ଅନ୍ଧ ଦେଶକୁ ଗଲି ଦର୍ପଣ ବିକି

ସୀତାକାନ୍ତ ତ୍ରିପାଠୀ

ଏକଦା କବି ଯଦୁମଣି ରଣପୁର ରାଜାଙ୍କୁ ସୁନାରେ ତିଆରି ଏକ ବିଷ୍ଣୁ ପ୍ରତିମାକୁ ଉପହାର ଦେଇଥିଲେ; କିନ୍ତୁ ରାଜା ଏହାର ଉପଯୁକ୍ତ ଆଦର ଅଭ୍ୟର୍ଥନା ନ କରି ତଳେ ଥୋଇଦେବାରୁ କବିଙ୍କ ମୁଖରୁ ଝରିପଡ଼ିଥିଲା ଏକ ଆଶୁ କବିତା ଯାହାର ଶୀର୍ଷକ ଥିଲା – “ଅନ୍ଧ ଦେଶକୁ ଗଲି ଦର୍ପଣ ବିକି”। ଏ ପର୍ଯ୍ୟନ୍ତ ଅନ୍ଧ ସମାଜରେ ଦର୍ପଣର ଡିଣ୍ଡିମ ପିଟି ବିକା ଚାଲିଛି। ଆଉ ଯୁକ୍ତିରେ କୁହାଯାଉଛି, ସେମାନେ ସିନା ଦେଖିପାରୁନାହାନ୍ତି; କିନ୍ତୁ ଏହାର ଗୁଣାବଳୀ ଟିକେ ଶୁଣନ୍ତୁ। ବ୍ୟାବସାୟିକ ମନୋବୃତ୍ତିରେ ପ୍ରତିଭାବନ୍ତ ଗୁଣାବଳୀର ମାନେ କିଛି ନଥାଏ। ବରଂ ଥାଏ ପ୍ରବଞ୍ଚନା, ଲାଭ ପାଇଁ ଅଦମ୍ୟ ଲାଳସା ଆଉ ମୂଲ୍ୟବୋଧ ପ୍ରତି କୁଠାରାଘାତ। ବେଙ୍ଗୀ ପିତ୍ତଳର ଆଦର, ସୁନାର ଆଦରକୁ ଟପିଯାଉଛି। ଭଲ ଓ ମନ୍ଦ ଭିତରେ ଥିବା ପାର୍ଥକ୍ୟକୁ ତଉଲିବା କଷ୍ଟକର ହେଉଛି। ପଥିକ ହୋଇ ବାରମ୍ବାର ଲକ୍ଷ୍ୟଭ୍ରଷ୍ଟ ହେଉଛି। ଚାଲିବାରେ ଢଙ୍ଗ ନାହିଁ କି ରଙ୍ଗ ନାହିଁ। ଗୋଦରାଙ୍କ ଭଳି କୋଡି ଯାଉଛି ଯେତିକି, ପୁଣି ମାଡ଼ି ଚାଲିଛି ସେତିକି। ବସ୍ତୁତଃ ବାକ୍ୟ ଓ କାର୍ଯ୍ୟ ମଧ୍ୟରେ ଘୋର ଅସାମଞ୍ଜସ୍ୟ ତଥା ବୁଝାମଣା। ବୈଜ୍ଞାନିକ ଚିନ୍ତାଧାରାର ଉନ୍ମେଷ ସାଧନ ତଥା ଧନସମ୍ପତ୍ତିର ଅମାପ ଭଣ୍ଡାର, ଅବୁଝା ମନରେ ଆଶା ଓ ବିଶ୍ୱାସର ସୁରାଗ ଦେଇପାରୁନାହିଁ। ଏଇଠି ମନକୁ ଆସେ, ଯିଶୁଖ୍ରୀଷ୍ଟଙ୍କ କଥା। ଯେତେବେଳେ ଜଣେ ମହିଳାଙ୍କୁ ବ୍ୟଭିଚାରିଣୀ ବୋଲି କହି ଜନସାଧାରଣ ତାଙ୍କୁ ଦଣ୍ଡିତ କରୁଥିଲେ, ସେତେବେଳେ ଯିଶୁ ପହଞ୍ଚିଯାଇ କହିଥିଲେ ଜୀବନରେ ଯିଏ ଆଦୌ ପାପ କରିନାହିଁ, ସେ ହିଁ କେବଳ ଦଣ୍ଡ ଦେଇପାରିବ। ଏହା ପରେ ଜଣେ ଜଣେ ଲୋକ ଧୀରେ ଧୀରେ ସେ ସ୍ଥାନ ଛାଡ଼ି ଚାଲିଯିବାକୁ ଲାଗିଲେ। ଶେଷରେ କେବଳ ସେ ମହିଳାକୁ ଛାଡ଼ି ଅନ୍ୟ କେହି ନଥିଲେ। ବାସ୍ତବରେ “ତୁ ତ ମୂତୁରୀ, ମୁଁ ତ ମୂତୁରୀ ଶେଯ କାହିଁ ପାଇଁ ଧୋଇବା”। କିନ୍ତୁ ସ୍ୱାସ୍ଥ୍ୟରକ୍ଷା ଓ ପରିମଳତା ପାଇଁ ଶେଯ ଧୋଇବା ନିହାତି ଦରକାର; କିନ୍ତୁ ତା ପୂର୍ବରୁ ନିଜେ ନିଜକୁ ଜାଗ୍ରତ କରିବା ଦରକାର, ଯେପରି ଭବିଷ୍ୟତରେ ପୁଣି ଶେଯରେ ପରିସ୍ରା ନ କରନ୍ତି। ଆଧୁନିକତାରେ ମତୁଆଲା ହୋଇ ଆମେ ଯେ କେଉଁ ଆଡକୁ ଗତି କରୁଛୁ, ତା’ କିଏ କହିବ ? ମା’ ଝିଅକୁ ବାପା ଡାକିବାକୁ କହିବାରୁ ଝିଅ କହୁଛି, ମୁଁ ଡାଡି ଡାକିବି। ବାପା ଡାକିଲେ କୁଆଡ଼େ ଓଠର ଲିପ୍‍ଷ୍ଟିକ୍‍ ଫିକା ପଡ଼ିଯିବ। ଆଧୁନିକତାର ନାଁରେ କେବଳ ବସ୍ତ୍ର, ବାସଗୃହ ଓ ଖାଦ୍ୟ ଆଦିର ପରିବର୍ତ୍ତନ କଲେ ଚଳିବ ନାହିଁ, ବରଂ ଏକ ପରିଷ୍କୃତ ଚିନ୍ତାଧାରାକୁ ଆବାହନ କରିବା ଜରୁରୀ।

ଅନ୍ୟାୟ ପ୍ରତି ଦୃଷ୍ଟିପାତ କରିବାକୁ କାହାରି ସମୟ ନାହିଁ। ‘ଆପେ ବଞ୍ଚିଲେ ବାପାର ନାଁ’ ନ୍ୟାୟରେ ମୁଁ ଯଦି କୌଣସି କଥାରେ ମୁଣ୍ଡ ଖେଳାଇବି, ସେଥିରେ ମୋର କିଛି ଲାଭ ଅଛି କି ନାହିଁ, ତାହା ମୁଁ ପ୍ରଥମେ ବିଚାର କରିବି। ନିଜ ସ୍ୱାର୍ଥ ଆଗରେ ମୁଁ ଅନ୍ଧ। ରାଜଧାନୀର ରାଜରାସ୍ତାରେ ରାଜା ଦିଗମ୍ବର ବେଶ ସାଜି, ପଟୁଆର ସଜାଇ ଯିବେ। ବାଟରେ ସମସ୍ତେ କହିବେ ଆହା ରାଜାଙ୍କ ବସ୍ତ୍ର କି ସୁନ୍ଦର ! ସତ୍ୟ କ’ଣ ତା’ର ପରିପ୍ରକାଶ ପାଇଁ କାହାର ମନରେ ଜୁ ନାହିଁ। କାରଣ ଅଜଣା ଆଶଙ୍କା ଓ ଆତଙ୍କ ଆମ ମନକୁ ଗ୍ରାସ କରିଛି। ପ୍ରାଣ ଭୟ, ଚାକିରି ଭୟ, ପ୍ରମୋସନ ଭୟ, ପରୀକ୍ଷାରେ ମାର୍କ କମିବାର ଭୟ ଇତ୍ୟାଦି ଊଣା ଅଧିକେ ଆମ ସମସ୍ତଙ୍କୁ କବଳାୟିତ କରିଛି। କେତେ ଦିନ ଆଉ ଲୋକମାନଙ୍କୁ ଅନ୍ଧ ଭଳି ଠକି ହେବ ? ବସ୍ତୁବାଦୀ ଦୁନିଆରେ କ୍ଷମତାଲିପ୍ସା, ଆତ୍ମାଭିମାନ, ଆତ୍ମବଡ଼ିମା ଆମ ସମସ୍ତଙ୍କୁ ଗ୍ରାସ କରିବା ଭଳି ମନେହୁଏ। ସ୍ନେହ, ପ୍ରେମ, ସଦିଚ୍ଛା ଓ ମାନବିକତାର ମୂଲ୍ୟବୋଧ ଅନ୍ଧାରରେ ବାଡ଼ି ବୁଲାଇବା ଭଳି ଚାଲିଛି। ନେତାମାନଙ୍କ ଭାଷଣ, ଆଧ୍ୟାତ୍ମିକ ପ୍ରବଚନ, ଯଜ୍ଞାନୁଷ୍ଠାନ, ଧର୍ମାନୁଷ୍ଠାନ ସବୁଠି ଚଞ୍ଚକମୟ ପରିସ୍ଥିତି ଓ ପରିବେଶ। ରାତିଏ ଗଲେ ହାତିଏ ଆଣିବୁର ସ୍ୱପ୍ନ; କିନ୍ତୁ କେତେଦିନ ଏହି ଠକିବା ଓ ଠକେଇବାର ପୁନରାବୃତ୍ତି ଚାଲିବ ?

ଥରେ ଜମିଦାରଙ୍କ ନି‌େ‌ର୍ଦଶରେ ଗାଁର ପୋଖରୀକୁ ଶୁଖାଇ ଦିଆଗଲ, ଯାହାର ଲକ୍ଷ୍ୟଥିଲା ଗାଁ ପୋଖରୀ କ୍ଷୀରର ପୋଖରୀରେ ପରିଣତ ହେବ ଏବଂ ଏଥିପାଇଁ ଜମିଦାରଙ୍କର ଗୁଣଗାନ ହେବ। ଗାଁରେ ଥିବା ସମସ୍ତ ବ୍ୟକ୍ତି ଏଥିପାଇଁ ପୋଖରୀରେ ବାଲ୍‍ଟିଏ ଲେଖାଏଁ କ୍ଷୀର ଢାଳିବାକୁ ପଡ଼ିବ। ଲୋକମାନେ ଭାବିଲେ ଆମେ କ’ଣ ରାତିରେ ବାଲ୍‍ଟିଏ ପାଣି ଢାଳିଦେଲେ ଜଣାପଡିବ ? କ୍ଷୀର ସହିତ ନୀର ମିଶିଯିବ। ଶେଷରେ ଗାଁ ପୋଖରୀ ଯେଉଁ ପାଣିକୁ ସେହି ପାଣିରେ ଭର୍ତ୍ତି ହୋଇଗଲା। ଏହାର ପ୍ରଚ୍ଛଦରେ ଜଣକ ମନରେ ଅନ୍ୟଜଣଙ୍କୁ ବୋକା ବା ଅନ୍ଧ ବନାଇବା ପାଇଁ ଯେ, ଅଦମ୍ୟ ଲାଳସା ଥିଲା ତାହା କହିବା ବାହୁଲ୍ୟ ମାତ୍ର। କ୍ଷୀର ପୋଖରୀ ବନାଇବାରେ ଅବା କି ଲାଭ ? କ୍ଷମତା ମଣିଷକୁ ଅନ୍ଧ କରିଦିଏ, ଯାହା ଫଳରେ ସେ ଅସମ୍ଭବକୁ ସମ୍ଭବ କରିବା ପାଇଁ ସତତ ପ୍ରୟାସ କରିଥାଏ।

ଦିନଥିଲା ଅନ୍ଧମାନେ ହାତୀର ଗୋଟିଏ ଅଙ୍ଗକୁ ଧରି ହାତୀକୁ ଖମ୍ବ, କୁଲା ଓ ଦଉଡ଼ି ଆଦି ସହିତ ତୁଳନା କରୁଥିଲେ; କିନ୍ତୁ ସେମାନଙ୍କ ମଧ୍ୟରେ ଚକ୍ଷୁଷ୍ମାନ ହେବାର ଆଶା ଓ ଆକାଙ୍‌କ୍ଷା ଦୃଢୀଭୂତ ହେବାରେ ଲାଗିଲାଣି। ସମୟ ବଦଳିବା ସହିତ, ମନୁଷ୍ୟର ଚିନ୍ତାଧାରା ଓ ଜୀବନଧାରା ବଦଳୁଛି। କେତେ ଦିନ ଆମେ ବିଲେଇପରି ଅନ୍ଧାରରେ କ୍ଷୀର ପିଉଥିବା ଆଉ ଭାବୁଥିବା ଆମକୁ କେହି ଦେଖୁନାହାନ୍ତି। ଦେଖିବା ପାଇଁ ଲୋକେ ଠିକ୍‍ ଅଛନ୍ତି, କିନ୍ତୁ ପରିସ୍ଥିତି ଓ ପରିବେଶ ସେମାନଙ୍କୁ ଅନ୍ଧ କରିପକାଇଛି। ଯାହା ଫଳରେ ସେମାନେ ଆଖି ଥାଇ ମଧ୍ୟ ଅନ୍ଧ। ଅନ୍ଧକୁ ଚାକ୍ଷୁଷ କରିବା ପାଇଁ ଦରକାର ଐକାନ୍ତିକ ନିଷ୍ଠା ଓ ଚେତନାର ଉନ୍ମେଷ ସାଧନ। ନ ହେଲେ ଭଲ ଓ ମନ୍ଦରେ ଥିବା ପାର୍ଥକ୍ୟକୁ କିଏ ବା ତଉଲିବ ? ପରିଣାମ ସ୍ୱରୂପ ସବୁଦିନ ଅନ୍ଧ ବେଶରେ ଦର୍ପଣ ବିକା ଚାଲିବ, ଯାହାର ଉପଯୋଗିତା ଘର ଶୂନ୍ୟ।

Comments are closed.