MEllora 950×100

ଜଣେ ବିଶ୍ବନେତାଙ୍କ ଅକୁହା କଥା

ସମରେନ୍ଦ୍ର ବଳିଆର ସିଂହ ବିଶ୍ବାତ୍ମା, ବକ୍ସି ଜଗବନ୍ଧୁ ନଗର, ଖୋର୍ଦ୍ଧା

ନୂଆ ପିଢି ନେତାଜୀଙ୍କୁ କେତେ ଜାଣନ୍ତି? ହୁଏତ କେହି ସରଳ ଉତ୍ତରଟେ ଦେବେ, ଯେତିକି ପୁରୁଣା ପିଢି ଜାଣିଛନ୍ତି ସେତିକି ନୂଆପିଢିଙ୍କୁ ଜଣାଇଛନ୍ତି। ଆଜାଦ୍‍ ହିନ୍ଦ୍‍ ଫୌଜ୍‍ର ପ୍ରତିଷ୍ଠାତା ନେତାଜୀ ସୁଭାଷ ବୋଷ ଭାରତବର୍ଷକୁ ସ୍ୱାଧୀନ କରିବା ପାଇଁ ନିଜର ସମସ୍ତ ଶକ୍ତି ଲଗାଇଦେଇଥିଲେ। କହିଥିଲେ, ‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’। ଆମେ ସମସ୍ତେ ଜାଣୁ, ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ପଣ୍ଡିତ ଜବାହରଲାଲ ନେହେରୁ। ତେବେ ଭାରତର ପ୍ରଥମ ଆଜାଦ୍‍ ସରକାରର ପ୍ରଧାନମନ୍ତ୍ରୀ ଥିଲେ ନେତାଜୀ। ୧୯୪୩ ମସିହା ଅକ୍ଟୋବର ୨୧ ତାରିଖରେ ସେ ପ୍ରଥମ ଆଜାଦ୍‍ ସରକାରର ଘୋଷଣା କରିଥିଲେ। ବ୍ରିଟିଶମାନଙ୍କୁ ଭାରତବର୍ଷରୁ ବିତାଡ଼ିତ କରିବା ଥିଲା ଏହାର ଉଦ୍ଦେଶ୍ୟ।

ନିଜର ଜନ୍ମମାଟି କଟକକୁ ନେତାଜୀ ଭାରି ଭଲ ପାଉଥିଲେ। ନିଜର ଅସଂପୂର୍ଣ୍ଣ ଆତ୍ମଜୀବନୀ ‘An Indian Pilgrim’ (ଜଣେ ଭାରତୀୟ ତୀର୍ଥଯାତ୍ରୀ)ରେ ନେତାଜୀ ଲେଖିଛନ୍ତି, ‘ମୁଁ ଯେଉଁ କଟକ ସହରରେ ଜନ୍ମ ନେଇଥିଲି, ସେତେବେଳେ ତାହାର ଜନସଂଖ୍ୟା ଥିଲା ମାତ୍ର ୨୦ ହଜାର। ଏହି ସହର ବିଭିନ୍ନ କାରଣରୁ ଏକ ନିଜସ୍ୱ ପରିଚୟ ବହନ କରିଛି। କଳିଙ୍ଗର ହିନ୍ଦୁ ସମ୍ରାଟମାନଙ୍କ ସମୟରୁ କଟକର ଏକ ସମୃଦ୍ଧ ପରମ୍ପରା ରହିଛି। କଟକ ଥିଲା ଓଡ଼ିଶାର ରାଜଧାନୀ। ପୁରୀ, କୋଣାର୍କ, ଭୁବନେଶ୍ୱରର ଖଣ୍ଡଗିରି, ଉଦୟଗିରି ଭଳି କଟକ ମଧ୍ୟ ଏକ ତୀର୍ଥସ୍ଥଳୀ। ଏହା କେବଳ ବ୍ରିଟିଶମାନଙ୍କର ମୁଖ୍ୟ ଦପ୍ତର ନ ଥିଲା, ବହୁ ପ୍ରାଦେଶିକ ରାଜାମାନଙ୍କର ମୁଖ୍ୟସ୍ଥାନ ଥିଲା। କଟକର ସୁସ୍ଥ ବାତାବରଣ ରହିଛି। ଉଭୟ ଗାଁ ଓ ସହରୀ ଜୀବନର ଅନୁଭବ ଦିଏ କଟକ।’

ନେତାଜୀ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଗାଢ ଭକ୍ତି କରୁଥିଲେ। ସେ କହୁଥିଲେ, ‘ମୁଁ ଜଣେ ଓଡ଼ିଆ। ଓଡ଼ିଶାର ପାଣି, ପବନରେ ମୋର କୈଶୋର ଜୀବନ ଅତିବାହିତ ହୋଇଛି। କେବଳ ମୋର ନୁହେଁ, ମୋ ପରିବାରର ଆରାଧ୍ୟ ଦେବତା ହେଉଛନ୍ତି ଶ୍ରୀଜଗନ୍ନାଥ। ଓଡ଼ିଆ ରକ୍ତ ମୋ ଧମନୀରେ ପ୍ରବାହିତ, ଓଡ଼ିଆଙ୍କ ପଇସାରେ ବାପା ମୋତେ ପାଠ ପଢାଇଛନ୍ତି। ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ହେଉଛନ୍ତି ମୋର ଆଦର୍ଶ।’ ସୁଭାଷ ଚନ୍ଦ୍ର ବୋଷ ରେଙ୍ଗୁନରେ ଥିବାବେଳେ ଓଡ଼ିଆ ରେଜିମେଣ୍ଟ ଶିବିରକୁ ଯାଇ ଜଗନ୍ନାଥ ଭଜନ ଶୁଣୁଥିଲେ। ନେତାଜୀଙ୍କ ଘନିଷ୍ଠ ସହଯୋଗୀ ପଣ୍ଡିତ କୃଷ୍ଣଚନ୍ଦ୍ର ତ୍ରିପାଠୀ ଚମତ୍କାର ଭଜନ ଗାଉଥିଲେ। ୧୯୪୩ ଅକ୍ଟୋବର ୨୧ରେ ସିଙ୍ଗାପୁରଠାରେ ନେତାଜୀ ଗଠନ କରିଥିବା ଆଜାଦ୍‍ ହିନ୍ଦ ଫୌଜ୍‍ ସରକାରଙ୍କୁ ଇଟାଲୀ, ଜର୍ମାନ୍‍, ଜାପାନ ସମେତ ୧୦ଟି ଦେଶ ସ୍ୱୀକୃତି ଦେବାରେ ପଣ୍ଡିତ କୃଷ୍ଣଚନ୍ଦ୍ର ତ୍ରିପାଠୀ ବିଶେଷ ଭୂମିକା ଗ୍ରହଣ କରିଥିଲେ। ସେ ନେତାଜୀ ସରକାରଙ୍କର ସୂଚନା, ଲୋକସମ୍ପର୍କ ଓ ବୈଦେଶିକ ବିଭାଗର ଦାୟିତ୍ୱ ନେଇଥିଲେ। ପଣ୍ଡିତ ତ୍ରିପାଠୀ ମହାପ୍ରଭୁ ଜଗନ୍ନାଥଙ୍କ ଭଜନ ସହ ଦେଶପ୍ରେମର ଗୀତ ଗାଉଥିଲେ, ଯାହାକି ନେତାଜୀଙ୍କୁ ଅଭିଭୂତ କରୁଥିଲା। ଅନେକ ସମୟରେ ନେତାଜୀ ଜୟ ଜଗନ୍ନାଥ ଉଚ୍ଚାରଣ କରୁଥିଲେ। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ମଧ୍ୟ ନେତାଜୀ ଭାରି ଭଲ ପାଉଥିଲେ। ୧୯୨୮ରେ ସ୍ୱାଧୀନତା ସଂଗ୍ରାମୀ ମୋତିଲାଲ ନେହେରୁଙ୍କ ନେତୃତ୍ୱରେ ଗଠିତ କମିଟି(ଯାହାକି ନେହେରୁ ରିପୋର୍ଟ ଭାବେ ଜଣାଶୁଣା)ରେ ଭାଷା ଭିତ୍ତିକ ରାଜ୍ୟ ଗଠନ ପାଇଁ ଆଲୋଚନା ହୋଇଥିଲା। ଏହି କମିଟିର ସଦସ୍ୟ ଥିବା ନେତାଜୀ ସେତେବେଳେ କଲିକତା ମହାନଗର ନିଗମର ଅଧ୍ୟକ୍ଷ ଥିଲେ। ଓଡ଼ିଶାକୁ ଭାଷା ଭିତ୍ତିରେ ରାଜ୍ୟ ଗଠନ ପ୍ରସ୍ତାବକୁ କମିିଟିର ସଦସ୍ୟଭାବେ ସେ ସମର୍ଥନ କରିଥିଲେ, ଯାହା ଅନ୍ୟମାନେ କରିନଥିଲେ। ଏହା ହିଁ ତାଙ୍କ ଓଡ଼ିଆ ପ୍ରୀତିର ଚରମ ନିଦର୍ଶନ ଥିଲା।

ମୋର ସଂପର୍କୀୟ ଜେଜେ ଚକ୍ରଧର ପରିଡ଼ା ଥିଲେ ଆଜାଦ୍‍ ହିନ୍ଦ୍‍ ଫୌଜ୍‍ର ଓଡ଼ିଆ ରିକ୍ରୁଟିଙ୍ଗ୍‍ ଅଫିସର, ଯିଏ କି ରଣପୁର ପ୍ରଜା ଆନ୍ଦୋଳନର କର୍ଣ୍ଣଧାର ସହିଦ ଦିବାକର ପରିଡ଼ାଙ୍କ ସାନଭାଇ। ପରବର୍ତ୍ତୀ ସମୟରେ ସେ ରଣପୁର ବ୍ଳକ୍‍ ଅନ୍ତର୍ଗତ ଖଇରପଲ୍ଲୀ ଗ୍ରାମପଞ୍ଚାୟତର ସରପଞ୍ଚ ହୋଇ ବହୁ ଜନମଙ୍ଗଳ କାମରେ ସାମିଲ ହୋଇଥିଲେ। ସେ ସେତେବେଳେ ନେତାଜୀ ଓ ଆଜାଦ୍‍ ହିନ୍ଦ୍‍ ଫୌଜ୍‍ର କାର୍ଯ୍ୟପ୍ରଣାଳୀ ସଂପର୍କରେ ଯେଭଳି ବର୍ଣ୍ଣନା କରୁଥିଲେ, ତାହା ଅତ୍ୟନ୍ତ ଚମକପ୍ରଦ ଥିଲା। ମୋ ଅଣଜେଜେ ଚିନ୍ତାମଣି ପରିଡ଼ା ମଧ୍ୟ ରେଙ୍ଗୁନ ଯାଇ ନେତାଜୀଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ସମୟରେ ଆଜାଦ୍‍ ହିନ୍ଦ୍‍ ଫୌଜ୍‍ରେ ବହୁ ସଂଖ୍ୟାରେ ଓଡ଼ିଆମାନେ ଭର୍ତ୍ତି ହୋଇଥିଲେ। କାରଣ କର୍ମସଂସ୍ଥାନ ପାଇଁ ବହୁ ଓଡ଼ିଆ ରେଙ୍ଗୁନ ଯାଉଥିଲେ। ସେଠାରେ ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ ନେତାଜୀଙ୍କୁ ଭେଟୁଥିଲେ। ତାଙ୍କ ଆହ୍ୱାନରେ ଆଜାଦ୍‍ ହିନ୍ଦ ଫୌଜ୍‍ରେ ସାମିଲ ହୋଇଥିଲେ। ଚକ୍ରଧର ପରିଡ଼ାଙ୍କ ଭାଇ ଦିବାକର ପରିଡ଼ା ଯେହେତୁ ରଣପୁର ପ୍ରଜା ଆନ୍ଦୋଳନ କର୍ଣ୍ଣଧାର ସାଜିଥିଲେ, ସେ ସମ୍ପର୍କରେ ନେତାଜୀ ମଧ୍ୟ ଖବର ରଖୁଥିଲେ।

ଆଜାଦ୍‍ ହିନ୍ଦ୍‍ ଫୌଜ୍‍ରେ ଆମ ରାଜ୍ୟର ଅବିଭକ୍ତ ଗଞ୍ଜାମ ଓ ଅବିଭକ୍ତ ପୁରୀ ଜିଲାର ବହୁ ଓଡ଼ିଆ ସାମିଲ ହୋଇଥିଲେ। ୫୫ ଜଣ ଓଡ଼ିଆ ସୈନ୍ୟ ରେଙ୍ଗୁନ୍‍ ଜେଲରେ ବନ୍ଦୀ ହୋଇଥିଲେ। ଆଜାଦ୍‍ ହିନ୍ଦ ଫୌଜ୍‍ର ନାରୀସେନା ଝାନସି ରେଜିମେଣ୍ଟ‌େର ୨୦ ହଜାରରୁ ଊର୍ଦ୍ଧ୍ବ ମହିଳା ଯୋଗଦେଇଥିଲେ। ଝାନସି ରେଜିମେଣ୍ଟ‌ର ମୁଖ୍ୟ ଥିଲେ କ୍ୟାପଟେନ୍‍ ଲକ୍ଷ୍ମୀ ସ୍ୱାମୀନାଥନ୍‍(ସେହେଗଲ)। ଓଡ଼ିଆ ଝିଅ ଊର୍ମିଳା ଥିଲେ ଭାଇସ୍‍-କ୍ୟାପଟେନ୍‍। ଓଡ଼ିଆ ଝିଅ ଲକ୍ଷ୍ମୀ ଇନ୍ଦିରା ପଣ୍ଡା, ରଜନୀ, କାନ୍ତି ପ୍ରମୁଖ ମଧ୍ୟ ଏହି ରେଜିମେଣ୍ଟ‌ରେ ଥିଲେ। ଏଇସବୁ ଘଟଣାରୁ ଜଣାପଡ଼େ ନେତାଜୀଙ୍କ ମହିଳା ସଶକ୍ତୀକରଣ ଓ ଓଡ଼ିଶା ପ୍ରେମର ଦୃଷ୍ଟାନ୍ତ।
ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ପୀଠ ପାଇକମାଟି ଖୋର୍ଦ୍ଧା ପ୍ରତି ମଧ୍ୟ ନେତାଜୀଙ୍କର ବିଶେଷ ଆକର୍ଷଣ ଥିଲା। ବ୍ରହ୍ମପୁର ଯିବା ରାସ୍ତାରେ ସେ କିଛି ସମୟ ସେଠାରେ ଅତିବାହିତ କରିଥିଲେ। ଖୋର୍ଦ୍ଧା ମୁଖ୍ୟ ରାସ୍ତା ମାରୱାଡି ପଟିରେ ସ୍ୱାଧୀନତା ସଂଗ୍ରାମୀ ମଥୁରା ପ୍ରସାଦ ରାମଙ୍କ ଆତିଥେୟତା ଗ୍ରହଣ କରିଥିଲେ। ଖୋର୍ଦ୍ଧାବାସୀଙ୍କ ପକ୍ଷରୁ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ତେବେ ଦୁଃଖର କଥା, ଖୋର୍ଦ୍ଧାରେ ତାଙ୍କର ପ୍ରତିମୂର୍ତ୍ତିଟିଏ ନାହିଁ। ବୋଲଗଡ଼ ବ୍ଲକ୍‍ ପିଚୁକୁଳି ନିକଟ ଚମ୍ପାଇଲୋରେ ନେତାଜୀଙ୍କ ପ୍ରତିମୂର୍ତ୍ତି ରହିଛି। ଏହି ଗାଁ ଆଜାଦ୍‌ ହିନ୍ଦ୍‍ ଫୌଜଙ୍କ ଗାଁ ଭାବେ ଖ୍ୟାତି ଲାଭ କରିଛି। ଏହି ଗାଁର ୧୯ଜଣ ଆଜାଦ୍‍ ହିନ୍ଦ୍‍ ଫୌଜରେ ଯୋଗଦେଇଥିବା ବେଳେ ୩ଜଣ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ କାରାବରଣ କରିଥିଲେ। ସେମାନଙ୍କ ମଧ୍ୟରେ ବିଶ୍ୱନାଥ ସାମନ୍ତ ଥିଲେ ଖୋର୍ଦ୍ଧା ଜିଲାର ପ୍ରଥମ ରାଜବନ୍ଦୀ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୧୯୪୩ ମସିହା ଡିସେମ୍ବର ୩୦ ତାରିଖରେ ବର୍ଲିନ ରେଡ଼ିଓରେ ଭାରତକୁ ସ୍ୱାଧୀନ କରିବା ଘୋଷଣା କରିଥିଲେ। ଏହି ଦିନଟିକୁ ଆଜାଦ୍‍ ହିନ୍ଦ ଦିବସ ଭାବେ ପାଳନ କରନ୍ତି ଗ୍ରାମବାସୀ।

ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ନେତାଜୀଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ। ସେ ଥିଲେ ଜଣେ ବିଶ୍ୱନେତା; ବିଶ୍ୱ ଇତିହାସର ଜଣେ ପ୍ରମୁଖ ଚରିତ୍ର। ତେବେ ଇତିହାସରେ ତାଙ୍କ ଭୂମିକାକୁ ଯେଭଳି ଭାବେ ଲିପିବଦ୍ଧ କରାଯିବା କଥା, ତାହା ହୋଇନାହିଁ। ନୂତନ ପିଢି ତାଙ୍କ ସମ୍ପର୍କରେ ଅଧିକରୁ ଅଧିକ ଜାଣିବା ଦରକାର।

Comments are closed.