ମଣିଷ କେତେ ଅସହାୟ

- ଅଚ୍ୟୁତ ସାମନ୍ତ

କରୋନା ନାଁ ଶୁଣିଲେ ସାଧାରଣ ଲୋକଟିଏ ଚମକି ପଡୁଛି। ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି କରୋନା। କେତେବେଳେ କାହାକୁ କରୋନା ଭୂତାଣୁ କେଉଁ ରୂପରେ ଆକ୍ରମଣ କରିବ ସେହି ଆଶଙ୍କାରେ ସମସ୍ତେ ଆଶଙ୍କିତ ଓ ଆତଙ୍କିତ। ଗତବର୍ଷ ଜାନୁଆରୀରେ ଭାରତରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ଏହି ଭୂତାଣୁ ଧୀରେଧୀରେ କାୟା ବିସ୍ତାର କରି ସମଗ୍ର ଭାରତକୁ କବଳିତ କଲା। ସେତେବେଳେ କରୋନା ଭୟାବହତାକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ତାଲାବନ୍ଦ ଲାଗୁ କରାଗଲା। ଲକ୍ଷଲକ୍ଷ ଲୋକ ଜୀବିକା ହରାଇଲେ। କରୋନା ଏପରି କୌଣସି କ୍ଷେତ୍ର ନାହିଁ ଯାହାକୁ ପ୍ରଭାବିତ କରିନାହିଁ।

ଅର୍ଥନୀତିଠାରୁ ଆରମ୍ଭ କରି ଶିଳ୍ପ, ବାଣିଜ୍ୟ, ଶିକ୍ଷା ଓ ସ୍ୱାସ୍ଥ୍ୟ ଆଦି ସବୁ କ୍ଷେତ୍ରକୁ କରୋନା ପ୍ରଭାବିତ କରିଛି। ସବୁ ବର୍ଗ ଓ ସବୁ ବୃତ୍ତିର ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି। ସମସ୍ତେ କରୋନାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ପ୍ରଥମ ଲହର କରୋନା ନଭେମ୍ବର ପ୍ରଥମ ସପ୍ତାହରେ ଶୀର୍ଷରେ ପହଞ୍ଚି କମିବାକୁ ଆରମ୍ଭ କରିଥିବା ବେଳେ ୨୦୨୧ ମାର୍ଚ୍ଚରେ ଦ୍ୱିତୀୟ ଲହର ଆରମ୍ଭ ହୋଇଥିଲା।

କରୋନାର ପ୍ରଥମ ଲହରର ହାହାକାରରୁ ମଣିଷ ଟିକେ ନିଃଶ୍ୱାସ ମାରି ଠିଆ ହେଲା ବେଳକୁ ଭାରତବର୍ଷରେ ଦ୍ୱିତୀୟ ଲହର ଆସି ପହଞ୍ଚିଗଲା। କରୋନାର ପ୍ରଥମ ଲହରରୁ ଦ୍ୱିତୀୟ ଲହରର ବିଭୀଷିକା କେତେ ଭୟଙ୍କର ଓ କଠିନ ତାହା ଆମେ ବର୍ତ୍ତମାନ ଅନୁଭବ କରୁଛୁ। କି ଧନୀ କି ଗରିବ କେହି ବି କରୋନା କବଳରୁ ମୁକ୍ତ ନୁହନ୍ତି। ସମସ୍ତଙ୍କ ମନରେ ଭୟ ଓ ଆତଙ୍କ। କେଉଁଠି ଡାକ୍ତରଖାନାରେ ଶଯ୍ୟା ନାହିଁ ତ କେଉଁଠି ଡାକ୍ତର ଓ ଅମ୍ଳଜାନ ପାଇଁ ଆର୍ତ୍ତଚିତ୍କାର। କେଉଁଠି ବାପା ପୁଅକୁ ହରାଇଲାଣି ତ କେଉଁଠି ବାପା-ମାଙ୍କୁ ହରାଇ ପିଲାମାନେ ଅସହାୟ ହୋଇ ପଡୁଛନ୍ତି। କେଉଁଠି କେଉଁଠି ତ କରୋନାରେ ଗୋଟିଏ ଗୋଟିଏ ପରିବାର ନିଶ୍ଚିହ୍ନ ହୋଇଯାଉଛି। ଚାରିଆଡେ ହାହାକାର। ପ୍ରତିଦିନ ଟିଭି ଓ ଖବରକାଗଜରେ କରୋନାର ଏସବୁ କରୁଣ ଚିତ୍ର ଦେଖି ସମସ୍ତେ ହତୋତ୍ସାହିତ ହୋଇପଡୁଛନ୍ତି।

ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସଂକ୍ରମଣ ଏତେ ସଂଖ୍ୟାରେ ବଢ଼ୁଛି ଯେ ଦୈନିକ ହାରାହାରି ୪ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଦୈନିକ ମୃତକ ସଂଖ୍ୟା ହାରାହାରି ୪ ହଜାରରେ ପହଞ୍ଚିଛି। ପ୍ରଥମ ଲହରରେ କରୋନା କେବଳ ସହରାଞ୍ଚଳରେ ସୀମିତ ଥିବା ବେଳେ ଦ୍ୱିତୀୟ ଲହର ଗାଁ ଗଣ୍ଡା, ଗଳିକନ୍ଦି ସବୁଆଡକୁ ବ୍ୟାପି ଗଲାଣି। ପ୍ରଥମ ଲହରରେ ସବୁଠି କରୋନା ଭୂତାଣୁର ଗୋଟିଏ ରୂପ ଓ ସମାନ ଲକ୍ଷଣ ଦେଖାଦେଇଥିଲା ବେଳେ ଦ୍ୱିତୀୟ ଲହରରେ ଭୂତାଣୁ ଭିନ୍ନ ରୂପରେ କାୟା ବିସ୍ତାର କରିଚାଲିଛି। ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ କରୋନାର ଆହୁରି ଅନେକ ନୂଆନୂଆ ଲକ୍ଷଣ ଦେଖିବାକୁ ମିଳୁଛି। ଏହା ମଧ୍ୟ କ୍ଷିପ୍ର ଗତିରେ ଲୋକଙ୍କୁ ଆକ୍ରାନ୍ତ କରିଚାଲିଛି। କରୋନାକୁ ନେଇ ଲୋକଙ୍କ ମନରେ ଭୟର ଭାବନା ଏତେ ବଢ଼ି ଯାଇଛି ଯେ, ଗ୍ରାମାଞ୍ଚଳରେ ଅନେକ ଲୋକ ସାମାଜିକ ବାସନ୍ଦ ଭୟରେ କରୋନା ସଂକ୍ରମଣକୁ ଲୁଚାଇ ରଖି ମୃତ୍ୟୁମୁଖରେ ପଡ଼ୁଛନ୍ତି।

ଏଭଳି ପରିସ୍ଥିତିରେ ଡାକ୍ତର ହୁଅନ୍ତୁ କି ବୈଜ୍ଞାନିକ, ସମସ୍ତେ ଆମକୁ ସାନ୍ତ୍ୱନା ଦେଇ ଚାଲିଛନ୍ତି। ଏବେ ବୈଜ୍ଞାନିକମାନେ ମଧ୍ୟ ଆଉ ଏକ ଖବର ଦେଲେଣି। ପ୍ରାକୃତିକ କାରଣରୁ ଭୂତାଣୁ ତା’ ରୂପରେ ପରିବର୍ତ୍ତନ କରୁଛି। ଏହି ଭୂତାଣୁର ‘ଭାରିଆଣ୍ଟ’ ନିଜେ ନିଜେ ନଷ୍ଟ ହୋଇଯାଉଛି। ‘ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର’ ମତରେ ଦେଶରେ ବ୍ରିଟେନ ‘ଭାରିଆଣ୍ଟ’ର ପ୍ରକୋପ ଧୀରେଧୀରେ କମିବାରେ ଲାଗିଛି। ସେହିପରି ଦକ୍ଷିଣ ଆଫ୍ରିକା ‘ଭାରିଆଣ୍ଟ’ ସଂକ୍ରମଣ ସୀମିତ ରହିଥିବା ବେଳେ ଏବେ ବ୍ରାଜିଲ୍‍ ‘ଭାରିଆଣ୍ଟ’ର କିଛି ମାମଲା ସାମନାକୁ ଆସିଛି।

କରୋନା କେବେ ଯିବ, କେତେ ପରିମାଣର କ୍ଷତି ପହଞ୍ଚାଇବ କି ଆହୁରି ଭୟଙ୍କର ହେବ ତାହା କେହି କିଛି କଳନା କରିପାରୁନାହାନ୍ତି। ସେଥିପାଇଁ ଆମେ ଭାବୁଛୁ ଯେ ଏହା ଉପରେ କାହାର କିଛି କର୍ତ୍ତୃତ୍ୱ ନାହିଁ। ମଣିଷ ହେଉଛି ଏକ ସାମାଜିକ ପ୍ରାଣୀ। ମଣିଷ ସମାଜକୁ ନେଇ ଚାଲେ। ମଣିଷ ଚାହେଁ ଲୋକଙ୍କ ମଧ୍ୟରେ ଚଳିବାକୁ ଓ ବଢ଼ିବାକୁ। ସେଥିପାଇଁ ଭଗବାନଙ୍କ ସୃଷ୍ଟିରେ ଅନ୍ୟ ସମସ୍ତ ପ୍ରାଣୀଙ୍କଠାରୁ ମଣିଷ ଭିନ୍ନ; କିନ୍ତୁ ଆଜି ସେହି ମଣିଷ ଚାହିଁଲେ ବି କିଛି କରିପାରୁନାହିଁ। ଗୋଟିଏ ସାମାନ୍ୟ ଭୂତାଣୁ ନିକଟରେ ମଣିଷ ଆଜି ଅସହାୟ ହୋଇପଡ଼ିଛି, ହାର୍‌ ମାନିଛି। ଗୋଟିଏ ଭୂତାଣୁ ପାଖରେ ଆମେ ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିଦେଇଛୁ। ବିଶ୍ୱଯୁଦ୍ଧ ଦେଶ ଓ ଦେଶ ମଧ୍ୟରେ ହୋଇଥାଏ, ଏଥିରେ କିଛି ଦେଶ, କିଛି ରାଜ୍ୟ ପ୍ରଭାବିତ ହୋଇଥାନ୍ତି; କିନ୍ତୁ ମହାମାରୀ ଏପରି ଏକ ଜୈବିକ ଯୁଦ୍ଧ ଯେଉଁଥିରୁ ବିଶ୍ୱର ଗୋଟିଏ ହେଲେ ଦେଶ ବାଦ୍‌ ପଡିନାହିଁ। ଆମେ ଶୁଣିଛୁ ଯେ- ‘ପରମାଣୁ ଯୁଦ୍ଧଠାରୁ ଏକ ଜୈବିକ ଯୁଦ୍ଧ ଅଧିକ ବିପଜ୍ଜନକ’। ତାହା ଆଜି କରୋନା ଭୂତାଣୁରୁ ପ୍ରମାଣିତ ହୋଇଛି; ଯାହାକୁ ଆମେ ଦେଖିପାରୁଛେ ନା ଜାଣିପାରୁଛେ। ତାହା ପୁଣି ବିଭିନ୍ନ ସମୟରେ ତା’ର ରୂପ, ଗୁଣ ବଦଳଉଛି, ଯାହାକୁ ଆମେ ‘ମିଉଟାଣ୍ଟ’ କହୁଛେ। ଏହି ଭୂତାଣୁ ଯେ କେତେ ଭୟଙ୍କର ତାହା ବର୍ତ୍ତମାନର ସ୍ଥିତିରୁ ଆମେ ସମସ୍ତେ ଅନୁମାନ କରିପାରୁଛେ।

ଦୁଃଖର କଥା ବର୍ତ୍ତମାନ ବୈଜ୍ଞାନିକମାନେ କରୋନାର ତୃତୀୟ ଲହର ଆସିବ ବୋଲି କହିଲେଣି। କରୋନାର ଦ୍ୱିତୀୟ ଲହର ଚାଲିଛି; ତୃତୀୟ ଲହର ଆସିବ ବୋଲି ଜାଣି ପାରୁଥିଲେ ମଧ୍ୟ ଆମେ ନିରୁପାୟ। ଏହାକୁ କିପରି ପ୍ରତିହତ କିମ୍ବା ପ୍ରତିରୋଧ କରାଯିବ ସେଥିପାଇଁ ଆମେ ଆମର ସାଧ୍ୟମତେ କିଛି କରିପାରୁନାହୁଁ। ଏଥିରୁ ଜଣାପଡୁଛି ଯେ ଆମେ ମଣିଷ ନିଜକୁ ସବୁଠାରୁ ବୁଦ୍ଧିମାନ୍‍ ଓ ବଳବାନ୍‍ ବୋଲି ଭାବୁଥିଲେ ମଧ୍ୟ ସାମନ୍ୟ ଗୋଟିଏ ଭୂତାଣୁ ନିକଟରେ ହାର ମାନିଛୁ। ଆମ ପାଖରେ ବୁଦ୍ଧି, ଜ୍ଞାନ ଓ ଅର୍ଥ ସବୁକିଛି ଥିଲେ ମଧ୍ୟ ଏ ଯାଏ ଆମେ ଗୋଟିଏ ଭୂତାଣୁକୁ ଆୟତ୍ତ କରିପାରିନାହୁଁ। ଆଜି କରୋନାର କରାଳ ଆତଙ୍କରେ ସମସ୍ତେ ଏକାକାର ହୋଇପଡ଼ିଛନ୍ତି। ସମସ୍ତଙ୍କର ଗୋଟିଏ ଚିନ୍ତା ଯେ କିପରି ଓ କେବେ କରୋନାର ଏହି କରାଳ ରୂପରୁ ମୁକ୍ତି ମିଳିବ।

ବର୍ତ୍ତମାନ ଦେଖାଯାଉଛି ଯେ ଗ୍ରାମାଞ୍ଚଳ ଏବଂ ଛୋଟ ଛୋଟ ସହର ତୁଳନାରେ ବଡ଼ବଡ଼ ସହରରେ ଅଧିକ ସଂଖ୍ୟାରେ ଲୋକ ସଂକ୍ରମିତ ହେଉଛନ୍ତି ଏବଂ ମୃତ୍ୟୁ ହାର ମଧ୍ୟ ଅଧିକ ରହୁଛି। ବଡ଼ବଡ଼ ସହରରେ ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ବେ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରୁଛନ୍ତି।
ମୋର ସୂକ୍ଷ୍ମ ବୁଦ୍ଧିରେ ମୁଁ ଚିନ୍ତା କରି ଦେଖିଛି ଯେ, କରୋନା ଭୂତାଣୁ ଶରୀରରେ ପ୍ରବେଶ କରିବା ମାତ୍ରେ ଶରୀରରେ ଥିବା ‘ଆଣ୍ଟିବଡି’ (ଶରୀର ପ୍ରତିରକ୍ଷାକାରୀ) ଓ ‘ହର୍ଡ ଇମ୍ୟୁନିଟି’ (ବ୍ୟାପକ ରୋଗ ପ୍ରତିରୋଧକ ଶକ୍ତି) ଲଢେଇ କରୁଛି। ଯେଉଁଠି ‘ଆଣ୍ଟିବଡି’ ଓ ରୋଗ ପ୍ରତିରୋଧକ ଶକ୍ତି ଅଧିକ ସବଳ ସେ କ୍ଷେତ୍ରରେ କରୋନା ହାରିଯାଉଛି ଏବଂ ଲୋକଟି ବଞ୍ଚିଯାଉଛି। ମାତ୍ର ଯେଉଁଠି ଏହା ସାମାନ୍ୟ ଦୁର୍ବଳ ସେ କ୍ଷେତ୍ରରେ କରୋନା ଜିତିଯାଉଛି ଏବଂ ରୋଗୀଟି ମୃତ୍ୟୁମୁଖରେ ପଡୁଛି।

ଏହି ଭୂତାଣୁ ବିଶେଷକରି ଫୁସ୍‍ଫୁସ୍‍କୁ ଆକ୍ରମଣ କରୁଛି। ଦେଶର ବଡ଼ବଡ଼ ସହରରେ ବର୍ଷସାରା ପ୍ରଦୂଷଣର ମାତ୍ରା ଏତେ ଅଧିକ ଥାଏ ଯେ ଏହି ପ୍ରଦୂଷଣ ଯୋଗୁଁ ଲୋକଙ୍କ ନିଃଶ୍ୱାସପ୍ରଶ୍ୱାସରେ ଫୁସ୍‍ଫୁସ୍‍ କିଛି ମାତ୍ରାରେ ଦୁର୍ବଳ ହୋଇପଡ଼ିଥାଏ। ଦ୍ୱିତୀୟରେ ଯେଉଁମାନେ ନିୟମିତ ମଦ୍ୟପାନ କିମ୍ବା ଧୂମପାନ କରନ୍ତି ସେମାନଙ୍କ ଫୁସ୍‍ଫୁସ୍‍ ମଧ୍ୟ କିଛି ମାତ୍ରାରେ ଦୁର୍ବଳ ହୋଇ ପଡ଼ିଥାଏ; କିନ୍ତୁ ତାହା ବାହାରକୁ ଜଣାପଡ଼ି ନ ଥାଏ। ତେଣୁ ମଦ୍ୟପାନ କିମ୍ବା ଧୂମପାନ କରୁଥିବା ଲୋକଙ୍କ ଶରୀରରେ କରୋନା ପ୍ରବେଶ କରିବା ମାତ୍ରେ ଯକୃତ ଓ ଫୁସ୍‍ଫୁସ୍‍କୁ ପ୍ରଥମେ ଆକ୍ରମଣ କରିଥାଏ; କାରଣ ଭୂତାଣୁ ଶରୀରରେ ଅଧିକ ସମୟ ରହିବା ପାଇଁ କିମ୍ବା ତା’ର କାୟା ବିସ୍ତାର ପାଇଁ ଶରୀରର କେଉଁ ଅଂଶ ଦୁର୍ବଳ ତାହା ସେ ଦେଖିଥାଏ। ଯେପରି ବନ୍ୟା ସମୟରେ ନଦୀବନ୍ଧ ଦୁର୍ବଳ ଥାଏ ସେଠାରେ ବାଲିବସ୍ତା ପକାଯାଇଥାଏ; କିନ୍ତୁ ସେହି ଦୁର୍ବଳ ସ୍ଥାନ ଦେଇ ବନ୍ୟାଜଳ ଘଳିଆ ସୃଷ୍ଟି କରି ନିମ୍ନ ଅଞ୍ଚଳକୁ ପ୍ରବେଶ କରିଥାଏ। ସେହିପରି ଏହି ଭୂତାଣୁ ଫୁସ୍‍ଫୁସ୍‍ର ଦୁର୍ବଳ ସ୍ଥାନରେ ସହଜରେ ପ୍ରବେଶ କରି ସମଗ୍ର ଶରୀରକୁ ଆକ୍ରାନ୍ତ କରିଥାଏ।

ଆମ ଭୁବନେଶ୍ୱର ଏକ ସହର ହୋଇଥିଲେ ମଧ୍ୟ ଏଠି ପ୍ରଦୂଷଣ ନାହିଁ କହିଲେ ଚଳେ। ସେ ଦୃଷ୍ଟିରୁ ଭୂବନେଶ୍ୱର ନିରାପଦ। ଭୁବନେଶ୍ୱର କିମ୍ବା ଆମ ରାଜ୍ୟରେ ଏଯାଏ ଅନ୍ୟ ରାଜ୍ୟ କିମ୍ବା ସହର ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇନାହିଁ। ଆମେ ସମସ୍ତେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବାକଥା, ଯେ କି ଭୁବନେଶ୍ୱରକୁ ଏତେ ସୁନ୍ଦରଭାବେ ରଖିପାରିଛନ୍ତି ଏବଂ ଅତି ବ୍ୟବସ୍ଥିତ ଓ ଶୃଙ୍ଖଳିତଭାବେ ରାଜ୍ୟରେ କରୋନା ପରିଚାଳନା କରିପାରିଛନ୍ତି। ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇନାହିଁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଆମ ରାଜ୍ୟରେ ସେଭଳି ପରିସ୍ଥିିତି ସୃଷ୍ଟି ହେବ ନାହିଁ ବୋଲି ମୋର ବିଶ୍ୱାସ ରହିଛି।

କରୋନାର ଦ୍ୱିତୀୟ ଲହରର ଭୟାବହତା ଜାରି ରହିଥିବା ବେଳେ ତୃତୀୟ ଲହର ଆସିବ ବୋଲି ବୈଜ୍ଞାନିକ ଓ ବିଶେଷଜ୍ଞମାନେ କହିଲେଣି। ଏହାର ରୂପ କ’ଣ ହେବ, ଏହା କେତେଦିନ ରହିବ, କେତେ କ୍ଷତି କରିବ କେହି କିଛି ଆକଳନ କରିପାରୁନାହାନ୍ତି। କିନ୍ତୁ ଆମେ ଶୁଣିଛୁ ଯେ ୧୦୦ ବର୍ଷ ତଳେ ଅର୍ଥାତ୍‍ ୧୯୧୮ ମସିହାରେ ଏପରି ଏକ ମାରାତ୍ମକ ଭୂତାଣୁ ଦେଖାଦେଇଥିଲା। ତାହା ହେଉଛି ସ୍ପାନିଶ ଫ୍ଲୁ। ଏହାର ଅଂଶ ସ୍ୱରୂପ ଭାରତରେ ବମ୍ବେ ଇନ୍‍ଫ୍ଲୁଏନ୍‍ଜା ବା ବମ୍ବେ ଜ୍ୱର ନାମରେ ଏକ ଭୂତାଣୁ ଦେଖାଦେଇଥିଲା ଯାହାକି ମହାମାରୀର ରୂପ ନେଇଥିଲା। ସେତେବେଳେ ଏଥିରେ ଲକ୍ଷଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ ଏବଂ ଏହା ଦୁଇବର୍ଷ ପର୍ଯ୍ୟନ୍ତ ରହିଥିଲା। ସେହି ଦୃଷ୍ଟିରୁ ଆମେ ଭାବୁଛୁ କରୋନା ୨୦୨୦ ଜାନୁଆରୀରେ ଆମ ଦେଶରେ ପ୍ରଥମେ ଦେଖାଦେଲା। ତେଣୁ ଏହା ୨୦୨୧ ଡିସେମ୍ବର ବେଳକୁ ଆମ ଦେଶରୁ ପଳାଇଯିବ ବୋଲି ଆମର ବିଶ୍ୱାସ ରହିଛି। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, ମଣିଷ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛି। ନିରାଶ୍ରୟଙ୍କୁ କେବଳ ଜଗଦୀଶ ହିଁ ଭରସା।

Comments are closed.