MEllora 950×100

ଦାରିଦ୍ର୍ୟ ଦର୍ଶନ

ଉପେନ୍ଦ୍ର ବିଶ୍ୱାଳ

ବୋଧହୁଏ ଆମ ଶବ୍ଦକୋଷର ସବୁଠୁ ଚର୍ଚ୍ଚିତ, କର୍ଷିତ, ଉଚ୍ଚାରିତ ଶବ୍ଦ ହେଉଛି ଦାରିଦ୍ର୍ୟ। ଭୂମିଠୁ ଭୂମା ପର୍ଯ୍ୟନ୍ତ ଏହାର ବ୍ୟାପ୍ତି। ଦାରିଦ୍ର୍ୟ ଏମିତି ଏକ ତତ୍ତ୍ୱ, ଯାହାକୁ ନେଇ ଭଲ ବେଉଷଣ କରିଥାନ୍ତି ରାଜନେତାମାନେ। ଦାରିଦ୍ର୍ୟ ଏକ ଶିଡିଟିଏ, ରାଜନେତାଙ୍କ ପାଇଁ। ଦାରିଦ୍ର୍ୟ ବି ସେତୁଟିଏ, ନିର୍ବାଚନ ବୈତରଣୀ ପାର ହେବା ପାଇଁ। ସେଇଥି ପାଇଁ ତ ‘ଦାରିଦ୍ର୍ୟ’କୁ ନେଇ ଚାଷ କରାଯାଏ ଶୀତତାପ ନିୟନ୍ତ୍ରିତ କୋଠରିରେ, ତାହା ପୁଣି ବଡ଼ ମଗଜ ଥିବା ବଡ଼ବଡ଼ ସାହେବଙ୍କ ଦ୍ୱାରା। ମନ୍ତ୍ରୀଙ୍କଠାରୁ ସାହେବଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜନିଜ ମସୀରେ ଖୁବ କସରତ କରିଥାନ୍ତି ଦାରିଦ୍ର୍ୟକୁ ନେଇ। ମନ୍ଦିରରେ ଉଚ୍ଚାରିତ ମନ୍ତ୍ରଠାରୁ ବି ଅଧିକ ଶୋଭାପାଇଥାଏ ଏମାନଙ୍କ ଶ୍ରୀମୁଖରେ। ଗୋମୁଖରୁ ଗଂଗୋତ୍ରୀ ନିଃସୃତ ହେଲାପରି ‘ଦାରିଦ୍ର୍ୟ ଦୂରୀକରଣ’ର ସ୍ତୋତ୍ରଟି ବିି ସଞ୍ଚରିଥାଏ ନେତାଙ୍କ ଶ୍ରୀମୁଖରୁ ସବୁଠୁ ତଳେ ଥିବା ବ୍ୟକ୍ତି ପର୍ଯ୍ୟନ୍ତ; କିନ୍ତୁ ଦାରିଦ୍ର୍ୟ ସହିତ ଏ ଭୂମିର ସମ୍ବନ୍ଧ ଏମିତି ଅତୁଟ ଯେ, ହୁଏ ତ ସୂର୍ଯ୍ୟ-ଚନ୍ଦ୍ର ଅପସରି ଯାଇପାରନ୍ତି; କିନ୍ତୁ ଦାରିଦ୍ର୍ୟ ନୁହେଁ।

ଦାରିଦ୍ର୍ୟ ହଟେଇବାକୁ ଗତ ୭୬ବର୍ଷ କାଳ କେତେ ଯେ କସରତ କରାନଯାଇଛି, ତାହାର ହିସାବ ନାହିଁ। ନଦୀରେ ବୋହି ଯାଇଥିବା ଅଜସ୍ର ପାଣିପରି ଅର୍ବୁଦଅର୍ବୁଦ ଅର୍ଥ ବି ବୁହାଇ ଦିଆଯାଇଛି। ମାତ୍ର ଏ ଭୂମିକୁ ସେ ଏମିତି ଜାବୁଡି ଧରି ରଖିଛି ଯେ, ହଟିବା ତ ଦୂରର କଥା ଟିପେ ବି ହଲୁନାହିଁ। ତା’ର ବି ଏକ ରହସ୍ୟ ଅଛି। ତା’ହେଲା, ଦାରିଦ୍ର୍ୟ ଯଦି ହଟିଯାଏ, ତେବେ ଦାରିଦ୍ର୍ୟ ସଂକ୍ରାନ୍ତ ସବୁ ସୁଆଙ୍ଗ, ତାମସା ବି ହଟିଯିବ। ଅନେକଙ୍କ ଭେଳା ବି ବୁଡିଯିବ। ବୋଧହୁଏ ଏଇଥିପାଇଁ ଦାରିଦ୍ର୍ୟର ଦହନ ପରିବର୍ତ୍ତେ ଏଠି ଚାଲିଛି ଦାରିଦ୍ର୍ୟ ଦୋହନ। ଦାରିଦ୍ର୍ୟ ହରଣ ପରିବର୍ତ୍ତେ ଚାଲୁଛି ଦାରିଦ୍ର୍ୟ ବରଣ, ଦାରିଦ୍ର୍ୟ ଦୃଢ଼ୀକରଣ। ତା’ହେଉନଥିଲେ ୨୦୧୨ ମସିହାରେ ଦେଶରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ଶତକଡ଼ା ୨୨ଭାଗ ଥିଲାବେଳେ ୨୦୧୪ମସିହା ବେଳକୁ ୩୮ଭାଗ ହୋଇଥାନ୍ତା କିପରି? ଦାରିଦ୍ର୍ୟ ଦୃଢ଼ୀକରଣର ଏହା ଏକ ନଗ୍ନ ନମୁନା ନୁହେଁ କି? ଭାରତ ହେଉଛି ଏଭଳି ଏକ ବିରଳ ଦେଶ, ଯେଉଁଠି ଦାରିଦ୍ର୍ୟ ତାଲିକାଭୁକ୍ତ ହେବାକୁ ଲୋକଙ୍କ ମଧ୍ୟେ ଦେଖାଦେଇଥାଏ ନାହିଁ ନ ଥିବା ଆଗ୍ରହ। ସତେଯେମିତି ଗରିବ ଭାବେ ଗଣା ହେବା ଗୋଟେ ଗୌରବର ବିଷୟ।

ଗରିବ ଘୋଷିତ ହେବାକୁ ଲୋକଙ୍କ ମଧ୍ୟେ ଯେମିତି ପ୍ରଚଣ୍ଡ ଉତ୍କଣ୍ଠା ସେମିତି ବିି ଦାରିଦ୍ର୍ୟ ହାର ବଢ଼ିବଢ଼ି ଯିବାଟା ସରକାରୀ ବାବୁମାନଙ୍କ ପାଇଁ ସତେ ଯେମିତି ପାରଦର୍ଶିତାର ପରିଚୟ। ଦେଶରେ ପ୍ରଚଳିତ ବିଭିନ୍ନ ‘ଦାରିଦ୍ର୍ୟ ଦୂରୀକରଣ’ ଯୋଜନା ମଧ୍ୟରୁ ରିଆତି ଦରରେ ଚାଉଳ, ଗହମ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗେଇବା ପାଇଁ ଆର୍ଥିକ ଦୃଷ୍ଟିରୁ ସବଳ ନଥିବା ବ୍ୟକ୍ତିଙ୍କୁ ‘ରେସନ କାର୍ଡ’ର ବ୍ୟବସ୍ଥା କରାଯାଇଥାଏ। ସେମିତି ବି ନିଶ୍ଚିତ କର୍ମ ଯୋଗାଣ ବ୍ୟବସ୍ଥା, ‘ମନରେଗା’ ସ୍କିମ ହେଉଛି ଅନ୍ୟ ଏକ ବ୍ୟବସ୍ଥା, ଯାହାକି ଆର୍ଥିକ ଅନଗ୍ରସର ପରିବାର ପାଇଁ ଉଦ୍ଦିଷ୍ଟ। ଏସବୁ ହାତେଇବାକୁ ଚାଲେ ଏଠି ପ୍ରତିଯୋଗିତା ଦ୍ୱାରରୁ ଦପ୍ତର ପର୍ଯ୍ୟନ୍ତ। ଯେଉଁଥିପାଇଁ କି କାଗଜ କଲମରେ ଦାରିଦ୍ର୍ୟ ହାର ବଢ଼ିବଢ଼ି ଚାଲେ ବର୍ଷକୁ ବର୍ଷ ଏଠି। ଏହି କ୍ରମରେ ଗତ ୨୦୧୯ ମସିହାରେ କେବଳ ବାଲେଶ୍ବର ଜିଲାରେ ଜବତ ହୋଇଥିଲା ସାଢ଼େ ଚାରି ହଜାର ପଡିକାର୍ଡ, ଯାହାକି ଭୂତମାନଙ୍କର ଥିଲା। ଅର୍ଥାତ୍‌ ସେହି କାର୍ଡ଼ଧାରୀମାନେ ବାସ୍ତବରେ କେହି ନଥିଲେ; କିନ୍ତୁ ଏମାନେ ସବୁ ଥିଲେ ଗରିବ ତାଲିକାଭୁକ୍ତ। ୨୦୧୩-୧୪ ମସିହାରୁ ଛଅ ବର୍ଷ ମଧ୍ୟରେ ଅନ୍ୟୂନ ୬୫ଲକ୍ଷ କ୍ୱିଣ୍ଟାଲ ପିଡିଏସ ସାମଗ୍ରୀ ତଥାକଥିତ ‘ଭୂତ’ ମାନଙ୍କ ଦ୍ୱାରା ଆତ୍ମସାତ ହୋଇଥିବାର ଖବର ପ୍ରକାଶ ପାଇଥିଲା।

ସେହିଭଳି ଆଉ କେତେକ ଧୂର୍ତ୍ତ ଓ ବିକଳିଆ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଗରିବ ନ ହୋଇ ବି ଗରିବ ତାଲିକାରେ ରହି ବିଭିନ୍ନ ପ୍ରକାର ସୁବିଧା ହାତେଇବାରେ ଅଭ୍ୟସ୍ତ। ଏହିଭଳି ଅସଂଖ୍ୟ ସିଆଣିଆ ଗରିବ ଖୁନ୍ଦି ହୋଇ ରହିଛନ୍ତି, ଦେଶର ପ୍ରତି ଜିଲାରେ। ଅବଶ୍ୟ କେନ୍ଦ୍ର ସରକାର ଏହି ପ୍ରକାର କେତେକ ଗରିବଙ୍କୁ ଚିହ୍ନଟକରି ତାଲିକାରୁ ବାହାର କରିଛନ୍ତି। ଏହି କ୍ରମରେ ଗତ ୨୦୨୦ ମସିହା ସୁଦ୍ଧା ୫କୋଟି ଜାଲ ‘ରେସନକାର୍ଡ’ ଏବଂ ୨କୋଟି ଜାଲ ‘ମନରେଗା’ କାର୍ଡ଼ ବାତିଲ ହୋଇଥିବାର ଜଣାଯାଏ। ଏଥିରୁ ଜଣାଯାଏ ଆର୍ଥିକ ଅନଗ୍ରସରତାରେ ‘ଗରିବୀ’ ଯେତିକି ଥାଉ କି ନଥାଉ, ତାହା କିନ୍ତୁ ଅଧିକ ମାତ୍ରାରେ ରହିଥାଏ ଆମ ମାନସିକତାରେ। ଏହି ଦାରିଦ୍ର୍ୟ ମନୋଭାବ ବା ମାନସିକ ଦୀନତା ହିଁ ଗୋଟେ ଦେଶର ଦୁର୍ଭାଗ୍ୟର ଦସ୍ତାବିଜ, ଦୁଃଖ-ଦାରିଦ୍ର୍ୟର ଅସଲ କାରଣ।

ଅର୍ଥନୈତିକ ଦୃଷ୍ଟିରୁ ଦେଶ ଯେତେ ଦୁର୍ଦଶାଗ୍ରସ୍ତ ନହୁଏ, ଅଧିକ ହୁଏ ମାନସିକ ଦାରିଦ୍ର୍ୟ ଯୋଗୁଁ। ଆର୍ଥିକ ସମ୍ପନ୍ନତା ଅପେକ୍ଷା ଗୋଟେ ଜାତି ପାଇଁ ଯାହା ଅତି ଜରୁରୀ, ତା’ହେଲା ମାନସିକ ଐଶ୍ୱର୍ଯ୍ୟ। କାରଣ ମନୋବଳ ହିଁ ସାମର୍ଥ୍ୟର ସୂତ୍ରଧର। ଜାତିର ଜନ ମାନସିକତା ଯେବେ ଐଶ୍ୱର୍ଯ୍ୟଶାଳୀ ହୁଏ, ସେତେବେଳେ ସ୍ୱତଃ ହ୍ରାସ ପାଇଥାଏ ଦାରିଦ୍ର୍ୟ। ମନ ଧନୀ ହେବା ବଦଳରେ ଯଦି ଗରିବ ବା ରୁଗ୍‌ଣ ହୁଏ ଏବଂ ଲାଖିରହେ ‘ମାଗଣା’ଠାରେ, ତେବେ ହଟିବା ବଦଳରେ ଦାରିଦ୍ର୍ୟ ଆହୁରି ବଢ଼ିବଢ଼ି ଯିବ। ଭାରତର ଦୁର୍ଭାଗ୍ୟର କାରଣ ସାଜୁଥିବା ‘ରୁଗ୍‌ଣ’ ମାନସିକତାର ଏତାଦୃଶ ବିଚିତ୍ର ଜୀବଙ୍କ ଚରିତ୍ର ଦେଖିଲେ ମନରେ ଖୁବ୍‌ ଦୟା ଆସେ। ‘ଭିନ୍ନ ଏକ ଗରିବଗୋଷ୍ଠୀ’ଙ୍କ ଗହଳି ଆଜି ବଢ଼ିବଢ଼ି ଚାଲୁଛି, ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ। କେଉଁଠି ‘ଗରିବ ବିଡିଓ’ଟିଏ ବିକଳ ଭାବେ କାହାଠାରୁ କିଛି ମାଗୁଥିବାବେଳେ ବନ୍ଧା ହେଇ ଜେଲ ଗଲେଣି ତ ଆଉ କେଉଁଠି ‘ଗରିବ ତହସିଲଦାର’ ଆର୍ଥିକ ଅନଟନରେ ଶଢ଼ି ଲୋକଙ୍କଠାରୁ ଭିକ ମାଗି ବନ୍ଧା ହେଲେଣି। ଏହିଭଳି ଦରିଦ୍ର, ଅତି ଦରିଦ୍ର ଶ୍ରେଣୀଭୁକ୍ତ ଅନେକ ବାବୁମାନେ (ମନ୍ତ୍ରୀଠୁ ଯନ୍ତ୍ରୀ, କିରାଣିଠାରୁ କୁନି ହାକିମ, ବଡ଼ ହାକିମ, ପୁଲିସ ବାବୁଙ୍କ ପର୍ଯ୍ୟନ୍ତ) ଆଜି ହାଉଯାଉ ଏ ଦେଶରେ। ଦାଣ୍ଡିଯାତ୍ରାରେ ଗଲାପରି ଏହି ନିର୍ଲଜ୍ଜଙ୍କର ଜେଲଯାତ୍ରାର ଦୃଶ୍ୟ ଦେଖିବାକୁ ମିଳେ ପ୍ରତିଦିନର ଖବରକାଗଜରେ।

ପୂର୍ବରୁ ଦିନ ଥିଲା, ‘ମାଗି ଖାଇବା’କୁ ଲୋକେ ଘୃଣା କରୁଥିଲେ। ସ୍ୱାଭିମାନ ଓ ଆତ୍ମମର୍ଯ୍ୟାଦା ଥିଲା ଶ୍ରେଷ୍ଠ ସମ୍ପଦ। ବର୍ତ୍ତମାନ ସେହି ‘ମାଗିବା’ ପ୍ରବୃତ୍ତି ଏତେ ଲୋକପ୍ରିୟ ଯେ ଭିକାରି ବୃତ୍ତିରେ ସାମିଲ ହେବାକୁ କୁଣ୍ଠାବୋଧ କରୁନାହାନ୍ତି ଶିକ୍ଷିତରୁ ଅତିଶିକ୍ଷିତ ବ୍ୟକ୍ତିମାନେ। ଦେଶରେ ଆଜି ୨୪ ଭାଗରୁ ଅଧିକ ସଂଖ୍ୟକ ଭିକାରି ଅଛନ୍ତି, ଯେଉଁମାନେ ଦ୍ବାଦଶ ବା ତଦୁର୍ଦ୍ଧ ଶିକ୍ଷାପ୍ରାପ୍ତ। ଆହୁରି ବି ଦେଶରେ ପ୍ରାୟ ୫ହଜାରରୁ ଅଧିକ ଭିକାରି ଅଛନ୍ତି ଯେଉଁମାନଙ୍କର ଶିକ୍ଷାଗତ ଯୋଗ୍ୟତା ଡିପ୍ଲୋମା/ ସ୍ନାତକ/ ସ୍ନାତକୋତ୍ତର। ରୁଗ୍‌ଣ ମାନସିକତାର ଅନ୍ୟ ଏକ ନଗ୍ନ ନମୁନାଟିଏ। ରାଜଧାନୀ ଏକ୍ସପ୍ରେସ ଆସି ପହଞ୍ଚେ ରେଳ ଷ୍ଟେସନରେ। ବାବୁଜଣଙ୍କ ସପରିବାର ଓହ୍ଲାଇଲେ କିଛି ଲଗେଜ ଧରି। ତତ୍‌କ୍ଷଣାତ୍‌ କୁଲିଟିଏ ଆସି ପହଞ୍ଚିଲା ଏବଂ ଲଗେଜ ବୋହିନେବାକୁ ବାବୁଙ୍କ ଅନୁମତି ଭିକ୍ଷା କଲା।

ଦୁଇହାତ ହରେଇଥିବା କ୍ଷୀଣକାୟ କୁଲିଜଣଙ୍କୁ କିଛିକ୍ଷଣ ପାଇଁ ଆଶ୍ଚର୍ଯ୍ୟରେ ଚାହିଁରହିଲେ ବାବୁ। ତା’ପରେ, ଦୁଇକାନ୍ଧରେ ଦୁଇଟି ବ୍ୟାଗ କାନ୍ଧେଇଦେଇ,ଗୋଟେ ବ୍ୟାଗ ଓ ଆଟାଚିଟିଏ ହାତରେ ଧରି ସପରିବାର ଚାଲିଲେ କୁଲିଙ୍କ ପଛେପଛେ। ଷ୍ଟେସନ ବାହାରେ ଗାଡି ଷ୍ଟାଣ୍ଡରେ ବାବୁଙ୍କ ସାମଗ୍ରୀ ଓହ୍ଲାଇଦେଇ ପାରିଶ୍ରମିକ ନେଇ ଚାଲିଗଲା କୁଲିଜଣଙ୍କ। ଠିକ ତାପରେ, ହଠାତ କାହାର ଡାକ ଶୁଭିଲା -‘ବାବୁ, ଚିକିତ୍ସା ପାଇଁ ଏ ଗରିବକୁ କିଛି ସାହାଯ୍ୟ କରନ୍ତୁ। ଆପଣଙ୍କର ଧର୍ମ ହେବ।’ ବାବୁଜଣଙ୍କ ପଛକୁ ଫେରିଚାହିଁ ଦେଖନ୍ତି, ହାତ ପତେଇ ବିକଳ ଭାବେ ଚାହିଁ ରହିଛି, ଛିଣ୍ଡା ପୋଷାକ ପରିହିତ ଜଣେ ହୃଷ୍ଟପୁଷ୍ଟ ଯୁବକ। ବାବୁଜଣଙ୍କ ପରଖୁଥିଲେ ଦୁଇଟି ଭିନ୍ନ ଚରିତ୍ରକୁ। ମନେମନେ ଭାବୁଥିଲେ, ବାସ୍ତବରେ କିଏ ଅସହାୟ,, କିଏ ଗରିବ? ଦୁଇ ହାତ ହରେଇ ବି କାହାରିକୁ ହାତ ପତାଉନଥିବା କ୍ଷୀଣକାୟ ସେ କୁଲିଟି ନା ବାଘସମ ବଳବାନ ଏହି ସମର୍ଥ ଯୁବକ?

Comments are closed.