ଭୂତାଣୁ ଓ କରୋନା: ବୈଜ୍ଞାନିକ ଅନୁଶୀଳନ

- ଚନ୍ଦ୍ରଶେଖର ମହାନ୍ତି

ପୃଥିବୀ ପୃଷ୍ଠରେ ଜୀବସତ୍ତାର ଅୟୋମାରମ୍ଭ ଉପରେ ପରିବେଷିତ ତଥ୍ୟ ମଧ୍ୟରୁ ୧୯୨୪ ମସିହାରେ ଓପାରିନ୍‌ ଓ ଜେବିଏସ ହାଲ୍‌ଡେନଙ୍କ ଦ୍ବାରା ପ୍ରକାଶିତ ‘ପ୍ରାଇମୋରିଡିଅାଲ ସୁପ୍‌’ର ତଥ୍ୟ ବହୁ ଆଦୃତ। ‘ବିଗ୍‌ ବ୍ୟାଙ୍ଗ୍‌’ ବିସ୍ଫୋରଣରୁ ସୃଷ୍ଟ ପୃଥିବୀ ପ୍ରଥମେ ଉତ୍ତପ୍ତ ଥିଲା ଧୀରେଧୀରେ ଏହା ଶୀତଳ ହେବାକୁ ଲାଗିଲା। ଶୀତଳୀକରଣର ଏହି ପ୍ରକ୍ରିୟାରେ ଜଳୀୟ ବାଷ୍ପକଣା ସହିତ ଉଦ୍‌ଜାନ, ଅମ୍ଳଜାନ ଓ କାର୍ବନ୍‌ ଆଦି ମୌଳିକ ଉପାଦାନ ପୃଥିବୀ ପୃଷ୍ଠରେ ସୃଷ୍ଟି ହେବାକୁ ଲାଗିଲା। ଏହି ସବୁ ମୌଳିକ ଅନେକ ବର୍ଷଧରି ପରସ୍ପର ମଧ୍ୟରେ ରସାୟନିକ ପ୍ରତିକ୍ରିୟା କରି ଯେଉଁ ଦୁଇଟି ଜୀବନର ମୁଖ୍ୟ କଣିକାର ସୃ​‌ଷ୍ଟିକରିଥିଲେ ତାହା ହେଉଛି ନ୍ୟୁକ୍ଲିକ୍‌ ଅମ୍ଳ ବା ନ୍ୟୁକ୍ଲିକ୍‌ ଏସିଡ୍‌ ଓ ଏମିନୋ ଅମ୍ଳ ବା ଏମିନୋ ଏସିଡ୍‌। ସମୟକ୍ରମେ, ଏହି ମୂଳ ଜୈବ କଣିକାମାନଙ୍କର ଅନେକ ରସାୟନିକ ପରିବର୍ତ୍ତନ ତଥା ରୂପାୟନ ଫଳରେ ଅନେକ ଜଟିଳ ଜୈବ କଣିକାମାନ ସୃଷ୍ଟି ହେବା ସମ୍ଭବପର ହୋଇପାରିଲା। ଫଳସ୍ବରୂପ ପୃଥିବୀପୃଷ୍ଠରେ ନୂତନ ଜୀବମାନଙ୍କର ଅାବିର୍ଭାବ ସମ୍ଭବପର ହୋଇପାରିଲା। ୧୯୫୩ ମସିହାରେ ବୈଜ୍ଞାନିକ ମିଲର୍‌ ଓ ୟୁରୋ ବିଭିନ୍ନ ଯୌଗିକମାନଙ୍କ ଦ୍ବାରା ନିଜ ପ୍ରୟୋଗଶାଳାରେ ‘ପ୍ରାଇମୋରିଡିଆଲ ସୁପ୍‌’ ପ୍ରସ୍ତୁତ କରି ପାରିଥିଲେ।

ସମୟ ପ୍ରବାହ ସହିତ ଜୈବ ବିବର୍ତ୍ତନ ମାଧ୍ୟମରେ ଏହି ଯୌଗିକ ଉପାଦାନମାନ ଜଟିଳରୁ ଜଟିଳତମ ଅବସ୍ଥାରେ ଜୀବନର ନୂତନ ସଂସ୍କରଣମାନ ସ୍ଥାପନ କରିଥିଲେ। ‘ମନୁଷ୍ୟ’ ଏହିଭଳି ଜୈବିକ ବିବର୍ତ୍ତନର ଏକକ, ଅଭିନ୍ନ, ସବୁଠାରୁ ଜଟିଳ ତଥା ନୂତନ ସଂସ୍କରଣ। ଜୈବିକ ବିବର୍ତ୍ତନର ସୋପାନରେ ‘ମନୁଷ୍ୟ’ ସବୁଠାରୁ ଶୀର୍ଷ ସ୍ଥାନରେ ଅବସ୍ଥିତ।

ଜୈବ-ବିବର୍ତ୍ତନର ଏହି ପ୍ରକ୍ରିୟା ବା ଶୃଙ୍ଖଳରେ ଏକକୋଷୀ (ଏକ-କୋଷବିଶିଷ୍ଟ) ଜୀବରୁ ଆରମ୍ଭକରି ବହୁକୋଷୀ (ଏକାଧିକ କୋଷ ବିଶିଷ୍ଟ) ଜୀବମାନଙ୍କର ସୃଷ୍ଟି ସମ୍ଭବ ହୋଇପାରିଅଛି। ଚାର୍ଲସ ଡାରଉଇନଙ୍କ ମତରେ ପୃଥିବୀପୃଷ୍ଠରେ ପ୍ରତି ମୁହୂର୍ତ୍ତରେ କ୍ରମ-ବିକାଶ ବା ବିବର୍ତ୍ତନର ପ୍ରକ୍ରିୟା ନିରବଚ୍ଛିନ୍ନ ଭାବରେ ଜାରି ରହିଅଛି। ଏକକୋଷୀରୁ ବହୁକୋଷୀ ଜୀବମାନଙ୍କ ଉଦ୍ଭବ। ଏଣୁ ଏହି ଏକକୋଷୀ ଜୀବମାନଙ୍କୁ ସୃଷ୍ଟିର ଆଦିଜୀବ ବୋଲି କହିଲେ କିିଛି ଅତ୍ୟୁକ୍ତି ହେବନାହିଁ। ଆମ୍ଭେ ମନୁଷ୍ୟ ଏହି ପୃଥିବୀକୁ ଆସିବାର ବହୁ ପୂର୍ବରୁ ଏମାନେ ପୃଥିବୀକୁ ଆସିଯାଇଥିଲେ। ସମୟର କ୍ରମ-ବିକାଶ ସହିତ ଏମାନେ ମଧ୍ୟ ବିବର୍ତ୍ତନ ପଥରେ ଚାଲିଅଛନ୍ତି। ପରିବର୍ତ୍ତିତ ବାହ୍ୟ ପରିବେଶ ସହିତ ଖାପ ଖୁଆଇ ଚଳିବା ପାଇଁ ଏମାନେ ମଧ୍ୟ ଅନେକ ବାହ୍ୟିକ ଓ ଆନ୍ତରିକ ପରିବର୍ତ୍ତନ କରିଥାଆନ୍ତି। ଏକକୋଷୀ ଆଦି ଜୀବର ପ୍ରଥମ ସୋପାନ ଭୁକ୍ତ ହେଲେ ‘ଭୂତାଣୁ’। ସଜୀବ ଓ ନିର୍ଜୀବର ମଧ୍ୟବର୍ତ୍ତୀ ଅବସ୍ଥାରେ ଏମାନଙ୍କ ଅବସ୍ଥିତି। ପ୍ରାକୃତିକ ଉପାୟରେ ଏମାନଙ୍କ ମୃତ୍ୟୁ ନଥାଏ। ବାହ୍ୟ ପରିବେଶରେ ଏମାନେ ନିଷ୍କ୍ରିୟ କଣିକାରୂପେ ଅବସ୍ଥାନ କରିଥାଆନ୍ତି। ମାତ୍ର, ଜୀବନ୍ତ କୋଷିକାର ସଂସ୍ପର୍ଶରେ ଆସିବା ମାତ୍ରେ ଏମାନେ ଜୀବନ ଓ ଜୀବନ୍ତ ପ୍ରାଣୀ ଭଳି ବ୍ୟବହାର କରିଥାଆନ୍ତି। କ୍ରମାଗତ କୋଷ ବିଭାଜନ ଦ୍ବାରା ଏକରୁ ଅନେକ ଭୂତାଣୁ ସୃଷ୍ଟି ହୋଇଥାଆନ୍ତି ଏବଂ ଶେଷରେ ଉକ୍ତ ଜୀବନ୍ତ କୋଷକୁ ଫଟାଇ ବହୁ ସଂଖ୍ୟକ ଭୂତାଣୁ ଶରୀରର ଅନ୍ୟ କୋଷିକାମାନଙ୍କୁ ଆକ୍ରାନ୍ତ କରିଥାଆନ୍ତି। ଭୂତାଣୁ ସବୁ ପ୍ରକାରର ଜୀବନ୍ତ କୋଷିକାକୁ ଆକ୍ରାନ୍ତ କରିଥାଏ। ପ୍ରାଣୀଉଦ୍ଭିଦ ତଥା ବ୍ୟାକ୍ଟେରିଆ କୋଷିକାକୁ ସଂକ୍ରମିତ କରି ନିଜ ବଂଶ ବିସ୍ତାର କରିଥାଏ। ବର୍ତ୍ତମାନ ସୁଦ୍ଧା ୬୦୦୦ ବିଭିନ୍ନ ପ୍ରଜାତିର ଭୂତାଣୁକୁ ଚିହ୍ନଟ କରାଯାଇ ପାରିଅଛି। ପୃଥିବୀର ପ୍ରାୟତଃ ସମସ୍ତ ସ୍ଥାନରେ ଏହା ବ୍ୟାପକ ରୂପରେ ବିସ୍ତାରିତ ହୋଇଥାଆନ୍ତି।

‘ନ୍ୟୁକ୍ଲିକ୍‌ ଏସିଡ୍’ ଜୀବନ ସୃଷ୍ଟି ତଥା ଜୀବନର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାର ମୌଳିକ ଉପାଦାନ। ଜୀବନ ପ୍ରକ୍ରିୟା ପାଇଁ ସଂଗଠିତ ସମସ୍ତ ପ୍ରକ୍ରିୟା ତଥା ଗୁଣ, ଏହି ମୌଳିକ ଉପାଦାନରେ ସଂଗୃହୀତ। ଦୁଇ ପ୍ରକାରର ନ୍ୟୁକ୍ଲିକ୍‌ ଏସିଡ ଯଥା: ଡି ଅକ୍ସିରାଇବୋନ୍ୟୁକ୍ଳିକ୍‌ ଏସିଡ (ଡିଏନଏ) ଓ ରାଇବୋ ନ୍ୟୁକ୍ଲିକ୍‌ ଏସିଡ (ଆରଏନଏ) ଜୀବନର ସମସ୍ତ ପ୍ରକ୍ରିୟାକୁ ନିୟନ୍ତ୍ରିତ ପରିଚାଳିତ ତଥା ତ୍ବରାନ୍ବିତ କରିଥାଆନ୍ତି। ଆଡ଼ିନାଇନ୍‌ ଥାୟାମିନ୍‌ ସାଇଟୋସିନ୍‌, ଗୁଆନାଇନ୍‌ ତଥା ୟୁରାସିଲ ଭଳି ମୌଳିକର ଗୋଟିଏ ପରେ ଗୋଟିଏ ପରସ୍ପର ଥାକଥାକ ହୋଇ ଏକ ନିର୍ଦିଷ୍ଟ ପରିପାଟୀରେ ବାନ୍ଧିହୋଇ ଡିଏନଏ ସୃଷ୍ଟିର ସଂରଚନା କରିଥାଆନ୍ତି। ଏହା ଦୁଇ ରଶି ପରସ୍ପର ମଧ୍ୟରେ ଛନ୍ଦି ହୋଇ ବନ୍ଧା ହେବାର ଆକାର ଧାରଣ କରିଥାଏ। ଡିଏନଏର ଏଭଳି ସଂରଚନା ଉପସ୍ଥାପନ କରି ବୈଜ୍ଞାନିକ ୱାଟସନ୍‌ ଓ କ୍ରିକ୍‌ଙ୍କୁ ୧୯୬୨ ମସିହାରେ ଚିକିତ୍ସାଶାସ୍ତ୍ର ପାଇଁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି ଭଳି ଆରଏନଏର ସଂରଚନା ଡିଏନଏଠାରୁ ବହୁତ ଛୋଟ। ମନୁଷ୍ୟଭଳି ଉନ୍ନତ ଜୀବମାନଙ୍କଠାରେ ଏହି ଡିଏନଏର ଜଟିଳ ସଂରଚନା କ୍ରୋମୋଜୋମ୍‌ ବା ଗୁଣସୂତ୍ର ମଧ୍ୟରେ ନିବଦ୍ଧ ରହିଥାଏ। ଡିଏନଏ ଓ ଆରଏନଏ ଆନୁଷଙ୍ଗିକ ଗୁଣସୂତ୍ରର ବାହକ ହୋଇଥାଆନ୍ତି। ଏହି ଡିଏନଏ କିମ୍ବା ଆରଏନଏ ର ସଂରଚନାରେ ସାମାନ୍ୟରୁ ସାମାନ୍ୟତମ ପରିବର୍ତ୍ତନକୁ ‘ମ୍ୟୁଟେସନ୍‌’ କୁହାଯାଏ ଏବଂ ଏହାଦ୍ବାରା ସୃଷ୍ଟ ଜୀବମାନଙ୍କୁ ଉକ୍ତ ମୂଳ ଜୀବର ‘ଭାରିଆଣ୍ଟ’ ବୋଲି କୁହାଯାଏ।

ସଜୀବ କୋଷିକା ଭଳି, ଭୂତାଣୁର ନ୍ୟୁକ୍ଳିକ୍‌ ଏସିଡ ମଧ୍ୟ ଡିଏନଏ କିମ୍ବା ଆରଏନ୍‌ଏ ଦ୍ବାରା ଗଠିତ। ଏହି ନ୍ୟୁକ୍ଲିକ୍‌ ଏସିଡର ପ୍ରତିରକ୍ଷା ପାଇଁ ଏମିନୋ ଏସିଡ୍‌ରୁ ସୃଷ୍ଟ ପ୍ରୋଟିନର ବାହ୍ୟ ଆବରଣ ରହିଥାଏ। ଭୂତାଣୁ ପାଇଁ ଏହା ଏକ କବଚଭଳି କାମ କରେ। ଏହି ପ୍ରୋଟିନର ସଂରଚନା ବା ଆବରଣ ବିଭିନ୍ନ ଭୂତାଣୁମାନଙ୍କ ପାଇଁ ଅଲଗା ହୋଇଥାଏ। ସାଧାରଣତଃ ପ୍ରୋଟିନ ଓ ନ୍ୟୁକ୍ଲିକ୍‌ ଏସିଡର ସମାହାରରେ ଗଠିତ ନ୍ୟୁକ୍ଲିଓପ୍ରୋଟିନ୍‌ ଏକ ଭୂତାଣୁର ସଂରଚନା ତଥା ଆକାରକୁ ନିର୍ଦ୍ଧାରିତ କରିଥାଏ। କିଛି ଭୂତାଣୁମାନଙ୍କରେ ଏକ ବା ଏକାଧିକ ପରସ୍ପର ପ୍ରୋଟିନ୍‌ ତଥା ଅନ୍ୟ କିଛି ଭୂତାଣୁମାନଙ୍କରେ ଲିପିଡର ଏକ ବାହ୍ୟ ପରସ୍ତ ରହିଥାଏ। ଏହି ପ୍ରୋଟିନ୍‌ ଓ ନ୍ୟୁକ୍ଲିକ୍‌ ଏସିଡ୍‌ ପ୍ରତ୍ୟେକ ଭୂତାଣୁମାନଙ୍କ ପାଇଁ ଭିନ୍ନ ଓ ଅଲଗା ଆଉ ଏଥିପାଇଁ ବିଭିନ୍ନ ଭୂତାଣୁମାନଙ୍କର ଆକାର, ପ୍ରକାର ତଥା ନାମକଣ ମଧ୍ୟ ଭିନ୍ନ। ଭୂତାଣୁକୁ ପ୍ରଥମଥର ପାଇଁ ବୈଜ୍ଞାନିକ ନୋଲ୍‌ ଓ ରୁସ୍କା ୧୯୩୧ ମସିହାରେ ଇଲେ​‌େ​‌କ୍ଟ୍ରାନ ମାଇକ୍ରୋସ୍କୋପ୍‌ ଦ୍ବାରା ଦେଖିପାରିଥିଲେ। ଆକାର ଅନୁସାରେ ଭୂତାଣୁ ମୁଖ୍ୟତଃ ଗୋଲ, ବର୍ତ୍ତୁଳାକାର ତଥା ସିଧା ସିଲିଣ୍ଡର ଆକାରର ହୋଇଥାଆନ୍ତି। ଏମାନଙ୍କ ଆକାର ୨୦ ନାନୋମିଟର (୧ ନାନୋମିଟର=୮x୧୦.୨ ଇଞ୍ଚ)ରୁ ୫୦୦ ନାନୋମିଟର ବ୍ୟାସ ଓ (୭୦୦-୧୦୦୦) ନାନୋମିଟର ଲମ୍ବା ହୋଇଥାଆନ୍ତି।
ବର୍ତ୍ତମାନ ମନୁଷ୍ୟ ସମାଜ ସମ୍ମୁଖୀନ ହେଉଥିବା ମହାମାରୀ ସିଭିୟର ଆକ୍ୟୁଟ ରେସ୍ପିରେଟୋରୀ ସିଂଡ୍ରୋମ’ ବା କୋଭିଡ୍‌ର ମୁଖ୍ୟ କାରକ ସାର୍ସ- କୋଭ- ୨ ନାମରେ ପରିଚିତ। ୭ ଜାନୁଆରୀ ୨୦୨୦ ମସିହାରେ, ଏହି ସାର୍ସ-କୋଭ-୨ ଭୂତାଣୁକୁ କରୋନା ଭୂତାଣୁ ପରିବାରରେ ସ୍ଥାନିତ କରି ‘୨୦୧୯ ନଭେଲ କରୋନାଭାଇରସ୍‌’ ଏନ.କୋଭିଡ୍‌ ନାମରେ ନାମିତ କରାଯାଇଥିଲା। ପରେ ଇଣ୍ଟର ନ୍ୟାସନାଲ କମିଟି ଅନ୍‌ ଟ୍ୟାକ୍ସୋନୋମି ଅଫ୍‌ ଭାଇରସେସ୍‌ ଏହାକୁ ସାର୍ସ କୋଭ-୨ ନାମରେ ନାମିତ କରିଥିଲେ। ସାଧାରଣତଃ କରୋନା ଭୂତାଣୁ ଏକ ଭୂତାଣୁ ସମୂହର ପରିବାରକୁ ବୁଝାଇଥାଏ। ଏଥି ମଧ୍ୟରେ ଅନେକ ପ୍ରଜାତିର ଭୂତାଣୁ ଯଥା ସାର୍ସ ଓ ମର୍ସ ଇତ୍ୟାଦି ଶ୍ରେଣୀର ଭୂତାଣୁ ସ୍ଥାନିତ। ଏହି ଶ୍ରଣୀର ଭୂତାଣୁମାନଙ୍କର ପ୍ରୋଟିନ୍‌ ବାହ୍ୟ ଆବରଣ ଗୋଲାକାର ସୂର୍ଯ୍ୟଙ୍କ ପ୍ରକାଶର ବଳୟ ଭଳି ପ୍ରତୀତ ହେଉଥିବାରୁ ଏମାନଙ୍କୁ କରୋନାର ଆଖ୍ୟା ଦିଆଯାଇଥାଏ।

ସାର୍ସ-କୋଭ-୨ ଏକ ଆରଏନଏ ଭୂତାଣୁ ଅର୍ଥାତ୍‌ ଏହାର ଆନୁଷଙ୍ଗିକୀ ନ୍ୟୁକ୍ଲିକ୍‌ ଏସିଡ ଆରଏନଏ ଅଟେ। ଏହି ଆରଏନଏ ୩୦.୦୦୦ ନ୍ୟୁକ୍ଲିଓଟାଇଡ (ଆଡ଼ିନାଇନ୍‌, ଗୁଆନାଇନ୍‌, ସାଇଟୋସିନ ଓ ୟୁରାସିଲ୍‌)ର ଗୋଟିଏ ପରେ ଗୋଟିଏ ତଳକୁତଳ ବନ୍ଧା ସଂରଚନାର ସମାହାର। ଏହି ସଂରଚନାର ସାମାନ୍ୟତମ ବ୍ୟତିକ୍ରମ ଦ୍ବାରା ସୃଷ୍ଟ ସ୍ୟୁଟାଣ୍ଟ ଭାରିଆଣ୍ଟ ମାନ ୨୨୯ଇ, ଏନଏଲ ୬୩ ଓ ସି ୪୩. ଏଚ କେ ୟୁ ୧ ଶ୍ରେଣୀର। ସାଧାରଣ ଭାଷାରେ ଏହାକୁ ୟୁକେ ବା ଆଫ୍ରିକାନ ଷ୍ଟ୍ରେନ୍‌ ବୋଲି କୁହାଯାଇଥାଏ।

‘ସାର୍ସ-କୋଭ-୨’ ଭୂତାଣୁର ନ୍ୟୁକ୍ଲିକ୍‌ ଏସିଡର ପ୍ରତିରକ୍ଷା ପାଇଁ ସୃଷ୍ଟ ପ୍ରୋଟିନ୍‌ ବାହ୍ୟ କବଚରୁ ନବ୍‌ ବା କୁଣ୍ଡି ଆକୃତିମାନ ପଦାକୁ ବାହାରିଥାଏ। ଏହାକୁ ସ୍ପାଇକ୍‌ ପ୍ରୋଟିନ୍‌ ବା ପାପ୍ଲୋମର୍‌ ବୋଲି କୁହାଯାଇଥାଏ। ଏହାର ଆକାର ଓ ସଂରଚନା ଏଭଳି ହୋଇଥାଏ ଯେ, ଏହା ମନୁଷ୍ୟ-କୋଷିକାର ରିସେପ୍ଟର ସହିତ ଏକଦମ ଅନାୟସରେ ବାନ୍ଧି ହୋଇଯାଇଥାଏ। (ଯେମିତି ତାଲା- ସହିତ ଚାବି) । ଏହା ଫଳରେ ମନୁଷ୍ୟର କୋଷିକାମାନ ଏହି ଭୂତାଣୁର ସଂସ୍ପର୍ଶରେ ଆସିଥାଆନ୍ତି। ଧୀରେଧୀରେ ଏହି ଭୂତାଣୁ କଣିକାମାନ ମନୁଷ୍ୟର କୋଷିକା ମଧ୍ୟରେ ପ୍ରବେଶ କରି ସମରୂପୀ ଅନେକ ଭୂତାଣୁ ସୃଷ୍ଟି କରିଥାଆନ୍ତି ଏବଂ ସମୟକ୍ରମେ, ଉକ୍ତ କୋଷିକାକୁ ଫଟାଇ ସଂଖ୍ୟାଧିକ ଭୂତାଣୁ ଶରୀରର ଅନ୍ୟ କୋଷିକାକୁ କ୍ଷତିଗ୍ରସ୍ତ କରାଇଥାଆନ୍ତି। ଏଥିପାଇଁ ସଂକ୍ରମିତ ବ୍ୟକ୍ତି ନିଜ ଶରୀର ଭିତରେ ପ୍ରସ୍ତୁତ ଭୂତାଣୁକୁ ଛିଙ୍କ ବା କାଶ ମାଧ୍ୟମରେ ନିଜ ପରିପାର୍ଶ୍ବକୁ ଛାଡ଼ିଥାଆନ୍ତି। ଏଣୁ ଏହାର ସଂକ୍ରମଣରୁ ଦୂରରେ ରହିବା ପାଇଁ ଶାରୀରିକ ଦୂରତା ତଥା (ମାସ୍କ) ତୁଣ୍ଡିର ପ୍ରୟୋଗ ଉପରେ ଯଥେଷ୍ଟ ଗୁରୁତ୍ବ ଦିଆଯାଉଅଛି। ଦ୍ବିତୀୟତଃ ସାବୁନ୍‌ର ଡିଟରଜେଣ୍ଟ ବା ଆଲକୋହଲ୍‌ ତଥା ଅଧିକ ଉତ୍ତାପ ଏହି ସ୍ପାଇକ୍‌ ପ୍ରୋଟିନର ସଂରଚନାକୁ ପରିବର୍ତ୍ତନ କରିଦେଇଥାଆନ୍ତି। ଏଣୁ ଆଲକୋହଲଯୁକ୍ତ ବିଶୋଧକ, ଗରମଧୂଆଁ ବା ବାମ୍ଫ ଓ ଉଷୁମ ତରଳ ପଦାର୍ଥର ସେବନ କିଛି ମାତ୍ରାରେ ଏହି ଭୂତାଣୁର ପ୍ରତିକ୍ରିୟାତ୍ମକ ଗୁଣକୁ ନିଷ୍କ୍ରିୟ କରିଥାଏ।

ବର୍ତ୍ତମାନ ସମଗ୍ର ପୃଥିବୀରେ ଏହି ଭୂତାଣୁ ଉପରେ ବ୍ୟାପକ ଗବେଷଣା ଚାଲିଅଛି। ଏହାକୁ ନିଷ୍କ୍ରିୟ କରିବାର ଅନେକ ବୈଜ୍ଞାନିକ ଅନୁସନ୍ଧାନ ଜାରି ରହିଅଛି। କିଛି ସମୟ ମଧ୍ୟରେ ହୁଏତ ଆମ୍ଭେ ଏହାର ସୁପରିଣାମ ପାଇପାରିବା। ମାତ୍ର ସେତେବେଳଯାଏ ଆମ୍ଭମାନଙ୍କୁ ବ୍ୟାପକ ଜାଗରୁକତା ଓ ସତର୍କତା ସହିତ ଏହି ଭୂତାଣୁର ସଂକ୍ରମଣ ତଥା ସ୍ଥାନାନ୍ତରଣକୁ ରୋକିବାର ଉପଯୁକ୍ତ ପଦକ୍ଷେପ ନେବା ବହୁତ ଜରୁରୀ।

Comments are closed.