ବିଦ୍ୟୁତ୍‌ ରିଆତି: ଲାଭକ୍ଷତିର ଫର୍ଦ

ପଞ୍ଚାନନ କାନୁନ୍‌ଗୋ

‘ସମାଜ’ରେ ଏପ୍ରିଲ୍‍ ୨୧ରେ ‘ବିଦ୍ୟୁତ୍‍ ଦରବୃଦ୍ଧି ବିକାଶର ପ୍ରତିବନ୍ଧକ’ ଶିରୋନାମାରେ ଲେଖକଙ୍କର ଏକ ଲେଖା ‘ସମାଜ’ରେ ପ୍ରକାଶ ପାଇଥିଲା। ସେଥିରେ ୨୦୦ ୟୁନିଟ୍‍ ପର୍ଯ୍ୟନ୍ତ ପ୍ରତ୍ୟେକ ଉପଭୋକ୍ତାଙ୍କୁ ବିଦ୍ୟୁତ୍‍ ଶୁଳ୍କ ଛାଡ଼ ପ୍ରସ୍ତାବଟି ପାଠକରି କିଛି ପାଠକ ଫୋନ୍‌ ଜରିଆରେ ଏହାର ସ୍ପଷ୍ଟୀକରଣ ଚାହିଁଲେ। କେତେକ ମତ ଦେଇଥିଲେ ଯେ, ଏଥିପାଇଁ ରିଆତି ଦେଲେ ରାଜ୍ୟ ଦେବାଳିଆ ହୋଇଯିବ। କେତେକ କହିଲେ, ଏଥିରେ ରାଜ୍ୟର କିପରି ଲାଭ ହେବ? ବରଂ କ୍ଷତି ହେବ। ଲୋକଙ୍କର ମାଗଣା ଖାଇବା ଅଭ୍ୟାସ ବଢ଼ିଯାଇଛି, ଆହୁରି ବଢ଼ିଯିବ। କିଛି ମନ୍ତବ୍ୟ ଦେଲେ, ଆପଣ ତ ବିଦ୍ୟୁତ୍‍ ଦର ବୃଦ୍ଧି ବିରୋଧରେ ଲାଗି ଆସିଛନ୍ତି, ସେଥିପାଇଁ ଚେଷ୍ଟା ଚଳାଇ ରଖନ୍ତୁ। ସହଜେ ତ ଅନେକ ରିଆତି କଥା ଶୁଣିବା ମାତ୍ରକେ ନାକ ଟେକନ୍ତି। କିଛି ଚିନ୍ତାଶୀଳ ନାଗରିକ ଏହା ବିରୋଧରେ ଅନେକ ତଥ୍ୟ ଉପସ୍ଥାପନ ପୂର୍ବକ ମନ୍ତବ୍ୟ ଦେଇଥାନ୍ତି।

ଏକଥା ନିଚ୍ଛକ ସତ୍ୟ ଯେ ଓ.ଇ.ଆର.ସି. ଆଳନେଇ ସରକାର ନିଜ ଦାୟିତ୍ୱ ଛଡ଼ାଇ ଦେଇଛନ୍ତି। ଏପରି କି ବିଭାଗୀୟ ମନ୍ତ୍ରୀ ବିଦ୍ୟୁତ୍‍ ଶୁଳ୍କ ବୃଦ୍ଧି ବିରୁଦ୍ଧରେ ଓ.ଇ.ଆର.ସି. ପାଖରେ ରିଭ୍ୟୁ ପିଟିସନ କରିବେ ବୋଲି ପବିତ୍ର ଗୃହ ବିଧାନସଭାରେ କହି ରାଜ୍ୟବାସୀ ଉପଭୋକ୍ତାଙ୍କୁ ଠକିଦେଲେ। ଜଣେ ଅତ୍ୟନ୍ତ ଚିନ୍ତାଶୀଳ ଲଢ଼ୁଆ ସାଥୀ ଆନନ୍ଦ ମହାପାତ୍ର ଏକ ରିଭ୍ୟୁ ପିଟିସନ୍‍ ଓ.ଇ.ଆର.ସି.ରେ ଦାଖଲ କରିଛନ୍ତି ଓ ସମସ୍ତ ବଳିଷ୍ଠ ଯୁକ୍ତି ଦର୍ଶାଇଛନ୍ତି। ସେ ସଂପର୍କରେ ଆମ ଦୁଇଜଣଙ୍କ ଭିତରେ ବିଚାରବିମର୍ଶ ହୋଇଛି। ଦେଖାଯାଉ ଉପଭୋକ୍ତାଙ୍କ ସ୍ୱାର୍ଥ କେତେଦୂର ସୁରକ୍ଷିତ ରହୁଛି ? ମାତ୍ର କରୋନା ମହାମାରୀ ସମୟରେ ଯେତେବେଳେ ରାଜ୍ୟର ଆର୍ଥିକ ସ୍ଥିତି ଉଜୁଡ଼ି ଯାଉଛି, ସେ ସମୟରେ ରାଜ୍ୟ ସରକାରଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଏଇ ରିଆତି କଥା ଉଠାଇବାକୁ ହେଲା। ଯେଉଁଥିରେ ରାଜ୍ୟ ଓ ସମସ୍ତ ଉପଭୋକ୍ତା ଲାଭବାନ ହେବେ ବୋଲି ବିଶ୍ୱାସ ରହିଛି। ବିଦ୍ୟୁତ୍‍ ରିଆତି ପ୍ରସ୍ତାବ ରଖିବାବେଳେ ଦୁଇଗୋଟି ରାଜ୍ୟ ଯଥା ଦିଲ୍ଲୀ ଓ ଛତିଶଗଡ଼ ସାମ୍‍ନାକୁ ଆସିଥାଏ। ଦିଲ୍ଲୀରେ ଆପ୍‍ ସରକାର ନିଜର ନିର୍ବାଚନ ପ୍ରତିଶ୍ରୁତି ପାଳନ କରି ୨୦୦ ୟୁନିଟ୍‍ ପର୍ଯ୍ୟନ୍ତ ଛାଡ଼ କରିଥିଲେ। ଛତିଶଗଡ଼ରେ ୪୦୦ ୟୁନିଟ୍‍ ପର୍ଯ୍ୟନ୍ତ ବ୍ୟବହାରକାରୀଙ୍କ ଦେୟ ଅଧା ଛାଡ଼ କରାଯାଇଛି।

ପ୍ରଥମେ ସଂକ୍ଷେପରେ କୁହାଯାଇପାରେ ଯେ କେତେକ ରିଆତି କେବଳ ଖାଉଟି ରିଆତି ଭାବରେ ଲାଗିଥାଏ। ଜନମଙ୍ଗଳକାରୀ ରାଷ୍ଟ୍ରର ଏକ ଲୋକହିତକାରୀ କାର୍ଯ୍ୟ ବୋଲି କୁହାଗଲେ ମଧ୍ୟ ଅନେକ ସମୟରେ ରାଜନୈତିକ ଫାଇଦା ବା ଶସ୍ତା ଲୋକପ୍ରିୟତା ଅର୍ଜନ ଉଦ୍ଦେଶ୍ୟରେ ଅଯଥା ଏପରି ଅପବ୍ୟୟ କରାଯାଇଥାଏ। ଏଥିରୁ ସେପରି କିଛି ଆଖିଦୃଶିଆ ଲାଭ ମିଳି ନଥାଏ। ବ୍ୟକ୍ତି ସର୍ବକାଳୀନ ନିର୍ଭରଶୀଳ ହୁଏ ଓ ରାଜ୍ୟ କ୍ଷତି ସହେ। ଯଦିଓ ଉତ୍ପାଦନର କ୍ରୟ କରିବାରେ ଏହା ସହାୟକ ହୋଇଥାଏ ଓ ସେଥିରେ କେତେକାଂଶରେ ଖାଉଟି ଲାଭବାନ ହୋଇପାରେ, ହେଲେ ଉତ୍ପାଦନକାରୀ ଏଥିରୁ ବିଶେଷ କିଛି ଲାଭ ପାଇ ନଥାଏ। ଯେପରି ଖାଦ୍ୟପାଇଁ ରିଆତି ବା ୧ ଟଙ୍କାରେ କିଲେ ଚାଉଳ ପ୍ରଦାନ କଥା ରହିଛି। ଅନ୍ୟପକ୍ଷରେ ସାର ବାବଦ ରିଆତି ଉତ୍ପାଦନ ବୃଦ୍ଧିରେ ସହାୟକ ହେଲେ ମଧ୍ୟ ଏହାର ବିରାଟ ଅଂଶଟି ସାର ଉତ୍ପାଦନକାରୀ ଶିଳ୍ପ ସଂସ୍ଥା ହାତକୁ ଚାଲି ଯାଇଥାଏ। ପ୍ରକୃତପକ୍ଷେ ଉତ୍ପାଦନକାରୀ ଚାଷୀ ଏଥିରୁ ବିଶେଷ ଫାଇଦା ପାଇ ନଥାଏ। ହେଲେ ବିଦ୍ୟୁତ୍‍ ରିଆତି ପ୍ରତ୍ୟେକ ଖାଉଟି ବା ଉପଭୋକ୍ତାକୁ ଏକ ସମର୍ଥନ ଦେବା ସହିତ ସେମାନଙ୍କ ଚାଷ ଓ ବ୍ୟବସାୟ, ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପସଂସ୍ଥା ପରିଚାଳନାରେ ପ୍ରୋତ୍ସାହନ ଯୋଗାଇଥାଏ। ଚାଷୀକୁ ଉଠା ଜଳସେଚନ ପ୍ରକଳ୍ପ ପାଇଁ ଆକୃଷ୍ଟ କରିବା ସହିତ ଉତ୍ପାଦନ ରକ୍ଷଣାବେକ୍ଷଣରେ ସାହାଯ୍ୟ କରିଥାଏ। ଶୀତଳ ଭଣ୍ଡାର, ଖାଦ୍ୟ ପ୍ରକ୍ରିୟାକରଣରେ ମଧ୍ୟ ସହାୟକ ହୋଇଥାଏ। ସାଧାରଣ ଉପଭୋକ୍ତା ସମେତ ଚାଷୀ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନ ଚଳାଉଥିବା ଉଦ୍ୟୋଗୀ, ଏପରିକି କୁକୁଡ଼ାଚାଷୀ, ମାଛଚାଷୀ, ଦୁଗ୍‍ଧଚାଷୀ ସମସ୍ତେ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ ପାଇଥାନ୍ତି।

ସବୁଠାରୁ ବେଶୀ ଲାଭ ହେବ, ରାଜ୍ୟ ସରକାର ତଥା ବିଦ୍ୟୁତ୍‍ ଉତ୍ପାଦନକାରୀ ତଥା ବିତରକ କମ୍ପାନୀଙ୍କର। େଚାରି ସଂପୂର୍ଣ୍ଣ ବନ୍ଦ ହୋଇଯିବ, ବିତରଣ ଜନିତ କ୍ଷତି ମଧ୍ୟ କମିଯିବ। ଉପଭୋକ୍ତାଙ୍କୁ ୨୦୦ ୟୁନିଟ୍‍ ଛାଡ ପ୍ରଥମେ ଦିଲ୍ଲୀରେ ଆପ୍‌ ସରକାର କରିଥିଲେ। ଅନେକ ଏହାକୁ ଦିଲ୍ଲୀର ଆର୍ଥିକ ସ୍ଥିତି ଉଜାଡ଼ିଦେବ ବୋଲି ବିଚାରୁଥିଲେ। ତା’ ହେଲା ନାହିଁ। ଦିଲ୍ଲୀ ବିଦ୍ୟୁତ୍‍ ଉତ୍ପାଦନ କରେ ନାହିଁ, ଉଚ୍ଚ ଦରରେ କିଣିଥାଏ: ତଥାପି ଏପରି ରିଆତି ଦେଇପାରିଲା। ଏହାଠାରୁ ବଳିଷ୍ଠ ଉଦାହରଣ ହେଉଛି ଓଡ଼ିଶାର ପଡୋଶୀ ରାଜ୍ୟ ଛତିଶଗଡ଼ ବିଦ୍ୟୁତ୍‍ ଦେୟର ଅର୍ଦ୍ଧେକ ଛାଡ଼ ନିଷ୍ପତ୍ତି। ଏହି ରାଜ୍ୟଟି ଓଡ଼ିଶା ପରି ବିଦ୍ୟୁତ୍‍ ଉତ୍ପାଦନକାରୀ ରାଜ୍ୟ ଅଟେ। ସେ ମଧ୍ୟ ଅଳ୍ପ ଖର୍ଚ୍ଚରେ ଜଳବିଦ୍ୟୁତ୍‍ ଉତ୍ପାଦନ କରେ। ଓଡ଼ିଶା ତୁଳନାରେ କିନ୍ତୁ ଜଳବିଦ୍ୟୁତ୍‍ ଉତ୍ପାଦନ କମ୍‍। ଓଡ଼ିଶାରେ ବିଦ୍ୟୁତ୍‍ ବ୍ୟବହାରର ହାରାହାରି ବର୍ଷକୁ ୪୦% ଜଳବିଦ୍ୟୁତ୍‍ରୁ ମିଳିଥିବାବେଳେ ଛତିଶଗଡ଼ରେ ଏହା ୧୨%ରୁ କମ୍‍। ଓଡ଼ିଶାରେ ଜଳବିଦ୍ୟୁତ୍‍ ଆହରଣ ୨୦୨୨ ମସିହା ପାଇଁ ୫୮୮୧.୭୪ ଲକ୍ଷ ୟୁନିଟ୍‍ ରହିଛି, ଯାହାର ୟୁନିଟ୍‍ ପିଛା ମୂଲ୍ୟ ହାରାହାରି ମାତ୍ର ୯୧.୪୧ ପଇସା ରହିଛି ଓ ସମୁଦାୟ ତାପଜ ବିଦ୍ୟୁତ୍‍ରୁ ୨୨ ହଜାର ୯୦୦ ମିଲିୟନ ୟୁନିଟ୍‍ରୁ ମିଳିଥାଏ।

ସେ ସବୁର ପ୍ରତ୍ୟେକ ୟୁନିଟ୍‍ ପିଛା କ୍ରୟମୂଲ୍ୟ ମିଶାଇ ହାରାହାରି ୟୁନିଟ୍‍ ପିଛା ମାତ୍ର ୨୭୮.୦୫ ପଇସା ଅଛି। ଛତିଶଗଡ଼ରେ ଦେଶର ୧୬% କୋଇଲା ଗଚ୍ଛିତ ଥିବାବେଳେ ଓଡ଼ିଶାରେ ଏହି ମାତ୍ରା ୨୫% ପାଖାପାଖି। ଓଡ଼ିଶାରେ ବିଦ୍ୟୁତ୍‍ ଉପଭୋକ୍ତା ପରିବାର ସଂଖ୍ୟା ୮୫ ଲକ୍ଷ ଥିବାବେଳେ ଛତିଶଗଡ଼ରେ ଏହି ସଂଖ୍ୟା ପାଖାପାଖି ଅର୍ଦ୍ଧେକ ଅର୍ଥାତ୍‍ ୪୩ ଲକ୍ଷ। ଓଡ଼ିଶାରେ ମୁଣ୍ଡପିଛା ବିଦ୍ୟୁତ୍‍ ବ୍ୟବହାର ଘଣ୍ଟାପ୍ରତି ୧୫୬୩.୬ କି.ୱାଟ୍‍ ଥିବାବେଳେ ଛତିଶଗଡ଼ରେ ଏହା ଘଣ୍ଟାପ୍ରତି ୨୦୨୦.୨୧ କି.ୱାଟ୍‍ ଥିଲା(୨୦୧୫)। ଛତିଶଗଡ଼ରେ ଗତ ବର୍ଷଗୁଡ଼ିକରେ ୧୫%ରୁ ଅଧିକ ହାରରେ ବାର୍ଷିକ ବିଦ୍ୟୁତ୍‍ ବ୍ୟବହାର ବୃଦ୍ଧି ଘଟୁଥିବାବେଳେ ଓଡ଼ିଶାରେ ବ୍ୟବହାର କମିବାରେ ଲାଗିଛି ଓ ଗତ ବର୍ଷଗୁଡ଼ିକରେ ୨ରୁ ୩% ବ୍ୟବହାର ବୃଦ୍ଧି ଘଟିଛି। ଏ କଥା ମଧ୍ୟ ମନେ ରଖିବାକୁ ହେବ ଯେ ଓଡ଼ିଶା ଓ ଛତିଶଗଡ଼ର ମୁଣ୍ଡପିଛା ଆୟ ପ୍ରାୟ ପାଖାପାଖି।

ଏପରି ଏକ ସ୍ଥିତି ଥାଇ ଛତିଶଗଡ଼ର ଅଧା ବିଲ୍‍ ଛାଡ଼, ଅର୍ଥାତ୍‍ ପ୍ରତ୍ୟେକ ଉପଭୋକ୍ତାଙ୍କ ୪୦୦ ୟୁନିଟ୍‍ ପର୍ଯ୍ୟନ୍ତ ୟୁନିଟ୍‍ ପିଛା ୪.୫୦ ପଇସା ପରିବର୍ତ୍ତେ ୨.୩୦ପଇସା ନିଆଯାଇଥାଏ। ଏହି ରିଆତି ୩୮ ଲକ୍ଷ ୪୨ ହଜାର ଉପଭୋକ୍ତାଙ୍କୁ ଦିଆଯାଏ। ଏଥିପାଇଁ ସରକାରଙ୍କ ତହବିଲରୁ ବର୍ଷକୁ ୧୩୩୬ କୋଟି ଟଙ୍କା ବ୍ୟୟବରାଦ କରାଯାଉଛି। ଓଡ଼ିଶାରେ ବିଦ୍ୟୁତ୍‍ ଗ୍ରାହକଙ୍କ ସଂଖ୍ୟା ମୋଟ ୮୫ ଲକ୍ଷ ୫୬ ହଜାର। ପ୍ରତ୍ୟେକ ଉପଭୋକ୍ତାଙ୍କୁ ୪୦୦ ୟୁନିଟ୍‍ ପର୍ଯ୍ୟନ୍ତ ବିଦ୍ୟୁତ୍‍ ଶୁଳ୍କ ଅଧା ଛାଡ଼ ହେଲେ ଏ ବାବଦ ରିଆତି ନିମନ୍ତେ ସରକାରଙ୍କୁ ବର୍ଷକୁ ପାଖାପାଖି ୫୦୦୦ କୋଟି ଟଙ୍କା ଦେବାକୁ ପଡ଼ିବ। ବର୍ଦ୍ଧିତ ବିଦ୍ୟୁତ୍‍ ଦର ଅନୁସାରେ ୫୦ ୟୁନିଟ୍‍ ପର୍ଯ୍ୟନ୍ତ ୟୁନିଟ୍‍ ପିଛା ୩ଟଙ୍କା ହିସାବରେ ଜଣେ ଉପଭୋକ୍ତାଙ୍କୁ ୧୫୦ ଟଙ୍କା ଓ ପରବର୍ତ୍ତୀ ୧୫୦ ୟୁନିଟ୍‍ ପାଇଁ ୟୁନିଟ୍‍ ପିଛା ୪.୮୦ ପଇସା ହିସାବରେ ୭୨୦ ଟଙ୍କା ଦେବାକୁ ହେଉଛି। ପରବର୍ତ୍ତୀ ୨୦୦ ୟୁନିଟ୍‍ ପାଇଁ ୟୁନିଟ୍‍ ପିଛା ୫ଟଙ୍କା ୮୦ ପଇସା ହେବାକୁ ହୋଇଥାଏ। ଅର୍ଥାତ୍‍ ୪୦୦ ୟୁନିଟ୍‍ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ପ୍ରତ୍ୟେକ ଉପଭୋକ୍ତାଙ୍କୁ ୧୧୬୦ ଟଙ୍କା ଦେବାକୁ ହୋଇଥାଏ। ମାସକୁ ମୋଟ ଉପରେ ପ୍ରଥମ ୪୦୦ ୟୁନିଟ୍‍ ପର୍ଯ୍ୟନ୍ତ ଅଧା ବିଦ୍ୟୁତ୍‍ ଦେୟ ଛାଡ଼ କଲେ ପରିବାର ପିଛା ବାର୍ଷିକ ୧୦ ହଜାର ଟଙ୍କା ଛାଡ଼ ହେବ।

ଓଡ଼ିଶାରେ ସରକାରଙ୍କୁ ପ୍ରଥମବର୍ଷ ପାଖାପାଖି ୮ ହଜାର କୋଟି ଟଙ୍କା ଛାଡ଼ କରିବାକୁ ପଡ଼ିବ, ଯାହାକି କାଳିଆ ଯୋଜନା ବାବଦ ବାର୍ଷିକ ଦେୟଠାରୁ କମ୍‍। କରୋନା ସମୟରେ ଦରବୃଦ୍ଧି ଓ ଆୟ କମିବା ହେତୁ ଚଳିତ ବର୍ଷ ଅନେକ ପରିବାର ଖର୍ଚ୍ଚ କାଟ କରିଥିବା ଦେଖାଯାଉଛି। ସଂପ୍ରତି ଗୋଟିଏ ହିସାବରୁ ଜଣାଯାଏ (ପିୟୁ ରିସର୍ଚ୍ଚ ସେଣ୍ଟର) କରୋନା ସମୟରେ ଦେଶରେ ୩୨ ନିୟୁତ ପରିବାର ମଧ୍ୟବିତ୍ତ ବର୍ଗରୁ ତଳକୁ ଖସି ଆସିଛନ୍ତି। ସେଥିରେ ଓଡ଼ିଶାର ମାତ୍ରା ୪% ଅଛି। ଏହା ପ୍ରଥମ କରୋନା କାଳରେ ୨୦୨୧ ଜାନୁଆରୀରେ ଘଟିଛି। ଏବେ ଆହୁରି ବଢ଼ିଯିବ। ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବର୍ଗ, ବେରୋଜଗାରୀ ସଂଖ୍ୟା ବୃଦ୍ଧି ପାଇଛି। ଶିଳ୍ପୋଦ୍ୟୋଗର ଅନ୍ୟତମ ମୁଖ୍ୟ ପଣ୍ୟ ହେଉଛି ବିଦ୍ୟୁତ୍‍ ଶକ୍ତି। ମାସକୁ ୪୦୦ ୟୁନିଟ୍‍ର ଅଧା ଦାମ ଛାଡ଼ କରାଗଲେ ବା ୨୦୦ ୟୁନିଟ୍‍ ପର୍ଯ୍ୟନ୍ତ ପୂରା ଛାଡ଼ କଲେ, ସେମାନେ ସମସ୍ତେ ଉତ୍ସାହିତ ହେବେ। ଏଥିରେ ରାଜ୍ୟ ଓ ରାଜ୍ୟବାସୀଙ୍କର ଆର୍ଥିକ ଅଭିବୃଦ୍ଧି ଘଟିବ ନାହିଁ କି ? ଏକ ମୁକ୍ତ ଚଳଚଞ୍ଚଳ ବଜାର ସୃଷ୍ଟି କଲେ ରାଜ୍ୟର ଆୟବୃଦ୍ଧି ଘଟିବ ନାହିଁ କି ?

ଏ ମଧ୍ୟରେ ଲୋକଙ୍କର ଆବଶ୍ୟକତା ଥିବା ପୁଷ୍ଟିକର ଖାଦ୍ୟ ବ୍ୟବହାର କମି ଏକ ବିପଦଜନକ ସ୍ଥିତି ଉପୁଜିଛି। ଅନ୍ତତଃ ବିଦ୍ୟୁତ୍‍ ଦେୟର ରିଆତି ସେହିସବୁ ଉପଭୋକ୍ତାଙ୍କୁ ଆବଶ୍ୟକତା ମୁତାବକ ପୁଷ୍ଟିକର ଖାଦ୍ୟ କିଣିବାକୁ ସୁଯୋଗ ଦେବ। ମଧ୍ୟବିତ୍ତବର୍ଗ ଖାଉଟିଙ୍କ ଉପରେ କରୋନା ମାଡ଼, ଦରଦାମ ବୃଦ୍ଧି ଜନିତ ଚାପ, ବିଶେଷତଃ ପେଟ୍ରୋଲ, ଡିଜେଲ ଦରବୃଦ୍ଧିର ମାଡ଼, ଆଘାତ ପରେ ଆଘାତ ଦେଇ ଚାଲିଥିବାବେଳେ ବିଦ୍ୟୁତ୍‍ ଦର ମାସିକ ୟୁନିଟ୍‍ ପିଛା ୫୦ ପଇସା ବୃଦ୍ଧି ଘଟାଇ ଅତିକମ୍‍ରେ ମାସକୁ ୨୦୦ଟଙ୍କା ଟାଣିନେବା ନିଶ୍ଚୟ କଷ୍ଟକର। ସେମାନଙ୍କର କଷ୍ଟକୁ ଲାଘବ କରିବା ସହିତ ରାଜ୍ୟର ଲାଭ ପହଞ୍ଚାଇବା ନିମନ୍ତେ ଏହି ପ୍ରସ୍ତାବ ରଖାଯାଇଛି। ଅଧିକନ୍ତୁ ବିଦ୍ୟୁତ୍‍ େଚାରି ବହୁ ପରିମାଣରେ ବର୍ଷକ ଭିତରେ କମିବ। ବିଦ୍ୟୁତ୍‍ ବ୍ୟବହାର ଶୃଙ୍ଖଳିତ ହେବ। କ୍ଷୁଦ୍ର, ମଧ୍ୟମ ଶିଳ୍ପରେ ବିଦ୍ୟୁତ୍‍ ବ୍ୟବହାର ବୃଦ୍ଧି ଘଟିବ ଓ କୃଷି ସଂପର୍କିତ ଶିଳ୍ପଗୁଡ଼ିକରେ ବିଦ୍ୟୁତ୍‍ ବ୍ୟବହାର ବୃଦ୍ଧିଘଟିବ। ଏବେ ରାଜ୍ୟ ବଳକା ବିଦ୍ୟୁତ୍‍ ବ୍ୟବହାର ନକରି ମଧ୍ୟ ‘ମିନିମମ୍‍ ଫିକ୍ସଡ୍‍ ଇଲେକ୍ଟ୍ରିକ୍‍ ଚାର୍ଜ’ ବହୁ ପରିମାଣରେ ଦେଇ ଚାଲିଛି।
ଏପରି ବିଦ୍ୟୁତ୍‍ ଛାଡ଼ ହେଲେ ପ୍ରତ୍ୟେକ ସ୍ୱେଚ୍ଛାକୃତ ଭାବେ ମିଟର ବସାଇବେ, ବିଦ୍ୟୁତ୍‍ କର ଓ ଅନ୍ୟାନ୍ୟ ବାଧ୍ୟତାମୂଳକ ଦେୟ ଦେବେ। ରାଜ୍ୟରେ ବିଦ୍ୟୁତ୍‍ ବ୍ୟବହାର ବଢ଼ିବ।

ବର୍ତ୍ତମାନ ପାଖାପାଖି ବର୍ଷକୁ ଏଗ୍ରିମେଣ୍ଟ୍‍ ଅନୁସାରେ ଏନ୍‍.ଟି.ପି.ସି. ଆଦିଙ୍କ ଅଯଥା ମିନିମମ୍‍ ଫିକ୍‍ସ୍‍ ଇଲେକ୍ଟ୍ରିକ୍‍ ଚାର୍ଜ ହଜାର ହଜାର କୋଟି ଟଙ୍କା ଦେବାକୁ ହେଉଛି। ବିଦ୍ୟୁତ୍‍ ବ୍ୟବହାର ବଢ଼ିଲେ ଆୟ ବଢ଼ିବ ଓ କମ୍ପାନୀମାନଙ୍କର ଏପରି ଅଯଥା ଦେୟର ଚାପ କମିବ। ବିଦ୍ୟୁତ୍‍ ବ୍ୟବହାରରେ ଯେଉଁ ସ୍ଥାଣୁତା ଦେଖାଦେଇଛି ସେଥିରେ ଉନ୍ନତି ଘଟିବ। ପ୍ରତିବର୍ଷ ଏ ପ୍ରକାର ରିଆତି କମିବାର ଅଭିପ୍ରାୟରେ ଓ.ଇ.ଆର.ସି. ଓ ରାଜ୍ୟ ସରକାର ଉଭୟ ସତର୍କ ଦୃଷ୍ଟି ରଖିବେ। ଅନ୍ୟ ଏକ କଥା ହେବ ଓଇଆରସିର ଆଳନେଇ ରାଜ୍ୟ ସରକାର ନିଜ ମୁଣ୍ଡରୁ ଦାୟିତ୍ୱ ହଟାଇବେ ନାହିଁ। ବିତରକ କମ୍ପାନୀଗୁଡ଼ିକର ଅପାରଗତା ସ୍ପଷ୍ଟ ହେବ, ରାଜ୍ୟ ସରକାର ଦାୟିତ୍ୱ ସମ୍ପନ୍ନ ହେବେ, ଉପଭୋକ୍ତା ଲାଭ ପାଇବେ। ରାଜ୍ୟ ସମୃଦ୍ଧ ହେବ। ବିଶେଷତଃ ମହାମାରୀ କରୋନା ସମୟରେ ସହାୟତା ସହ ଜୀବିକାର ସୁରକ୍ଷା ମିଳିବ।

Comments are closed.