ସଙ୍କଟରେ ଭାରତୀୟ ବିଶ୍ବବିଦ୍ୟାଳୟ

ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ କ’ଣ ସତରେ ସୁଚିନ୍ତିତ ‘ଘେରାବନ୍ଦୀ’ ବା ଅବରୋଧ ମଧ୍ୟରେ କାଳାତିପାତ କରୁଛନ୍ତି? ୨୦୧୨ ମସିହାଠାରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟୟ ପରିମାଣ ସରକାରଙ୍କ ପ୍ରତିଶତ ବ୍ୟୟ ପରିମାଣ ଅନୁଯାୟୀ ୧.୩ରୁ ୧.୫ ପ୍ରତିଶତ ମଧ୍ୟରେ ସ୍ଥିର ହୋଇ ରହିଅଛି। ଏହା ମଧ୍ୟରେ ଶିକ୍ଷା ମନ୍ତ୍ରଣାଳୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ପ୍ରୋତ୍ସାହିତ କରୁଛି ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ଗ୍ରହଣ କ୍ଷମତାକୁ ୨୫ ପ୍ରତିଶତ ଅଭିବୃଦ୍ଧି କରିବା ପାଇଁ। ଏହାଦ୍ୱାରା ଅର୍ଥନୈତିକ ଅନଗ୍ରସର ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିବ। ଅପରପକ୍ଷରେ ଅର୍ଥ ମନ୍ତ୍ରଣାଳୟ ନୂଆ ଅଧ୍ୟାପକ ପଦ ସୃଷ୍ଟି କରିବା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଚାହୁଁଛି। କେନ୍ଦ୍ର ସ୍ତରରେ ଛାତ୍ରଛାତ୍ରୀଙ୍କ ପାଇଁ ଆର୍ଥିକ ସହାୟତା ରାଶି ପ୍ରଦାନ ପରିମାଣ ୨୦୨୧-୨୨ ଆର୍ଥିକ ବର୍ଷରେ ୨୪୮୨ କୋଟି ଥିଲାବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ୨୦୭୮ କୋଟିକୁ ହ୍ରାସ ପାଇଛି। ଗବେଷଣା ଓ ‘ଇନ୍ନୋଭେସନ୍‍’ କ୍ଷେତ୍ରରେ ପୁଞ୍ଜି ବରାଦ ୮ ପ୍ରତିଶତ ହ୍ରାସ ପାଇ ୨୧୮ କୋଟି ଟଙ୍କାରେ ପହଞ୍ଚିଛି। ଦିନେ ଉଚ୍ଚଶିକ୍ଷାର ମନ୍ଦିର ଭାବେ ପୂଜା ପାଉଥିବା ଆମର ମହାନ ଶିକ୍ଷାନୁଷ୍ଠାନଗୁଡ଼ିକ ନାନାବିଧ ସମସ୍ୟାର ଚକ୍ରବ୍ୟୂହରେ ପଡ଼ି ଆଜି ନିଷ୍ପେଷିତ ହେଉଛନ୍ତି। ବିଶ୍ୱବିଦ୍ୟାଳୟ ସ୍ତରରେ ଭୟଙ୍କର ଆର୍ଥିକ ଅନଟନ, ଅଧ୍ୟାପନା ପାଇଁ ଭିତ୍ତିଭୂମିର ଘୋର ଅଭାବ ସହ ଶିକ୍ଷାର ପ୍ରତିଫଳରେ ଅପୂର୍ଣ୍ଣତା ଓ କ୍ୟାମ୍ପସ ପରିସରରେ ଦମନଲୀଳା ସବୁକିଛି ମିଶି ଆମ ଶିକ୍ଷା ବ୍ୟବସ୍ଥାକୁ ଦିନକୁ ଦିନ ପଙ୍ଗୁ କରି ଦେଉଛି। କ’ଣ ଏକ ଉଦାସୀନ ଓ ଅମଲାତାନ୍ତ୍ରିକ ଶାସନ ବ୍ୟବସ୍ଥା ବିଶ୍ୱବିଦ୍ୟାଳୟଗୁଡ଼ିକର ବିକାଶରେ ପ୍ରତିବନ୍ଧକ ସାଜୁଛନ୍ତି?

ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପୁଞ୍ଜି ନିବେଶରେ ହ୍ରାସ ଘଟିଛି। ଭାରତବର୍ଷର ଅଧିକାଂଶ ବିଶ୍ୱବିଦ୍ୟାଳୟ ଓ କଲେଜର ଶ୍ରେଣୀ କୋଠରିଗୁଡ଼ିକ ଅତି ମାତ୍ରାରେ ସଂକୁଚିତ, ବିଶୁଦ୍ଧ ବାୟୁ ସଞ୍ଚାଳନର ଦୁର୍ଲଭତା ସହ ଦୟନୀୟ ପରିମଳ ବ୍ୟବସ୍ଥା ତଥା ଛାତ୍ରାବାସରେ ସୁବିଧାସୁଯୋଗ ଆଦୌ ସନ୍ତୋଷଜନକ ନୁହେଁ। ହାୟର ଏଜୁକେସନ୍‍ ଫାଇନାନ୍‍ସିଂ ଏଜେନ୍ସି (ଏଚ.ଇ.ଏଫ୍‍.ଏ) ଯିଏ କି ବିଭିନ୍ନ ଅନୁଷ୍ଠାନକୁ ଭିତ୍ତିଭୂମିର ବିକାଶ ପାଇଁ ଋଣ ପ୍ରଦାନ କରିଥାଏ, ତା’ର ବଜେଟ ପରିମାଣ ୨୦୨୦-୨୧ ଆର୍ଥିକ ବର୍ଷରେ ୨୦୦୦ କୋଟି ଥିଲାବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ତାହା ମାତ୍ର ୧ କୋଟିକୁ ହ୍ରାସ ପାଇଲା। ତା’ ବଦଳରେ ବିଶ୍ୱବିଦ୍ୟାଳୟଗୁଡ଼ିକ ଉପରେ ଋଣ ନେବାପାଇଁ ଚାପ ପକାଗଲା, କିନ୍ତୁ ଋଣ ଗ୍ରହଣ କରିବାର ରାସ୍ତା ଅତ୍ୟନ୍ତ ସୀମିତ ଥିଲା।

ଏପରିକି ବିଶ୍ୱବିଦ୍ୟାଳୟଗୁଡ଼ିକୁ ସେମାନଙ୍କର ଦୈନନ୍ଦିନ ପରିଚାଳନା ଖର୍ଚ୍ଚ ମେଣ୍ଟାଇବା ମଧ୍ୟ କଷ୍ଟସାଧ୍ୟ ହୋଇପଡୁଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗକୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୪୯୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଏହି ପରିମାଣ ୪୬୯୩ କୋଟି ଟଙ୍କା ଥିଲା। କିନ୍ତୁ ‘କ୍ୟାସ୍‍ ଫ୍ଲୋ’ ବା ଧନ ପ୍ରବାହ କମିବା କାରଣରୁ ଡିମ୍‍ଡ ଏବଂ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟଗୁଡ଼ିକରେ ମାସିକ ଦରମା ପ୍ରଦାନରେ ଅତିଶୟ ବିଳମ୍ବ ହୋଇଥିଲା ଯାହା ଫଳରେ କି ଅଧିକାଂଶ ବିଶ୍ୱବିଦ୍ୟାଳୟ ଘୋର ଅଭାବ ମଧ୍ୟରେ କାଳାତିପାତ କରୁଛନ୍ତି। ମାଡ୍ରାସ୍‍ ବିଶ୍ୱବିଦ୍ୟାଳୟ ପାଇଁ ସଞ୍ଚିତ ଅଭାବର ପରିମାଣ ୧୦୦ କୋଟି ଟଙ୍କାରୁ ଅଧିକ ହୋଇଥିଲା ଯାହାଫଳରେ ମାଡ୍ରାସ୍‍ ବିଶ୍ୱବିଦ୍ୟାଳୟ ତାମିଲନାଡୁ ରାଜ୍ୟ ସରକାରଙ୍କଠାରୁ ୮୮ କୋଟି ଟଙ୍କାର ଗ୍ରାଣ୍ଟ ନେବାକୁ ବାଧ୍ୟ ହୋଇଥିଲା। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୧୨ଟି କଲେଜ ଆର୍ଥିକ ଅଭାବକୁ ଅଙ୍ଗେଅଙ୍ଗେ ଅନୁଭବ କରିଛନ୍ତି। ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନରେ ପ୍ରାୟ ୫୦ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଥିଲା। ଉଦାହରଣ ସ୍ୱରୂପ ୨୦୨୧ ମସିହାରେ ଦୀନଦୟାଲ କଲେଜର ୪୨ କୋଟି ଟଙ୍କା ଆବଶ୍ୟକ ଥିଲାବେଳେ ୨୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା।

ଅଧ୍ୟାପକମାନେ ମାସ ମାସ ଧରି ସେମାନଙ୍କ ଦରମା ପାଇବାରେ ବିଳମ୍ବ ହୋଇଛି। ଉଦାହରଣ ସ୍ୱରୂପ ଶ୍ରୀ ଲାଲ୍‍ବାହାଦୁର ଶାସ୍ତ୍ରୀ ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ନାଗାଲାଣ୍ଡ ବିଶ୍ୱବିଦ୍ୟାଳୟ ଏବଂ ଝାଡ଼ଖଣ୍ଡ ବିଶ୍ୱବିଦ୍ୟାଳୟର ଫାକଲ୍‍ଟିମାନେ ମାସିକ ଦରମା ପାଇବାରେ ବିଳମ୍ବର ସମ୍ମୁଖୀନ ହୋଇଛନ୍ତି। ଏହି କାରଣରୁ ବିବେକାଧୀନ ଖର୍ଚ୍ଚ ପରିମାଣରେ ମଧ୍ୟ ହ୍ରାସ ଘଟିଛି। ଦିଲ୍ଲୀର ଏକାଧିକ କଲେଜ ମୌଳିକ ଡାଟା ବେସ୍‍ ଏବଂ ଜର୍ଣ୍ଣାଲ କିଣିବାରେ ବାର୍ଷିକ ଦେୟ ରାଶି ମଧ୍ୟ ପ୍ରଦାନ କରି ପାରୁନାହାନ୍ତି। ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକୁ ଆର୍ଥିକ ଅନୁଦାନ ରାଶିରେ ତୁରନ୍ତ ବୃଦ୍ଧି କରାଯିବା ଦରକାର ଏବଂ ଏକ ସ୍ୱତନ୍ତ୍ର ଫଣ୍ଡିଙ୍ଗ୍‍ ଧାରା ସୃଷ୍ଟି କରାଯିବା ଏକାନ୍ତ ଆବଶ୍ୟକ, ଯେଉଁଥିରୁ ଭିତ୍ତିଭୂମି ଗ୍ରାଣ୍ଟ, ଋଣ ପ୍ରଦାନ ଏବଂ ଆର୍ଥିକ ଅନୁଦାନ ମଧ୍ୟ ପ୍ରଦାନ କରାଯାଇପାରିବ। ଷ୍ଟାର୍ଟ-ଅପ୍‍ ରୟାଲ୍‍ଟି ଏବଂ ବିଜ୍ଞାପନ ପରି ଅନ୍ୟାନ୍ୟ ରାଜସ୍ୱ ଧାରାର ବ୍ୟବହାର ପାଇଁ ମଧ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକୁ ମୁକ୍ତ ହସ୍ତ ପ୍ରଦାନ କରାଯିବା ଦରକାର।

ରିସର୍ଚ୍ଚ ଗ୍ରାଣ୍ଟ ବା ଗବେଷଣା ପାଇଁ ପାଣ୍ଠି ମଧ୍ୟ ସଂକୁଚିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପ୍ରଦାନ କରୁଥିବା ଛୋଟ ଓ ବଡ଼ ଗବେଷଣା ପ୍ରକଳ୍ପ ଅନ୍ତର୍ଗତ ଗ୍ରାଣ୍ଟ ୨୦୧୬-୧୭ ଆର୍ଥିକ ବର୍ଷରେ ୪୨.୭ କୋଟି ଟଙ୍କା ଥିଲାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ତାହା ମାତ୍ର ୩୮ ଲକ୍ଷ ଟଙ୍କାକୁ ଖସି ଆସିଛି। ଭାରତବର୍ଷରେ ୧୦୪୦ରୁ ଊର୍ଦ୍ଧ୍ବ ବିଶ୍ୱବିଦ୍ୟାଳୟ ରହିଛି, ହେଲେ ତନ୍ମଧ୍ୟରୁ ମାତ୍ର ୨.୭ ପ୍ରତିଶତ ବିଶ୍ୱବିଦ୍ୟାଳୟ ପିଏଚ୍‍.ଡି ପ୍ରୋଗ୍ରାମ ପ୍ରଦାନ କରିଥାନ୍ତି। ଏହାର ପ୍ରମୁଖ କାରଣ ହେଲା ଅତ୍ୟଳ୍ପ ଫଣ୍ଡିଂ ବ୍ୟବସ୍ଥା ଏବଂ ଦରିଦ୍ର ଭିତ୍ତିଭୂମି। ନ୍ୟାସନାଲ୍‍ ରିସର୍ଚ୍ଚ ଫାଉଣ୍ଡେସନ୍‍, ଯାହାର ମୂଳ ଆଭିମୁଖ୍ୟ ହେଲା ବିଶ୍ୱବିଦ୍ୟାଳୟଗୁଡ଼ିକରେ ଗବେଷଣା ଭିତ୍ତିଭୂମିର ବିକାଶ କରିବା, ଏବେ ବି ନିଜର ଅନୁମୋଦନ ଲାଭ କରିପାରିନାହିଁ ଏବଂ ହୁଏତ ୫ ବର୍ଷ ପାଇଁ ପରିବ୍ୟାପ୍ତ ଥିବା ୫-୬ ବିଲିୟନ୍‍ ଡଲାରର ସୀମିତ ବଜେଟ୍‍ ଅର୍ଥରାଶି ଭିତରେ ତାକୁ କାର୍ଯ୍ୟ କରିବାକୁ ପଡ଼ିବ। ଏହା ସ୍ପଷ୍ଟ ଭାବେ କୁହାଯାଇପାରେ ଯେ ଗବେଷଣା ପାଇଁ ଆର୍ଥିକ ଅନୁଦାନ ବୃଦ୍ଧି ଏକାନ୍ତ ଅପରିହାର୍ଯ୍ୟ ଓ ମହତ୍ତ୍ୱପୂର୍ଣ୍ଣ ଅଟେ। ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ୍‍ର ଭୂମିକା ଏ କ୍ଷେତ୍ରରେ ଅନନ୍ୟ ସାଧାରଣ ଓ ମହତ୍ତର ଅଟେ।

ଏହାମଧ୍ୟରେ ଏକାଡେମିକ ଷ୍ଟାଣ୍ଡାର୍ଡ ଓ ପ୍ରକ୍ରିୟା ଠିକ୍‍ ଭାବେ ଅନୁରକ୍ଷିତ ହୋଇପାରୁନାହିଁ। ପରୀକ୍ଷା ପ୍ରଶ୍ନପତ୍ରରେ ପ୍ରଘଟ ଏକ ସାଧାରଣ କଥା ହୋଇଗଲାଣି। ୟୁ.ଜି.ସି. ଦ୍ୱାରା ପରିଚାଳିତ ନ୍ୟାସନାଲ୍‍ ଏଲିଜିବିଲିଟି ଟେଷ୍ଟ (ଯେଉଁ ପରୀକ୍ଷାରେ ପାସ୍‍ କଲେ ପୋଷ୍ଟ ଗ୍ରାଜୁଏଟ୍‍ ଛାତ୍ରଛାତ୍ରୀମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ କଲେଜଗୁଡ଼ିକରେ ଅଧ୍ୟାପକ ଭାବେ ନିଯୁକ୍ତି ପାଇଥାନ୍ତେ)ର ହିନ୍ଦୀ ପ୍ରଶ୍ନପତ୍ର ଜୁନ୍‍-୨୦୨୧ରେ ପ୍ରଘଟ ହୋଇଗଲା। ଛାତ୍ରଛାତ୍ରୀମାନେ ଉପାଖ୍ୟାନାତ୍ମକ ଢଙ୍ଗରେ ପରିପ୍ରକାଶ କଲେ ଯେ ପରୀକ୍ଷା କେନ୍ଦ୍ର ପରିଚାଳକମାନେ ଜଣେ ଛାତ୍ର ପିଛା ୩ ଲକ୍ଷ ଟଙ୍କା ନେଇ ପରୀକ୍ଷାରେ ତାଙ୍କୁ ପାସ୍‍ କରାଇବାରେ ସହାୟତା କରିପାରିବେ। ଖୁବ୍‍ ନିକଟ ଅତୀତରେ ସୁରତରେ ଥିବା ବୀର ନର୍ମଦ ଦକ୍ଷିଣ ଗୁଜରାଟ ବିଶ୍ୱବିଦ୍ୟାଳୟର ଗୋଟିଏ ପେପର୍‍ ପ୍ରଘଟ ହୋଇଗଲା ପରେ ନିର୍ଦିଷ୍ଟ ବି.ଏ. ଓ ବି.କମ୍‍ କୋର୍ସର ପରୀକ୍ଷାକୁ ପୁନଃନିର୍ଦ୍ଧାରିତ କରାଯାଇଥିଲା। ଏଭଳି ଶିକ୍ଷାନୁଷ୍ଠାନଗୁଡ଼ିକ ସେମାନଙ୍କର ପରୀକ୍ଷାର ପବିତ୍ରତାକୁ ସୁରକ୍ଷିତ କରିବାରେ ବିଫଳ ହୋଇଛନ୍ତି। ଏଥିରେ ସୁଧାର ଆଣିବାକୁ ହେଲେ ବିକେନ୍ଦ୍ରୀକରଣ ବ୍ୟବସ୍ଥାର ପ୍ରଚଳନ ଏକାନ୍ତ ଅପରିହାର୍ଯ୍ୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଏକାଡେମିକ କାର୍ଯ୍ୟକ୍ରମ, ପଦୋନ୍ନତି, ରିସର୍ଚ୍ଚ ଡିଜାଇନ୍‍ ଆଦି କ୍ଷେତ୍ରରେ ନିର୍ଣ୍ଣୟ ନେବା ପାଇଁ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯିବା ଦରକାର।

ଐତିହାସିକ ଦୃଷ୍ଟିକୋଣରୁ ଦେଖିଲେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ମୁକ୍ତ ଅଭିବ୍ୟକ୍ତିର ଗଡ଼ ହେବା ସହ ରାଷ୍ଟ୍ରବାଦର ମଧ୍ୟ କେନ୍ଦ୍ର ହୋଇଥାନ୍ତି। ମଦନମୋହନ ମାଲବ୍ୟଙ୍କ ଦ୍ୱାରା ଉଦ୍‍ଘାଟିତ ସେଣ୍ଟ୍ରାଲ ହିନ୍ଦୁ କଲେଜ, ଦିଲ୍ଲୀ ସ୍ୱାଧୀନତା ସଂଗ୍ରାମ ସମୟରେ ରାଜନୈତିକ ତର୍କ ବିତର୍କର କେନ୍ଦ୍ରସ୍ଥଳୀ ଥିଲା। ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଭାରତ ଛାତ୍ର ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ ୧୯୧୫ ମସିହାରେ ରାସବିହାରୀ ବୋଷ ଓ ଲାଲା ହରଦୟାଲଙ୍କ ସପକ୍ଷରେ ସାମିଲ ହୋଇଥିଲେ। କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ୧୯୪୭ ମସିହାରେ ଦେଶ ବିଭାଜନ ସମୟର ଶରଣାର୍ଥୀମାନଙ୍କୁ ସେମାନଙ୍କର ପୁନର୍ବାସ ପାଇଁ ଯଥେଷ୍ଟ ସହାୟତା ପ୍ରଦାନ କରୁଥିଲେ। ୧୯୧୪ ମସିହାରେ ପ୍ରତିଷ୍ଠିତ ଦେଶର ତୃତୀୟ ସର୍ବପୁରାତନ ମହିଳା କଲେଜ ଚେନ୍ନଇର କୁଇନ ମ୍ୟାରୀଙ୍କ କଲେଜ ଭାରତ ଛାଡ଼ ଆନ୍ଦୋଳନ ସପକ୍ଷରେ ଏକାଧିକ ବିରୋଧର ମୂକସାକ୍ଷୀ ରୂପେ ଆଜି ଦଣ୍ଡାୟମାନ। ଏହା ବିରୋଧରେ ସାମିଲ ହୋଇଥିବା ଛାତ୍ରମାନଙ୍କୁ ମ୍ୟାରିନା ବିଚ୍‍ ରାସ୍ତା ଜେଲ୍‍ ବା ସୁଧାର ଗୃହରେ ନଜରବନ୍ଦୀ କରି ରଖାଯାଉଥିଲା।

ଖୁବ୍‍ ନିକଟ ଅତୀତରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆନ୍ନା ହଜାରେଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିବା ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନ ସହ ଜଡ଼ିତ ହୋଇଥିଲେ। ମୁକ୍ତ ଅଭିବ୍ୟକ୍ତି ପାଇଁ ଅଧିକାର ଏବଂ ଜାତୀୟତାବାଦ ମଧ୍ୟରେ ଥିବା ଏହି ଅତି ସୂକ୍ଷ୍ମ ବା ମନୋମୁଗ୍ଧକର ଭାରସାମ୍ୟକୁ ବିଭିନ୍ନ ରାଜନୈତିକ ଶାସନ ବ୍ୟବସ୍ଥା ଦ୍ୱାରା ପ୍ରୋତ୍ସାହିତ କରାଯାଇଛି ଏବଂ ଗଣତନ୍ତ୍ର ଓ ନାଗରିକ ସମାଜକୁ ସୁଦୃଢ଼ କରିବାରେ ବିଶ୍ୱବିଦ୍ୟାଳୟର ଭୂମିକା ସଂପର୍କରେ ରାଜନୈତିକ ନେତୃତ୍ୱ ସଂପୂର୍ଣ୍ଣ ଭାବେ ଅବଗତ ଥିଲେ। ତଥାପି ସଂସ୍ଥାଗତ ଉଦାସୀନତା ଦମନ ପ୍ରକ୍ରିୟାକୁ ବାଟ କଢ଼େଇନେଲା। ଉଦାହରଣ ସ୍ୱରୂପ ଜେ.ଏନ୍‍.ୟୁ. ଓ ଜାମିଆ ମିଲିଆର ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ୍‍ ବିରୋଧୀ କାର୍ଯ୍ୟକଳାପ ପାଇଁ ପୁଲିସର ଦମନଲୀଳା ଘଟଣା କ୍ୟାମ୍ପସ୍‍ରେ ମୁକ୍ତ ଅଭିବ୍ୟକ୍ତି ଉପରେ ଆଚ୍ଛାଦନ ଢାଙ୍କି ଦେଲା। ଛାତ୍ରଛାତ୍ରୀ ଓ ଫାକଲ୍‍ଟି ମେମ୍ବରମାନଙ୍କୁ ନିୟମିତ ରୂପେ ଅପମାନିତ କରାଯାଇ ସେମାନଙ୍କୁ ରାଷ୍ଟ୍ରବିରୋଧୀ ଭାବେ ଚିତ୍ରିତ କରାଗଲା। ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ମତପାର୍ଥକ୍ୟ ଓ ବିଚାରଧାରାରେ ବିବିଧତା ରହିବା ସ୍ୱାଭାବିକ। ଯଦି ମୁକ୍ତ ବିଚାରଧାରାକୁ ପ୍ରୋତ୍ସାହିତ କରାନଯାଏ ତାହେଲେ ଆମ ବିଶ୍ୱବିଦ୍ୟାଳୟଗୁଡ଼ିକ ‘କ୍ରିଟିକାଲ ଥିଙ୍କିଙ୍ଗ୍‍’ର ଚାମ୍ପିଅନ୍‍ ହେବେ ବା କିପରି?

ଭାରତବର୍ଷର ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଆଜି ଅନ୍ତ୍ୟେଷ୍ଟି ଅବସ୍ଥାରେ କାଳ କାଟୁଛନ୍ତି। ଏହା ‘ଗ୍ଲୋବାଲ Ñଙ୍କିଙ୍ଗ୍‍’ରେ ମଧ୍ୟ ପ୍ରତିଫଳିତ ହେଉଅଛି। କ୍ୟୁଏସ ୱାର୍ଲ୍ଡ ୟୁନିଭରସିଟି Ñଙ୍କିଙ୍ଗ୍‍ରେ ବିଶ୍ୱର ଶ୍ରେଷ୍ଠ ୫୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ମାତ୍ର ଆଠ। ଜାତୀୟ ଶିକ୍ଷାନୀତି-୨୦୨୦ ‘କ୍ରିଟିକାଲ୍‍ ଥିଙ୍କିଙ୍ଗ୍‍’, ସମସ୍ୟାର ସମାଧାନ ତଥା ସାମାଜିକ, ନୈତିକ ଓ ଭାବନାତ୍ମକ ଦକ୍ଷତା ଓ ସ୍ୱଭାବକୁ ପ୍ରୋତ୍ସାହିତ କରିବା ପାଇଁ ନିଜର ଧ୍ୟାନ କେନ୍ଦ୍ରୀଭୂତ କରିଛି। ଏ ସବୁର ସଫଳ ରୂପାୟଣ ପାଇଁ ଉତ୍ସାହଜନକ ପରିବେଶ, ଅଧିକ ପୁଞ୍ଜି ଲଗାଣ, ସ୍ୱୟଂଶାସନ ବ୍ୟବସ୍ଥା ତଥା ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟକଳାପ ପ୍ରତି ସରକାରଙ୍କର ସହନଶୀଳତା ଏକାନ୍ତ ଅପରିହାର୍ଯ୍ୟ।

Comments are closed.