ଭାରତ @ ୭୫: ଆହ୍ବାନ ଓ ସମ୍ଭାବନା

ଭାରତର ସ୍ବାଧୀନତା ୭୫ବର୍ଷ ଅତିକ୍ରମ କରିଛି। ସାମାଜିକ ଓ ଅର୍ଥନୈତିକ ସ୍ତରରେ ଏକ ମିଶ୍ରିତ ଫଳର ଅଭିଜ୍ଞତା ନେଇ ଦେଶ ବିକାଶ ପଥରେ ଆଗେଇ ଚାଲିଛି। ଏହି ପଥରେ ଅନେକ ଲକ୍ଷ୍ୟ ହାସଲ କରିଥିଲେ ମଧ୍ୟ ଆହୁରି ଅନେକ ବାକି ରହିଛି। କେତେଗୁଡିଏ ନୂତନ ଆବଶ୍ୟକତା ଓ ସମସ୍ୟା ମୁଣ୍ଡ ଟେକିଛି। ଜନସଂଖ୍ୟା ବୃଦ୍ଧି ସହିତ ନାଗରିକଙ୍କର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇଛି। ଅତୀତର ରାଜନୈତିକ ତଥା ସାମାଜିକ ପରିବେଶ ଆଉ ନାହିଁ। ୭୫ ବର୍ଷ ମଧ୍ୟରେ ୩୪ କୋଟି ଜନସଂଖ୍ୟା ଚାରିଗୁଣରୁ ଅଧିକ ହୋଇ ପାଖାପାଖି ୧୪୦ କୋଟିରେ ପହଞ୍ଚିଛି। ଆଭ୍ୟନ୍ତରୀଣ ଓ ବାହ୍ୟସ୍ତରରେ ବିଭିନ୍ନ ସ୍ଥିତିରେ ପରିବର୍ତ୍ତନ ଦ୍ବାରା ଦେଶର ଅର୍ଥିନୀତି ଆହ୍ବାନର ସାମନା କରି ବିଶ୍ବରେ ସଫଳ ଭାବରେ ଏକ ଦୃଢ ତଥା ବୃହତ୍‌ ଗଣତନ୍ତ୍ର ରାଷ୍ଟ୍ର ଭାବରେ ପ୍ରତିପାଦିତ କରିପାରିଛି। ସ୍ବାଧୀନତା ସମୟରେ ମାତ୍ର ୨.୭ ଲକ୍ଷ କୋଟି ଟଙ୍କାର ମୋଟ ଘରୋଇ ଉତ୍ପାଦ(ଜିଡିପି) ପାଖାପାଖି ୭୦ଗୁଣ ବୃଦ୍ଧି ପାଇ ଏବେ ୧୪୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ପାଞ୍ଚ ଟ୍ରିଲିଅନ ଅର୍ଥନୀତିର ସ୍ବପ୍ନ ଦେଖି ନୀତିଗତ ସ୍ତରରେ ଅନେକ ନୂତନ ନିଷ୍ପତ୍ତି ନିଆଯାଇଛି। ୭୫ ବର୍ଷ ତଳେ ଦେଶର ମୋଟ ବଜେଟର ପରିମାଣ ମାତ୍ର ୧୪୭ କୋଟି ଟଙ୍କାରୁ ୨୭୨୧୦ ଗୁଣ ବୃଦ୍ଧି ପାଇ ୪୦ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ବିଶ୍ବ ଅର୍ଥନୀତିର ମାତ୍ର ୩ ପ୍ରତିଶତ ଥିବା ଭାରତର ଅର୍ଥନୀତି ବର୍ତ୍ତମାନ ୮ ପ୍ରତିଶତକୁ ବୃଦ୍ଧି ପାଇଛି। ବିଶ୍ବର ପଞ୍ଚମ ବୃହତ୍‌ ଅର୍ଥନୀତି ହିସାବରେ ଆମ ଦେଶ ପରିଗଣିତ ହୋଇଛି। ୨୦୩୧ ସୁଦ୍ଧା ଭାରତ ତୃତୀୟ ଶକ୍ତିଶାଳୀ ରାଷ୍ଟ୍ରରେ ପରିଗଣିତ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି।

୧୯୪୭ରେ ଦେଶ ସ୍ବାଧୀନତା ପାଇବା ସମୟରେ ଭାରତର ସାମାଜିକ ତଥା ଅର୍ଥନୈତିକ ବୈଶିଷ୍ଟ୍ୟ ଦକ୍ଷିଣ ପୂର୍ବ ଏସିଆ ଓ ଚୀନ ସହିତ ସମାନ ଥିଲା। ଏହି ସମୟରେ ଭାରତ ଅର୍ଥନୀତିରେ କୃଷି ଏକ ମୁଖ୍ୟ ଭାଗ ହୋଇ ରହିଥିଲା। ଦେଶର ଜିଡିପିରେ କୃଷି କ୍ଷେତ୍ରର ଅବଦାନ ୫୫ ଭାଗ ଥିଲାବେଳେ ବର୍ତ୍ତମାନ ଏହା ୧୪ ପ୍ରତିଶତକୁ ହ୍ରାସ ପାଇଛି। ସେବା କ୍ଷେତ୍ରର ଅବଦାନ ଅନେକ ପରିମାଣରେ ବୃଦ୍ଧି ପାଇଛି। ୧୯୮୦ ମସିହାଠାରୁ ଏହା କୃଷି କ୍ଷେତ୍ରକୁ ପଛରେ ପକାଇ ବର୍ତ୍ତମାନ ପାଖାପାଖି ୫୫ ଭାଗ ରହିଛି। କୃଷି କ୍ଷେତ୍ରର ବାର୍ଷିକ ଅଭିବୃଦ୍ଧି ୪ ପ୍ରତିଶତ ହୋଇଥିବା ସ୍ଥଳେ ସେବା କ୍ଷେତ୍ରର ବାର୍ଷିକ ବୃଦ୍ଧି ହାର ୧୨ ପ୍ରତିଶତ। କୃଷି କ୍ଷେତ୍ରକୁ ଆଉ ପସନ୍ଦଯୋଗ୍ୟ ବୃତ୍ତି ହିସାବରେ ନିଆଯାଉନାହିଁ। ସମୟାନୁକ୍ରମେ ଦେଶର ଅଭିବୃଦ୍ଧି ହାରରେ ପରିବର୍ତ୍ତନ ସହିତ ଅର୍ଥନୀତିର ସଂରଚନାରେ ଅନେକ ପରିବର୍ତ୍ତନ ହୋଇଛି। ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବୈପ୍ଳବିକ ପରିବର୍ତ୍ତନ ସମଗ୍ର ଅର୍ଥନୀତିକୁ ଏକ ନୂତନ ଦିଗ ଦେଖାଇଛି। ୧୯୫୦ରୁ ୧୯୭୦ ମସିହା ଯାଏ ଦେଶ ଅର୍ଥନୀତିର ଅଭିବୃଦ୍ଧି ହାରାହାରି ୩.୫ ପ୍ରତିଶତ ଥିଲା। ପରବର୍ତ୍ତୀ ସମୟରେ ୮୦ ଓ ୯୦ ଦଶକ ସମୟରେ ହାରାହାରି ଅଭିବୃଦ୍ଧି ୫.୪ ପ୍ରତିଶତକୁ ବୃଦ୍ଧି ପାଇଲା। ୯୦ ଦଶକର ଜଗତୀକରଣ ଦ୍ବାରା ଭାରତ ବିଶ୍ବ ବାଣିଜ୍ୟକୁ ଆଗକୁ ନେବା ସହିତ ଦେଶ ପ୍ରଗତିରେ ସହାୟକ ହୋଇଥିଲା। ୨୦୦୩ ପରେ ଏହି ଅଭିବୃଦ୍ଧି ହାରରେ ଯଥେଷ୍ଟ ମାତ୍ରାରେ ପରିବର୍ତ୍ତନ ଘଟିଥିଲେ ମଧ୍ୟ ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ପାଇଁ ୨୦୦୮-୦୯ରେ ଭାରତର ଅର୍ଥନୈତିକ ସ୍ଥିତିରେ ଅନେକ କ୍ଷତି ପହଞ୍ଚିଥିଲା। ଅବଶ୍ୟ ଏହାର ପରବର୍ତ୍ତୀ ସମୟରେ ବିଭିନ୍ନ ନୀତିଗତ ନିଷ୍ପତ୍ତି ଓ ବିଶ୍ବସ୍ତରର ଘଟଣାଗୁଡିକ ପାଇଁ ଅଭିବୃଦ୍ଧିର ହାରରେ ପରିବର୍ତ୍ତନ ଆସିଥିଲା।

୨୦୧୬ ଆର୍ଥିକ ବର୍ଷରେ ବିମୁଦ୍ରାୟନ ଓ ୨୦୧୭ରେ ଜିଏସଟି ପ୍ରଚଳନ ଦେଶର ଅର୍ଥନୀତି ଅଭିବୃଦ୍ଧି ପାଇଁ ଏକ ବିରାଟ ପ୍ରଶ୍ନବାଚୀ ହୋଇ ରହିଥିଲା। ଏହି ଦୁଇଟି ନୀତିଗତ ନିଷ୍ପତ୍ତିକୁ ନେଇ କିଛି ଅର୍ଥଶାସ୍ତ୍ରୀ ଏକମତ ହୋଇ ନଥିଲେ ମଧ୍ୟ ଦେଶକୁ ଶକ୍ତିଶାଳୀ କରିବାର ପ୍ରୟାସ ନେଇ ଏହାକୁ ପ୍ରଚଳନ କରଯାଇଥିଲା। ସାମୟିକ ଭାବରେ ଅଭିବୃଦ୍ଧିର ହାର ହ୍ରାସ ପାଇଥିଲା। ୨୦୨୦ ମସିହା ମହାମାରୀ ଦ୍ବାରା ଦେଶର ଅର୍ଥନୀତି ଏକ ପ୍ରକାର ଦୋହଲି ଯାଇଥିଲା। ଦେଶର ଅଭିବୃଦ୍ଧି ପଛକୁ ଆସିଥିଲା। ଅନେକ କ୍ଷେତ୍ରରେ ସଫଳତା ପାଇଥିବା ଭାରତ ଅର୍ଥନୀତିର ଅନେକ ଦୁର୍ବଳତା ଏହି ମହାମାରୀ ଦ୍ବାରା ପଦାକୁ ଆସିଥିଲା। ଏକ ଗବେଷଣା ଅନୁସାରେ ଦେଖାଯାଇଛି ଯେ ଏହି ମହାମାରୀ ସମୟରେ ୯୦ଭାଗ ଶ୍ରମିକଙ୍କ ନିକଟରେ ଗୋଟିଏ ସପ୍ତାହ ପାଇଁ ଖାଦ୍ୟ କିଣିବାକୁ ପାଇଁ କ୍ଷମତା ନଥିଲା। ଦେଶାନ୍ତର ଶ୍ରମିକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ମହାମାରୀର ଚିକିତ୍ସା ପାଇଁ ଆବଶ୍ୟକ ମୁତାବକ ଡାକ୍ତରଖାନା, ଡାକ୍ତର, ସ୍ୱାସ୍ଥ୍ୟ କର୍ମୀମାନଙ୍କର ଅଭାବ ପରିଲକ୍ଷିତ ହୋଇଥିଲା। ଚାକିରିରୁ ଅନେକ କର୍ମଚାରୀ ଛଟେଇ ହୋଇଥିଲେ। ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କର ସମସ୍ୟା ବହୁ ଗୁଣ ବୃଦ୍ଧି ପାଇଥିଲା। ମହାମାରୀ ପରେ ରୁଷ-ୟୁକ୍ରେନ ଯୁଦ୍ଧ, ଚୀନ ଓ ଆମେରିକା ମଧ୍ୟରେ ତିକ୍ତତା ଭଳି ଘଟଣାଗୁଡିକ ଦେଶର ଆଭ୍ୟନ୍ତରୀଣ ଅର୍ଥନୀତିକୁ ଯଥେଷ୍ଟ ମାତ୍ରାରେ ପ୍ରଭାବ ପକେଇଥିଲା। ଏହି ସବୁ ଘଟଣା ଭାରତରେ ମୁଦ୍ରାସ୍ଫୀତି ବୃଦ୍ଧି ସହିତ ଟଙ୍କାର ମୂଲ୍ୟ ହ୍ରାସ ଓ ଗଚ୍ଛିତ ବୈଦେଶିକ ମୁଦ୍ରା ପରିମାଣ ହ୍ରାସ ଦେଶରେ ସାମଗ୍ରିକ ତଥା ଜନସାଧାରଣଙ୍କର ଅର୍ଥନୀତିକୁ ଯଥେଷ୍ଟ ମାତ୍ରାରେ ପ୍ରଭାବ ପକେଇଛି। ତଥାପି, ଆରବିଆଇର ତ୍ବରିତ ପଦକ୍ଷେପ ପାଇଁ କିଛି ମାତ୍ରାରେ ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ଆଗକୁ ଅନେକ ଆହ୍ବାନର ସାମନା କରିବାର ସମ୍ଭାବନା ରହିଛି। ଏପରି କି ଶ୍ରୀଲଙ୍କା, ପାକିସ୍ତାନ ଭଳି ପଡୋଶୀ ରାଷ୍ଟ୍ରର କୋଭିଡ୍‌ ପରବର୍ତ୍ତୀ ଆର୍ଥିକ ଦୁର୍ଗତିକୁ ଲକ୍ଷ୍ୟକରି ରାଜ୍ୟଗୁଡ଼ିକରେ ମାଗଣା ବାଣ୍ଟିବା ଯୋଜନା ଉପରେ ଚିନ୍ତା ପ୍ରକାଶ ପାଇଛି।

ଅନେକ ଗୁଡିଏ ସଫଳତା ଓ ବିଫଳତାର ସ୍ବାଦ ଚାଖିଥିବା ଭାରତ ଅର୍ଥନୀତି ପାଇଁ ତଥାପି ଅନେକ ଆଭ୍ୟନ୍ତରୀଣ ଓ ନୀତିଗତ ଆହ୍ବାନ ମଧ୍ୟ ରହିଛି। ‘ଅଭିବୃଦ୍ଧିଭିତ୍ତିକ’ ଅର୍ଥନୀତି ସାଧାରଣ ଜୀବନରେ ଏତେଟା ପ୍ରଭାବ ପକାଇ ନାହିଁ। ଦେଶର ସାମଗ୍ରିକ ଅର୍ଥନୀତିରେ ପରିବର୍ତ୍ତନ ଆସିଥିଲେ ମଧ୍ୟ ଜନସାଧାରଣଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସୁନାହିଁ। ଏକ ନିର୍ଦିଷ୍ଟ ବର୍ଗ ସୁବିଧା ସୁଯୋଗ ଉପଭୋଗ କରୁଥିବା ସ୍ଥଳେ ସମାଜରେ ତଳ ସ୍ତରରେ ବସବାସ କରୁଥିବା ଲୋକମାନେ ସର୍ବନିମ୍ନ ସୁବିଧା ସୁଯୋଗରୁ ଏବେ ବି ବଞ୍ଚିତ। ଦେଶ ସମ୍ପତ୍ତିର ମୁଖ୍ୟ ଭାଗ ଅଳ୍ପ କେତେ ଜଣ ଧନୀଙ୍କ ନିକଟରେ ଠୁଳ ହୋଇରହିଛି। ଏପରି କି କୋଭିଡ୍‌ ବିପର୍ଯ୍ୟୟବେଳେ ଧନୀମାନେ ଅଧିକ ଧନୀ ହୋଇଥିବା ସ୍ଥଳେ ଗରିବମାନେ ଅଧିକ ଗରିବ ହୋଇ ଯାଇଥିଲେ। ବିକାଶର ସ୍ବାଦ କେବଳ ନିର୍ଦିଷ୍ଟ କେତେ ଜଣଙ୍କ ମଧ୍ୟରେ ସୀମିତ ହୋଇ ରହିଛି। ଅର୍ଥନୈତିକ ଅସମାନତା ଦୂର କରିବା ଦେଶ ପାଇଁ ଏକ ମୁଖ୍ୟ ଆହ୍ବାନ ଭାବରେ ଉଭା ହୋଇଛି। ଧନୀ-ଗରିବ ମଧ୍ୟରେ ବଢୁଥିବା ପାର୍ଥକ୍ୟକୁ ହ୍ରାସ ନ କଲେ ଦେଶର ସାମଗ୍ରିକ ବିକାଶ ପାଇଁ ଭବିଷ୍ୟତରେ ଏକ ବିରାଟ ପ୍ରତିବନ୍ଧକ ହେବ। ଦ୍ବିତୀୟରେ, ସାମାଜିକ କ୍ଷେତ୍ରରେ ଗୁଣାତ୍ମକ ପ୍ରଗତି ହାସଲ ନ କରିବା। ଆମ ଦେଶରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସାମାଜିକ କ୍ଷେତ୍ରରେ ନିଶ୍ଚିତ ଭାବରେ ପୂର୍ବାପେକ୍ଷା ଅନେକ ପରିବର୍ତ୍ତନ ଆସିଛି। ସ୍ବାଧୀନତା ସମୟରେ ଥିବା ୧.୫ ଲକ୍ଷ ବିଦ୍ୟାଳୟ ବର୍ତ୍ତମାନ ୧୦ ଗୁଣ ବୃଦ୍ଧି ପାଇ ୧୫ ଲକ୍ଷରେ ପହଞ୍ଚିଛି। କଲେଜ ସଂଖ୍ୟା ୫୭୮ରୁ ବୃଦ୍ଧି ପାଇ ୪୨୦୦୦ରେ ପହଞ୍ଚିଛି। ସ୍ବାଧୀନତା ସମୟରେ ବିଶ୍ୱବିଦ୍ୟାଳୟ ସଂଖ୍ୟା ୨୭ରୁ ୧୦୪୩କୁ ବୃଦ୍ଧି ପାଇଛି। ସେହିଭଳି, ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଆମ ଦେଶରେ ଏକ ବିରାଟ ଆହ୍ବାନ ଭାବରେ ଉଭା ହୋଇଛି। ପୂର୍ବାପେକ୍ଷା ଡାକ୍ତରଖାନା ସଂଖ୍ୟା ବୃଦ୍ଧି ପାଇଥିଲେ ମଧ୍ୟ ପଛୁଆ ଅଞ୍ଚଳଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମିର ଅଭାବ ଅନେକ ମାତ୍ରାରେ ପରିଲକ୍ଷିତ ହୋଇଥାଏ।

ସ୍ବାଧୀନତା ସମୟରେ ମାତ୍ର ୭୦୦୦ରୁ ଦଶ ଗୁଣ ବୃଦ୍ଧି ପାଇ ଏବେ ଦେଶର ଡାକ୍ତରଖାନା(ସରକାରୀ ଓ ଘରୋଇ) ସଂଖ୍ୟା ପାଖାପାଖି ୭୦୦୦୦ରେ ପହଞ୍ଚିଛି; କିନ୍ତୁ, ଘରୋଇ ଡାକ୍ତରଖାନା ସୁବିଧା କେବଳ ଧନୀ ଲୋକଙ୍କୁ ସହଜରେ ମିଳୁଥିବା ସ୍ଥଳେ ଗରିବ ଲୋକଙ୍କ ପାଇଁ ଏ ସୁବିଧା ଅପହଞ୍ଚ। ଏପରି କି ଘରୋଇ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡିକରେ ସ୍ୱାସ୍ଥ୍ୟ ଖର୍ଚ୍ଚ ଲୋକଙ୍କ ଉପରେ ବୋଝ ହୋଇପଡିଛି। ଲୋକମାନେ ଅଧାରୁ ଅଧିକ ସ୍ୱାସ୍ଥ୍ୟ ଖର୍ଚ୍ଚ ନିଜ ପକେଟରୁ ବହନ କରିଥାନ୍ତି। ଅନେକ ପରିବାର ଏହି ସ୍ୱାସ୍ଥ୍ୟ ଖର୍ଚ୍ଚ ପାଇଁ ଗରିବ ହୋଇ ଯାଉଛନ୍ତି। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଘରୋଇକରଣ ଦ୍ବାରା ମଧ୍ୟ ଶିକ୍ଷା ଅନୁଷ୍ଠାନ ଓ ଡାକ୍ତରଖାନାଗୁଡିକର ସଂଖ୍ୟା ଛତୁଫୁଟିଲା ପରି ବୃଦ୍ଧି ପାଇଛି। ଆର୍ଥିକ ସ୍ବଚ୍ଛଳ ଥିବା ନାଗରିକମାନେ କେବଳ ଭଲ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇ ପାରୁଛନ୍ତି। ଅନେକ ଅପହଞ୍ଚ ଅଞ୍ଚଳ ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନାଗୁଡିକରେ ଶିକ୍ଷକ, ଡାକ୍ତର ଓ ଭିତ୍ତିଭୂମି ଅଭାବରୁ ଏହି ମୌଳିକ ସୁବିଧାରୁ ବଞ୍ଚିତ। ତେଣୁ ସମସ୍ତଙ୍କ ପାଇଁ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଏକ ସ୍ଲୋଗାନ ମଧ୍ୟରେ ସୀମିତ ନ କରି ଏହା ବାସ୍ତବ ରୂପରେ ସଫଳ ରୂପାୟଣ କରିବା ଅନ୍ୟତମ ଆହ୍ବାନ।
ଦେଶରେ ନିଯୁକ୍ତିକୁ ନେଇ ଅନେକ ପ୍ରଶ୍ନ ଅସମାହିତ। ଅଭିବୃଦ୍ଧି ହାର ବୃଦ୍ଧି ହେବା ସହିତ ବିଶ୍ବ ଅର୍ଥନୀତିରେ ଭାରତ ଏକ ସ୍ବତନ୍ତ୍ର ସ୍ଥାନ ଦଖଲ କରିଛି ବୋଲି କୁହାଯାଉଥିବାବେଳେ ଶିକ୍ଷିତ ବେକାରଙ୍କ ସଂଖ୍ୟା ସମପରିମାଣରେ ହ୍ରାସ ପାଉନି। ପରିସଂଖ୍ୟାନରେ ଅନେକ ଆକର୍ଷଣୀୟ ତଥ୍ୟ ଉପସ୍ଥାପନ ହେଉଥିଲେ ମଧ୍ୟ ବାସ୍ତବ ପକ୍ଷେ ଯୁବକମାନେ ଶିକ୍ଷା ପାଇବା ପରେ ଚାକିରି ମିଳିବା କାଠିକର ପାଠ ହୋଇପଡିଛି। ଅନେକ ଉଦାହରଣ ରହିଛି ଯେଉଁଠି ଦକ୍ଷତା ମୁତାବକ କାମ ମିଳୁନାହିଁ। ଯୁବକମାନେ ସ୍ବାବଲମ୍ବୀ ହେବା ପାଇଁ ଅନେକ ଯୋଜନା ହେଉଥିଲେ ମଧ୍ୟ ବାସ୍ତବରେ ଲକ୍ଷ୍ୟ ସାଧନ ହୋଇ ପାରୁନାହିଁ। ଭାରତରେ ମୋଟ ଶ୍ରମଶକ୍ତିର ୮୦ ଭାଗ ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କର ସମସ୍ୟାଗୁଡିକୁ ସମାଧାନ କରିବା ନିଶ୍ଚିତ ରୂପେ ଏକ ବଡ ଆହ୍ବାନ। ଏହି ସବୁ ନିର୍ଦିଷ୍ଟ କ୍ଷେତ୍ରଭିତ୍ତିକ ଆହ୍ବାନ ସହିତ ଦେଶରେ ସୁଶାସନ ପ୍ରତିଷ୍ଠା ସହିତ ବିକାଶର ବିତର୍କକୁ ସରକାର ସକାରାତ୍ମକ ଢଙ୍ଗରେ ଗ୍ରହଣ କରିବାର ଆବଶ୍ୟକତା ରହିଛି। କେବଳ ରାଜନୈତିକ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ ଯୋଜନା ପ୍ରସ୍ତୁତ ନ କରି ନିରନ୍ତର ବିକାଶ ପାଇଁ ସରକାର ଧ୍ୟାନ ଦେଲେ ତଳସ୍ତରରେ ବସବାସ କରୁଥିବା ଲୋକଙ୍କ ଜୀବନର ଗୁଣାତ୍ମକ ମୂଲ୍ୟ ବୃଦ୍ଧି ହେବା ସହିତ ଦେଶର ସାମଗ୍ରିକ ପ୍ରଗତି ସମ୍ଭବ ହେବ।

Comments are closed.