ବେଲାଳସେନକୁ ପଚାର

ବାହ୍ୟରୁ, ଅଭ୍ୟନ୍ତର(ଭିତର) କଳନା ପାଇଁ ଚର୍ମଚକ୍ଷୁ ଆଦୌ ଯଥେଷ୍ଟ ନୁହଁ। ଏଥିକୁ ଜ୍ଞାନ ଓ ବିବେକ-ଚକ୍ଷୁ ସର୍ବଦା ସର୍ବଥା ଲୋଡ଼ା। ଠକେଇ, ପ୍ରବଞ୍ଚନାରେ ପଡ଼ୁଥିବା ଅଧିକାଂଶ ବ୍ୟକ୍ତି କେବଳ ଚର୍ମ-ଚକ୍ଷୁ ଉପରେ ନିର୍ଭର କରି ଏ ଦଶା ଭୋଗିଥା’ନ୍ତି, ହପ୍‌ପାରେ ପଡ଼ିଥା’ନ୍ତି। ଆଜିର ଅଧିକାଂଶ ପ୍ରେମ ବିବାହ ଓ ପ୍ରେମର ପରିଣତି ଦେଖୁନା, କେମିତି ଦାରୁଣ ଆତ୍ମହତ୍ୟା ଓ ଭୟଙ୍କର ଛୁରି ମରାମରିରେ ପଙ୍କ କାମୁଡ଼ୁଛି। ମୂଲକ ଯାକର କେଡ଼େ ସୁନ୍ଦର ଝିଅ ମିନି! ଖାନଦାନି ଘରର ଝିଅ ବି। ପାଠ ଢେର ଭଲ ପଢ଼େ। ରେଳରେ ଦିଲ୍ଲୀ ଯାଉଥିବା ବେଳେ, ସୋମୁଙ୍କ ସହ ଦେଖା ହେଲା। ରେଳ ଛାଡ଼ି ଦେଉଥିବା ବେଳେ ହଠାତ୍‌ ଜଣେ ଚୋର ମିନି ହାତରୁ ତା’ ଭେନିଟି ବ୍ୟାଗ୍‌ (ହାତଝୁଲା, ମୁଣି)କୁ ଝାମ୍ପି ନେଇ ରେଳରୁ ତଳକୁ ଡେଇଁ ପଡ଼ିଲା। ରେଳ ତ ଗଡ଼ିବା ଆରମ୍ଭ କରି ଦେଇଥିଲା। ଚୋରଟା ତଳେ ଠିଆ ହୋଇ ହାତ ହଲାଇ ବାଏ ବାଏ କରୁଥିଲା। ‘ଚୋର’, ‘ଚୋର’ ପାଟି କଲେ ବି କ’ଣ ହେବ? ମାତ୍ର ହଠାତ୍‌ ଏକ ସୌମ୍ୟ ବଳିଷ୍ଠ ଚେହେରାର ଯୁବକ ଲୋକଙ୍କୁ ଏଡ଼େଇ ଚଳନ୍ତା ରେଳରୁ ତଳକୁ ଡେଇଁ ପଡ଼ିଲେ। ଚୋର କି ଏ କଥା ଭାବିଥିଲା? ଲୋକେ ହାଁ ହାଁ କରୁଥା’ନ୍ତି। ଚୋର ସହ ତାଙ୍କର ବୁହେ ଗୋଡ଼ାଗୋଡ଼ି ପରେ ସେ ତାକୁ କାବୁ କଲେ। ମାତ୍ର ଦେଖଣାହାରୀ ବନିଲେ ପୁଲିସମାନେ କେବଳ। ୟେ ତ ତାଙ୍କ ଲାଗୁଆ ଗୋଷ୍ଠୀର। କେହି ଜଣେ ଶିକୁଳି ଟାଣି ରେଳକୁ ଅଟକାଇଲା ବେଳକୁ ପାଞ୍ଚମାଇଲ ସରି ରେଳ ଟପି ଯାଇଥିଲା। ବୋଉ କହିଥିଲେ ‘‘ସୁନା ଚେନ୍‌ଟା ବେକରୁ କାଢ଼ି ହାତ ମୁଣାରେ ରଖି ଦେଇଥିବୁ।’’ ମିନି ସେଇ କଥା କରିଥିଲା। ପନ୍ଦର ଦିନ ତଳେ ତା’ ଜନ୍ମଦିନରେ ବାପା ତାକୁ ଏଇଟା ଦେଇଥିଲେ। ଲକ୍ଷେ ଟଙ୍କାରୁ ବେଶି, ଆଉ ବି ଟଙ୍କା ଥିଲା। ତା’ ଚେତା ବୁଡ଼ିଗଲା। ଲୋକେ ତାକୁ ଶୁଆଇ ଚେତା କରୁଥା’ନ୍ତି। ଚୋର, ତା’ ହାତମୁଣା ଓ ୪/୫ଟା ରେଳ-ପୁଲିସଙ୍କ ସହ ସେଇ ଯୁବକଟି ଅଧଘଣ୍ଟା ପରେ ଅଟକି ଥିବା ଡବାରେ ପହଞ୍ଚିଲା। ମିନି ତା’ ସମ୍ପତ୍ତି ଫେରି ପାଇ ଆନନ୍ଦରେ ଆତ୍ମହରା ହୋଇ ଯାଇଥିଲା। କିଛି ବାଛବିଚାର ନ କରି ସେଇ ଯୁବକଟି ପାଦ ତଳକୁ ତା’ ମୁଣ୍ଡ ନୋଇଁଗଲା ବେଳେ, ଏପରି ଅପରୂପ ସୌନ୍ଦର୍ଯ୍ୟର ଯୁବତୀର ମୁଣ୍ଡକୁ ତା’ ପାଦ ଛୁଇଁବାକୁ ସେ ଦେଇ ନ ଥିଲା। ଅଧାନୁଆଁରୁ ତାକୁ ଭିଡ଼ି ଧରି ଛାତିରେ ଯାକି ଦେଇଥିଲା। ରେଳ ସାରା ସମସ୍ତଙ୍କ ଆଖିରେ ଲୁହ। ମିନି ଆଖିରୁ କିନ୍ତୁ ଏ ଯାଏ ଲୁହ ବୋହି ଯୁବକର ଛାତି ଓଦା କରି ଦେଉଥିଲା। ସେ ଲୁହ କିନ୍ତୁ ହରାଇବା ମିନିର ନୁହଁ, ବରଂ ମନର ଜଣକୁ ପାଇବାର ଆନନ୍ଦାଶ୍ରୁ ଥିଲା। ସେ ଯୁବକ ଥିଲା ସୋମୁ। ସେଇ ମୁହୂର୍ତ୍ତରୁ ହିଁ ସେମାନଙ୍କ ପ୍ରେମ ନିବିଡ଼ ହୋଇଯାଇଥିଲା। ତା’ ବୋଉ କୋଳରେ ବା ବାପାଙ୍କ ଛାତିରେ ମୁଣ୍ଡ ଥାପିବାର ଅପୂର୍ବ ଆନନ୍ଦ ଓ ଆଶ୍ବାସନାର ଆଉ ଗୋଟେ ନିଆରା ଓ ନୂଆ ଭାବ ତାକୁ ବିମୋହିତ କରି ଦେଇଥିଲା। ସେ ତାକୁ ବିବାହ କରିବାକୁ ଜିଦ୍‌ କଲା। ବାହା ବି ହେଲା ଦିଲ୍ଲୀର ଏକ ନାମୀ ହୋଟେଲରେ। ଗୋଟିଏ ବୋଲି ଝିଅ। ମାତ୍ର ବାପା କି ବୋଉ କେହି ଏ ବିବାହରେ ଯୋଗ ଦେବାକୁ ଆସି ନ ଥିଲେ। ସୋମୁ ଗାଁରୁ କେତେଜଣ, ତା’ ଶାଶୂ ଶ୍ବଶୁର ଓ ନଣନ୍ଦ ଆସିଥିଲେ। ସେ ରଜକ ଘରର କେବଳ ନୁହଁ, ପୂର୍ବରୁ ବି ବିବାହିତ ବୋଲି ଚଉଠି ପର ଦିନ ଜାଣିଲା। କାଳୀ କୋତରୀ ଏ ରଜକ ନଣନ୍ଦ ତା’ କାନରେ ଚୁପ୍‌ ଚୁପ୍‌ କହିଥିଲା। କହିଲା, ‘‘ନୂଆଉ! ତମକୁ ଭାଇଙ୍କ ରାଣ, ତମେ ଏ କଥା ତାଙ୍କୁ କହିବନି। ମୋ ପୂର୍ବ ଭାଉଜ ତମ ପାଦ ଧୂଳିକି ସରି ନୁହଁ। ଟଙ୍କା ଓ କାର୍‌ ଲୋଭରେ ଆମେ ତାଙ୍କୁ ବୋହୂ କରିଥିଲୁ। ସତରେ ତମେ କେତେ ଭଲ। ବ୍ରାହ୍ମଣ ଘର ଝିଅ ନା, ତମ ସଂସ୍କାରକୁ ମାନିବାକୁ ହେବ।’’ ରେଳରେ ସେଦିନ ହାତମୁଣା ହଜିଲା ବେଳ ପରି ତା’ ପାଟି ଅଠା ଅଠା ହୋଇଗଲା। ସବୁ ଅନ୍ଧାର ଦିଶିଲା। ତା’ ପରେ କ’ଣ ହେଲା ସେ ଜାଣିନି। ଚେତା ବୋଧେ ବୁଡ଼ିଯାଇଥିଲା। ଆଖି ଫିଟିଲା ବେଳକୁ ମୃଦୁ ଆଲୁଅର ବିଜୁଳିବତିର ଶୟନ କକ୍ଷରେ, ସ୍ବାମୀ ସୋମୁକୁ ଦେଖିଲା। ତା’ ପର କଥା ସବୁ, ସୋମୁର କୈଫିୟତ ଆଦି ବର୍ଣ୍ଣନା ପାଇଁ ଏଠି ଅବକାଶ ନାହିଁ। ସେ ନିଜକୁ ଝୁଲେଇ ଦେଇଥିଲା ଭୋର୍‌ ଭୋରରୁ ତା’ ଗାଧୁଆ ଘର ପଙ୍ଖାରେ। ଏଇ ତ ଜୀବନ! ଏ ଘଟଣାରେ, ଚର୍ମ ଆଖି ସେ ଯୁବକଟିର ସାହସିକତା ଓ ବାହାଦୁରି କଥା ସିନା ଦେଖେଇ ଦେଇଥିଲା, ୟା ଭିତର ଓ ପୂର୍ବ କଥା ଦେଖେଇଥିଲା କାଇଁ? ଆଉ ଖୋଳତାଡ଼କୁ ସେଦିନର ପ୍ରଭାବିତ ତା’ ଚର୍ମ ଆଖି ତାକୁ ରୋକୁଥିଲା। ବିବାହ ପରି ଏତେ ବଡ଼ ସିଦ୍ଧାନ୍ତ ପୂର୍ବରୁ ଆଉ ଅଧିକ ଦେଖିବାର ପ୍ରୟୋଜନୀୟତାକୁ ସେ ହୁଡ଼ିଥିଲା। ଇଏ ଆଜିର ଦୈନନ୍ଦିନ ଜୀବନ କଥା। ପୁରାଣକୁ ଯାଉନ। ମହାଭାରତ ଯୁଦ୍ଧ ହେଲା। ଭୀଷ୍ମ ପ୍ରମୁଖ ମହାମହାରଥୀଙ୍କ ଏ ଦାରୁଣ ଯୁଦ୍ଧରେ ମୃତ୍ୟୁ ଘଟିଲା। ଯୁଦ୍ଧ ଶେଷ ପରେ ଭାଇମାନେ ବାହାଦୁରି ଦେଖାଦେଖି ହେଲେ। ଭୀମ କହିଲେ, ‘‘ଗଦା ପାହାରରେ କେଡ଼େ କେଡ଼େ ଶତ୍ରୁଙ୍କୁ ଶୁଆଇ ଦେଇଛି। ମୋର ଏ ଗଦାକୁ ଜୁହାର, ୟେ ନ ଥିଲେ କ’ଣ ହୋଇଥାଆନ୍ତା ଆମ ଅବସ୍ଥା! ସତେ ଯେମିତି ଏ ଯୁଦ୍ଧର ବିଜୟର ଶ୍ରେୟ ତାଙ୍କର। ଅର୍ଜୁନ ତାଙ୍କ କଥାକୁ ନ କାଟି କହିଲେ, ‘‘ଗାଣ୍ଡିବ ନ ଥିଲେ କି ବିଜୟ ଆମର ହୋଇଥାଆନ୍ତା?’’ ଇତ୍ୟାଦି। କଥା କ୍ରମେ ଉଷ୍ଣ ହେଉଥିଲା। ଦି’ଭାଇ କୃଷ୍ଣଙ୍କୁ କିନ୍ତୁ କଥାକଥାକେ ସାକ୍ଷୀ କରୁଥା’ନ୍ତି। ସେ କହିଲେ ‘‘ଚାଲ ଯିବା ଯୁଦ୍ଧ କ୍ଷେତ୍ରକୁ। ବେଲାଳସେନର କଟାମୁଣ୍ଡ ଏକ ଉଚ୍ଚା ଖୁଣ୍ଟ ଉପରେ ରଖାଯାଇଛି। ସେ ଏ ଯୁଦ୍ଧ ସମ୍ପୂର୍ଣ୍ଣ ଦେଖିଛି।’’ ସେଠି ପହଞ୍ଚି ବେଲାଳସେନଙ୍କୁ ଶ୍ରୀକୃଷ୍ଣ ପଚାରିଲେ, ‘‘କହ ତ ଦେଖି ଏ ଯୁଦ୍ଧରେ କାହାର ଅସ୍ତ୍ର ଓ କିଏ କେତେ ଶତ୍ରୁ ନିପାତ କରିଛି?’’ କଟା ମୁଣ୍ଡରୁ ଏବେ ବି ରକ୍ତ ବୋହୁଥିଲା, ତା’ ନିଷ୍ପ୍ରଭ ଆଖିରେ ଏମାନଙ୍କୁ ସବୁ ଆଉ ଥରେ ଗାଢ଼େଇ ଚାହିଁ କହିଲା, ‘‘କାଇଁ ମ କାଇଁ କୁ ଗଦା, କି କୁ ଗାଣ୍ଡିବ? ସେଠି କାହାକୁ ତ ମୁଁ ଦେଖିନି।’’ କୃଷ୍ଣଙ୍କ ଆଡ଼େ ଚାହିଁ କହିଲା, ‘‘ତମ ଆଙ୍ଗୁଠିରେ ବୁଲୁଥିବା ସେ ଚକ୍ରଟା କାଇଁ? ସେଇଟା ଆଙ୍ଗୁଠିରୁ ବାହାରିଯାଇ ସେପଟରୁ ଥୋଡ଼େଙ୍କୁ ତ ଏପଟରୁ ଥୋଡ଼େଙ୍କୁ କାଟି ଦେଇ, ପୁଣି ତମ ଆଙ୍ଗୁଠିକି ଫେରୁଥିଲା। ତମେ କି, ସେ ଗଣିଥିବ ଏପଟରୁ କେତେ ସେପଟରୁ କେତେ କାଟିଚ, କାହିଁକି କାଟିଚ? ଏମାନଙ୍କ ଅସ୍ତ୍ର ସବୁ କାଇଁ ମୁଁ ତ ଦେଖିନି?’’ ସ୍ତବ୍ଧ ହୋଇଗଲେ ଭୀମ ଓ ଅର୍ଜୁନ। ଚର୍ମ-ଚକ୍ଷୁ ତଳ କଥା ୟେ। ତାକୁ ଯେ ଠଉରେଇ ପାରିଲା ସେ ତ ସିକନ୍ଦର, ନୋହିଲେ ବ୍ରହ୍ମଜ୍ଞାନୀ।

ଏବେ ବେପାରପତ୍ର (ସମ୍ବାଦପତ୍ର) ଭାଇମାନେ ଗୋଟେ ଉଦ୍‌ବେଗଜନକ ଖବର ଛାପିଛନ୍ତି। ଓଡ଼ିଶା ଶିକ୍ଷା ଆକାଶର ଅନ୍ୟତମ ଉଦ୍ଦୀପ୍ତ ନକ୍ଷତ୍ର ‘‘ବାଣୀବିହାରରେ ଖଣ୍ଡା ବୁଲିଲା’’ ବୋଲି ଲେଖିଛନ୍ତି। ଗୋଟେ ସହପାଠିନୀଙ୍କୁ ଅନ୍ୟ ଜଣେ ସହପାଠୀର ଅଶାଳୀନ ବ୍ୟବହାରରୁ ବାରୁଦ ଗଦାରେ ଝୁଲ ପଡ଼ି ଯାଇଥିଲା। ଏ ଘଟଣାର ପ୍ରତିବାଦରେ ଆଉ କେତେକ ବନ୍ଧୁ ଓ ‘କଜଳପାତିଆ ଭଦ୍ର-ଲୋକ’ ସେଠି ପହଞ୍ଚି ଖଣ୍ଡା ବୁଲାଇ ଏକ ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିଥିଲେ। ତା’ର ପ୍ରତିବାଦରେ ଥୋଡ଼େ ଛାତ୍ର, ଧାରଣାରେ ବସିଥିଲେ। ‘‘ଅଣ-ଛାତ୍ର କେମିତି ପଶୁଛନ୍ତି? ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି।’’ ମେଧାବୀ ଛାତ୍ରମାନଙ୍କ ୟେ ଏକ ଯଥାର୍ଥ ଦାବି। ମାତ୍ର ଏ ଅଣ-ଛାତ୍ର ଏ ସର୍ବାନ୍ତଃକରଣ ଛାତ୍ରଙ୍କ ମେଳକୁ, ଚକ୍ରବ୍ୟୂହକୁ ପଶିଲେ କେମିତି? ଅଣ୍ଟିସୁନାଟା ଭେଣ୍ଡି ବୋଲି ଜାଣି ନ ପାରିବାରୁ ବଣିଆ ସହ ଚୁଟି ଝିଙ୍କା ଝିଙ୍କି। ତା’ ପରେ ପ୍ରୋକ୍ତ ଛାତ୍ରଙ୍କ ସହପାଠିନୀ ପ୍ରତି ଅଶାଳୀନ ବ୍ୟବହାର ଛାତ୍ର ସୁଲଭ ନା ଅଣ-ଛାତ୍ର, ବାତେରା ସୁଲଭ? ସେଇଠି ତ ବନ୍ଧ ପ୍ରଥମେ ଭାଙ୍ଗିଲା। ତା’ପରେ ସିନା ଘାଇ? ବେଙ୍ଗ ଗଙ୍ଗଦତ୍ତ, କୂଅ ମଧ୍ୟକୁ ସାପକୁ ପ୍ରଥମେ ଡାକିଥିଲା ଅନ୍ୟ ବେଙ୍ଗମାନଙ୍କୁ ଶାସନ କରିବାକୁ, କ’ଣ ହେଲା? ପ୍ରାଣପଣେ ଖସିଆସିଥିବା ଗଙ୍ଗଦତ୍ତ, କୂଅ ମଧ୍ୟରୁ ପ୍ରିୟଦର୍ଶନ ନାମକ ସାପକୁ କହିଥିଲା, ‘‘ବୁଭୁକ୍ଷିତଃ କିଂ ନ କରୋତି ପାପମ୍‌ କ୍ଷୀଣାଜନାଃ ନିଷ୍କରୁଣା ଭବନ୍ତି ଆଖ୍ୟୟ ଭଦ୍ରେ, ପ୍ରିୟଦର୍ଶନାୟ, ନ ଗଙ୍ଗଦତ୍ତ ପୁନରପି କୂପମ୍‌’’। ହପ୍‌ପାରେ ପଡ଼ୁଥିବା ଏ ସବୁଗୁଡ଼ା ଚର୍ମ-ଚକ୍ଷୁ ଦଳିଆ। ଖଣ୍ଡାବୁଲା ଦେଖିବା ବି ଚର୍ମ-ଚକ୍ଷୁର। ସାପ ମଧ୍ୟରେ ମୂଷା ତିଷ୍ଠିବା କେବଳ କେଳା ପେଡ଼ିରେ ସମ୍ଭବ। ବାଣୀବିହାରରେ ଏ ଖଣ୍ଡା କିଏ ବୁଲାଉଥିଲେ? ଦେଖିବା, ଆଉ କିଏ ବୁଲଉ ତ? ୟେ ମହାଦେବଙ୍କ ଷଣ୍ଢ କି କେଳାର ପେଡ଼ି। ସାପର ଥୋମଣି ବନ୍ଦ। ସେ କୁ ମୂଷାକୁ ଛୁଇଁପାରିବ? ପୂର୍ବରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ବି ସେମିତି ଛୁରି ମରାମରିରେ ମୃତ୍ୟୁ ଘଟିଥିଲା ଛାତ୍ରଙ୍କର। ଏଠି ସାରେ, ଖଣ୍ଡା ବୁଲୁନି, ୟେ କେଳାର ଖେଳ। ଏଠି ରାଜନୀତିଆଙ୍କ ସୁଦର୍ଶନଚକ୍ର ବୁଲୁଛି। କର୍ପୋରେଟର, ମନ୍ତ୍ରୀ, ନେତାଙ୍କ ଆଡ଼େ ଯା’ ଛାତ୍ରମାନଙ୍କ ଭିତରୁ ମପାଯାଉ କେତେ ପୋଷା ତାଲିକାର। ତେଣୁ ଆଜି ଏ ବିଶ୍ବବିଦ୍ୟାଳୟ, ବିଦ୍ୟାଳୟ ଆଦି ସ୍ଥାନରେ ଘଟୁଥିବା ହଣାକାଟ, ଖଣ୍ଡା ତଲୱାର ବୁଲା ଚର୍ମ ଚକ୍ଷୁର ଭ୍ରାନ୍ତ ପ୍ରତିକ୍ରିୟା। ମୂଳ ସୁଦର୍ଶନ ଚକ୍ର ଓ ଚକ୍ରଧାରୀ। ଯା’ ସେଠିକି। ଆଣ୍ଟ ସେଠି ନଟ୍‌ ବୋଲ୍‌ଟକୁ। ନୋହିଲେ ଏମିତି ବାହୁନୁ ଥିବ ହିଁ ଥିବ। ଜୟ ଜଗନ୍ନାଥ।
–ଠ–

Comments are closed.