାରୀ। ଏପରିକି ଚୀନ ଅନେକ ଦେଶକୁ ଅର୍ଥବଳ ଦ୍ବାରା ବଶ କରି ରଖିଛି। ସେ ଦେଶଗୁଡ଼ିକ ଚୀନ ବିରୋଧରେ ସ୍ବର ଉତ୍ତୋଳନ କରିବାର ପ୍ରଶ୍ନ ଉଠୁନାହିଁ। ଧରାଯାଉ ଯେ ଏହାଏକ ପରୀକ୍ଷାଗାରର ଦୁର୍ଘଟଣା। ଏହାକୁ ଉତ୍ପତ୍ତିସ୍ଥଳରେ ନିୟନ୍ତ୍ରଣ କରାଯାଇ ପାରି ଥାଆନ୍ତା, ଯଦ୍ଦ୍ବାରା ବିଶ୍ବ ମହାମାରୀର ରୂପ ନେଇ ନଥାଆନ୍ତା। ଏଥିରୁ ଚୀନ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ଥିଲା ପରି ପ୍ରତ୍ୟୟ ହେବା ସ୍ବାଭାବିକ।

ଅତ୍ୟନ୍ତ ଭୟଙ୍କର ତଥ୍ୟ ଏବେ ପଦାକୁ ଆସିଛି। ୟୁହାନ ପରୀକ୍ଷାଗାରରେ କୋଭିଡ୍‌ ଗବେଷଣାପାଇଁ ଆମେରିକାର ପିଟର ଡାସଜାକଙ୍କ ନ୍ୟୁୟର୍କ କମ୍ପାନୀ ତରଫରୁ ଅର୍ଥ ଯୋଗାଇ ଦିଆଯାଇଛି। ଏପରି କାର୍ଯ୍ୟପାଇଁ ଆମେରିକା ସରକାରଙ୍କର ଅନୁମୋଦନ ଥିବ ବୋଲି ଅନୁମାନ କରାଯାଉଛି। ସାଧାରଣତଃ ଏପରି ପ୍ରକଳ୍ପ ପାଇଁ ସରକାର ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନଙ୍କ ସମର୍ଥନ ଲୋଡ଼ନ୍ତି। ମାତ୍ର ଦେଖାଯାଏ ଯେ ବିଶ୍ବବିଦ୍ୟାଳୟର ବୈଜ୍ଞାନିକ ସମର୍ଥନ ନଦେଲେ ବିଶ୍ବବିଦ୍ୟାଳୟ ସରକାରଙ୍କ ଆର୍ଥିକ ଅନୁଦାନରୁ ବଞ୍ଚିତ ହେବାକୁ ପଡ଼େ। ଏହାର ଅର୍ଥ ବୈଜ୍ଞାନିକଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯାଏ। ସେହି କାରଣରୁ ବୈଜ୍ଞାନିକମାନଙ୍କ ସମର୍ଥନ ଥାଇପାରେ। ଏପରି ଯୁକ୍ତିକୁ ସମର୍ଥନ କରୁଛି ଆମେରିକା ତରଫରୁ ଯେତେ ଟାଣୁଆ ସ୍ବର ଉଠିବା କଥା ସେତେଟା ନହେଲା ପରି ଲାଗୁଛି। ତେଣୁ କୋଭିଡ୍‌-୧୯ ଉତ୍ପତ୍ତିର ପ୍ରଶ୍ନର ସମାଧାନ ହୋଇପାରୁନାହିଁ।

Comments are closed.