ଅନନ୍ୟ ବିପ୍ଳବୀ ବୀର ସୁରେନ୍ଦ୍ର

- ଦୀପକ କୁମାର ପଣ୍ଡା

କୋଡ଼ିଏ ବର୍ଷ ଧରି ବ୍ରିଟିଶ ବିରୁଦ୍ଧରେ ସଂଗ୍ରାମ, ୩୭ ବର୍ଷର ବନ୍ଦୀ ଜୀବନ ତଥା କାରାଗାର ମଧ୍ୟରେ ହିଁ ଅନ୍ତିମ ଦୀପ ନିର୍ବାପିତ ହେବାର ଏହା ଏଭଳି ଏକ ଅନନ୍ୟ ଜୀବନଗାଥା ଯେଉଁଥିରେ ଅଦମ୍ୟ ସାହସ, ଅସୀମ ଧୈର୍ୟ୍ୟ ଏବଂ ଅତୁଳନୀୟ ବଳିଦାନ ଅନ୍ତର୍ନିହିତ।

ବ୍ରିଟିଶ ବିରୁଦ୍ଧରେ କେଉଁଠି ଦିନେ ଦୁଇଦିନ କିମ୍ବା ମାସେ ଦୁଇମାସ ଅଥବା ବର୍ଷେ ଦୁଇ ବର୍ଷ ସଂଗ୍ରାମ ସମ୍ଭବ ହୋଇଥିଲା; କିନ୍ତୁ ସମ୍ବଲପୁର ମାଟିରେ ୧୮୨୭ରୁ ୧୮୪୦ ଏବଂ ୧୮୫୭ରୁ ୧୮୬୨ ପର୍ୟ୍ୟନ୍ତ ଦୁଇଟି ପର୍ୟ୍ୟାୟରେ ୨୦ ବର୍ଷ ସକାଶେ ସଂଘର୍ଷ ସଂଗଠିତ ହୋଇଥିଲା। ୧୮୫୭ର ସିପାହି ବିଦ୍ରୋହ ଆରମ୍ଭ ହେବା ବେଳକୁ ବୀର ସୁରେନ୍ଦ୍ର ସାଏ ଏବଂ ତାଙ୍କ ଭ୍ରାତା ଉଦନ୍ତଙ୍କ କାରାଜୀବନର ୧୭ତମ ବର୍ଷ ଚାଲୁଥିଲା। ବିଦ୍ରୋହୀ ସିପାହୀ ହଜାରୀବାଗ କାରାଗାରର ଦରଜା ଭାଙ୍ଗି ଦେବାରୁ ସୁରେନ୍ଦ୍ର ଏବଂ ଉଦନ୍ତ ମୁକ୍ତି ପାଇ ଜନ୍ମମାଟିରେ ପଦାର୍ପଣ କଲେ। ୧୭ ବର୍ଷର କାରାବରଣ ପରେ ମନୋବଳ ଭଗ୍ନ ତଥା ରକ୍ତ ଶିଥିଳ ହୋଇଯିବା କଥା; କିନ୍ତୁ ବିଶ୍ରାମ, ପରିବାରର ମୋହ ଓ ସୁଖ ସ୍ୱାଚ୍ଛନ୍ଦ୍ୟ ଛାଡ଼ି ସମ୍ବଲପୁର ବାହାରେ ଶାସନ ଠାରେ ଶିବିର ସ୍ଥାପନ କରି ସୁରେନ୍ଦ୍ର ରଣଦୁନ୍ଦୁଭି ବଜାଇଦେଲେ। ଦୁଇଥର କରବୃଦ୍ଧି ଏବଂ ବାରମ୍ବାର ଅପମାନ ହେତୁ ଅସନ୍ତୁଷ୍ଟ ଥିବା ସମ୍ବଲପୁରର ଜମିଦାର ଗୌନ୍ତିଆଗଣ ବ୍ରିଟିଶକୁ ଏ ମାଟିରୁ ତଡ଼ିବାକୁ ନିଜର ଆକାଙ୍‌କ୍ଷାର ପ୍ରତିନିଧି ରୂପେ ବୀର ସୁରେନ୍ଦ୍ରଙ୍କୁ ପାଇ ତାଙ୍କ ସହ ଯୋଗଦେଲେ। ୧୮୫୭ ଅକ୍ଟୋବର ୭ ତାରିଖରେ ବୀର ସୁରେନ୍ଦ୍ର ସାଏ ୧୫ ଶହ ଲୋକଙ୍କ ଗହଣରେ ସମ୍ବଲପୁର ସହର ମଧ୍ୟରେ ପ୍ରବେଶ କରି ରାଜରାସ୍ତାରେ ଆଗେଇ ଯାଇ ସମଲେଈ ଦର୍ଶନ ପରେ ରାଜବାଟୀ ଦଖଲ କଲେ। ଏହା ଥିଲା ତାଙ୍କ ଦ୍ୱିତୀୟ ପର୍ୟ୍ୟାୟ ସଂଗ୍ରାମର ଅୟମାରମ୍ଭ। ଏହି ସଂଗ୍ରାମରେ ଗୌନ୍ତିଆ, ଜମିଦାରଙ୍କ ସହ ସହଯାତ୍ରୀ ହେଲେ ସାଧାରଣ ପ୍ରଜା। ବ୍ରାହ୍ମଣ, ଗଣ୍ଡ, ବିଞ୍ଝାଲ ଓ ଅନ୍ୟାନ୍ୟ କେତେ ଜାତି ଭେଦଭାବକୁ ଦୂରେଇ ଦେଇ ଏକାକାର ହେଲେ।

ଦେଶର ଅନ୍ୟାନ୍ୟ ସ୍ଥାନରେ ସିପାହି ବିଦ୍ରୋହକୁ ଚପାଇ ଦିଆଗଲା; ମାତ୍ର ସମ୍ବଲପୁରରେ ଏହା ସମ୍ଭବ ହେଲା ନାହିଁ। ତେଣୁ ବ୍ରିଟିଶ କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଲା। ଅଧିକରୁ ଅଧିକ ସୈନ୍ୟ ଏବଂ ସେନାନାୟକଙ୍କୁ ସମ୍ବଲପୁରକୁ ପଠାହେଲା। କ୍ୟାପଟେନ୍‍ ଡାୟାର, ୱିଣ୍ଡହାମ୍‍, ନକର, ଭେଲେନ୍ସ, ସେକ୍ସପିୟର, ନିପନ୍‍, ମୋନ୍‍କ୍ରିଫ୍‍, ଏଲୱିନ୍‍, ରବିନ୍‍ସନ୍‍, ହୋଡ଼ୋ, ଉଡ଼ବ୍ରିଜ, ବେଟ୍‍ସ, ସ୍ୱିନିଙ୍ଗ, ମେକରଲିନ୍‍, ଗାର୍ଡ଼ସଡ଼େନ୍‍, ପାଲମେର,ଉଡ଼୍‍ ସମେତ ବହୁ ଅଭିଜ୍ଞ ସେନାନାୟକ ସମ୍ବଲପୁର ଆସିଲେ। ୧୮୫୭ ଡିସେମ୍ବର ୩୦ ତାରିଖରେ କୁଦୋପାଲି ଯୁଦ୍ଧରେ ସୁରେନ୍ଦ୍ରଙ୍କ ଭ୍ରାତା ଛବିଳ ସାଏଙ୍କ ସମେତ ୫୩ ଜଣ ସଂଗ୍ରାମୀ ନିହତ ତଥା ୧୧ ଜଣ ବନ୍ଦୀ ହେଲେ। ସେହିଭଳି ୧୮୫୮ ଫେବୃଆରୀ ୧୯ ତାରିଖରେ ସିଂଘୋଡ଼ା ଯୁଦ୍ଧରେ ୧୧ ସଂଗ୍ରାମୀ ନିହତ ଓ ୧୫ ଆହତ ହୋଇଥିଲେ। ସେହି ବର୍ଷ ସେପ୍ଟେମ୍ବର ୧୭ରେ ଭେଡ଼େନରେ ଅତର୍କିତ ଆକ୍ରମଣରେ ଭେଡ଼େନ ଜମିଦାର ମନୋହର ସିଂହଙ୍କ ସହ ୨୦ ସଂଗ୍ରାମୀ ଟଳି ପଡ଼ିଥିଲେ। ଏହା ସ​‌େ​‌ତ୍ତ୍ବ ସୁରେନ୍ଦ୍ର ଦଳର ମନୋବଳ ହ୍ରାସ ପାଇଲା ନାହିଁ। ବ୍ରିଟିଶକୁ ନାକେଦମ୍‍ କରିପକାଇଲେ ସେମାନେ। ଯୁଯୋମୁରାରେ ଡ଼ା. ଥୋମାସ ମୁର ଏବଂ ପାହାଡ଼ଶ୍ରୀଗିଡ଼ାରେ କ୍ୟାପଟେନ ଉଡ଼ବ୍ରିଜ ନିହତ ହେବା ତଥା ସଂଗ୍ରାମୀମାନଙ୍କ ଦ୍ୱାରା ବାରମ୍ବାର ବ୍ରିଟିଶ ସେନା ଉପରେ ଆକ୍ରମଣ ଯୋଗୁଁ ନୈରାଶ୍ୟ ଖେଳିଗଲା। ରାଗ ଶୁଝାଇବାକୁ ଯାଇ ବ୍ରିଟିଶ ସୈନ୍ୟ କୁଲାବିରା ଜମିଦାରଙ୍କ ଆବାସ ଓ ଖିଣ୍ଡାସ୍ଥିତ ସୁରେନ୍ଦ୍ରଙ୍କ ଘରକୁ ତୋପରେ ଉଡ଼ାଇଦେଇଥିଲେ।

ସୁରେନ୍ଦ୍ରଙ୍କ ସଂଘର୍ଷମୟ ଦୁର୍ଦ୍ଧର୍ଷ ଜୀବନ ଗାଥା ଅନନ୍ୟ। ଏହା ତାଙ୍କ ଦୃଢ଼ ମନୋବଳ, ଧୈର୍ୟ୍ୟ ଏବଂ ସାହସର ପରିଚୟ ଦେଉଛି। ଦୁଇଟି ପର୍ୟ୍ୟାୟରେ ମୋଟ ୩୭ ବର୍ଷକାଳ କାରାବରଣ ଓ କାରାଗାର ମଧ୍ୟରେ ହିଁ ମୃତ୍ୟୁ ତାଙ୍କର ଅତୁଳନୀୟ ବଳିଦାନକୁ ଦର୍ଶାଉଛି। ସୁରେନ୍ଦ୍ରଙ୍କ ସହିତ ତାଙ୍କର ବଡ଼ବାପା ବଳରାମ, ଭ୍ରାତା ଉଦନ୍ତ ଓ ମେଦିନୀ କାରାଗାରରେ ମୃତ୍ୟୁ ଲଭିଥିଲେ। ଭ୍ରାତା ଉଜ୍ଜ୍ୱଳ ଫାଶୀ ପାଇଥିବା ବେଳେ ଭ୍ରାତା ଛବିଳ ଯୁଦ୍ଧରେ ନିହତ ହୋଇଥିଲେ। ଅନ୍ୟତମ ଭ୍ରାତା ଧ୍ରୁବ ଓ ପୁତ୍ର ମିତ୍ରଭାନୁ ୧୨ ବର୍ଷର କାରାବରଣ ପରେ ନିର୍ବାସନ ଜୀବନ ଅତିବାହିତ କରିବାକୁ ବାଧ୍ୟ ହୋଇଥିଲେ। ସୁରେନ୍ଦ୍ରଙ୍କ ଏକମାତ୍ର ଭଗିନୀ ଅଞ୍ଜନାଙ୍କୁ ସାରାଜୀବନ ଅବିବାହିତ ହୋଇ ରହିବାକୁ ପଡ଼ିଲା। ସେହିଭଳି ଘେଁସ ଜମିଦାର ପରିବାରର ମାଧୋ ସିଂହ ତଥା ତାଙ୍କ ପୁତ୍ର କୁଞ୍ଜଲ ଫାଶୀ ପାଇଥିବା ବେଳେ ପୁତ୍ର ହଟ୍ଟେଙ୍କୁ କଳାପାଣି ପଠାଯାଇଥିଲା। ପୁତ୍ର ବୈରୀ କାରାଗାରରେ ପ୍ରାଣ ହରାଇଥିବା ବେଳେ ଅନ୍ୟପୁତ୍ର ଐରୀ ସିଂହଙ୍କୁ ମଧ୍ୟ ପ୍ରାଣବଳି ଦେବାକୁ ପଡ଼ିଥିଲା। କୁଲାବିରା ପରିବାରର ୩ ସଦସ୍ୟ ଫାଶୀ ପାଇଥିଲେ। ଲଖନପୁର ପରିବାରର ବହୁ ସଦସ୍ୟ ମଧ୍ୟ ସେମାନଙ୍କର ପ୍ରାଣ ଉତ୍ସର୍ଗ କରିଥିଲେ। ଜୀବନକୁ ବାଜି ଲଗାଇ ତଳିତଳାନ୍ତ ହୋଇଥିବା ସଂଗ୍ରାମୀଙ୍କ ତାଲିକା ଖୁବ୍‍ ଲମ୍ବା। ଯଦି ଇମ୍ପେ ସନ୍ଧି କରିନଥାନ୍ତେ ତେବେ ଏ ସଂଗ୍ରାମ ଆଉ କେତେ ଦିନ ଚାଲିଥାନ୍ତା ତାହା ଅନୁମାନ କରିବା ମୁସ୍କିଲ। ବୀର ସୁରେନ୍ଦ୍ର ସାଏଙ୍କ ଭଳି ଜଣେ ବ୍ୟକ୍ତିତ୍ୱ ଇତିହାସରେ ବିରଳ ହୋଇଥିବା ବେଳେ ତାଙ୍କ ନେତୃତ୍ୱରେ ପରିଚାଳିତ ବ୍ରିଟିଶ ବିରୋଧୀ ସଂଗ୍ରାମର କାହାଣୀ ମଧ୍ୟ ଅସାଧାରଣ। ବିଦ୍ରୋହକାଳୀନ ସମ୍ବାଦପତ୍ର ପୃଷ୍ଠାରେ ସମ୍ବଲପୁର ଓ ସୁରେନ୍ଦ୍ର ସାଏଙ୍କ ବାବଦରେ ଖୁବ୍‍ ଚର୍ଚ୍ଚା ହୋଇଥିବାବେଳେ ସିପାହି ବିଦ୍ରୋହ ପରେପରେ ବ୍ରିଟିଶ ଅଧିକାରୀ ଓ ଲେଖକମାନଙ୍କ ଦ୍ୱାରା ରଚିତ ଅନେକ ପୁସ୍ତକରେ ମଧ୍ୟ ସୁରେନ୍ଦ୍ର ପୃଷ୍ଠା ମଣ୍ଡନ କରିଛନ୍ତି। ମାତ୍ର ଦୁର୍ଭାଗ୍ୟଜନକ ଭାବରେ ଭାରତୀୟ ଲେଖକମାନଙ୍କ ନଜର କେତୋଟି ନିର୍ଦ୍ଦିଷ୍ଟ ସ୍ଥାନ ତଥା କେଇଜଣ ସଂଗ୍ରାମୀଙ୍କ ଉପରେ ହିଁ କେନ୍ଦ୍ରୀଭୂତ ହେବାରୁ ସୁରେନ୍ଦ୍ର ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ପରିସରକୁ ଆସିପାରି ନାହାନ୍ତି। ସେଣ୍ଟ୍ରାଲ ପ୍ରଭିନ୍ସରେ ସମ୍ବଲପୁର ଦୀର୍ଘ ସମୟ ଧରି ରହିଥିବାରୁ ଓଡ଼ିଶାର ଲେଖକ – ଐତିହାସିକଗଣ ମଧ୍ୟ ସୁରେନ୍ଦ୍ର ତଥା ତାଙ୍କ ନେତୃତ୍ୱରେ ପରିଚାଳିତ ମହାନ ସଂଗ୍ରାମ ସହ ଯଥାର୍ଥ ଭାବରେ ପରିଚିତ ହୋଇପାରି ନାହାନ୍ତି। ତେଣୁ ବୀର ସୁରେନ୍ଦ୍ରଙ୍କ ଭଳି ଜାତୀୟ ସ୍ତରର ଜଣେ ଅଦ୍ୱିତୀୟ ମହାମାନବଙ୍କୁ ଯଥାର୍ଥ ସ୍ଥାନ ଓ ସମ୍ମାନ ମିଳିପାରି ନାହିଁ।

Comments are closed.