ମତିଭ୍ରମିତଙ୍କ ବସତି

ପ୍ରଦୀପ ମହାପାତ୍ର

ଇଂଲିଶ ଶବ୍ଦ ‘ଡ଼ିମେନସିଆ’ର ଉତ୍ସ ଲାଟିନ ଶବ୍ଦ ‘ଡ଼େମେନ୍ସ’ ଅର୍ଥାତ୍‌ ପାଗଳ । ‘ଡ଼ିମେନସିଆ’କୁ ଓଡ଼ିଆରେ ‘ମତିଭ୍ରମ’ ନାମିତ କରାଯାଇପାରେ । ଶବ୍ଦକୋଷରେ ମତିହୀନ, ମତିଭ୍ରଂଶ, ମତିଭ୍ରାନ୍ତ, ମତିଭ୍ରଷ୍ଟ, ସ୍ମୃତିନାଶ ଓ ବୁଦ୍ଧିନାଶ ଇତ୍ୟାଦି ଶବ୍ଦର ବ୍ୟବହାର ସୂଚ଼ିତ । ମତିଭ୍ରମ ଏକ ରୋଗ ନୁହେଁ, ବରଂ ନିର୍ଦ୍ଦିଷ୍ଟ ଶାରୀରିକ ଅବସ୍ଥା। ମସ୍ତିଷ୍କରେ ବିଭିନ୍ନ ପରିବର୍ତ୍ତନ ତଥା ତ୍ରୁଟିପୂର୍ଣ୍ଣ ରକ୍ତଯୋଗାଣ ହେତୁ ମନୁଷ୍ୟ ସ୍ମୃତିନାଶର ସମ୍ମୁଖୀନ ହୋଇଥାଏ । କଥୋପକଥନ ବେଳେ ଠିକ ଶବ୍ଦ ବ୍ୟବହାରରେ ଅକ୍ଷମତାଠାରୁ ଆରମ୍ଭ କରି ଦୀର୍ଘ ପରିଚ଼ିତଙ୍କ ନାମ, ଠିକଣା ଠଉରାଇ ନପାରିବା ଓ ନିକଟ ଅତୀତକୁ ଭୁଲିଯିବା ଇତ୍ୟାଦି ମତିହୀନତାର ଲକ୍ଷଣ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ହିସାବ ଅନୁଯାୟୀ ବିଶ୍ୱବ୍ୟାପୀ ୬୦ ବର୍ଷୋତ୍ତରଙ୍କ ମଧ୍ୟରେ ପ୍ରାୟ ପାଞ୍ଚରୁ ଆଠ ପ୍ରତିଶତ ଯାଏ ବରିଷ୍ଠ ନାଗରିକ ବିଭିନ୍ନ ପର୍ଯ୍ୟାୟରେ ମତିଭ୍ରମ ଶିକାର ହୋଇଥାନ୍ତି । ଏମାନଙ୍କଠାରେ ସାମାନ୍ୟ କଥାରେ ବ୍ୟତିବ୍ୟସ୍ତ, ଉଦ୍‌ବିଗ୍ନ, ଅପ୍ରତ୍ୟାଶିତ ହାବଭାବ ପରିବର୍ତ୍ତନ ଓ ଅବସାଦଚ୍ଛନ୍ନ ହୋଇପଡ଼ିବା ମଧ୍ୟ ଦେଖିବାକୁ ମିଳେ। ସମକାଳରେ ବିଭିନ୍ନ ରାଷ୍ଟ୍ରରେ ପାଞ୍ଚ କୋଟି ଯାଏ ମତିଭ୍ରମ ଶିକାର ହେଉଥିବା ସ୍ଥଳେ ନିମ୍ନ ଓ ମଧ୍ୟବିତ୍ତ ଆୟକାରୀ ଅଞ୍ଚଳରେ ୬୦ ପ୍ରତିଶତ ଆକ୍ରାନ୍ତ ବସବାସ କରନ୍ତି । ପ୍ରତିବର୍ଷ ପ୍ରାୟ କୋଟିଏ ନୂଆ ସାମିଲ ହୁଅନ୍ତି । ପରିସଂଖ୍ୟାନରେ ୨୦୩୦ ସୁଦ୍ଧା ଆଠକୋଟି ୨୦ ଲକ୍ଷ ଏବଂ ୨୦୫୦ ସୁଦ୍ଧା ପନ୍ଦର କୋଟି ୨୦ ଲକ୍ଷ ମତିଭ୍ରମ ଆକ୍ରାନ୍ତ ଆକଳନ କରାଯାଏ ।

ମତିଭ୍ରମ ଲାଗି ସ୍ୱୟଂସଂପୂର୍ଣ୍ଣ ଚ଼ିକିତ୍ସା ନଥିବା ଏବଂ ମତିଭ୍ରମ ପ୍ରଭାବିତଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଥିବା ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାରେ ଏକ ଅସମାହିତ ସମସ୍ୟାରୂପେ ଦଣ୍ଡାୟମାନ। ଚିକିତ୍ସକଙ୍କ ବିଚାରରେ ବୟସବୃଦ୍ଧି ସହ ମତିଭ୍ରମର ସଂପର୍କ ନଥାଏ । ତେବେ ସମଗ୍ର ମତିଭ୍ରମିତଙ୍କ ମଧ୍ୟରେ ମାତ୍ର ନଅପ୍ରତିଶତ ଯୁବ ଶ୍ରେଣୀ ଅନ୍ତର୍ଭୁକ୍ତ । ବାର୍ଦ୍ଧକ୍ୟରେ ବିକଳାଙ୍ଗ ଓ ନିର୍ଭରଶୀଳ ଜୀବନଯାପନରେ ମତିଭ୍ରମକୁ ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ କାରଣ ରୂପେ ଚ଼ିହ୍ନଟ କରାଯାଏ ।

ବାର୍ଦ୍ଧକ୍ୟରେ ମାନସିକ ସ୍ୱାସ୍ଥ୍ୟାବସ୍ଥା ବିଶ୍ଳେଷଣ ସମ୍ୱଳିତ ଗବେଷଣାରୁ ଜାଣିବାକୁ ମିଳେ ଯେ ଯୁକ୍ତରାଷ୍ଟ୍ର ଆମେରିକାରେ ୬୫ ବର୍ଷୋତ୍ତରଙ୍କ ମଧ୍ୟରେ ୨୦ରୁ ୨୫ ପ୍ରତିଶତ ବରିଷ୍ଠ ନାଗରିକ ଭଗ୍ନ ମାନସିକ ସ୍ୱାସ୍ଥ୍ୟାବସ୍ଥାର ଶିକାର । ସ୍ମୃତିଶକ୍ତି ହ୍ରାସ, ନିଷ୍ପତ୍ତି ଗ୍ରହଣରେ ସମସ୍ୟା ଭଳି ସ୍ଥିତି ଜୀବନର ଶେଷାବସ୍ଥାରେ ହାରାହାରି ଚାରିବର୍ଷ ଯାଏ ଅନୁଭୂତ ହୋଇଥାଏ । ସେଥିମଧ୍ୟରୁ ଦେଢ଼ରୁ ଦୁଇ ବର୍ଷ ଆଲଜମିରସ ଭଳି ରୋଗାକ୍ରାନ୍ତ ହୋଇ ମତିଭ୍ରମ ଅବସ୍ଥାରେ କଟେ। ମୋଟାମୋଟି ଭାବେ ପ୍ରାୟ ଦଶ ପ୍ରତିଶତ ବରିଷ୍ଠ ନାଗରିକ ମତିଭ୍ରମରେ ଆକ୍ରାନ୍ତ ହେଉଥିବା ସ୍ଥଳେ ୮୫ ବର୍ଷୋତ୍ତରଙ୍କଠାରେ ପ୍ରାଦୁର୍ଭାବ ଅଧିକ। ଅବଶ୍ୟ ମହାମାରୀ-ପୂର୍ବାବସ୍ଥାରେ ବାର୍ଦ୍ଧକ୍ୟରେ ମତିଭ୍ରମିତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଜଣାଯାଇଥିଲା।

ମତିଭ୍ରମ ଆକ୍ରାନ୍ତଙ୍କ ଥଇଥାନ ନିମନ୍ତେ ବିକଶିତ ରାଷ୍ଟ୍ରଗୁଡ଼ିକରେ ଅଗ୍ରାଧିକାରଭିତ୍ତିରେ ଯୋଜନାମାନ ପ୍ରଣୀତ ହୋଇଥାଏ। ବିକାଶଶୀଳ ରାଷ୍ଟ୍ର ସମୂହରେ ମତିଭ୍ରମିତଙ୍କ ଜୀବନଚ଼ର୍ଯ୍ୟାକୁ ପରିବାର ସମ୍ଭାଳନ୍ତି, ନଚ଼େତ୍‌ ଆକ୍ରାନ୍ତ ଅବହେଳିତ ହୋଇ ପଡ଼ିରହେ। ଭାରତ ତଥା ଓଡ଼ିଶାରେ ମତିଭ୍ରମ ସଂପର୍କରେ ଚ଼େତନା ଅଭାବ ତଥା ଆକ୍ରାନ୍ତଙ୍କ ଯତ୍ନ ଓ ଚିକିତ୍ସା ନିମନ୍ତେ ଅର୍ଥାଭାବ ସାଙ୍ଗକୁ ଜନସ୍ୱାସ୍ଥ୍ୟ ସେବାର ଉନ୍ନତ ଭିତ୍ତିଭୂମି ଗଢ଼ି ଉଠି ପାରିନଥିବା ହେତୁ ବାର୍ଦ୍ଧକ୍ୟରେ ମତିଭ୍ରମ ଆକ୍ରାନ୍ତଙ୍କ ସମସ୍ୟା ଉତ୍କଟ। ଉଦ୍‌ବେଗର ବିଷୟ ଏହି ଯେ ଏକବିଂଶ ଶତାବ୍ଦୀର ତୃତୀୟ ଦଶକ ଆରମ୍ଭ ସୁଦ୍ଧା ଏ ଦିଗରେ ସାମାଜିକସ୍ତରରେ ନୀତିନିର୍ଦ୍ଧାରଣ ନିମନ୍ତେ ବିଚାରବିମର୍ଶ ହିଁ ନଜରକୁ ଆସେ ନାହିଁ।

ଆଲଜିମରସ ହେତୁ ୬୦ରୁ ୮୦ ପ୍ରତିଶତ ମତିଭ୍ରମର ଶିକାର ହୋଇଥାନ୍ତି। ମସ୍ତିଷ୍କକୁ ଉଚ଼ିତ ପରିମାଣରେ ରକ୍ତ ସଞ୍ଚାଳନ ନହୋଇପାରି ‘ଭାସକୁଲାର ଡ଼ିମେନସିଆ’ରେ ୫ ରୁ ୧୦ ପ୍ରତିଶତ ଏବଂ ନିଦ୍ରା-ବ୍ୟାଘାତ-ଜନିତ ‘ଲିଉଇସ ବଡ଼ି ଡିଜିଜ’ରେ ୫ ପ୍ରତିଶତ ଯାଏ ମଧ୍ୟ ମତିଭ୍ରମରେ ଆକ୍ରାନ୍ତ। ମତିଭ୍ରମ ଅନୁଭୂତି ସାଧାରଣରେ ତିନିଗୋଟି ପର୍ଯ୍ୟାୟ ଅନ୍ତର୍ଭୁକ୍ତ।

ପ୍ରାଥମିକ ପର୍ଯ୍ୟାୟରେ ଆକ୍ରାନ୍ତଙ୍କଠାରେ ଭୁଲାମନ, ସମୟର ଗତିକୁ ବାରିନପାରିବା ତଥା ପରିଚିତ ସ୍ଥାନଗୁଡ଼ିକରେ ବାଟବଣା ହେବା ଭଳି ଲକ୍ଷଣ ଅନୁଭୂତ ହୁଏ। ମଧ୍ୟମ ପର୍ଯ୍ୟାୟରେ କ୍ଷଣିକର କଥା ଓ ପରିଚ଼ିତଙ୍କ ନାମ ଭୁଲିଯିବା, ସମୟଜ୍ଞାନର ଅଭାବ, କଥାବାର୍ତ୍ତାରେ ଅସୁବିଧା, ଦୈନନ୍ଦିନ ଜୀବନଚ଼ର୍ଯ୍ୟା ଲାଗି ଅପରର ସହାୟତା ତଥା ହାବଭାବରେ ପରିବର୍ତ୍ତନ ପ୍ରକାଶପାଏ। ଶେଷ ପର୍ଯ୍ୟାୟରେ ସ୍ଥାନ-କାଳ-ପାତ୍ରକୁ ବୁଝିନପାରିବା, ପରିବାରର ସଦସ୍ୟ ଓ ବନ୍ଧୁବର୍ଗଙ୍କୁ ଚ଼ିହ୍ନି ନପାରିବା, ବୁଲାଚଲାରେ ସମସ୍ୟା, ପ୍ରାୟ ସବୁକଥାରେ ଅନ୍ୟ ଉପରେ ନିର୍ଭରଶୀଳ ହୋଇପଡ଼ିବା ତଥା ସ୍ଥଳବିଶେଷରେ ଉତ୍ତେଜିତ ହେବାଭଳି ଲକ୍ଷଣମାନ ଲାଗିରହେ।

ନିର୍ଭରଶୀଳ ମଧ୍ୟମ ଓ ଶେଷ ପର୍ଯ୍ୟାୟରେ ମତିଭ୍ରମ ଆକ୍ରାନ୍ତଙ୍କ ଜୀବନଯାତ୍ରାରେ ବୃତ୍ତିଧାରୀଙ୍କ ଦ୍ୱାରା ସହାୟତା ଯୋଗାଇଦେବା ନିମନ୍ତେ ବିକଶିତ ରାଷ୍ଟ୍ରଗୁଡ଼ିକରେ ନର୍ସିଂହୋମମାନ ଗଢ଼ି ଉଠିଛି। ସେଠାକାର ଆବାସିକ ଚ଼ିକିତ୍ସା ବ୍ୟବସ୍ଥାରେ ଅନ୍ତେବାସୀ ଉପକୃତ ହୁଅନ୍ତି । କେବଳ ମତିଭ୍ରମ ଆକ୍ରାନ୍ତଙ୍କ ନିମନ୍ତେ ନେଦରଲ୍ୟାଣ୍ଡ, ଜର୍ମାନୀ ଭଳି ରାଷ୍ଟ୍ରଗୁଡ଼ିକରେ ସ୍ୱତନ୍ତ୍ର ବସତିମାନ ସୃଷ୍ଟି ହେବା ପରେ ଆନ୍ତର୍ଜାତିକସ୍ତରରେ ଦୃଷ୍ଟି ଆକର୍ଷଣ କରିଥିଲା। ନେଦରଲ୍ୟାଣ୍ଡର ‘ହୁଗିୱେ’ ପ୍ରଥମ ଡ଼ିମେନସିଆ ବସତିରୂପେ ଖ୍ୟାତ।

‘ହୁଗିୱେ’ରେ ୧୫୨ଜଣ ମତିଭ୍ରମ ଆକ୍ରାନ୍ତଙ୍କ ନିମନ୍ତେ ମୁକ୍ତ ଆବାସିକ ବ୍ୟବସ୍ଥା ଉପଲବ୍ଧ। ଏଠାରେ ନର୍ସିଂହୋମ-ହସପିଟାଲ ପରିବେଶ ବଦଳରେ ଏକ ଛୋଟକାଟର ବସତିର ପରିକଳ୍ପନା କରାଯାଇଛି। ସୁଦୃଶ୍ୟ ଦୁଇମହଲା ଆବାସର ପ୍ରତି କୋଠରିରେ ଏକାଧିକ ମତିଭ୍ରମିତ ବସବାସ କରନ୍ତି। ବସତିରେ ରାସ୍ତାଘାଟ, ବଗିଚା ଏପରିକି ଛୋଟିଆ ମଲ, ସେଲୁନ, ଥିଏଟର ଓ ବାର ସ୍ଥାପିତ। ଅନ୍ତେବାସୀ ସ୍ୱଚ୍ଛଳରେ ସର୍ବତ୍ର ବିଚ଼ରଣ କରନ୍ତି। ସେମାନଙ୍କ ସହାୟତା ଲାଗି ଦିନରାତି ବିଭିନ୍ନ ବର୍ଗର ସହାୟକ, ଚ଼ିକିତ୍ସକ ଓ ସ୍ୱେଚ୍ଛାସେବୀ ନିଯୁକ୍ତ। ଫଳତଃ ମତିଭ୍ରମିତ ହସପିଟାଲରେ ଚ଼ିକିତ୍ସିତ ହେବା ବଦଳରେ ସ୍ୱାଧୀନ ଜୀବନଯାପନର ଅନୁଭୂତି ପାଇଥାଏ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଅବସ୍ଥାରୁ ନରୱେରେ ଉତ୍ତର-ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ନିମନ୍ତେ ନର୍ସିଂହୋମ ବ୍ୟବସ୍ଥା କ୍ରମଶଃ ଲୋକଦୃତ ହୋଇଆସିଛି। ‘ହୁଗିୱେ’ ଦୀର୍ଘକାଳ ଧରି ନର୍ସିଂହୋମ ଭାବେ ସେବା ଯୋଗାଇ ଆସିଛି। ସେଠାରେ ଅବସ୍ଥାପିତ କେତେକ ଚିକିତ୍ସକ ଆଲଜିମରସ ଆକ୍ରାନ୍ତଙ୍କ ଲାଗି ସ୍ୱତନ୍ତ୍ର ସେବା ନିମନ୍ତେ ଏକ ବସତି ନିର୍ମାଣର ପରିକଳ୍ପନା ୧୯୯୨ରୁ ଆରମ୍ଭ କରିଥିଲେ ଏବଂ ଦୀର୍ଘ ୧୭ ବର୍ଷର ଉଦ୍ୟମରେ ୨୦୦୯ରେ ‘ହୁଗିୱେ ଡିମେନସିଆ ବସତି’ କାର୍ଯ୍ୟ ଆରମ୍ଭ କରିଥିଲା। ଏହି ପ୍ରକଳ୍ପ ନିମନ୍ତେ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ଅନୁଦାନ ଯୋଗାଇ ଦିଆଯାଇଥିବା ସ୍ଥଳେ ଜଣେ ଖ୍ୟାତନାମା ସ୍ଥପତି ବସତିର ନକ୍‌ସା ଅଙ୍କନ କରିଥିଲେ। ଏଠାରେ ବସବାସ ପାଇଁ ଅନ୍ତେବାସୀଙ୍କୁ ମାସିକ ପ୍ରାୟ ପାଞ୍ଚ ଶହ ୟୁରୋ ଅର୍ଥାତ ୪୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ।

ମତିଭ୍ରମ ଆକ୍ରାନ୍ତଙ୍କ ଯତ୍ନ ଓ ଚ଼ିକିତ୍ସା ପାଇଁ ସ୍ୱତନ୍ତ୍ର ଆବାସିକ ବସତି ସ୍ଥାପନ ଆନ୍ତର୍ଜାତିକସ୍ତରରେ ଗଣମାଧ୍ୟମର ବ୍ୟାପକ ଦୃଷ୍ଟିଆକର୍ଷଣ କରିଥିଲା। ଫଳରେ ବହୁ ରାଷ୍ଟ୍ରରେ ଅନୁରୂପ ଉଦ୍ୟମ ଆରମ୍ଭ ହୋଇଛି। ଜର୍ମାନୀର ହାମେଲିନଠାରେ ବରିଷ୍ଠ ନାଗରିକଙ୍କ ପାଇଁ ଛଅ ଦଶକ ଧରି ସେବା ଯୋଗାଇ ଦେଇ ଆସିଥିବା ଟୋନେବନ ଫାଉଣ୍ଡେସନ ଦ୍ୱାରା ଡିମେନସିଆ ବସତି ନିର୍ମାଣ ଏକ ଉଦାହରଣ ।

ଆମ ଭାରତରେ ​ବେଙ୍ଗାଲୁରୁ ଉତ୍ତର-ପାର୍ଶ୍ୱ ସହରତଳି ଅଞ୍ଚଳରେ ‘ନିକିସା ଡ଼ିମେନସିଆ ଭିଲେଜ’ ୨୦୧୮ରୁ ଆରମ୍ଭ ହୋଇଛି। ଏଠାରେ ୫୦ ଜଣ ଅନ୍ତେବାସୀଙ୍କ ନିମନ୍ତେ ବ୍ୟବସ୍ଥା ଉପଲବ୍ଧ। ପ୍ରତ୍ୟେକଙ୍କଠାରୁ ମାସିକ ୩୮,୮୦୦ ଟଙ୍କା ଦେୟ ଆଦାୟ କରାଯାଏ। ଦେଶରେ ମତିଭ୍ରମ ଆକ୍ରାନ୍ତଙ୍କ ପାଇଁ ଏହା ଏକମାତ୍ର ଆବାସିକ କେନ୍ଦ୍ର କୁହାଯାଏ। ଏଠାରେ ଉର୍ତ୍ତିହେବା ଅବସରରେ ଆକ୍ରାନ୍ତଙ୍କ ଜଣେ ସଂପର୍କୀୟ କିଛି କାଳ ସାଥିରେ ରହି ମତିଭ୍ରମିତଙ୍କୁ ନୂତନ ପରିବେଶ ସହ ପରିଚ଼ିତ କରାଇଦେବା ପରେ ଦୈନନ୍ଦିନ ଜୀବନଚର୍ଯ୍ୟା ଓ ଚ଼ିକିତ୍ସା ଦାୟିତ୍ୱ ସଂସ୍ଥା ପକ୍ଷରୁ ବହନ କରାଯାଇଥାଏ। ‘ନିକିସା ଡ଼ିମେନସିଆ ଭିଲେଜ’ର ଉଦାହରଣ ଦେଶର ଅନ୍ୟତ୍ର ସମଧରଣର ସୁବିଧା ସୁଯୋଗ ସୃଷ୍ଟି ନିମନ୍ତେ ପ୍ରୋତ୍ସାହନ ଯୋଗାଇବା ଆଶା କରାଯାଇପାରେ।

Comments are closed.