ମର୍ଯ୍ୟାଦାର ଅମର୍ଯ୍ୟାଦା

କେହି ବା କିଛି ଅନାଦି, ଅନନ୍ତ, ଅକଳନୀୟ ଓ ଅକଳ୍ପନୀୟ ନୁହନ୍ତି। କେବଳ ବିଶ୍ବବ୍ରହ୍ମାଣ୍ଡ ସ୍ରଷ୍ଟା ଏଇ ଭାବର ବା କଥାର ଏକମାତ୍ର ଉଦାହରଣ, ବାକି ସବୁ ବା ସବୁଗୁଡ଼ା ଯେଡ଼େ ଦାମ୍ଭିକ, ଯେଡ଼େ ବଡ଼ ବା ବଳୀୟାନ ହେଲେ ବି ଢେର ସୀମିତ, ଅଙ୍କୁଶିତ। ଦେଖୁ ନାହାନ୍ତି, ଲଙ୍କାପତି, ବିଶ୍ରବା ଋଷିଙ୍କ ପୁତ୍ର ଦଶମୁଣ୍ଡ କୋଡ଼ିଏ ହାତର ରାବଣଙ୍କୁ। ସେ ଛପନ ଗଣ୍ଡା ଯୁଗକୁ ବର ପାଇଥିଲେ। ମହାଜ୍ଞାନୀ ବି ଥିଲେ। ତାଙ୍କ ଘମଣ୍ଡ, ଗର୍ବ, ଅହଂକାର ଆକାଶଫଟା ହୋଇଗଲା। ଦେବତାମାନେ ବି ଥରହର ହେଲେ। ଯୁଗଧର୍ମ, ସୃଷ୍ଟିଧର୍ମ ଏଙ୍କ ଅତ୍ୟାଚାରରେ ଚହଲିଗଲା। ତେବେ ସେ ମଲେ କି ନାଇଁ ମ। ଏମିତି ସେମିତି ମୃତ୍ୟୁ ତ ନୁହଁ, ସବଂଶ ଲୋପ ପାଇଲା। ପୁଣି ସ୍ତ୍ରୀ ମନ୍ଦୋଦରୀ ବି ତାଙ୍କ ପାଇଁ ବିଧବା ବ୍ରତ କି ରୂପ ଧଇଲେନି। ଶ୍ରୀରାମଙ୍କ ଅନୁରୋଧରେ ଦିଅର ବିଭୀଷଣଙ୍କୁ ଦ୍ବିତୀୟ ହେଲେ। ସେଇଥି ପାଇଁ କଥା ଅଛି ‘‘ଅତିଦର୍ପେ ହତା ଲଙ୍କା, ଅତିମାନେ ଚ କୌରବାଃ, ଅତିଦାନେ ବଳିର୍ବଧଃ, ଅତି ସର୍ବତ୍ର ଗର୍ହିତମ୍‌।’’ ରାବଣଙ୍କୁ ସିନା ସବଂଶ ମୃତ୍ୟୁ କେଞ୍ଚଣା ଦେଲେ ନିଜେ କୁ କମ୍‌ ଧନ୍ଦି ହେଲେ! ମର୍ଯ୍ୟାଦା ପୁରୁଷୋତ୍ତମ, ରାଜାଧିରାଜ ଅବତାର ଶ୍ରୀରାମଙ୍କ ସ୍ତ୍ରୀ ଅପହୃତା ହେବା ବି କମ୍‌ ଏକ ଅପମାନଜନକ ଘଟଣା ୟେ ନ ହେଲା! ଶିବଙ୍କ ଘରେ ଘାଉଡ଼ ଜାଣ। ପିତୃସତ୍ୟ ପାଳିବା ଦୃଢ଼ତାରେ ରାଜଗାଦି ଛାଡ଼ି ବନବାସୀ ହେବା ଘଟଣାରେ, ସାଙ୍ଗରେ ସ୍ତ୍ରୀକୁ ଆଣିବା, ତାଙ୍କ ଅଳିରେ ସୁନା ମିରିଗଟେ ଦେଖି ତାକୁ ମାରିବାକୁ ଗୋଡ଼େଇବା କୁ ମର୍ଯ୍ୟାଦାର କଥା ଥିଲା? ଭାଇ ଲକ୍ଷ୍ମଣ ନିଜେ ସିନା ଆସିଲେ, ତାଙ୍କ ସ୍ତ୍ରୀଙ୍କି କାଇଁ କୁ ଆଣିଲେ? ଶ୍ରୀରାମ ତ୍ୟାଗ ଓ ସତ୍ୟ ପାଳନ ନାଁରେ କୁଳବଧୂକୁ ବନବାସୀ କରାଇବା କୁ ଏକ ସୁସ୍ଥ ମାନସିକତା? ତା’ ପରେ ସୀତା ଭାବପ୍ରବଣତାର ଶିକାର ସବୁବେଳେ ହେଲେ। ‘ପ୍ରବଣତା’ ତ ସବୁବେଳେ ଏକ ମନ୍ଦ ମୁନିବ, କିନ୍ତୁ ଉତ୍ତମ ଚାକର। (Emotions are bad masters but good servant)। ସ୍ବାମୀଙ୍କ ସହ ବନ ଗମନ ଜିଦ୍‌ ସହ ସୁନା ମିରିଗ ଧରିବାକୁ ରାମଙ୍କୁ ବାଧ୍ୟ କରିବା ଓ ଲକ୍ଷ୍ମଣ ଟାଣିଥିବା ମର୍ଯ୍ୟାଦାରେଖାକୁ ଲଙ୍ଘନ କରି ଶେଷ ଥର ମର୍ଯ୍ୟାଦା ରେଖା ଲଙ୍ଘନ କରିଦେଲେ। ଫଳ ଯାହା ହେବା କଥା ହେଲା। ରାବଣ ଦ୍ବାରା ଅପହୃତା ହେଲେ। ଏଠି ବି ଶେଷ ଥର ପାଇଁ ରାବଣ ଧର୍ମର ଗ୍ଳାନି ଘଟେଇ ଦେଲେ। ‘‘ଯଦା ଯଦା ହି ଧର୍ମସ୍ୟ ଗ୍ଳାନିର୍ଭବତି ଭାରତ, ଅଭ୍ୟୁତ୍‌ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍‌, ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାମ୍‌, ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ।’’ ତେଣୁ ଏ ସୃଷ୍ଟିଚକ୍ର ଏକ ମର୍ଯ୍ୟାଦା ଓ ଶୃଙ୍ଖଳା ଅନୁଗତ, ଅଧୀନସ୍ଥ। ଯିଏ ଏକୁ ଲଙ୍ଘିଛି, ଆଣ୍ଠେଇଛି, ମାଟି ଚାଟିଛି। ପୁରାଣ କଥା ତ କୁହାଗଲା, ଇତିହାସ ବି ଏମିତି କୁଳବୁଡ଼ା, ବଂଶବୁଡ଼ାଙ୍କ ଉଦାହରଣରେ ଭରପୂର। ନିଜକୁ ଭଗବାନଙ୍କ ସମତୁଲ ମନେ କରୁଥିବା ଷୋଡ଼ଶ ଲୁଇ ସମ୍ରାଟ ନୀରୋ, ସମ୍ରାଟ ହିଟଲର, ମୁସୋଲିନ, କାହାର ଦମ୍ଭ ବଡ଼ପଣ ରହିଛି କହୁନା? ‘‘ସର୍ବେ ଯିବେ ଭାଇ ଉଭେଇ ଅଚିରେ, ବୁଦ୍‌ବୁଦ୍‌ ପରାଏ କାଳ ସିନ୍ଧୁ ନୀରେ।’’ ମାତ୍ର ଯିଏ ମର୍ଯ୍ୟାଦାର ଏ ଲକ୍ଷ୍ମଣ ରେଖାକୁ ଟପିଛି, ହୁଡ଼ିଛି ସିଏ ଯେଡ଼େ ମହାନ ହେଲେ ବି ଏ ଅବିଶ୍ୟମ୍ଭାବିତାର ଅଧୀନ। କୁହା ବି ଯାଇଛି, ‘‘ଅବିଶ୍ୟମ୍ଭାବିଭାବାନାମ୍‌ ପ୍ରତିକାରୋ ଯଦି ଭବେଦ୍‌, ତର୍ହି ନ ଲି‌େ‌ପ୍ୟରନ୍‌ ଦୁଃଖୈଃ ନଳରାମଯୁଧିଷ୍ଠିରାଃ।’’ ତେବେ ୟେ ଗୋଟେ ବ୍ରହ୍ମଜ୍ଞାନ, ଦିହରେ ଏକୁ ଭେଦେଇବା ସହଜ ନୁହେଁ। ଜ୍ଞାନ-କୁହାଳିଆ ପ୍ରଗଳ୍‌ଭ ପ୍ରବଚକେ, ପିଏଚ୍‌.ଡି.ଧାରୀ ପ୍ରଜ୍ଞାଶୀଳମାନେ ୟାର ଫାଦା ବି ମାଡ଼ି ପାରନ୍ତି ନାହିଁ। କାରଣ ଜ୍ଞାନୀ ଓ ଜ୍ଞାନ-କୁହାଳିଆ ମଧ୍ୟରେ ଫାଙ୍କ ସାତ ସମୁଦ୍ରଠୁ ଢେର ବେଶୀ। ‘‘ଆଚରଣହୀନ ଜ୍ଞାନ ସମ୍ବାଦ କେବଳ, ଜ୍ଞାନୀ ଆଉ ଜ୍ଞାନକୁହାଳିଆ, ଜ୍ଞାନୀ ହୃଦେ ସତ୍ୟର ପ୍ରକାଶ, ଅନ୍ୟ ହୃଦେ ଭାଷାର ଅଳିଆ।’’

ବୁଦ୍ଧିଜୀବୀ, ତର୍କପ୍ରବୀଣ, ସମାଜର ଆଗଧାଡ଼ିର ଓକିଲ ବାବୁମାନଙ୍କର କଇଦୀ ଭଳି ଜିଅଲ ଭୋଗ, ସେଥିରୁ ମୁକୁଳିବାକୁ ତଳ ଅଦାଲତରୁ ଆରମ୍ଭ କରି ରାଜ୍ୟର ଶୀର୍ଷ ଅଦାଲତ ପର୍ଯ୍ୟନ୍ତ ଆବେଦନ ନିବେଦନ ଓ ତା’ର ରୁକ୍ଷ, ଦୃଢ଼ ଅଦାଲତୀ ପ୍ରତ୍ୟାଖ୍ୟାନର ଦୟନୀୟ ଅବସ୍ଥାରୁ ମନକୁ ଏ କଥା ଆସିଲା। କେତେ କେତେ ଗର୍ହିତ ଅପରାଧରୁ ଆସାମୀମାନଙ୍କୁ ମୁକୁଳାଇ ଦେଇଥିବା ଏ ସର୍ବଶକ୍ତିମାନ୍‌ ପାରଙ୍ଗମ ଓକିଲ ବାବୁମାନେ ନିଜ ବିଷୟରେ ଅସହାୟ ହୋଇ ପଡ଼ିବା ଘଟଣା, ସୃଷ୍ଟି ଚକ୍ରର ସେଇ ଚିରନ୍ତନ ସତ୍ୟ, ‘ମର୍ଯ୍ୟାଦା’ ରେଖା ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି। କଟାମୁଣ୍ଡିଆ ବେଲାଳସେନ ଆଖିରେ, ଏପଟ ସେପଟ ଦୁଇପଟ କାଟୁଥିବା ସେଇ ‘ଚକ୍ର’ର କାରଧାନୀ ପ୍ରମାଣ କରୁଛି। ଭାରତର ସ୍ବାଧୀନତା ସଂଗ୍ରାମରେ ସାମିଲ ଥିବା ଏକ ତାଲିକା ଦଶଜଣଙ୍କର ପ୍ରସ୍ତୁତ ହେଲେ ସେଥିରୁ ନବେ ଭାଗ, ଓକିଲ ଥିବେ। ସମାଜକୁ ଦିଗ୍‌ଦର୍ଶନ ଦେଉଥିବା, ମଙ୍ଗୁଆଳ, ଏ ସ୍ବାଧୀନ ଭାରତରେ ଓକିଲମାନଙ୍କଠୁ ଅଧିକ କିଏ ବନିଛି, ବନୁଛି!! ମାତ୍ର ଜଣେ ଦି’ ଜଣ ନୁହଁ, ତିରିଶ ବତିଶ ଜଣ ଓକିଲ ମାସ ମାସ ଧରି ଫୌଜଦାରୀ ଦଫାରେ, ଆଇନ ଭଙ୍ଗ ଦଶାରେ ଗିରଫ ହୋଇ ଜିଅଲ ଭୋଗିବା ଏ ରାଜ୍ୟରେ କେବଳ ନୁହଁ; ସମଗ୍ର ଦେଶରେ ଏକ ବିରଳ ଓ ଏକମାତ୍ର ଉଦାହରଣ। ମାନ୍ୟବର ଶୀର୍ଷ ଅଦାଲତ ସୁପ୍ରିମ କୋର୍ଟ ମଧ୍ୟ ଓକିଲମାନଙ୍କ ବିଷୟରେ ଯେଉଁ ଧାରଣା ପୋଷଣ କଲେ ଓ ଜାମିନ ପ୍ରଦାନ ପାଇଁ କାଳକ୍ଷେପଣ ବା ବିଳମ୍ବିତ ମନୋଭାବ ପୋଷଣ କଲେ ତା’ ସବୁଠି ଧ୍ୟାନ ଓ ବିଚାର ଆବଶ୍ୟକ କରେ। ବାର୍‌ ଓ ବେଞ୍ଚ, ଓକିଲ ଓ ବିଚାରପତିମାନଙ୍କ ମଧ୍ୟରେ ସମ୍ପର୍କ ଢେର ବୌଦ୍ଧିକ ଓ ଢେର ଅନ୍ତରଙ୍ଗ ବୋଲି ଏକ ନିପାତନସିଦ୍ଧ ଧାରଣା, ସାଧାରଣ ଜନତାଠି ବସା ବାନ୍ଧିଥାଏ। ଓକିଲ ବାବୁମାନଙ୍କ ଜିଅଲ ଭୋଗ ଓ ଜାମିନ ପ୍ରଦାନ ଶୈଳୀରୁ, ଭାବରୁ ଏ ବସା ଭାଙ୍ଗି ଯାଇଥିବା ମନେ ହୁଏ। ଗତ ୨୦୨୨ ମସିହା ମାର୍ଚ୍ଚ ମାସରେ ଏକ ସଡ଼କ ଦୁର୍ଘଟଣା ଓ ସମ୍ବଲପୁରରେ ସ୍ଥାୟୀ ଅଦାଲତ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ବା ଧାରଣା ସୃଷ୍ଟି ହୋଇଥିଲା। ଏଥିରେ ଓକିଲବାବୁମାନଙ୍କ ନେତୃତ୍ବାଧୀନ ଏ ଆନ୍ଦୋଳନକାରୀ ଅଦାଲତ ପରିସରରେ ଭଙ୍ଗାରୁଜା ମଧ୍ୟ ଘଟାଇଥିଲେ। ତା’ର ଭିଡିଓ (ଦୃଶ୍ୟମାନ ଚିତ୍ର) ମଧ୍ୟ କରାଯାଇଥିଲା। ସବୁ ବିଚାରପତି ନିଶ୍ଚୟ ଓକିଲ ଥିବେ ଯଦିଓ ସବୁ ଓକିଲ ବିଚାରପତି ନୁହନ୍ତି। ତେଣୁ ଉଭୟଙ୍କ ମଧ୍ୟରେ ଏକ ବିବର୍ତ୍ତନୀୟ ବା ପରିଣତିଗତ ସମ୍ପର୍କ ଓ ଭାବ ଆପେ ଆପେ ସୃଷ୍ଟି ହୋଇଥିଲା। ଗୋଟିଏ ପକ୍ଷୀର ଦୁଇ ଡେଣା ଭଳି ଏ ଦୁଇ ପକ୍ଷଙ୍କ ସମ୍ପର୍କରେ ଥିବା କିଛି ବୌଦ୍ଧିକ ଗୁରୁତ୍ବ, ଏ ଘଟଣାରେ ଦୂରତ୍ବ ସୃଷ୍ଟି ହୋଇଥିବା ମନେହୁଏ। ଅଦାଲତରୁ ଖଲାସ ପରେ ସେମାନଙ୍କୁ ଦିଆଯାଇଥିବା ସର୍ତ୍ତ ପରାଧୀନ ଭାରତର ସ୍ବଦେଶୀ ବନ୍ଦୀ ଆନ୍ଦୋଳନକାରୀଙ୍କୁ ଦିଆଯାଇଥିବା ସର୍ତ୍ତଠୁ ବି କଠୋର ମନେହୁଏ। ଜାମିନରେ ଯିବା ପରେ ଆବେଦନକାରୀ କୌଣସି ମାମଲା ପ୍ରସଙ୍ଗରେ କୌଣସି ସାଧାରଣ ସଭା କରିବେ ନାହିଁ, ବୈଦ୍ୟୁତିକ ଛାପା, ଗଣମାଧ୍ୟମ ସମେତ ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ)ରେ କୌଣସି ମତ, ମନ୍ତବ୍ୟ ଦେବେ ନାହିଁ ବା ପୋଷ୍ଟ କରିବେ ନାହିଁ। ଜାମିନରେ ବାହାରିବା କଥାକୁ ଗୌରବାନ୍ବିତ କରି ପ୍ରକାଶ କରିବେ ନାହିଁ ଅଦାଲତ ସର୍ତ୍ତ ଆରୋପ କରିଛନ୍ତି। ବଗୁଲିଆ, ଚଗଲା, ଦୁଷ୍ଟପିଲାଙ୍କୁ ଚାହାଳି ଅବଧାନେ ସର୍ତ୍ତ ବା ଦଣ୍ଡବିଧାନ ଭଳି ୟେ ଲାଗୁଛି। ସବୁଠୁ ବେଶୀ ଦୟନୀୟ ଲାଗୁଛି, ସିଂହ ସମ ଏ ଓକିଲ ବାବୁମାନଙ୍କ ହାଣ୍ଟୁରା, ବିଲୁଆ ଭଳି ସ୍ତିମିତ ହୋଇ ଯାଇନି ତ!! ମାର୍ଚ୍ଚ ମାସ ମଧ୍ୟରେ ଲିଖିତ ପ୍ରତିଶ୍ରୁତି ଦାଖଲ ପାଇଁ ମଧ୍ୟ ଏ ଓକିଲ ବାବୁମାନଙ୍କୁ ନିର୍ଦେଶ ଦିଆଯାଇଛି। ବିଦେଶୀ ସରକାର ବିରୁଦ୍ଧରେ ଜୀବନକୁ ବାଜି ଲଗାଇ ଲଢ଼ୁଥିବା ଓକିଲ ଓ ସ୍ବାଧୀନ ଭାରତରେ ଦାବିପୂରଣ ପାଇଁ ଲଢ଼ୁଥିବା ଓକିଲମାନଙ୍କ ମଧ୍ୟରେ ଥିବା ମାନସିକତା, ଦୃଢ଼ତା ଓ ତ୍ୟାଗର ଏକ ବାଜିଲଗା ଭାବର ଆକଳନ ଆପେ ଆପେ ମନରେ ଲହଡ଼ି ଭାଙ୍ଗେ। ଏ କଥା ସମ୍ପୃକ୍ତେ ଯେ ବୁଝୁ ନ ଥିବେ ତା’ ନୁହଁ। ତେବେ ଚରମ ତ୍ୟାଗର ସୀମା ସରହଦ ଡେଇଁ ପାରୁଥିବା ଜୀବନ ବାଜିଲଗା ପକ୍ଷୀ ଏ ପକ୍ଷୀ ନୁହନ୍ତି, ‘‘ଯେ ପକ୍ଷୀ ଉଡ଼େ ଯେତେ ଦୂର ସେ ଜାଣେ ତହିଁର ବେଭାର।’’ ଗାନ୍ଧୀ କ୍ରୂର ଫିରିଙ୍ଗି ଶାସନ ଓ ଶାସକଙ୍କୁ ତାଙ୍କ ଅହିଂସା ବ୍ରତ ଓ ଅସ୍ତ୍ର ବଳରେ ନିରସ୍ତ୍ର କରି ଦେଇଥିଲେ। ସବୁ ଆନ୍ଦୋଳନର ଭାଷା ଓ କଥା ସେଇଆ। ମାତ୍ର ଏ ତଥ୍ୟ ଓ ସତ୍ୟକୁ ଜୀବନରେ ଘେନିବା ସହଜ କଥା ନୁହଁ। ସିଂହ ଦଳ ମଧ୍ୟରେ ପିଲା କାଳୁ ପାଳିତ ଶୃଗାଳ, ଶୃଗାଳ ହୋଇ ରହିଯାଏ। ସେ ଦିନ ତାକୁ ତା’ର ପାଳିତା ମା’ ସିଂହୀ କହିଲା, ‘‘ଶୂରୋସି କୃତବିଦ୍ୟୋସି ଦର୍ଶୋନୀୟୋସି ପୁତ୍ରକଃ, ଯସ୍ମିନ୍‌ କୁଳେ ତ୍ବମୁତ୍ପନ୍ନଃ ଗଜସ୍ତତ୍ର ନ ହନ୍ୟତେ।’’ ପୁଅ ତୁ ଢେର ବଳୁଆ, ଜ୍ଞାନୀ ଓ ସୁନ୍ଦର; ହେଲେ ତୁ ଯେଉଁ କୁଳରେ ଜନ୍ମ ସେଥିରେ ହାତୀହନ୍ତା କେହି ଜନ୍ମି ନ ଥା’ନ୍ତି।’’ ତେଣୁ ସଭିଏଁ ଆନ୍ଦୋଳନକୁ ନୁହଁ। ଜୟ ଜଗନ୍ନାଥ!

Comments are closed.