ପ୍ରଗତି ପାଇଁ ଗାନ୍ଧୀ ବିଚାରର ଅର୍ଥନୀତି

ପ୍ରହଲାଦ କୁମାର ସିଂହ

ମହାତ୍ମା ଗାନ୍ଧୀ କୌଣସି ଇଜିମ୍‍ ବା ବାଦର ସ୍ରଷ୍ଟା ନୁହନ୍ତି। ତାଙ୍କ ଭାଷାରେ ସେ ହେଉଛନ୍ତି ପ୍ରଥମ ଓ ଶେଷ ଗାନ୍ଧିବାଦୀ। ସତ୍ୟ ଓ ଅହିଂସା ପର୍ବତ ଭଳି ପୁରୁଣା। ଏହାକୁ ନିଜ ଉପରେ ପ୍ରୟୋଗ କରିବା ସହ ମାନବ ସମାଜର ଆର୍ଥିକ, ସାମାଜିକ, ରାଜନୈତିକ, ସାଂସ୍କୃତିକ, ଆଧ୍ୟାତ୍ମିକ ଓ ନୈତିକ ବିକାଶ ଲାଗି ସତ୍ୟ ଓ ଅହିଂସାର ପ୍ରୟୋଗ ଦିଗରେ ସେ ବ୍ରତୀ ଥିଲେ। ସତ୍ୟ ହିଁ ଈଶ୍ୱର ଓ ଶ୍ରମ ହିଁ ଉପାସନା। ବ୍ୟକ୍ତି ଜୀବନରୁ ରାଷ୍ଟ୍ର ଓ ବିଶ୍ୱ ଜୀବନରେ ଉନ୍ନତି ଆଣି ଏକ ସମୃଦ୍ଧ, ସମ୍ମାନଜନକ ଓ ସମତୁଲ ବ୍ୟବସ୍ଥା ସୃଷ୍ଟି ଲାଗି ସତ୍ୟାଗ୍ରହ ଥିଲା ତାଙ୍କର ସର୍ବୋକୃଷ୍ଟ ମାର୍ଗ।

ଗାନ୍ଧିଜୀଙ୍କ ଅର୍ଥନୈତିକ ବିଚାର ଉଭୟ ପୁଞ୍ଜିବାଦ ଓ ସାମ୍ୟବାଦର ବିକଳ୍ପ ଯେଉଁଥିରେ ଲୋଭ ଓ ଲାଭ କିମ୍ବା ଶ୍ରେଣୀ ଓ ଶୋଷଣହୀନ ସମାଜ ପ୍ରତିଷ୍ଠା ଲାଗି ହିଂସା, ଦ୍ୱେଷ, ଭୟ ଓ ଅତ୍ୟାଚାର ନାହିଁ। ଗାନ୍ଧିଜୀଙ୍କ ଅର୍ଥନୀତି ସହଯୋଗ ବଳରେ ଏତେ ସରଳ ଯେ ଏଥିରେ ସଂଘର୍ଷ ନାହିଁ। ତାଙ୍କ ଆର୍ଥିକ ବିଚାର ସମସ୍ତଙ୍କର ଅତ୍ୟାବଶ୍ୟକ ଅଭାବ ପୂରଣ କରେ; କିନ୍ତୁ ଅଭାବବୋଧ ଓ ଲୋଭ ବଢ଼ାଏ ନାହିଁ। କାମ କରି ପାରିଶ୍ରମିକ ପାଇ ଜଣେ ନିଜର ଆବଶ୍ୟକତା ମେଣ୍ଟାଇପାରେ। ବିନା କାମରେ ଖାଦ୍ୟଗ୍ରହଣ ତ ତାଙ୍କ ବିଚାରରେ ଚୋରି ସହ ସମାନ। ଗାନ୍ଧୀ ଦର୍ଶନରେ ଶୋଷଣ ନାହିଁ, ଅଛି ଶ୍ରଦ୍ଧା ଓ ସମ୍ମାନବୋଧ। ମୋଟାମୋଟି ଭାବେ ଗାନ୍ଧୀ ଅର୍ଥନୀତି ଭାରତୀୟ ଆଧ୍ୟାତ୍ମିକ ଭିତ୍ତି ଉପରେ ବ୍ୟକ୍ତି ବିକାଶକୁ ନେଇ ଆଧାରିତ। ସହରୀକରଣ ନୁହେଁ, ଗ୍ରାମ ସ୍ୱରାଜକୁ କେନ୍ଦ୍ରକରି ଏହି ବିଚାର ସମୃଦ୍ଧ। ଦୀର୍ଘ ବର୍ଷ ଧରି ଭାରତୀୟ ଆର୍ଥିକ ବ୍ୟବସ୍ଥା ଉପରେ ଉପନିବେଶବାଦ, ପୁଞ୍ଜିବାଦ, ସମାଜବାଦ, ସାମ୍ୟବାଦ ଆଦିର ପ୍ରୟୋଗ ଚାଲିଥିବାବେଳେ ଦେଶ ବିକାଶର ବାସ୍ତବ ଚିତ୍ର କରୋନା କବଳିତ ଅର୍ଥନୀତିର କରୁଣ ବିଳାପରୁ ସ୍ପଷ୍ଟ ବାରି ହେଇଯାଉଛି।

ପ୍ରାୟ ୧୩୪ କୋଟି ଜନସଂଖ୍ୟା ବିଶିଷ୍ଟ ଆମ ଦେଶର ୮୦ କୋଟି ଲୋକଙ୍କ ପାଇଁ ତେଣୁ ଦୀର୍ଘ ମାସ ଲାଗି ସରକାର ମାଗଣା ରେସନର ବ୍ୟବସ୍ଥା କରିବାକୁ ବାଧ୍ୟ ହେଉଛନ୍ତି; କାରଣ ସେମାନଙ୍କ ନିକଟରେ ଜୀବିକାର ଏବେ ବିକଳ୍ପ ନାହିଁ। ଦାଦନ ଓ ପ୍ରବାସୀ ଶ୍ରମିକ ସମସ୍ୟା ସହ ଆମ ରାଜ୍ୟର ପ୍ରାୟ ୪.୬୦ କୋଟି ଲୋକଙ୍କ ମଧ୍ୟରୁ ୩.୭୫ କୋଟିଙ୍କ ପାଇଁ ଟଙ୍କିକିଆ ଓ ମାଗଣା ଚାଉଳ ବ୍ୟବସ୍ଥା ଆମ ବିକାଶର ବିକଳ ଚିତ୍ରକୁ ପଦାରେ ପକାଉଛି। ବେକାରୀ, ବେରୋଜଗାରୀ, ଦରବୃଦ୍ଧି ଆଦି ସହ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ବି ଆମ ମୁଣ୍ଡବିନ୍ଧାର କାରଣ। ଅବଶ୍ୟ କରୋନା ଯୋଗୁଁ ବହୁ ରାଷ୍ଟ୍ରର ଜିଡିପି ତଳମୁହାଁ। ଏହି ସମସ୍ୟାରୁ ମୁକ୍ତି ପାଇଁ ଏବେ ଅନେକ ଅର୍ଥଶାସ୍ତ୍ରୀ ଗାନ୍ଧୀ ବିଚାରର ଆର୍ଥିକ ବ୍ୟବସ୍ଥାକୁ ସଞ୍ଜୀବନୀ ଭାବେ ଦେଖୁଛନ୍ତି।

ଗାନ୍ଧିଜୀଙ୍କୁ ଜଣେ ଘନିଷ୍ଠ ସହକର୍ମୀ ଡଃ ଜେ.ସି. କୁମାରାପ୍ପା ଅର୍ଥଶାସ୍ତ୍ର ଉପରେ ଦେଶ ବିଦେଶରେ ଗଭୀର ଅଧ୍ୟୟନ କରିଥିଲେ। ଏହି ଅର୍ଥଶାସ୍ତ୍ରୀଙ୍କର ଅଧ୍ୟାପନା,ଗବେଷଣା ଓ କ୍ଷେତ୍ର ପ୍ରୟୋଗରେ ବେଶ୍‍ ସୁନାମ ଥିଲା। ତାଙ୍କ ରଚିତ ଇକୋନମି ଅଫ ପରମାନେନ୍ସ ପୁସ୍ତକର ମୁଖବନ୍ଧ ନିଜେ ଗାନ୍ଧୀ ଲେଖିଥିଲେ। ତାଙ୍କର ଅନ୍ୟ ବହୁ ପୁସ୍ତକ ମଧ୍ୟରେ ଗାନ୍ଧୀଆନ୍‍ ଇକୋନମିକ୍‍ ଥଟ୍‍ ବେଶ୍‍ ଚର୍ଚ୍ଚିତ। ଏଥିରେ ସେ ଗାନ୍ଧିଜୀଙ୍କ ଆର୍ଥିକ ବିଚାରକୁ ଅତି ସରଳ ଓ ସାବଲୀଳ ଢଙ୍ଗରେ ଉପସ୍ଥାପନ କରିଛନ୍ତି। ବିଶ୍ୱର ଆର୍ଥିକ ବିଚାରଧାରାଗୁଡିକୁ ପ୍ରଫେସର କୁମାରାପ୍ପା ମୁଖ୍ୟତଃ ପାଞ୍ଚଟି ବର୍ଗରେ ବିଭକ୍ତ କରିଛନ୍ତି। ପ୍ରଥମ ବର୍ଗଟି ବାଘ ପ୍ରଜାତିର ଯିଏ ଅନ୍ୟକୁ ମାରି ବଞ୍ଚେ। ସେ କୌଣସି ଉତ୍ପାଦନ ନ କରି ‘ଜୋର୍‍ ଯାର ମୁଲକ୍‍ ତା’ର’ ନୀତିରେ ଯେମିତି ବଞ୍ଚେ ତାହା କୌଣସି ଚୋର, ଡକାୟତ, ହତ୍ୟାକାରୀଠାରୁ କମ୍‍ ନୁହେଁ। ଏହି ବର୍ଗର ଉପଭୋକ୍ତାଙ୍କୁ ସେ ‘ପ୍ରିଡେଟରୀ’ ବୋଲି ଉଲ୍ଲେଖ କରିଛନ୍ତି।

ପୁଞ୍ଜିବାଦୀ ଅର୍ଥ ବ୍ୟବସ୍ଥାରେ ଶ୍ରମିକଙ୍କ ରକ୍ତ ଶୋଷି ଓ ଖାଉଟିଙ୍କୁ ଲୁଟ୍‍ପାଟ୍‍ କରି ବଢୁଥିବା ପୁଞ୍ଜିପତିମାନେ ନିଜ ସ୍ୱାର୍ଥସାଧନ ପାଇଁ ବାଘ ଭଳି ଶିକାର କରିଥାନ୍ତି। ତାଙ୍କ ମତରେ ଦ୍ୱିତୀୟ ବର୍ଗଟି ହେଉଛନ୍ତି ମାଙ୍କଡ ପ୍ରଜାତିର। ଏମାନେ ବି ନିଜେ କୌଣସି ଉତ୍ପାଦନ ନ କରି ଅନ୍ୟର ଉତ୍ପାଦନରେ ବଞ୍ଚନ୍ତି। ତେବେ ଅନ୍ୟର ଉତ୍ପାଦକୁ ଏମାନେ ଖାଇବା ସହ ନଷ୍ଟଭ୍ରଷ୍ଟ କରୁଥିଲେ ମଧ୍ୟ ବାଘ ଭଳି ଶିକାର କରନ୍ତି ନାହିଁ। ଏହି ବର୍ଗଙ୍କୁ ସେ ‘ପାରାସାଇଟ୍‍’ ବା ପରଜୀବୀ ବୋଲି ଉଲ୍ଲେଖ କରିବା ସଙ୍ଗେସଙ୍ଗେ ପକେଟ୍‍ମାର୍‍ଙ୍କ ସହ ତୁଳନା କରନ୍ତି। ବର୍ତ୍ତମାନର ଆର୍ଥିକ ବ୍ୟବସ୍ଥାରେ ଏହି ଦୁଇ ବର୍ଗର ଲୁଟିଆଙ୍କ ଦୌରାତ୍ମ୍ୟ ଅଧିକ।

ଆଉ ତିନିଟି ବର୍ଗ ହେଲେ ଛୋଟ ଚଢେଇ, ମହୁମାଛି ଓ ମା’ ଚଢେଇ ପ୍ରଜାତିର। ଛୋଟ ଚଢ଼େଇଟିଏ ଉଡି ଶିଖିବାପରେ ମା’ ବସା ଛାଡି ନିଜର ନୀଡ଼ ରଚନା କରେ। କାଠି, କୁଟା, କପଡା, ପତର ଆଦି ସଂଗ୍ରହ କରି ସେ ନିଜ ବସା ତିଆରି କରେ। ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ସେ ସଚେତନ ଥାଏ। ନିଜେ ଯେଉଁ ବସା ବାନ୍ଧେ ତାହାକୁ ସେ ବ୍ୟବହାର କରେ; କିନ୍ତୁ ବାଘ ଓ ମାଙ୍କଡ଼ ବର୍ଗ ନିଜ ଶ୍ରମରେ ନିଜ ବସା ତିଆରି କରନ୍ତି ନାହିଁ। ଏହି ଚଢେଇ ବସା ସଭ୍ୟତାର ଅଭ୍ୟୁଦୟକୁ ସୂଚାଇଦିଏ। ଚାଷୀ, ଶ୍ରମିକ ଆଦି ଏହି ବର୍ଗର। ଏହାକୁ ‘ଏଣ୍ଟପ୍ରାଇଜିଙ୍ଗ୍‍ ଷ୍ଟେଜ୍‍’ ଭାବେ ଅଭିହିତ କରାଯାଇଛି। ଚତୁର୍ଥ ବର୍ଗରେ ଥିବା ମହୁମାଛିମାନେ ଯେଉଁ ମହୁଫେଣା ସୃଷ୍ଟି କରନ୍ତି ସେଥିରେ କୋଠରିଗୁଡିକ ସଂରକ୍ଷିତ ନଥାଏ। ବ୍ୟସ୍ତ ଜୀବନ ବିତାଉଥିବା ଏହି ଛୋଟ ମାଛିଟି ମଧୁ ସଂଗ୍ରହ କରି ଆଣି କେତେବେଳେ ବି କେଉଁ ପ୍ରକୋଷ୍ଠରେ ରହିପାରେ। ସେମାନେ ଅବିଭକ୍ତ ହିନ୍ଦୁ ପରିବାର ଭଳି ଗୋଷ୍ଠୀ ଜୀବନ କାଟନ୍ତି। ଯେତେ ମହୁ ସଂଗ୍ରହ କରନ୍ତି ସେଥିରୁ ଅଳ୍ପ ନିଜେ ବ୍ୟବହାର କରି ଅବଶିଷ୍ଟ ଅନ୍ୟମାନଙ୍କ ପାଇଁ ଛାଡିଦିଅନ୍ତି। ସାମୂହିକ ଭାବେ ସେମାନେ ମହୁ ଫେଣାର ସୁରକ୍ଷା କରନ୍ତି। ଏହାକୁ ‘ଗ୍ରେଗାରିଅସ୍‍ ଷ୍ଟେଜ୍‍’ ଭାବେ ଉଲ୍ଲେଖ କରାଯାଇଛି।

ଆର୍ଥିକ ବ୍ୟବସ୍ଥାର ଶେଷ ବର୍ଗଟି ମା’ ଚଢେଇ ପ୍ରଜାତିର। ଦୁରଦୂରାନ୍ତରୁ ଥଣ୍ଟରେ ଖାଦ୍ୟ ଆଣି ସେ ଛୁଆ ଚଢେଇ ପାଟିରେ ଦିଏ। ନିଜ ଦାୟିତ୍ୱ ସମ୍ପର୍କରେ ସଚେତନ ଥାଇ ମା’ ଚଢେଇଟି ତା’ ଛୁଆକୁ ଦେଉଥିବା ଖାଦ୍ୟ ବଦଳରେ କୌଣସି ପ୍ରତିଦାନ, ପ୍ରାପ୍ତି, ପୁରସ୍କାର ଓ ପ୍ରଶଂସାର ପ୍ରତ୍ୟାଶା ରଖି ନଥାଏ। ଗାନ୍ଧିଜୀଙ୍କ ବିଚାରରେ ଏହା ହେଉଛି ‘ମଦର୍‍ ଇକୋନମି ବା ସର୍ଭିସ୍‍ ଇକୋନମି’ ପର୍ଯ୍ୟାୟର। ବାଘ ଓ ମାଙ୍କଡ ବର୍ଗର ‘ପ୍ରିଡେଟରି’ ଓ ‘ପାରାସାଇଟ୍‍’ ଅର୍ଥ ବ୍ୟବସ୍ଥା ମାନବ ସମାଜକୁ କ୍ଷତି ପହଞ୍ଚାଉଥିବା ବେଳେ ଟିକି ଚଢେଇ, ମହୁମାଛି ଓ ମା’ ଚଢେଇ ଅନ୍ୟ ଯେଉଁ ତିନି ବର୍ଗର ପ୍ରତିନିଧିତ୍ୱ କରୁଛନ୍ତି ତାହାର ବିକାଶ ଉପରେ ଗାନ୍ଧିଜୀଙ୍କ ଅର୍ଥ ବ୍ୟବସ୍ଥା ଗୁରୁତ୍ୱାରୋପ କରେ।

ଗାନ୍ଧୀ ଦର୍ଶନରେ ପ୍ରାକୃତିକ ସମ୍ପଦକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଏହା ହେଲା ‘କରେଣ୍ଟ୍‍ ଇକୋନମି’ ବା ଚଳିତ ଅର୍ଥନୀତି ଓ ‘ରିଜର୍ଭର୍‍ ଇକୋନମି’ ବା ସଂରକ୍ଷିତ ଅର୍ଥନୀତି। ‘କରେଣ୍ଟ୍‍ ଇକୋନମି’ ଅନ୍ତର୍ଭୁକ୍ତ ପ୍ରାକୃତିକ ସମ୍ପଦ ଜଳ, ବାୟୁ, ଆଲୋକ ଆଦି ଭଳି ଅସରନ୍ତି ହୋଇଥିଲେ ମଧ୍ୟ ଏହାର ଦୁରୁପଯୋଗ କରାଯିବା ଅନୁଚିତ। ‘ରିଜର୍ଭର୍‍ ଇକୋନମି’ରେ ଅନ୍ତର୍ଭୁକ୍ତ ସମ୍ପଦର ପରିମାଣ ସୀମିତ। ଚାହିଦା ଅନୁଯାୟୀ ଏହାର ପ୍ରାପ୍ତିଲାଗି ହିଂସା ଓ ଯୁଦ୍ଧର ଆଶଙ୍କା ଥାଏ। ଗାନ୍ଧୀ ବିଚାରର ଆର୍ଥିକ ବ୍ୟବସ୍ଥାରେ ଉତ୍ପାଦନ ପଦ୍ଧତିକୁ କୁମାରପ୍ପା ଦୁଇ ଭାଗରେ ବିଭକ୍ତ କରନ୍ତି। ଗୋଟିଏ ହେଲା ଗୁଣବତ୍ତା, ଶ୍ରମ, ସ୍ନେହ, ସମର୍ପଣ ଓ ତ୍ୟାଗର ଭାବନା ନେଇ ମା’ ହାତ ତିଆରି ହାଲୁଆ ଭଳି। ଅନ୍ୟଟି ଲାଭଖୋର ମନୋବୃତ୍ତି ରଖି ନିମ୍ନମାନର ସାମଗ୍ରୀରେ ରଙ୍ଗ, ମସଲା ଆଦି ଦେଇ ଦୋକାନୀ ବିକୁଥିବା ହାଲୁଆ ପରି।

ପ୍ରଥମଟି ସ୍ୱାସ୍ଥ୍ୟବର୍ଦ୍ଧକ ହୋଇଥିବାବେଳେ ଦ୍ୱିତୀୟଟି ସ୍ୱାସ୍ଥ୍ୟନାଶକ। ଫସଲ ଉତ୍ପାଦନଲାଗି ରାସାୟନିକ ସାର, କୀଟନାଶକ ବିଷ ଓ ହରମୋନ୍‍ ପ୍ରୟୋଗକୁ ଗାନ୍ଧୀ ନାପସନ୍ଦ କରନ୍ତି। ନିଶା ଖାଇ ମାତାଲ୍‍ ହେବାଟା ଶରୀରର ସ୍ଫୂର୍ତ୍ତି ନୁହେଁ, କ୍ଷତି ସାଧନ କରେ। ସେହିପରି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମେଲେରିଆ ରୋଗୀ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ଦିନକୁ ୨/୩ ଟି କୁଇନାଇନ୍‍ ବଟିକା ଖାଇବା କଥା; କିନ୍ତୁ ଶୀଘ୍ର ରୋଗ ଭଲ ହୋଇଯିବ ବୋଲି ଏକାଥରକେ ସପ୍ତାହକର କୁଇନାଇନ୍‍ ବଟିକା ଖାଇଦେଲେ ମେଲେରିଆ ସହ ମଣିଷ ବି ମରିଯାଇପାରେ। ସେହିଭଳି ମାଟିର ଯତ୍ନ ନ ନେଇ ଅଧିକ ଲାଭ ଆଶାରେ ଲୋଭ ବଢାଇ ଅପ୍ରାକୃତିକ ଉପାୟରେ ଚାଲିଲେ ଉର୍ବରତା ହ୍ରାସ ସହ ସୁଜଳା ସୁଫଳା ଜମିର କ୍ଷେତ ଦିନେ ମରୁଭୂମିରେ ପରିଣତ ହେବ ଓ ଏ ପ୍ରକାର ଖାଦ୍ୟ ଗ୍ରହଣ କରୁଥିବା ମଣିଷ ସମାଜ ବିଭିନ୍ନ ରୋଗ ବ୍ୟାଧିର ଶିକାର ହେବ। ଭୂତଳ ଓ ଭୂପୃଷ୍ଠ ଜଳର ଶୋଷଣ ଏବଂ ପରିବେଶ ପ୍ରଦୂଷଣ ବି ଭବିଷ୍ୟତରେ ଭାରି ପଡିବ।

ବହୁମୁଖୀ ସମବାୟ ସମିତି ମାଧ୍ୟମରେ ଯୋଜନାବଦ୍ଧ ଭାବେ ଆବଶ୍ୟକତା ଅନୁଯାୟୀ ବିଭିନ୍ନ କିସମର ଚାଷ ସହ କୃଷିଜାତ ସାମଗ୍ରୀର ସଂରକ୍ଷଣ ଓ ଉଚିତ୍‍ ଦାମ୍‍ରେ ବିପଣନ ହେଲେ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ ହେବ। ଚାଷ ସହ ଗ୍ରାମ, କୁଟୀର, କୃଷି ଓ ଜଙ୍ଗଲ ଭିତ୍ତିକ ଶିଳ୍ପ ବି ବିକଶିତ ହେବ। ଏହା ଦେଶର ଅର୍ଥନୀତିକୁ ମଜଭୁତ କରିବ। ଗାନ୍ଧିଜୀଙ୍କ ଗ୍ରାମ ସ୍ୱରାଜ, ପଞ୍ଚାୟତିରାଜ୍‍ ଓ ଟ୍ରଷ୍ଟିସିପ୍‍ ବିଚାର ବି ତାଙ୍କ ଆର୍ଥିକ ଦର୍ଶନର ମୂଳପିଣ୍ଡ।
ଗାନ୍ଧିଜୀଙ୍କ ଅର୍ଥନୀତିରେ ସବୁ ହାତକୁ କାମ ପାଇଁ ମୌଳିକ ଶିକ୍ଷା ଏକ ଉତ୍କୃଷ୍ଟ ମାଧ୍ୟମ। ଶୃଙ୍ଖଳା, ନୈତିକତା ଆଧାରରେ ଜ୍ଞାନର ଗଣତାନ୍ତ୍ରିକରଣ, ପରିମଳ, ସ୍ୱାସ୍ଥ୍ୟସେବା, ପୁଷ୍ଟିସାଧନ, ଜାତି ଓ ସମ୍ପ୍ରଦାୟଗତ ସଦ୍‍ଭାବ, ଖଦି ଓ ଗ୍ରାମୋଦ୍ୟୋଗ, ଆତ୍ମନିର୍ଭରଶୀଳତା, ମିତବ୍ୟୟିତା, ସ୍ୱଦେଶୀ, ସ୍ୱାଭିମାନ, ସଂଯମ ଆଦି ତାଙ୍କ ଅର୍ଥନୀତିର ଗୋଟିଏ ଗୋଟିଏ ସ୍ତମ୍ଭ।

ଉପଭୋକ୍ତାବାଦ, ବଜାରୀକରଣ ଆଦିର ଏହି ଅର୍ଥନୀତିରେ ସ୍ଥାନ ନାହିଁ। ସତ୍ୟ ଓ ଅହିଂସା ହେଉଛି ଗାନ୍ଧୀ ଅର୍ଥନୀତିର କଷଟି ପଥର। ଏହି ଅର୍ଥନୀତିକୁ ମଜ୍‍ବୁତ୍‍ କରିବା ପାଇଁ ଗାନ୍ଧିଜୀ ଏକାଦଶ ବ୍ରତ, ରଚନାତ୍ମକ କାର୍ଯ୍ୟକ୍ରମ ଆଦିର ବ୍ୟକ୍ତି ଜୀବନର ଅନୁପାଳନ ସହ ରାଷ୍ଟ୍ର ଜୀବନରେ ସାତୋଟି ସାମାଜିକ ପାପରୁ ଦୂରେଇ ରହିବା ପାଇଁ ସତର୍କ କରି ଯାଇଛନ୍ତି। ଏଥିରୁ ପ୍ରଥମ ପାପଟି ହେଲା ନୀତିବିହୀନ ରାଜନୀତି। ଆଧ୍ୟାତ୍ମିକ ଭିତ୍ତିଭୂମି ଉପରେ ଗଢା ଗାନ୍ଧୀ ଅର୍ଥନୀତି ସମାଜରେ ସବୁଠାରୁ ଦରିଦ୍ରତମ ଲୋକର ବିକାଶ ପାଇଁ ଉଦ୍ଦିଷ୍ଟ। ସାମ୍ୟବାଦୀ ଓ ସମାଜବାଦୀ ଆର୍ଥିକ ବ୍ୟବସ୍ଥାର ଲକ୍ଷ୍ୟ ସହିତ ଗାନ୍ଧୀ ଅର୍ଥନୀତିର ଲକ୍ଷ୍ୟ ସମାନ ହୋଇଥିଲେ ମଧ୍ୟ ପ୍ରୟୋଗର ମାଧ୍ୟମ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ।

ଗାନ୍ଧୀ ଏଭଳି ଏକ ଆର୍ଥିକ ବ୍ୟବସ୍ଥାର ପରିକଳ୍ପନା କରିଥିଲେ ଯେଉଁଥିରେ ସର୍ବନିମ୍ନ ଓ ସର୍ବୋଚ୍ଚ ଆୟ ମଧ୍ୟରେ ତାରତମ୍ୟ ରହିବ ନାହିଁ। ଏହି ବାଟ ଦେଇ ଅର୍ଥନୀତିକୁ ନେଲେ ଆମ ଦେଶର ପ୍ରତି ଗାଁ ଗୋଟିଏ ଗୋଟିଏ ‘ରିପବ୍ଳିକ୍‍’ ବା ସାଧାରଣତନ୍ତ୍ରରେ ପରିଣତ ହୋଇପାରିବ ଏବଂ ପ୍ରତିଟି ଲୋକ ଅନୁଭବ କରିବ ନିଜ ଗାଁରେ ସେ ନିଜେ ସରକାର ଏବଂ ଦିଲ୍ଲୀରେ ଥିବା ସରକାର ବି ତାହାର।

Comments are closed.