ବିପ୍ଳବରୁ ବିପର୍ଯ୍ୟୟ !!

ଗଙ୍ଗାଧର ସାହୁ

ମଣିଷ ଖାଲି ଏକ ସାମାଜିକ ପ୍ରାଣୀ ନୁହେଁ; ସେ ଏକ ଚିନ୍ତାଶୀଳ ପ୍ରାଣୀ। ସେ ଏକ ଜିଜ୍ଞାସୁ ପ୍ରାଣୀ। ସେ ଏକ ଅନିସନ୍ଧିତ୍ସୁ ପ୍ରାଣୀ।

ଦିନେ ମଣିଷ ଜଙ୍ଗଲରେ ଫଳମୂଳ ଓ ପଶୁପକ୍ଷୀଙ୍କ ମାଂସ ଖାଇ ଝରଣାର ପାଣି ପିଇ ପାହାଡ଼ର ଗୁମ୍ଫାରେ ଲୁଚି କରି ଜୀବନ ଅତିବାହିତ କରୁଥିଲା। ପରେପରେ ଗୋଟିଏ ଜାଗାରେ ବାସ କଲା। ଗୃହପାଳିତ ପଶୁ ନିଜ ପାଖରେ ରଖିଲା। ଚାଷ କଲା ନିଜ ପରିଶ୍ରମରେ। କିଛି ଅମଳ କଲା; କିନ୍ତୁ ତା’ର ବ୍ୟାବସାୟିକ ମନବୃତ୍ତି, ଅନ୍ୟକୁ ନିୟନ୍ତ୍ରଣ କରିବାର ଇଚ୍ଛା ଓ ବୈଜ୍ଞାନିକ ଜିଜ୍ଞାସା ବଢ଼ିବାକୁ ଲାଗିଲା। ତେଣୁ ସେ ଯନ୍ତ୍ରପାତି ବା ମେସିନ ବ୍ୟବହାର କରିବାକୁ ପ୍ରେରିତ ହେଲା। ତେଣୁ ଚାଷ, ବସ୍ତ୍ର, ଲୁହା, ଗମନାଗମନ କ୍ଷେତ୍ରରେ ଶିଳ୍ପମାନ ଗଢ଼ିଉଠିଲା। କମ୍‌ ସମୟରେ ଅଧିକ ଉତ୍ପାଦନ ହେଲା। ଅଧିକ ଲାଭ ହେଲା। ମଣିଷ କମ କାମ କଲା, ମେସିନ ଅଧିକ କାମ କଲା। ଏହାକୁ କୁହାଗଲା ଶିଳ୍ପ ବିପ୍ଳବ ବା ଇଣ୍ଡିଷ୍ଟ୍ରିଆଲ ରିଭଲ୍ୟୁସନ୍‌।

୧- ମଣିଷ ସେତିକିରେ ସନ୍ତୁଷ୍ଟ ହେଲାନାହିଁ। ତା’ ଆଗରେ ଖାଦ୍ୟ ସମସ୍ୟା ଦେଖାଦେଲା। ପ୍ରକୃତିର ତାଣ୍ଡବ ବିଭିନ୍ନ ରୂପରେ ଯେମିତି କି ବଢ଼ି, ତୋଫାନ, ମରୁଡ଼ି, ଭୂମିକମ୍ପ ରୂପରେ ଆସି ଅନେକ ଜୀବନ ହାନି ଘଟାଇବା ସହ ଅନାହାର ଓ ଦୁର୍ଭିକ୍ଷ ଦେଇଗଲା। ପୁଣି କୃଷି ବିଜ୍ଞାନର ଉପଯୋଗ କରି ସବୁଜ ବିପ୍ଳବ ଆଣିଲା ମଣିଷ। ଚାଷରେ ଜଳ ସେଚନ, ଅଭିନବ ଯନ୍ତ୍ରପାତି ବ୍ୟବହାର, ସଙ୍କର ଜାତୀୟ ବୀଜ ଓ ପୋକମରା ଔଷଧ ବ୍ୟବହାର କରି ଶସ୍ୟ ଉତ୍ପାଦନକୁ ବହୁ ଗୁଣରେ ବୃଦ୍ଧି କରିଦେଲା। ଭାରତରେ ଏହି ବିପ୍ଳବର ଜନକ ବା ପିତା ଥିଲେ କୃଷି ବିଜ୍ଞାନୀ ଏମ୍‌ଏସ୍‌ ସ୍ବାମୀନାଥନ୍‌। ତାଙ୍କ ପ୍ରଚେଷ୍ଟାରେ ପଞ୍ଜାବ, ହରିଆଣା, ଉତ୍ତରପ୍ରଦେଶ ଭଳି ଦେଶ ଏତେ ଧାନ ଓ ଗହମ ଉତ୍ପାଦନ କଲେ ଯେ ରଖିବାକୁ ଜାଗାର ଅଭାବ ପଡ଼ିଲା।

୨- ଏହା ପରେ ଆସିଲା ଶ୍ବେତ ବିପ୍ଳବ ବା ହ୍ବାଇଟ୍‌ ରିଭଲ୍ୟୁସନ୍‌। ଗୋ ଚାଷରେ ବୈଜ୍ଞାନିକ ପରିବର୍ତ୍ତନ ଆଣି ଦୁଗ୍ଧ ଉତ୍ପାଦନରେ ଯେଉଁ ବୈପ୍ଳବିକ କ୍ରାନ୍ତି ଆସିଲା ତାହା ହିଁ ହେଲା ଅପରେସନ୍‌ ଫ୍ଲଡ୍‌ ବା ଦୁଗ୍ଧ ବନ୍ୟା ବା ଶ୍ବେତ ବିପ୍ଳବ। ଏହି ବିପ୍ଳବର ଜନକ ଥିଲେ ଡ.ଭର୍ଗିଜ୍‌ କୁରିଏନ୍‌। ଦେଶୀ ଗାଈ ଛାଡ଼ି ବିଭିନ୍ନ ପ୍ରକାର ବିଦେଶୀ ସଙ୍କର ପ୍ରଜାତିର ଗାଈ ଯଥା ଜର୍ସି, ହୋଲଷ୍ଟିନ୍‌, ସିନ୍ଧି ଗାଈ ଓ ମଇଁଷିମାନଙ୍କ କ୍ଷୀରରେ ବନ୍ୟା ହୋଇଗଲା। ଦେଶୀ ଗାଈ ୨ ଲିଟର ଦେଉଥିଲାବେଳେ ଏହି ସଙ୍କରୀ ଗାଈ ୨୦ ଲିଟର କ୍ଷୀର ଦେଲା।

୩- ତା’ପରେ ଆସିଲା ଲାଲ ବିପ୍ଳବ ବା ରେଡ ରିଭଲ୍ୟୁସନ୍‌। ମଣିଷର ମାଂସ ଖାଇବା ପ୍ରବୃତ୍ତି ବଢ଼ି ଚାଲିଲା। ଲୋକସଂଖ୍ୟା ବଢ଼ି ଚାଲିଲା। ତା’ର ରୁଚି ଓ ଆହାର ପରିମାଣ ବଢ଼ି ଚାଲିଲା। ମାଂସର ଚାହିଦା ଅଧିକ ହେଲା। ତେଣୁ ଭାରତରେ ଡ. ଦୁର୍ଗେଶ ପଟେଲଙ୍କ ଜ୍ଞାନ କୌଶଳକୁ ନେଇ କୁକୁଡ଼ା ଚାଷ, ଗୋପାଳନ, ମେଣ୍ଢା ଓ ଛେଳି ଚାଷ କରାଗଲା। ଏଥିରେ ସଙ୍କର ଜାତୀୟ ପ୍ରଜାତି ବ୍ୟବହାର କରାଯିବା ସହିତ ଖାଦ୍ୟରେ ରାସାୟନିକ ଦ୍ରବ୍ୟ ଓ ଇଞ୍ଜେକ୍‌ସନ ଦେଇ ଉତ୍ପାଦନକୁ ବଢ଼ାଇ ଦିଆଗଲା। ଗୋଟିଏ ଦେଶୀ କୁକୁଡ଼ା ବଡ଼ ହେବା ପାଇଁ ବର୍ଷେ ଲାଗୁଥିବାବେଳେ ବ୍ରୟେଲର କୁକୁଡ଼ା ଏକ ମାସରେ ଦୁଇ କେଜି। ପନିପରିବା ଭଳି ଲୋକମାନେ ବ୍ରୟେଲର ମାଂସ ଖାଇଲେ।

୪- ତା’ପରେ ଆସିଲା ନୀଳ ବିପ୍ଳବ ବା ବ୍ଲୁ ରିଭଲ୍ୟୁସନ। ମାଛ ମଧ୍ୟ ମଣିଷର ଏକ ମୁଖ୍ୟ ଖାଦ୍ୟ। ପୋଖରୀ, ନାଳନଦୀ, ସମୁଦ୍ରରୁ ଆସୁଥିବା ମାଛ ମଣିଷର ଚାହିଦା ପୂରଣ କରିପାରିଲାନି। ତେଣୁ ପୁଣି ଲୋକର ଆୟ ବଢ଼ାଇବା ପାଇଁ କୃତ୍ରିମ ଉପାୟରେ ରାସାୟନିକ ଖାଦ୍ୟ ପିଡ଼ିଆ ଦେଇ ଉତ୍ପାଦନ ବୃଦ୍ଧି କରାଗଲା। ଯେଉଁ ମାଛକୁ ଏକ କେଜି ହେବାପାଇଁ ଏକ ବର୍ଷ ଲାଗୁଥିଲା ତାକୁ କୃତ୍ରିମ ଖାଦ୍ୟ, ୟୁରିଆ, ପିଡ଼ିଆ ଦେଇ ଏକ ମାସରେ ଏକ କେଜି କରିଦିଆଗଲା। ଏହି ବିପ୍ଳବର ଜନକ ହେଲେ ଡାକ୍ତର ଅରୁଣ କ୍ରିଷ୍ଣନ୍‌।

୫- ଆମିଷ ହେଉ କି ନିରାମିଷ ହେଉ, ବ୍ରେକ୍‌ଫାଷ୍ଟ ହେଉ କି ଲଞ୍ଚ ହେଉ କି ଡିନର ହେଉ ସବୁଥିରେ ମଣିଷ ଆଳୁ ଖାଏ; କିନ୍ତୁ କମ୍‌ ଉତ୍ପାଦନ, ଲୋକ ସଂଖ୍ୟା ବୃଦ୍ଧି ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଆଳୁ ଦର କିଲୋପ୍ରତି ଦଶଟଙ୍କା ବଦଳରେ ଶହେଟଙ୍କା ହୋଇଯାଏ। ତେଣୁ କୃଷି ବିଜ୍ଞାନୀ, କୃଷି ବିଶ୍ବବିଦ୍ୟାଳୟ, କୃଷି ଗବେଷଣାଗାରମାନ ଲାଗିପଡ଼ିଲେ ଆଳୁ ଉତ୍ପାଦନ ବଢ଼ାଇବାପାଇଁ। ସେହି କୃତ୍ରିମ ପଦ୍ଧତି ବ୍ୟବହାର ହେଲା ଅଧିକ ଆଳୁ ଉତ୍ପାଦନ ହେଲା। ଏହାକୁ କୁହାଗଲା ବୃତ୍ତ ବିପ୍ଳବ ବା ରାଉଣ୍ଡ ରିଭଲ୍ୟୁସନ। ଖାଦ୍ୟ ଦୁନିଆ ଛାଡ଼ି ଏ​‌େ​‌ବ ବୁଦ୍ଧି ଦୁନିଆକୁ ଦେଖିବା। ମଣିଷ ବୁଦ୍ଧିକୁ ବ୍ୟବହାର ଏତେ ହେଲା ଯେ କୃତ୍ରିମତା କେବଳ ଖାଦ୍ୟରେ ନ ରହି ବୁଦ୍ଧିକୁ ମାଡ଼ି ବସିଲା। କମ୍ପ୍ୟୁଟର କ୍ଷେତ୍ରରେ ଏତେ ଏଆଇ ବା କୃତ୍ରିମ ପ୍ରଜ୍ଞାର ବ୍ୟବହାର ମଣିଷର ମାନବିକତାକୁ ଏକ ଆହ୍ବାନ ଦେଇଛି। ଆଗାମୀ ଦିନରେ ମଣିଷର ଆଚାର, ବ୍ୟବହାର, ପ୍ରକୃତି, ରୋଗ, ଚିନ୍ତନ, ସୁଖଦୁଃଖ, ମାନସିକ ଅବସ୍ଥା ସବୁ ଏଆଇ ଦ୍ବାରା ନିୟନ୍ତ୍ରଣ ହେବ। ଆପଣ ଆପଣଙ୍କ ବିଷୟରେ ଯାହା ନ ଜାଣିଥିବେ ଆମାଜନ, ଫ୍ଲିପ୍‌କାର୍ଟ, ସ୍ବିଗି, ଜୋମାଟୋ, ଫେସ୍‌ବୁକ୍‌ କମ୍ପାନୀମାନେ ସବୁ ଜାଣିଥିବେ। ଆପଣ କ’ଣ ଖାଇବାକୁ ଭଲପାନ୍ତି, ଆପଣଙ୍କଠାରୁ ଅଧିକ ଜାଣିଥିବ ଜୋମାଟୋ ଓ ସ୍ବିଗି। ଆପଣ କ’ଣ ପଢ଼ିବାକୁ ଭଲପାନ୍ତି ଆପଣଙ୍କଠାରୁ ଅଧିକ ଜାଣିଥିବ କିଣ୍ଡିଲ ଓ ଆମାଜନ। ଆପଣ କ’ଣ ଦେଖିବାକୁ ଭଲପାଆନ୍ତି ଆପଣଙ୍କଠାରୁ ଅଧିକ ଜାଣିଥିବ ନେଟ୍‌ଫ୍ଲିକ୍ସ ଓ ଆପଣ କାହା ସହ ସମୟ କଟାଇବାକୁ ଚାହାନ୍ତି ସବୁ ଖବର ଥିବ ଫେସ୍‌ବୁକ୍‌, ହ୍ବାଟସ୍‌ଆପ୍‌, ୟ୍ୟୁଟୁବ୍‌ ପାଖରେ। ଗୋଟିଏ ସ୍ବାସ୍ଥ୍ୟ ସଫ୍ଟଓୟାର ପୃଥିବୀର କୋଟିଏ ଡାକ୍ତରଙ୍କୁ କର୍ମହୀନ କରିଦେବ। ଆଉ ମଧ୍ୟ ଯେଉଁମାନେ ଇଣ୍ଟରନେଟ୍‌ ଅଜ୍ଞ ସେମାନେ ଅଲୋଡ଼ା ଅଯୋଗ୍ୟ ଶ୍ରେଣୀର ବିବେଚିତ ହେବେ। ଏହି ବିପ୍ଳବକୁ କୁହାଯାଉଛି କୃତ୍ରିମପ୍ରଜ୍ଞା ବିପ୍ଳବ।

ଏବେ ଆସନ୍ତୁ ବିଚାର କରିବା ଏହି ବିପ୍ଳବମାନଙ୍କରୁ ମଣିଷଜାତି ପାଇଛି କ’ଣ ଓ ହରାଇଛି କ’ଣ? ସବୁଜ ବିପ୍ଳବରେ ବ୍ୟବହୃତ ସଙ୍କର ଜାତୀୟ ମଞ୍ଜି ଓ କୀଟନାଶକ ଓ ସାର ମଣିଷ ଶରୀର ପାଇଁ ବହୁତ କ୍ଷତିକାରକ। ଏବେ ଏତେ ପରିମାଣ କର୍କଟ ରୋଗର କାରଣ ଏହି ଖାଦ୍ୟ। ନୀଳବିପ୍ଳବରେ ବ୍ୟବହୃତ ପିଡ଼ିଆ ଓ ମତ୍ସ୍ୟ ଖାଦ୍ୟ ମାଛ ମାଧ୍ୟମରେ ଆମ ଶରୀରକୁ ଯାଇ ନୂଆ ନୂଆ ରୋଗ ସୃଷ୍ଟି କରୁଛି ଓ ରୋଗ ପ୍ରତିରୋଧକ ଶକ୍ତିକୁ ନଷ୍ଟ କରୁଛି। ଲାଲ ବିପ୍ଳବ ଦ୍ବାରା ମାଂସ ଭକ୍ଷଣ ବୃଦ୍ଧି ପାଉଛି, ପରିବେଶ ନଷ୍ଟହେଉଛି, ଅଙ୍ଗାରକାମ୍ଳ ଗ୍ୟାସ ବଢ଼ୁଛି ଓ ପୃଥିବୀର ଉଷ୍ଣତା ବଢ଼ୁଛି। ବୃତ୍ତ ବିପ୍ଳବ କଥା କ’ଣ କହିବା? ଭାରତ ହେଲା ପୃଥିବୀର ଡାଇବେଟିସ୍‌ ମାନେ ମଧୁମେହ ରୋଗର କ୍ୟାପିଟାଲ। କିଛିବର୍ଷ ପରେ ଶହେରୁ ଷାଠିଏ ଲୋକ ଡାଇବେଟିସ ରୋଗରେ ଆକ୍ରାନ୍ତ ଥିବେ। ବୃତ୍ତ ବିପ୍ଳବ ଯୋଗୁଁ ବହୁତ ପିଲାମାନେ ବୃତ୍ତାକାର ହୋଇ ବଢ଼ୁଛନ୍ତି। ଅଧିକ ଆଳୁ ଭକ୍ଷଣ ତା’ର ଅନ୍ୟ ଏକ ପ୍ରମୁଖ କାରଣ। ଶେଷରେ ଦେଖିବା ପ୍ରଜ୍ଞା ବିପ୍ଳବ। ଯଦି ମଣିଷ ଦ୍ବାରା ଉଦ୍ଭାବିତ କମ୍ପ୍ୟୁଟର ଓ କୃତ୍ରିମ ଜ୍ଞାନ ମଣିଷକୁ ଅମଣିଷ କରିଦେବ, କର୍ମହୀନ କରିଦେବ ଓ କମ୍ପାନୀମାନଙ୍କ ହାତରେ ବନ୍ଧା ପକେଇଦେବ ଓ ୨୪x୭ ଗୋଟିଏ ସଫ୍ଟଓୟାର ଦ୍ବାରା ନିୟନ୍ତ୍ରିତ ହେବ ତା’ ହେଲେ ଏହାକୁ କ’ଣ କହିବା ବିପ୍ଳବ ନା ବିପର୍ଯ୍ୟୟ?

ଦିନ ଥିଲା ମଣିଷ ତା’ର ଚିନ୍ତା ଶକ୍ତି ବ୍ୟବହାର କରି ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ସ୍ତରରେ ଅନେକ ବିପ୍ଳବ ଆଣିଛି ଇଂଲଣ୍ଡରେ, ଫ୍ରାନ୍ସରେ, ଆମେରିକାରେ, ରୁଷିଆରେ। ପୃଥିବୀରେ ଯେତେଗୁଡ଼ିଏ ଆଦର୍ଶ ବା ମୂଲ୍ୟବୋଧ ଜନ୍ମ ନେଇଛି ତାହା ସମ୍ଭବ ହୋଇଛି ମଣିଷର ମୂଲ୍ୟବୋଧ ବିପ୍ଳବରୁ ବା ମୋରାଲ୍‌ ରିଭଲ୍ୟୁସନ୍‌ରୁ। ସେଗୁଡ଼ିକ ହେଲା ବ୍ୟକ୍ତି ଅଧିକାର (Liberty), ସମାନତା ଅଧିକାର (Equality), ମାନବିକ ଅଧିକାର (Human Right), ନ୍ୟାୟ ଅଧିକାର (Rights to Justice)। ତେଣୁ ଜ୍ଞାନର ସଦ୍‌ ବ୍ୟବହାର ହୋଇପାରେ ବା ଅସଦ୍‌ ବ୍ୟବହାର ହୋଇପାରେ। ଏଥିପାଇଁ ବିଜ୍ଞାନ ଦାୟୀ ନା ଯିଏ ବିଜ୍ଞାନକୁ ଅପବ୍ୟବହାର କରୁଛି ସିଏ ଦାୟୀ?? ତେଣୁ ବିଜ୍ଞାନକୁ ଦାୟୀ କରିବା ଠିକ୍‌ ନୁହେଁ। ବିଜ୍ଞାନ ପାଇଁ ବିପ୍ଳବ ହୋଇଛି କିନ୍ତୁ ବିପର୍ଯ୍ୟୟ ଆଣିଛନ୍ତି କିଛି ବିଜ୍ଞାନୀ ଓ ରାଷ୍ଟ୍ରନେତା ଯେଉଁମାନଙ୍କର ଦୂରଦୃଷ୍ଟି ନଥିଲା। କ୍ୟାନ୍‌ସର ଭଳି ବ୍ୟାଧିମାନ ମଣିଷକୁ ଚିନ୍ତାକରିବାକୁ ବାଧ୍ୟ କରୁଛି ଅନ୍ୟ ଏକ ବିପ୍ଳବକୁ ସ୍ବାଗତ କରିବାକୁ। ସେ ବିପ୍ଳବ ହେଲା ଦେଶୀ ବିପ୍ଳବ ବା ଅର୍ଗାନିକ୍‌ ବିପ୍ଳବ। ପ୍ରକୃତିକୁ ଫେରିବାର ବିପ୍ଳବ।

Comments are closed.