ବୀର ଜୀବନ, ବୀରବାଣୀ

ବ୍ରଜମୋହନ ମିଶ୍ର

ଏହି ସୁନ୍ଦର ଓ ଆଗ୍ରହୋଦ୍ଦୀପକ ପୃଥିବୀକୁ ମୁଁ ମୋର ପଛରେ ଛାଡ଼ିଦେଇ ପଳାଇ ଆସିନାହିଁ। ଏହି ପୃଥିବୀ ମୋର ସଙ୍ଗେସଙ୍ଗେ ରହିଛି। ମୋତେ ଏଠାରେ ସମସ୍ତେ ଭଲ ପାଆନ୍ତୁ ଓ ସମସ୍ତେ ମୋର ପ୍ରଶଂସା ଗାନ କରନ୍ତୁ, ସେଥିଲାଗି ମୁଁ ପୃଥିବୀରେ ଜୀବନଧାରଣ କରିନାହିଁ, ଏଠି ମୁଁ ଆପଣାର କର୍ତ୍ତବ୍ୟ କରିବାଲାଗି, ଭଲ ପାଇବା ଲାଗି ଓ ପ୍ରଶଂସା କରିବା ଲାଗି ରହିଛି। ମୋ ଲାଗି ଉଦ୍‌ବିଘ୍ନ ଓ ଚିନ୍ତିତ ହୋଇ ରହିବା ସଂସାରର କାର୍ଯ୍ୟ ନୁହେଁ। ସଂସାର ପାଇଁ, ପିଲାମାନଙ୍କ ପାଇଁ ଉଦ୍‌ବିଘ୍ନ ଓ ଚିନ୍ତିତ ହୋଇ ରହିବା ହେଉଛି ମୋର କର୍ତ୍ତବ୍ୟ। ଜଣେ କେତେଦୂର ପାକଳ ହୋଇ ପୁଷ୍ଟ ଓ ପାରଙ୍ଗମ ହେଲେ ଏପରି ପ୍ରିୟତମ ଭାବବ୍ୟଞ୍ଜକ ପ୍ରାଣାରାମ କଥା କହିପାରେ। ଗତ ଶତାବ୍ଦୀର ଜଣେ ଅସାଧାରଣ ଚିକିତ୍ସକ-ଶିକ୍ଷକ ରୂପେ ପୋଲାଣ୍ଡର ଜାନୁସ୍‌ କାରସାକ୍‌ଙ୍କ ଏପରି ଗଦ୍ୟରୂପ ଯେପରି ଭାବେ ସମସ୍ତଙ୍କର ଶ୍ରବଣୀୟ, ସ୍ମରଣୀୟ ସେପରି ମଧ୍ୟ ଆଶ୍ଳେଷଣୀୟ ଓ ଆତ୍ମୀକରଣୀୟ। ଆଉ କାହାକୁ ଅଛପା କି ଅଜଣା ନାହିଁ ଯେ ଗତ ଶତାବ୍ଦୀ ଯଦି ଥିଲା ‘ଭୟ ଆଉ ପାପ ମିଶି ଏ ସମୟ ଅନ୍ତଃସତ୍ତ୍ବା’, ଆମେ ଗିଳୁଥିବା ଏଇ ସମୟ ‘ମହାଭୟ ଓ ମହାପାପ’ର ଭିନ୍ନ ଏକ କୁତ୍ସିତ ଅଷ୍ଟାବକ୍ର (ଋଷିନୁହଁ) ରାକ୍ଷସକୁ ଜନ୍ମ ଦେଇ ବେଶ୍‌ ଲାଳନପାଳନ କରୁଛି। ଏଇ ଅବାଞ୍ଛିତ, ଅପରିଣାମଦର୍ଶୀ ଆତ୍ମଘାତୀ ଆତ୍ମବିଡ଼ମ୍ବନା ସମ୍ପର୍କରେ ଗଭୀରଭାବେ ଚିନ୍ତାକଲେ ୟାର ଚେରଟିକୁ ଧରିହୁଏ। ବିବର୍ତ୍ତନର ଏଇ ସ୍ତରରେ ମଣିଷର ଏ ପ୍ରକାର ପଶ୍ଚାତ୍‌ଧାବନ ବିବର୍ତ୍ତନର ସ୍ବରୂପ, ସ୍ବଭାବ ଓ ସ୍ବଧର୍ମ ସମ୍ପର୍କରେ ଅବଶ୍ୟ ସନ୍ଦେହ ଜାତ କରାଏ। ମାଙ୍କଡ଼ରୁ ମଣିଷ ରୂପକୁ ଡିଆଁ ମାରିଥିବା ସତ୍ତା ଏବେ ଏଇ ଯେଉଁ ପ୍ରକାର ଲମ୍ବଡିଆଁ ମାରିମାରି ବେଶ୍‌ ମସ୍ତ ହୋଇଯାଉଛି, ତା ସ‌େତ୍ତ୍ବ ତା’ର ଆଗାମୀ ସମ୍ପର୍କରେ ବି ହୁଏତ ସୁନେଲି ସମ୍ଭାବନା କରାଯାଇଛି। ତାହା ପୁଣି ଦିଗ୍‌ଗଜ ଦିଶାରୀଙ୍କ ଦ୍ବାରା। ହେଲେ ଯେଉଁଯେଉଁ ‘ଇମ୍ଫପ୍ରୋବାବ୍ଲ ପସିବିଲିଟି’ (ପୋଏଟିକ୍ସ- ଆରିଷ୍ଟଟଲ) କଥା ‘ଟ୍ରାଜେଡ଼ି’ ସମ୍ପର୍କରେ କୁହାଯାଇଛି ତାହା ଯେ ଆଦୌ କପୋଳକଳ୍ପିତ କି ଉଦ୍ଭଟ ନୁହଁ, ଏହା ବେଶ ଫର୍ଚ୍ଚା ହୋଇ ଗଲାଣି।

ମଣିଷର ଅନ୍ୟନାମ ଚିର ସହଚର(?) ଭ୍ରାନ୍ତି (ହ୍ୟୁବ୍ରିସ) ଯେ ମଣିଷକୁ ଏଇ ଅପରିକଳ୍ପନୀୟ ଲମ୍ବଡିଆଁ ପାଇଁ ମତାଇବା ଓ ତତାଇବାର ଉତ୍‌ପ୍ରେରକ ହୋଇଛି ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ଏ ଲମ୍ବଡିଆଁର ଅନ୍ୟନାମ ଭାବରେ ଆମେ ମଣିଷର ତା ନିଜ ଅସ୍ତିତ୍ବ ସର୍ମ୍ପକରେ ଅନ୍ଧତ୍ବଜନିତ ଅକ୍ଷମଣୀୟ ଏବଂ ଅବଶ୍ୟ ବର୍ଜନୀୟ ଅପାରଗତା ବୋଲି କହିପାରିବା। ମଣିଷ କାହିଁକି ଭାବୁନାହିଁ, ଇଂରେଜୀ ବ୍ୟାକରଣର ସେଇ ଆତ୍ମ ଉନ୍ମୋଚନକାରୀ ନିୟମଟିକୁ ଯାହା ତା ଅସ୍ତିତ୍ବର ଉତ୍ତରଣକାରୀ? ଯଦି ଓଡ଼ିଆ ବାକ୍ୟଟେ ଥିବ ‘ମୁଁ, ତୁମେ ଓ ସେ ବିଦ୍ୟାଳୟକୁ ଗଲେ’, ତାହାହେଲେ ତା’ର ଇଂରାଜୀ ଅନୁବାଦ ହେବ ‘ହି/ସି, ୟୁ ଆଣ୍ଡ ଆଏ ୱେଣ୍ଟ ଟୁ ସ୍କୁଲ।’ ଏଠାରେ ‘ସେ’ର ସ୍ଥାନ ଆଗ ଏବଂ ‘ମୁଁ’ ର ସ୍ଥାନ ସବା ପଛରେ। ନିର୍ଦିଷ୍ଟ ଭାବରେ କହି ହେବ ନାହିଁ କେଉଁ ଉଦ୍ଦେଶ୍ୟରେ ଇଂରେଜୀ ବୈୟାକରଣମାନେ ଏପରି ସୂତ୍ରଟିଏ ନିର୍ଦ୍ଧାରଣ କରିଗଲେ। ଏଥିରେ ଦାର୍ଶନିକତା କେତେ ଅଛି ତାହା ହୁଏତ ସ୍ଥିର କରି କହିହେବ ନାହିଁ ; କିନ୍ତୁ ଏଥିରୁ ଯେ ସମାଜଚଳଣିର ଏକ ଅଭ୍ରାନ୍ତ ତତ୍ତ୍ବ ପ୍ରତୀକିତ ହେଉଛି ତାହା ନିଃସନ୍ଦେହରେ କୁହାଯାଇପାରେ। ସେଇ ପରମ ରମଣୀୟ ତତ୍ତ୍ବର ଯେ ଏତେ ଆବଶ୍ୟକତା ଆମର ଏ ଦୁର୍ନିବାର ଦୁଷ୍କର୍ମ ପ୍ରପୀଡ଼ିତ ଦୁଷ୍କାଳରେ ଅନୁଭୂତ ହେଉଛି ତାହା ‘ଜାରେ ଅନୁଭବୀ ଅନୁଭବରେ’। କ’ଣ ସେ ମହାର୍ଘ ଅନୁଭବ ଯାହାର ରସଘନ ମୂର୍ତ୍ତିଥିଲେ ପ୍ରବନ୍ଧର ଉପକ୍ରମରେ ଉଦ୍ଧୃତ ମହାନୁଭବୀ ମାନବବାଦୀ ଜାନୁସ୍‌ କାରସାକ୍‌? ତାହାହେଉଛି ଏ ସଂସାର ମୋ ଆଗରୁ ଥିଲା ବୋଲି ‘ମୋର’ ଏଠାରେ ସମ୍ଭବ ହୋଇପାରିଲା। ମୁଁ ନ ଅଛି ବୋଲି ସଂସାର ନାହିଁ ଅବା ମୁଁ ଚାଲିଗଲେ ଯେ ସଂସାର ରହିବ ନାହିଁ, ଏପରି ନୁହେଁ। ଯେଉଁ ସଂସାର ମୋତେ ସମ୍ଭବ କରାଇ ସମୃଦ୍ଧ କରାଇଲା, ତାହା ଅବଶ୍ୟ (କେବଳ ଆକାରରେ ନୁହେଁ) ପ୍ରକାରରେ, ପ୍ରବୃତ୍ତିରେ, ପରାକ୍ରମରେ ଓ ପରିଶୀଳନରେ ମୋ ଠାରୁ ବହୁବହୁ ଗୁଣରେ ଗରୀୟାନ୍‌। ଏଇ ସଂସାରକୁ ତତ୍ତ୍ବଦର୍ଶୀମାନେ ଆଚମ୍ବିତ, ଆକର୍ଷିତ ଆଉ ଆପ୍ଳୁତ ହୋଇ ଏକ ଦିବ୍ୟ ପ୍ରକାଶ (ମହିମା) ବୋଲି ପରିଗଣନା କରିଛନ୍ତି। ସଂସାର ଆପଣାର ବିରାଟତା ଅବା ମହିମା ପାଇଁ କେବେ ବି ଫାଟି ପଡ଼େନା। ପକ୍ଷାନ୍ତରେ ତାହା ସେଇ ସତ୍ତ୍ବ ଗୁଣଧାରୀ ହୋଇଥିବାରୁ ମୋ ପରି ସଂଖ୍ୟାତୀତ କ୍ଷୁଦ୍ରାଦପି ‘ମୁ’ଙ୍କୁସ୍ନେହରେ ଧାରଣ କରେ।

ସଂସାରର ଏଇ ସୌରଦୀପ ମହିମାକୁ ସମ୍ୟକ ଜ୍ଞାନ କରିଥିଲେ ବୋଲି ମନୀଷୀ କାରସାକ୍‌ ସଂସାରକୁ ପଛରେ ଛାଡ଼ିଲେ ନାହିଁ। କାରଣ ତାହା କରିଥିଲେ ତାହା ହୋଇଥାନ୍ତା ତାଙ୍କ ପକ୍ଷେ, ତାଙ୍କ ସୃଜନ (ମର୍ତ୍ତ୍ୟରେ ଜନ୍ମ ହେବା)ର ଚରମ ପରାଜୟ। ହୁଏତ ଯେଉଁ ସ୍ରଷ୍ଟା ତାଙ୍କୁ କେତେ ଆଶା ଓ ଭରସାକରି ସଂସାରକୁ ପଠେଇଥିଲେ, ତାହା ତାଙ୍କ ସ୍ରଷ୍ଟା ପଣିଆ ପ୍ରତି ହୋଇଥାନ୍ତା ଏକ ଶକ୍ତ ଚପେଟାଘାତ। ତାହା ତାଙ୍କୁ ସଂସାର ମିତ୍ର କରିପାରି ନଥାନ୍ତା କାରଣ ତାହା ସହ ତାଙ୍କୁ ଯଥାର୍ଥ ରୂପେ ସଂଯୁକ୍ତ କରିପାରି ନଥାନ୍ତା। ଜଣକର ପ୍ରଧାନ ଓ ସର୍ବଶେଷ କର୍ତ୍ତବ୍ୟ ହେଉଛି ସଂସାରର/ସମଗ୍ରର/ନିଖିଳର ମିତ୍ର ବନିଯିବା (ମିତ୍ରସ୍ୟ ଚକ୍ଷୁଷା ସମୀକ୍ଷାମହେ….)। ସେଥିପାଇଁ ମଣିଷ ସଂସାରରୁ ଅନେକ କିଛି ନେଇଥିଲେ ଅବଶ୍ୟ ସେ କିଛି ନା କିଛି ଦେବା। ଏଇଥିପାଇଁ ଜ୍ଞାନମଣ୍ଡଳର ପ୍ରଣେତା ଚିରଞ୍ଜୀବୀ ବିନୋଦ କାନୁନ୍‌ଗୋ ଆପଣାର ଆତ୍ମଜୀବନୀକୁ ‘ଋଣ ପରିଶୋଧ’ ବୋଲି ନାମିତ କରି ଯାଇଛନ୍ତି। ଲାଭ କରିଥିବା କେତେକେତେ ଆଶୀର୍ବାଦର ଅମୃତସ୍ପର୍ଶ (ଯାହା ହିଁ ସେ ସବୁର ବିରାଟତା ତେଣୁ ମହିମା) ପାଇଁ ମୁଁ (ମଣିଷ) ଅବଶ୍ୟ ଦାୟବଦ୍ଧ (ମୁଁ ମାନେ ବା ନ ମାନେ)। ସେଥିପାଇଁ ମଣିଷର ଯାହା କରଣୀୟ ତାହା ଅବଶ୍ୟ ସେ କରିବ। ତା’ର କରଣିରେ ସଂସାରର ମହିମା ବିବଶ, ବିଷଣ୍ଣ କି ବିବ୍ରତ ନ ହୋଇ ହେବ ବିସ୍ମୃତିର ବୈଦେହୀଶ ବିଳାସ। ଏଇ ନିତ୍ୟଚୈତନ୍ୟଯୁକ୍ତ ହୋଇ ‘ମୁଁ’ (ବ୍ୟକ୍ତି), ନିଜର ଅହଂପ୍ରସୂତ ଅନେକ ଦାବି ହାସଲ କରିବାରେ ସଂସାରର ନାରଖାର କରିବ ନାହିଁ।

କେବଳ ଯଦି ବ୍ୟକ୍ତି ‘କୃତଜ୍ଞତା’ର ନିର୍ମାଣଧର୍ମିତାକୁ ଜୀବନଧର୍ମ କରିପାରିବ, ତାହାହେଲେ ସେ ସତରେ ଅଗ୍ରଗାମୀ (ଚରୈବତି, ଚରୈବତି) ହୋଇପାରିବ। କୃତଜ୍ଞତାର ଅର୍ଥନୁହଁ ବଶମ୍ବଦତା। ତା’ର ପ୍ରକୃତ ଅର୍ଥ ହେଉଛି ବଞ୍ଚିବାର ପରମ ସତ୍ୟ ପ୍ରତି ଉନ୍ମୁଖ ହୋଇ ତାକୁ ଷୋଳଅଣା ଗ୍ରହଣ କରିବା ଭୀରୁ ଭଳି ନୁହଁ, ବୀର ପରି। ଏହାକୁ ଆତ୍ମକାମୀ କାପୁୁରୁଷ ନା ବୁଝିପାରେ ନା ଗ୍ରହଣ କରିପାରେ! ଆଉ ସେଇଥିପାଇଁ ସେ କହିପାରେନା, ‘ହେବ ଏ ବିଶ୍ବ ମୋର ପ୍ରେମ ପସରା’ (ଗୋପବନ୍ଧୁ)। ଅଗ୍ରକାମୀ ସୁପୁରୁଷ ହିଁ ସଂସାରକୁ ହୃଦ୍‌ଗତ କରିଥାଏ ବୋଲି ତାକୁ ସଶ୍ରଦ୍ଧ ଓ ସମ୍ୟକ୍‌ ଗ୍ରହଣ କରିଥାଏ। ତେଣୁ ସଂସାର ତାକୁ ‘ଦେଉ’ ବୋଲିର ଭ୍ରାନ୍ତି ବିଳାସରେ ସେ ନିଶ୍ଚେତନ ହୁଏନା। ପକ୍ଷାନ୍ତରେ ସଂସାର ତାକୁ କେତେ କ’ଣ ଦେଇଛି ଓ ଦେଉଛିର ସାତ୍ତ୍ବିକ ଶୃଙ୍ଗାରରେ ଅହରହ କୃତଜ୍ଞତାର ସାମଗାନ କରୁଥାଏ। ସେହିପରି ଜୀବନଧର୍ମିତାରେ ସମସ୍ତେ ବି ମହାରାସ ରଚନା କରିପାରିବେ ଯେଉଁଠି ସଂସାରରୂପୀ ଶ୍ରୀକୃଷ୍ଣଙ୍କ ପାଇଁ, ମଣିଷ, ମାନମୟୀ ଶ୍ରୀରାଧା ହୋଇପାରିବ। ଆଉ ସେମାନଙ୍କର ‘ଅପ୍ରାକୃତ କେଳି’ ଯୋଗୁଁ ବିବର୍ତ୍ତନ ଅବଶ୍ୟ ତା ଅନ୍ତର୍ନିହିତ ସ୍ବଧର୍ମ ପାଳନ କରିଚାଲିବ। ହେଲେ ଏହା ଆବଶ୍ୟକ କରୁଛି ଏକ ପରିବର୍ତ୍ତନ-ପ୍ରତି ‘ମୁଁ’ର ସଂପ୍ରସାରଣ ସଂଭୂତ ପରିବର୍ତ୍ତନ। ନିଜକୁ କେନ୍ଦ୍ରରେ ରଖି କିମ୍ବା କେନ୍ଦ୍ର ବୋଲି ଭାବି ସମସ୍ତେ ତା ଚାରିପଟେ ଘିରିଘିରି ହୋଇ ବୁଲି ତା’ର ଅହଂକୁ ଅଧିକରୁ ଅଧିକ ଫୁଲେଇବା ଜନିତ ପାଶବିକ କାମନା ପାଶରୁ ଶ୍ରମ, ସଦିଚ୍ଛା ଓ ସଂକଳ୍ପସହ ମୁକ୍ତ କରିବାର ପରିବର୍ତ୍ତନ। ମହାନ୍‌ ଶିକ୍ଷକ କାରସାକ୍‌ଙ୍କ (ଯାହାଙ୍କୁ ପୋଲାଣ୍ଡର ପେଷ୍ଟାଲଜି ବୋଲି କୁହାଯାଏ), ସେଇ ବୀର ବାଣୀକୁ ଆମେ ବାରମ୍ବାର ଅଧ୍ୟୟନ ତଥା ସମୀକ୍ଷା କରି ତାହାକୁ ଆମ ପ୍ରାତ୍ୟହିକ ଜୀବନ ଯଜ୍ଞର ସମିଧରୂପେ ବ୍ୟବହାର କଲେ କେଡ଼େ କଥା ନ ହୁଅନ୍ତା! ଏପରି ବୀର ବାଣୀର ବୀର ପ୍ରୟୋଗର ବ୍ୟକ୍ତି, ହେବାକୁ ଚେତନାର ଦଃୁସାହସ କରିବା କି?

Comments are closed.