ସାହିତ୍ୟ ଓ ସମାଜସେବା ପୁରସ୍କାର

ନୀଳକଂଠ ରଥ

ଗତ ଜାନୁଆରୀ ୨୮ ତାରିଖରେ ମହାରାଷ୍ଟ୍ରର ପୁଣେ ସହରରେ ଆମେରିକାରେ ରହୁଥିବା ମରାଠୀ ଭାଷୀଙ୍କ ଅନୁଷ୍ଠାନ, ମହାରାଷ୍ଟ୍ର ଫାଉଣ୍ଡେସନ୍, ମହାରାଷ୍ଟ୍ରର ଏଗାରଜଣ ସାହିତ୍ୟିକ ଓ ସମାଜସେବୀଙ୍କୁ ପୁରସ୍କାର ଦେଇ ସମ୍ମାନିତ କଲା। ଗତ ଅଠେଇଶ ବର୍ଷ ହେଲା ଏ ଅନୁଷ୍ଠାନ ଏହିଭଳି ପୁରସ୍କାର ଦେଇ ମରାଠୀ ସାହିତ୍ୟିକ ଓ ସମାଜସେଙ୍କୁ ସମ୍ମାନିତ ଓ ପ୍ରୋତ୍ସାହିତ କରିଆସୁଛି। ଏ ଫାଉଣ୍ଡେସନ୍‌ର କାମ ଆରମ୍ଭ ହେଲା ୧୯୭୮ ମସିହାରେ। ସେ କାଳରୁ ଆଜି ପର୍ଯ୍ୟନ୍ତ ସଂସ୍ଥା ମହାରାଷ୍ଟ୍ର ଓ ସେ ରାଜ୍ୟ ବାହାରର ସାଢେ ସାତଶହରୁ ଅଧିକ ପିଲାଙ୍କୁ ଶିକ୍ଷାପାଇଁ ଅର୍ଥ ସାହାଯ୍ୟ ଯୋଗାଇଛି। ମହିଳାଙ୍କ ସବଳୀକରଣ, ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟାବରଣ କ୍ଷେତ୍ରମାନଙ୍କରେ କାର୍ଯ୍ୟ କରୁଥିବା ଷାଠିଏ ସ୍ବେଚ୍ଛାସେବୀ ସଂସ୍ଥାକୁ ୬ ଲକ୍ଷ ୮୦ ହଜାର ଡଲାର୍ (ପ୍ରାୟ ୫୪ ଲକ୍ଷ ଟଙ୍କା)ର ସାହାଯ୍ୟ ଯୋଗାଇଛନ୍ତି, ଉପକୂଳ ଅଞ୍ଚଳର ଏକ ଛୋଟ ସହରରେ ଗୋଟିଏ ଏଡ୍‌ସ ଚିକିତ୍ସା ପ୍ରୟୋଗଶାଳା ସ୍ଥାପନ କରିଛନ୍ତି, ପୁଣେଠାରେ ଦୃଷ୍ଟିବାଧିତଙ୍କ ସଂସ୍ଥାକୁ ଏକ ଆମ୍ବୁଲାନ୍‌ସ ଯୋଗାଇ ଦେଇଛନ୍ତି। ମହାରାଷ୍ଟ୍ରରେ ଭୂମିକମ୍ପଗ୍ରସ୍ତଙ୍କ ସାହାଯ୍ୟ ଲାଗି ପାଞ୍ଚ ଲକ୍ଷ ଡଲାର (ପ୍ରାୟ ଚାରି କୋଟି ଟଙ୍କା) ଓ ଗୁଜରାଟର ଭୂମିକମ୍ପଗ୍ରସ୍ତଙ୍କ ଲାଗି ପ୍ରାୟ ଏକ କୋଟି ଟଙ୍କା ସାହାଯ୍ୟ ପଠାଇଛନ୍ତି। ମହାରାଷ୍ଟ୍ରରେ ବଢ଼ି ଓ ସୁନାମୀ ସାହାଯ୍ୟ ଲାଗି ୭୩ ହଜାର ଡଲାର (ପ୍ରାୟ ୫୮ ଲକ୍ଷ ଟଙ୍କା)ର ସାହାଯ୍ୟ ଯୋଗାଇଲେ। ତା’ ବାଦ୍, ଗ୍ରାମର ସର୍ବାଙ୍ଗିନ ବିକାଶ ଲାଗି ବାରଟି ଗାଁକୁ ସବୁ ପ୍ରକାରର ସାହାଯ୍ୟ ଯୋଗାଉଛନ୍ତି।

ଏ ସବୁ କାମ ଫାଉଣ୍ଡେସନ୍‌ କରୁଥିଲାବେଳେ ତାଙ୍କର ଜଣେ ସଦସ୍ୟ, ସୁନୀଲ ଦେଶମୁଘ, ୧୯୯୪ରେ ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ପୁରସ୍କାର ଓ ପ୍ରୋତ୍ସାହନ ଲାଗି ତାଙ୍କର ନିଜ ସଞ୍ଚୟ ନେଇ ଆସିଲେ। ସେ ଭାରତରେ ନିଜ ଗାଁରେ ପଢ଼ି ମାଟ୍ରିକରେ ଚତୁର୍ଥ ସ୍ଥାନରେ ରହି, ମୁମ୍ବଇର ପ୍ରସିଦ୍ଧ କେମିକଲ୍ ଇଞ୍ଜିନିଅରିଂ ସଂସ୍ଥାରୁ ବି.ଇ. ଡିଗ୍ରୀ ନେଇ ଆମେରିକା ଗଲେ। ସେଠାରେ ଇଞ୍ଜିନିଅରିଂରେ ମାଷ୍ଟର୍ସ କରି, ପୁଣି ଲ’ (ଆଇନ)ରେ ପଦବୀ ସାଙ୍ଗକୁ ଏମ୍.ବିଏ. କଲେ। ତାଙ୍କ ଯୋଗ୍ୟତାକୁ ଚାହିଁ ତାଙ୍କୁ ୱାଲ୍ ଷ୍ଟ୍ରୀଟ୍‌ରେ ଏକ ବହୁତ ବଡ଼ କମ୍ପାନୀରେ ଉଚ୍ଚ ପଦ ମିଳିଲା। ସେ ଜୀବନରେ ଯେତେ ରୋଜଗାର କରିପାରନ୍ତେ ପାଞ୍ଚବର୍ଷ ଭିତରେ ସେତକ କରିପକାଇଲାରୁ, ତାଙ୍କ ମନରେ ଆସିଲା ଏ ଅର୍ଥ ସାହାଯ୍ୟରେ ନିଜ ଜନ୍ମିତ ରାଜ୍ୟରେ ପ୍ରଗତିଶୀଳ ବିଚାରର ପୃଷ୍ଠପୋଷକତା କରିବା। ଫାଉଣ୍ଡେସନକୁ ସେ ଦି’ କିସ୍ତିରେ ଦୁଇ କୋଟି ଟଙ୍କା ଦେଲେ, ଯାହାର ଆୟରୁ ପ୍ରତିବର୍ଷ ପ୍ରଗତିଶୀଳ ମରାଠୀ ସାହିତ୍ୟ ରଚନାକାରଙ୍କୁ ଓ ପ୍ରଗତିଶୀଳ ସମାଜସେବୀଙ୍କୁ ପ୍ରୋତ୍ସାହିତ ଓ ପୁରସ୍କୃତ କରାଯିବ। ୧୯୯୪ରୁ ସାହିତ୍ୟ ପୁରସ୍କାର ଓ ୧୯୯୬ରୁ ସମାଜସେବା ପୁରସ୍କାର ନିୟମିତ ଦିଆହୋଇ ଆସୁଛି। ସାହିତ୍ୟ କ୍ଷେତ୍ରରେ ଜୀବନବ୍ୟାପୀ ପ୍ରଗତିଶୀଳ ସାହିତ୍ୟ ନିର୍ମାଣ ଲାଗି ଲକ୍ଷେ ଟଙ୍କାର ଜୀବନ ଗୌରବ ପୁରସ୍କାର, ଦୀର୍ଘକାଳଧରି ସମାଜସେବା କରିଥିବା ପ୍ରଗତିଶୀଳ ସମାଜସେବୀଙ୍କୁ ଲକ୍ଷେ ଟଙ୍କାର ଜୀବନ ଗୌରବ ପୁରସ୍କାର, ପୂର୍ବ ତିନି ବର୍ଷରେ ଉତ୍ତମ ପ୍ରଗତିଶୀଳ ଲଳିତ ସାହିତ୍ୟ ଲେଖିଥିବା ବ୍ୟକ୍ତିଙ୍କୁ ପଚାଶ ହଜାର ଟଙ୍କାର ଲଳିତ ଗ୍ରନ୍ଥ ପୁରସ୍କାର, ବୈଚାରିକ ଗ୍ରନ୍ଥ ତଥା ଅପରମ୍ପରିକ ଗ୍ରନ୍ଥ ପୁରସ୍କାର (ପ୍ରତ୍ୟେକ ୩୦ ହଜାର ଟଙ୍କାର), ସେହିପରି ବୈଚାରିକ ପ୍ରଗତିଶୀଳ ସାହିତ୍ୟ ପ୍ରକାଶନ ସଂସ୍ଥାଙ୍କୁ ପୁରସ୍କାର, ନାଟ୍ୟ ଲେଖନକୁ ପୁରସ୍କାର, ବିଶିଷ୍ଟ ନାଟକକାରଙ୍କୁ ପୁରସ୍କାର ଦିଆଯାଏ। ସେହିଭଳି, ସମାଜକାର୍ଯ୍ୟ କ୍ଷେତ୍ରରେ ଜୀବନଗୌରବ ପୁରସ୍କାର ବ୍ୟତୀତ ପୂର୍ବ ତିନି ବର୍ଷ ଭିତରେ କରିଥିବା ବିଶେଷ ଲକ୍ଷଣୀୟ ସମାଜକାର୍ଯ୍ୟ ପାଇଁ ପଚାଶ ଓ ତିରିଶ ହଜାର ଟଙ୍କାର ପୁରସ୍କାର ଦିଆଯାଉଛି।

ଏ ପର୍ଯ୍ୟନ୍ତ ମରାଠୀରେ ଉତ୍କୃଷ୍ଟ ପ୍ରଗତିଶୀଳ ସାହିତ୍ୟ ରଚନା ଲାଗି ତେତିଶ ଜଣ ବିଶିଷ୍ଟ ସାହିତ୍ୟିକଙ୍କୁ ଜୀବନଗୌରବ ପୁରସ୍କାର, ଷୋହଳ ଜଣଙ୍କୁ ବାଳ ସାହିତ୍ୟ, ଲୋକ ସାହିତ୍ୟ, ଗ୍ରାମୀଣ ସାହିତ୍ୟ, ଦଳିତ ସାହିତ୍ୟ ଇତ୍ୟାଦି କ୍ଷେତ୍ରରେ ବିଶେଷ ଲେଖନ ପାଇଁ ପୁରସ୍କାର, ପାଞ୍ଚ ସାହିତ୍ୟ ପ୍ରକାଶନ ସଂସ୍ଥାକୁ ପୁରସ୍କାର, ୧୯ ନିୟତକାଲିକାଙ୍କୁ ତାଙ୍କ କାର୍ଯ୍ୟ ପାଇଁ ପୁରସ୍କାର, ୫୩ ଗ୍ରନ୍ଥ ଲେଖକଙ୍କୁ ଲଳିତ ସାହିତ୍ୟ ପୁରସ୍କାର, ୩୩ ଲେଖକଙ୍କୁ ବୈଚାରିକ ସାହିତ୍ୟ, ୨୨ ଜଣଙ୍କୁ ଅଣ ପାରମ୍ପରିକ ସାହିତ୍ୟ ପୁରସ୍କାର, ୧୭ ଜଣଙ୍କୁ ନାଟ୍ୟ ପୁରସ୍କାର, ୨ ଜଣ ନାଟ୍ୟକର୍ମୀଙ୍କୁ ପୁରସ୍କାର, ୧୦୭ ଜଣ ବ୍ୟକ୍ତି ଓ ସଂସ୍ଥାକୁ ସମାଜ କାର୍ଯ୍ୟ ପୁରସ୍କାର ଦିଆଯାଇଛି। ୨୦୧୩ ମସିହାରେ ଅନ୍ଧଶ୍ରଦ୍ଧା (ମାନେ, ଅନ୍ଧବିଶ୍ବାସ) ନିର୍ମୂଳନ ସମିତିର ସଂସ୍ଥାପକ-ଅଧ୍ୟକ୍ଷ ନରେନ୍ଦ୍ର ଦାଭୋଳକରଙ୍କ ହତ୍ୟା ପରେ ତାଙ୍କ ସ୍ମରଣାର୍ଥ ଏକ ବିଶେଷ ପୁରସ୍କାର (ଏକ ଲକ୍ଷ ଟଙ୍କା) ଦେଶର କୌଣସି ସଂସ୍ଥା ବା ବ୍ୟକ୍ତିଙ୍କୁ ଗଲା ଦଶ ବର୍ଷ ହେଲା ଦିଆଯାଉଛି।

ସଂସ୍ଥାର ପୁରସ୍କାର ପାଇଁ କେହି ଆବେଦନ କରିବାର ନୁହେଁ। ଫାଉଣ୍ଡେସନ୍‌ ସାହିତ୍ୟ ଓ ସମାଜକାର୍ଯ୍ୟ ପୁରସ୍କାର ପାଇଁ ମହାରାଷ୍ଟ୍ରରେ ପ୍ରତିବର୍ଷ ଦୁଇଟି ପାଞ୍ଚଜଣିଆ ସମିତି ଗଠନ କରନ୍ତି। ସେ ସମିତି ପ୍ରତି ବିଷୟରେ ଉପଯୁକ୍ତ ତିନି ବ୍ୟକ୍ତିଙ୍କର ନାଆଁ ନିଜ ଭିତରେ ପଢ଼ି, ଆଲୋଚନାକରି ସ୍ଥିର କରନ୍ତି। ଏ ଖୋଜାଖୋଜି ଓ ଚର୍ଚ୍ଚା ପ୍ରାୟ ବର୍ଷେକାଳ ଚାଲେ। ଶେଷରେ ସମିତି ଆମେରିକାରେ ଥିବା ଫାଉଣ୍ଡେସନ୍‌ ପାଖକୁ ସେମାନଙ୍କର ସୁପାରିସ ପଠାନ୍ତି। ସେମାନେ ସେଠାରେ ପ୍ରତି ବିଷୟ ପାଇଁ ଏକ ପାଞ୍ଚଜଣିଆ ସମିତି ଗଢ଼ି, ତାଙ୍କ ଭିତରେ ଆଲୋଚନା କରି ପ୍ରତି ପୁରସ୍କାର ପାଇଁ ସେଥିରୁ ଜଣଙ୍କୁ ସେ ବର୍ଷ ପାଇଁ ବାଛନ୍ତି। ପ୍ରତି ବର୍ଷ ଜାନୁଆରୀ ମାସ ଶେଷ ଆଡ଼କୁ ଆନୁଷ୍ଠାନିକ ଭାବରେ ଏ ପୁରସ୍କାର ପ୍ରଦାନ କରାଯାଏ। ଗଲା ଅଠେଇଶ ବର୍ଷ ଭିତରେ ଏ ପୁରସ୍କାର ବିରୋଧରେ କେହି ଖବରକାଗଜରେ ଲେଖିଥିବା ମୋ ନଜରକୁ ଆସିନାହିଁ।

କି ପ୍ରକାରର ବ୍ୟକ୍ତିଙ୍କୁ (ବା ଅନୁଷ୍ଠାନକୁ) ପୁରସ୍କାର ଦିଆଯାଏ ତାହାର ଏକ ଉଦାହରଣ ଏ ବର୍ଷର ପୁରସ୍କାର ବିଜେତାଙ୍କଠାରୁ ମିଳିପାରେ। ସାହିତ୍ୟ ବାବଦରେ ଲେଖି ଓଡ଼ିଆଭାଷୀଙ୍କୁ ଜଣାଇବା ସହଜ ଓ ସମ୍ଭବ ନୁହେଁ। ରଙ୍ଗନାଥ ପଠାରେ ସାହିତ୍ୟରେ ୨୦୨୨ର ଜୀବନ ଗୌରବ ପୁରସ୍କାର ବିଜେତା। ତାଙ୍କ ଲେଖା ବାବଦରେ ଏକ ବିଶିଷ୍ଟ ମରାଠୀ ଲେଖକ ଓ ସମୀକ୍ଷକଙ୍କ ଗୋଟିଏ ବାକ୍ୟ ଉଦ୍ଧୃତ କରୁଛି: “ପଠାରେ କିନ୍ତୁ ଭାଷା ଶୈଳୀର ଅନେକ ସମ୍ଭାବନାକୁ ନେଇ କେବଳ ଖେଳ କରନ୍ତି ଏହା କହିବା ଉଚିତ ହେବନାହିଁ । ବଞ୍ଚିରହିବାର ଅନେକ ସମ୍ଭାବନାକୁ ଖୋଜିବାରେ ସେ ସତତ ବ୍ୟସ୍ତ। ଗୋଟେ ଦୃଷ୍ଟିରୁ ଏହା ହିଁ ତାଙ୍କ ‘ବଡ଼ପଣିଆ’। ପୁରାତନର ଅଯଥା ଗୌରବ ନକରି ତହିଁରେ ଥିବା ସାମର୍ଥ୍ୟକୁ ଖୋଜି ସର୍ବବ୍ୟାପୀ ଆଧୁନିକତାର ମାର୍ଗକୁ ପ୍ରଶସ୍ତ କରିବାର ପଠାରେଙ୍କ ଭଳି ଲେଖକ ମରାଠୀ ଭାଷାରେ ଥିବା ଏକ ଅତିଶୟ ସୌନ୍ଦର୍ଯ୍ୟପୂର୍ଣ୍ଣ ଦୃଶ୍ୟ ମନେହୁଏ”। ଉପନ୍ୟାସ-କଥା-କବିତା ଲେଖକ ସାହିତ୍ୟ ପୁରସ୍କାର ବିଜେତା ରାଜନ ଗୱସଙ୍କ ସମଗ୍ର ସାହିତ୍ୟ କୃଷି-ସଂସ୍କୃତିରେ ଥିବା ସମଷ୍ଟି କେନ୍ଦ୍ରିତ ଜୀବନ ଦୃଷ୍ଟିରେ ପ୍ରଭାବିତ। ସାହିତ୍ୟ କ୍ଷେତ୍ରରେ ବିଶେଷ ପୁରସ୍କାର ବିଜେତା ସୋନାଲୀ ନୱାଙ୍ଗୁଳଙ୍କ ଜିଇବାର, ଲଢ଼ିବାର, ଲେଖିବାର ଉତ୍ସାହ ଦେଖିଲେ ଆପଣ ବି ‘ଅପଙ୍ଗ’ ନୁହଁ କି ବୋଲି ସନ୍ଦେହ ମନରେ ଉଠେ। ତାଙ୍କ ଲେଖା, ତାଙ୍କ ଅନୁବାଦ ଓ ତାଙ୍କୁ ମିଳିଥିବା ସାହିତ୍ୟ ଆକାଦମୀ ପୁରସ୍କାର କଥା ଦେଖିଲେ ସେ ସବୁ ତାଙ୍କ ବଞ୍ଚିବାର ବିବିଧରଙ୍ଗୀ ଉତ୍କଟ ଆବିଷ୍କାର ଭଳି ଲାଗେ। ତରୁଣ ଅଧ୍ୟାପକ ଶରଦ ବାୱିସ୍କର୍‌ଙ୍କ ପ୍ରଥମ ପ୍ରକାଶନ ‘ଭୁରା’ ନାମକ ଆତ୍ମକଥନ ଏକ ଗାଁଗହଳର ଚାଷୀ ପରିବାରର ପିଲାର ଏ ପର୍ଯ୍ୟନ୍ତର ବିବିଧାଙ୍ଗୀ ଅଭ୍ୟାସ ଓ ବୈଚାରିକ ବୈଠକ ତାକୁ କିପରି ସାମାଜିକ ଦୃଷ୍ଟି ପ୍ରଦାନ କରିଛି ତାହାର ହୃଦ୍ୟ ଅନୁଭବ ଦିଏ । ଏକ ମଫସଲ ଗାଁ ସ୍କୁଲର ରୋଷେଇଆ ଆଦିବାସୀ ତରୁଣ ଅନିଲ ସାବଳେଙ୍କ ପ୍ରଥମ ପ୍ରକାଶନ ‘ହଳଦିଆ ହଳଦିଆ ଝଡ଼ା ପତର’ରେ କୁମାର ବୟସର ପିଲାର ଦୃଷ୍ଟିରେ ଜଙ୍ଗଲରେ ରହୁଥିବା, ଶିକାର କରି ଖାଉଥିବା, ମାଛ ମାରୁଥିବା କଷ୍ଟମୟ ଆଦିବାସୀ ଜୀବନର ଏତେ ଜୀବନ୍ତ ବର୍ଣ୍ଣନା ମରାଠୀ ଭାଷାରେ ଏ ପର୍ଯ୍ୟନ୍ତ କେହି କରିନାହାନ୍ତି।

ଯା ଠାରୁ ପୂର୍ଣ୍ଣ ଭିନ୍ନ ସମାଜସେବୀ ପୁରସ୍କାର ବିଜେତା। ଦଳିତ ଓ ଭୂମିହୀନଙ୍କ ଲାଗି ସାରା ଜୀବନ ଲଢ଼ିଥିବା ଶାନ୍ତାରାମ ପନ୍ଧେରେ ଗତ ଅର୍ଦ୍ଧଶତାବ୍ଦୀ ଧରି ମହାରାଷ୍ଟ୍ରରେ ଚାଲିଥିବା ଆନ୍ଦୋଳନର ଚାଲତା-ବୋଲତା ସନ୍ଦର୍ଭ ଗ୍ରନ୍ଥ କହିଲେ ଅତିଶୟୋକ୍ତି ହେବନାହିଁ। ତାଙ୍କୁ ଜୀବନଗୌରବ ପୁରସ୍କାର। ବାକି ତିନିଜଣ ସାମାଜିକ କର୍ମୀ। ପ୍ରମୋଦ ଝିଞ୍ଜାଡେ ଦିନେ ଗାଁ ଶ୍ମଶାନରେ ଜଣେ ପରିଚିତର ଶବଦାହବେଳେ ପ୍ରଚଣ୍ଡ ଚିତ୍କାର ଶୁଣି ଯାଇ ଦେଖିଲେ, ସେ ବ୍ୟକ୍ତିଙ୍କ ବିଧବା ପତ୍ନୀଙ୍କ ହାତ କାଚ, ମଥା ସିନ୍ଦୂର, ଗଳାରେ ଥିବା ମଙ୍ଗଳସୂତ୍ର ଏ ସବୁକୁ ଜୋରକରି କାଢିପକାଇବାର ଉଦ୍ୟମ ଓ ନିଜ ସ୍ବାମୀର ସେ ସବୁ ଚିହ୍ନ ନନେବା ପାଇଁ ସେ ସ୍ତ୍ରୀର ବିକଳ କ୍ରନ୍ଦନ। ପ୍ରମୋଦ ଘୋର ଦୁଃଖିତ ହେଲେ। ଏହା ପରେ ସେ ଘରକୁ ଫେରି ଶହେ ଟଙ୍କାର ଷ୍ଟାମ୍ପ ପେପରରେ ଲେଖିଲେ ଯେ ମୁଁ ମଲାପରେ ମୋ ସ୍ତ୍ରୀ ଜୀବନ୍ତ ଥିଲେ ତା’ହାତରୁ କାଚ, କପାଳରୁ ସିନ୍ଦୂର, ଗଳାରୁ ମଙ୍ଗଳସୂତ୍ର କଢାଯିବ ନାହିଁ ଓ ତା’କୁ ରଙ୍ଗିନ ଶାଢ଼ି ପିନ୍ଧିବାକୁ ମନା କରାଯିବ ନାହିଁ। ଆଉ, ଏ ପତ୍ର ନେଇ କଲେକ୍ଟରଙ୍କ ଅଫିସରେ ତାଙ୍କୁ କାର୍ଯାନୁଷ୍ଠାନ ପାଇଁ ଦାଖଲ କଲେ। କେବଳ ସେତିକି ନୁହେଁ; ଗାଁରେ ସରପଞ୍ଚ ସମେତ ସମସ୍ତଙ୍କୁ ପଟେଇବାକୁ ଚେଷ୍ଟାକଲେ ଯେ ଏହା କରିବା ଆବଶ୍ୟକ। ତାଙ୍କ ଗାଁ ସଭାରେ ଶେଷରେ ସର୍ବସମ୍ମତିକ୍ରମେ ଏଭଳି ପ୍ରସ୍ତାବ ପାସ୍‌ ହେଲା। ଏ ଖବର ପବନବେଗରେ ସବୁଆଡେ ପହଞ୍ଚିଲା। ପ୍ରମୋଦ ଏହାକୁ ନିଜର ପ୍ରଧାନ କାମ ବୋଲି ଧରିନେଇ ଗାଁ ଗାଁରେ ଯାଇ ଏହାର ପ୍ରଚାର କରିବାରେ ଲାଗିଲେ। ଆଜି ମହାରାଷ୍ଟ୍ରର ଛଅ ହଜାର ଗାଁରେ ଗ୍ରାମସଭାମାନ ବସି ସର୍ବ ସମ୍ମତିକ୍ରମେ ଏଭଳି ପ୍ରସ୍ତାବ ପାସ କରିଛନ୍ତି। ତାଙ୍କ ହିସାବରେ ଏ ଜଘନ୍ୟ ପ୍ରଥା ବିରୋଧରେ ଜନ ଆନ୍ଦୋଳନ ହେବା ଆବଶ୍ୟକ। ଗ୍ରାମସଭା ଏ ପ୍ରକାର ପ୍ରସ୍ତାବ ସମ୍ମତକଲେ ଏହାର ପ୍ରଭାବ ଗ୍ରାମବାସୀଙ୍କ ଉପରେ ପଡ଼ିବ ଓ ଏ ଜଘନ୍ୟ ପ୍ରଥା ଦୂର ହେବ।

ଆଉ ଜଣେ ଏ ବର୍ଷର ପୁରସ୍କାର ବିଜେତା ହେଲେ ନନ୍ଦିନୀ ଯାଧବ। ସେ ଶିକ୍ଷିତା, ଅନେକ ବର୍ଷଧରି ଏକ ବିଉଟି ପାର୍ଲର ଚଳାଉଥିଲେ ଓ ଗାଁ ଗହଳର ମହିଳାଙ୍କୁ ସେ ବିଦ୍ୟାରେ ପ୍ରଶିକ୍ଷିତ କରାଉଥିଲେ। ଦିନେ ସେ ନରେନ୍ଦ୍ର ଦୋଭୋଳକରଙ୍କ ଅନ୍ଧଶ୍ରଦ୍ଧା ନିର୍ମୂଳନ ସମିତିର ସଭାକୁ ଯାଇ ତାଙ୍କ ସହିତ କଥା ହେଲାବେଳେ ତାଙ୍କୁ ଏ କାମ ଭାରି ଉପଯୁକ୍ତ ମନେହେଲା। ଏହି ସମୟରେ ପରିଚିତ ମାଇପିଙ୍କଠାରୁ ଶୁଣିବାକୁ ପାଇଲେ ଯେ ପୁଣେ ସହରର ଏକ ପୁରୁଣା ବସ୍ତିରେ ଗୋଟିଏ ପନ୍ଦର-ଷୋହଳ ବର୍ଷର ଝିଅର ବାଳ ଜଟା ହୋଇଯାଇଥିବାରୁ ତାକୁ ଦେବଦାସୀ କରିଦେବାକୁ ଘରଲୋକେ ସ୍ଥିର କଲେଣି। ସେ ଘରଲୋକଙ୍କୁ ବୁଝେଇବାକୁ ଚେଷ୍ଟାକଲେ- ବାଳ ବେଳରେ କୁଣ୍ଡେଇ ସଫା ନ ରଖିବାରୁ ଏପରି ହୁଏ। ଏହାର ଉପାୟ କରିହେବ। ବହୁ ବୁଝାବୁଝି ପରେ ଘର ଲୋକ ରାଜି ହେଲାରୁ ତାହାର ବାଳକୁ ସେ ବହୁ ପରିଶ୍ରମ କରି ଜଟାମୁକ୍ତ କଲେ। ସେ ଜାଣିଲେ ଏ ପ୍ରକାରର ଅନ୍ଧବିଶ୍ବାସରୁ ମୁକ୍ତି ପାଇବାର ଏକମାତ୍ର ବାଟ, ଝିଅ/ମାଇପିଙ୍କ ଜଟାରୁ ମୁକ୍ତ କରିବା। ନନ୍ଦିନୀ ସେ କାମରେ ଲାଗିଗଲେ, ବିଉଟି ପାର୍ଲର ବନ୍ଦ ହେଲା। ବର୍ଷସାରା ସେ ଏଇ କାମରେ ଗାଁ ଗାଁରେ ବୁଲି ଲାଗିଲେ। ଆଜି ପର୍ଯ୍ୟନ୍ତ ପ୍ରାୟ ତିନିଶହ ଝିଅ/ମାଇପିଙ୍କ ଜଟା ସେ ଛଡେଇଛନ୍ତି ବା କାଟି ଦେବାକୁ ବୁଝେଇଛନ୍ତି। ସେତିକି ଜଣ ଆଜି ଦେବଦାସୀ ହେବାରୁ ମୁକ୍ତି ପାଇଲେ। ସେ ଅନ୍ୟମାନଙ୍କୁ ଏ କାମ କରିବା ପାଇଁ ପ୍ରଶିକ୍ଷିତ ବି କରୁଛନ୍ତି।

ତୃତୀୟ ପୁରସ୍କାର ବିଜେତା ହେଲେ କୁମାରୀବାଈ ଜମକାତନ୍। ଛତିଶଗଡ଼ର ଏକ ଆଦିବାସୀ ଗାଁର ପନ୍ଦର ବର୍ଷର ଆଦିବାସୀ ଝିଅ ବାହାହୋଇ ପାଖ ଜିଲା ଗଡ଼ଚିରୋଲୀର ଏକ ଆଦିବାସୀ ଗାଁକୁ ବୋହୂ ହୋଇ ଆସିଲା। ବର୍ଷକପରେ ପିଲା ଜନ୍ମ ହେଲା। ମାତ୍ର ଘରର ଓ ଶାଶୁର ସବୁକାମ ସମ୍ଭାଳି ସେ ପିଲାକୁ ଧରି ମାଇପିଙ୍କ ସହିତ ‘ଆମେ ଆମ ଆରୋଗ୍ୟ ପାଇଁ’ ସଂସ୍ଥାର ଗାଁରେ ଥିବା ସଂଘରେ କାମ କରିବାକୁ ଲାଗିଲା। ସେଠାରୁ ଆରମ୍ଭ ହେଲା ତା’ର ସମାଜ କାର୍ଯ୍ୟ। ସେ କାମରୁ ମାଇପିଙ୍କ ଗାଁରେ ଅଧିକାର, ଗ୍ରାମସଭାରେ ଭାଗ, ସରକାରୀ ଯୋଜନାରେ ଭାଗଠାରୁ ଆରମ୍ଭ କରି ବାସଘର, ଜମି ଇତ୍ୟାଦିରେ ସ୍ତ୍ରୀର ନାମ ଓ ସମାନ ଅଧିକାର ପାଇଁ ସେ ମାଇପିଙ୍କ ସଂଗଠନ ଜରିଆରେ ଅନବରତ ଚେଷ୍ଟିତ। ତା’ କାମ ଫଳରେ ଆଜି ସେ ଅଞ୍ଚଳରେ ଗାଁ ଗାଁରେ ସ୍ତ୍ରୀର ନାଆଁ ସ୍ବାମୀ ସାଙ୍ଗକୁ କାଗଜପତ୍ରରେ ରହିଲାଣି। ଗ୍ରାମସଭାର ବିଭିନ୍ନ କାମରେ ମହିଳାଙ୍କ ଭାଗ ପଚାଶ ଶତାଂଶ ହେଲାଣି। କାମ ଠିକ୍ ହେଉଛି କି ନାହିଁ ଦେଖିବା ପାଇଁ ସେ ବହୁକାଳଧରି ଗାଁ କାମ ଖର୍ଚ୍ଚର ହିସାବ ରଖୁଥିଲା। ଏବେ ଏ ସବୁ ଖାଲି ତା’ ଗାଁ ନୁହେଁ, ସାରା ଜିଲା ଓ ପାଖ ଜିଲାମାନଙ୍କରେ ପ୍ରସ୍ଥାପିତ ହେଲାଣି । କାମ ଚାଲିଛି। ଏ ସବୁ କାମ ଭିତରେ ସେ କଲେଜରୁ ବି.ଏ. ହେଲାଣି ଓ ସୋସାଲ୍ ୱାର୍କରେ ଡିଗ୍ରୀ କରିବାର ମାନସ। ଏଭଳି କର୍ମୀ ଅନ୍ୟମାନଙ୍କ ପାଇଁ ଉଦାହରଣ ହେଲେଣି।

ଏ ଚାରିଜଣଙ୍କ ଛଡ଼ା ଏ ବର୍ଷ ଭାରତୀୟ ଲୋକ-ବିଜ୍ଞାନ ସମ୍ପର୍କାନୁଷ୍ଠାନ (ଅଲ୍ ଇଣ୍ଡିଆ ପିପୁଲ୍‌ସ ସାଇନ୍‌ସ ନେଟୱର୍କ)କୁ ଏ ବର୍ଷ ପାଇଁ ନରେନ୍ଦ୍ର ଦାଭୋଳକର ସ୍ମୃତି ପୁରସ୍କାର ଦିଆଗଲା। ପୁରସ୍କାର ଅର୍ଥ ରାଶିଗ୍ରହଣ ନକରି କେବଳ ପ୍ରଶସ୍ତିପତ୍ର ଗ୍ରହଣ କରି ସେ ଅନୁଷ୍ଠାନ ପକ୍ଷରୁ ଏ ବର୍ଷର ଅଧ୍ୟକ୍ଷ (ସତ୍ୟଜିତ ରଥ) କହିଲେ, ନରେନ୍ଦ୍ର ଦାଭୋଳକର ଦି ଦିଗରୁ କାମ କରୁଥିଲେ- ଗୋଟିଏ ନକାରାତ୍ମକ- ୟା କରନାହିଁ, ତା’ କରନାହିଁ, ଇତ୍ୟାଦି, ଅନ୍ଧଶ୍ରଦ୍ଧା ନିର୍ମୂଳନ ସମିତି ବାଟେ। ଆଉ ଗୋଟାଏ ସକାରାତ୍ମକ କାମ, ସାଧନା ସାପ୍ତାହିକ ମାଧ୍ୟମରୁ ପ୍ରଗତିଶୀଳ ବିଚାରର ପୃଷ୍ଠପୋଷକତା ଓ ପ୍ରସାର ଦ୍ବାରା। ତାଙ୍କ ସଂସ୍ଥା ସେଇ ଦୁଇ ପ୍ରକାରର କାମ କରୁଛି।

ମୁଁ ଆଜି ଏ ଲେଖା ଲେଖିଲାବେଳେ ଜାଣିଲି, ପୁରସ୍କାର ବିଜେତାମାନେ ମୁଖ୍ୟତଃ ଏଇ ଦି ଶ୍ରେଣୀର। ସାହିତ୍ୟ ପୁରସ୍କାର ବିଜେତାମାନେ ପ୍ରଗତିଶୀଳ ବିଚାରବେଶିତ ସାହିତ୍ୟ ରଚନା କରିଛନ୍ତି। ହେଲେ ସେମାନଙ୍କ ଭାଷଣରେ ଆଜିର ପରିସ୍ଥିତି ବିଷୟରେ କହିଲାବେଳେ ସେମାନେ ପରିସ୍ଥିତି ଯୋଗୁଁ କେବଳ ଦୁଃଖ ପ୍ରକାଶ କରିଛନ୍ତି। ମାତ୍ର, ସମାଜ କର୍ମୀମାନେ ବାସ୍ତବରେ କୌଣସି ବା କୌଣସି ବାବଦରେ ସମାଜ ବଦଳେଇବାକୁ ଚେଷ୍ଟିତ। ଆଜି ଏକଥା ଲେଖିଲାବେଳେ ମନରେ ଆସେ, ଆଜି ଆମ ସମାଜରେ ଯାହା ସରକାରୀ ଅନୁଷ୍ଠାନ କରିବା କଥା ସେ କାମ ସରକାର ଲୋକଙ୍କୁ କରିବାକୁ କହୁଛି ଓ ଯାହା ଲୋକେ ବା ଲୋକଙ୍କ ଅନୁଷ୍ଠାନ କରିବାର କଥା ତାହା ସରକାର କରୁଛି। ସାହିତ୍ୟରେ ପୁରସ୍କାର ଦେବା ସରକାରର କାମ ନୁହେଁ, ଏହା ଲୋକଙ୍କ ଅନୁଷ୍ଠାନମାନଙ୍କର କାମ। ମାତ୍ର ଆମ ଦେଶରେ ସରକାର ସେ କାମ କରୁଛି। ଏଣେ ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ଗାଁ ସ୍ତରରୁ ଅନୁଷ୍ଠାନ ଗଢ଼ି ଲୋକଙ୍କୁ ସେ ସେବା ପୂରେଇବା ସରକାରର କାମ। ମାତ୍ର ସରକାର ସେ କାମ କ୍ରମେ ଲୋକଙ୍କୁ, ମାନେ ଘରୋଇ ସଂସ୍ଥାକୁ ହସ୍ତାନ୍ତରିତ କରିବାରେ ବ୍ୟସ୍ତ। ଏ ବ୍ୟବସ୍ଥାର ପୂର୍ଣ୍ଣ ପରିବର୍ତ୍ତନ ଆବଶ୍ୟକ। ପାଠକେ, କଅଣ ଭାବୁଛନ୍ତି?

Comments are closed.