ଶ୍ରୀଗୀତଗୋବିନ୍ଦର ପଦ୍ମାବତୀ

- ପ୍ରଫୁଲ୍ଳ ଚନ୍ଦ୍ର ତ୍ରିପାଠୀ

ଶ୍ରୀଗୀତଗୋବିନ୍ଦର ପ୍ରଥମ ସର୍ଗ ଦ୍ୱିତୀୟ ଶ୍ଳୋକରେ ବର୍ଣ୍ଣନା ଅଛି:-
ବାଗ୍‍ଦେବତାଚରିତଚିତ୍ରିତଚିତ୍ତସଦ୍ମା ପଦ୍ମାବତୀଚରଣଚାରଣଚକ୍ରବର୍ତ୍ତୀ।
ଶ୍ରୀବାସୁଦେବରତିକେଳିକଥାସମେତ/ ମେତଂ କରୋତି ଜୟଦେବକବିଃ ପ୍ରବନ୍ଧମ୍‍।।
ବାଗ୍‍ଦେବତା (ସରସ୍ୱତୀ)ଙ୍କ କଥା ତାଙ୍କ ହୃଦୟରେ ସର୍ବଦା ପରିସ୍ଫୁଟିତ ହେଉଛି ଓ ତାଙ୍କ ଯୁଗଳ ପାଦପଦ୍ମର ମହିମା ପ୍ରଚାର ଓ ପ୍ରସାରର ସେ (ଜୟଦେବ) ହିଁ ପ୍ରମୁଖ ବ୍ୟକ୍ତି। ଚାରଣ ଶବ୍ଦକୁ ଭୃତ୍ୟ, ପ୍ରଚାରକ, ସ୍ତୁତିକାରକ ଓ ଭାଟ ଭାବରେ ମଧ୍ୟ ଗ୍ରହଣ କରାଯାଏ। ଯଦି ଏପରି, ତେବେ ଶ୍ରୀଜୟଦେବ ପଦ୍ମାବତୀ (ଲକ୍ଷ୍ମୀ)ଙ୍କର ଚରଣ ଚାରଣଚକ୍ରବର୍ତ୍ତୀ, ଅର୍ଥାତ୍‍ ଚରଣ ସେବକମାନଙ୍କର ମୁଖ୍ୟ ବା ତାଙ୍କ ଚରଣ ମାହାତ୍ମ୍ୟ ପ୍ରଚାରକ ଗୋଷ୍ଠୀର ପ୍ରମୁଖ ଭକ୍ତ ରୂପେ ଗ୍ରହଣୀୟ।

ପ୍ରଥମ ସର୍ଗ ଷଷ୍ଠ ଶ୍ଳୋକରେ ବର୍ଣ୍ଣନା ଅଛି-
ପଦ୍ମାପୟୋଧରତଟୀପରିରମ୍ଭଲଗ୍ନ-
କାଶ୍ମୀରମୁଦ୍ରିତମୁରୋ ମଧୁସୂଦନସ୍ୟ।
ଏଠାରେ ପଦ୍ମାବତୀଙ୍କୁ ଲକ୍ଷ୍ମୀ ଅର୍ଥରେ ଗ୍ରହଣ କରାଯାଇଛି। କେନ୍ଦୁବିଲ୍ୱ ଗ୍ରାମର ପୂର୍ବଦିଗକୁ ପ୍ରାୟ ୭ କିଲୋମିଟର ଦୂର ପ୍ରାଚୀନଦୀ କୂଳ ଚୌରାଶୀ ଗ୍ରାମରେ ଥିବା ଲକ୍ଷ୍ମୀନାରାୟଣଙ୍କର ବିଗ୍ରହ ବିଦ୍ୟମାନ। ଏହି ମୂର୍ତ୍ତିି ସହିତ ପ୍ରସ୍ତରର ଉଚ୍ଚତା ୭’ ୭” ଓ ସେଥିରେ ଥିବା ମୂର୍ତ୍ତିଟି ୫ ଫୁଟ ଉଚ୍ଚ, ୨ ଫୁଟ ଚଉଡ଼ା ଓ ମୋଟେଇ ୧ ଫୁଟ। ସେହିଭଳି ଅନ୍ୟ ଏକ ବିଗ୍ରହ ମାଧବ ଗ୍ରାମ ନିକଟସ୍ଥ ପ୍ରାଚୀନଦୀ କୂଳରେ ଅବସ୍ଥିତ କଳା ପାଞ୍ଚଣଠାରେ ରହିଛି। ଏହା ଆନୁମାନିକ ଦଶମ-ଏକାଦଶ ଶତାବ୍ଦୀରେ ନିର୍ମିତ ବିଗ୍ରହ ହୋଇଥାଇପାରେ। ଏହି ବିଗ୍ରହଦ୍ୱୟ ଶ୍ରୀଗୀତଗୋବିନ୍ଦର ବର୍ଣ୍ଣନା ସହ ସମ୍ପୂର୍ଣ୍ଣ ମିିଶିଯାଉଛି। ପୂର୍ବୋକ୍ତ ମୂର୍ତ୍ତି ବ୍ୟତୀତ କଟକ ସଦରଥାନା ଅନ୍ତର୍ଗତ ପ୍ରତାପନଗରୀ ନିକଟସ୍ଥ ଭାଣପୁର (ଗଙ୍ଗସମ୍ରାଟ୍‍ ଭାନୁଦେବଙ୍କ ନାମରେ ପ୍ରତିଷ୍ଠିତ) ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ଉତ୍ତରପାର୍ଶ୍ବ କାନ୍ଥରେ ମଧ୍ୟ ରହିଛି ସେହିଭଳି ବିଗ୍ରହ। ଓଡ଼ିଶାରେ ଅନ୍ୟତ୍ର ସେପରି ବିଗ୍ରହ ରହିଥିବାର ବର୍ତ୍ତମାନ ପର୍ଯ୍ୟନ୍ତ ଦୃଷ୍ଟିକୁ ଆସିନାହିଁ।

ଦଶମ ସର୍ଗ, ଊନବିଂଶ ପ୍ରବନ୍ଧର ଅଷ୍ଟମ ପଦରେ ଅଛି-
ଜୟତି ପଦ୍ମାବତୀରମଣଜୟଦେବକବି-
ଭାରତୀଭଣିତମିତି ଗୀତମ୍‍।
ପଦ୍ମାବତୀ ଶ୍ରୀଜୟଦେବଙ୍କର ପତ୍ନୀ ଥିବାର କିମ୍ବଦନ୍ତୀ ପ୍ରଚଳିତ ଅଛି; ମାତ୍ର ଏହାର କୌଣସି ଐତିହାସିକ ଭିତ୍ତିଭୂମି ନାହିଁ। ଯଦି କୌଣସି ବ୍ୟାଖ୍ୟାକାର ପଦ୍ମାବତୀଙ୍କୁ ପତ୍ନୀ ଭାବେ ଗ୍ରହଣ କରିଥାନ୍ତି ତେବେ ତାହା ତାଙ୍କର ସ୍ୱମତ।

ପୁଣି ଏକାଦଶ ସର୍ଗ, ଏକବିଂଶ ପ୍ରବନ୍ଧର ଅଷ୍ଟମ ପଦରେ ବର୍ଣ୍ଣନା ଅଛି-
“ବିହିତପଦ୍ମାବତୀସୁଖସମାଜେ/ କୁରୁ ମୁରାରେ! ମଙ୍ଗଳଶତାନି/ ଭଣତି ଜୟଦେବକବିରାଜରାଜେ”।

ପଦ୍ମାବତୀଙ୍କ ଦ୍ୱାରା ପ୍ରତିଷ୍ଠିତ ସୁଖ ସମାଜ ଅର୍ଥାତ୍‍ ପଦ୍ମାବତୀଙ୍କୁ ଆଶ୍ରୟ ବା ଆରାଧନା କରି ଯେଉଁ ସମାଜ ସୁଖର ଅଧିକାରୀ ହୋଇପାରିଛି, ହେ ମୁରାରି! ସେମାନଙ୍କର ମଙ୍ଗଳ କରନ୍ତୁ। ଏହି ପଦକୁ ନେଇ କେତେକ ବ୍ୟାଖ୍ୟାକାର ପଦ୍ମାବତୀଙ୍କୁ ଜୟଦେବଙ୍କ ପତ୍ନୀ ଭାବେ ଗ୍ରହଣ କରିଛନ୍ତି। ସମାଜ କହିଲେ ଲୋକ ସମଷ୍ଟି ବା ସମ୍ପ୍ରଦାୟକୁ ବୁଝାଯାଏ। ତେଣୁ କେନ୍ଦୁବିଲ୍ୱବାସୀ ବା ସେଠାର ଜନସମାଜ ପଦ୍ମାବତୀଙ୍କୁ ଆରାଧନା କରି ସୁଖରେ ଥିବାରୁ କବିପଣ୍ଡିତ ଶ୍ରୀଜୟଦେବ ତାଙ୍କ ଆରାଧ୍ୟ ଶ୍ରୀକୃଷ୍ଣ(ମୁରାରି)ଙ୍କୁ ସେମାନଙ୍କର (କେନ୍ଦୁବିଲ୍ୱ ବାସୀ) ଶତ ମଙ୍ଗଳ ବିଧାନ ପାଇଁ ପ୍ରାର୍ଥନା କରିଛନ୍ତି।

କେନ୍ଦୁବିଲ୍ୱ ଜନପଦରେ ପଦ୍ମାବତୀଙ୍କ ମନ୍ଦିର ଓ ସେଥିରେ ଥିବା ନବଗ୍ରହ ପ୍ରସ୍ତର ତଳେ ନାଗରୀ ଲିପିରେ “ଜୟ ଜୟ ଦେବ ହରେ” ଖୋଦିତ ହୋଇଛି। ତେଣୁ ପଦ୍ମାବତୀଙ୍କୁ ଏଠାରେ ଲକ୍ଷ୍ମୀ ଅର୍ଥରେ ଗ୍ରହଣ କରିବାରେ ବଳିଷ୍ଠ ଐତିହାସିକ ଯୁକ୍ତି ରହିଛି। ରସିକପ୍ରିୟା ଟୀକାରେ ପଦ୍ମାବତୀ ଶବ୍ଦକୁ ଲକ୍ଷ୍ମୀ ଅର୍ଥରେ ନିଆଯାଇଛି। “ବିହିତ ପଦ୍ମାବତୀ ସୁଖ ସମାଜେ” ପଦର ଟୀକାରେ ଟୀକାକାର ରାଣାକୁମ୍ଭ (ଖ୍ରୀ.ଅ. ୧୪୬୦) ଅର୍ଥ କରିଛନ୍ତି- “ବିହିତଂ କୃତଂ ପଦ୍ମାବତ୍ୟା ଲକ୍ଷ୍ମ୍ୟାଃ ସୁଖଂ ସମାଜଂ ସ୍ଥାନଂ ପ୍ରସାଦୋ ଯେନ। ତିନ୍ଦୁବିଲ୍ୱେ ଜୟଦେବକାରିତୋ ମହାଲକ୍ଷ୍ମ୍ୟାଃ ପ୍ରାସାଦୋଦ୍ଧସ୍ତୀତିପ୍ରସିଦ୍ଧଃ। ଲକ୍ଷ୍ମୀଭକ୍ତ୍ୟା ହରିସ୍ତୁଷ୍ୟତୀତି”। ଅର୍ଥାତ୍‍ କବିଙ୍କ ଜନ୍ମସ୍ଥାନରେ ପଦ୍ମାବତୀ(ଲକ୍ଷ୍ମୀ)ଙ୍କ ମନ୍ଦିର ଅଛି ଓ କବି ନିଜେ ଲକ୍ଷ୍ମୀଙ୍କଠାରେ ଭକ୍ତି କରି ହରିତୋଷଣ କରିଛନ୍ତି। ମାତ୍ର ରସମଞ୍ଜରୀ ଟୀକାର ପ୍ରଣେତା ଶଙ୍କର ମିଶ୍ର (ଖ୍ରୀ.ଅ.୧୫୬୦)ଙ୍କ ଟୀକାରେ ଉଲ୍ଲେଖ ଅଛି- “ବିହିତଃ ପଦ୍ମାବତ୍ୟାଃ ସୁଖ-ସମାଜଃ ସୁଖସମୂହୋ ଯେନ ତାଦୃଶେ। ଏତେନ ସ୍ୱସ୍ତ୍ରୀତତ୍ପରତ୍ୱକଥନେନ ପରସ୍ତ୍ରୀବୈମୁଖ୍ୟଂ ଧ୍ୱନିତମ୍‍।” ଅର୍ଥାତ୍‍ ନିଜ ସ୍ତ୍ରୀର ଆନୁକୂଲ୍ୟରେ ସୁଖ ସମାଜ ବର୍ଦ୍ଧିତ ହୁଏ; ମାତ୍ର ପରସ୍ତ୍ରୀ ସହିତ ନୁହେଁ। ପଣ୍ଡିତ ନାରାୟଣ ଭଟ୍ଟ ତାଙ୍କ ରଚିତ ପଦଦ୍ୟୋତନିକା ଟୀକାରେ ଲେଖିଛନ୍ତି- “ବିହିତଃ କୃତଃ ପଦ୍ମାବତ୍ୟାଃ ସ୍ୱସ୍ତ୍ରୀୟଃ ସୁଖସ୍ୟ ସମାଜଃ ସମୂହୋ ଯେନ। ମୁଖସମାଜ ଇତି ପାଠେ ମୁଖସ୍ୟ ସମାଜଃ ସାନ୍ନିଧ୍ୟଂ ଯେନ ତସ୍ମିନ୍‍। ଏତେନ ସ୍ୱନାୟିକାୟାମେବ ପ୍ରେମାତିଶୟୋ ଦର୍ଶିତଃ। ନ ତ୍ୱନ୍ୟସ୍ୟାମ୍‍”। ଏହି ଟୀକାରେ “ସୁଖ ସମାଜ” ସ୍ଥାନରେ “ମୁଖ ସମାଜ” ପାଠାନ୍ତର ହୋଇଛି। ସଞ୍ଜୀବନୀ ଟୀକାକାର ବନମାଳୀ ଭଟ୍ଟ (ଖ୍ରୀ.ଅ. ୧୫୭୫) ଏହି ପଦକୁ ବ୍ୟାଖ୍ୟା କରି ଲେଖିଛନ୍ତି- “ଅନେନ ସ୍ୱନାୟକାୟାଂ ପ୍ରେମାତିଶୟଃ ନ ତ୍ୱନ୍ୟସ୍ୟାମିତି ଭାବଃ”। ବାଳବୋଧିନୀ ଟୀକାକାର ତାଙ୍କ ରଚିତ ଟୀକାରେ ପଦ୍ମାବତୀ ଶବ୍ଦର ଅର୍ଥ ଶ୍ରୀରାଧା ବୋଲି ବର୍ଣ୍ଣନା କରି ଲେଖିଛନ୍ତି- “ବିହିତଃ ପଦ୍ମାବତ୍ୟାଃ ଶ୍ରୀରାଧାୟାଃ ସୁଖସମୂହୋ ଯେନ ତସ୍ମିନ୍‍। ନିଜେଷ୍ଟଦେବୋ ପାସନାୟାମିତ୍ୟର୍ଥଃ”। ସର୍ବାଙ୍ଗସୁନ୍ଦରୀ ଟୀକାକାର କବିରାଜ ନାରାୟଣ ଦାସ (ଖ୍ରୀ.ଅ. ୧୩୫୦) ଏହି ପଦର ପଦ୍ମାବତୀ ଶବ୍ଦକୁ ଜୟଦେବଙ୍କ ସ୍ତ୍ରୀ ଭାବରେ ଗ୍ରହଣ କରି ଲେଖିଛନ୍ତି- “ବିିହିତଃ ପଦ୍ମାବତ୍ୟା ନିଜପ୍ରେୟସ୍ୟାଃ ସୁଖସମାଜଃ ସୁଖଚୟୋ ଯେନେତି ବିଗ୍ରହଃ। ଏତେନ ଶୃଙ୍ଗାରିତ୍ୱମାତ୍ମନଃ ପ୍ରତିପାଦିତମ୍‍”। ଶ୍ରୁତି ରଞ୍ଜନୀ ଟୀକାକାର ପଣ୍ଡିତ ଲକ୍ଷ୍ମଣ ସୂରି (ଖ୍ରୀ.ଅ.୧୫୬୫-୮୦) ପଦ୍ମାବତୀଙ୍କୁ ଜୟଦେବଙ୍କ ସ୍ତ୍ରୀ ଭାବରେ ଗ୍ରହଣ କରି ଲେଖିଛନ୍ତି- “ବିହିତଃ ନୃତ୍ୟାନୁକୂଳତାଘଟନାକୃତଃ ପଦ୍ମାବତ୍ୟାଃ ନିଜଦୟିତାୟାଃ ସୁଖସମାଜଃ ନାନାବିଧ ସୁଖସନ୍ଦୋହୋ ଯେନ”। ଅର୍ଥାତ୍‍ ଏହି ଗୀତ ତାଙ୍କ ନିଜ ସ୍ତ୍ରୀ ନର୍ତ୍ତକୀ ପଦ୍ମାବତୀଙ୍କର ସୁଖସମୃଦ୍ଧିରେ ସହାୟକ ଇତ୍ୟାଦି। ଯେଉଁ ଟୀକାକାରମାନେ ପଦ୍ମାବତୀଙ୍କୁ ଲକ୍ଷ୍ମୀ ଅର୍ଥରେ ନେଇଛନ୍ତି, ତାହାର ଯଥାର୍ଥତାକୁ ଆଦୌ ଏଡ଼ାଇଦେଇ ହେବନାହିଁ।

Comments are closed.