ଲୋକାଭିମୁଖୀ ଟିକାକରଣ ଜରୁରୀ

- ପ୍ରଭାସ ମିଶ୍ର

ମୁଁ କିପରି କୋଭିଡ୍‌ ଟିକା ନେବି? କେଉଁ ସ୍ବାସ୍ଥ୍ୟ କେନ୍ଦ୍ର ବା ଡାକ୍ତରଖାନାରେ ସହଜରେ ମିଳିବ? କେବେ ମିଳିବ? କମ୍‌ ସମୟରେ କିଭଳି ମିଳିବ? ଏହିଭଳି ଅନେକ ପ୍ରଶ୍ନ ଜନସାଧାରଣଙ୍କୁ ଦ୍ବନ୍ଦ୍ବରେ ପକାଉଛି। ଟିକାଦାନ ସ୍ଥଳରେ ଏତେ ଭିଡ଼ ଯେ ସାଧାରଣ ଲୋକଟି ଚିନ୍ତାରେ ପଡ଼ିଯାଉଛି, ଟିକା ନେବାବେଳେ ସେ ସଂକ୍ରମିତ ହୋଇଯିବନି ତ? ଟିକା ନେବାପାଇଁ ଲମ୍ବା ଧାଡ଼ି ଦେଖି ବଞ୍ଚିବାପାଇଁ ସଂଗ୍ରାମକୁ ଅନୁଭବ କରିହୁଏ। ଲମ୍ବା ଧାଡ଼ି ଦେବାପାଇଁ ସମୟର ଅଭାବ। ଚାକିରି କରୁଥିବା ବ୍ୟକ୍ତିଟି ଟିକା ନାଁ କହି ଉପରିସ୍ଥ ଅଧିକାରୀଙ୍କୁ ବୁଝାଇ ପାରିବ। ଥରକରେ ଟିକା ନହୋଇ ପାରିଲେ ଆଉ ଥରକ ପାଇଁ ଛୁଟି ନେଇ ପାରିବ; କିନ୍ତୁ ଦିନ ମଜୁରିଆ, ସହରରେ ଛୋଟ ବ୍ୟବସାୟ କରି ଚଳୁଥିବା ଲୋକମାନେ ତ କାହାକୁ କହି ପାରିବେ ନାହିଁ। ଟିକାଦାନ କେନ୍ଦ୍ରରେ ଏତେ ଲମ୍ବା ଧାଡ଼ି ଯେ ଟିକା ନେବା ପାଇଁ ଗୋଟିଏ ଦିନର ମଜୁରି ବା ରୋଜଗାର ହରାଇବାକୁ ପଡ଼ିବ। ଧାଡ଼ିଦେଲେ ମଧ୍ୟ ଟିକା ମିଳିବାର ନିଶ୍ଚିତତା ନାହିଁ। କରୋନା ସଂକ୍ରମଣ ଯାତନାଠାରୁ ଟିକା ନେବା ଚିନ୍ତା ଅଧିକ ହୋଇଗଲାଣି।

ତ୍ବରିତ ଟିକାକରଣ ଦ୍ବାରା ସମଗ୍ର ମାନବ ସମାଜକୁ ଏହି ମହାମାରୀରୁ ରକ୍ଷା କରାଯାଇପାରିବ। ଯେତେ ଶୀଘ୍ର ଟିକାକରଣ କରାଯିବ ଦେଶର ଅର୍ଥନୈତିକ ପ୍ରଗତି ହେବା ସହିତ ଲୋକଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ। ମହାମାରୀର ବିପଦରୁ ରକ୍ଷା ପାଇବାକୁ ହେଲେ ଟିକା ସହିତ ତୁଣ୍ଡି, ସାମାଜିକ ଦୂରତା ପ୍ରଭୃତି ନିୟମ ପାଳନ କଲେ ଆମ୍ଭେମାନେ କରୋନାକୁ ହରାଇ ପାରିବା। ତେଣୁ ଦେଶ ବା ରାଜ୍ୟ ପାଇଁ ଟିକାକରଣକୁ ପ୍ରାଧାନ୍ୟ ହେବାର ଆବଶ୍ୟକତା ରହିଛି। ପ୍ରଥମ ଲହରୀ ସମୟରେ ଅଧିକ ଭୟ ଥିଲା ଏଥିପାଇଁ ଯେ ସେତେବେଳେ ଟିକା ଆସିନଥିଲା। ଏବେ ଟିକା ଆସିଥିବା ସତ୍ତ୍ବେ ମଧ୍ୟ ସେହି ଭୟ ଲାଗି ରହିଛି। ସଂକ୍ରମଣ ମାତ୍ରା ବଢ଼ିବା ସହିତ ମୃତ୍ୟୁ ମଧ୍ୟ ବଢ଼ିଚାଲିଛି। କୋଭିଡ୍‌ ମହାମାରୀର ପ୍ରଥମ ଲହରୀ ପରେ ଦୈନିକ ସଂକ୍ରମଣରେ କିଛି ପରିମାଣରେ ହ୍ରାସ ଘଟିବା ପରେ ପ୍ରଶାସନ ଅନେକ କୋହଳ କରିଥିଲା।

ଭାରତରେ ୧୬ ଜାନୁଆରୀ ୨୦୨୧ରେ ବିଶ୍ବର ସର୍ବବୃହତ୍‌ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପ୍ରଥମ ଦଫାରେ କରୋନା ଯୁଦ୍ଧର ଅଗ୍ରଣୀ ଯୋଦ୍ଧା ଯଥା: ସ୍ବାସ୍ଥ୍ୟ ଓ ଆଇନ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା। ଦ୍ବିତୀୟ ଦଫାରେ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ଟିକାକରଣ ବ୍ୟବସ୍ଥା କରାଗଲା। ଦେଶରେ ଏ ପର୍ଯ୍ୟନ୍ତ ୧୮କୋଟିରୁ ଊର୍ଦ୍ଧ୍ବ ପାନ ଟିକା ଦିଆସରିଛି। ସମୁଦାୟ ଜନ ସଂଖ୍ୟାର ୩ ପ୍ରତିଶତ ଦୁଇଟି ପାନ ନେଇ ସଂପୂର୍ଣ୍ଣ ଟିକା ନେଇସାରିଥିବାବେଳେ ୧୦ ପ୍ରତିଶତ ଲୋକଙ୍କୁ ପ୍ରଥମ ପାନ ଦିଆଯାଇଛି। ଇତିମଧ୍ୟରେ ସରକାର ତୃତୀୟ ପର୍ଯ୍ୟାୟ ୧୮ରୁ ୪୫ବର୍ଷ ବର୍ଗର ଲୋକଙ୍କୁ ଟିକା ଦେବା ଆରମ୍ଭ କରିଛନ୍ତି। କେନ୍ଦ୍ର ସରକାର କେବଳ ଆଗଧାଡ଼ିର କର୍ମଚାରୀ ବା କୋଭିଡ୍‌ ଯୋଦ୍ଧାମାନଙ୍କ ପାଇଁ ମାଗଣା ଟିକା ଘୋଷଣା କରିଥିଲେ ମଧ୍ୟ ଏହି କ୍ରମରେ ଅନ୍ୟ ବର୍ଗର ବ୍ୟକ୍ତିଙ୍କ ପାଇଁ ଦେୟ ଥିଲା। ପରବର୍ତ୍ତୀ ସମୟରେ ଓଡ଼ିଶା ଭଳି ୨୨ଟି ରାଜ୍ୟର ସରକାର ମାଗଣା ଟିକା ଘୋଷଣା କରିଛନ୍ତି। ଅର୍ଥାତ୍‌ ଟିକା ଦେବାପାଇଁ ହେଉଥିବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ; କିନ୍ତୁ ଭାରତରେ ଟିକାକରଣ ଦୈନିକ ହାର ଯାହା ଅଛି ସେଥିରେ ଲୋକମାନଙ୍କ ଚାହିଦା ମୁତାବକ ଟିକା ଯୋଗାଣ ହୋଇପାରୁନାହିଁ। କେନ୍ଦ୍ର ନିକଟରୁ ଦାବି ମୁତାବକ ରାଜ୍ୟମାନଙ୍କୁ ଟିକା ମିଳୁନାହିଁ।

ଭାରତରେ ମାତ୍ର ୧୦ ପ୍ରତିଶତ ଲୋକଙ୍କ ଟିକାକରଣ ହୋଇଥିବାବେଳେ ଉନ୍ନତ ରାଷ୍ଟ୍ରମାନଙ୍କରେ ଯଥେଷ୍ଟ ଅଧିକ ଲୋକଙ୍କୁ ଟିକା ଦିଆସରିଛି। ତଥ୍ୟ ଅନୁଯାୟୀ, ଏବେ ସୁଦ୍ଧା ୟୁରୋପୀୟ ସଂଘ ରାଷ୍ଟ୍ରଗୁଡ଼ିକରେ ୨୫ଭାଗ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ୪୪ ଭାଗ ଜନସାଧାରଣ ଅନ୍ତତଃ ପକ୍ଷେ ଗୋଟେ ପାନ ଟିକା ନେଇସାରିଛନ୍ତି। ଇତିମଧ୍ୟରେ ଭାରତ ସରକାର ୧୮ କୋଟି ପାନ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଯୋଗାଇ ଦେଇ ସାରିଛନ୍ତି। ଫେବୃଆରୀ ମାସରେ ଦୈନିକ ଟିକାକରଣ ହାରାହାରି ମାତ୍ର ୩ ଲକ୍ଷ ଥିଲା; ମାର୍ଚ୍ଚରେ ଏହା ୧୬ ଲକ୍ଷକୁ ବୃଦ୍ଧି ଘଟିଥିଲା। ଏପ୍ରିଲ ମାସରେ ୧୮-୪୪ ଆୟୁ ବର୍ଗର ଲୋକଙ୍କୁ ଯୋଡ଼ିବା ଦ୍ବାରା ୩୫ ଲକ୍ଷକୁ ବୃଦ୍ଧିପାଇଛି। ଏକ ହିସାବରୁ ଜଣାଯାଇଛି ଯେ ଯଦି ବର୍ତ୍ତମାନର ହାରରେ ଟିକାକରଣ ଚାଲେ ତେବେ ଅଗଷ୍ଟ ୨୦୨୨ ସୁଦ୍ଧା ଦେଶର ମାତ୍ର ୬୦ଭାଗ ଲୋକଙ୍କର ଟିକାକରଣ ହୋଇପାରିବ।

ଏଥିରୁ ଜଣାଯାଏ ଯେ ଭାରତ ଭଳି ବିଶାଳ ରାଷ୍ଟ୍ରରେ ସଂପୂର୍ଣ୍ଣ ଟିକାକରଣ ପାଇଁ ଆହୁରି ଅନେକ ସମୟ ଅପେକ୍ଷା କରିବାପାଇଁ ପଡ଼ିବ ଯାହା ନିଶ୍ଚିତ ଚିନ୍ତାର ବିଷୟ। ଅନ୍ୟ ଏକ ହିସାବରୁ ଜଣାଯାଇଛି ଯେ ଭାରତର ବାକିଥିବା ସମସ୍ତ ଲୋକଙ୍କୁ ସଂପୂର୍ଣ୍ଣ ଟିକାକରଣ ପାଇଁ ପାଖାପାଖି ଅଢ଼େଇ ବର୍ଷ ଲାଗିଯିବ। ତେଣୁ ଟିକାକରଣକୁ କ୍ଷିପ୍ର କରିବାକୁ ହେଲେ ଆବଶ୍ୟକ ପରିମାଣର ଟିକା ଉତ୍ପାଦନର ଆବଶ୍ୟକତା ରହିଛି।

ସୂଚନାଯୋଗ୍ୟ ଯେ ଚଳିତ ବଜେଟରେ କେନ୍ଦ୍ର ସରକାର କୋଭିଡ୍‌ ଟିକା ପାଇଁ ୩୫୦୦୦ ​‌େ​‌କାଟି ଟଙ୍କା ବ୍ୟୟ ବରାଦ କରିଥିଲେ। ବ୍ୟକ୍ତି ପିଛା ଦୁଇଟି ପାନକୁ ୭୦୦ ଟଙ୍କା ହିସାବରେ ୫୦ କୋଟି ଲୋକଙ୍କ ପାଇଁ ଟିକା ବ୍ୟୟ ବରାଦ ହୋଇଥିବା କୁହାଯାଇଥିଲା। ଏହି ବଜେଟ ଘୋଷଣା କରିବା ତିନିମାସରୁ ଊର୍ଦ୍ଧ୍ବ ହେଲାଣି। ଏମିତି ବି ଜାନୁଆରୀ ମାସରୁ ପ୍ରଥମକରି ଟିକାକରଣ ଆରମ୍ଭ ହୋଇଥିଲା; ଅର୍ଥାତ୍‌ ବଜେଟ ଅଧିବେଶନ ଯଥେଷ୍ଟ ଆଗରୁ ଟିକା ଉତ୍ପାଦନ ହୋଇସାରିଥିଲା। ତେଣୁ ସରକାରଙ୍କ ନିକଟରେ ଟିକା କମ୍ପାନିଙ୍କ ସହିତ ଯୋଗାଯୋଗ କରି ଉତ୍ପାଦନକୁ ନିଜର ଆବଶ୍ୟକତା ଅନୁସାରେ ତ୍ବରାନ୍ବିତ କରିବା ପାଇଁ ଯଥେଷ୍ଟ ସମୟ ଥିଲା; କିନ୍ତୁ ତାହା ହୋଇପାରିଲା ନାହିଁ। ସମଗ୍ର ବିଶ୍ବରେ ଟିକା ଉତ୍ପାଦନ କରିବାରେ ଭାରତ ଏକ ଅଗ୍ରଣୀ ରାଷ୍ଟ୍ର ହୋଇଥିଲେ ମଧ୍ୟ ଏ ଭଳି ବିପର୍ଯ୍ୟୟ ସମୟରେ ନିଜର ଆବଶ୍ୟକତା ପୂରଣ କରି ନପାରୁଥିବା ନିଶ୍ଚିତ ରୂପେ ଏକ ବିଡ଼ମ୍ବନା।

ଦ୍ବିତୀୟତଃ, ରାଜ୍ୟଗୁଡ଼ିକୁ କମ୍ପାନୀଗୁଡ଼ିକଠାରୁ ପ୍ରତ୍ୟକ୍ଷ ଭାବରେ ଟିକା ସଂଗ୍ରହ ପାଇଁ ଅନୁମତି ଦେବା ଅନ୍ୟ ଏକ ବିଷୟ। କେନ୍ଦ୍ର ସରକାର ଟିକା ବିତରଣକୁ ବିକେନ୍ଦ୍ରୀକରଣ କରିବା ଉଦ୍ଦେଶ୍ୟରେ ୫୦ଭାଗ ଟିକା ରାଜ୍ୟଗୁଡ଼ିକୁ ପ୍ରତ୍ୟକ୍ଷ ଭାବରେ ଦେବା ପାଇଁ କମ୍ପାନୀଗୁଡ଼ିକୁ କହିଥିଲେ। ରାଜ୍ୟଗୁଡ଼ିକୁ ମଧ୍ୟ ଆବଶ୍ୟକ ମୁତାବକ ଦାବି ରଖିଥିଲେ; କିନ୍ତୁୁ ଅନ୍ୟ ପକ୍ଷରେ ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟଗୁଡ଼ିକୁ ଆର୍ଥିକ ବୋଝ ସହିବା ପାଇଁ ପଡ଼ିବ। ଓଡ଼ିଶା ଭଳି ରାଜ୍ୟରେ ୨୦୦୦କୋଟିରୁ ଅଧିକ ଟଙ୍କା ଟିକା ପାଇଁ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଅନେକ ରାଜ୍ୟ ଏଭଳି ଆର୍ଥିକ ବୋଝ ଉଠାଇବାପାଇଁ କୁଣ୍ଠା ପ୍ରକାଶ କରିଥିଲେ; କିନ୍ତୁ ଅନେକଙ୍କ ମତରେ କେନ୍ଦ୍ର ଅର୍ଥ ଆୟୋଗଙ୍କ ସ୍ବାସ୍ଥ୍ୟ କ୍ଷେତ୍ରର ବିକାଶ ପାଇଁ ଦିଆଯାଉଥିବା ଅନୁଦାନକୁ ଟିକା ପାଇଁ ଖର୍ଚ୍ଚ କରାଯାଇପାରେ; କିନ୍ତୁ ଏସବୁ ଏବେ ବିତର୍କ କରିବାର ସମୟ ନୁହେଁ।

ବିପର୍ଯ୍ୟୟ ସମୟରେ ଯେଉଁ ରାଜ୍ୟଗୁଡ଼ିକ ସେମାନଙ୍କ ରାଜସ୍ବରୁ ଟିକା ଖର୍ଚ୍ଚ ବହନ କରିବାପାଇଁ ସମ୍ମତି ପ୍ରକାଶ କରିବେ ସେମାନଙ୍କୁ ଛାଡ଼ି ଟିକା ଖର୍ଚ୍ଚଗୁଡ଼ିକୁ କେନ୍ଦ୍ର ଭରଣା କରିବାର ଆବଶ୍ୟକତା ରହିଛି। ଏହା ଛଡ଼ା ଅନେକଗୁଡ଼ିଏ ପଛୁଆ ଓ ଗରିବ ରାଜ୍ୟର ଖର୍ଚ୍ଚ ମଧ୍ୟ କେନ୍ଦ୍ର ବହନ କରିବା ଦରକାର।

ନୀତିଗତ ନିଷ୍ପତ୍ତି ସହିତ ତୃଣମୂଳ ସ୍ତରରେ କାର୍ଯ୍ୟାନ୍ବୟନ ପ୍ରକ୍ରିୟାରେ ସୁଧାର ନ ଆସିଲେ ସଂପୂର୍ଣ୍ଣ ଟିକାକରଣ କାଠିକର ପାଠ ହୋଇପଡ଼ିବ। ମନେ ରଖିବା ଦରକାର ଏ ଭଳି ମହାମାରୀରେ ଜଣେ ବ୍ୟକ୍ତି ମଧ୍ୟ ଅସୁରକ୍ଷିତ ରହିବା ଅର୍ଥ ମାନବ ସମାଜ ପାଇଁ ବିପଦ। ତେଣୁ ସଂପୂର୍ଣ୍ଣ ଟିକାକରଣ ଲକ୍ଷ୍ୟ ସାଧନ ଯଥାଶୀଘ୍ର କରିବାକୁ ପଡ଼ିବ; କିନ୍ତୁ ବାସ୍ତବ ଦୃଷ୍ଟିରୁ ଦେଖିଲେ ଟିକା ନେବା ପ୍ରକ୍ରିୟାକୁ ଏଭଳି କରାଯାଇଛି ଯେ ଜଣେ ସାଧାରଣ ବ୍ୟକ୍ତିପାଇଁ ଟିକା ପାଇବା ଅତି କଷ୍ଟକର।

ସରକାରୀ ନିର୍ଦେଶ ଅନୁସାରେ ସମସ୍ତ ପ୍ରକ୍ରିୟା ଡିଜିଟାଲଭିତ୍ତିକ। ପ୍ରଥମେ, ପଞ୍ଜୀକରଣ କରି ସ୍ଥାନ ଅନୁସାରେ ‘ସ୍ଲଟ୍‌’ ବୁକିଂ କରିବାକୁ ପଡ଼ିବ। ସ୍ଲଟ ଖାଲି ଥିଲେ ଟିକା ନେବାପାଇଁ ବୁକିଂ ହୋଇପାରିବ; ନଚେତ୍‌ ନାହିଁ। ସ୍ଲଟ କେବେ ଆସିବ, ତା’ର ସୂଚନା ବୈଦ୍ୟୁତିକ ବା ସାମାଜିକ ଗଣମାଧ୍ୟମ ଦ୍ବାରା ମିଳିପାରିବ; କିନ୍ତୁ ତାହା ଜାଣି ସ୍ଲଟ୍‌ ବୁକିଂ କରିବାକୁ ଯିବାବେଳକୁ ସବୁ ଶେଷ। ସର୍ବୋପରି ଏସବୁ ପ୍ରକ୍ରିୟା ଦେଇ ଟିକା ନେବାପାଇଁ ଜଣକ ପାଖରେ ସ୍ମାର୍ଟଫୋନ୍‌ ବା କମ୍ପ୍ୟୁଟର ସହିତ ଇଣ୍ଟରନେଟ ସୁବିଧା ଥିବା ଦରକାର। ଏଭଳି ସୁବିଧା କେତେ ଲୋକଙ୍କ ନିକଟରେ ଅଛି?

ସରକାରୀ ତଥ୍ୟ ଅନୁସାରେ ଓଡ଼ିଶାରେ ମାତ୍ର ୨୮.୨୨ ଭାଗ ଲୋକଙ୍କ ନିକଟରେ ଇଣ୍ଟରନେଟ୍‌ ସୁବିଧା ରହିଛି। ଜାତୀୟ ସ୍ତରରେ ଏହା ୩୮.୦୨ ପ୍ରତିଶତ। ଏହା ପୁଣି ଧନୀ, ଗରିବ, ସହର-ଗାଁ ମଧ୍ୟରେ ଅନେକ ପାର୍ଥକ୍ୟ। ଭାରତ ସରକାରଙ୍କର ତଥ୍ୟ ଅନୁସାରେ ଓଡ଼ିଶାରେ ଗ୍ରାମାଞ୍ଚଳରେ ଟେଲି ସାନ୍ଧ୍ରତା ବହୁତ କମ୍‌। ଓଡ଼ିଶାରେ ପ୍ରତି ୧୦୦ ଜଣରେ ୬୧.୬ଜଣଙ୍କ ନିକଟରେ ତାରବିହୀନ ଟେଲିଫୋନ ବ୍ୟବସ୍ଥା ଅଛି। ଖାଲି ଫୋନ ଥିଲେ ହେବନି, ସ୍ମାର୍ଟଫୋନ୍‌ ଥିବା ଆବଶ୍ୟକ। ଏହା ପୁଣି ଚଳାଇ ଶିଖିଥିବା ଦରକାର।

ଅତଏବ ବର୍ତ୍ତମାନର ପ୍ରକ୍ରିୟା ଗରିବ ତଥା ଦିନ ମଜୁରିଆଙ୍କୁ ଟିକା ନେବାପାଇଁ ବଞ୍ଚିତ କରୁଛି। ଏପରିକି ସହରରେ ରହୁଥିବା ଅନେକ ଗରିବ ଲୋକଙ୍କ ପାଇଁ ଏ ସବୁ ପ୍ରକ୍ରିୟା ଦେଇ ଯିବା ସମ୍ଭବ ନୁହେଁ। ତେଣୁ ନିରାପଦରେ କିଭଳି ସମସ୍ତ ଧନୀ-ଗରିବ ସମସ୍ତେ ଟିକା ପାଇପାରିବେ ସେହିଭଳି ଲୋକାଭିମୁଖୀ ବ୍ୟବସ୍ଥା କରିବା ସରକାରଙ୍କର ଦାୟିତ୍ବ। ଏଥିସହିତ ଟିକା ଉତ୍ପାଦନ, ବଣ୍ଟନ ଓ ଏଗୁଡ଼ିକର ବ୍ୟବହାର ସମ୍ବନ୍ଧୀୟ ତଥ୍ୟଗୁଡ଼ିକୁ ସାର୍ବଜନୀନ କରିବା ସହିତ ସଂପୂର୍ଣ୍ଣ ଟିକାକରଣ ଯୋଜନାର ରୂପାୟଣ ନିମନ୍ତେ ଏକ ବାସ୍ତବ ତଥା ଦୀର୍ଘସ୍ଥାୟୀ ଯୋଜନା କରିବା ଆବଶ୍ୟକ।

Comments are closed.