ନିରନ୍ତର ବିକାଶ ଲକ୍ଷ୍ୟ ଓ ‘ନିତି’ ସୂଚକାଙ୍କ

ବିକାଶ କୁମାର ମଲିକ

ଆମେ ଯେଉଁ ନିରନ୍ତର ବିକାଶ ଚାହୁଁଛୁ ତା’ର ମୂଳ ଉଦ୍ଦେଶ୍ୟ କେବଳ ବର୍ତ୍ତମାନ ପିଢ଼ି ପାଇଁ ନୁହେଁ; ପରନ୍ତୁ ଆଗାମୀ ପିଢ଼ି ଯେମିତି କ୍ଷୁଧା, ଦାରିଦ୍ର୍ୟ, ରୁଗ୍ଣ ସ୍ୱାସ୍ଥ୍ୟ, ନିରକ୍ଷରତାଠାରୁ ଦୂରେଇ ଏକ ସଭ୍ୟ, ସୁଶୀଳ ଓ ସୁସ୍ଥ ପରିବେଶରେ ବାସ କରିବ, ତାହା ସୁନିଶ୍ଚିତ କରିବା। ବର୍ତ୍ତମାନ ପିଢ଼ି ଏମିତି ଏକ ସମାଜ ଛାଡ଼ିଯାଉ ଯାହା ଜାତି ଧର୍ମ ବର୍ଣ୍ଣ ଲିଙ୍ଗ ସମେତ ଅନ୍ୟ ସମସ୍ତ ବିଦ୍ବେଷ ଓ ବୈଷମ୍ୟଠାରୁ ଦୂରେଇ ରହି ସମସ୍ତଙ୍କ ପାଇଁ ବଞ୍ଚିବାର ସମାନ ସୁଯୋଗ ଆଣି ଦେଉ; ଶାନ୍ତି ଆଉ ସୁଖରେ ସମସ୍ତେ ବଞ୍ଚନ୍ତୁ। ନିରନ୍ତର ବିକାଶର ଏ ପରିକଳ୍ପନା କାହାକୁ ବା ଭଲ ନ ଲାଗିବ? ଏହାକୁ ସାକାର କରିବା ପାଇଁ କ’ଣ ଦରକାର ଓ ମାପଦଣ୍ଡରେ ଆମେ କେଉଁଠି ଅଛୁ ତାହା ହିଁ ନିତି ଆୟୋଗର ନିରନ୍ତର ବିକାଶ ଲକ୍ଷ୍ୟ ବିବରଣୀ ସୂଚାଇଥାଏ।

ଏହି ପରିମାପକୁ ଯଦି ଆମେ ୧ ରୁ ୧୦୦ର ପରିମାପକରେ ମାପିବା, ତେବେ ରାଜ୍ୟଗୁଡ଼ିକୁ ଉପରୁ ତଳ ଆଡୁ ଶ୍ରେଣୀରେ ସଜାଯାଇପାରିବ। ଏହି ପରିମାପକରେ ୧୭ଟି ଲକ୍ଷ୍ୟ ପୂରଣ କରିବା ପାଇଁ ୨୦୩୦ ମସିହାକୁ ଶେଷ ବର୍ଷ ଭାବରେ ରଖାଯାଇଛି। ୨୦୨୦-୨୧ର ଏହି ନିତି ଆୟୋଗ ବିବରଣୀରେ କେରଳ ରାଜ୍ୟ ୭୫ ଅଙ୍କ ପାଇ ଏହି ବିକାଶ ମାନଦଣ୍ଡରେ ସବୁଠାରୁ ଆଗରେ ଥିବାବେଳେ ଆମ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ତୃତୀୟ ସ୍ଥାନରେ ଏବଂ ଆମ ଓଡିଶା ୬୧ ନମ୍ବର ପାଇ ୧୯ତମ ସ୍ଥାନରେ ଅଛି।

ଆର୍ଥିକ ବିକାଶ ପାଇଁ ଆର୍ଥିକ ଅଭିବୃଦ୍ଧି ଜରୁରୀ। ଆର୍ଥିକ ଅଭିବୃଦ୍ଧି ଆର୍ଥିକ ବିକାଶ ବିନା ସମ୍ଭବ, ମାତ୍ର ତାହା ମୂଲ୍ୟହୀନ। ସାମୂହିକ ଆର୍ଥିକ ବିକାଶ ହେଲେ ଆର୍ଥିକ ଅଭିବୃଦ୍ଧି ସମସ୍ତଙ୍କ ପାଖେ ପହଞ୍ଚି ପାରୁଛି ବୋଲି ଆମେ କହିପାରିବା, ଯାହା ସମାଜରେ ଆର୍ଥିକ ଅସମାନତାକୁ ଦୂରେଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। କେବଳ ଭାରତର ଅଭିବୃଦ୍ଧି ହାରକୁ ଯଦି ନେବା ତେବେ ଏହା କରୋନା ମହାମାରୀର ପ୍ରକୋପରେ ବିଶ୍ୱରେ ଅନ୍ୟ ଦେଶମାନଙ୍କ ପରି ବିଯୁକ୍ତ ଅଭିବୃଦ୍ଧିକୁ ଚାଲିଯାଇଛି।

ସେହିପରି ଓଡିଶାର ଅଭିବୃଦ୍ଧି ୨୦୨୦-୨୧ ବର୍ଷରେ ମଧ୍ୟ ବିଯୁକ୍ତ ଅଭିବୃଦ୍ଧିରେ ରହିପାରେ; ମାତ୍ର ଏହା ସାମୟିକ, କରୋନା ଟିକାକରଣ ବୃଦ୍ଧି ହେବା ମାତ୍ରେ ଆର୍ଥିକ ଗତିବିଧି ଆରମ୍ଭ ହେଇଯିବ। ଏବେ କେନ୍ଦ୍ରସରକାର ସମସ୍ତଙ୍କ ପାଇଁ ମୁକ୍ତ କରୋନା ଟିକାକରଣ ଘୋଷଣା କରି ସାରିଛନ୍ତି। କଳକାରଖାନା ଓ ଅନ୍ୟାନ୍ୟ ସେବା ଖୋଲିଯିବା ପରେ ଯୋଗାଣ ବଢିବ; ମାତ୍ର ଚାହିଦା ବଢେଇବା କେବଳ ରାଜ୍ୟ ନୁହେଁ ଦେଶ ପାଇଁ ବି ଏକ ଆହ୍ୱାନ ରହିଛି।

ତଥାପି ସ୍ୱଳ୍ପ କାଳରେ କରୋନାର ଅର୍ଥନୈତିକ ଦୁଷ୍ପ୍ରଭାବକୁ ରୋକିବା ପାଇଁ ହେଲେ ଅର୍ଥନୀତିଜ୍ଞ କିନ୍ସଙ୍କ ନିୟମ ଅନୁସାରେ ଲୋକଙ୍କ ହାତରେ ତୁରନ୍ତ ପଇସା ଦେବାକୁ ପଡିବ, ସେମାନଙ୍କର କ୍ରୟ କ୍ଷମତାକୁ ବଜାୟ ରଖିବାକୁ ପଡିବ, ଏଥିରେ ସିଧାସଳଖ ଲାଭାର୍ଥୀଙ୍କ ଖାତାରେ ପଇସା ଜମା କରାଯାଇପାରିବ, ମହାତ୍ମା ଗାନ୍ଧୀ ଗ୍ରାମୀଣ ରୋଜଗାର ଯୋଜନାରେ ଗ୍ରାମାଞ୍ଚଳବାସୀଙ୍କ ରୋଜଗାରକୁ ତ୍ୱରାନ୍ୱିତ କରିହେବ, ନ୍ୟୂନତମ ମଜୁରିକୁ ବି ଠିକ୍‌ ଭାବେ ଲାଗୁ କରି, ଆର୍ଥିକ ସହାୟତା ଦ୍ୱାରା କ୍ଷୁଦ୍ର ଶିଳ୍ପ ଓ ଲଘୁ ଉଦ୍ୟୋଗକୁ ଗ୍ରାମୀଣ ସ୍ତରରେ ବଞ୍ଚେଇ ରଖିବାକୁ ପଡିବ।

ଓଡ଼ିଶା ଭଳି ରାଜ୍ୟରେ ଯେଉଁ ପାଖାପାଖି ୧୧୦୦୦ କୋଟି ଟଙ୍କାର ବଳକା ରାଜସ୍ବ ଅଛି ତାକୁ ତୁରନ୍ତ ଏ ଦିଗରେ ଖର୍ଚ୍ଚ କରିବା ଉଚିତ ହେବ। ଅର୍ଥନୀତିର ସରଳ ନିୟମାନୁସାରେ ରାଜକୋଷୀୟ ନିଅଣ୍ଟକୁ କରୋନା ପରି ମହାବିପତ୍ତି ସମୟରେ ବଢ଼ାଯାଇ ଖର୍ଚ୍ଚ କରାଯାଇପାରିବ, ଯାହା ଚାହିଦାକୁ ତ୍ୱରାନ୍ୱିତକରି ମୋଟ ଘରୋଇ ଉତ୍ପାଦରେ ମଧ୍ୟ ଅଭିବୃଦ୍ଧି ଆଣିବ ଓ ରୋଜଗାର ବଢ଼ାଇବ।
ଉତ୍ପାଦନକାରୀଠାରୁ ଆରମ୍ଭ କରି ଉପଭୋକ୍ତାଙ୍କୁ ଏକ ନିରବଚ୍ଛିନ୍ନ ସଂଯୋଗରେ ସଂଯୁକ୍ତ କରିବାର ଏକ ବିଶେଷ ଲକ୍ଷ୍ୟ ରହିବା ଦରକାର। ଆମର ଶକ୍ତି ଆମର ଗ୍ରାମୀଣ ଅର୍ଥନୀତି। ସର୍ବୋପରି କୃଷି, ପଶୁପାଳନ, ଲଘୁ ଉଦ୍ୟୋଗ ଉପରେ ବହୁ ଲୋକ ନିର୍ଭରଶୀଳ। ବିଶ୍ୱ ଅର୍ଥନୀତି ଭୁଶୁଡି ପଡ଼ୁଥିବାବେଳେ ଆମ ଦେଶ ସବୁବେଳେ ଗ୍ରାମୀଣ ଅର୍ଥନୀତି ପାଇଁ ହିଁ ମୁଣ୍ଡ ସଳଖି ଛିଡା ହେଇଛି। ମଧ୍ୟମ କାଳରେ ଆମେ ଆମ କୃଷିର ଉତ୍ପାଦନ କ୍ଷମତାକୁ ତ୍ୱରାନ୍ୱିତ କରିପାରିବା, ଯେହେତୁ ଏଥର ସ୍ବାଭାବିକ ମୌସୁମି ବର୍ଷାର ଅନୁମାନ କରାଯାଇଛି; ତଥାପି ସବୁ ଚାଷ ଜମିକୁ ଜଳ ଯୋଗାଇ, ଅନ୍ୟାନ୍ୟ ସୁବିଧା ସୁଯୋଗ ଦେଇ ଚାଷୀମାନଙ୍କୁ ପ୍ରୋତ୍ସାହିତ କରି ବାହାର ରାଜ୍ୟରୁ ଯୋଗାଣ ହେଉଥିବା ଆଳୁ, ପିଆଜ, ଡାଲିକୁ କମ କରି ଓଡିଶା ଏସବୁ ଦିଗରେ ଆତ୍ମନିର୍ଭର ହେଇପାରିବ।

ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମ ବଙ୍ଗ ଉପରେ କୃଷିଜାତୀୟ ଦ୍ରବ୍ୟ ଆମଦାନୀ ନିର୍ଭରଶୀଳତା କମ କରିବାକୁ ପଡି଼ବ। ବିଶେଷ କରି ଓଡ଼ିଶାରେ ପଶୁପାଳନ, ଦୁଗ୍ଧ ଓ ଅଣ୍ଡା ଉତ୍ପାଦନ, ମାଛ ଚାଷ ଓ ସମୁଦ୍ର ଭିତ୍ତିକ ଅର୍ଥନୀତିକୁ ଅଗ୍ରାଧିକାର ଦିଆଯାଇ ପାରିବ। କେବଳ ଓଡିଶା ନୁହେଁ, ବିଶେଷ କରି ପଛୁଆ ରାଜ୍ୟମାନେ ଗୁଣାତ୍ମକ ଶିକ୍ଷା କୌଶଳ ବିକାଶ, ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଦୃଢ କରି ସର୍ବୋପରି ମାନବ ସମ୍ବଳର ସୁବିନିଯୋଗ କରି ଆର୍ଥିକ ଅଭିବୃଦ୍ଧିକୁ ନିରନ୍ତର ଭାବେ ବଢ଼ାଇ ପାରିବେ।

ଯଦି ନିରନ୍ତର ବିକାଶ ଲକ୍ଷ୍ୟ ବିବରଣୀରେ ଆମେ ପ୍ରମୁଖ ଲକ୍ଷ୍ୟ ସମ୍ପୂର୍ଣ୍ଣ ଦାରିଦ୍ର୍ୟ ଦୂରୀକରଣ, କ୍ଷୁଧାମୁକ୍ତି ଓ ଲିଙ୍ଗ ସମାନତା କଥା ଦେଖିବା, ତେବେ ଓଡିଶା ଭଳି ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ ୨୦୧୧-୧୨ର ୫୪ ପ୍ରତିଶତରୁ ପାଖାପାଖି ୩୨ ପ୍ରତିଶତକୁ ଖସି ଆସିଛି। ଏହା ସ୍ୱାଗତଯୋଗ୍ୟ; ମାତ୍ର ଦାରିଦ୍ର୍ୟର ସ୍ୱରୂପ ଓ ମାପଦଣ୍ଡ ବଦଳି ସାରିଛି। ଦାରିଦ୍ର୍ୟ କେବଳ ଆର୍ଥିକ ଦାରିଦ୍ର୍ୟରେ ସୀମିତ ନାହିଁ, ଏହା ଏବେ ବିଭିନ୍ନ ଦିଗରୁ ଦୃଷ୍ଟିପାତ କରାଯାଉଛି। ଯେହେତୁ ଓଡିଶା ଏକ ଆଦିବାସୀ ବହୁଳ ରାଜ୍ୟ, ସେଠି ଆଦିବାସୀର ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ, ଜୀବିକାକୁ ପରିମାପରେ ନେଲେ ଦାରିଦ୍ର୍ୟର ରୂପ କିଛି ଭିନ୍ନ ହୋଇପାରେ।

ନିତି ଆୟୋଗ ରିପୋର୍ଟ ଅନୁସାରେ ସାରା ଦେଶରେ ୪ ପ୍ରତିଶତ ଚାଳ ଘର ରହିଥିବାବେଳେ ଓଡ଼ିଶାରେ ଏହା ୧୪ ପ୍ରତିଶତ। ତନ୍ମଧ୍ୟରୁ ଆଦିବାସୀ ଓ ଦଳିତମାନଙ୍କର ଚାଳ ଘର ସଂଖ୍ୟା ଖୁବ ଅଧିକ। ଏମାନେ ପକ୍କା ଘର ନପାଇ ପାରିବାର ଏକ ମୁଖ୍ୟ କାରଣ ଏମାନଙ୍କ ପାଖେ ଜମିପଟ୍ଟା ନାହିଁ।

ଲିଙ୍ଗ ଭେଦ ସମସ୍ୟାକୁ ଦୂର କରିବାରେ ସ୍ବେଚ୍ଛାସେବୀ ମହିଳା ସଂଗଠନମାନଙ୍କର ପ୍ରମୁଖ ଭୂମିକା ରହିବ ବୋଲି ପ୍ରତୀତ ହୁଏ। ଓଡିଶା ମିଶନ ଶକ୍ତି ମାଧ୍ୟମରେ ପାଖାପାଖି ୨୦୦୦ କୋଟି ଟଙ୍କାର ନେଣଦେଣ ହୋଇଥାଏ। ଏଥିରେ ବହୁତ ଆଦିବାସୀ, ଦଳିତ ଓ ଭିନ୍ନକ୍ଷମ ମହିଳା ବି ଅଂଶଗ୍ରହଣ କରିଥାନ୍ତି। ଘରୁ ବାହାରିବା ଓ ଆଲୋଚନାରେ ଭାଗ ନେବା, ନିଜ ପରିବାରର ଆର୍ଥିକ ସ୍ଥିତିରେ ସହାୟତା କରି ସେମାନେ ନିଜକୁ ସଶକ୍ତୀକରଣ ପ୍ରକ୍ରିୟାରେ ସାମିଲ କରିଥାନ୍ତି। ଏହି ସବୁ ସଙ୍ଗଠନକୁ କେବଳ ଅର୍ଥ ସହିତ ନ ଯୋଡି ବିଭିନ୍ନ ଉପାୟରେ ଏମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ କୌଶଳ ବିକାଶକୁ ସୁଦୃଢ କରାଯାଇ ପାରିବ। ଏମାନଙ୍କ ମାଧ୍ୟମରେ ତୃଣମୂଳ ସ୍ତରରେ ପରିବେଶ ସୁରକ୍ଷା ମଧ୍ୟ କରାଯାଇପାରିବ ।

ଅନ୍ୟ ପ୍ରମୁଖ ସମସ୍ୟା କ୍ଷୁଧା ସଭ୍ୟ ସମାଜରେ, ବିଶେଷ କରି ଏକବିଂଶ ଶତାବ୍ଦୀରେ ଆଦୌ ଗ୍ରହଣୀୟ ନୁହେଁ। ଖାଦ୍ୟ ସୁରକ୍ଷା ନିୟମ ଅନୁସାରେ ପାଖାପାଖି ୯୫ ପ୍ରତିଶତ ହିତାଧିକାରୀଙ୍କୁ ଓଡ଼ିଶାରେ ​ପଡ଼ି କାର୍ଡ ଦିଆଯାଇଥିବା ବେଳେ ଓଡ଼ିଶାରେ କ୍ଷୁଧାର ରୂପରେଖ ଓ ଚିତ୍ରକୁ ଦେଖିଲେ ଦୁଃଖ ଲାଗେ। ଯେହେତୁ ହିତାଧିକାରୀ ଚିହ୍ନଟ କରିବା ଏବେ ବି ଏକ ସମସ୍ୟା, ସେ ସମୟରେ ବିନା ପରିଚୟ ପତ୍ରରେ ମଧ୍ୟ ଭୋକିଲା ଓ ପୀଡିତ ଲୋକଙ୍କୁ ଖାଦ୍ୟ ଅବିଳମ୍ବେ ବିନା ମୂଲ୍ୟରେ ଯୋଗାଇ ଦେବା

ଏକ ସଭ୍ୟ ସମାଜର ଦାୟିତ୍ୱ। କରୋନା କଷଣକୁ ଲକ୍ଷ୍ୟରେ ରଖି କେନ୍ଦ୍ର ସରକାର ଆଗାମୀ ଦୀପାବଳି ଯାଏ ପାଖାପାଖି ୮୦ କୋଟି ଲୋକଙ୍କୁ ବିନା ମୂଲ୍ୟରେ ​‌େ‌ରସନ ସାମଗ୍ରୀ ଯୋଗାଇ ଦେବାର ଘୋଷଣା ମଧ୍ୟ କରିସାରିଛନ୍ତି। କେବଳ ସରକାର ନୁହନ୍ତି, ନାଗରିକ ସମାଜ ଓ ଘରୋଇ କ୍ଷେତ୍ରକୁ ମଧ୍ୟ ଏ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପଡିବ।
ଓଡ଼ିଶାରେ ଶିଳ୍ପର ଯୋଗଦାନ ବର୍ତ୍ତମାନ ରାଜ୍ୟ ଆୟର ପ୍ରାୟ ୩୭ ପ୍ରତିଶତ। ଏହି ୩୭ ପ୍ରତିଶତ ଶିଳ୍ପ ଯୋଗଦାନରେ ଉଦ୍ୟୋଗ ଧନ୍ଦାର ଭାଗ ୪୮ ପ୍ରତିଶତ ମାତ୍ର, ଖଣିଜ କ୍ଷେତ୍ରର ଯୋଗଦାନ ୨୪ ପ୍ରତିଶତ।

ଏଣୁ ଓଡ଼ିଶାରେ ଉଦ୍ୟୋଗ ଧନ୍ଦାକୁ ବଢ଼ାଇ, ଖଣିଜ କ୍ଷେତ୍ରକୁ ଉଦ୍ୟୋଗ ଧନ୍ଦା ସହ ଯୋଡି଼ବାକୁ ପଡିବ। ନିଜ ରାଜ୍ୟରେ ନିଜ ଖଣିଜ ଦ୍ରବ୍ୟର ଉପଯୋଗ ମୁଣ୍ଡ ପିଛା ଆୟରେ ଆହୁରି ଉନ୍ନତି ଆଡକୁ ବାଟ କଢାଇବ। ନିଜ ରାଜ୍ୟରେ ନିଯୁକ୍ତି ସହ ଆମ ଯୁବକଯୁବତୀଙ୍କ ରୋଜଗାର ପାଇଁ ସ୍ଥାନାନ୍ତରଣକୁ କମ୍‌ କରିବ। ଅତ୍ୟଧିକ ଖଣିଜ ଖନନ ପରିବେଶ ପ୍ରତି ମଧ୍ୟ ଅନୁକୂଳ ନୁହେଁ। ଖଣିର ଖନନ ଓ ଯୋଗାଣ ପରିପାର୍ଶ୍ବ ପରିବେଶକୁ କେମିତି ବିନା କ୍ଷତି ପହଞ୍ଚାଇ କରାଯାଇ ପାରିବ, ସେ ନେଇ ଯତ୍ନବାନ ହେବା ବାଞ୍ଛନୀୟ।
ଓଡିଶା ନୀଳ ଅର୍ଥନୀତି ନିରନ୍ତର ବିକାଶ ଲାଭ କରିବାରେ ଏକ ଅପୂର୍ବ ଭୂମିକା ଗ୍ରହଣ କରିବାର କ୍ଷମତା ରଖେ।

୨୦୧୨ ମସିହା ତୃତୀୟ ଧରିତ୍ରୀ ସମ୍ମିଳନୀ ପରେ ନୀଳ ଅର୍ଥନୀତିକୁ ବିଶ୍ୱ ଗୁରୁତ୍ୱ ଦେଇଆସୁଛି। ଓଡିଶା ଏ ଦିଗରେ ସାମୁଦ୍ରିକ ମାଛ, ଜଳଚର, ଏବଂ ମତ୍ସ୍ୟ ପ୍ରକ୍ରିୟାକରଣ, ଘରୋଇ ଉତ୍ପାଦନ, ଉଦୀୟମାନ ଶିଳ୍ପ, ବାଣିଜ୍ୟ, ପର୍ଯ୍ୟଟନ, ପ୍ରଯୁକ୍ତି ବିଦ୍ୟା ସେବା ଓ ଦକ୍ଷତା ବିକାଶ ଦିଗରେ ଏବେଠାରୁ ଲକ୍ଷ୍ୟ ସ୍ଥିର କରିପାରିବ। ଏହି ଲକ୍ଷ୍ୟ ପୂରଣ କରି ଓଡିଶା ତାର ସ୍ଥାନକୁ ନିରନ୍ତର ବିକାଶ ମାନଦଣ୍ଡରେ ଉନ୍ନୀତ କରିପାରିବ। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଓଡିଶାକୁ ଆହୁରି ଉନ୍ନତ ହେବାକୁ ପଡ଼ିବ। ବର୍ତ୍ତମାନ ଅନ୍‌ଲାଇନ ଶିକ୍ଷା ଜରୁରୀ ଥିବାବେଳେ ଓଡ଼ିଶାରେ ଟେଲି ସାନ୍ଦ୍ରତା ଗ୍ରାମାଞ୍ଚଳରେ ୫୦ ପ୍ରତିଶତରୁ କମ। ଶିକ୍ଷକ ଓ ଛାତ୍ର ଅନୁପାତ କମ ଥିଲାବେଳେ ଗୁଣବତ୍ତାଯୁକ୍ତ ଶିକ୍ଷକଙ୍କର ପର୍ଯ୍ୟାପ୍ତ ଅଭାବ ରହିଛି। ଓଡ଼ିଶାରେ ମାତୃ ମୃତ୍ୟୁହାର ଏବେ ଏକ ଲକ୍ଷରେ ୧୪୪ ପାଖାପାଖି ରହିଛି ଓ ଶିଶୁ ମୃତ୍ୟୁହାର ମଧ୍ୟ ଏକ ହଜାରରେ ୪୪ ପାଖାପାଖି, ଯାହା ଜାତୀୟ ହାର ତୁଳନାରେ ଅଧିକ। ୨୦୩୦ ବେଳକୁ ମାତୃମୃତ୍ୟୁ ହାରକୁ ୭୦ ତଳକୁ ଓ ଶିଶୁ ମୃତ୍ୟୁ ହାରକୁ ୨୭ ତଳକୁ ଆଣିବାକୁ ନିରନ୍ତର ବିକାଶ ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଛି। ନିରନ୍ତର ବିକାଶର ଲକ୍ଷ୍ୟ ଗ୍ରାମୀଣ ସ୍ତର ଯାଏ ପରିବ୍ୟାପ୍ତ। ଏଣୁ ସର୍ବଦା ଗ୍ରାମୀଣ ସ୍ତରର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଗମନାଗମନକୁ ଏବେଠୁ ଗୁରୁତ୍ୱ ନଦେଲେ ନିରନ୍ତର ଓ ସାମୂହିକ ବିକାଶ ସମ୍ଭବ ହେବ ନାହିଁ।

ଓଡିଶା ସବୁଠାରୁ ପଛରେ ତଥା ୨୮ ତମ ରାଜ୍ୟ ହିସାବରେ ରହିଥିବା ନିରନ୍ତର ଲକ୍ଷ୍ୟ ସୂଚକ ହେଉଛି ଶାନ୍ତି, ନ୍ୟାୟ ଏବଂ ମଜଭୁତ ଅନୁଷ୍ଠାନ। ଏହା ଚିନ୍ତାର ବିଷୟ। ଓଡିଶାକୁ ଏ କ୍ଷେତ୍ରରେ ଚିନ୍ତା କରିବାକୁ ପଡି଼ବ। ମୋ ସରକାର ଭଳି ଯୋଜନା ଓଡିଶା ସରକାର କରିଛନ୍ତି ସତ; ମାତ୍ର ନିରନ୍ତର ବିକାଶ ପରିମାପକରେ ଏହା ଦୁର୍ନୀତି ହ୍ରାସ ସହ ମହିଳା, ଶିଶୁ, ନିଷ୍ପେଷିତଙ୍କ ବିରୁଦ୍ଧରେ ନିର୍ଯାତନାକୁ କମ କରିପାରିନି ବୋଲି ମନେହୁଏ। ଯଦି ପ୍ରଶାସନିକ ପରିଚାଳନାରେ ଦୃଢ଼ ସୁଧାର ଅଣାଯାଏ ତେବେ କେବଳ ଓଡିଶା ନୁହେଁ, ସବୁ ରାଜ୍ୟକୁ ସୁଫଳ ମିଳିବା ସମ୍ଭବ।

Comments are closed.