ବିକାଶର ଅନ୍ୟ ଏକ ନାମ ମରୁଭୂମି

ନଟବର ଷଡ଼ଙ୍ଗୀ

ଭୌଗୋଳିକ ଓ ଭୂତତ୍ତ୍ବବିତ୍‌ମାନେ କହନ୍ତି କର୍କଟକ୍ରାନ୍ତି ଓ ମକର କ୍ରାନ୍ତିର ଉଭୟ ପାର୍ଶ୍ବରେ ୧୫ରୁ ୩୦ ଅକ୍ଷାଂଶ ମଧ୍ୟରେ ମହାଦେଶର ପଶ୍ଚିମକୁ ପାକୃତିକ ମରୁଭୂମିଗୁଡିକ ଅବସ୍ଥିତ। ଏସିଆ ମହାଦେଶରେ ଥର୍‌ ଓ ଆରବ ମରୁଭୂମି, ଉତ୍ତର ଆମେରିକାରେ କାଲିଫର୍ଣ୍ଣିଆ, ଦକ୍ଷିଣ ଆମେରିକାରେ ଆଟାକାମା (ଚିଲି), ଆଫ୍ରିକାରେ ସାହାରା ଓ କାଲାହାରି ଏବଂ ପଶ୍ଚିମ ଅଷ୍ଟ୍ରେଲିଆ ଉପକ୍ରାନ୍ତୀୟ ମରୁଭୂମି। ଏହିସବୁ ମରୁଭୂମିରେ ବାର୍ଷିକ ବୃଷ୍ଟିପାତ ୧୦୦ ମିମିରୁ ୨୫୦ମିମି। ଚିଲିରେ ବର୍ଷବର୍ଷ ଧରି ବର୍ଷା ନଥାଏ। ଚିଲି ପୃଥିବୀର ସବୁଠାରୁ ଶୁଷ୍କ ସ୍ଥାନ। ସାହାରା ମରୁଭୂମିରେ ଖ୍ରୀଷ୍ଟପୂର୍ବ ୮୦୦୦ରୁ ୩୦୦୦ ମଧ୍ୟରେ ଭୂମଧ୍ୟସାଗରୀୟ ଦେଶଗୁଡ଼ିକ ଗହମ, ବାର୍ଲି, ଅଙ୍ଗୁର ଚାଷ କରୁଥିବା ଶିଳାଚିତ୍ର, କବର ସ୍ଥଳୀ, ପୁରାତନ କୃଷି ଯନ୍ତ୍ରପାତି ଓ କଳାକୃତିରୁ ପ୍ରମାଣ ମିଳେ। ସେତେବେଳର ସାହାରାରେ କମଳା, ଅଲିଭ ଓ ଓକ ଗଛମାନେ ଶୋଭାବର୍ଦ୍ଧନ କରୁଥିଲେ। (‘ଦ ନ୍ୟାସନାଲ ଜୋଗ୍ରାଫିକ’)

ମଣିଷ କୃତ ମରୁଭୂମି ଜୀବଜଗତ ପ୍ରତି ବିପଦ ସୃଷ୍ଟିକଲାଣି। ପ୍ରତିବର୍ଷ ୭୦,୦୦୦ ବର୍ଗ କିମି ନୂଆ ମରୁଭୂମି ତିଆରି ହେଉଛି(ଦି ନ୍ୟାସନାଲ ଜୋଗ୍ରାଫିକ)। ଆଫ୍ରିକାରେ ୪୦ପ୍ରତିଶତ ଲୋକସଂଖ୍ୟା ମରୁଭୂମି ବାସିନ୍ଦା। ଏସିଆ ଓ ଦକ୍ଷିଣ ଆମେରିକାରେ ଏହା ୩୯ ଓ ୩୦ ପ୍ରତିଶତ। ମିଶରକୁ ନୀଳ ନଦୀର ଦାନ କୁହାଯାଏ। ନଦୀର ଉପର ମୁଣ୍ଡରେ ବିରାଟ ଆସ୍ବାନ ଡ୍ୟାମ୍‌ ତିଆରି ହେଲା। ଏବେ ନଦୀ ଶଯ୍ୟା ପୋତି ହୋଇଯାଉଛି। ନଦୀ ଉପତ୍ୟକାରୁ ଉପର ମାଟି ଦ୍ରୁତ ଅବକ୍ଷୟ ଘଟୁଛି। ମିଶରର କୃଷି ଉତ୍ପାଦନ ୨୦୨୬ ସୁଦ୍ଧା ୪୭ ପ୍ରତିଶତ କମିଯିବାର ଆକଳନ କରାଗଲାଣି।୧୯୫୦ରୁ ୧୯୭୫ ମଧ୍ୟରେ ସାହାରା ୧୦୦କିମି ଦକ୍ଷିଣକୁ ମାଡିଗଲାଣି। ଏହା ମଣିଷକୃତ।

ପୃଥିବୀର ପ୍ରାୟ ୧୦୦ କୋଟି ଲୋକ ମରୁଭୂମିରେ ବାସ କରୁଛନ୍ତି। ପ୍ରତିବର୍ଷ ପ୍ରାୟ ୬୦ ଲକ୍ଷ ବର୍ଗ କିଲୋମିଟର, ଅର୍ଥାତ୍‌ ୬୦୦ ନିୟୁତ ହେକ୍ଟର ଜମି ବଞ୍ଜର ପାଲଟି ଯାଉଛି। କଳ୍ପନା କରନ୍ତୁ ତ ଏତେ ଗୁଡ଼ାଏ ଜମି ଯଦି ପୃଥିବୀର ଭୂମିହୀନମାନଙ୍କୁ ବଣ୍ଟନ କରାଯାଇ ପାରନ୍ତା, ଆଜି ପୃଥିବୀରେ ୧୨୦ କୋଟି ଲୋକ ଗରିବ ସୀମାରେଖା ତଳେ ନଥାନ୍ତେ! ୭୦ କୋଟି ଲୋକ ଭୋକିଲା ରହୁଥାଆନ୍ତେ କି ? ଦକ୍ଷିଣ ଆଫ୍ରିକାରେ ବର୍ଷକୁ ୩୦୦-୪୦୦ ନିୟୁତ ଟନ ଉପର ମାଟି ଆଟଲାଣ୍ଟିକ ମହାସାଗର ଓ ଭାରତ ମହାସାଗରକୁ ବୋହିଯାଉଛି। କଙ୍ଗୋ ଅବବାହିକାରେ ଘଞ୍ଚ ବିଷୁବ ମଣ୍ଡଳୀୟ ଅରଣ୍ୟ। ବହୁଦେଶୀୟ କମ୍ପାନୀମାନେ ଗଛ କାଟି ପକାଉଛନ୍ତି। ତମସା ମହାଦେଶ ଆଫ୍ରିକା ଧୀରେଧୀରେ ମରୁଭୂମି ପାଲଟୁଛି।

ଭାରତରେ ଅରାବଳି ପର୍ବତମାଳାକୁ ଖୋଳି ତାଡି କଙ୍କ୍ରିଟ ଜଙ୍ଗଲ କଲେ। ଫଳରେ ଥର ମରୁଭୂମି ପୂର୍ବକୁ ବୁନ୍ଦେଲଖଣ୍ଡ ପର୍ଯ୍ୟନ୍ତ ମାଡ଼ିଗଲାଣି। ବୁନ୍ଦେଲଖଣ୍ଡରେ ମରୁଡ଼ି। ଖାଦ୍ୟ ସଙ୍କଟ। ମା’ମାନେ ପିଲାଙ୍କୁ ଘାସ ରୁଟି, ଲୁଣ ଖୁଆଉଥିବାର ଚିତ୍ର ଟି.ଭି.ରେ ଦେଖିବାକୁ ମିଳୁଛି। ମହାତ୍ମା ଗାନ୍ଧୀ କହିଥିଲେ “ପ୍ରକୃତି ମଣିଷର ଆବଶ୍ୟକତା ପାଇଁ ଯଥେଷ୍ଟ ସମ୍ବଳ ରଖିଛି; ତା’ର ଲୋଭ ପାଇଁ ନାହିଁ। ଧନିକ ଶ୍ରେଣୀଙ୍କ ଲୋଭ ପ୍ରକୃତିର କାଳ।’’

ମୃତ୍ତିକା କ୍ଷୟ ମରୁଭୂମି ସୃଷ୍ଟିର ଏକ ମୁଖ୍ୟ କାରଣ। ପୃଥିବୀ ଉପରେ କମଳାର ଚୋପା ଭଳି ହାରାହାରି ୭ ଇଞ୍ଚ ବହଳର ମାଟି ଅଛି । ଏହାକୁ ‘ଟପ୍‌ ସଏଲ୍‌’ ବା ଉପର ମାଟି କୁହାଯାଏ। ଏହି ଉପର ମାଟି ହିଁ ଜୀବଜଗତର ଆଧାର। ଗୋଟିଏ ଇଞ୍ଚ ଉପର ମାଟି ତିଆରି ହେବାକୁ ୧୦୦୦୦ ବର୍ଷ ଲାଗିଥାଏ। ଗୋଟିଏ ୨୪ ଇଞ୍ଚିଆ ଭୂଗୋଲକରେ ଉପର ମାଟିକୁ ସୂଚାଇବାକୁ ହେଲେ ଗୋଟିଏ ଇଞ୍ଚର ନିୟୁତ ଭାଗରୁ ତିନି ଭାଗର ଏକ ସୂକ୍ଷ୍ମ ଧାର ହେବ। ଏହି ଧାରଟି ମଣିଷ ଏବଂ ବିଲୁପ୍ତି ମଧ୍ୟରେ ନିର୍ଣ୍ଣାୟକ। ୧୯୫୫ରେ ଟମଡେଲ ଓ ଉରନନ ଗିଲ କାର୍ଟର ‘ଟପ୍‌ ସଏଲ୍‌ ଆଣ୍ଡ୍‌ ସିଭିଲାଇଜେସନ’ରେ ଲେଖିଥିଲେ- ସଭ୍ୟ ମଣିଷ ପୃଥିବୀ ପୃଷ୍ଠରେ ଚାଲିଲାବେଳେ ତା’ର ପାଦ ଚିହ୍ନରେ ମରୁଭୂମି ଛାଡିଯାଏ। ଜି ଭି ଜ୍ୟାକସ ଓ ଆର ଓ ହୁଇଟଙ୍କ ରଚିତ “ଦି ରେପ ଅଫ ଦି ଆର୍ଥ”ର ପ୍ରତି ପୃଷ୍ଠାରେ ସଭ୍ୟ ମଣିଷ ମାଟି ମା’କୁ କିଭଳି ହିଂସ୍ର ଭାବରେ ବଳାତ୍କାର କରୁଛି ତା’ର ବିସ୍ତୃତ ବର୍ଣ୍ଣନା କରିଛନ୍ତି। ସେମାନେ ଲେଖନ୍ତି, ‘ଗଛ କାଟିବା ଜଙ୍ଗଲ ସଫା କରିବା, ଛେଳିମେଣ୍ଢା ଚରେଇବା, ବିରାଟ ନଦୀବନ୍ଧ ଗଢିବା ପ୍ରକୃତିର ସ୍ଥିତିକୁ ଦୋହଲାଇ ଦେଉଛି।

୧୪୯୨ ଅକ୍ଟୋବର ୧୨। କଲମ୍ବସ୍ ଆମେରିକା ଆବିଷ୍କାର କରନ୍ତି । ବିଲାତ, ସ୍ପେନ୍‌, ପର୍ତ୍ତୁଗାଲ ଓ ଅନ୍ୟାନ୍ୟ ୟୁରୋପୀୟ ଦେଶଗୁଡ଼ିକରୁ ଲୁଟେରାଙ୍କ ସୁଅ ଛୁଟିଲା ଆମେରିକା । ବନ୍ଧୁକ ମୁନରେ ଲୋହିତ ଭାରତୀୟ ଓ ଅନ୍ୟାନ୍ୟ ଆଦିବାସୀଙ୍କ ଜମି ଦଖଲ କରିନେଲେ। ଲକ୍ଷଲକ୍ଷ ବର୍ଗ କି.ମି ପାଇନ ଅରଣ୍ୟ ସଫା । ମରୁଭୂମି ତିଆରି ଆରମ୍ଭ ହୋଇଗଲା। ଦକ୍ଷିଣ ଆମେରିକାରେ ପେରୁ । ଆଳୁର ଜନ୍ମସ୍ଥାନ । ମାଟି ଆଡେ଼ଇଦେଲେ ନାଲି, ହଳଦିଆ, ନୀଳ, କଳା, ଧଳା ୪୦୦୦ କିସମର ଆଳୁ। ଆଣ୍ଡ୍ରିଜ୍ ପର୍ବତରେ ପଥର କାଟି ଇନକାମାନେ ଯେଉଁ କେନାଲ ତିଆରି କରିଥିଲେ ପୃଥିବୀର ଇଞ୍ଜିନିୟରମାନଙ୍କୁ ବିସ୍ମିତ କରୁଛି । ସ୍ପେନରୁ ଲୁଟେରାମାନେ ମାଡ଼ି ଆସିଲେ । ବନ୍ଧୁକ ମୁନରେ ଇକାମାନଙ୍କୁ ଜବତ କରି ଜଙ୍ଗଲ ତାଡ଼ି ପକାଇଲେ । ଅର୍ଥକରୀ ଫସଲ ଚାଷ କଲେ । ମାୟା ସଭ୍ୟତା ଭୁଶୁଡ଼ି ପଡ଼ିଲା। ପେରୁ ଆଜି ମଣିଷ ତିଆରି ମରୁଭୂମି।

ଭୁମଧ୍ୟ ସାଗରୀୟ ଦେଶ ସ୍ପେନ, ପର୍ତ୍ତୁଗାଲ୍ ଇଟାଲୀ ଓ ଗ୍ରୀସ ପ୍ରକୃତିର ନନ୍ଦନକାନନ । ପଥର କାଟି କେନାଲ ଖୋଳିଲେ। ବର୍ଷା ପାଣିକୁ ଅଟକାଇ ଟେରାସ ଫାର୍ମ କଲେ । ଫଳ ସାଙ୍ଗକୁ ଗହମ ବାର୍ଲି ଚାଷ। ପ୍ରାକୃତିକ ସୌନ୍ଦର୍ଯ୍ୟ କାଳ ହେଲା । ପର୍ଯ୍ୟଟକମାନେ ଭିଡ଼ କଲେ । ଜଙ୍ଗଲ କାଟି ହୋଟେଲ୍, ବ୍ରଥେଲ ବାର୍ ପାର୍କ ତିଆରି କରାଗଲା। ସବୁଜ ପୃଥିବୀ ଧୂସର ହେଲା । ଗ୍ରୀସ ସଭ୍ୟତା ଭୁଶୁଡ଼ି ପଡ଼ିଲା। । ଅଷ୍ଟାଦଶ ଶତାଦ୍ଦୀକୁ ଶିଳ୍ପ ବିପ୍ଳବ । ଏଣିକି ହାତ ନୁହେଁ ଯନ୍ତ୍ର କାମ କରିବ । ୧୮୯୦କୁ ଆମେରିକାରେ ଟ୍ରାକ୍ଟର ଜନ୍ମ ନିଏ। ଟ୍ରାକ୍ଟର, ବୁଲ ଡୋଜର, ଜେସିବି, କମ୍ବାଇଣ୍ଡ ହାର୍ବେଷ୍ଟାର ଭଳି ବିରାଟକାୟ ଲୌହ ଦାନବମାନେ ଜଙ୍ଗଲ କାଟି ମାଟି ତାଡି ପକାଇଲେ। ମାଟିରୁ ଜିଆ, କଙ୍କଡ଼ା, ଗେଣ୍ଡା, କୋଟି କୋଟି ଅଣୁଜୀବ ନିପାତ ହୋଇଗଲେ। ମାଟି ପଥର ଭଳି ଟାଣ। ଜଳଧାରଣ କ୍ଷମତା କମିଗଲା। ୧୮୪୦ ଜର୍ମାନ୍ ରସାୟନବିତ୍ ଜନ୍ ଭନ୍ ଲେବିଗ୍ ରାସାୟନିକ ସାର ଉଦ୍ଭାବନ କଲେଣି। ଆଉ ଖତ ଲଙ୍ଗଳ କଥା ନୁହେଁ। ଟ୍ରାକ୍ଟର ରାସାୟନିକ ସାରର ଚାଷ। ୧୯୪୦ ବେଳକୁ ସୁଇସ୍ ରସାୟନବିତ୍‌ ପଲମୁଲାର ବିଷ କୀଟନାଶକ ଡି. ଡି. ଟି ଉଦ୍ଭାବନ କରନ୍ତି। ୟୁରୋପ ଓ ଆମେରିକାରେ ବିଷ ଚାଷ ଯୁଗ ଆରମ୍ଭ ହୋଇଗଲା। ଭସ୍ମାସୁର ନିଜ ମୁଣ୍ଡରେ ହାତ ଦେଇ ଜଳିଗଲା ଭଳି ଆମେରିକା ବିଷ ଚାଷ କରି ଗହମ ଭଣ୍ଡାର ​‌େ‌ପରିକୁ ମରୁଭୂମି କରିଦେଲା। ୧୮୮୯ରୁ ୧୯୩୦ ମାତ୍ର ୪୦ ବର୍ଷ । ୟୋକ ହମାରେ ହଜାର ହଜାର ଚାଷୀ ଥଇଥାନ ହେଲେ । ବିଷ ଚାଷ କଲେ। ୧୯୩୦ ବେଳକୁ ମାଟି ବାଲିକୁ ରୂପାନ୍ତରିତ ହେଲାଣି । କାଲି ଯିଏ ଖାଦ୍ୟ ପାତ୍ର ଆଜି ସିଏ ଧୂଳି ପାତ୍ର । କାର୍ଲିଫର୍ଣ୍ଣିଆ ପର୍ଯ୍ୟନ୍ତ ୧୫ନିୟୁତ ଏକର ଚାଷ ଜମି ମରୁଭୂମି ପାଲଟି ଯାଇଛି। ଆମେରିକାରେ ୫୬.୪ ପ୍ରତିଶତ ଚାଷ ଜମି ଏବେ ମଣିଷକୃତ ମରୁଭୂମି।

ମିଶୋରି ନଦୀ ଉପତ୍ୟକାରୁ ପ୍ରତିବର୍ଷ ୫୦୦ରୁ ୧୦୦୦ ନିୟୁତ ଟନ୍ ଉପର ମାଟି ଅର୍ଥାତ୍ ୨୦୦୦ନିୟୁତ ଡଲାର ମୂଲ୍ୟର ଉଦ୍ଭିଦ ଖାଦ୍ୟ ଆଣ୍ଟାର୍କଟିକ ମହାସାଗରରେ ଜମା ହେଉଛି । ଏହି ଉପତ୍ୟକାରୁ ମାତ୍ର ୨୪ ବର୍ଷ ଭିତରେ ୭ଇଞ୍ଚ ଉପର ମାଟି ଭାସିଗଲାଣି।

ଚୀନରେ ଚାଷୀମାନେ ମାଟିକୁ ମା’ଠାରୁ ବଳି ହେପାଜତ କରନ୍ତି। ପୀତ ନଦୀର ସାମୟିକ ବନ୍ୟାରେ ନଦୀ ଉପତ୍ୟକାରୁ ୨୫୦୦ ନିୟୁତ ଟନ୍ ଉପର ମାଟି କ୍ଷୟ ହେଉଛି ଯାହାକି ୨୦୦୦ ମାଇଲ ଜମିରେ ଫୁଟେ ବହଳରେ ଜମା ହୋଇ ପାରନ୍ତା । ପୀତ ନଦୀର ଶଯ୍ୟା କ୍ରମେ ପୋତି ହୋଇ ପାର୍ଶ୍ବ ଜମିଠାରୁ ଉଚ୍ଚା ହୋଇଯାଉଛି। ବନ୍ୟାରେ ନଦୀ ବନ୍ଧ ବାରମ୍ବାର ଭାଙ୍ଗୁଛି। ଅସୀମ ଧନଜୀବନ ନଷ୍ଟ । ଚୀନର ଉତ୍ତର ପୂର୍ବ ଏକ ସମୟରେ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ। ଚେଙ୍ଗିଜ୍ ଖାଁ ଘୋଡାରେ ବସି ଶିକାର କରୁଥିଲେ । ଆଜି ଏହା ଗୋବି ମରୁଭୂମି। ଆମାଜନ ନଦୀ ଉପତ୍ୟକା ବିଷୁବ ମଣ୍ଡଳୀୟ ଅରଣ୍ୟ । ଦିନ ଦ୍ୱିପହରେ କିଟିକିଟି ଅନ୍ଧାର। ଏତେ ଅମ୍ଳଜାନ ଗଛମାନେ ନିର୍ଗତ କରନ୍ତି ଯେ ଏହାକୁ ପୃଥିବୀର ଫୁସ୍‌ଫୁସ୍ କୁହାଯାଏ। ଜଙ୍ଗଲ ଏବେ ଲଣ୍ଡା। ବ୍ରାଜିଲ ସରକାରଙ୍କ ପ୍ରୋତ୍ସାହନରେ କମ୍ପାନୀମାନେ ଜଙ୍ଗଲ ପୋଡୁଛନ୍ତି । ବ୍ରାଜିଲ ମରୁଭୂମି ପଥର ଯାତ୍ରୀ । ଆର୍ଜେଣ୍ଟିନାରେ ଆଲଫା ଆଲଫା ଘାସକୁ ରାସାୟନିକ କୃଷି ଖାଇଗଲା। ଆର୍ଜେଣ୍ଟିନାରେ ବି ମରୁଭୂମି। ପୃଥିବୀର ଏକ ତୃତୀୟାଂଶ ସ୍ଥଳଭାଗକୁ ଆମେ ମରୁଭୂମି କରିସାରିଲେଣି।

ତ୍ରୁଟିପୂର୍ଣ୍ଣ ଜଳ ପରିଚାଳନା ମରୁଭୂମିର ଅନ୍ୟ ଏକ କାରଣ। ଆମେରିକାରେ ୨୫ପ୍ରତିଶତ ଜମି ଲବଣାକ୍ତ। କୃଷି ପାଇଁ ଅନୁପଯୋଗୀ। ଭାରତରେ ୧୦ ନିୟୁତ ହେକ୍ଟର ଚାଷ ଜମି ଜଳପ୍ଲାବିତ ମରୁଭୂମି (ଭାଓଲେନ୍ସ ଅଫ ଗ୍ରୀନ ରିଭଲ୍ୟୁସନ-ବନ୍ଦନା ଶିବା)। ପୃଥିବୀର ଭୂତଳଜଳ ଦ୍ରୁତ ଭାବେ ହ୍ରାସ ପାଉଛି । ଏହି କାରଣରୁ ଭାରତରେ ରବି ଫସଲ ୨୦ପ୍ରତିଶତ କମିଯିବାର ଆଶଙ୍କା କରାଗଲାଣି। ଭୂତଳ ଜଳର ବହୁଳ ବ୍ୟବହାର ୨୦୪୦ ସୁଦ୍ଧା ପୃଥିବୀରେ ଏକ ପଞ୍ଚମାଂଶ ଲୋକଙ୍କ ପାଇଁ ବିପଦ ହେବ।

ଭାରତରେ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ନେଇ ମନ୍ତ୍ରୀ ବାବୁଲ ସୁପ୍ରିୟ ସଂସଦରେ ଉତ୍ତର ରଖନ୍ତି: ଅପରିହାର୍ଯ୍ୟ ଆବଶ୍ୟକତା ଯୋଗୁଁ ୨୦୧୬ରୁ ୨୦୧୯ ମଧ୍ୟରେ ୭୬, ୭୨, ୩୩୭ ଗଛ କଟାଯାଇଛି। ଓଡିଶାରେ ୬, ୫୮, ୪୬୫। ବିଶ୍ବ ପୁଞ୍ଜି ବରାଦରେ ଏତେ ଗୁଡିଏ ଗଛକଟା ଲଜ୍ଜାର କଥା। ପୃଥିବୀରେ ୨୦୨୦ ମସିହାରେ ୧୯୯ ନିୟୁତ ଟନ ରାସାୟନିକ ସାର ଏବଂ ୩.୫ ନିୟୁତ ଟନ କୀଟନାଶକ ବିଷ ଜମିରେ ଢଳାଯାଉଛି। ଖାଦ୍ୟ, ମାଟି, ପାଣି ପବନରେ ବିଷ। ଆଉ କେତେ ବିଷ ପିଇଲେ ଚେତିବା? ପୃଥିବୀରେ ୭୦କୋଟି ଲୋକ ପ୍ରତିଦିନ ଭୋକିଲା ରହୁଛନ୍ତି। ୧୩୦ କୋଟି ଲୋକ ଆଜି ଦାରିଦ୍ର୍ୟ ସୀମାରେଖା ତଳେ। ବିକାଶ ନା ବିନାଶ? ମିଳିତ ଜାତିସଂଘର ୨୦୩୦କୁ ନିରନ୍ତର ବିକାଶ ଲକ୍ଷ୍ୟ ପୂରଣ ଦିବା ସ୍ବପ୍ନ ମନେହୁଏ।
ସମାଧାନର ସୂତ୍ର ଖୁବ ସହଜ। ରାଷ୍ଟ୍ରମାନେ କମ୍ପାନୀ ମାୟା ଛାଡନ୍ତୁ। ହଳ ଲଙ୍ଗଳର ପୁନଃ ପ୍ରବର୍ତ୍ତନ, ସାର କୀଟନାଶକ ସମ୍ପୂର୍ଣ୍ଣ ବନ୍ଦ କରି ଦେଶୀ ବିହନ ଓ ଜୈବିକ ଖତ ବ୍ୟବହାର କରି ନିରନ୍ତର କୃଷିକୁ ଆପଣେଇଲେ ଆସନ୍ତା ୧୦୦୦ ବର୍ଷ ପାଇଁ ଖାଦ୍ୟ ନିରାପତ୍ତା ସମ୍ଭବ। ଆମ୍ଭେ ଦୃଢ ଭାବେ କହିପାରିବା “ଗାନ୍ଧୀ ବିଚାରରେ ଚାଷ” ମାନବ ସଭ୍ୟତାର ନିଶ୍ଚିତ ଭବିଷ୍ୟତ; ସବୁ ହାତକୁ କାମ ନିଶ୍ଚିତ କରିବା ପାଇଁ ଏକମାତ୍ର ବାଟ।

Comments are closed.