ଶାନ୍ତି ଓ ସଦ୍‌ଭାବନାର ଅଗ୍ରଦୂତ

ଏକ ସହଜ ସରଳ ଜୀବନଶୈଳୀ ମାଧ୍ୟମରେ ବସୁଧୈବ କୁଟୁମ୍ବକମ୍‌ର ଅନ୍ତର୍ନିହିତ ବାର୍ତ୍ତାକୁ ବିଶ୍ୱରେ ବାସ୍ତବରୂପ ଦେବାରେ ଗୌତମ ବୁଦ୍ଧ ହେଉଛନ୍ତି ପ୍ରଥମ ଧର୍ମାଚାର୍ଯ୍ୟ। ସେ ମୂର୍ତ୍ତିପୂଜା, ଯଜ୍ଞ, ପଶୁବଳି, କର୍ମକାଣ୍ଡ ଓ ଜାତିପ୍ରଥାକୁ ପ୍ରତ୍ୟାଖ୍ୟାନ କରି ଏକ ଶାନ୍ତ ସୌହାର୍ଦ୍ୟପୂର୍ଣ୍ଣ ନିରାଡ଼ମ୍ବର ଜୀବନଶୈଳୀର ପ୍ରଚାରକ ଥିଲେ। ଅହିଂସା ଓ କରୁଣାକୁ ସେ ମାନବ ଜୀବନର ମୁଖ୍ୟ ଅବଲମ୍ବନ ଭାବେ ଗ୍ରହଣ କରିଥିଲେ। ଏପରିକି ମାଦକଦ୍ରବ୍ୟ, ଅସ୍ତ୍ରଶସ୍ତ୍ର, ବିଷ ବା ବିଷଯୁକ୍ତ ଔଷଧ, ପଶୁହତ୍ୟା ଓ ଦାସ ବ୍ୟବସାୟ ଆଦିକୁ ଜୀବିକା ଭାବରେ ଗ୍ରହଣ କରିବାକୁ ସେ ବାରଣ କରୁଥିଲେ। ତେଣୁ ତାଙ୍କ ପ୍ରଚାରିତ ମତବାଦକୁ ପୃଥିବୀରେ ଅନେକ ଦେଶ ରାଷ୍ଟ୍ରଧର୍ମ ଭାବରେ ଗ୍ରହଣ କରିଥିଲେ ମଧ୍ୟ ବିଗତ ଅଢ଼େଇ ହଜାର ବର୍ଷର ଇତିହାସରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ପାଇଁ ବିନ୍ଦୁଏ ବି ରକ୍ତପାତ ହୋଇନାହିଁ।

ଗୌତମ ବୁଦ୍ଧଙ୍କ ମତବାଦକୁ ସଂକ୍ଷେପରେ ଚାରୋଟି ଆର୍ଯ୍ୟସତ୍ୟ ଭାବରେ ଉପସ୍ଥାପନ କରାଯାଏ। (୧) ସଂସାର ଦୁଃଖମୟ, (୨) କାମନା ହେଉଛି ଦୁଃଖର କାରଣ, (୩) କାମନାର ବିନାଶରେ ଦୁଃଖର ବିନାଶ ଓ (୪) କାମନାର ବିନାଶ କରି ଦୁଃଖ ନିବୃତ୍ତି ପାଇଁ ଉପାୟ ଅଛି, ଯାହାକୁ ସେ ଅଷ୍ଟାଙ୍ଗିକ ମାର୍ଗ ଭାବେ ଅଭିହିତ କରିଛନ୍ତି। ଏହି ଅଷ୍ଟାଙ୍ଗ ମାର୍ଗ ହେଲା ସତ୍‍ ଭାବନା, ସତ୍‍ ବୁଦ୍ଧି, ସତ୍‍ କଥନ, ସତ୍‍ କାର୍ଯ୍ୟ, ସତ୍‍ ଜୀବିକା, ସତ୍‍ ଉଦ୍ୟମ, ସତ୍‍ ଚେତନା ଓ ସତ୍‍ ସମାଧି। ଏହି ଅଷ୍ଟମାର୍ଗ ପରସ୍ପରର ପରିପୂରକ, ଅର୍ଥାତ୍‍ ତଦ୍‍ମଧ୍ୟରୁ ଗୋଟିଏ ପାଳନ କଲେ ଅନ୍ୟଗୁଡି଼କ ଆଚରଣଗତ ହୋଇଥାଏ। ତାଙ୍କ ପ୍ରଚାରିତ ଜୀବନଶୈଳୀକୁ ପଞ୍ଚଶୀଳ ଭାବେ ଅଭିହିତ କରାଯାଏ। ତଦନୁଯାୟୀ ମଣିଷକୁ ଏହିସବୁ କର୍ମରୁ ନିବୃତ୍ତ ରହିବାକୁ ହୁଏ, ଯଥା- (୧) ଯେ କୌଣସି ଜୀବକୁ ହତ୍ୟା ବା କଷ୍ଟ ଦେବା, (୨) ଚୋରି, ଉତ୍କୋଚ ଗ୍ରହଣ ବା ଦୁର୍ନୀତିଯୁକ୍ତ କାର୍ଯ୍ୟ, (୩) ଯୌନ ବ୍ୟଭିଚାର ଓ ଅନୈତିକ ଯୌନ ସମ୍ପର୍କ, (୪) ମିଥ୍ୟା ବଚନ, ଅନ୍ୟର କୁତ୍ସାରଟନା ବା ରୁକ୍ଷ ଭାଷା ପ୍ରୟୋଗ, (୫) ମାଦକ ଦ୍ରବ୍ୟ ସେବନ।

ଏହି ମହାପୁରୁଷଙ୍କ ଜନ୍ମ ଖ୍ରୀ.ପୂ. ୫୪୪ ମସିହାରେ ଆଧୁନିକ ନେପାଳର କପିଳବାସ୍ତୁ ନଗରୀର ଲୁମ୍ବିନୀ ବନରେ ଶାକ୍ୟବଂଶୀ ରାଜା ଶୁଦ୍ଧୋଦନ ଓ ରାଣୀ ମାୟାଦେବୀଙ୍କ ଔରସରୁ ହୋଇଥିଲା। ତେବେ ତାଙ୍କର ଜନ୍ମକାଳ ସମ୍ପର୍କରେ କେତେକ ବିଦ୍ୱାନ୍‍ ଭିନ୍ନମତ ପୋଷଣ କରି ଏହା ଖ୍ରୀଷ୍ଟପୂର୍ବ ୫୬୦ରୁ ୫୬୩ ମସିହା ବୋଲି ମତ ପ୍ରକାଶ କରିଛନ୍ତି। ତାଙ୍କର ଜନ୍ମଜାତକ ନାମ ଥିଲା ସିଦ୍ଧାର୍ଥ। ସେ ଭୂମିଷ୍ଠ ହେବାର ମାତ୍ର ସାତ ଦିନ ପରେ ମାତା ମାୟାଦେବୀଙ୍କର ମୃତ୍ୟୁ ହେବାରୁ ମାଉସୀ ଗୌତମୀ ତାଙ୍କର ଲାଳନ ପାଳନ ଦାୟିତ୍ୱ ବହନ କଲେ। ଗୌତମୀଙ୍କ ଦ୍ୱାରା ପାଳିତ ହେବାରୁ ତାଙ୍କୁ ଗୌତମ ଓ ଶାକ୍ୟବଂଶଜ ହୋଇଥିବାରୁ ଶାକ୍ୟମୁନି ଓ ଶାକ୍ୟସିଂହ ମଧ୍ୟ କୁହାଯାଏ। ୧୬ ବର୍ଷ ବୟସରେ ତାଙ୍କର ବିବାହ କପିଳବାସ୍ତୁର ପଡ଼ୋଶୀ ‘କୋଲି’ ରାଜ୍ୟର ସୁନ୍ଦରୀ ରାଜକନ୍ୟା ଯଶୋଧାରା(ଅନ୍ୟ ନାମ ଗୋପା)ଙ୍କ ସହିତ ସମ୍ପନ୍ନ ହେଲା। ରାଜକୀୟ ବିଳାସ ବ୍ୟସନରେ ପ୍ରତିପାଳିତ ହେଲେ ମଧ୍ୟ ଜୀବନରେ ଅନିବାର୍ଯ୍ୟ ଜରା, ମରଣ ଓ ବ୍ୟାଧିରୁ ମଣିଷ କିପରି ମୁକ୍ତିଲାଭ କରିପାରିବ ସେକଥା ଭାବି ଭାବି ସେ ବିଚଳିତ ହୋଇପଡି଼ଲେ। ୨୯ ବର୍ଷ ବୟସରେ ପୁତ୍ର ରାହୁଳ ଜନ୍ମ ହେବା ପରେ ଦିନେ ନିଶାର୍ଦ୍ଧରେ ସେ ସ୍ତ୍ରୀ-ପୁତ୍ର, ପିତାମାତା ଓ ରାଜ୍ୟ ପରିତ୍ୟାଗ କରି ସତ୍ୟାନ୍ୱେଷଣ ଲାଗି ସନ୍ନ୍ୟାସୀ ହୋଇଗଲେ। ବୌଦ୍ଧମତରେ ଏହି ଘଟଣାକୁ ମହାଭିନିଷ୍କ୍ରମଣ କୁହାଯାଏ।

ଦୀର୍ଘବର୍ଷ ଧରି ସନ୍ଧାନ କରିଆସିଥିବା ପ୍ରଶ୍ନର ଉତ୍ତର ଖୋଜି ପାଇବାର ବିମଳ ଆନନ୍ଦରେ ସାତଦିନ ପର୍ଯ୍ୟନ୍ତ ମଜ୍ଜିରହିଲେ ସିଦ୍ଧାର୍ଥ ଗୌତମ। ସେତେବେଳେ ପାଞ୍ଚଶହ ଶଗଡ଼ଗାଡି଼ରେ ପଣ୍ୟଦ୍ରବ୍ୟ ନେଇ ମଧ୍ୟଦେଶକୁ ଯାତ୍ରା କରୁଥିବା ତପସ୍‍ସୁ ଓ ଭଲ୍ଲିକ ନାମକ ଓଡ଼ିଶାର ଦୁଇଜଣ ବଣିକ ‘ଉରୁବେଲା’ ଅରଣ୍ୟରେ ଶାକ୍ୟସିଂହଙ୍କ ଦର୍ଶନ ଲାଭ କରିଥିଲେ। ସେମାନେ ମହୁ ଓ ପିଠା ଖାଇବାକୁ ଦେଇ ତତ୍ତ୍ୱଜ୍ଞାନ ଲାଭ କରି ରାଜାୟତନ ନାମକ ଏକ ବୃକ୍ଷମୂଳେ ନିରାହାର ଓ ପ୍ରଶାନ୍ତ ଚିତ୍ତରେ ବସିଥିବା ବୁଦ୍ଧଙ୍କର ଉପବାସ ଭଙ୍ଗ କଲେ। ଅପୂର୍ବ ଆନନ୍ଦରେ ବିଭୋର ଗୌତମ ସେମାନଙ୍କୁ ନିଜର ସତ୍ୟ ଅନୁଭୂତ ଚାରୋଟି ଚିରନ୍ତନ ସତ୍ୟ ସମ୍ପର୍କରେ ବୁଝାଇଲେ। ଏହିପରି ଭାବରେ ଏହି ଦୁଇଜଣ ଓଡି଼ଆ ଶ୍ରେଷ୍ଠୀ ସ୍ୱୟଂ ମହାକାରୁଣିକ ବୁଦ୍ଧଙ୍କର ପ୍ରଥମ ଶିଷ୍ୟ ହେବାର ଗୌରବ ଅର୍ଜନ କରିଥିଲେ।

ଗୌତମ ୨୯ ବର୍ଷ ବୟସରେ ଗୃହତ୍ୟାଗ କରି ୩୫ ବର୍ଷ ବୟସରେ ବୁଦ୍ଧତ୍ୱ ପ୍ରାପ୍ତ ହେଲେ। କୁସଂସ୍କାର ବିଗଳିତ ମାନବ ସମାଜରେ ପଶୁମାନଙ୍କ ପ୍ରତି ହିଂସା ଓ ଧର୍ମ ନାମରେ ସମସ୍ତ କର୍ମକାଣ୍ଡକୁ ସମୂଳେ ପ୍ରତ୍ୟାଖ୍ୟାନ କରି ବୁଦ୍ଧ ଏକ ପ୍ରେମ ଓ କରୁଣା ଭିତ୍ତିକ ସୁସଂହତ ମାନବ ସମାଜ ଗଠନର ମାର୍ଗ ପ୍ରଦର୍ଶନ କରିଥିଲେ। ବୁଦ୍ଧତ୍ୱ ପ୍ରାପ୍ତିପରେ ଦୀର୍ଘ ୪୫ ବର୍ଷ ଧରି ସମଗ୍ର ଦେଶରେ ବୁଲି ବୁଲି ସେ ମାନବ ସମାଜକୁ ଦୁଃଖକଷ୍ଟରୁ ଉଦ୍ଧାର କରିବାର ଏହି ସରଳ ସହଜ ଉପାୟ ଶିକ୍ଷା ଦେବାରେ ନିଜକୁ ନିୟୋଜିତ କଲେ। ବୁଦ୍ଧଦେବ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଧର୍ମୋପଦେଶ ପ୍ରଦାନ କରିଥିଲେ; ସେମାନଙ୍କ ମଧ୍ୟରେ ଥିଲେ ରାଜା ଓ କୃଷକ, ବ୍ରାହ୍ମଣ ଓ ଅଚ୍ଛବ, ଧନୀ ଦରିଦ୍ର, ସାଧୁସନ୍ଥ ଓ ଏପରିକି ଦସ୍ୟୁ ମଧ୍ୟ। ଏମାନଙ୍କ ଲାଗି ବୁଦ୍ଧଦେବଙ୍କ ମନରେ କୌଣସି ଭେଦଭାବ ନଥିଲା। ତାଙ୍କ ଧର୍ମୋପଦେଶକୁ ବୁଝି ଗ୍ରହଣ କରିବାପାଇଁ ପ୍ରସ୍ତୁତ ଥିବା ସମସ୍ତ ପୁରୁଷ ଓ ମହିଳାଙ୍କ ପାଇଁ ତାହା ଉନ୍ମୁକ୍ତ ଥିଲା। ୮୦ ବର୍ଷ ବୟସରେ ବୁଦ୍ଧଦେବ ବର୍ତ୍ତମାନ ଉତ୍ତର ପ୍ରଦେଶର କୁଶୀନାରାଠାରେ ସଂସାର ତ୍ୟାଗ କରିଥିଲେ। ମହାବଂଶ ଓ ଦୀପବଂଶ ନାମକ ବୌଦ୍ଧଧର୍ମର ଦୁଇଟି ପ୍ରଧାନ ଗ୍ରନ୍ଥର ତଥ୍ୟ ଅନୁଯାୟୀ ୮୦ ବର୍ଷ ବୟସରେ ଖ୍ରୀଷ୍ଟପୂର୍ବ ୪୭୮ ବର୍ଷରେ ବୁଦ୍ଧଦେବଙ୍କର ମହାପରିନିର୍ବାଣ ହୋଇଥିବା ଜଣାଯାଏ।

Comments are closed.