MEllora 950×100

ଚଷିବା ଧାନ, ଖାଇବା ନାନ୍‌

ବଳରାମ ସାହୁ

ଏକଦା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମହାନ୍‌ କୃଷକ ନେତା ଚୌଧୁରୀ ଚରଣ ସିଂହ ଭବିଷ୍ୟବାଣୀ କରିଥିଲେ ‘ପ୍ୟାଡି ଏଣ୍ଡ ପୋଭର୍ଟି ଗୋ ଟୁଗେଦର’! ଏହାର ସିଧାସଳଖ ଅର୍ଥ ହେଲା ‘ଧାନଚାଷୀ ଯେଉଁଠି, ଦରିଦ୍ରତା ମଧ୍ୟ ସେଇଠି।’ ଆମ ରାଜ୍ୟର ଆଭ୍ୟନ୍ତରୀଣ ତଥା ଉପକୂଳ ଜିଲାଗୁଡ଼ିକରେ ମୌସୁମି ବର୍ଷା, ପାଣିପାଗ ତଥା ମୃତ୍ତିକା ସଂରଚନା ଯୋଗୁଁ, ଆମର କ୍ଷତି ହେଲେ ମଧ୍ୟ ଧାନଚାଷକୁ ଆପଣାଇନେବାକୁ ବାଧ୍ୟ ହୋଇଛୁ। କାରଣ ଉକ୍ତ ଜମିରେ ଗହମ ଉତ୍ପାଦନ କରିବା ଅସମ୍ଭବ। ତେଣୁ ପ୍ରତିବର୍ଷ ଫସଲ ଗଣ୍ଡିଏକୁ ସରକାରୀ ଧାର୍ଯ୍ୟ ଦରରେ ବିକ୍ରି କରିବା ପାଇଁ, ବିଧାନସଭାଠାରୁ ପଲ୍ଲୀସଭା ପର୍ଯ୍ୟନ୍ତ ଗୁହାରି ପୂର୍ବକ ରାଲି, ଧାରଣା, ଅନଶନ ଜାରି ରଖିଥିଲେ ମଧ୍ୟ, ଏହାର ସ୍ଥାୟୀ ସମାଧାନର ପନ୍ଥା ବାହାର କରିବା କେବଳ କଷ୍ଟସାଧ୍ୟ ନୁହେଁ ଦୁରୂହ ବ୍ୟାପାର ହୋଇପଡ଼ିଛି।

ପ୍ରତିଦିନ ଧାନଚାଷୀଙ୍କ ଆନ୍ଦୋଳନର ବାର୍ତ୍ତା ଗଣମାଧ୍ୟମଗୁଡ଼ିକରେ ମୁଖ୍ୟ ପ୍ରସଙ୍ଗ ହୋଇଥିଲେ ମଧ୍ୟ ଉପଯୁକ୍ତ ମୂଲ୍ୟଦେଇ ସରକାରୀ କିମ୍ବା ବେସରକାରୀ ସଂସ୍ଥା ଚାଷୀଙ୍କ ସମସ୍ତ ଉତ୍ପାଦନକୁ କ୍ରୟ କରିବା ସମ୍ଭବ ହେଉନାହିଁ କାହିଁକି ଏ କଥାକୁ ଗଭୀର ଭାବେ ଅନୁଧ୍ୟାନ କରିବା ଉଚିତ। ଏଣେ ସା‌େଟଲାଇଟ୍‌ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ପ୍ରାୟ ୪୦% ଧାନ ଜମି ଚାଷ ନ ହୋଇ ପଡ଼ିଆ ପଡ଼ିଛି। ରାଜ୍ୟ ଓ କେନ୍ଦ୍ର ସରକାର କୃଷକଙ୍କୁ ‘କାଳିଆ’, ‘ପିଏମ୍‌ କିଷାନ’ ଭଳି ନଗଦ ପ୍ରୋତ୍ସାହନ ରାଶି ଦେଉଥିଲେ ମଧ୍ୟ ସେମାନେ ସହରରେ ଆସି ରାସ୍ତାକଡ଼ରେ ଉଠାଦୋକାନଟିଏ କରୁଛନ୍ତି ପଛେ, ଧାନ ଚାଷ ପ୍ରତି ଆଗଭର ହେଉନାହାନ୍ତି କାହିଁକି, ତାହା ଚିନ୍ତା କରିବାର ବିଷୟ।

ଏହାର ସଂକ୍ଷିପ୍ତ ଉତ୍ତର ହେଲା ଆମ ଖାଦ୍ୟାଭ୍ୟାସ ଏବଂ ରୁଚିର ବ୍ୟାପକ ପରିବର୍ତ୍ତନ। ଥରେ ଦଶନ୍ଧି ତଳକୁ ଫେରିଚାଲନ୍ତୁ। ଆମ ପିଲାଏ ରାତି ପାହିଲେ ଜଳଖିଆରେ ଚୁଡ଼ା, ମୁଢ଼ି, ଖଇ, ମୁଆଁ, ଉଖୁଡ଼ା କିମ୍ବା ପଖାଳ ଭାତ ଖାଉଥିଲେ, ଦିନବେଳା ଓ ରାତି ଭୋଜନରେ ଭାତ, ଡାଲି ଓ ତରକାରି। ମାତ୍ର ଏବେ ସକାଳେ ନାନ୍‌, ରୁଟି, ପରଟା, ପୁରି, କୁଲଚା, ମ୍ୟାଗି, ବିସ୍କୁଟ, ପାଉଁରୁଟି ଓ ଚାଉମିନ୍‌ ଭଳି ଚାଇନିଜ ଫୁଡ ଖାଇ ପେଟ ପୂରୁଛି ଯାହା ଚାଉଳ ତିଆରି ନୁହେଁ।

କାହିଁକି ଆମେ ନିଜ ରାଜ୍ୟର ପାରମ୍ପରିକ ଖାଦ୍ୟ ସାମଗ୍ରୀ ପ୍ରତି ବୀତସ୍ପୃହ? କାହିଁକି ଆମେ ଓଡ଼ିଆ ଭାଷାର ପୁସ୍ତକ ଓ ସାହିତ୍ୟ ପ୍ରତି ଅମନଯୋଗୀ? କେଉଁ କାରଣରୁ ଆମେ ନିଜ ରାଜ୍ୟର ପ୍ରସ୍ତୁତି ଶାଢ଼ି ଓ ପୋଷାକର ବହୁଳ ବ୍ୟବହାର କରୁନାହୁଁ? କେଉଁ ମାନସିକତାରୁ ଆମେ ଓଡ଼ିଆ ଚଳଚ୍ଚିତ୍ରକୁ ପାସୋରି ଦେଲୁ? ଏହାର ଯଥାର୍ଥ ଏବଂ ଯୁକ୍ତିଯୁକ୍ତ ଉତ୍ତର କାହା ପାଖରେ ନାହିଁ।

ମନେ ରଖିବା ଉଚିତ ଦକ୍ଷିଣ-ପୂର୍ବ ଏସିଆ ଯଥା ବାଂଲାଦେଶ, ଥାଇଲାଣ୍ଡ, ମ୍ୟାଁମାର, ଇଣ୍ଡୋନେସିଆ, ଜାପାନ, ଲାଓସ, ଫିଲିପାଇନ୍‌ସ ଏବଂ ଚୀନ ଦେଶରେ ପ୍ରଚୁର ଧାନ ଉତ୍ପାଦନ ହୋଇଥାଏ ଏବଂ ଉକ୍ତ ଖାଦ୍ୟ ସାମଗ୍ରୀକୁ ବ୍ୟବହାର କରି ସେମାନେ ଦୀର୍ଘାୟୁ। ମାତ୍ର ପ୍ୟାକିଂ ଏବଂ ବ୍ରାଣ୍ଡ୍‌ ଦେଖି ଆମ୍ଭେ ନିଜର ପିଲାମାନଙ୍କୁ ଛ’ମାସ ତଳର କେମିକାଲ ଯୁକ୍ତ ପ୍ୟାକିଂ ଖାଦ୍ୟ ଖାଇବାକୁ ଦେଇ ଦୁରାରୋଗ୍ୟ ବ୍ୟାଧିକୁ ନିମନ୍ତ୍ରଣ କରିବା ଉଚିତ ହେବ କି?

ଏବେ ଫିଲିପାଇନ୍‌ସଠାରେ ପ୍ରତିଷ୍ଠିତ ଏସିଆର ସର୍ବବୃହତ ଧାନ ଗବେଷଣା କେନ୍ଦ୍ର ସିଜିଆଇଆର୍‌ ଏବଂ ବିଦ୍ୟାଧରପୁର, କଟକସ୍ଥିତ ସିଆର୍‌ଆର୍‌ଆଇର ମିଳିତ ଆନୁକୂଲ୍ୟରେ ସୁଗାର ଫ୍ରି ଧାନ ଉତ୍ପାଦିତ ହୋଇଛି, ଯାହା ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପଯୋଗୀ। ତାହାର ସୂଚନା କୃଷକମାନଙ୍କ ନିକଟରେ ପହଞ୍ଚାଇବା ଦାୟିତ୍ବ ସରକାରଙ୍କର। ତେଣୁ ବଜାର ଚାହିଦାକୁ ଲକ୍ଷ୍ୟକରି ପ୍ରସ୍ତୁତ ଧାନଗୁଡ଼ିକର ଉତ୍ପାଦନକୁ ଅଗ୍ରାଧିକାର ଭିତ୍ତିରେ ଚାଷ କରିବା ଉଚିତ।

ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଖାଦ୍ୟ ଗହମକୁ ବନ୍ଦ କରି କେବଳ ସ୍ଥାନୀୟ ଉତ୍ପାଦିତ ଚାଉଳକୁ ଯୋଗାଇବା ଉଚିତ। ସେହିପରି ଚାଉଳରୁ ଉତ୍ପାଦିତ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା କରି ଉକ୍ତ ଉତ୍ପାଦନକୁ ପେଟେଣ୍ଟ ପ୍ରଦାନ କରି ପ୍ରଚାରପ୍ରସାର କଲେ, ଆମ ଖାଦ୍ୟାଭ୍ୟାସର ବ୍ୟାପକ ପରିବର୍ତ୍ତନ ହେବ ଏବଂ ଧାନର ଚାହିଦା କ୍ରମେ ବୃଦ୍ଧି ପାଇବ। ଆମ ପ୍ରିୟ ଖାଦ୍ୟକୁ ପ୍ରୋତ୍ସାହନ ଦେବାପାଇଁ ‘ପଖାଳ ଦିବସ’ ଯଥେଷ୍ଟ ନୁହେଁ; ବରଂ ଚାଉଳ, ଚୁଡ଼ା, ମୁଢ଼ିର ଗୁଣବତ୍ତାକୁ ଲୋକଲୋଚନକୁ ପୁନଃ ଆଣିବାକୁ ପଡ଼ିବ।

ଆମ ବଡ଼ ଠାକୁର ନିଜ ରାଜ୍ୟର ଉତ୍ପାଦିତ ଚାଉଳରୁ ପ୍ରସ୍ତୁତ ଅବଢ଼ା, ପୋଡ଼ପିଠା, ଖିରି, ଖେଚୁଡ଼ି ଓ ଆରିସା ପିଠା ଆଦି ୫୬ ପ୍ରକାରର ଭୋଗ ପ୍ରତିଦିନ ଗ୍ରହଣ କରନ୍ତି, ମାତ୍ର ଆମେ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ କରିବା ପରିତାପର ବିଷୟ।

ଏହିପରି ଆମେ ଯଦି ନିଜ ଉତ୍ପାଦିତ ଫସଲକୁ ହେୟ କରି, ନିଜର ମାନସିିକତାର ପରିବର୍ତ୍ତନ ନ କରି ଆମ କୃଷି ଓ କୃଷକଭାଇଙ୍କୁ ଅବହେଳା କରିବା, ତେବେ ଆମ ଚାଷଜମିଗୁଡ଼ିକ ଦିନେ ତାହାର ଉତ୍ପାଦନ ଶକ୍ତି ହରାଇ ବସିବ। ଆମେ ମଧ୍ୟ ଶ୍ରୀଲଙ୍କା, ଇଥିଓପିଆ ଏବଂ ସୁଦାନ ପରି ଅନ୍ୟ ରାଜ୍ୟ କିମ୍ବା ଦେଶ ନିକଟରେ ହାତ ପତାଇବା।

Comments are closed.