ଅନ୍ଧକାରକୁ କେବେ ଭଲ ପାଇଛନ୍ତି ?

ଆପଣ ଅନ୍ଧକାରକୁ ଭଲପା’ନ୍ତି ନା ଆଲୋକକୁ? ଏ ପ୍ରଶ୍ନର ଉତ୍ତରର ଅନେକ ଲୋକ ନିଶ୍ଚୟ କହିବେ ଆଲୋକକୁ। କାହିଁକି ନା ସେମାନଙ୍କ ଦୃଷ୍ଟିରେ ଅନ୍ଧକାରର ଅର୍ଥ ଅନ୍ଧାର ବା ଅଜ୍ଞାନ ବା ବିଷାଦ ବା ଉଦାସ ବା ରହସ୍ୟ।ଆମେ କିନ୍ତୁ ଆଲୋଚନା କରିବା ଅନ୍ଧକାରମାନେ ଅନ୍ଧାର ଉପରେ। ଅର୍ଥାତ୍‍ ଆଲୋକର ଅଭାବ ବା ଅନୁପସ୍ଥିତିରେ ଯେଉଁ ଅନ୍ଧାର ତାହାରି ସମ୍ବନ୍ଧରେ। ୧୮୦୨ ମସିହାରେ ସାର ହମ୍ପ୍ରେ ଡାଭେ ବିଦ୍ୟୁତ୍‍ ବଲ୍‍ବ ଉଦ୍ଭାବନ କଲେ। ୧୮୮୦ରେ ଥୋମାସ୍‍ ଆଲ୍‍ଭା ଏଡିସନ୍‍ ଏହାକୁ ବ୍ୟାବସାୟିକ ବୈଦ୍ୟୁତିକ ବଲ୍‍ବରେ ରୂପାନ୍ତର କଲେ। ତା’ପରେ ମଣିଷ ଆଉ ପଛକୁ ଚାହିଁନି। ପୃଥିବୀରେ କୋଣ ଅନୁକୋଣରୁ ଅନ୍ଧକାରକୁ ହଟାଇ ଦେବାକୁ ଲାଗିଛିି। ପରିସ୍ଥିତି ଏପରି ହେଲାଣି ଯେ ନିୟୁର୍କ, ୱାଶିଙ୍ଗ୍‍ଟନ୍‍, କାଲିଫର୍ଣ୍ଣିଆ, ରୋମ୍‍, ପ୍ୟାରିସ୍‍ ଭଳି ସହରରେ ବାସ କରୁଥିବା ଲୋକ ଅନ୍ଧକାର କ’ଣ କହିପାରିବେ ନାହିଁ। ତାଙ୍କର ଅନ୍ଧକାର ଦେଖିବାର ସୁଯୋଗ ନାହିଁ। ଏହି ଦଶା ବିଭିନ୍ନ ଦେଶର ପ୍ରମୁଖ ସହର ଅଧିବାସୀଙ୍କର ହେବାକୁ ଯାଉଛି।
ଲୋକମାନେ ସକାଳୁ ଉଠିଲାବେଳକୁ ଦିନ। ଘରେ ଆଲୋକ। ଅଫିସରେ ଆଲୋକ। ମେଟ୍ରୋ ଟ୍ରେନ୍‍ରେ ଆଲୋକ। ସନ୍ଧ୍ୟା ହେବା ପୂର୍ବରୁ ରାସ୍ତାଘାଟରେ ଦିନପରି ଆଲୋକ। କମ୍ପ୍ୟୁଟର, ଲାପଟପ୍‍ ସ୍କ୍ରିନ୍‍ରୁ ଆଲୋକ, ସ୍ମାର୍ଟଫୋନ ସ୍କ୍ରିନ୍‍ରୁ ଆଲୋକ। ଗାଡିରୁ ଆଲୋକ ଟିଭିରୁ ଆଲୋକ। ଏପରିକି ଶୋଇଲାବେଳେ ବେଡ୍‍ ଲାଇଟରୁ ଆଲୋକ। ମୋବାଇଲ ଫୋନର ନୋଟିଫିକେସନ୍‍ ଆଲୋକ ଏବଂ ସ୍ଟ୍ରିଟ୍‍ ଲାଇଟ୍‍ର ଆଲୋକ ନିଦ୍ରାରେ ବ୍ୟାଘାତ ଆଣେ ଏବଂ ମଣିଷର ଶରୀର, ମନ ଓ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଏ। ଏହାକୁ କୁହାଯାଉଛି ଆଲୋକ ପ୍ରଦୂଷଣ ବା ଲାଇଟ୍‍ ପଲ୍ୟୁସନ୍‍।

ତା’ ଅର୍ଥ ଆଲୋକ ମାତ୍ରାଧିକ ବ୍ୟବହାର ଖରାପ। ଆଉ ଅନ୍ଧକାର ଆବଶ୍ୟକତା ନିଶ୍ଚୟ ଅଛି। ତାହା କ’ଣ ଆସନ୍ତୁ ବିଚାର କରିବା।

କ) ବିଭିନ୍ନ ଧର୍ମ ହେଉ କି ବିଜ୍ଞାନର ବିଗ୍‍ ବ୍ୟାଙ୍ଗ ତତ୍ତ୍ୱ ହେଉ ସମସ୍ତେ କହନ୍ତି ବ୍ରହ୍ମାଣ୍ଡର ସୃଷ୍ଟି ଅନ୍ଧକାର ଭିତରୁ। ବାଇବେଲରେ କୁହାଯାଇଛି ଯେ ଈଶ୍ୱର କହିଲେ “ଲେଟ୍‍ ଦେୟାର ବି ଲାଇଟ୍‍”। ଅନେକ ବୀଜର ଅଙ୍କୁରୋଦ୍‌ଗମ ଅନ୍ଧକାରରେ ହିଁ ହୋଇଥାଏ। ଫୁଲଗଛରେ କଢ଼ଟି ଅନ୍ଧକାରରେ ହିଁ ଫୁଲ ହୋଇଥାଏ। ମଣିଷ, ଜୀବଜନ୍ତୁ, ପକ୍ଷୀମାନଙ୍କ ଭ୍ରୂଣ ଅନ୍ଧକାରରେ ହିଁ ମା ଗର୍ଭରେ ସଞ୍ଚାରିତ ହୁଏ ଓ ବୃଦ୍ଧି ହୁଏ। ଅନେକ ମହକଭରା ଫୁଲ ରାତିରେ ଅନ୍ଧକାରରେ ଫୁଟି ପ୍ରକୃତି ପରିବେଶକୁ ମହକାଇ ଦେଇଥାନ୍ତି। ତେଣୁ ସୃଷ୍ଟି ପାଇଁ ଅନ୍ଧକାର ନିହାତି ଦରକାର।

ଖ) ଅନ୍ଧକାର ମଣିଷ ପାଇଁ ଦରକାର କାରଣ ନିଦ୍ରା ଅଭାବରେ ମଣିଷ ପାଗଳ ହୋଇଯିବ କିମ୍ବା ଅସୁସ୍ଥ ହୋଇ ମୃତ୍ୟୁବରଣ କରିବ। ଅନ୍ଧକାରରେ ଥାଏ ତା’ର ଶାନ୍ତି, ନିଦ୍ରା ଓ ବିଶ୍ରାମ। ସେହିପରି ଅନ୍ଧକାର ପଶୁଙ୍କ ପାଇଁ ଦରକାର। ଅନେକ ପଶୁ ରାତ୍ରିଚର। ସେମାନେ ରାତିରେ ଖାଦ୍ୟ ସଂଗ୍ରହ କରନ୍ତି। ସେହିପରି ଅନ୍ଧକାର ଦରକାର ପକ୍ଷୀଙ୍କ ପାଇଁ। ଅନେକ ପକ୍ଷୀ ଯେପରି ବାଦୁଡ଼ି, ପେଚା ରାତିରେ ନିଜର ଖାଦ୍ୟ ଯୋଗାଡ଼ କରନ୍ତି। ଅନେକ ପକ୍ଷୀ ରାତିରେ ଅନ୍ଧକାରରେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯା’ନ୍ତି। ସେହିପରି ଅନ୍ଧକାର ଦରକାର ଗଛ ପାଇଁ। ଦିନରେ ଅମ୍ଳଜାନ ଦେଇ ଅଙ୍ଗାରକାମ୍ଳ ନେଇଥାନ୍ତି ଆଉ ରାତିରେ ଅମ୍ଳଜାନ ଗ୍ରହଣ କରନ୍ତି। ଅନେକ କଇଁଛ ରାତିରେ ହିଁ ସମୁଦ୍ର ଭିତରକୁ ଯାତ୍ରା କରିଥାନ୍ତି।

ଗ) ଅନ୍ଧକାର ଦରକାର ମଣିଷର ସ୍ୱାସ୍ଥ୍ୟ ପାଇଁ। ଏକ ପରୀକ୍ଷାରୁ ଜଣାଯାଇଛି ରାତି ଅନିଦ୍ରା ହୋଇ କାମ କରୁଥିବା ଆଇ.ଟି. କମ୍ପାନୀର ପିଲାମାନେ ବା ଡାକ୍ତରଖାନାର ନର୍ସମାନେ ଅନେକ ଭୁଲ କରନ୍ତି। ସେମାନଙ୍କଠାରେ ଦୃଷ୍ଟିଶକ୍ତି ହ୍ରାସ, ରକ୍ତଚାପ, ମଧୁମେହ ରୋଗ ଦେଖାଯାଏ ଏବଂ ରାତିରେ ଯେଉଁ କୃତ୍ରିମ ଆଲୋକରେ କାମ କରୁଛନ୍ତି ତାହା ଶରୀରରେ ମେଲାଟୋନିନ୍‍ ହର୍‍ମୋନ ସୃଷ୍ଟି କରିବାରେ ବାଧା ସୃଷ୍ଟି କରେ। ଏହା ଦ୍ୱାରା କ୍ୟାନ୍‍ସରର ସମ୍ଭାବନା ବଢ଼େ। ତେଣୁ ଅନ୍ଧକାର ବିନା ନିଦ୍ରାହୀନତା, ମୋଟାପା, କ୍ୟାନସର, ମଧୁମେହ, ରକ୍ତଚାପ ବଢ଼ିଥାଏ। ଏହି ଡାକ୍ତରୀ ମତାମତ ସହ (WHO) ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ଏକମତ।

ଘ) ଅନ୍ଧକାରର ଆବଶ୍ୟକତା ଅଛି ମଣିଷର ଶାନ୍ତି ପାଇଁ। ରାତିର ଅନ୍ଧକାର ମନକୁ ଓ ହୃଦୟକୁ ଶାନ୍ତି ପ୍ରଦାନ କରେ। ରାତିର ଅନ୍ଧକାରରେ ତାରାମାନଙ୍କର ମିଞ୍ଜିମିଞ୍ଜି ଆଲୋକ ପୃଥିବୀକୁ ସଜେଇ ଦିଏ ଉପଭୋଗ ପାଇଁ। ସେଥିପାଇଁ ସାହିତ୍ୟ, ସଂଗୀତ, ଉପନ୍ୟାସ, ଚଳଚ୍ଚିତ୍ର ଏତେ ଜୀବନ୍ତ ଲାଗନ୍ତି। ସେଥିପାଇଁ ସଚ୍ଚି ରାଉତରାୟ ଲେଖିଲେ “ଆଲୁଅ ତା’ର କି ମନୋହର ଅନ୍ଧକାର ତା’ଠାରୁ ଭଲ”।

ଙ) ଅନ୍ଧକାରର ଆବଶ୍ୟକତା ଅଛି ଦରକାର ପରିବେଶକୁ ବଞ୍ଚାଇବା ପାଇଁ। ଗାଡ଼ିରେ ଲାଇଟ୍‍ ଲଗାଇ ମଟର ସାଇକେଲ, କାର୍‍, ବସ୍‍, ଟ୍ରକ୍‍, ଟ୍ରେନ୍‍ ଓ ପ୍ଲେନ୍‍ ଯେତିକି ଆଲୋକ ବିକିରଣ କରୁଛନ୍ତି ତାଦ୍ୱାରା ଅଧିକ ଅଙ୍ଗାରକାମ୍ଳ ଗ୍ୟାସ୍‍ ଓ କାର୍ବନ ମନୋକ୍‍ସାଇଡ୍‍ ଗ୍ୟାସ୍‍ ନିର୍ଗତ ହୁଏ, ଯାହା ଉତ୍ତପ୍ତ ବାୟୁମଣ୍ଡଳ ଓ ବିଷାକ୍ତ ପରିବେଶ ପାଇଁ ଦାୟୀ।

ଚ) ଅନ୍ଧକାର ଦରକାର ପୁଣି ଆଶା ସଞ୍ଚାର ପାଇଁ, ପୁଣି ସଂଗ୍ରାମ ପାଇଁ, ପୁଣି ଜୀବନକୁ ଫେରିବା ପାଇଁ, ପୁଣି କର୍ମ ସଂସ୍ଥାକୁ ଆସିବା ପାଇଁ। ଅନ୍ଧକାରରେ ହୁଏ ଧ୍ୟାନ, ଅନ୍ଧକାର ହୁଏ ଆତ୍ମମନ୍ଥନ, ଅନ୍ଧକାରରେ ହୁଏ ଆତ୍ମଶୋଧନ, ଅନ୍ଧକାରରେ ହୁଏ ବିଷାଦ ବର୍ଜନ ଆଉ ଅନ୍ଧକାରରେ ହୁଏ ଜୀବନ ଦର୍ଶନ।

ଯେତେବେଳେ ସଞ୍ଜୟ ଗାନ୍ଧୀ ବିମାନ ଦୁର୍ଘଟଣାରେ ଆକସ୍ମିକ ମୃତ୍ୟୁବରଣ କଲେ, ଡାକ୍ତର ତଥା ମନସ୍ତତ୍ତ୍ୱବିତ୍‍ଙ୍କ ପରାମର୍ଶ ଅନୁଯାୟୀ ଇନ୍ଦିରା ଗାନ୍ଧୀଙ୍କୁ ଗୋଟିଏ ଅନ୍ଧକାର କକ୍ଷରେ ରହି ଶୋକପାଳନ କରିବାକୁ କୁହାଗଲା ଯାହାଦ୍ୱାରା ସେ ଶୀଘ୍ର ସାଧାରଣ ସ୍ଥିତିକୁ ଫେରିଆସିବେ। କେବଳ RIP କହିଦେଲେ କାହାକୁ ଶାନ୍ତି ମିଳି ଯାଏନା। ଶାନ୍ତି ପାଇଁ ଅନ୍ଧକାର ଏକ ମହୋଷଧି।

ତେଣୁ ମଣିଷ ଜାତିକୁ ବିଜ୍ଞାନର ଅବଦାନ କୃତ୍ରିମ ଆଲୋକ। କିନ୍ତୁ ମଣିଷ ଏହି ଅବଦାନକୁ ଅଭିଶାପରେ ପରିଣତ କରିଦେଲାଣି ଯାହାର ନା ‘ଲାଇଟ୍‍ ପଲ୍ୟୁସନ୍‍’ ବା ଆଲୋକ ପ୍ରଦୂଷଣ। ତେଣୁ ବେଳହୁଁ ହୁଅ ସାବଧାନ ନ ହେଲେ ଏହା ହେବ ମଣିଷର ବଡ଼ ଅଜ୍ଞାନ।

Comments are closed.