MEllora 950×100

କେତେ ସୁରକ୍ଷିତ ବିଚାର ବିଭାଗ?

ପାବକ କାନୁନ୍‌ଗୋ

ସ୍ବାଧୀନତାର ଅମୃତ ମହୋତ୍ସବ ଭଳି ଆଉ ଦୁଇ ବର୍ଷ ପରେ ଆମ ସମ୍ବିଧାନର ଅମୃତ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଦୀର୍ଘ ସାତ ଦଶନ୍ଧିରୁ ଅଧିକକାଳ ଧରି ଗଣତନ୍ତ୍ର ଶାସନକୁ ମୂଳ ପୁଞ୍ଜି କରି ଏହା ଆଗକୁ ଆଗକୁ ଚାଲିଛି। ନାନା ପରୀକ୍ଷାନିରୀକ୍ଷା ଦେଇ ଗତି କରୁଥିବା ଏହି ଅନନ୍ୟ ଦଲିଲଟି ପରିପକ୍ବ ଅବସ୍ଥାରେ ପହଞ୍ଚିଯାଇଛି ବୋଲି ଯେଉଁମାନେ ଦୃଢ଼ ସ୍ବରରେ କହୁଥିଲେ ଗଲା କେତେ ମାସର ଘଟଣାବଳୀ ସେମାନଙ୍କୁ ନିରାଶ ଓ ବ୍ୟଥିତ କରିଛି। ସୁପ୍ରିମକୋର୍ଟ ଓ ହାଇକୋର୍ଟର ବିଚାରପତିମାନଙ୍କର ନିଯୁକ୍ତି ଓ ବଦଳି ବିଷୟ ସ୍ଥିର କରୁଥିବା କଲେଜିଅମ ବ୍ୟବସ୍ଥାର କାର୍ଯ୍ୟକାରିତାକୁ ନେଇ କେନ୍ଦ୍ର ସରକାର ଓ ସର୍ବୋଚ୍ଚ ଅଦାଳତ ମଧ୍ୟରେ ବାଦବିବାଦ ଆମ ସାମ୍ବିଧାନିକ ବ୍ୟବସ୍ଥାକୁ ଏକ ଅସ୍ବାଭାବିକ ପରିସ୍ଥିତିକୁ ନେଇଯାଇଛି।

କେନ୍ଦ୍ର ଆଇନମନ୍ତ୍ରୀ ଏହା ଭିତରେ ପ୍ରାୟ ପ୍ରତିଦିନ କିଛି ନା କିଛି ମନ୍ତବ୍ୟ ଦେଇ ପରିସ୍ଥିତିକୁ ଜଟିଳ କରି ଦେଉଛନ୍ତି। ମନେ ହେଉଛି ସର୍ବୋଚ୍ଚ ଅଦାଲତର କ୍ଷମତାକୁ ନିୟନ୍ତ୍ରଣ କରି ଏହାର ନିଷ୍ପତ୍ତିସବୁ ଯେପରି ସରକାରଙ୍କୁ ସୁହାଇବ ସେଥିପାଇଁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ ହୋଇଛି। ଉଚ୍ଚ ଅଦାଲତର ବିଚାରପତିଙ୍କୁ ବାଛିବା ପଦ୍ଧତି ଅସ୍ପଷ୍ଟ ଓ ଅସ୍ବଚ୍ଛ ବୋଲି ମତ ଦେଇ ମନୋନୟନ ପ୍ରକ୍ରିୟାରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ରହନ୍ତି ବୋଲି ଆଇନମନ୍ତ୍ରୀ ଜାନୁଆରୀ ୬ ତାରିଖରେ ଭାରତର ପ୍ରଧାନ ବିଚାରପତିଙ୍କୁ ପ୍ରସ୍ତାବ ଦେଇଛନ୍ତି। କେବଳ ରାଜନେତାମାନଙ୍କ ମଧ୍ୟରେ ବିବାଦ ସୀମିତ ନରହି ଉପରାଷ୍ଟ୍ରପତି ଓ ଲୋକସଭାର ବାଚସ୍ପତିଙ୍କୁ ମଧ୍ୟ ଏହା ଭିତରକୁ ଟଣାଯାଇଛି। ନିଜ ଯୁକ୍ତିର ଯଥାର୍ଥତା ପ୍ରତିପାଦନ କରିବାକୁ ଉପରାଷ୍ଟ୍ରପତି ଧନ୍‌ଖଡ଼ ପଚାଶବର୍ଷ ତଳର କେଶବାନନ୍ଦ ଭାରତୀ ମାମଲାର ରାୟକୁ ମଧ୍ୟ ସମାଲୋଚନା କରିଛନ୍ତି (ସେହି ଐତିହାସିକ ରାୟରେ ଘୋଷିତ ସମ୍ବିଧାନର ମୌଳିକ ଢ଼ାଞ୍ଚା ବା ସଂରଚନା ନୀତିର ସମାଲୋଚନା କରିଛନ୍ତି)।

ସମ୍ବିଧାନର ତର୍ଜମା ସମ୍ପର୍କରେ ସୁପ୍ରିମକୋର୍ଟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଯେ ହଠାତ୍‌ ଦେଖାଦେଲା ତାହା ନୁହେଁ। ୧୯୫୦ରେ ସମ୍ବିଧାନ କାର୍ଯ୍ୟକାରୀ ହେବା ଆରମ୍ଭରୁ ହିଁ ଏପରି ହୋଇଛି। ସର୍ବୋଚ୍ଚ ଅଦାଲତର ନିଷ୍ପତ୍ତିକୁ ଅକାମୀ କରିବାକୁ ଗଣତନ୍ତ୍ରର ଜଣେ ଶ୍ରେଷ୍ଠ ପୂଜାରୀ ଭାବରେ ପ୍ରଧାନମନ୍ତ୍ରୀ ନେହେରୁ ସମ୍ବିଧାନକୁ ଏକାଧିକବାର ସଂଶୋଧନ କରିଥିଲେ (ପ୍ରଥମ, ଚତୁର୍ଥ, ଷୋଡଶ ଓ ସପ୍ତଦଶ ସମ୍ବିଧାନ ସଂଶୋଧନ)। ଆମ ସମ୍ବିଧାନର ଜନକ ଭାବରେ ପରିଚିତ ଡକ୍ଟର ଆମ୍ବେଦକର ଆଇନମନ୍ତ୍ରୀ ଭାବରେ ନେହେରୁଙ୍କୁ ସାହାଯ୍ୟ କରିଥିଲେ। ଏ ସମ୍ପର୍କରେ ଡକ୍ଟର ଆମ୍ବେଦକର ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟ ଆଲାଡି କୃଷ୍ଣସ୍ବାମୀ ଆୟାରଙ୍କ ଉକ୍ତିକୁ ଉଦ୍ଧାର କରିଥିଲେ। ଆଲାଡି କହିଥିଲେ- ସଂସଦ ବା କାର୍ଯ୍ୟପାଳିକାଠାରୁ ସୁପ୍ରିମକୋର୍ଟ ନିଜକୁ ଶ୍ରେଷ୍ଠ ବୋଲି ମନେ କରିବା ଉଚିତ୍ ନୁହେଁ। ସମ୍ବିଧାନର ତର୍ଜମା କରିବା ଏହାର କାମ ଏବଂ ର​‌ାଷ୍ଟ୍ର ବ୍ୟବସ୍ଥାର ଅନ୍ୟ ଦୁଇ ଅଙ୍ଗର ସହଯୋଗ ଏହାର ଦରକାର।

ବର୍ତ୍ତମାନର ବିବାଦ ଏବଂ ସମ୍ବିଧାନ କାର୍ଯ୍ୟକାରୀ ହେବା ବେଳର ବିବାଦ ଭିତରେ କିନ୍ତୁ ଗୋଟିଏ ବଡ଼ ପାର୍ଥକ୍ୟ ରହିଛି। ନେହେରୁଙ୍କ ଅମଳରେ ବିଚାର ବିଭାଗ ଓ କେନ୍ଦ୍ର ସରକାରଙ୍କ ଭିତରେ ତୀବ୍ର ମତଭେଦ ଦେଖାଯାଇଥିଲେ ମଧ୍ୟ ଏହା କେବେ ତିକ୍ତତା ଓ ଅସମ୍ମାନର ରୂପ ନେଉନଥିଲା। ନେହେରୁଙ୍କ ବିଶ୍ବାସ ଥିଲା ଯେ ଏକ ଶକ୍ତିଶାଳୀ, ସ୍ବାଧୀନ ବିଚାର ବିଭାଗ ହିଁ ଗଣତନ୍ତ୍ରକୁ ଠିକଣା ବାଟରେ ଚଳାଇ ନେବାରେ ସାହାଯ୍ୟ କରିବ। ନେହେରୁ, ତାଙ୍କ ମନ୍ତ୍ରିପରିଷଦ ଓ ପାର୍ଲାମେଣ୍ଟ ନିଜ ମତରେ ଦୃଢ଼ ରହୁଥିଲାବେଳେ ସମ୍ବିଧାନର ତର୍ଜମା କରିବା କ୍ଷେତ୍ରରେ ସୁପ୍ରିମକୋର୍ଟ ନିଜର ମତାମତ ଜାହିର କରୁଥିଲା। ଉଭୟଙ୍କ ମଧ୍ୟରେ ଆଦର୍ଶଗତ ବିବାଦ ଥିଲେ ମଧ୍ୟ କେହି କାହାର ସୁନାମକୁ କଳଙ୍କିତ କରିବାକୁ ଉଦ୍ୟମ କରୁନଥିଲେ। ଆଇନମନ୍ତ୍ରୀ ଆମ୍ବେଦକର ନିଜର ସୁଚିନ୍ତିତ ମତ ଦେଉଥିଲେ ଏବଂ ବିଚାର ବିଭାଗର ମର୍ଯ୍ୟାଦା ଓ ସୁନାମ ରକ୍ଷା କରିବା ଦିଗରେ ହେଳା କରୁନଥିଲେ।

ଆଜିର ଆଇନମନ୍ତ୍ରୀଙ୍କ ଭଳି ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ମତକୁ ଉଦ୍ଧାର କରି ‘ସୁପ୍ରିମକୋର୍ଟ ସମ୍ବିଧାନକୁ ହାଇଜାକ୍‌ କରିନେଉଛି’ ବୋଲି କହୁନଥିଲେ। ସୁପ୍ରିମକୋର୍ଟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଗୋଟିଏ ପ୍ରକାର ଆଦର୍ଶଗତ ଯୁଦ୍ଧ ଚାଲିଥିଲା। ଜାତୀୟ ସଂହତି ଓ ଏକତାର ସୁରକ୍ଷା କରି ରାଜନୈତିକ ସ୍ଥିରତା ରକ୍ଷା କରିବା ତାଙ୍କ ସରକାରର ପ୍ରଧାନ କାମ ବୋଲି ନେହେରୁ କହୁଥିଲାବେଳେ ଜନସାଧାରଣଙ୍କର ମୌଳିକ ଗଣତାନ୍ତ୍ରିକ ଅଧିକାର, ବାକ୍‌ ସ୍ବାଧୀନତା ଓ ଅନ୍ୟ ବ୍ୟକ୍ତିଗତ ସ୍ବାଧୀନତାର ସୁରକ୍ଷା ପ୍ରଶ୍ନକୁ ସୁପ୍ରିମ୍‌କୋର୍ଟ ଅଗ୍ରାଧିକାର ଦେଉଥିଲେ।

ବିଚାରପତିମାନଙ୍କର ଭୂମିକା ଓ କାର୍ଯ୍ୟ ସମ୍ବେଦନଶୀଳ ଥିବାରୁ ପଣ୍ଡିତ ନେହେରୁ ସତର୍କତାର ସହିତ କାର୍ଯ୍ୟ କରୁଥିଲେ। ପତଞ୍ଜଳି ଶାସ୍ତ୍ରୀ ପ୍ରଧାନ ବିଚାରପତି ପଦରୁ ଅବସର ନେବା ପରେ ଏମ.ସି. ମହାଜନଙ୍କ ବରିଷ୍ଠତାକୁ ଉପେକ୍ଷା କରି ବି.କେ.ମୁଖାର୍ଜୀଙ୍କୁ ପ୍ରଧାନ ବିଚାରପତି କରିବାକୁ ନେହେରୁ ସ୍ଥିର କରିଥିଲେ। ଅନ୍ୟ ବିଚାରପତିମାନେ ଏହି ପ୍ରସ୍ତାବକୁ ବିରୋଧ କଲେ। ସେମାନେ କୁଆଡେ ନେହେରୁଙ୍କୁ କହିଲେ- ଜଷ୍ଟିସ ମହାଜନଙ୍କ ଛଡ଼ା ଆଉ କିଏ ପ୍ରଧାନ ବିଚାରପତି ହେଲେ ଆପଣ ଆଉ ଗୋଟିଏ ସଂପୂର୍ଣ୍ଣ ନୂଆ ଅଦାଲତ ପାଇବେ। ଏହା ପରେ ନେ‌େ‌ହରୁ ଏହି ପ୍ରସ୍ତାବରୁ ଓହରିଗଲେ। ବିଚାରପତିମାନଙ୍କ ସ୍ବାଧୀନତା କ୍ଷୁଣ୍ଣ ହେଲେ ସେମାନେ ତାହାର ପ୍ରତିବାଦ କରିବାର ଆଉ ନଜିର ମଧ୍ୟ ଅଛି। ଜଷ୍ଟିସ ମେଲାଟ, ଜଷ୍ଟିସ ଗ୍ରୋଭର ଓ ଜଷ୍ଟିସ ଖାନ୍ନାଙ୍କର ଇସ୍ତଫା କଥା ଏ ପ୍ରସଙ୍ଗରେ କୁହାଯାଇପାରେ। ବରିଷ୍ଠତାକୁ ଉପେକ୍ଷା କରି ଇନ୍ଦିରା ଗାନ୍ଧୀ ଜଷ୍ଟିସ ଏ ଏନ ରାୟଙ୍କୁ ପ୍ରଧାନ ବିଚାରପତି କରିବା ପରେ ଏହି ତିନିଜଣ ପ୍ରତିବାଦରେ ଇସ୍ତଫା ଦେଇଥିଲେ (୧୯୭୩)।

ସୁପ୍ରିମକୋର୍ଟ ଓ କେନ୍ଦ୍ର ସରକାରଙ୍କ ଏହି ବିବାଦ ସହିତ ଭାରତ ସମ୍ବିଧାନର ଆଉ କେତେକ ମୌଳିକ ପ୍ରଶ୍ନ ଯୋଡ଼ି ହୋଇରହିଛି। ୧୯୭୩ରେ ବିଚାର ​‌େହ‌ାଇଥିବା କେଶବାନନ୍ଦ ଭାରତୀ ମାମଲାରେ ସୁପ୍ରିମକୋର୍ଟ ୭-୬ ମତରେ ସମ୍ବିଧାନର ମୌଳିକ ଢ଼ାଞ୍ଚା ବା ସଂରଚନା ନୀତି ସ୍ଥିର କରିଥିଲେ। ସରକାର ସମ୍ବିଧାନରେ ପରିବର୍ତ୍ତନ ଆଣିପାରିବେ ସତ, କିନ୍ତୁ ଏହାର ମୌଳିକ ଢ଼ାଞ୍ଚାରେ ଆଘାତ ଲାଗିଲା ଭଳି କିଛି କରିପାରିବେ ନାହିଁ। ଆସନ୍ତା ଏପ୍ରିଲ ମାସରେ ଏହି ଐତିହାସିକ ରାୟର ୫୦ ତମ ବର୍ଷ ପାଳିତ ହେବ। ଉପରାଷ୍ଟ୍ରପତି ଏହି ରାୟକୁ ସମାଲୋଚନା କରି ପାର୍ଲାମେଣ୍ଟର ଅଖଣ୍ଡ କ୍ଷମତା କଥା ଉଠାଇଛନ୍ତି। ତାଙ୍କର ଯୁକ୍ତି ହେଉଛି, ଜନସାଧାରଣଙ୍କ ଦ୍ବାରା ନିର୍ବାଚିତ ସଂସଦର କ୍ଷମତା ପ୍ରୟୋଗ ଉପରେ ଅଙ୍କୁଶ ଲଗାଯାଇପାରିବ ନାହିଁ। ଏପରି କି ସମ୍ବିଧାନରେ ଏହା ଯେ କୌଣସି ସଂଶୋଧନ ଆଣିପାରିବ; କିନ୍ତୁ ବାସ୍ତବ ସ୍ଥିତି ଏହାଠାରୁ ଭିନ୍ନ। ଦେଶର ଯେ କୌଣସି ଅନୁଷ୍ଠାନ ହେଉ- ପ୍ରତ୍ୟେକର ସୃଷ୍ଟିକର୍ତ୍ତା ହେଉଛି ସମ୍ବିଧାନ। ଆମ ଦେଶରେ ଲିଖିତ ସମ୍ବିଧାନ ରହିଥିବାରୁ ଏହା ଏକ ‘ସୀମିତ ସରକାର’। ତେଣୁ କୌଣସି ସଂଶୋଧନ ସମ୍ବିଧାନର ମୌଳିକ ଢାଞ୍ଚାରେ ପରିବର୍ତ୍ତନ ଆଣିପାରିବ ନାହିଁ।

ପ୍ରଫେସର ହାରଲ୍‌ଡ ଲାସ୍କି ଥରେ କହିଥିଲେ- ଯେଉଁ ଦେଶରେ ବିଚାରପତିଙ୍କୁ ଯେତେ ସମ୍ମାନ ଦିଆଯାଏ ସେ ଦେଶରେ ଗଣତନ୍ତ୍ର ସେତିକି ସୁଦୃଢ଼ ବୋଲି କହିବାକୁ ପଡ଼ିବ। ଏ କଥା ଅବଶ୍ୟ ସତ ଯେ କଲେଜିୟମ ବ୍ୟବସ୍ଥା ସଂପୂର୍ଣ୍ଣ ଦୋଷମୁକ୍ତ ନୁହେଁ। ଅତ୍ୟଧିକ ଗୋପନୀୟତା, ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ଏବଂ ଉପଯୋଗ୍ୟ ଯୋଗ୍ୟତା ଥିବା ବ୍ୟକ୍ତିଙ୍କ ନାମକୁ ବିଚାରକୁ ନ ନେବା ଭଳି ଅଭିଯୋଗ କଲେଜିଅମ ବିରୋଧରେ କରାଯାଏ। ଏଥିରେ ଆବଶ୍ୟକ ସଂଶୋଧନ ବା ସଂସ୍କାର ଆଣିଲେ ଆଉ ବିବାଦର ଅବକାଶ ରହିବ ନାହିଁ।

Comments are closed.