ଦୁଇଟି ଭାରତ

ଶ୍ରୁତକୀର୍ତ୍ତି ତ୍ରିପାଠୀ

ଶୀର୍ଷକଟି ପଢି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ଭାରତ ତ ଗୋଟିଏ; ପୁଣି ଦୁଇଟି ଭାରତ କଣ ! ଭାରତ ଭିତରେ ଗଢ଼ି ଉଠୁଥିବା ଦୁଇଟି ଭିନ୍ନ ଭାରତକୁ ନେଇ ଏ ଆଲେଖ୍ୟଟି ପଢିବା ପରେ ଜଣାପଡିବ ଯେ ସତରେ କଥାଟି କେତେ ଗୁରୁତର। ବିଗତ କିଛି ଦଶନ୍ଧି ଭିତରେ ଆମ ଦେଶର ଅର୍ଥନୀତିରେ ନାଟକୀୟ ପରିବର୍ତ୍ତନ ଦେଖାଦେଇଛି। ଗୋଟିଏ ପଟେ ସହରାଞ୍ଚଳ ଭାରତ ଅଧିକ ଆଧୁନିକ, ଉନ୍ନତ, ସମୃଦ୍ଧ, ପ୍ରଗତିଶୀଳ ହେଉଥିବାବେଳେ ଗ୍ରାମାଞ୍ଚଳ ଭାରତରେ ଅଭାବ, ଦାରିଦ୍ର୍ୟ ଏବଂ ଦ୍ରୁତ ଅବନତି ଘଟିଚାଲିଛି। ‘ତେଲିଆ ମୁଣ୍ଡରେ ତେଲ’ ନୀତିରେ ସହରଗୁଡିକରେ ସ୍ବଚ୍ଛଳତା ବଢିଚାଲିଥିବାବେଳେ ଗାଁ ଗୁଡ଼ିକ ଅବହେଳିତ ଏବଂ ଅସୁରକ୍ଷିତ ରହିଯାଉଛନ୍ତି। ଏହା ହିଁ ଗୋଟିଏ ଦେଶ ଭିତରେ ଦୁଇଟି ଭାରତ ସୃଷ୍ଟି ହେବା ପଛର ମୂଳ କାରଣ ।

ଏଠାରେ ପାଠକଙ୍କ ଆଗରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିବା ପ୍ରାସଙ୍ଗିକ ମନେହୁଏ। ଗ୍ରାମୀଣ ଭାରତରେ ଅଭାବ ଓ ଅସୁବିଧା ସବୁବେଳେ ଲାଗିରହିଥାଏ। ଯାହାର ଭରଣା ପାଇଁ ଅଭାବୀ ବିକ୍ରି, ପିଲା ବିକ୍ରି, ଘରର ସଂରକ୍ଷିତ ଗହଣା ଓ କଂସାବାସନ ବିକ୍ରି, କୁମାରୀ କନ୍ୟାର ଯୌବନ ବିକ୍ରି ଏପରିକି ଭୋକ, ରୋଗ ଓ ଶୋକରୁ ନିସ୍ତାର ପାଇବା ପାଇଁ ଆତ୍ମହତ୍ୟା ଭଳି ଘଟଣା ଘଟୁଛି। ଠିକ୍ ସେତେବେଳେ ସହରୀ ଭାରତରେ ଲୋକମାନେ ମୂଲ୍ୟବାନ ଶାଢ଼ୀ, ଦାମୀ ଗହଣା, ଶିକ୍ଷା ପାଇଁ ବିଦେଶ ଯାତ୍ରା, ବିଦେଶୀ କାର ପାଇଁ ଦୌଡ଼, ଲକ୍ଷଲକ୍ଷ ଟଙ୍କାର ଇଲେକ୍ଟ୍ରୋନିକ ସାମଗ୍ରୀ କିଣିବା ପାଇଁ ପ୍ରତିଯୋଗିତା ଭିତରେ ଜୀବନକୁ ଉପଭୋଗ କରିବା ପାଇଁ ପ୍ରାଚୁର୍ଯ୍ୟ ରହିଛି।

ଏବେ ଦେଖାଯାଉ, ଏହା ପଛରେ ଥିବା ମୂଳ କାରଣଗୁଡ଼ିକ କ’ଣ? ଗ୍ରାମାଞ୍ଚଳ ଅର୍ଥନୀତି ସମ୍ପୂର୍ଣ୍ଣ ଭାବରେ କୃଷି ଉପରେ ନିର୍ଭରଶୀଳ। ତେଣୁ କୃଷିରେ ଅବନତି ଘଟିଲେ, ଗ୍ରାମାଞ୍ଚଳ ଅର୍ଥନୀତିରେ ଅବନତି ଘଟୁଛି। ପ୍ରାକୃତିକ ବିପର୍ଯ୍ୟୟ, ଅନୁର୍ବର ମାଟି, ପାରମ୍ପରିକ କୃଷି ପଦ୍ଧତି ଓ ଅଭାବୀ ଶସ୍ୟ ବିକ୍ରି ଆମ ଚାଷୀଙ୍କୁ ନିରାଶ କରିଛି। କୃଷିର ଉନ୍ନତି ପାଇଁ ସରକାର ବିଭିନ୍ନ ପଦକ୍ଷେପ ସତ୍ତ୍ୱେ, ଏଥିରେ ସୁଧାର ଆସିବ କି ନାହିଁ ସନ୍ଦେହ। ପରିଣାମ କ୍ଷତିର ସମ୍ମୁଖୀନ ହେଉଥିବା ଚାଷୀ ତାର ପିଲାଙ୍କ ଲାଳନପାଳନ କରିପାରୁ ନାହିଁ। ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗେଇବା ତା ପାଇଁ ସ୍ବପ୍ନ ହେଉଥିବାବେଳେ ରୋଗରୁ ମୁକ୍ତି ପାଇଁ ସେ ସଂଘର୍ଷ କରୁଛି। ଝିଅର ବାହାଘର ଚାଷୀଟିଏ ପାଇଁ ଦୁଃସ୍ବପ୍ନ ମନେ ହେଉଥିବାବେଳେ ଜୀବନ ଏକ ବୋଝ ପାଲଟୁଛି। ଚାଷୀ ପରିବାରର ପିଲାଏ ଅଳ୍ପ ଶିକ୍ଷିତ କିମ୍ବା ଅଶିକ୍ଷିତ ହୋଇ ରୋଜଗାରହୀନ ଜୀବନ ବଞ୍ଚୁଛନ୍ତି।

ଗାଁଗୁଡିକରେ ଶସ୍ତା ରାଜନୀତି, କଳି, ହିଂସା, ମାରପିଟ, ଗଣ୍ଡଗୋଳ, ପରସ୍ପର ପ୍ରତି ଅବିଶ୍ୱାସ ଦିନକୁ ଦିନ ବୃଦ୍ଧି ପାଉଛି। ସୁତରାଂ ଯୁବଗୋଷ୍ଠୀ ଶିକ୍ଷିତ ହୋଇ ସଫଳ ମଣିଷ ହେବା ପରିବର୍ତ୍ତେ ଅଯୋଗ୍ୟ, ଟାଉଟର ଏବଂ ହୀନମାନିଆ ହୋଇ ଚଳୁଛନ୍ତି। ଗ୍ରାମାଞ୍ଚଳ ଉନ୍ନତି ପାଇଁ ବହୁଗୁଡିଏ ଯୋଜନା, ଅର୍ଥ ବିନିମୟ ସତ୍ତ୍ୱେ ଗ୍ରାମବାସୀଙ୍କ ଭାଗ୍ୟ ଅନ୍ଧକାରରେ ରହିଛି। ସହରର ଶୀତତାପ ନିୟନ୍ତ୍ରିତ କୋଠରୀ ଭିତରେ ଗ୍ରାମୀଣ ଭାରତ ପାଇଁ ନିଆଯାଉଥିବା ନିଷ୍ପତ୍ତି, ଗ୍ରାମାଞ୍ଚଳର ଆଦୌ ବିକାଶ କରେ ନାହିଁ। ଦାରିଦ୍ର୍ୟର ପ୍ରକୃତ କାରଣ ଏବଂ କୃଷକଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପର ଅଭାବ ହିଁ ସେମାନଙ୍କ ଦୁର୍ଦ୍ଦଶାର ବଡ଼ କାରଣ। ଯୋଜନା ପ୍ରଣୟନ ସତ୍ତ୍ୱେ କାର୍ଯ୍ୟରେ କରି ଦେଖେଇବା ସମୟ ଆସିଲେ ଆନ୍ତରିକତାର ଅଭାବ, ନିଜ ସ୍ୱାର୍ଥପାଇଁ ଟଙ୍କା ହାତେଇବା ଭଳି କାର୍ଯ୍ୟ ଗ୍ରାମ୍ୟ ଉନ୍ନତି ପଥରେ ଆନ୍ତରାୟ ସାଜୁଛି। ଗ୍ରାମାଞ୍ଚଳଗୁଡିକୁ ବିଦ୍ୟୁତ ସଂଯୋଗ, ପାନୀୟ ଜଳଯୋଗାଣ, ପକ୍କା ରାସ୍ତା ନିର୍ମାଣ ହେଉଛି ସତ, କିନ୍ତୁ ଏସବୁ ସତ୍ତ୍ୱେ ସେମାନଙ୍କର ତଦନୁଯାୟୀ ଉନ୍ନତି କାହିଁକି ହେଉନାହିଁ, ତାହା ଏକ ବିରାଟ ପ୍ରଶ୍ନବାଚୀ।

ସହରରେ ସବୁ ବଡ଼ ବଡ଼ ଅଫିସ, କାର୍ଯ୍ୟାଳୟ, ପୋଲିସ ଷ୍ଟେସନ, ଶିକ୍ଷାନୁଷ୍ଠାନ ରହିଥିବାରୁ ସହରବାସୀ ପ୍ରତ୍ୟକ୍ଷ ଭାବରେ ବେଶୀ ଉପକୃତ ହେଉଛନ୍ତି। ଏମିତି ନୁହେଁ ଯେ ଏଠାରେ ଆନ୍ତରିକତାର ଅଭାବ ରହୁନି କିମ୍ବା ବାଟମାରଣା ହେଉନାହିଁ, ମାତ୍ର ଏଠାରେ ଜନତା ଟିକେ ବେଶୀ ସମ୍ବେଦନଶୀଳ ଏବଂ ନିଜ ବିଚାରକୁ ବିରୋଧ, ଅନଶନ ଓ ଧାରଣା ମାଧ୍ୟମରେ ସରକାର ଏବଂ ସର୍ବସାଧାରଣଙ୍କ ଆଗରେ ରଖିବାକୁ ସକ୍ଷମ। ଏହାଛଡା ଗଣମାଧ୍ୟମ ନଜରରୁ ବାଦ୍ ନ ଯିବା ବି ଏକ ମୁଖ୍ୟ କାରଣ ବୋଲି କୁହାଯାଇପାରେ। ଘରେ ଘରେ ଏକାଧିକ କାର, ମୋଟର ସାଇକେଲ, ପିଲାଙ୍କ ପାଇଁ ମୋଟା ଅଙ୍କର ପ୍ରବେଶିକା ଦେୟ ନେଉଥିବା ଶିକ୍ଷା ଅନୁଷ୍ଠାନ, ସେମାନଙ୍କ ଜୀବନ ଶୈଳୀ, ପରମ୍ପରା, ଚଳଣି, ଦାମୀ ରେସ୍ତୋରାଁରେ ଖାଇବା, ଶପିଂସେଣ୍ଟରରେ କିଣାକିଣି ଏବଂ ମନୋରଞ୍ଜନର ସାଧନ ପାଇବା ଦ୍ୱାରା ସହରବାସୀ ଏତେ ଆଗେଇ ଗଲେଣି ଯେ, ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଭିତରେ ଥିବା ଦୂରତା କ୍ରମେ ବଢ଼ିବଢ଼ି ଯାଉଛି।
ଏ ଯାଏଁ ତ ଠିକ ଥିଲା, କିନ୍ତୁ ଏବେ ସହରବାସୀ ଓ ଗ୍ରାମବାସୀଙ୍କ ବିଚାରଧାରା, ଚିନ୍ତନ, କାର୍ଯ୍ୟଶୈଳୀ, ଭାଇଚାରା, ଏକତା ଭଳି ମାନବୀୟ ଗୁଣରେ ଦୂରତା ଏବଂ ଭିନ୍ନତା ଦେଖାଗଲାଣି। ସେହି ସ୍ଥଳରେ ଗୋଟିଏ ଦେଶ ଭିତରେ ଦୁଇଟି ପୃଥକ ଦେଶର ଚିତ୍ର ଦେଖାଯିବା ସ୍ୱାଭାବିକ। ଗ୍ରାମବାସୀ ସହରୀ ଲୋକଙ୍କୁ ଘରକୁ ଡାକି ଆପ୍ୟାୟିତ କରୁନାହାନ୍ତି। ଅପରପକ୍ଷେ ସହରୀ ଲୋକ ଗାଁକୁ ଫେରିଯିବାକୁ ନାରାଜ। ନାନାଦି ଅସୁବିଧା ଓ ସାଧନ ଅଭାବର ଦୃଷ୍ଟାନ୍ତ ଦେଇ ଗାଁରେ ଚଳିବା କଷ୍ଟକର ଭାବି ନିଜ ମୂଳକୁ ଧୀରେଧୀରେ ପାସୋରି ସାରିଲେଣି। ସେମାନେ ଭୁଲି ଯାଉଛନ୍ତି ଯେ କେବେ ଏକତା ସୂତ୍ରରେ ବନ୍ଧା ଥିବା ଏହି ଗାଁ ଓ ସହରୀ ଜୀବନର ସମାହାର ହିଁ ଆମ ଭାରତବର୍ଷର ବୈଶିଷ୍ଟ୍ୟ। ସେହି ଗ୍ରାମୀଣ ପରିବେଶ ଯୋଗୁଁ ହିଁ ଭାରତ ସୁନ୍ଦର ଓ ସ୍ୱଚ୍ଛ ହୋଇ ରହିପାରିଥିବାବେଳେ ସହରର ଆଧୁନିକତା ପାଇଁ ପ୍ରଗତି ଓ ଉନ୍ନତି ପଥରେ ଅନ୍ୟାନ୍ୟ ଦେଶଗୁଡ଼ିକ ସହିତ ସମକକ୍ଷ ହୋଇପାରିଛି।
ଶେଷରେ କୁହାଯାଇପାରେ ଯେ, ଯଦି ବିକାଶ ପଥରେ ଭାରତକୁ ଆଗେଇ ନେବା ପାଇଁ ଭାରତବାସୀ ଇଚ୍ଛୁକ, ତେବେ ଗ୍ରାମୀଣ ଏବଂ ସହରୀ ଭାରତକୁ ପରସ୍ପରର ଅନୁପୂରକ ହେବାକୁ ହେବ। ଗୋଟିଏ ଭାରତ ଭିତରେ ଗାଁ ଓ ସହର ଭଳି ଦୁଇଟି ଭାରତ ସୃଷ୍ଟି ନ କରି, ଉଭୟଙ୍କୁ ସମାନ୍ତରାଳ ଭାବରେ ନେଇ ଏକ ବିଶାଳ ସମୃଦ୍ଧ ରାଷ୍ଟ୍ରରେ ପରିଣତ କରିହେବ, ସେଥଇପାଇଁ ଉଦ୍ୟମ ଆରମ୍ଭ ହେଉ।

Comments are closed.