MEllora 950×100

ନ କହିଲେ କୁଳ ଭାସି ଯାଉଛି

ଛନ୍ଦା ମିଶ୍ର

ସକାଳୁ ସକାଳୁ ଖବରକାଗଜ ଖୋଲିଦେଲା ମାତ୍ରେ, ଖବର ଭାବେ ଯାହା ବର୍ଣ୍ଣନା କରାଯାଇଥାଏ, ସେଥିରୁ ଅଘଟଣ ବା ଦୁର୍ଘଟଣାର ଖବର ଥାଏ ସର୍ବାଧିକ। ସେହି ଅଘଟଣଗୁଡିକ ମଧ୍ୟରୁ ବେଶି ମାଦକ ଦ୍ରବ୍ୟ ସେବନ ଜନିତ। ‘ମଦ୍ୟପ ବାପାକୁ ଦୁଇପୁଅ ପିଟିପିଟି ମାରିଦେଲେ’, ‘ମଦ ପାଇଁ ପଇସା ନ ଦେବାରୁ ମା’କୁ ହତ୍ୟା’, ‘ମଦ ପିଇ ବିଧାୟକଙ୍କ ଗାଡ଼ି ଚଢେଇ ଦେବା ଘଟଣା….’ ଇତ୍ୟାଦି। ମାତ୍ର ଆଶ୍ଚର୍ଯ୍ୟର କଥା, ରାଜ୍ୟରେ ମଦ୍ୟପାନ ଯୋଗୁଁ ଦୁର୍ଘଟଣା ବଢୁନି; ବରଂ ଦୁର୍ଘଟଣା ଓ ଅପରାଧ ଘଟିବା ପଛରେ ଅନ୍ୟ ଅନେକ କାରଣ ଥାଏ ବୋଲି ଆମ ଅବକାରୀ ବିଭାଗ କହିଛି।

ରାଜ୍ୟରେ ସଡକ ଦୁର୍ଘଟଣାରେ ପ୍ରତିବର୍ଷ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ, ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ଏ ନେଇ ଉଦବେଗ ପ୍ରକାଶ କରିବା ସହ ସରକାରଙ୍କୁ ବାରମ୍ବାର ତାଗିଦା କରିଆସୁଛନ୍ତି। ତଥାପି ଦୁର୍ଘଟଣା ଜନିତ ମୃତ୍ୟୁ କମୁନଥିବାରୁ ଓଡ଼ିଶା ପୁଲିସ ପରିବହନ ବିଭାଗକୁ ଅଧିକରୁ ଅଧିକ ବ୍ରେଥ୍ ଆନାଲାଇଜର ବ୍ୟବହାର କରି ଜୋରିମାନା ଆଦାୟ କରିବାକୁ କୁହାଯାଇଛି। ଏତେ ସବୁ ପଦକ୍ଷେପ ଓ ଭର୍ତ୍ସନା ସତ୍ତ୍ୱେ ଅବକାରୀ ବିଭାଗ ଏପରି ଉତ୍ତର ଦେବାଟା କେତେଦୂର ସମୀଚୀନ? ଆହୁରି ପୁଣି ଲିଖିତ ଉତ୍ତର ଦେଇ କୁହାଯାଇଛି ଯେ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିଶା ସେବନ କରିବା ବା ନକରିବା ପ୍ରତ୍ୟେକ ବ୍ୟକ୍ତିର ନିଜସ୍ୱ ଚିନ୍ତାଧାରା ଓ ଇଚ୍ଛା ଉପରେ ନିର୍ଭର କରେ। ମଦ୍ୟପାନରେ ଅଭ୍ୟସ୍ତ ବ୍ୟକ୍ତି ବିଶେଷ ଯେପରି ଚୋରା ମଦ ଓ ବେଆଇନ ମଦ ନ ପିଅନ୍ତି ଓ ସେମାନଙ୍କର ଧନ ଜୀବନ ଓ ସ୍ୱାସ୍ଥ୍ୟ ଯେପରି ସଙ୍କଟାପନ୍ନ ନ ହୁଏ ସେଥିପାଇଁ ରାଜ୍ୟ ସରକାର ଭାରତୀୟ ସମ୍ବିଧାନ ଦ୍ବାରା ପ୍ରାଧିକୃତ ହୋଇ ମଦ ଓ ମାଦକ ଦ୍ରବ୍ୟର ନିୟନ୍ତ୍ରଣ ମାଧ୍ୟମରେ ଲାଇସେନ୍ସ ପ୍ରାପ୍ତ ଦୋକାନ ଜରିଆରେ ଉତ୍ତମ ଓ ନିରାପଦ ମଦ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି।

ଏ ଖବରଟି ପଢି ଲାଗିଲା, ଆମ ସରକାର ଆମ ପାଇଁ କେତେ ଚିନ୍ତିତ ସତେ! ଆଉ ପାଦେ ଆଗକୁ ଯାଇ ସରକାର ନିଶ୍ଚିତ ଭାବେ ଘୋଷଣା କରିବେ ଯେ, ଏହି ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରୁ ମଦ ପିଇଲେ ସ୍ୱାସ୍ଥ୍ୟ ଅତୁଟ ରହିବ, ଏହି ମଦ ପିଉଥିବା ବ୍ୟକ୍ତି ଓ ତାଙ୍କ ପରିବାର ଜନଙ୍କୁ ସରକାରୀ ସୁବିଧା ସୁଯୋଗରେ ଅଗ୍ରାଧିକାର ଦିଆଯିବ… ଇତ୍ୟାଦି।

କହିଲେ କୁଳ କୁଟୁମ୍ବକୁ ଲାଜ, ନ କହିଲେ କୁଳ ଭାସି ଯାଉଚି। ଆଜି ରାଜ୍ୟରେ ମଦ୍ୟପଙ୍କ ସଂଖ୍ୟା ଯେପରି ତୀବ୍ର ଗତିରେ ବୃଦ୍ଧି ପାଉଛି, ଠିକ୍ ସେହି ସମାନ ଢଙ୍ଗରେ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ବୟସ କମିବାରେ ଲାଗିଛି। ଆଗେ ଯେଉଁଠି କଲେଜ ପଢୁଆ ପିଲା ନଲେଜ (ଜ୍ଞାନ) ବଢିଲାପରେ ମଦକୁ ଆପଣେଇ ନେଉଥିଲେ, ଏବେ ସେମାନଙ୍କ ସ୍ଥାନ ଗ୍ରହଣ କଲେଣି ସ୍କୁଲ ପଢୁଆ ପିଲା। ଚକିତ କରାଇଲା ଭଳି କଥା ହେଉଛି ଯେ ଆମେ ମହିଳାମାନେ ବି ବେଶ଼୍ ବୀର ଦର୍ପରେ ଏଥିରେ ନିଜର ଯୋଗଦାନ କରି ସରକାରଙ୍କ ହାତମୁଠା ଟାଣ କରିବାକୁ ପଣ କରିଛୁ। ଯେଉଁଥିପାଇଁ ଏବେ ମଦ ଦୋକାନଗୁଡିକରେ ମହିଳା ଗରାଖଙ୍କ ଧାଡ଼ି ଦେଖିବାକୁ ମିଳୁଛି। ତେବେ ମଦ ତ ମଦ, ସେ କି ଜାଣେ ପୁରୁଷ ମହିଳା ଭେଦ। ବାସ୍‌ ସେ ତା’ର କରାମତି ଦେଖେଇବ। ଫଳରେ ମଦ ପିଆଇ ଅସଦାଚରଣ ଓ ବଳାତ୍କାର ଘଟଣା ନିତିଦିନର ସମ୍ବାଦ ପୃଷ୍ଠା କରୁଛି ମଣ୍ଡନ। ଯେଉଁ ଘରେ ବାପା ମଦ ପିଉଛନ୍ତି ସେ ଘର ଅଶାନ୍ତିରେ ବୁଡି ରହିଥିଲା ହେଲେ ଯେଉଁ ଘରେ ମା’, ମଦ ପିଉଛନ୍ତି ସେ ଘର ହିଁ ହୋଇଯାଉଚି ଉଚ୍ଛନ୍ନ। ଅଳ୍ପଦିନ ତଳେ ମା’ଟିଏ ପ୍ରତ୍ୟେକ ଦିନ ମଦ ପିଇ ଘର ଉଠାପକା କରୁଥିବାରୁ ତାଙ୍କ ନାବାଳକ ପୁତ୍ର ଦ୍ୱୟ ତାଙ୍କୁ ହତ୍ୟା କରି ଜେଲ୍ ଯିବା ଘଟଣା ବୋଧେ କେହି ଭୁଲି ନଥିବେ। ପ୍ରାୟ ପ୍ରତ୍ୟେକ ଦିନ ରାତି ଅଧରେ ରାଜରାସ୍ତାରେ ମଦ୍ୟପୀ ଝିଅଙ୍କର ଉନ୍ମାଦ ଅବସ୍ଥାକୁ ପୁଲିସ ଓ ପଥଚାରୀ ପ୍ରତ୍ୟକ୍ଷ କରୁଥିବାର ଖବର ଶୁଣିବାକୁ ମିଳୁଛି। ସତ କଥା ଆଜ୍ଞା, ଆଜି ପ୍ରତି କ୍ଷେତ୍ରରେ ମହିଳାମାନେ ପୁରୁଷଙ୍କ ସହ ସମକକ୍ଷ ହୋଇ ସାରିଲେଣି। ତାଙ୍କସହ କାନ୍ଧକୁ କାନ୍ଧ ମିଳେଇ ଚାଲିଲେଣି। ତାଙ୍କ ପରି ପୋଷାକ ପିନ୍ଧିବା, ତାଙ୍କ ପରି ବେଶ ଭୂଷଣ ହେବା… ଅନେକ ସମୟରେ ଆପଣ ଦ୍ୱନ୍ଦ୍ବରେ ପଡ଼ିବେ ଯେ, ପୁରୁଷ କିଏ ଓ ମହିଳା କିଏ। ହେଉ, ସେତିକିରେ କଥା ରହିଥିଲେ ଭଲ ହୋଇଥାନ୍ତା, ମାତ୍ର ଆମ ଝିଅମାନେ କହିଲେ, ସବୁ କଥାରେ ମାନେ, ଶହେକୁ ଶହେ ସବୁ କଥାରେ ଆମେ ପୁଅଙ୍କ ସହ ସମାନ ହେବୁ। ପରିଣାମ ଯାହା ହେବା କଥା!

ସେହି ପରିଣାମକୁ ଦୃଷ୍ଟିରେ ରଖି, ଆମ ମାଆବାପ, ଆମ ସରକାର ବାହାଦୁର ଆମ ଉପରେ ଅତ୍ୟନ୍ତ ପ୍ରୀତ ହୋଇ ଆମ ଝିଅବୋହୂଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚକରି ନିର୍ମାଣ କରିବେ ନିଶା ନିବାରଣ କେନ୍ଦ୍ର। କେନ୍ଦ୍ର ସରକାର ଜାରି କରିଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁଯାୟୀ ଓଡ଼ିଶାରେ ପନ୍ଦର ବର୍ଷରୁ ଊର୍ଦ୍ଧ୍ବ ୪.୩% ମହିଳା ମଦ୍ୟପାନ ଓ ୨୬%ମହିଳା ବିଭିନ୍ନ ପ୍ରକାରର ତମାଖୁ ସେବନରେ ଅଭ୍ୟସ୍ତ। ତେବେ ଏହା ଆଗକୁ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ମଦ୍ୟପାନ ହାର ବଢୁଚି। ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କ ଉପରେ ଏହାର ଗୁରୁତର ପ୍ରଭାବ ରହିଛି। ତେଣୁ ନ୍ୟାସନାଲ ଆକ୍ସନ ପ୍ଳାନ ଫର୍ ଡ୍ରଗ୍ ଡିମାଣ୍ଡ ରିଡକ୍ସନ ଯୋଜନା ଅଧୀନରେ ଜଟଣୀଠାରେ ପୁରୁଷଙ୍କ ସହିତ ମହିଳା ନିଶା ନିବାରଣ କେନ୍ଦ୍ର ପ୍ରତିଷ୍ଠା ହେବ। ଏଥିପାଇଁ ୬.୫୨ କୋଟି ବ୍ୟୟ ଅଟକଳ କରାଯାଇଛି ଏବଂ ଏହାର ରକ୍ଷଣାବେକ୍ଷଣ ପାଇଁ ୫୧ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ତେବେ ସେତିକି ଯଥେଷ୍ଟ ନୁହେଁ। ତେଣୁ ପ୍ରତି ଜିଲାରେ ଏହିପରି କେନ୍ଦ୍ରମାନ ପ୍ରତିଷ୍ଠା କରିବା ପାଇଁ ସରକାର ଯୋଜନା କରିଛନ୍ତି।

କଥାରେ କହନ୍ତି ଗୋଇଠା ମାରି ବିଷ୍ଣୁ ହେବା। ଆଜି ଏପରି ମଦର ପ୍ରଚାର ଓ ପ୍ରସାର କରାଯାଉଚି କାହିଁକି ଯେ ନିଶା ନିବାରଣ କେନ୍ଦ୍ରର ଆବଶ୍ୟକତା ଅନୁଭବ ହେଲା? ମଦ ପାଇଁ କେତେ ଜୀବନ, ଧୂଳିସାତ୍ ହେଉଛି, କେତେ ଘର ଭାଙ୍ଗୁଛି, କେତେ ପିଲା ଅନାଥ ହେଉଛନ୍ତି, ସେ ବିଷୟରେ ସରକାର କେବେ ଚିନ୍ତା କରିଛନ୍ତି କି? ମଦ ବିକି ଓ ମଦ ପିଇଲେ ଜୋରିମାନା ଆଦାୟ କରି ସରକାର ନିଜ ରାଜସ୍ୱ ଯେପରି ବଢାଇ ଚାଲିଛନ୍ତି, ତାହା ଦେଖି ମନେ ହୁଏ, ତାଙ୍କର ରାଜ୍ୟବାସୀଙ୍କ ପାଇଁ କୌଣସି ଉତ୍ତର ଦାୟିତ୍ବ ହିଁ ନାହିଁ। ଲାଗୁଛି, ଆମ ସରକାର ମଦକୁ ପ୍ରୋତ୍ସାହନ ଦେବାରେ ତିଳେ ବି ହେଳା କରିବେ ନାହିଁ ବୋଲି ପଣ କରିଛନ୍ତି। ପ୍ରାକୃତିକ ଓ ଖଣିଜ ସମ୍ପଦରେ ଧନୀ ଓଡିଶାର ରାଜସ୍ୱ ବଢାଇବା ପାଇଁ ଅନ୍ୟ ପଦକ୍ଷେପ ଗ୍ରହଣ କରାଯାଉ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ସାଧାରଣ ଜନତାଙ୍କ ସହଯୋଗ ଆବଶ୍ୟକ। ନହେଲେ ଖୁବ୍ ଶୀଘ୍ର ଓଡିଶା ନିଶାସେବନରେ ଦେଶରେ ପ୍ରଥମ ସ୍ଥାନ ହାସଲ କରିବ- ଏଥିରେ ସନ୍ଦେହ ନାହିଁ।

Comments are closed.