ରାଜଦ୍ରୋହ ଆଇନର ସମୁଚିତ ସମୀକ୍ଷା

ଭାରତ ବିିଶ୍ବର ସର୍ବବୃହତ୍‌, ଗଣତାନ୍ତ୍ରିକ ରାଷ୍ଟ୍ର ହୋଇ ମଧ୍ୟ ସ୍ବାଧୀନତା ପ୍ରାପ୍ତିର ୭୨ ବର୍ଷ ଅତିକ୍ରାନ୍ତ ହୋଇଥିଲେ ବି ଇଂରେଜଙ୍କ ଔପନିବେଶିକ ଶାସନ ଅମଳରେ ପ୍ରଣୀତ ଭାରତୀୟ ଦଣ୍ଡସଂହିତା ୧୮୭୦ (ଆଇପିସି) ଆଜି ମଧ୍ୟ ଭାରତରେ ଚାଲୁଛି। ଏହି ଦଣ୍ଡ ସଂହିତାରେ ଏମିତି କିଛି ଆଇନ ଅଛି, ଯାହା କେବଳ ବ୍ରିଟିଶ ଶାସକଙ୍କ ଅମଳରେ ତାଙ୍କ ସୁରକ୍ଷା ଏବଂ ଭାରତୀୟଙ୍କ ସ୍ବାଧୀନତା ସଂକୁଚିତ କରି ଭୟଭୀତ କରିବା ଦିଗରେ କାର୍ଯ୍ୟକାରୀ ହେଉଥିଲା। ଏହି ଆଇନରେ ରାଜଦ୍ରୋହ ଆଇନ ୧୨୪ (ଏ) ଭୟଙ୍କର ଓ ଅମାନବୀୟ ଥିଲା। ଏହି ଦଫା ଅନୁଯାୟୀ ଯଦି କୌଣସି ବ୍ୟକ୍ତି ବାଚନିକ, ଲିଖିତ ବା ସାଙ୍କେତିକ ଭାବରେ ଆଇନାନୁଯାୟୀ ପ୍ରତିଷ୍ଠିତ ସରକାରଙ୍କ ବିରୋଧରେ ଘୃଣା, ଅବମାନନା ବା ବିରାଗ ସୃଷ୍ଟିକରେ ବା ସେଥିପାଇଁ ଉଦ୍ୟମ କରେ ବା ପ୍ରରୋଚନା ଦିଏ ତେବେ ତାହାକୁ ଜୋରିମାନା, ୩ ବର୍ଷ କିମ୍ବା ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବ। ଏହାକୁ ଜାମିନବିହୀନ ଅପରାଧ ଶ୍ରେଣୀରେ ରଖାଯାଇଛି। ବ୍ରିଟିଶ୍‌ ସରକାର ଭାରତୀୟ ସ୍ବାଧୀନତା ସଂଗ୍ରାମୀଙ୍କୁ ଦମନ କରିବା, କାରାଦଣ୍ଡରେ ଦଣ୍ଡିତ କରି ବର୍ଷବର୍ଷ ଧରି ବିପ୍ଳବୀଙ୍କୁ କଷଣ ଦେଇ ସ୍ଥାଣୁ କରିଦେବା ଉଦ୍ଦେଶ୍ୟରେ ଦଫା ୧୨୪ (ଏ)କୁ ଅମୋଘ ଅସ୍ତ୍ରପରି ପ୍ରୟୋଗ କରୁଥିଲେ। ଦୁର୍ଭାଗ୍ୟର କଥା ଏହି ୧୬୨ ବର୍ଷର ପୁରୁଣା ଆଇନ୍‌କୁ ଉଚ୍ଛେଦ କିମ୍ବା ପରିବର୍ତ୍ତନ କରିବାପାଇଁ କେନ୍ଦ୍ରରେ କ୍ଷମତାସୀନ ସରକାରମାନେ କୌଣସି ବିଲ୍‌ କିମ୍ବା ସମୀକ୍ଷାକୁ ପ୍ରୋତ୍ସାହିତ କଲେନାହିଁ। ଅନ୍ୟପକ୍ଷରେ ସରକାରଙ୍କର କୌଣସି ଦୋଷ, ତ୍ରୁଟି ବା ଦୁର୍ବଳତା ବିରୋଧରେ ଯଦି କେହି କିଛି ସମାଲୋଚନା କରନ୍ତି, ତାଙ୍କୁ ରାଜଦ୍ରୋହ ଆଇନ ବଳରେ ଦଣ୍ଡିତ କରାଯାଉଛି। ଯଦିଚ ୨୦୧୧ ଓ ୨୦୧୫ ମସିହାରେ ରାଜଦ୍ରୋହ ଆଇନ ଉପରେ ୨ଟି ପ୍ରାଇଭେଟ୍‌ ବିଲ୍ ସଂସଦରେ ଆଗତ ହୋଇଥିଲା, ଏହି ଆଇନ କେବଳ ପ୍ରତ୍ୟକ୍ଷ ହିଂସା ଉତ୍ପନ୍ନକାରୀ ଭାଷଣ ପାଇଁ ଉଦ୍ଦିଷ୍ଟ ରହୁ ବୋଲି ଆବେଦନ କରାଯାଇଥିଲା ଏବଂ ତାହା ମଧ୍ୟ ଗୃହରେ ନାକଚ ହୋଇଥିଲା।

ସ୍ବାଧୀନ ଗଣତନ୍ତ୍ରରେ ସରକାରଙ୍କର ସମାଲୋଚନାରୁ ନାଗରିକମାନଙ୍କୁ ନିବୃତ୍ତକରି ରଖିବା ଏବଂ ଅନେକ କ୍ଷେତ୍ରରେ ରାଜନୈତିକ ସ୍ବାର୍ଥକୁ ଗୁରୁତ୍ବଦେଇ କେନ୍ଦ୍ର ଏବଂ ରାଜ୍ୟ କ୍ଷମତାସୀନ ସରକାର ବହୁ ସମାଲୋଚକଙ୍କୁ ରାଜଦ୍ରୋହ ଆଇନରେ ଗିରଫ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ୧୯୬୨ର କେଦାରନାଥ ସିଂହ ଏବଂ ୧୯୮୪ରେ ବଲୱନ୍ତ ସିଂହ ବନାମ ସରକାର ମାମଲାଗୁଡ଼ିକରେ ବିଚାରକରି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଥିଲେ ଯେ, କୌଣସି ବ୍ୟକ୍ତିବିଶେଷଙ୍କ ସରକାର ବିରୋଧୀ ବକ୍ତବ୍ୟ ବା କାର୍ଯ୍ୟ ହିଂସାକାଣ୍ଡକୁ ପ୍ରୋତ୍ସାହନ ନ ଦେବା ପର୍ଯ୍ୟନ୍ତ ରାଜଦ୍ରୋହ ଦଫାର ପ୍ରୟୋଗ ଅନୁଚିତ; କିନ୍ତୁ ଏହା ସତ୍ତ୍ବେ ଏବେ ସାରା ଦେଶ​‌ରେ ୮୦୦ରୁ ଅଧିକ ରାଜଦ୍ରୋହ ମାମଲା ବିଚାରାଧୀନ ଥିବାବେଳେ ପ୍ରାୟ ୧୩୦୦୦ ଲୋକ ଜେଲରେ ଅଛନ୍ତି। ରାଷ୍ଟ୍ରନୀତିଜ୍ଞ,, ସ୍ବେଚ୍ଛାସେବୀ, ବୁଦ୍ଧିଜୀବୀ, ଲେଖକ, ସମାଲୋଚକଙ୍କ ମତ ହେଲା ଦଫା ୧୨୪(ଏ)କୁ ବହୁ କ୍ଷେତ୍ରରେ ସରକାର ଆକ୍ରୋଶମୂଳକ ଭାବେ ପ୍ରୟୋଗ କରି ଆଇନର ଦୁରୁପଯୋଗ କରି ସାଧାରଣ ଲୋକଙ୍କୁ ଦଣ୍ଡିତ କରୁଛନ୍ତି। ଏଣୁ ଏହି ଆଇନକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯିବାର ଆବଶ୍ୟକତା ଅଛି। ଆମ ଦେଶରେ ଆଇନ ଆୟୋଗ ୨୦୧୮ ମସିହାରେ ଉଲ୍ଲେଖ କରିଥିଲେ ଯେ ରାଜଦ୍ରୋହ ଆଇନକୁ ସ୍ବାଧୀନତା ପ୍ରାପ୍ତି ପରେ ଗଠିତ କନ୍‌ଷ୍ଟିଚ୍ୟୁଏଣ୍ଟ ଆସେମ୍ବ୍ଲିରେ ବିରୋଧ କରାଯାଇଥିଲା ଓ କୁହାଯାଇଥିଲା ଯେ ଏହି ଦେଶଦ୍ରୋହ ଆଇନ ବ୍ୟକ୍ତିର ମତବ୍ୟକ୍ତ କରିବାର ଅଧିକାର ଏବଂ ଆମ ସମ୍ବିଧାନ ଧାରା ୧୪କୁ ଅବମାନନା କରୁଛି। ଏହାର ପୁନଃ ସମୀକ୍ଷା ଜରୁରୀ। ନିକଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବ୍ୟକ୍ତିଗତ ବାସଭବନ ସମ୍ମୁଖରେ ଜନୈକ ସାଂସଦ ଓ ତାଙ୍କର ବିଧାୟକ ସ୍ବାମୀ ହନୁମାନ ଚାଳିଶା ପାଠ କରିବାକୁ ଘୋଷଣା କରିଥିବାରୁ ପୁଲିସ ରାଜଦ୍ରୋହ ଆଇନ ପ୍ରୟୋଗ କରି ଗିରଫ କରିଥିଲେ।

ଇତିହାସକୁ ସ୍ମରଣ କଲେ ୧୯୦୮ରେ ବାଲ୍‌ ଗଙ୍ଗାଧର ତିଲକ ଓ ୧୯୨୨ରେ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ଏହି ଦଫାରେ ଗିରଫ ହୋଇ କାରାଦଣ୍ଡ ଭୋଗିଥିଲେ। ଦେଶର ବିଭିନ୍ନ ସମୟରେ ହୋଇଥିବା ସ୍ବାଧୀନତା ଆନ୍ଦୋଳନ ମଧ୍ୟରେ ଅସହଯୋଗ ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଭାରତଛାଡ଼ ଆନ୍ଦୋଳନର ପ୍ରମୁଖ ଭୂମିକା ଥିଲା। ଏହି ଆନ୍ଦୋଳନରେ ଶହଶହ ସ୍ବାଧୀନତା ସଂଗ୍ରାମୀଙ୍କୁ ଇଂରେଜ ସରକାର ରାଜଦ୍ରୋହ ଆଇନ ଦ୍ବାରା ଗିରଫ କରି କାରାଦଣ୍ଡରେ ଦଣ୍ଡିତ କରି ଅକଥନୀୟ ନିର୍ଯାତନା ଦେଇଥିଲେ। ଆଣ୍ଡାମାନର କଳାପାଣି ସେଲ୍ୟୁଲାର ଜେଲରେ କିଛି ସ୍ବାଧୀନତା ସଂଗ୍ରାମୀ ଏହି ଦଫାରେ ଦଣ୍ଡିତ ହୋଇ ଆଜୀବନ କାରାଦଣ୍ଡ ଭୋଗ କରିଛନ୍ତି। ଜାତୀୟ ଅପରାଧ ପଞ୍ଜୀକରଣ ବ୍ୟୁରୋ ୨୦୧୪ ମସିହାରୁ ଦଫା ୧୨୪(ଏ)ରେ ଗିରଫ ହେଉଥିବା ଅପରାଧିକ ମାମଲାଗୁଡ଼ିକର ସ୍ବତନ୍ତ୍ର ରେକର୍ଡ ରଖିଆସୁଛି। ୨୦୧୬ରୁ ୨୦୧୯ ମଧ୍ୟରେ ଗିରଫ ସଂଖ୍ୟାରେ ୧୬୦ ପ୍ରତିଶତ ବୃଦ୍ଧି ଘଟିଥିବାବେଳେ ୨୦୧୬ରେ ଦଣ୍ଡବିଧାନ ହାର ଥିଲା ମାତ୍ର ୩୩ ପ୍ରତିଶତ ଏବଂ ୨୦୧୯ରେ ହ୍ରାସ ପାଇ ୩.୩ ପ୍ରତିଶତରେ ପହଞ୍ଚିଛି। ଏଥିରୁ ସ୍ପଷ୍ଟ ଯେ ଏହି ଆଇନ କିଭଳି ଏକ ମାରାତ୍ମକ ସରକାରୀ ଅସ୍ତ୍ରରେ ପରିଣତ ହୋଇ ଅନେକ ସାଧାରଣ ଲୋକଙ୍କ ସମ୍ମାନ ହାନି କରିବା ସହ କାରାଦଣ୍ଡରେ ଦଣ୍ଡିତ କରିଛି। କେବଳ ୨୦୧୮ରେ ୭୦ଟି ମାମଲା ରୁଜୁ ହୋଇଛି। ୨୦୨୦ ମସିହାରେ ମଣିପୁରରେ ୧୫, ଆସାମରେ ୧୨, କର୍ଣ୍ଣାଟକରେ ୯, ଉତ୍ତରପ୍ରଦେଶ, ହରିୟାଣା ଓ ଦିଲ୍ଲୀରେ ମିଶି ୧୮ଟି ରାଜଦ୍ରୋହ ମାମଲା ରୁଜୁ ହୋଇ ବିଚାରାଧୀନ ରହିଛି। ତେବେ ବିଡ଼ମ୍ବନା ଏହି କି ଅଭିଯୁକ୍ତମାନଙ୍କ ମଧ୍ୟରେ ଅଧିକାଂଶ ସାମାଜିକ କର୍ମୀ, ପରିବେଶବିତ୍‌, ସମାଜସେବୀ, ସାମ୍ବାଦିକ, କାର୍ଟୁନିଷ୍ଟ ଏବଂ ନାଗରିକତା ସଂଶୋଧନ ଆଇନ ବିରୋଧୀ ଆଦି ଅଛନ୍ତି।

ବ୍ରିଟେନ୍‌ରେ ରାଜଦ୍ରୋହ ଆଇନକୁ ୧୯୭୭ ମସିହାରେ ଲ’ କମିସନ ଉଚ୍ଛେଦ ପାଇଁ ସେଠା ସରକାରଙ୍କୁ ଏକ ପ୍ରସ୍ତାବ ଦେଇଥିଲେ। ୨୦୦୯ ମସିହାରେ ଏହାର ବହୁଳ ଅପବ୍ୟବହାର ଏବଂ ବ୍ୟକ୍ତିର ମୌଳିକ ସ୍ବାଧୀନତାକୁ ତର୍ଜମା କରାଯାଇ ଦେଶରୁ ଉଚ୍ଛେଦ ପାଇଁ ବିଲ୍‌ ଗୃହୀତ ହୋଇ ୨୦୧୨ ମସିହାରେ ଉକ୍ତ ଆଇନକୁ ଉଚ୍ଛେଦ କରାଗଲା। ସେହିପରି ସିଙ୍ଗାପୁର, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଆଦି ଦେଶରେ ରାଜଦ୍ରୋହ ଆଇନକୁ ସମୀକ୍ଷା କରାଯାଇ ପରିବର୍ତ୍ତନ କରାଯାଇଅଛି।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ.ଭି.ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ୩ ଜଣିଆ ପୀଠ ଯେଉଁ ଐତିହାସିକ ରାୟ ଭାରତୀୟ ଦଣ୍ଡ ସଂହିତା ୧୮୭୦ ଦଫା ୧୨୪ (ଏ) ଉପରେ ଶୁଣାଇଛନ୍ତି, ତାହାକୁ ସରକାର ଗୁରୁତ୍ବ ଦେବା ଅନିବାର୍ଯ୍ୟ। ବ୍ୟାପକ ଦୁରୁପଯୋଗ ହେଉଥିବାରୁ ଏହାକୁ ଚାଲେଞ୍ଜ କରି ଆଗତ ଜନସ୍ବାର୍ଥ ମାମଲା​‌େ​‌ର ଏହି ଆଇନର ପୁନଃ ସମୀକ୍ଷା ଜରୁରୀ ବୋଲି ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ନ୍ୟାୟାଳୟ କହିଛନ୍ତି ଯେ ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ଏବଂ ସମୀକ୍ଷା ନ ହେବା ପର୍ଯ୍ୟନ୍ତ କେନ୍ଦ୍ର ଏବଂ ସବୁ ରାଜ୍ୟ ସରକାର ଏହି ଦଫା ଲଗାଇବାରୁ କ୍ଷାନ୍ତ ରହିବେ ବୋଲି ଆଶା କରାଯାଉଛି। ଯେଉଁମାନେ ଏହି ମାମଲାରେ କାରାଗାରରେ ଅଛନ୍ତି, ସେମାନେ ଜାମିନ ପାଇଁ କୋର୍ଟରେ ଆବେଦନ କରିପାରିବେ। ଏହି ପରିପ୍ରେକ୍ଷୀରେ କେନ୍ଦ୍ରର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କ ପ୍ରତିକ୍ରିୟା ଦେଶବାସୀଙ୍କୁ ଚକିତ କରୁଛି। ମନ୍ତ୍ରୀ କହିଲେ, ଅଦାଲତଙ୍କ ଆଦେଶ ସମ୍ମାନାସ୍ପଦ; କିନ୍ତୁ କୌଣସି ଅନୁଷ୍ଠାନ ଲକ୍ଷ୍ମଣରେଖା ଅତିକ୍ରମ କରିବା ଠିକ୍‌ ନୁହେଁ। ଏପରି ଉକ୍ତିର ଯଥାର୍ଥତା କେତେ ତାହା ନ୍ୟାୟପାଳିକା ହିଁ ବିଚାର କରିପାରନ୍ତି।

ଆଇନ କୌଣସି ବେତ କି କାଉଁରିଆ କାଠି ନୁହଁ। କେଉଁଠି ନଇଁଯିବ ତ କେଉଁଠି ଭାଙ୍ଗିବ ପଛେ ନଇଁବ ନାହିଁ। ବିଚାରର ଧର୍ମ ସର୍ବଦା ନିରପେକ୍ଷ ରହୁ। ଭାରତ ପରି ଜନମଙ୍ଗଳ, ଗଣତାନ୍ତ୍ରିକ ରାଷ୍ଟ୍ରରେ ନ୍ୟାୟପାଳିକା ଉପରେ ଜନସାଧାରଣଙ୍କର ଅତୁଟ ବିଶ୍ବାସ ଓ ଭରସା ରହିଛି। ଏହା ଆମ୍ଭ ସମ୍ବିଧାନରେ ମଧ୍ୟ ଲିପିବଦ୍ଧ। ପରିବର୍ତ୍ତନଶୀଳ ସମାଜରେ ଅପରାଧ ଓ ଆପରାଧିକ ମାମଲା ବୃଦ୍ଧି ଘଟିଛି। କେତେକ କ୍ଷେତ୍ରରେ ପୁରୁଣା, ଅନୁପଯୋଗୀ, ଅକାମୀ ଆଇନକୁ ପରିବର୍ତ୍ତନ କିମ୍ବା ଉଚ୍ଛେଦ କରାଯିବା ପାଇଁ ଆମ୍ଭ ସମ୍ବିଧାନରେ ମଧ୍ୟ ଧାରା ଅଛି। ଏଣୁ ଚର୍ଚ୍ଚିତ ରାଜଦ୍ରୋହ ଆଇନକୁ ବିଳମ୍ବରେ ହେଲେ ବି ନ୍ୟାୟାଳୟ ସ୍ଥଗିତ ରଖିବା ସ୍ବାଗତଯୋଗ୍ୟ। ଏହା ଉଚ୍ଛେଦ ହେବା ଆବଶ୍ୟକ। ସରକାର ସମୁଚିତ ବିଚାର କରି ପଦକ୍ଷେପ ନିଅନ୍ତୁ, ଯାହା ରାଷ୍ଟ୍ରର ହିତସାଧନ କରିବ।

Comments are closed.