ଅସ୍ବାଭାବିକ ପରିବେଶ ପରିବର୍ତ୍ତନର କାରଣ

ଆଜକୁ ୬୫ ବର୍ଷ ତଳର କଥା। ବର୍ଷାଦିନ ଅବ୍ୟବହିତ ପୂର୍ବରୁ କେନ୍ଦୁ, ପଣସ ପାଚିବା ଆରମ୍ଭ ହୋଇଯାଉଥିଲା। ଏସବୁକୁ ହାଟ ବଜାରରେ ବିକ୍ରି କରି ଗରିବ ଲୋକେ କିଛି ଅର୍ଥ ଉପାର୍ଜନ କରୁଥିଲେ। ବର୍ଷା ଦିନରେ ଅନେକ ପ୍ରକାରର ଜଙ୍ଗଲୀ ଶାଗ ଦେଖିବାକୁ ମିଳୁଥିଲା। ତେନ୍ତୁଳି, ପାଚିଲା ଆମ୍ବ, ତାଳ ସଜ, ପଣସ ଇତ୍ୟାଦି ଆଷାଢ଼ ମାସରେ ରଥ ଯାତ୍ରାକୁ ବିକ୍ରି ପାଇଁ ଲୋକେ ଆଣୁଥିଲେ। ଚାଷ ଜମି ଦେଇ ଜଙ୍ଗଲକୁ ଗଲାବେଳେ ନାଲିନାଲି ସାଧବ ବୋହୂ, କାଦୁଆ କଙ୍କଡ଼ା, ଚୂନା ମାଛ ଦେଖିବାକୁ ମିଳୁଥିଲା। ସ୍ତ୍ରୀ ଲୋକମାନେ ଜାଳକାଠ ସଂଗ୍ରହ କରି ଫେରିବାବେଳେ କୁରେଇ ଫୁଲକୁ ଖୋସାରେ ସଉକରେ ପିନ୍ଧୁଥିଲେ। ଚତୁଃପାର୍ଶ୍ବ ସବୁଜ ପତ୍ରଭରା ଗଛଲତା ଦେଖିବାକୁ ମିଳୁଥିଲା। କଜଳପାତି, ଭରଦିଆ ପକ୍ଷୀ, କୁମ୍ଭାଟୁଆ ଇତ୍ୟାଦି ସବୁ ତୋଟାରେ ବସବାସ କରୁଥିଲେ। ତାଳଗଛରେ ବାୟା ଚଢ଼େଇ ନିଜର ବସା ତିଆରି କରୁଥିଲା। ଅଧିକାଂଶଙ୍କ ବାଡ଼ିରେ ଧଳା ଜହ୍ନି ଫୁଲ, ବଇତ ଆଳୁର ହଳଦୀ ଫୁଲ ଫୁଟୁଥିଲା।

ଶୀତ ଋତୁରେ ହାଡ଼ଭଙ୍ଗା ଶୀତ ଶୀତ ହୁଏ। ଅଧିକାଂଶ ଦିନ ସକାଳୁଆ କାକର ଜମିଯାଏ। ଆମ୍ବତୋଟାରେ ରାତିରେ ପେଚାର ରାବ ଶୁଣିବାକୁ ମିଳୁଥିଲା। କାଠ ଗଣ୍ଡି ଜାଳି ଗରିବ ଲୋକେ ରାତି ବିତାଉଥିଲେ। ସେ ସମୟରେ ଧାନ ଅମଳ ହୁଏ। କୁକୁଡ଼ା ଡାକ ବେଳକୁ ଧାନ ମଡ଼ା ଆରମ୍ଭ ହୁଏ ଓ ଦିନସାରା ଖରା‌େ‌ର ଧାନ ଶୁଖା ଯାଉଥାଏ। ଖଳାରେ ଦଳଦଳ ଘର ଚଟିଆ, ବଣି, ଚମ୍ପା ଚଢ଼େଇସବୁ ଦେଖିବାକୁ ମିଳୁଥିଲା। ଜୈବସାର ଦିଆ କୋବି, ବାଇଗଣ, ବିଲାତି ବାଇଗଣ, ଆଖୁ ପର୍ଯ୍ୟାପ୍ତ ଭାବେ ବଜାରରେ ବିକ୍ରି ହୁଏ। ସଞ୍ଜ ହେଲେ କାଲୁଆ ପବନ ବୋହିବାରେ ଲାଗେ। ଶୀତ ସରି ଆସିଲା ବେଳକୁ ଜଙ୍ଗଲରେ ପତ୍ରଝଡ଼ା ଦେଖାଯାଏ। ବନ୍ଧ, ପୋଖରୀ ଓ ନଦୀ ନିର୍ମଳ ଜଳରେ ପରିପୂର୍ଣ୍ଣ ହୁଏ। ବସନ୍ତ ଆସିଲେ ପୁଣି ଜଙ୍ଗଲରେ ନୂଆ ପତ୍ର କଅଁଳିବା ଆରମ୍ଭ ହୁଏ। ସାରା ଜଙ୍ଗଲ ସମୟକ୍ରମେ ପୁଷ୍ପମୟ ଦେଖାଯାଏ। ଶୀତ ଦିନେ ନଈ ପଠାରେ ଅନେକ ପ୍ରକାର ପକ୍ଷୀ ଦେଖାଯାଉଥିଲେ। ସେତେବେଳେ ଏସବୁ ବିଦେଶୀ ପକ୍ଷୀ ଥିବା ଆମର ଜ୍ଞାନ ବାହାରେ ଥିଲା। ବିଭିନ୍ନ ରଙ୍ଗର ହଂସ, ବତକ, ମାଣିକଯୋଡ଼ି ପକ୍ଷୀ ସମାଗମ ହେଉଥିଲା। ଏହା ବ୍ୟତୀତ ମାଛରଙ୍କା, ହଳଦୀବସନ୍ତ ଓ ଚମ୍ପା ଚଢ଼େଇ ବାଡ଼ି ବଗିଚାରେ ଦେଖିବାକୁ ମିଳୁଥିଲେ। ପ୍ରକୃତିର ଏପରି ପରିବେଶରେ ମଣିଷର ଜୀବନ ଅତିବାହିତ ହେଉଥିଲା। ଗାଡ଼ି‌େ​‌ମାଟର ପ୍ରାୟ ନଥିଲା, ଧୂଆଁ, ଧୂଳିର ପ୍ରଶ୍ନ ନାହିଁ। ନିର୍ମଳ ପାଣି ଓ ପବନରେ ମଣିଷ ବଞ୍ଚି ରହୁଥିଲା। ଏପରି ସୁସ୍ଥ ପରିବେଶ ପ୍ରକୃତି ଦ୍ବାରା ପରିଚାଳିତ ହେଉଥିଲା। କାଳକ୍ରମେ ଜଙ୍ଗଲ ଅବକ୍ଷୟ ହେବାରୁ ପାଣିର ଅଭାବ ହେଲା; ଗାଡ଼ି ​‌େ​‌ମାଟର ସଂଖ୍ୟା ବଢ଼ିବାରୁ ବାୟୁମଣ୍ଡଳ ମଧ୍ୟ ଦୂଷିତ ହେଲା। ପ୍ରକୃତି ବଞ୍ଚିବାପାଇଁ ସବୁକିଛି ଦେଇଥିଲେ ସୁଦ୍ଧା ମଣିଷର ଅବେବିକୀ ଉପଯୋଗ ପାଇଁ ଏବେ ସବୁ ଦୂଷିତ।

ଅଧୁନା ଜଙ୍ଗଲ ଜମିରେ ଆଚ୍ଛାଦିତ ବୃକ୍ଷଲତାର ସାନ୍ଦ୍ରତା ଅନୁଯାୟୀ ଜଙ୍ଗଲକୁ ମୁଖ୍ୟତଃ ତିନି କିସମରେ ଭାଗ କରାଯାଇଛି। ଯଥା: ଘଞ୍ଚ ଜଙ୍ଗଲ, ମଧ୍ୟମ ଧରଣର ଘଞ୍ଚ ଜଙ୍ଗଲ ଓ ଖୋଲା ଜଙ୍ଗଲ। ପ୍ରକାଶ ଥାଉ କି କ୍ରମବୃଦ୍ଧି ହୋଇ ଖୋଲା ଜଙ୍ଗଲ ବଢ଼ିବାରେ ଲାଗେ, କାଳକ୍ରମେ ତାହା ମଧ୍ୟମ ଧରଣର ଜଙ୍ଗଲ ଓ ଶେଷରେ ଘଞ୍ଚ ଜଙ୍ଗଲରେ ପରିଣତ ହୁଏ। ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ଡେରାଡୁନ୍‌ ରିପୋର୍ଟ ମୁତାବକ ଆମ ରାଜ୍ୟରେ ୨୦୨୧ ମସିହାରେ ସମୁଦାୟ ୫୨୧୫୫ ବର୍ଗ କିମି ଜଙ୍ଗଲ ଥିଲା। ସେଥି ମଧ୍ୟରୁ ଘଞ୍ଚ ଜଙ୍ଗଲ ୭୨୧୨ ବର୍ଗ କିମି. ମଧ୍ୟମ ଧରଣର ଘଞ୍ଚ ଜଙ୍ଗଲ ୨୦୯୯୪ ବର୍ଗକିମି ଓ ୨୩୯୪୮ ବର୍ଗ କିମି ଖୋଲା ଜଙ୍ଗଲ ଅଟେ। ୨୦୧୯ ମସିହା ରିପୋର୍ଟ ଅନୁସାରେ ୬୯୭୦ ବର୍ଗକିମି ଘଞ୍ଚ ଜଙ୍ଗଲ, ୨୧୫୫୨ ବର୍ଗ କିମି ମଧ୍ୟମ ଧରଣର ଘଞ୍ଚ ଜଙ୍ଗଲ ଓ ୨୩୦୯୭ ବର୍ଗକିମି ଖୋଲା ଜଙ୍ଗଲ ଥିଲା। (ସମୁଦାୟ ୫୧୬୧୯ ବର୍ଗକିମି) ଏଥିରୁ ସ୍ପଷ୍ଟ ହୁଏ ଯେ ସମୁଦାୟ ୪୩୬ ବର୍ଗ କିମି ଜଙ୍ଗଲ ୨୦୧୯ ତୁଳନାରେ ବୃଦ୍ଧିପାଇଛି। ଘଞ୍ଚ ଜଙ୍ଗଲ ପରିମାଣ ୨୪୨ ବର୍ଗ କିମି ଓ ଖୋଲାଜଙ୍ଗଲର ପରିମାଣ ୮୫୧ ବର୍ଗ କିମି ବୃଦ୍ଧି ପାଇଛି; କିନ୍ତୁୁ ମଧ୍ୟମ ଧରଣର ଜଙ୍ଗଲ ପରିମାଣ ୫୫୮ ବର୍ଗକିମି କମି ଆସିଛି। ଏହାର ମୁଖ୍ୟ କାରଣ ହେଲା ଯେ ୨୦୧୯ରେ ମଧ୍ୟମ ଧରଣର ଜଙ୍ଗଲରୁ ୨୪୨ ବର୍ଗକିମି ଜଙ୍ଗଲ ବୃଦ୍ଧି ପାଇ ଘଞ୍ଚ ଜଙ୍ଗଲରେ ପରିଣତ ହୋଇଛି। ବାକି ୩୧୬ ବର୍ଗକିମିର ମଧ୍ୟମ ଧରଣର ଜଙ୍ଗଲ ନଷ୍ଟ ହୋଇ ଖୋଲା ଜଙ୍ଗଲରେ ପରିଣତ ହୋଇଛି। କହିବାକୁ ଗଲେ ଜଙ୍ଗଲ ପରିମାଣ ବୃଦ୍ଧି ପାଇଥିଲେ ସୁଦ୍ଧା ସୁରକ୍ଷା ଅଭାବରୁ ୩୧୬ ବର୍ଗକିମି ଜଙ୍ଗଲର ସାନ୍ଦ୍ରତା ୪୦ ପ୍ରତିଶତରୁ ୧୦ ପ୍ରତିଶତକୁ କମିଯାଇଛି। ଏଥିରୁ ଅନୁମାନ କରିହେବ ଯେ ଏହାଦ୍ବାରା ରାଜ୍ୟର ପରିବେଶ କେତେ ପ୍ରଭାବିତ ହେଉଛି। ବନ ବିଭାଗ ଦ୍ବାରା ବ୍ୟାପକ ବନୀକରଣ କରାଯାଇ ଘଞ୍ଚ ଜଙ୍ଗଲ କିମ୍ବା ମଧ୍ୟମ ଧରଣର ଘଞ୍ଚ ଜଙ୍ଗଲ ସୃଷ୍ଟି ହେବାର କୌଣସି ନଜିର ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ; ବରଂ ପ୍ରାକୃତିକ ଭାବରେ ଥିବା ଉଜୁଡ଼ା ଜଙ୍ଗଲକୁ ବନବିଭାଗ ଉପଯୁକ୍ତ ଭାବେ ରକ୍ଷଣାବେକ୍ଷଣ କଲେ ନିଶ୍ଚିତ ଭାବେ ମଧ୍ୟମ ଧରଣର ଜଙ୍ଗଲ ସୃଷ୍ଟି ହୋଇପାରିବ। ଏହାଦ୍ବାରା ପରିବେଶ ସୁରକ୍ଷିତ ରହିବ।

ବନୀକରଣ କାର୍ଯ୍ୟକୁ ପୂର୍ଣ୍ଣମାତ୍ରାରେ ଗ୍ରାମ ପଞ୍ଚାୟତକୁ ନ୍ୟସ୍ତ କରିବା ଉଚିତ ମନେହୁଏ। ଏହାଦ୍ବାରା ପଞ୍ଚାୟତଗୁଡ଼ିକରେ ଥିବା ସଫଳ ‘ବନ ସୁରକ୍ଷା ସମିତି’ (ଭିଏସଏସ) ଚାରାରୋପଣ କାର୍ଯ୍ୟ ସମ୍ପାଦନ କରିପାରିବେ ଏବଂ ଏହା ନିଶ୍ଚିତ ଯେ ବନୀକରଣର ରକ୍ଷଣାବେକ୍ଷଣ କାର୍ଯ୍ୟ ବନବିଭାଗ ଅପେକ୍ଷା ଅଧିକ ମାତ୍ରାରେ ହୋଇପାରିବ। କାରଣ ଉକ୍ତ ବନୀକରଣର ଉତ୍ପାଦନର ୫୦ ପ୍ରତିଶତ ଗ୍ରାମବାସୀମାନେ ଭବିଷ୍ୟତରେ ପାଇପାରିବେ। ବନ ବିଭାଗ ଉଚ୍ଚମାନର କେବଳ ଚାରା ଯୋଗାଇବାର ଦାୟିତ୍ବ ବହନ କରିବେ। ଉଜୁଡ଼ା ଜଙ୍ଗଲଗୁଡ଼ିକର ପୁନଃଉଦ୍ଧାର ଜୈବବିବିଧତା ସୁରକ୍ଷାରେ ନିଶ୍ଚିତ ଭାବେ ସହାୟକ ହେବ। ସ୍ଥୂଳ ବିଷୟରେ ଜଳ ସଂରକ୍ଷଣ କାର୍ଯ୍ୟ କରାଯାଇ ଜଙ୍ଗଲର ଜୀବଜନ୍ତୁମାନଙ୍କର ଉପକାରରେ ଲଗାଯାଇ ପାରିବ। ପାରମ୍ପରିକ ବନୀକରଣ ଅବସ୍ଥାରୁ ବନବିଭାଗ ନିବୃତ୍ତ ହୋଇ ଜଙ୍ଗଲ ସୁରକ୍ଷା ଓ ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା ଦେଲେ ଆଶାତୀତ ଭାବେ ଘଞ୍ଚ ଜଙ୍ଗଲ ସୃଷ୍ଟିହୋଇ ପାରିବ। ଜଙ୍ଗଲ ନିଆଁ ପ୍ରତ୍ୟେକ ବର୍ଷ ହଜାରହଜାର ଏକର ଜମିର ବୃକ୍ଷଲତା ଜାଳିପୋଡ଼ି ଅଙ୍ଗାର କରିଦେଉଛି। ଏହାଦ୍ବାରା ସେଠାକାର ମାଟି, ପାଣି ଓ କୀଟପତଙ୍ଗ ସମୂଳେ ନଷ୍ଟ ହୋଇଯାଉଛନ୍ତି, ଜଙ୍ଗଲ ନିଆଁକୁ ଅବରୋଧ କରିବାରେ ପ୍ରତ୍ୟେକ ଗ୍ରାମବାସୀ ବନକର୍ମଚାରୀମାନଙ୍କୁ ସହଯୋଗ କରିବା ବାଞ୍ଛନୀୟ। ଜଙ୍ଗଲ ବଞ୍ଚିଲେ ସେମାନଙ୍କର ଦରକାରୀ ଜାଳକାଠ, ଘରକରଣା ସାମଗ୍ରୀ, ବିଭିନ୍ନ ଫଳମୂଳ ସଂଗ୍ରହ କରିପାରିବେ। ଓଡ଼ିଶାରେ ‘ଭିଏସଏସ’ଙ୍କ ଅଭାବ ନାହିଁ; କିନ୍ତୁ ସେମାନଙ୍କର ଆନ୍ତିରକ ସହଯୋଗର ଅଭାବରୁ ଅନେକ ଗ୍ରାମତଳି ଜଙ୍ଗଲ ଏବେ ବୁଦାଳିଆ ଜଙ୍ଗଲରେ ପରିଣତ ହେଲାଣି। ଜଙ୍ଗଲିଆ ଝର ମଧ୍ୟ ସବୁଦିନ ପାଇଁ ଶୁଖିଗଲାଣି। ଖରାଦିନେ ଅନେକ ଜଙ୍ଗଲତଳି ଗ୍ରାମବାସୀ ଏହା ଅନୁଭବ କରୁଥିବେ; କିନ୍ତୁ ସଚେତନତାର ଅଭାବରୁ ଜଳକଷ୍ଟ ଭୋଗିବାକୁ ପଡ଼ୁଛି। ଜଙ୍ଗଲରେ ଜଳ ଓ ଖାଦ୍ୟ ଅଭାବରୁ କେତେକ ଅଞ୍ଚଳରେ ଗ୍ରାମବାସୀ ହାତୀ ଉପଦ୍ରବର ଶିକାର ହେଉଛନ୍ତି।

ସମାଜର ଉଚ୍ଚ ଶିକ୍ଷିତ ତଥା ବିଜ୍ଞ ବ୍ୟକ୍ତି ବିଶେଷ ସେମାନଙ୍କର ସୌଖୀନ ଜୀବନଯାପନ ପାଇଁ ଯାନ୍ତ୍ରିକ ଉତ୍ପାଦିତ ବସ୍ତୁ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି। ଏହି ବସ୍ତୁଗୁଡ଼ିକର ଅସୀମ ଉତ୍ପାଦନ ଭୂତଳ ଖଣିଜ ଦ୍ରବ୍ୟ ଉପରେ ବିଶେଷ ଭାବେ ନିର୍ଭରଶୀଳ। ବଣଜଙ୍ଗଲ କାଟି ଖଣି ଖାଦନ କରିବା, ନଦୀବନ୍ଧର ବ୍ୟବସ୍ଥା କରିବା, ବହୁଦଳ ପ୍ରାସାଦ ନିର୍ମାଣ କରିବାରେ କୌଣସି ଦ୍ବିଧା ନାହିଁ। ବର୍ତ୍ତମାନ ଭୁବନେଶ୍ବରରେ ସୌଧ ନିର୍ମାଣ ପାଇଁ ଅପର୍ଯ୍ୟାପ୍ତ ଗଛ କଟାହେଉଥିଲେ ସୁଦ୍ଧା ଏହାକୁ ସରକାର ଅଣଦେଖା କରୁଥିବା ହୃଦ୍‌ବୋଧ ହୁଏ। ହୁଏତ ଏହି ସୌଧଗୁଡ଼ିକ ଭୁବନେଶ୍ବରରୁ ୧୦ କିମି ଦୂରରେ ମଧ୍ୟ ନିର୍ମାଣ କରାଯାଇ ଭୁବନେଶ୍ବରର ସବୁଜିମାକୁ ବଞ୍ଚାଇ ରଖାଯାଇ ପାରନ୍ତା। ଏହି ଶିକ୍ଷିତ ବ୍ୟକ୍ତିମାନେ ପରିବେଶ ଓ ପରିବେଶ କ୍ଷୟ ଉପରେ ବହି ଲେଖୁଛନ୍ତି କାହା ପାଇଁ? ଯେଉଁ ବଣ ପାହାଡ଼ ଘେରା ଅଞ୍ଚଳରେ ଆଦିବାସୀମାନେ ଆବହମାନ କାଳରୁ ବସବାସ କରି ଆସୁଥିଲେ, ସେମାନଙ୍କୁ ଅତ୍ୟାଧୁନିକ କଳକାରଖାନା ଓ ଯୋଜନାଦ୍ବାରା ସେମାନଙ୍କ ଥଇଥାନର କୌଣସି ଉପଯୁକ୍ତ ବ୍ୟବସ୍ଥା ନ କରି ବିସ୍ଥାପିତ କରାଯାଉଛି।

ଜଙ୍ଗଲ ଆଇନ ବ୍ୟବସ୍ଥାର ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଛି। କେବଳ ମ୍ୟୁଜିୟମ, ଚଳଚ୍ଚିତ୍ର ଓ ସଭାସମିତି ମାଧ୍ୟମରେ ପରିବେଶ ସୁରକ୍ଷା ପରିଚାଳିତ ହେଉଛି କହିବା ବାହୁଲ୍ୟ ହେବନାହିଁ।
ସମୟ ଆସିଛି, ସରକାର ପ୍ରତ୍ୟେକ ଶିକ୍ଷା ଅନୁଷ୍ଠାନ ଓ ଶିଳ୍ପ ଅନୁଷ୍ଠାନ ପାଇଁ ଜମି ଦେବା ସମୟରେ ଉକ୍ତ ଅନୁଷ୍ଠାନର ସମୁଦାୟ ଅଞ୍ଚଳର ଏକ ତୃତୀୟାଂଶରେ ଜଙ୍ଗଲ ସୃଷ୍ଟି କରିବା ପାଇଁ ଆଇନତଃ ବାଧ୍ୟ ହେବା ଉଚିତ। ଉକ୍ତ ଜମିରେ କେବଳ ବୃକ୍ଷ ଜାତୀୟ ଚାରା ରୋପଣ କରିବା ଜରୁରୀ। ସରକାର ଏବେ ଅମୃତ ସରୋବର ଯୋଜନା ଆରମ୍ଭ କରିଛନ୍ତି। ମଣିଷ ପାଇଁ ପାଣି ଯେପରି ଦରକାର, ଜଙ୍ଗଲର ବନ୍ୟଜନ୍ତୁ ପାଇଁ ମଧ୍ୟ ପାଣି ଅପରିହାର୍ଯ୍ୟ। ସୃଷ୍ଟିରେ କେବଳ ମଣିଷର ବଞ୍ଚିବାର ଅଧିକାର ଅଛି କି? ତେଣୁ ଉକ୍ତ ଯୋଜନାର ଅଧା ଖର୍ଚ୍ଚ ପାହାଡ଼ ତଳ ଜଙ୍ଗଲ ଜମିରେ ଖର୍ଚ୍ଚ କରାଯାଇ ବନ୍ୟଜନ୍ତୁଙ୍କୁ ପାଣି ଯୋଗାଇବା ଏକାନ୍ତ ଆବଶ୍ୟକ। ପ୍ରକୃତିକୁ କ୍ଷତ ବିକ୍ଷତ କଲେ ତା’ର କୁପରିଣାମ ଆଗାମୀ ଦିନରେ ମଣିଷକୁ ଭୋଗିବାକୁ ପଡ଼ିବ। ତେଣୁ ପରିବେଶର ପରିବର୍ତ୍ତନକୁ ରୋକିବା ବୁଦ୍ଧିମାନର କାର୍ଯ୍ୟ ହେବ। ଏହା ଅପ୍ରିୟ ଯେ, ସହରବାସୀ ଯେତେ ଅଧିକା ଗଛ କାଟିବେ, ପାଣି ଓ ପବନ ପାଇଁ ସେତେ​‌ ଅଧିକ ଟିକସ ଦେବେ। ପରିବେଶ ସୁରକ୍ଷା ପାଇଁ ଜନ ଜାଗରଣ ବର୍ତ୍ତମାନ ଅପରିହାର୍ଯ୍ୟ।

Comments are closed.