ବାର୍ଦ୍ଧକ୍ୟ ଯତ୍ନରେ ମାନବୀୟ ରୋବଟ୍‌

ପ୍ରଦୀପ ମହାପାତ୍ର

ବୃଦ୍ଧ ଜନସଂଖ୍ୟା ବୃଦ୍ଧି ଓ ବର୍ଦ୍ଧିତ ଜୀବଦ୍ଦଶା, ବିଶ୍ୱବ୍ୟାପୀ ବାର୍ଦ୍ଧକ୍ୟ ଯତ୍ନ ନିମନ୍ତେ ସୁବିଧା-ସୁଯୋଗ, ମୁଖ୍ୟତଃ ମାନବିକ ସେବା ପ୍ରଦାନ ବିଭିନ୍ନ କାରଣରୁ ସମସ୍ୟାବହୁଳ ହୋଇପଡୁଥିବା ସ୍ଥଳେ, ମନୁଷ୍ୟ-ଭିନ୍ନ ଯନ୍ତ୍ର-କୌଶଳ ଉପଯୋଗରେ ପରିଚାଳନା ଉଦ୍ଦେଶ୍ୟରେ ବୈଷୟିକ ଉଦ୍ଭାବନ ପ୍ରତି ଗୁରୁତ୍ୱାରୋପ କରାଯାଉଛି। ମିଳିତ ଜାତିସଂଘ ପରିସଂଖ୍ୟାନରେ ୨୦୨୧ ସୁଦ୍ଧା ବିଶ୍ୱରେ ପ୍ରତି ଦଶ ଜଣରେ ଜଣେ ୬୫ ବର୍ଷୋତ୍ତର ହିସାବ କରାଯାଏ ଏବଂ ୨୦୫୦ ବେଳକୁ ପ୍ରତି ଛଅ ଜଣରେ ଜଣେ ବରିଷ୍ଠ ନାଗରିକ ବସବାସ କରିବେ। ଦ୍ୱିତୀୟ ବିଶ୍ୱଯୁଦ୍ଧ-ପର ୧୯୫୦ରେ ପ୍ରତି ୨୦ ଜଣରେ ଜଣେ ବାର୍ଦ୍ଧକ୍ୟଗ୍ରସ୍ତ ଥିଲେ। ଏହି ତଥ୍ୟାବଳୀ ଅନୁଶୀଳନରେ ପରିଲକ୍ଷିତ ବୃଦ୍ଧ ଜନସଂଖ୍ୟା ବୃଦ୍ଧିଜନଜୀବନକୁ ପ୍ରଭାବିତ କରିବା ସୁସ୍ପଷ୍ଟ ।

ଉଦାହରଣରେ ଜାପାନରେ ୨୦୨୧ ସୁଦ୍ଧା ଜନସଂଖ୍ୟାର ୨୯.୮ ପ୍ରତିଶତ ୬୫ ବର୍ଷୋତ୍ତର ଗଣିତ କରାଯାଇଥିଲା ଏବଂ ୨୦୫୦ରେ ୩୭.୫ ପ୍ରତିଶତରେ ପହଞ୍ଚିବ । ସେଠାରେ ୨୦୦୦ରେ ପ୍ରତ୍ୟେକ ୬୫ ବର୍ଷୋତ୍ତର ବାର୍ଦ୍ଧକ୍ୟଗ୍ରସ୍ତଙ୍କ ସହ ଚାରି ଜଣ କର୍ମଯୋଗ୍ୟ ବୟସର ନାଗରିକ ଉପଲବ୍ଧ ଥିବାବେଳେ ୨୦୫୦ରେ ଦୁଇ ବର୍ଗଙ୍କ ହାର ଜନସଂଖ୍ୟାରେ ସମତୁଲ ଆକଳନ କରାଯାଉଛି । ତେଣୁ ଆଗତ ଭବିଷ୍ୟତରେ ଜାପାନରେ ବାର୍ଦ୍ଧକ୍ୟ ଯତ୍ନରେ ବ୍ୟାପକ ବିଶୃଙ୍ଖଳା ଆଶଙ୍କାରେ ଦୂରଦ୍ରଷ୍ଟାମାନେ ଚ଼ିନ୍ତିତ । ଜାପାନର ଜାତୀୟ ନୀତି ନିର୍ଦ୍ଧାରଣରେ ବାର୍ଦ୍ଧକ୍ୟ ଯତ୍ନରେ ବୈଷୟିକ କୌଶଳ ପ୍ରୟୋଗକୁ ଉତ୍ସାହିତ କରାଯାଉଛି ଏବଂ ଏକବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶକରେ ଏହି କ୍ଷେତ୍ରରେ ବ୍ୟାପକ ଗବେଷଣା ପ୍ରଯୋଜନର ସୂଚନା ମିଳେ ।

ଜାପାନ ସମେତ କେତେକ ୟୁରୋପୀୟ ରାଷ୍ଟ୍ର, ଯୁକ୍ତରାଷ୍ଟ୍ର ଆମେରିକାରେ ବାର୍ଦ୍ଧକ୍ୟ ଯତ୍ନରେ ୨୦୨୩ ସୁଦ୍ଧା ସୀମିତ ପରିମାଣରେ ରୋବଟ ବ୍ୟବହାର କରାଯାଉଛି। ଅବଶ୍ୟ ଉଦ୍ଭାବନ-ପରବର୍ତ୍ତୀ ପ୍ରାଥମିକ ଅବସ୍ଥାରେ ମୂଲ୍ୟ ବହୁତ ଅଧିକ ଥିବା ହେତୁ ଏଗୁଡ଼ିକର ବ୍ୟବହାର ଆର୍ଥିକ ଦିଗରୁ ସ୍ୱଚ୍ଛଳବର୍ଗ ବସବାସ କରୁଥିବା ଅବସର ବିହାର ଭଳି ପ୍ରକଳ୍ପଗୁଡ଼ିକରେ ସୀମିତ ଥିବା ଦେଖିବାକୁ ମିଳେ। ଏହି କ୍ଷେତ୍ରରେ ପ୍ରଚଳିତ ରୋବଟଗୁଡ଼ିକ ସାଧାରଣତଃ ଦୁଇ ବର୍ଗରେ ବିଭକ୍ତ। ପ୍ରଥମ ବର୍ଗ ବରିଷ୍ଠ ନାଗରିକଙ୍କୁ ଶାରୀରିକସ୍ତରରେ ସହାୟତା ଯୋଗାଇଥାଏ। ଯେଉଁମାନେ ନିଜେ ଉଠାବସା କରିପାରୁ ନାହାନ୍ତି ଆଦେଶ ମୁତାବକ ସେହି କାର୍ଯ୍ୟରେ ସାହାଯ୍ୟ କରିବା, ଶୁଆଇ ଦେବା, ସ୍ନାନ ଓ ଶୌଚ଼କର୍ମରେ ସହାୟତା ସାଙ୍ଗକୁ ତଳେ ପଡ଼ିଯିବା ଏଡ଼ାଇବା ଭଳି କାର୍ଯ୍ୟ କରିପାରେ। ଦ୍ୱିତୀୟ ବର୍ଗ ବରିଷ୍ଠ ନାଗରିକମାନଙ୍କ ସହ ବାର୍ତ୍ତାଳାପ, ଇ-ପୁସ୍ତକ ପଢ଼ି ଶୁଣାଇବା ତଥା ଏକାନ୍ତତାରୁ ବର୍ତ୍ତିବା ଲାଗି ବିଭିନ୍ନ ସାଧନ ଖଚ଼ିତ। ମୋଟ ଉପରେ ଏହି ଭଳି ରୋବଟ ଉପଯୋଗରେ କେତେକ କ୍ଷେତ୍ରରେ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ଦୈନନ୍ଦିନ ଜୀବନଯାପନଜନିତ ମାନବିକ ସେବାର ବିକଳ୍ପ ଆୟୋଜନ ସଂଭବ।

ମାର୍ଚ୍ଚ ୨୦୨୩ରେ ବାର୍ଦ୍ଧକ୍ୟ ଯତ୍ନରେ ଏକ ନୂତନ ମ‌େଡଲର ମାନବୀୟ ରୋବଟ ପ୍ରସ୍ତୁତି ସଂପର୍କରେ ମାର୍କିନ ଷ୍ଟାର୍ଟଅପ ‘ଫିଗର’ ପକ୍ଷରୁ ଘୋଷଣା ଏହି କ୍ଷେତ୍ରରେ ଉନ୍ମାଦନା ସୃଷ୍ଟି କରିଥିଲା। ଏହି ମାନବ ଆକୃତିର ରୋବଟ ବିଭିନ୍ନ ପୂର୍ବ-ନିର୍ଦ୍ଧାରିତ କାର୍ଯ୍ୟ ସହ ଯନ୍ତ୍ରପାତି ବ୍ୟବହାର, କବାଟ ଖୋଲିବା, ଜିନିଷପତ୍ର ବୋହି ନେବା ଓ ଶିଡ଼ି ଚ଼ଢିବା ଇତ୍ୟାଦି ଲାଗି ସକ୍ଷମ । କମ୍ପାନୀର ଉଦ୍ୟୋକ୍ତା ବ୍ରେଫ ଆଡକକ ପୂର୍ବରୁ ‘ଫ୍ଳାଇଙ୍ଗ ଟ୍ୟାକ୍ସି’ ଭଳି ଅଣ-ପାରମ୍ପରିକ ଉତ୍ପାଦ ଲାଗି ଚର୍ଚ୍ଚିତ ହୋଇଥିଲେ। ମାତ୍ର ଦେଢ଼ ଦୁଇ ବର୍ଷ ପୂର୍ବେ ୪୦ ଜଣ ଅଭିଜ୍ଞ ରୋବଟ ବିଜ୍ଞାନୀଙ୍କୁ ନେଇ ‘ଫିଗର’ କମ୍ପାନୀ ଆରମ୍ଭ କରିଥିଲେ ଏବଂ ପ୍ରଥମ ନମୁନା ରୋବଟ ୨୦୨୨ ଡିସେମ୍ୱରରେ ପ୍ରସ୍ତୁତ ହୋଇପାରିଥିଲା।

‘ଫିଗର-୧’ ନାମିତ ମାନବୀୟ ରୋବଟ ଉଚ୍ଚତା ୫ ଫୁଟ ୬ ଇଞ୍ଚ ଏବଂ ଓଜନ ୫୯ କିଲୋଗ୍ରାମ। ଏହା ବିଦ୍ୟୁତ୍‌ ଚାଳିତ ଏବଂ ଥରେ ଚାର୍ଜ କଲେ ପାଞ୍ଚ ଘଣ୍ଟା ଯାଏ କାର୍ଯ୍ୟକ୍ଷମ ରହିବ। ପ୍ରଥମ ମଷଡଲଟି ମୁଖ୍ୟତଃ ମାଲଗୋଦାମରେ ଜିନିଷପତ୍ର ନିଆ-ଅଣା, ଥୁଆ-ରଖା କାର୍ଯ୍ୟରେ ବ୍ୟବହାର ଲାଗି ବିକାଶ କରାଯାଇଛି। କିଛି ବର୍ଷ ମଧ୍ୟରେ ଏହା ବିକ୍ରଇଲାଗି ବଜାର ପ୍ରବେଶ କରିବ। ଉଦ୍ୟୋଗୀ ବ୍ରେଫ କହୁଛନ୍ତି ଯେ ସମାଜରେ ଯେଉଁ କାର୍ଯ୍ୟଗୁଡ଼ିକ ମାନବ ଶ୍ରମିକମାନେ କରିବା ପାଇଁ ପସନ୍ଦ କରୁନାହାନ୍ତି, ସେହି କାର୍ଯ୍ୟ ସମ୍ପାଦନ ଲାଗି ରୋବଟ ପ୍ରସ୍ତୁତ କରାଯିବ। ବାର୍ଦ୍ଧକ୍ୟ ଯତ୍ନ ନିମନ୍ତେ ମାନବୀୟ ରୋବଟ ୨୦୩୫ ସୁଦ୍ଧା ବିଶ୍ୱବ୍ୟାପୀ ଦୁଇ ପ୍ରତିଶତ ବରିଷ୍ଠ ନାଗରିକଙ୍କ ସେବା ପ୍ରଦାନରେ ସକ୍ଷମ ହେବ ବୋଲି ସେ ଆଶା ପ୍ରକାଶ କରିଥାନ୍ତି।

ଆନ୍ତର୍ଜାତିକସ୍ତରରେ ଖ୍ୟାତନାମା ବାଣିଜ୍ୟ ପରାମର୍ଶ ସଂସ୍ଥା ‘ଗୋଲଡମେନ ସାଚେସ’ ଆକଳନରେ ଆଗାମୀ ୧୦ରୁ ୧୫ ବର୍ଷ ମଧ୍ୟରେ ମାନବୀୟ ରୋବଟ ସାଧାରଣ କ୍ଷେତ୍ରରେ ବ୍ୟବହୃତ ହେବା ନିଶ୍ଚିତ । ବ୍ରେଫ ମଧ୍ୟ କହିଛନ୍ତି ଯେ ମାନବୀୟ ରୋବଟ ସଂପର୍କରେ ଚ଼ିନ୍ତା ଦଶବର୍ଷ ତଳେ ଥଳକୂଳ ପାଉନଥିଲା; କିନ୍ତୁ ବର୍ତ୍ତମାନ ଅନ୍ତତଃପକ୍ଷେ ପରୀକ୍ଷାଗାରରେ ଉପଲବ୍ଧ। ମାନବୀୟ ରୋବଟ ଗବେଷଣାରେ ଜାପାନ ଅଗ୍ରଣୀ ରାଷ୍ଟ୍ର। ସେଠାକାର କଳକାରଖାନାରେ ବିଶ୍ୱର ସର୍ବାଧିକ ରୋବଟ ବ୍ୟବହୃତ ହେଉଛି। ତେବେ ୟୁରୋପୀୟ ରାଷ୍ଟ୍ରପୁଞ୍ଜ ପକ୍ଷରୁ ୨୦୧୫ରୁ ୨୦୨୦ ପାଞ୍ଚ ବର୍ଷ ମଧ୍ୟରେ ଆୟୋଜିତ ‘ରୋବଟିକ୍ସ ଫର ଏଜିଂ ୱେଲ’ ପ୍ରକଳ୍ପରେ ବିପୁଳ ଅର୍ଥ ବିନିଯୋଗ ହୋଇଥିଲା। ସେହିପରି ବ୍ରିଟେନରେ ମଧ୍ୟ ଗବେଷଣାକୁ ପ୍ରୋତ୍ସାହିତ କରାଯାଉଛି।

ଅନ୍ୟପକ୍ଷେ ବାର୍ଦ୍ଧକ୍ୟ ଯତ୍ନରେ ମାନବୀୟ ରୋବଟ ବ୍ୟବହାର ବିଚାରଧାରାକୁ ସମାଲୋଚ଼ନା ମଧ୍ୟ ଅଭାବ ନଥାଏ। ଯୁକ୍ତରାଷ୍ଟ୍ର ଆମେରିକାର ଅଗ୍ରଣୀ ବୈଷୟିକ ପ୍ରତିଷ୍ଠାନ ‘ମାସାଚୁଟେସ ଇନଷ୍ଟିଚ୍ୟୁଉଟ ଅଫ ଟେକନୋଲଜି’ କର୍ତ୍ତୃକ ପ୍ରକାଶିତ ‘ଏମଆଇଟି ଟେକନୋଲଜି ରିଭ୍ୟୁ’ର ଜାନୁୟାରୀ ୨୦୨୩ ସଂଖ୍ୟାରେ ଜେମସ ରାଇଟ ନାମକ ଜଣେ ଗବେଷକ ଜାପାନରେ ବାର୍ଦ୍ଧକ୍ୟ ଯତ୍ନରେ ରୋବଟ ବ୍ୟବହାର ସଂପର୍କରେ ନୈରାଶ୍ୟଜନକ ଚ଼ିତ୍ର ପ୍ରଦାନ କରିଥିଲେ। ସେ ୨୦୧୬ରେ ୧୮ ମାସ ଲାଗି ଏହି କ୍ଷେତ୍ରରେ ପ୍ରତ୍ୟକ୍ଷ ଅଭିଜ୍ଞତା ସଂଗ୍ରହ ଲାଗି ନିରୀକ୍ଷଣ ‘ଏଥୋନୋଗ୍ରାଫିକ’ ଗବେଷଣାରେ ବିଭିନ୍ନ ଅଞ୍ଚଳ ଭ୍ରମଣ କରିଥିଲେ।

ଜାପାନର ନର୍ସିଂହୋମଗୁଡ଼ିକରେ ସେ ହଗ, ପାରୋ ଓ ପେପେର ନାମଧାରୀ ତିନିଗୋଟି କିସମର ରୋବଟ ବାର୍ଦ୍ଧକ୍ୟ ଯତ୍ନରେ ବ୍ୟବହୃତ ହେଉଥିବା ଦେଖିବାକୁ ପାଇଥିଲେ । ‘ହଗ’ ରୋବଟ ଶାରୀରିକସ୍ତରରେ ଦୁର୍ବଳ ବା ଅକ୍ଷମ ବରିଷ୍ଠ ନାଗରିକଙ୍କୁ ଉଠାବସାରେ ସାହାଯ୍ୟ କରେ। ‘ପାରୋ’ କଥାବାର୍ତ୍ତାରେ ନିୟୋଜିତ ହୁଏ। ‘ପେପର’ ଯୋଗେ ବାର୍ଦ୍ଧକ୍ୟଗ୍ରସ୍ତଙ୍କୁ ଶାରୀରିକ ବ୍ୟାୟାମଲାଗି ସହଚ଼ର୍ଯ୍ୟ ପ୍ରଦାନ କରାଯାଏ। ନର୍ସିଂହୋମଗୁଡ଼ିକରେ ସେବା ପ୍ରଦାନକାରୀମାନେ ସ୍ଥଳବିଶେଷରେ ବରିଷ୍ଠ ନାଗରିକଙ୍କୁ ରୋବଟ ଯତ୍ନରେ ନିୟୋଜିତ କରି ଅନ୍ୟତ୍ର କାର୍ଯ୍ୟ ସମ୍ପାଦନା ନିମନ୍ତେ ସୁଯୋଗ ସୃଷ୍ଟି କରିଥାନ୍ତି। ତେବେ ନର୍ସିଂହୋମର କର୍ମଚାରୀମାନେ ରୋବଟ ବ୍ୟବହାରକୁ ଗୁରୁତ୍ୱ ଦେଉନଥିବା ସେ ଲକ୍ଷ୍ୟ କରିଥିଲେ। ରୋବଟ ବ୍ୟବହାର ନିମନ୍ତେ ବ୍ୟାଟେରୀ ଚାର୍ଜ କରିବାଠାରୁ ଆରମ୍ଭ କରି ନିୟୋଜିତ କରିବା ଏବଂ ବରିଷ୍ଠ ନାଗରିକଙ୍କୁ ପ୍ରଶିକ୍ଷିତ କରିବା ଇତ୍ୟାଦିକୁ ଅନେକ କର୍ମଚାରୀ ଜଟିଳ ବ୍ୟାପାର ମନେ କରୁଥିବା ସେ ଜାଣିବାକୁ ପାଇଥିଲେ।

ଜାପାନରେ କାର୍ଯ୍ୟରତ ନଅ ହଜାର ବାର୍ଦ୍ଧକ୍ୟ ଯତ୍ନ ସଂସ୍ଥାଙ୍କଠାରୁ ୨୦୧୯ରେ ସଂଗୃହୀତ ତଥ୍ୟ ବିଶ୍ଳେଷଣରୁ ଜଣାଯାଇଥିଲା ଯେ ସମକାଳରେ ମାତ୍ର ଦଶ ପ୍ରତିଶତ ରୋବଟ ବ୍ୟବହାର କରାଯାଉଥିଲା। ସେହିପରି ୨୦୨୧ରେ ସ୍ୱ-ଗୃହରେ ବାର୍ଦ୍ଧକ୍ୟ ଜୀବନ ବିତାଉଥିବା ୪୪୪ ବରିଷ୍ଠ ନାଗରିକଙ୍କ ଜୀବନଶୈଳୀ ଅନୁଧ୍ୟାନରୁ ମାତ୍ର ଦୁଇ ପ୍ରତିଶତ ରୋବଟ ସେବା ଗ୍ରହଣ କରୁଥିଲେ। ବାର୍ଦ୍ଧକ୍ୟ ଯତ୍ନ ଲାଗି ରୋବଟ ଉତ୍ସୁକତାର ସହ କ୍ରୟ ପରେ ମାତ୍ର କିଛି ଥର ବ୍ୟବହାର ପରେ ତାହାକୁ କେବଳ ସାଇତି ରଖାଯାଇଥାଏ।

ବିଶ୍ୱର ସର୍ବାଧିକ ବାର୍ଦ୍ଧକ୍ୟ ସମସ୍ୟା ପ୍ରଭାବିତ ଜାପାନରେ ପ୍ରାଥମିକ ଅବସ୍ଥାରେ ବାର୍ଦ୍ଧକ୍ୟ ଯତ୍ନରେ ରୋବଟ ବ୍ୟବହାର ସଂପର୍କରେ ଜେମସ ରାଇଟଙ୍କ ଅନୁଧ୍ୟାନ ନୈରାଶ୍ୟଜନକ ସ୍ଥିତି ବର୍ଣ୍ଣନା କରୁଥିବା ସ୍ଥଳେ ମାନବୀୟ ରୋବଟ ନିର୍ମାତା ବ୍ରେଫ ଆଡକକଙ୍କ ୨୦୩୦ ସୁଦ୍ଧା ବିଶ୍ୱ ବାର୍ଦ୍ଧକ୍ୟଗ୍ରସ୍ତଙ୍କୁ ଯାନ୍ତ୍ରିକ ସେବା ପ୍ରଦାନର ସୁଦୃଢ ସମ୍ଭାବନା ଦୂରଦ୍ରଷ୍ଟାଙ୍କ ମନକୁ ଆନ୍ଦୋଳିତ କରେ। ପ୍ରଶ୍ନ ଉଠେ, ବାର୍ଦ୍ଧକ୍ୟ ଯତ୍ନ ଏକ ଆବଶ୍ୟକତା। ବୟସର ବିଭିନ୍ନ ସୋପାନ ୬୫, ୭୫, ୮୫, ୯୫ ଓ ୧୦୫ ବର୍ଷର ଜୀବଦ୍ଦଶାରେ ବାର୍ଦ୍ଧକ୍ୟଗ୍ରସ୍ତ ଭିନ୍ନ ଭିନ୍ନ ଧରଣର ସହାୟତା ଆଶ୍ରିତ ହେବେ। ବହୁବିଧ କାରଣରୁ ଏହି ଭଳି ଶ୍ରମସାପେକ୍ଷ କାର୍ଯ୍ୟ ନିମନ୍ତେ ଯଦି ମାନବିକ ଶ୍ରମଶକ୍ତିର ଅଭାବ ଦେଖାଦିଏ, ତେବେ କ୍ରମବିକଶିତ ମାନବୀୟ ରୋବଟର ବିକଳ୍ପ କ’ଣ ? ବାସ୍ତବ କ୍ଷେତ୍ରରେ ନିରନ୍ତର ବାର୍ଦ୍ଧକ୍ୟ ଯତ୍ନ ନିମନ୍ତେ ପାରମ୍ପରିକ ବ୍ୟବସ୍ଥା ସହ ଯାନ୍ତ୍ରିକ ସୁବିଧା ସୁଯୋଗ ସ୍ୱାଗତଯୋଗ୍ୟ ନୁହେଁ କି?

ଜାପାନ, ୟୁରୋପୀୟ ରାଷ୍ଟ୍ରପୁଞ୍ଜ ଓ ବ୍ରିଟେନ ଭଳି ବିକଶିତ ରାଷ୍ଟ୍ରଗୁଡ଼ିକରେ ସୃଷ୍ଟି ହୋଇଥିବା ବରିଷ୍ଠ ନାଗରିକଙ୍କ ସମସ୍ୟା ଭାରତ ତଥା ଓଡ଼ିଶାରେ ସାମୂହିକସ୍ତରରେ ପ୍ରତିଫଳିତ ହେବା ନିମନ୍ତେ ବହୁ ବର୍ଷ ବିତି ଯିବ। ତେବେ ଉଚ୍ଚ ଶିକ୍ଷିତ, ଆର୍ଥିକ ଦିଗରୁ ସ୍ୱଚ୍ଛଳ, ପ୍ରଗତିଶୀଳ ପରିବାରବର୍ଗରେ ବାର୍ଦ୍ଧକ୍ୟଗ୍ରସ୍ତ ସ୍ୱାଧୀନ ଜୀବନ ଯାପନ କରିବା ନିମନ୍ତେ ମାନବୀୟ ରୋବଟ ସେବାକୁ ପ୍ରତ୍ୟାଖ୍ୟାନ କରିବେ ନାହିଁ। ଯଦି ୨୦୩୫ ସୁଦ୍ଧା ମାନବୀୟ ରୋବଟ ସେବା ଆନ୍ତର୍ଜାତିକସ୍ତରରେ ଦୁଇ ପ୍ରତିଶତଙ୍କ ନିକଟରେ ପହଞ୍ଚିବା ଆକଳନ କରାଯାଉଛି, ତେବେ ସେହି ସମୟ ସୁଦ୍ଧା ଓଡ଼ିଶାର ଉଚ୍ଚବର୍ଗ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ନିକଟରେ ପହଞ୍ଚି ପାରିବା ସମ୍ଭାବନା ଯୁକ୍ତିଯୁକ୍ତ ମନେହୁଏ ।

Comments are closed.