ପରିସଂସ୍ଥାନ ପୁନରୁଦ୍ଧାର ଦଶନ୍ଧି ଆମ ପାଇଁ ଆହ୍ବାନ!

ବିଭୂତି ପତି

ମିଳିତ ଜାତିସଂଘ ପକ୍ଷରୁ ‘ପରିସଂସ୍ଥାନ ପୁନରୁଦ୍ଧାର ଦଶନ୍ଧି ୨୦୨୧-୨୦୩୦’ର ଆରମ୍ଭ କରାଯାଇଛି। ସମଗ୍ର ବିଶ୍ୱର ଅବକ୍ଷୟପ୍ରାପ୍ତ ଏବଂ ନଷ୍ଟ ହୋଇଯାଇଥିବା ପରିସଂସ୍ଥାନଗୁଡ଼ିକର ପୁନରୁଦ୍ଧାର ପାଇଁ ଉଦ୍ୟମମାନ ଅଧିକ ବ୍ୟାପକ ରୂପେ ଏହି ଦଶନ୍ଧିରେ କାର୍ଯ୍ୟକାରୀ କରାଯିବ। ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରଖି ୨୦୨୧-୨୦୩୦କୁ ପରିସଂସ୍ଥାନର ପୁନରୁଦ୍ଧାର ପାଇଁ ମିଳିତ ଜାତିସଂଘର ଦଶନ୍ଧି ବୋଲି ଘୋଷଣା କରାଯାଇଛି ଏବଂ ଏଥିରୁ ଅନେକ କିଛି ଆଶା କରାଯାଇଛି। ଆମ ଜୈବମଣ୍ଡଳର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ବିଶ୍ୱବ୍ୟାପୀ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ବିପଦପ୍ରବଣ ତଥ୍ୟର ଆଧାରରେଏପରି ନିଷ୍ପତ୍ତି ନିଆଯାଇଛି। ଏଥିରୁ ଏକଥା ଜଣାପଡିଛି, ବିଶ୍ୱର ପ୍ରଳୟଙ୍କରୀ ଜଳବାୟୁ ପରିବର୍ତ୍ତନର ପ୍ରତିକାର କରିବା ପାଇଁ ଏବଂ ଜୈବବିବିଧତାର ନିମ୍ନମୁଖୀ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏହି ଦଶନ୍ଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚଳିତ ଦଶନ୍ଧିରେ ଯଦି ପୁନରୁଦ୍ଧାର କାର୍ଯ୍ୟ କରାନଯାଏ ତେବେ, ପ୍ରାୟ ୧୦ଲକ୍ଷ ପ୍ରାଣୀ ଓ ଉଦ୍ଭିଦ ପ୍ରଜାତି ଆଗାମୀ କେଇ ଦଶନ୍ଧି ମଧ୍ୟରେ ବିଲୁପ୍ତ ହୋଇଯିବେ।

ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତରେ ବୈଶ୍ୱିକ ସ୍ତରରେ କିଛିକିଛି ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ବିଶ୍ୱର ଅବକ୍ଷୟପ୍ରାପ୍ତ ଏବଂ ନଷ୍ଟ ହୋଇଯାଇଥିବା ପରିସଂସ୍ଥାନକୁ ପୂର୍ବାବସ୍ଥାକୁ ଫେରାଇ ଆଣିବା ଅନିବାର୍ଯ୍ୟ। ଏଥିରେ କୌଣସି ଦ୍ୱିମତ ନାହିଁ। ଜୈବବିବିଧତା ହାନି ଏବଂ ପରିସଂସ୍ଥାନ ଅବକ୍ଷୟର ଧାରାକୁ ରୋକିବା ଏବଂ ପଛକୁ ଫେରାଇ ଆଣିବାର ସୁଯୋଗ କ୍ରମାଗତ ଭାବେ ସୀମିତ ହୋଇଯାଉଥିବାରୁ ମିଳିତ ଜାତିସଂଘର ପରିସଂସ୍ଥାନ ପୁନରୁଦ୍ଧାର ଦଶନ୍ଧିରୁ ଏକଥା ଆଶା କରାଯାଉଛି ଯେ, ଏହା ଏକ ବୈଶ୍ୱିକ ଜନ ଆନ୍ଦୋଳନକୁ ପ୍ରେରିତ କରିବା ସଙ୍ଗେ ସଙ୍ଗେ ପରିସଂସ୍ଥାନର ପୁନର୍ବାହାଲ ପାଇଁ ଏକ ନୂଆ ପିଢିକୁ ପ୍ରରୋଚିତ କରିବ।

ଗୋଟିଏ ପରିସଂସ୍ଥାନ ଯେ ପର୍ଯ୍ୟନ୍ତ ଅବକ୍ଷୟିତ ହୋଇନାହିିଁ, ସେ ପର୍ଯ୍ୟନ୍ତ ସେଗୁଡିକ ସମାଜ ପାଇଁ ସମ୍ବଳର ଉତ୍ସ ହୋଇ ରହିଥାଆନ୍ତି। ଜଙ୍ଗଲ, ଅଥବା ନଦୀ ଓ ହ୍ରଦ, ସମୁଦ୍ର ଓ ଉପକୂଳ, ପର୍ବତ, ଚାରଣଭୂମି କିମ୍ବା କୃଷିକ୍ଷେତ୍ର ଅଥବା ସହରାଞ୍ଚଳର ସମସ୍ତ ସ୍ଥାନ ଯଦି ଭଲ ଅବସ୍ଥାରେ ଥିବେ ତେବେ ଏହି ପରିସଂସ୍ଥାନ ଆମମାନଙ୍କୁ ପରିସଂସ୍ଥାନଗତ ସେବାମାନ ଯୋଗାଇଥାଆନ୍ତି। ଏକ ପରିସଂସ୍ଥାନଠାରୁ ମଣିଷ ଓ ଅନ୍ୟାନ୍ୟ ଜୀବସତ୍ତାମାନେ ପାଉଥିବା ବିଭିନ୍ନ ପ୍ରକାରର ସୁବିଧା ଓ ସେବାମାନରହିଅଛି। ଏହି ସବୁିଧାଗୁଡିକ ହେଲା ଖାଦ୍ୟ, ତନ୍ତୁ, ଔଷଧ, ଜଳବାୟୁ ନିୟନ୍ତ୍ରଣ, ଜଳ ବିଶୋଧନ, ନିର୍ମଳ ବାୟୁ ଏବଂ ପ୍ରକୃତିର ସୌନ୍ଦର୍ଯ୍ୟବୋଧ।

ବିଗତ କେଇ ଦଶନ୍ଧି ହେଲା ଆମମାନଙ୍କ ତଥାକଥିତ ବିକାଶ କାର୍ଯ୍ୟକଳାପ କେବଳ ସ୍ୱଳ୍ପକାଳୀନ ଅର୍ଥନୈତିକ ସ୍ୱାର୍ଥ ସାଧନ କରିଛି। ଏହା ସଙ୍ଗେସଙ୍ଗେ ଆମମାନଙ୍କ କାର୍ଯ୍ୟକଳାପ ଦୀର୍ଘକାଳୀନ ଭାବେ ଉଭୟ ମଣିଷ ଓ ଜୀବଜଗତକୁ ସେବା ଓ ସାମଗ୍ରୀ ଯୋଗାଇ ସହଯୋଗ କରିବା ସକାଶେ ପରିସଂସ୍ଥାନର ସମ୍ପଦ ଓ ସାମର୍ଥ୍ୟକୁ ମଧ୍ୟ କମାଇ ଦେଇଛି। ଭୂ-ଦୃଶ୍ୟଗୁଡିକ ପ୍ରାୟ ଏକାପ୍ରକାରର ହୋଇଯିବା, ଭୂମି ଓ ଜଳ ପରିସଂସ୍ଥାନର ଉତ୍ପାଦିକତା ହ୍ରାସ ପାଇବା; ଜଳର ମାନ, ଗୁଣସୂତ୍ର ଏବଂ ବ୍ୟାବହାରିକ ବିବିଧତା ହ୍ରାସ ପାଇବା ସଙ୍ଗେସଙ୍ଗେ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିପଦ, ପ୍ରାଣୀଙ୍କ ଉତ୍ସରୁ ସୃଷ୍ଟ ସଂକ୍ରାମକ ରୋଗକାରକ ଓ ଅଣୁଜୀବଙ୍କ ପ୍ରସାର ଏବଂ ବିପର୍ଯ୍ୟୟର ଘଟଣାମାନ ହେଉଛନ୍ତି ପ୍ରକୃତି ସହ ଆମମାନଙ୍କର ବିଗିଡି ଯାଇଥିବା ସମ୍ପର୍କର ମୂକସାକ୍ଷୀ।

ମିଳିତ ଜାତିସଂଘର ପରିସଂସ୍ଥାନ ପୁନରୁଦ୍ଧାର ଦଶନ୍ଧି ଘୋଷଣା ଏକ ନିରାଶାର ବାର୍ତ୍ତା ପ୍ରେରଣ କରୁନାହିଁ, ବରଂ ଏକ ଆଶାର ସଂଚାର କରୁଛି। ଆଶା ଯେ ପ୍ରକୃତି ସହ ଆମମାନଙ୍କର ସମ୍ପର୍କକୁ ପୁନର୍ବାହାଲ କରିଦେଲେ ଆମମାନଙ୍କର ସ୍ୱାସ୍ଥ୍ୟ ଓ ଜୀବନର ମାନଦଣ୍ଡ ମଧ୍ୟ ପୁନର୍ବାହାଲ ହୋଇଯିବ। ଏକ ଅଧ୍ୟୟନ ଏକଥାକୁ ସୂଚାଇଛି ଯେ, ଅଗ୍ରାଧିକାର ଅଞ୍ଚଳର କେବଳ ୧୫% କ୍ଷେତ୍ରର ପୁନର୍ବାହାଲ କରାଗଲେ ଆଶଙ୍କା କରାଯାଉଥିବା ପ୍ରଜାତି ନଷ୍ଟର ୬୦%କୁ ଏଡ଼ାଇ ଦିଆଯାଇପାରିବ। ବାୟୁମଣ୍ଡଳରେ ମିଶାଯାଇଥିବା ଅଙ୍ଗାରକାମ୍ଳ ଗ୍ୟାସର ପ୍ରାୟ ଏକ ତୃତୀୟାଂଶକୁ ଅପସାରିତ କରାଯାଇପାରିବ। ଆମେ ଯଦି ଆମ ଆଡୁ ଆଗତୁରା ଭାବେ ଆମ ପରିବେଶର ସହନଶୀଳ ବ୍ୟବହାର ଓ ପରିଚାଳନା କରିଥାଆନ୍ତେ, ତେବେ ଆମ ସମୟର ଅନେକ ସଙ୍କଟ ଯେପରି କି କୋଭିଡ -୧୯, ଜଳବାୟୁ ପରିବର୍ତ୍ତନ, ପ୍ରଜାତିଗୁଡିକର ବିଲୁପ୍ତି ଇତ୍ୟାଦିକୁ ଅନେକାଂଶରେ ଏଡ଼ାଇ ଦିଆଯାଇ ପାରିଥାଆନ୍ତା।

ଭାରତ ପାଇଁ ପରିସଂସ୍ଥାନର ପୁନର୍ବାହାଲକୁ ଅଧିକ ବ୍ୟାପକ କରାଯିବା ଏକ ମହତ୍ତ୍ବପୂର୍ଣ୍ଣ ଜାତୀୟ କାର୍ଯ୍ୟ, କାରଣ ଭାରତ ହେଉଛି ବିଶ୍ୱର ଅନ୍ୟତମ ଅଧିକ ଜୈବବିବିଧତା ଥିବା ରାଷ୍ଟ୍ର। ବିଶ୍ୱର ଚାରିଟି ଜୈବବିବିଧତା ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଭାରତରେ ହିଁ ଅବସ୍ଥିତ। ଏହାର ବିବିଧ ଭୌତିକ ଏବଂ ଜଳବାୟୁ ଯୋଗୁଁ ଭାରତ ବିଶ୍ୱରେ ଦଲିଲଭୁକ୍ତ କରାଯାଇଥିବା ପ୍ରଜାତିଗୁଡିକ ମଧ୍ୟରୁ ପ୍ରାୟ ୮% ପ୍ରଜାତି ଉପଲବ୍ଧ ହୋଇଥାଆନ୍ତି। ଏଥିରେ ପ୍ରାୟ ୪୭ ହଜାର ଉଦ୍ଭିଦ ପ୍ରଜାତି ସମେତ ଏକଲକ୍ଷ ଉଦ୍ଭିଦ ପ୍ରଜାତି ଅନ୍ତର୍ଭୁକ୍ତ। ତେବେ ଭାରତରେ ପରିସଂସ୍ଥାନ ଓ ଜୈବବିବିଧତା ଉପରେ ଚାପ ମଧ୍ୟ ପ୍ରବଳ, କାରଣ ଭାରତର ଭୂଭାଗ ବିଶ୍ୱର ମୋଟ ସ୍ଥଳଭାଗର ମାତ୍ର ୨.୪% ହୋଇଥିବାବେଳେ ଏହି ଦେଶରେ ବିଶ୍ୱର ୧୮% ଜନସଂଖ୍ୟା ଏବଂ ୧୫% ପଶୁଧନ ରହିଛି।

ଭାରତରେ ପରିସଂସ୍ଥାନର ପୁନର୍ବାହାଲ କେବଳ ମାତ୍ର ଏହାର ପରିସଂସ୍ଥାନର ସୁରକ୍ଷା, ଜୈବ ବିବିଧତାର ସୁରକ୍ଷା କିମ୍ବା ବୈଶ୍ୱିକ ସ୍ତରରେ ସୃଷ୍ଟି ହୋଇଥିବା ସଙ୍କଟର ପ୍ରତିକାର ନୁହେଁ। ଏହା ମଧ୍ୟ ଦେଶର ଲକ୍ଷ ଲକ୍ଷ ଲୋକଙ୍କର ଖାଦ୍ୟ ଓ ଜଳ ନିରାପତ୍ତାର ଆହ୍ୱାନର ସମାଧାନ ସଙ୍ଗେ ସଙ୍ଗେ ସେମାନଙ୍କର ଜୀବିକାକୁ ସୁରକ୍ଷିତ କରିବା ସହିତ ପ୍ରତିଟି ମଣିଷର ମଙ୍ଗଳ କରିଥାଏ। ଭାରତର ମୋଟ ଜନସଂଖ୍ୟା ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ପ୍ରତ୍ୟକ୍ଷ ଭାବେ କୃଷି ଓ ଜଙ୍ଗଲ ଉପରେ ନିର୍ଭରଶୀଳ। ଏମାନଙ୍କ ମଧ୍ୟରୁ ଆମ ଆଦିବାସୀ ମହିଳା ଏବଂ ସ୍ୱଳ୍ପ ଓ ନାମମାତ୍ର କୃଷକ ରୂପରେ ପ୍ରାୟ ୨୩% ସିଧାସଳଖ ଜଙ୍ଗଲ ଉପରେ ନିର୍ଭରଶୀଳ।

୨୦୧୮ମସିହାରେ ଭାରତରେ ମରୁକରଣ, ଭୂମି ଅବକ୍ଷୟ ଏବଂ ମରୁଡିର ଅର୍ଥନୀତି ସମ୍ପର୍କରେ କରାଯାଇଥିବା ଏକ ଅଧ୍ୟୟନରୁ ଏକଥା ଜଣାପଡିଛି ଯେ, ଭୂମି ଅବକ୍ଷୟ ଯୋଗୁଁ ଭାରତର ମୋଟ ଘରୋଇ ଉତ୍ପାଦନ ୨.୫% କ୍ଷତି ସହୁଥିବାବେଳେ ଏ କ୍ଷେତ୍ରରେ ବିହିତ ପଦକ୍ଷେପ ଗ୍ରହଣ କରାନଗଲେ ଆଗକୁ ହେବାକୁ ଥିବା କ୍ଷତି ପରିସଂସ୍ଥାନର ପୁନର୍ବାହାଲ ବାବଦ କ୍ଷତିକୁ ମଧ୍ୟ ବଳେଇ ପଡ଼ିବ। ଏହି ଅଧ୍ୟୟନଟି ପରିବେଶ, ଜଙ୍ଗଲ ଓ ଜଳବାୟୁ ସହିତ ପରିବର୍ତ୍ତନ ଅଙ୍ଗାଙ୍ଗୀ ଭାବେ ଯୋଡି ହୋଇଥିବାରୁ ଭାରତର ଅର୍ଥନୈତିକ ସର୍ଭେ ସୂଚାଇ ଦେଇଛି, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଫଳରେ କୃଷିରୁ ହେଉଥିବା ରୋଜଗାର ୨୫% ହ୍ରାସ ପାଇବ।

ମହାମାରୀ ଯୋଗୁଁ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେରୋଜଗାରୀ ମାତ୍ରା ଏବଂ ଆୟ ହ୍ରାସ କାରଣରୁ ପରିସଂସ୍ଥାନ ପୁନର୍ବାହାଲ କାର୍ଯ୍ୟରେ ଅର୍ଥ ବିନିଯୋଗ ଅଧିକ ଆବଶ୍ୟକ ହୋଇପଡିଛି। ସଙ୍କଟରୁ ବାହାରିବା ସକାଶେ ପାରମ୍ପରିକ ରଣକୌଶଳ ଅଧିକାଂଶ କ୍ଷେତ୍ରରେ ପ୍ରକୃତିର ସଂରକ୍ଷଣ ଉପରୁ ପ୍ରାଧାନ୍ୟ ହଟାଇ ଦେଇଥାଏ। ସାଧାରଣ ଭାବେ ଏହି କାର୍ଯ୍ୟକୁ ଏକ ପରିପୂରକ ଲକ୍ଷ୍ୟ ରୂପେ ବିଚାର କରାଯାଇଥାଏ। ମାତ୍ର ବାସ୍ତବ କଥା ହେଲା, ପ୍ରକୃତିର ସଂରକ୍ଷଣ ଏବଂ ପୁନର୍ବାହାଲ ବିରୋଧୀ ଲକ୍ଷ୍ୟ ନୁହେଁ, ବରଂ ସାମଜ ଏବଂ ଅର୍ଥନୀତି ସକାଶେ ଏକ ଦୀର୍ଘକାଳୀନ ଲକ୍ଷ୍ୟ ରୂପେ କାର୍ଯ୍ୟ କରିଥାଏ।

ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁ.ଏନ.ଇ.ପି.) ଏକଥା ଜାଣିବାକୁ ପାଇଛି, ପରିବେଶର ପୁନର୍ବାହାଲ କାର୍ଯ୍ୟରେ ୧ଟଙ୍କା ବିନିଯୋଗ କରାଗଲେ ଏହାର ପ୍ରତିଦାନରେ ଅନ୍ୟୂନ ୯ ଟଙ୍କାର ଅର୍ଥନୈତିକ ଫାଇଦା କରାଯାଇପାରିବ। ଭାରତର ମୋଟ ଭୂମିର ଆନୁମାନିକ ୩୦% ଅର୍ଥାତ୍‍ ୯୬୪ କୋଟି ହେକ୍ଟର ଜମି ଅବକ୍ଷୟପ୍ରାପ୍ତ। ପରିସଂସ୍ଥାନର ପୁନର୍ବାହାଲ କାର୍ଯ୍ୟକୁ ଅଧିକ ବ୍ୟାପକ କରାଗଲେ ତାହା ଜୈବ ବିବିଧତା, ଜଳବାୟୁ, ଜୀବିକା ଏବଂ ଖାଦ୍ୟ ନିରାପତ୍ତା ପରି ଜଟିଳ ଓ ବିିବିଧ ସମସ୍ୟାଗୁଡିକର ସମାଧାନ କରିପାରିବ।

ବ୍ୟାପକ ଆକାରରେ ତଥା ଦ୍ରୁତ ଗତିରେ ପରିସଂସ୍ଥାନ ପୁନର୍ବାହାଲ କାର୍ଯ୍ୟ ହାସଲ କରିବା ସକାଶେ ଏପରି ଏକ ବଡ଼ଧରଣର ପୁନର୍ବାହାଲ କ୍ଷେତ୍ରରେ ରହିଥିବା ବିଭିନ୍ନ ପ୍ରତିବନ୍ଧକଗୁଡିକୁ ଦୂର କରାଯିବା ଆବଶ୍ୟକ। ମିଳିତ ଜାତିସଂଘ ଦଶନ୍ଧିର ପରିସଂସ୍ଥାନ ପୁନର୍ବାହାଲକୁ ବ୍ୟାପକ ଆକାରରେ ହାସଲ କରିବା କ୍ଷେତ୍ରରେ ରହିଥିବା ୬ଟି ପ୍ରତିବନ୍ଧକକୁ ଚିହ୍ନଟ କରିଛି। ଏଗୁଡିକ ମଧ୍ୟରେ ପରିସଂସ୍ଥାନର ଅବକ୍ଷୟର ପ୍ରତିକୂଳ ପ୍ରଭାବ ଏବଂ ଅନ୍ୟପକ୍ଷରେ ପରିସଂସ୍ଥାନ ପୁନର୍ବାହାଲର ସୁଫଳ ସମ୍ପର୍କରେ ସମାଜରେ ସଚେତନତା ସୀମିତ। ଏହା ବ୍ୟତୀତ ଅନ୍ୟାନ୍ୟ ପ୍ରତିବନ୍ଧକଗୁଡିକ ହେଲା ପୁନର୍ବାହାଲ ପାଇଁ ପୁଞ୍ଜିନିବେଶର ଅଭାବ, ପରିସଂସ୍ଥାନର ପୁନର୍ବାହାଲକୁ ପ୍ରୋତ୍ସାହିତ କରିବା ପାଇଁ ନୀତି ଓ ଆଇନର ଅଭାବ, ପରିସଂସ୍ଥାନ ପୁନର୍ବାହାଲ ପାଇଁ ବୈଷୟିକ ଜ୍ଞାନ ଓ ଦକ୍ଷତାର ଅଭାବ ଏବଂ ଦୀର୍ଘକାଳୀନ ଗବେଷଣା ସକାଶେ ସୀମିତ ପୁଞ୍ଜି ନିବେଶ।

ନିକଟରେ ପ୍ରକାଶିତ ପ୍ରକୃତି ପାଇଁ ଅର୍ଥର ସ୍ଥିତି, ୨୦୨୧ ରିପୋର୍ଟରେ ଏକଥା ଉପରେ ଗୁରୁତ୍ୱାରୋପ କରାଯାଇଛି ଯେ, ୨୦୨୦-୨୦୩୦ ମସିହା ସୁଦ୍ଧା ପ୍ରକୃତି ଭିତ୍ତିକ ସମାଧାନ ବାବଦକୁ ପୁଞ୍ଜି ନିବେଶ ତିନିଗୁଣା କରାଯିବ ଏବଂ ୨୦୫୦ ମସିହା ସୁଦ୍ଧା ଚାରିଗୁଣା କରାଗଲେ ଯାଇ ଆମେମାନେ ଆମ ଗ୍ରହର ସମସ୍ୟାଗୁଡିକର ସମାଧାନ କରିପାରିବା। ଏହି ରିପୋର୍ଟରେ ଏକଥା ମଧ୍ୟ କୁହାଯାଇଛି, ସମ୍ପ୍ରତି ପ୍ରକୃତିର ସଂରକ୍ଷଣ ଏବଂ ପୁନର୍ବାହାଲ କାର୍ଯ୍ୟରେ ହେଉଥିବା ଖର୍ଚ୍ଚର ୮୬% ସରକାରୀ ଉତ୍ସରୁ ଆସିଥାଏ। ତେଣୁ ଘରୋଇ କ୍ଷେତ୍ରରେ ସମ୍ପୃକ୍ତି ଓ ବିନିଯୋଗ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି।

ପରିସଂସ୍ଥାନର ପୁନର୍ବାହାଲ ଲକ୍ଷ୍ୟଗୁଡିକ ମୁଖ୍ୟତଃ ଚାରାରୋପଣର ଆକାର ନେଇଥିଲେ ମଧ୍ୟ ଏହି ପୁନର୍ବାହାଲ ଉଦ୍ୟମଗୁଡିକ ମଧୁର ଜଳ, ସାମୁଦ୍ରିକ ସମ୍ବଳ, ଉପକୂଳ ଏବଂ ଉପଯୁକ୍ତ ରୂପେ ମୂଲ୍ୟ ଆକଳନ କରାଯାଇନଥିବା ଅନ୍ୟାନ୍ୟ ପରିସଂସ୍ଥାନଗୁଡିକର ସଂରକ୍ଷଣ ଓ ପୁନର୍ବାହାଲ ଉପରେ ମଧ୍ୟ ଗୁରୁତ୍ୱ ଦେବା ଉଚିତ୍‍। ବଡ଼ ଆକାରରେ ପୁନର୍ବାହାଲ ଲକ୍ଷ୍ୟ ହାସଲ କରିବା କ୍ଷେତ୍ରରେ ସାମାଜିକ ସଙ୍ଗଠନ, ଶିକ୍ଷାନୁଷ୍ଠାନ, ମହିଳାମାନଙ୍କର ଗୋଷ୍ଠୀ, ଆଦିମ ଜନଜାତି, ଯୁବକ, ଯୁବତୀ, କୃଷକମାନଙ୍କ ଗୋଷ୍ଠୀ ଏବଂ ମୁଖ୍ୟସ୍ରୋତରୁ ଦୂରେଇ ଯାଇଥିବା ସ୍ୱାର୍ଥଗୋଷ୍ଠୀଗୁଡିକ ମଧ୍ୟ ଏହାର ଅଂଶବିଶେଷ ହେବା ଉଚିତ।

ଉପଯୁକ୍ତ ଜୀବନଶୈଳୀ ବଞ୍ଚିବା ଏବଂ ଜନସଚେତନତା ସୃଷ୍ଟି ମାଧ୍ୟମରେ ପରିସଂସ୍ଥାନ ପୁନର୍ବାହାଲ ତଥା ସଂରକ୍ଷଣ କାର୍ଯ୍ୟକ୍ରମରେ ବ୍ୟକ୍ତି ବିଶେଷମାନେ ମଧ୍ୟ ଏକ ଅବିଚ୍ଛେଦ୍ୟ ଭୂମିକା ତୁଲାଇ ପାରିବେ। ବ୍ୟକ୍ତିଗତ କାର୍ଯ୍ୟର କେତେକ ଉଦାହରଣ ହେଲା, ବର୍ଷାଜଳ ସଂରକ୍ଷଣ ସମେତ ଜଳର ନ୍ୟାୟୋଚିତ ବ୍ୟବହାର ଓ ପରିଚାଳନା ଉତ୍ସରେ ହିଁ ଆବର୍ଜନା ପୃଥକୀକରଣ, ପୁନଃଚକ୍ରଣ, ଚାରାରୋପଣ ଏବଂ ସ୍ଥାନୀୟ ପ୍ରଜାତିର ଚାରାରୋପଣକୁ ପ୍ରୋତ୍ସାହିତ କରିବା, ସବୁଜିମା ଥିବା ଅଞ୍ଚଳକୁ ବିକଶିତ କରିବା ଓ ତାହାର ରକ୍ଷଣାବେକ୍ଷଣ କରିବା ଏବଂ ପ୍ରକୃତିରୁ ପ୍ରେରଣା ନେଇଥିବା ଗୃହ ନିର୍ମାଣ ତଥା ଦକ୍ଷତାର ସହ ଶକ୍ତିର ବିନିଯୋଗ।

ମିଳିତ ଜାତିସଂଘର ପରିସଂସ୍ଥାନ ପୁନର୍ବାହାଲ ଦଶନ୍ଧି ହେଉଛି, ପୁନଃକଳନା କରିବା, ପୁନଃସୃଷ୍ଟି କରିବା ଏବଂ ପ୍ରକୃତିର ସନ୍ତୁଳନକୁ ପୁନଃ ସ୍ଥାପିତ କରିବା ତଥା ସଂରକ୍ଷଣ ସକାଶେ ବୈଶ୍ୱିକ ଆହ୍ୱାନକୁ ଗ୍ରହଣ କରିବା। ଏହା ସଙ୍ଗେ ସଙ୍ଗେ ଆମମାନଙ୍କର ଜୀବନଜୀବିକା, ସ୍ୱାସ୍ଥ୍ୟସେବା ପୁନର୍ବାହାଲ କରି ସୁରକ୍ଷିତ ଭାବେ ବଞ୍ଚିବା ପାଇଁ ପ୍ରକୃତି ସହ ଶାନ୍ତି ସ୍ଥାପନ କରିବାର ବାର୍ତ୍ତା ଦେଉଛି ମିଳିତ ପରିସଂସ୍ଥାନ ପୁନର୍ବାହାଲ ଦଶନ୍ଧି। ଏହା ହୋଇପାରିଲେ ପ୍ରକୃତି ସହ ବିଗିଡିଯାଇଥିବା ମଣିଷର ସମ୍ପର୍କକୁ ସଜାଡିବାର ସୁଯୋଗ ସୃଷ୍ଟି କରାଯାଇପାରିବ ଏବଂ ପ୍ରାକୃତିକ ଦୁର୍ବିପାକକୁ ଏଡ଼ାଇ ଦିଆଯାଇପାରିବ।

Comments are closed.