ବିଜ୍ଞାନ ନ ପଢ଼ି ବୈଜ୍ଞାନିକ

ଆମମାନଙ୍କର ସାଧାରଣ ଧାରଣା ଏଇଆ ଯେ ଜଣେ ବୈଜ୍ଞାନିକ ହେବା ପାଇଁ ବିଦ୍ୟାଳୟରେ ବା ମହାବିଦ୍ୟାଳୟରେ ବା ବିଶ୍ୱବିଦ୍ୟାଳୟରେ ବିଜ୍ଞାନ ପଢ଼ିବା ଦରକାର। ଡିଗ୍ରୀ ହାସଲ କରିବା ଦରକାର। ଯେମିତି କି ବିଏସ୍‍ସି, ଏମ୍‍ଏସ୍‍ସି ବା ପିଏଚ୍‍ଡି। ଆଉ ମଧ୍ୟ ଗବେଷଣାଗାରରେ ଗବେଷଣା କରିବା ଦରକାର। କିଛିବର୍ଷ ପୂର୍ବେ ବିଜ୍ଞାନ ପାଠ ମାନେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଓ ଗଣିତକୁ ବୁଝାଯାଉଥିଲା। ଯାହାକୁ କଲେଜରେ ବା ୟୁନିଭରସିଟିରେ ସଂକ୍ଷେପରେ ପି.ସି.ଏମ୍‍ ବା ସି.ବି.ଜେଡ୍‍ କମ୍ବିନେସ୍‍ନ କୁହାଯାଉଥିଲା। ବହୁତ କମ ପିଲା ବିଜ୍ଞାନ ପଢ଼ୁଥିଲେ। ଏବେ କିନ୍ତୁ ବିଜ୍ଞାନର ଚାହିଦା ବହୁତ ଅଧିକ। ବିଜ୍ଞାନର ଚାହିଦା ଓ ଭଲପାଇବା ଏତେ ବଢ଼ିଯାଇଛି ଯେ ପ୍ରତ୍ୟେକ ବିଷୟର ଆଗରୁ (suffix) ଓ ପଛରୁ (prefix) ବିଜ୍ଞାନକୁ ଯୋଡି ଦିଆଯାଉଛି। ଯେମିତି କି ପଲିଟିକାଲ୍‍ ସାଇନସ୍‍, ସୋସିଆଲ୍‍ ସାଇନସ୍‍, ଅର୍ଥ ସାଇନସ୍‍, ସାଇନସ୍‍ ଅଫ୍‌ ଲାଙ୍ଗୁଏଜ୍‍, ସାଇନସ୍‍ ଅଫ୍‍ କଲଚର ଇତ୍ୟାଦି। ବିଜ୍ଞାନ ସାଧାରଣତଃ ଦୁଇପ୍ରକାର। ଏକ- ପ୍ରାକୃତିକ ବିଜ୍ଞାନ ବା ନାଚୁରାଲ୍‍ ସାଇନ୍‍ସ। ଦୁଇ- ସମାଜ ବିଜ୍ଞାନ ବା ସୋସିଆଲ ସାଇନ୍‍ସ।

ପ୍ରାକୃତିକ ବିଜ୍ଞାନ ତିନିପ୍ରକାରର। ୧- ପଦାର୍ଥ ବିଜ୍ଞାନ (ଫିଜିକ୍‍ସ ଆଉ କେମିଷ୍ଟ୍ରି), ୨- ପୃଥିବୀ ବିଜ୍ଞାନ (ଜିଓଲୋଜି, ଆଷ୍ଟ୍ରୋନୋମି ଓ ଓସେନୋଗ୍ରାଫି), ୩- ଜୀବ ବିଜ୍ଞାନ (ଜୁଲୋଜି, ବଟାନି ଓ ଜେନେଟିକ୍‍ସ)। ପ୍ରାକୃତିକ ବିଜ୍ଞାନରେ ପୃଥିବୀ ଓ ପୃଥିବୀ ବାହାରେ ଥିବା ପ୍ରତ୍ୟେକ ଜୀବ, ଜିନିଷ, ନିୟମ ଓ ଘଟଣା ଉପରେ ପାଠ କରାଯାଏ। ସମାଜ ବିଜ୍ଞାନରେ ମଣିଷ ଓ ସମାଜ ମଧ୍ୟରେ ଥିବା ସମ୍ପର୍କ ଉପରେ ପାଠ କରାଯାଏ। ଏହି ବିଷୟଗୁଡିକ ହେଲା ରାଜନୀତି ବିଜ୍ଞାନ, ଅର୍ଥଶାସ୍ତ୍ର, ମନସ୍ତତ୍ତ୍ୱ ବିଜ୍ଞାନ, ନୃତତ୍ତ୍ୱ, ସାହିତ୍ୟ, ଦର୍ଶନ ଇତ୍ୟାଦି।
ଏକବିଂଶ ଶତାବ୍ଦୀରେ ଆଉ ତିନିଟା ବିଷୟ ବିଜ୍ଞାନ ସହିତ ଯୋଡି ହେଲା। ସେଗୁଡିକ ହେଲା:- କ) ସୂଚନା ବିଜ୍ଞାନ ବା କମ୍ପ୍ୟୁଟର ବିଜ୍ଞାନ ବା ତଥ୍ୟ ବିଜ୍ଞାନ ବା ଡାଟା ସାଇନ୍‍ସ। ଖ) ଈଶ୍ୱର ବିଜ୍ଞାନ ବା ଧର୍ମ ବିଜ୍ଞାନ ବା ବିଶ୍ୱାସ ବିଜ୍ଞାନ ବା ଫେଥ୍‍ ସାଇନ୍‍ସ୍‍। ଗ) ଆଧ୍ୟାତ୍ମିକ ବିଜ୍ଞାନ ବା ସ୍ପିରିଚୁଆଲ ସାଇନ୍‍ସ୍‍।

ସୂଚନା ବିଜ୍ଞାନର ବିଷୟବସ୍ତୁ କମ୍ପ୍ୟୁଟର, ଡାଟା, ନେଟ୍‍, ଆର୍ଟିଫିସିଆଲ ଇଣ୍ଟେଲିଜେନ୍‍ସ ଅଲ୍‍ଗୋରିଦିମ୍‍, କୋଡିଙ୍ଗ୍‍ , ଡିକୋଡିଙ୍ଗ୍‍ ଥିଲାବେଳେ ଈଶ୍ୱର ବିଜ୍ଞାନର ବିଷୟବସ୍ତୁ ଧର୍ମ, ଈଶ୍ୱର ଓ ବିଶ୍ୱାସ। ସେହିପରି ଆଧ୍ୟାତ୍ମିକ ବିଜ୍ଞାନର ବିଷୟବସ୍ତୁ ହେଲା ଜୀବନ, ଦର୍ଶନ, ଶାନ୍ତି, ଯୋଗ, ସେବା, ପ୍ରେମ, ସତ୍ୟ ସନ୍ଧାନ ଓ ସର୍ଜନାର ଉଦ୍ଦେଶ୍ୟ।
ବିଜ୍ଞାନର ପ୍ରେମ ଏତେ ବଢ଼ିଗଲା ଯେ ଅନେକ ବିଶ୍ୱବିଦ୍ୟାଳୟ ତାଙ୍କ ପାଠ୍ୟକ୍ରମରେ ଆଷ୍ଟ୍ରୋନୋମି ଜାଗାରେ ସ୍ପେସ୍‍ ସାଇନ୍‍ସ, ରିଲିଜିଅନ୍‍ ଜାଗାରେ ଫେଥ୍‍ ସାଇନ୍‍ସ୍‍, ଜିଓଲୋଜି ଜାଗାରେ ଅର୍ଥ ସାଇନ୍‍ସ୍‍ ବିଜ୍ଞାପନ ଦେଉଛନ୍ତି ଏବଂ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରେମ ଯାହା ଦିନେ କଳା, ନୃତ୍ୟ, ସଙ୍ଗୀତ, ସାହିତ୍ୟର ବିଷୟ ଥିଲା ତା’ର ନାମ ପରିବର୍ତ୍ତନ କରି ଏବେ ଶୁଦ୍ଧ ସାହିତ୍ୟ ଭାଷାରେ ନୂତନ ନାମକରଣ କରାଯାଉଛି ଲଭ୍‍ ସାଇନ୍‍ସ୍‍ ବା ପ୍ରେମ ବିଜ୍ଞାନ।

ଏତେଗୁଡିଏ କଥା କହିବାର ଉଦ୍ଦେଶ୍ୟ ହେଲା, କୌଣସି ବିଷୟର ଆଗରୁ ବା ପଛରୁ ‘ବିଜ୍ଞାନ’ ଯୋଡିଦେଲେ ସମାଜରେ ବେଶ୍‍ ଚାହିଦା ରହିବ ଓ ଲୋକମାନେ ପ୍ରଶ୍ନ ନ କରି ବିଶ୍ୱାସ କରିଯିବେ; କିନ୍ତୁ ଗୋଟିଏ ବଡ ପ୍ରଶ୍ନ ଉଠିଛି ଯେ କୌଣସି ଲୋକ ଉପରୋକ୍ତ ବିଷୟଗୁଡ଼ିକରେ କୌଣସି ସଂସ୍ଥାଠାରୁ ଡିଗ୍ରୀଟିଏ ନେଇଆସିଲେ କ’ଣ ବୈଜ୍ଞାନିକ ହୋଇଯିବେ? ନା। ବିଜ୍ଞାନର ପ୍ରକୃତ ଅର୍ଥରେ ବୈଜ୍ଞାନିକ ହେବାକୁ ହେଲେ ଗଭୀର ଅଧ୍ୟୟନ, ଗବେଷଣା ଓ ଉପଲବ୍ଧି ରହିବା ଦରକାର। ଏବେ ତ ବିଜ୍ଞାନ ଅଧ୍ୟୟନ କରି ଏକ ନିର୍ଦିଷ୍ଟ ମାର୍ଗରେ ଯାଇ, ନିର୍ଦିଷ୍ଟ ଡିଗ୍ରୀ ହାସଲ କରି ଗବେଷଣା କରି ଜଣେ ବୈଜ୍ଞାନିକ ହୋଇପାରୁଛନ୍ତି; କିନ୍ତୁ ଏହିଠାରେ ଆମେ ମନେରଖିବା ଯେ ଆଗରୁ ଅନେକ ବୈଜ୍ଞାନିକ ବାହାରିଛନ୍ତି ଯେଉଁମାନେ କୌଣସି ବିଜ୍ଞାନରେ ଡିଗ୍ରୀ ହାସଲ କରିନାହାନ୍ତି। ସେମାନଙ୍କ ମଧ୍ୟରେ ବୈଜ୍ଞାନିକ ମାଇକେଲ ଫାରାଡେ, ଉଡାଜାହାଜ ନିର୍ମାଣକର୍ତ୍ତା ରାଇଟ୍‍ ବ୍ରଦର୍ସ, ବିବର୍ତ୍ତନବାଦର ଜନକ ଚାର୍ଲସ୍‍ ଡାରୱିନ୍‍, ବ୍ରେନ୍‍ଜାମିନ୍‍ ଫ୍ରାଙ୍କଲିନ୍‍, ଥୋମାସ୍‌ ଏଡିସନ୍‍, ଭାରତର ଗଣିତଜ୍ଞ ଏସ୍‍. ରାମାନୁଜନ, ଓଡ଼ିଶାର ପଠାଣି ସାମନ୍ତ ଓ ଅନ୍ୟମାନେ। ଏମାନେ ସମାଜକୁ ଯାହା ଦେଇଛନ୍ତି ତାହା ବିରଳ ଓ ଅତୁଳନୀୟ। ଏମାନେ ବିନା ବିଜ୍ଞାନ ଡିଗ୍ରୀରେ ବୈଜ୍ଞାନିକ। ତେଣୁ ବୈଜ୍ଞାନିକ ହେବା ପାଇଁ କଣ ଦରକାର ଆସନ୍ତୁ ଜାଣିବା।

ପ୍ରଥମ, ଜଣେ ବୈଜ୍ଞାନିକ ହେବାକୁ ହେଲେ ତାଙ୍କୁ ପ୍ରକୃତି ନିରୀକ୍ଷଣ, ପରୀକ୍ଷଣ କରି ପ୍ରମାଣ ଖୋଜିବାକୁ ପଡ଼ିବ। ଦ୍ବିତୀୟ, ସତ୍ୟର ଅନ୍ୱେଷଣ କରିବାକୁ ପଡ଼ିବ। ତୃତୀୟ, କାରଣ ଜାଣିବା ପାଇଁ ଗବେଷଣା କରିବାକୁ ପଡ଼ିବ। ଚତୁର୍ଥ, ମୁକ୍ତ ମନରେ ସମାଲୋଚନା ବା ବିରୋଧକୁ ସାମ୍ନା କରିବା ସହିତ ସମ୍ମାନ ମଧ୍ୟ ଜଣାଇବାକୁ ପଡ଼ିବ। ଏହି ମାନସିକତା ପୋଷଣ କରି ସାଧାରଣ ଜନତା ମଧ୍ୟ ବୈଜ୍ଞାନିକ ହୋଇପାରିବେ। ଏହାକୁ କୁହାଯାଏ ଜନ ବିଜ୍ଞାନ ବା ଲୋକ ବିଜ୍ଞାନ ବା ସିଟିଜେନ୍‍ ସାଇନ୍‍ସ୍‍। ଏଇଟା ଏକ ନୂଆ କଥା।

ପଠାଣି ସାମନ୍ତ ଜଣେ ସାଧାରଣ ଲୋକ ଥିଲେ; କିନ୍ତୁ ତାଙ୍କର ଥିଲା ଜିଜ୍ଞାସା ଓ ପ୍ରମାଣ ଖୋଜିବାର ମାନସିକତା। ତେଣୁ କେତେଗୋଟି ବାଉଁଶ ସାହାଯ୍ୟରେ ସେ ଗ୍ରହ ଓ ତାରାମାନଙ୍କୁ ଦେଖୁଥିଲେ ଓ ତାହା ହିଁ ତାଙ୍କର ଟେଲିସ୍କୋପ। ଚାର୍ଲସ୍‍ ଡାରୱିନ୍‍ ପାଠ ପଢ଼ିଲେ ଧର୍ମ ବିଷୟରେ ଗବେଷଣା କଲେ ପ୍ରକୃତି ଓ ବିବର୍ତ୍ତନ ଉପରେ। ପର୍ଯ୍ୟବେକ୍ଷଣ, ଅନୁସନ୍ଧାନରୁ ବିଜ୍ଞାନ। ଗଞ୍ଜାମର ଲୋକମାନେ ପ୍ରକୃତିର ରକ୍ଷା ବା ସନ୍ତୁଳନ ପାଇଁ କୃଷ୍ଣସାର ମୃଗକୁ ମାରନ୍ତି ନାହିଁ। ଗହୀରମଥାରେ କଇଁଛଙ୍କୁ ସୁରକ୍ଷା ଦିଆଯାଏ। ଏସବୁ ସ୍ଥାନୀୟ ଲୋକଙ୍କର କାମ। କୋରାପୁଟରେ ୧୯୫୦ ମସିହାରେ ୧୭୦୦ ପ୍ରକାରର ଦେଶୀ ଧାନ ଚାଷ କରାଯାଉଥିଲା। ଏବେ ସରକାରୀ ବିହନରେ ଚାଷ କରୁଛନ୍ତି। ଦାନ ସିଂ ତା ଡଙ୍ଗରରେ ୧୨ ପ୍ରକାରର ଦେଶୀ ଧାନ ଚାଷ କରୁଥିଲା। ତା ମଧ୍ୟରେ ଅଛି କଳାଜିରା, କଳାକୃଷ୍ଣ, କଳାମାଳୀ, ସୁନାସେରୀ, ହଳଦୀଗଣ୍ଠି ଇତ୍ୟାଦି। ତା ନିଜ ଭାଷାରେ ସରକାରୀ ଧାନର ଭାତ ପାଇଁ ଡାଲି ତରକାରି ଦରକାର; କିନ୍ତୁ ତା ଦେଶୀ ଧାନର ଭାତର ବାସ୍ନାରେ ଭାତ ସେମିତି ଖାଇ ହେଇଯିବ। ତେଣୁ ଦାନ ସିଂ ପ୍ରକୃତି ସନ୍ତୁଳନର ଜଣେ ରକ୍ଷକ ଏବଂ ବିନା ଡିଗ୍ରୀଧାରୀ କୃଷି ବୈଜ୍ଞାନିକ। ଓଡ଼ିଶାର ସ୍ୱର୍ଗତ ପ୍ରଫେସର ରାଧାମୋହନ ନୟାଗଡ଼ର ଓଡ଼ଗାଁ ପାଖରେ ଏକ ପଥୁରିଆ ପାହାଡିଆ ଜାଗାରେ ଜୈବିକ ପଦ୍ଧତିରେ କୃଷି କରି ବିଭିନ୍ନ ପ୍ରକାରର ପନିପରିବା, ଫଳମୂଳ ଇତ୍ୟାଦି କରୁଥିଲେ। ନାଁ ତାର ଦେଇଛନ୍ତି ସମ୍ଭବ; ଯାହା ସାଧାରଣ ଲୋକ ଭାବୁଥିବେ ଅସମ୍ଭବ। ଏହିଭଳି ଅନେକ ସ୍ଥାନୀୟ ଜନ ବିଜ୍ଞାନୀ ଅଛନ୍ତି ସେମାନଙ୍କୁ ମଧ୍ୟ ପ୍ରୋତ୍ସାହନ ମିଳିବା ଦରକାର। ଗବେଷଣା ବିଜ୍ଞାନ ଓ ଜନ ବିଜ୍ଞାନ ପରିପୂରକ ହେବା କଥା। ଶେଷରେ ଆସନ୍ତୁ କହିବା ଜୟ ଇନ୍‍ସାନ୍‍ ଜୟ ବିଜ୍ଞାନ।

Comments are closed.