ପ୍ରଶାସନିକ ସେବା ସଦସ୍ୟଙ୍କ ଆଚରଣ

ଅରୁଣ କୁମାର ରଥ

ସଂଘୀୟ ଶାସନ ମାଧ୍ୟମରେ ଏକ ସୁଦୃଢ଼ ଦେଶ ନିର୍ମାଣ କରିବା ଉଦ୍ଦେଶ୍ୟରେ ଭାରତୀୟ ସମ୍ବିଧାନରେ ଭାରତୀୟ ପ୍ରଶାସନିକ ସେବା ଓ ଅନ୍ୟ ସର୍ବଭାରତୀୟ ସେବାର ବ୍ୟବସ୍ଥା ରଖାଯାଇଛି। ଭାରତୀୟ ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ସରକାରଙ୍କ ତୁଳନାରେ କେନ୍ଦ୍ର ସରକାରଙ୍କୁ ଅଧିକ ଉଚ୍ଚସ୍ଥାନ ଓ ଶକ୍ତି ଦିଆଯାଇଛି। ସମ୍ବିଧାନ ପ୍ରଣେତାମାନେ ଏ କଥା ଅନୁମାନ କରିଥିଲେ ଯେ, ଭବିଷ୍ୟତରେ ଗଣତାନ୍ତ୍ରିକ ପଦ୍ଧତିରେ ବିଭିନ୍ନ ରାଜନୈତିକ ଦଳ ଓ ଆଞ୍ଚଳିକ ନେତୃବୃନ୍ଦ କିଭଳି ରାଜ୍ୟରେ ଶାସନ କରିବା ସହିତ କେନ୍ଦ୍ରରେ ମଧ୍ୟ ଶାସନ କରିବାର ସମ୍ଭାବନା ରହିବ। ସର୍ଦାର ପଟେଲଙ୍କ ଦୂରଦର୍ଶିତା ଯୋଗୁଁ ସର୍ବଭାରତୀୟ ଦୃଷ୍ଟିକୋଣ ଥିବା ବିଭିନ୍ନ ସର୍ବଭାରତୀୟ ସେବା ବ୍ୟବସ୍ଥା ଗଠନ କରି ସେମାନଙ୍କୁ ସାମ୍ବିଧାନିକ ସୁରକ୍ଷା ଓ ପ୍ରତିବଦ୍ଧତା ଦିଆଗଲା। ସର୍ବଭାରତୀୟ ସେବା ନିୟମାବଳୀ ପ୍ରଣୟନ କରାଗଲା। ଯାହା ଦ୍ବାରା ସେବାରେ ନିୟୋଜିତ ସଦସ୍ୟମାନେ ସାହସ, କୁଶଳତା ଓ ନିଷ୍ଠାପରତାର ସହିତ ଜାତୀୟ ମନୋଭାବ ବହନ କରି କାର୍ଯ୍ୟ ସମ୍ପାଦନ କରିବେ ଏବଂ ସଂକୀର୍ଣ୍ଣ ଓ ଦଳୀୟ ରାଜନୀତିର ଊର୍ଦ୍ଧ୍ବରେ ରହି ଏକ ସମୃଦ୍ଧଶାଳୀ ଦେଶର ପରିକଳ୍ପନାରେ ନିୟୋଜିତ ରହିବେ। ଭାରତୀୟ ପ୍ରଶାସନିକ ସେବାର ସଦସ୍ୟମାନଙ୍କୁ ସାମ୍ବିଧାନିକ ପ୍ରତିବଦ୍ଧତା ଓ ସୁରକ୍ଷା ଦିଆଯାଇଛି ଯାହାଦ୍ବାରା ସେମାନେ ସମଗ୍ର ଦେଶର ହିତରେ କାର୍ଯ୍ୟ କରିବେ ଏବଂ ସ୍ଥାନୀୟ ରାଜନୈତିକ ଚାପରେ ପ୍ରଭାବିତ ହେବେ ନାହିଁ।

ବିଗତ ସାତ ଦଶକରେ ବିଭିନ୍ନ ସର୍ବଭାରତୀୟ ସେବା ଓ ଭାରତୀୟ ପ୍ରଶାସନିକ ସେବାର ସଦସ୍ୟଙ୍କ ପକ୍ଷରେ ଏ ପ୍ରକାର ଅଙ୍ଗୀକାରବଦ୍ଧତା ଓ ସୁରକ୍ଷାକୁ କୌଣସି ରାଜନୈତିକ ଶକ୍ତି ପରିବର୍ତ୍ତନ କରିନାହାନ୍ତି, ଯାହା ଭାରତ ପାଇଁ ଏକ ଶୁଭ ସଂକେତ। ସବୁ ଅଙ୍ଗୀକାରବଦ୍ଧତା ଓ ସୁରକ୍ଷା ସତ୍ତ୍ବେ ଭାରତୀୟ ପ୍ରଶାସନିକ ସେବାର ସଦସ୍ୟମାନଙ୍କ ସମ୍ବନ୍ଧରେ କେତେକ ଅଶୋଭନୀୟ ଘଟଣାମାନ ଦୃଷ୍ଟିଗୋଚର ହେଉଛି, ଯାହା ଦ୍ବାରା ଏହି ସେବାର ମର୍ଯ୍ୟାଦାରେ ହାନି ପରିଲକ୍ଷିତ ହେଉଛି। ଏହି ପରିପ୍ରେକ୍ଷୀରେ ୨୮ ମଇ, ୨୦୨୧ ତାରିଖରେ ଭାରତର ପ୍ରଧାନମନ୍ତ୍ରୀଙ୍କ ସରକାରୀ ଗସ୍ତ ସମୟରେ ପଶ୍ଚିମବଙ୍ଗର କଲାଇକୁଣ୍ଡା ବିମାନ ବନ୍ଦରରେ ପଶ୍ଚିମବଙ୍ଗ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ଭଳି ବରିଷ୍ଠ ଆଇଏଏସ ଅଧିକାରୀଙ୍କ ଆଚରଣକୁ ବିଶ୍ଳେଷଣ ଓ ପର୍ଯ୍ୟାଲୋଚନା କରିବାର ଆବଶ୍ୟକତା ଅଛି।

ଭାରତୀୟ ପ୍ରଶାସନିକ ସେବାର ସଦସ୍ୟ ଭାରତୀୟ ସମ୍ବିଧାନ ଏବଂ ସଂସଦ ଓ ରାଜ୍ୟ ବିଧାନସଭାଗୁଡ଼ିକ ଦ୍ବାରା ଅନୁମୋଦିତ ଆଇନ ପ୍ରତି ପ୍ରତିଜ୍ଞା ଓ ନିଷ୍ଠା ରଖିବା ଦରକାର। ଦେଶର କୌଣସି ସ୍ଥାନକୁ ପ୍ରଧାନମନ୍ତ୍ରୀ ସରକାରୀ ଗସ୍ତରେ ଗଲେ ସେଠାରେ ତାଙ୍କ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପାଦିତ ହେବା ନିମନ୍ତେ ସମସ୍ତ ପ୍ରଶାସନିକ ଅଧିକାରୀ, ପୁଲିସ ଓ ଅନ୍ୟ କର୍ତ୍ତୃପକ୍ଷଙ୍କୁ କଡ଼ାକଡ଼ି ଭାବେ ଗସ୍ତ ଓ ସୁରକ୍ଷା ସମ୍ବନ୍ଧିତ ସମସ୍ତ ନିୟମ ପାଳନ କରିବାକୁ ପଡ଼ିଥାଏ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ବନ୍ଧୀୟ ସୁରକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥା ବିଷୟରେ ସବିଶେଷ ଭାବେ ନିୟମ ଓ ପ୍ରକ୍ରିୟା ‘ବ୍ଲୁ ବୁକ୍’ରେ ଲିଖିତ ଓ ବର୍ଣ୍ଣିତ ହୋଇଛି। ଏହାର ବିଷୟବସ୍ତୁ ଓ ନିୟମଗୁଡ଼ିକ ସଂକ୍ରାନ୍ତରେ ସମସ୍ତ ଆଇଏଏସ ଅଧିକାରୀ ତାଲିମ ନେଇଥାନ୍ତି। ସେମାନେ ଏହାକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ସହିତ କାର୍ଯ୍ୟକାରୀ କରିବା ନିହାତି ଆବଶ୍ୟକ। କାରଣ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନିୟମାବଳୀକୁ ହାଲ୍କାଭାବେ ଗ୍ରହଣ କରିବା ଅନୁଚିତ। ସେଥିପାଇଁ କୌଣସି ଅଧିକାରୀ ଏହିସବୁ ନିୟମାବଳୀକୁ ପାଳନ ନକରିବା ନିୟମସମ୍ମତ ନୁହେଁ ଏବଂ ଅବହେଳା ପାଇଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର।

ପଶ୍ଚିମବଙ୍ଗରେ ବାତ୍ୟା ‘ୟସ’ର କ୍ଷୟକ୍ଷତି ଅନୁଧ୍ୟାନ ନିମନ୍ତେ ପ୍ରଧାନମନ୍ତ୍ରୀ ଯେତେବେଳେ କଲାଇକୁଣ୍ଡା ବିମାନବନ୍ଦରରେ ଅବତରଣ କଲେ ସେତେବେଳେ ରାଜ୍ୟର ମୁଖ୍ୟ ସଚିବଙ୍କର ଆଚରଣ କ’ଣ ଥିଲା? ସେ ନା ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରି ପାଛୋଟି ନେବାକୁ ଆସିଲେ ନା ବିଦାୟ ସମୟରେ ବିଦାୟ ଦେବାକୁ ଉପସ୍ଥିତ ରହିଲେ; ଯାହା କି ‘ବ୍ଲୁ ବୁକ୍’ର ନିୟମର ବିରୁଦ୍ଧ। ରାଜ୍ୟ ଭ୍ରମଣରେ ଆସିଥିବା ଜଣେ ଅତି ବିଶିଷ୍ଟ ଅତିଥିଙ୍କୁ ସୌଜନ୍ୟ ପ୍ରଦର୍ଶନ ନ କରିବା ଏବଂ ତାଙ୍କୁ ଛାଡ଼ି ଚାଲିଯିବା ନିନ୍ଦନୀୟ ଆଚରଣ! ବାତ୍ୟା କ୍ଷୟକ୍ଷତି ବିଷୟରେ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ପୂର୍ଣ୍ଣ ସମୟ ନ ରହିବା ଏବଂ ପ୍ରଧାନମନ୍ତ୍ରୀଙ୍କୁ ବିଷଦଭାବେ ଅବଗତ ନ କରିବା ନିଶ୍ଚିତ ଅଶୋଭନୀୟ ଆଚରଣ। ମୁଖ୍ୟ ଶାସନ ସଚିବ ସମ୍ପୂର୍ଣ୍ଣ ରୂପେ ଜାଣିଥିଲେ ଯେ ‘ବ୍ଲୁ ବୁକ୍’ର ନିୟମ, ଜାତୀୟ ବିପର୍ଯ୍ୟୟ ସମ୍ବନ୍ଧିତ ଆଇନ ଓ ସାମାନ୍ୟ ଶିଷ୍ଟାଚାର ଅନୁପାଳନ ନ କରି ଏସବୁର ଉଲ୍ଲଙ୍ଘନ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ପୂର୍ବରୁ ସେ ପ୍ରସ୍ଥାନ କରିବା ଦ୍ବାରା ପ୍ରଶାସନିକ ସେବା ଆଚରଣ ନିୟମ, ଶୃଙ୍ଖଳା ଓ ଅନୁଶାସନକୁ ସେ ଭ୍ରୂକ୍ଷେପ କଲେ ନାହିଁ ଯାହା ଅଶୋଭନୀୟ।

ତେବେ ପ୍ରଶ୍ନ ଉଠେ, ଯେ ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ଏଭଳି ନିମ୍ନସ୍ତରର ଆଚରଣ କାହିଁକି ପ୍ରଦର୍ଶନ କଲେ? ଏଭଳି ଅସମୀଚୀନ ଆଚରଣ ଦ୍ବାରା ସେ କି ପ୍ରକାର ଲାଭ ବା ସୁବିଧା ପାଇଲେ ବା ପାଇବେ। ତଦନ୍ତ ହିଁ ଏହା ଦର୍ଶାଇବ! ଯଦି ଏଥି ନିମନ୍ତେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେଲା, ତେବେ ଭବିଷ୍ୟତରେ ଦେଶର ପ୍ରଧାନମନ୍ତ୍ରୀ ବିରୋଧୀଦଳ ଶାସିତ ରାଜ୍ୟଗୁଡ଼ିକୁ ଗସ୍ତରେ ଯାଇ ପାରିବେ କି? ଉକ୍ତ ବାତ୍ୟା ପ୍ରସଙ୍ଗରେ ଏକା ଦିନରେ ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ବର ଗସ୍ତ ସମୟରେ ଓଡ଼ିଶାରାଜ୍ୟ ତାଙ୍କୁ ଗରିମାମୟ ଓ ନିୟମସମ୍ମତ ଅତିଥି ସତ୍କାର କରି ଏକ ଅନବଦ୍ୟ ଉଦାହରଣ ସୃଷ୍ଟି କରିଛି। ଏହାଦ୍ବାରା ଓଡ଼ିଶାର କୌଣସି କ୍ଷତି ହେଲା କି? ବାସ୍ତବରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ସମ୍ମାନ ଓ ସୌଜନ୍ୟ ଯୋଗୁଁ ଓଡ଼ିଶାର ଭାବମୂର୍ତ୍ତି ଓ ସଦିଚ୍ଛା ବୃଦ୍ଧି ପାଇଛି।

ପଶ୍ଚିମବଙ୍ଗର ମୁଖ୍ୟଶାସନ ସଚିବଙ୍କ ଏଭଳି ଅନାବଶ୍ୟକ ଓ ବିବାଦୀୟ ଆଚରଣ ଭାରତୀୟ ପ୍ରଶାସନିକ ସେବାର ସଦସ୍ୟଙ୍କ ଆଚରଣ ବିଷୟରେ ଏକ ବିତର୍କ ସୃଷ୍ଟି କରାଇଛି। ଏତେ ସବୁ ସାମ୍ବିଧାନିକ ସୁରକ୍ଷା ଓ ପ୍ରତିବଦ୍ଧତା ଲାଭ କରି ଏହି ସେବାର ସଦସ୍ୟମାନେ କ’ଣ ଛିଡ଼ାହୋଇ ଦେଶ ଓ ସମ୍ବିଧାନ ପ୍ରତି ନିଜର ପ୍ରତିଜ୍ଞା ବ୍ୟକ୍ତ କରି ଗରିମାମୟ ଆଚରଣ ପ୍ରଦର୍ଶନ କରିବାକୁ ବଚନବଦ୍ଧ ହୋଇପାରିବେ? ଭାରତୀୟ ପ୍ରଶାସନିକ ସେବାର ସଦସ୍ୟମାନେ ଆତ୍ମଚିନ୍ତନ କରିବା ଦରକାର ଯେ ସେମାନେ କ୍ଷମତାସୀନ ରାଜନୈତିକ ଦଳ ବା କୌଣସି ଶକ୍ତିଶାଳୀ ରାଜନେତାଙ୍କ ପାଇଁ କାମ କରି ବିଭିନ୍ନ ପ୍ରଲୋଭନକୁ ଚରିତାର୍ଥ କରିବେ, ଅଥବା ଏକ ମହାନ ଦେଶ ନିର୍ମାଣରେ ବ୍ରତୀ ହେବେ, ଯାହାଦ୍ବାରା ସେମାନେ ନିର୍ଦ୍ଧାରିତ କର୍ତ୍ତବ୍ୟ ମାର୍ଗରୁ ବିଚଳିତ ନ ହୋଇ ନିଜକୁ ଲୋକସେବାରେ ନିୟୋଜିତ କରିପାରିବେ।

Comments are closed.